ସ୍ଵପ୍ନର ଘର

ଆଜି ଏତେ ସକାଳୁ ମଧ୍ୟ ଟ୍ରେନରେ ଭିଡ ହୋଇ ଗଲାଣି । ଗୋଟିଏ ବି ସିଟ ଖାଲି ନାହିଁ । ପ୍ରଥମ ଥର ପାଇଁ ମୁମ୍ବାଇ ଲୋକାଲ ଟ୍ରେନରେ ଚଢିଛି ସୁଲି । ‘ଡରି ଯିବନି ତ !!’ ନରହରି ବ୍ୟସ୍ତ ହୋଇ ପଡୁଥିଲା । ଓଡିଶାରୁ ମୁମ୍ବାଇ ଦୁଇଦିନର ଟ୍ରେନ ଯାତ୍ରାରେ ହାଲିଆ ଲାଗୁଥିଲା ଭାରି । ଷ୍ଟେସନରେ ଓଲ୍ହାଇବା ପରେ ପୁଣି ଥରେ ଲୋକାଲ ଟ୍ରେନରେ ଚଢିଛନ୍ତି ସେମାନେ । ଆଉ ଘଣ୍ଟାକ ପରେ ପହଞ୍ଚି ଯିବେ ଘରେ । ସୁଲି ଠିଆ ହୋଇଥିଲା ସିଟକୁ ଆଉଜି । ଚାହିଁ ଥିଲା ବାହାର କୁ । ସୁଲିକୁ ଖୁସି ଖୁସି ଲାଗୁଥିଲା । ବାହାଘରର ପନ୍ଦର ଦିନ ପରେ ନରହରି ସହିତ ସେ ମୁମ୍ବାଇ ଆସିଛି । ଏଇଠି ରହିବେ ସେମାନେ । ତା’ ଘରେ । ସୁଲି ଆଉ ନରହରିଙ୍କ ଘର । ସୁଲୁସୁଲିଆ ପବନ ବୋହୁଥିଲା । ଲୁହା ଖମ୍ବକୁ ଦି’ ହାତରେ ଧରିନେଇ ନରହରି ପାଖକୁ ଟିକେ ଲାଗିକରି ଠିଆ ହେଲା ସୁଲି ।

“ତତେ ହାଲିଆ ଲାଗିବଣି? ଆଉ ଅଳ୍ପ ସମୟ ପରେ ଘରେ ପହଞ୍ଚି ଯିବା ଆମେ ।“  ନରହରି ଆଶ୍ଵାସନା ଦେଇ କହୁଥିଲା ।

ଘର, ସୁଲିର ଈପ୍ସିତ ଘର । ଏମିତି ଗୋଟିଏ ଘରକୁ ନେଇ ଅନେକ ସ୍ଵପ୍ନ ଦେଖିଛି ସେ ।

ଝାଟିମାଟିର ଘରେ ମା’ ଆଉ ସାନଭାଇ ସହିତ ରହୁଥିଲା ସୁଲି । ମା’  ବାଦାମ ଭାଜି ଦେଉଥିଲା । ଖୋର୍ଦ୍ଦା-ପୁରୀ ପାସେଞ୍ଜର ଟ୍ରେନରେ ବାଦାମ ଭଜା ବିକୁଥିଲା ସୁଲକ୍ଷଣା । ସେଇଠି ଦିନେ ଦେଖାହେଲା ନରହରି । ଷ୍ଟେସନ ଉପରେ ଷ୍ଟେସନାରୀ ଦୋକାନରେ କାମ  କରେ ସେ ।  ତ’ରି ଚେଷ୍ଟା ରେ ସୁଲକ୍ଷଣାକୁ  ବିଭିନ୍ନ ସୌଖିନ ଜିନିଷ ଝୁଡିରେ ନେଇ ଟ୍ରେନ ଭିତରେ ବିକିବାର କାମଟି  ମିଳିଗଲା । କାନଫୁଲ , ନେଲପଲିଶ, ସେପ୍ଟିପିନ, କ୍ଲିପ । ଭଳିକି ଭଳି ନୂଆ ନୂଆ ଡିଜାଇନର । ସୁଲକ୍ଷଣା ବି ଭାରି ସୁନ୍ଦର ଗପ ଯୋଡିପାରେ କଲେଜ ପଢୁଆ ଝିଅ ମାନଙ୍କ ସହ । ବେପାର ଭଲ ହୁଏ । ମାଲିକ ଆଗରେ ନରହରିର ଛାତି ଚଉଡାହୁଏ । ଧୀରେ ଧୀରେ ନରହରି ସୁଲକ୍ଷଣାକୁ ଭଲ ପାଇ ବସେ । ନିଜକୁ ଟିକେ ସ୍ବଚ୍ଛଳ କରିବାର ଆଶା ନେଇ ମୁମ୍ବାଇ ଗଲାପରେ ବେଶିବେଶି ମନେପଡେ ସୁଲକ୍ଷଣା । ମନ ଭିତରର ଗୋପନ ପ୍ରେମକୁ ସୁଲି ଆଗରେ ପ୍ରକାଶ ନ କରି ମୁମ୍ବାଇ ଚାଲି ଆସିବା ନେଇ ଦୋଷ ଦିଏ  ନିଜକୁ । ଏକାନ୍ତରେ ଲୁହ ଝରାଏ ।

ସୁଲି ମଧ୍ୟ ନରହରିକୁ ଭଲ ପାଉଥିଲା । ନରହରିର ଅବର୍ତ୍ତମାନରେ ଝୁରୁଥିଲା ତାକୁ । ଦିନ କେଇଟା ପାଇଁ ଘରକୁ ଆସିଥିବା ନରହରି ଛୁଟି ଆସିଥିଲା ଷ୍ଟେସନକୁ ସୁଲକ୍ଷଣାକୁ ଭେଟିବା ଆଶାରେ । ସେଦିନ ସେମାନେ ଜାଣିଥିଲେ ପରସ୍ପରର ମନର କଥା । ତାପରେ କତଟି ଯାଇଥିଲା ପାଞ୍ଚବର୍ଷ । ମୁମ୍ବାଇରେ ପୁରୁଣା ବହିର ଦୋକାନ ଖୋଲିଛି   ନରହରି । ବେଶ ଭଲ ରୋଜଗାର ହେଉଛି । ଘରଟିଏ ବି ଭଡାରେ ନେଇଛି ସେ । ସୁଲି ଖୁସି ହୋଇଥିଲା ଖୁବ । ନୂଆ କରି ଗଢିବାକୁ ଯାଉଥିବା ଘରକୁ ନେଇ ସ୍ଵପ୍ନର ମହଲ ତୋଳୁଥିଲା । ଦଲକା ଦଲକା ଶୀତଳ ପବନ ଦେହ ଆଉ ମନକୁ ଉଚ୍ଚାଟ  କରୁଥିଲା । ଡଲିଅପାଙ୍କ ଘର ପରି, ନା ସୁମୀ ଅପାଙ୍କ ଘର  ପରି ହୋଇଥିବ ତା’ର ଘର? କେବେ କେବେ ଡଲି ଅପା, ସୁମୀ ଅପାଙ୍କ ଘରକୁ କାନଫୁଲ ଚୁଡି ନେଇ ଯାଏ ସେ । ନୂଆ ଡିଜାଇନର କିଛି ଆସିଥିଲେ ସେମାନେ ଘରକୁ ଡକାନ୍ତି । ଘରେ ତାଙ୍କର ଭଉଣୀ, ଭାଉଜ, ଖୁଡୀ । ସମସ୍ତେ ଭାରି ଭଲପା‘ନ୍ତି ସୁଲିକୁ । କଅଳେଇ କଥା ହୁଅନ୍ତି ଆଉ ଟିକେ ଶସ୍ତା କରି ସୁଲି ବି ତାଙ୍କୁ ଧରାଇ ଦିଏ ମନକୁ ପାଇଲାପରି ଜିନିଷ ସବୁ । କେତେ ସୁନ୍ଦର ସେମାନଙ୍କ ଘର । ପକ୍କା ଘର – ବେଶ ବଡ, ମଝିରେ ଅଗଣା । କେବେକେବେ ସେମାନେ ତାଙ୍କ କୋଠରୀକୁ ବି  ଡାକି ନିଆନ୍ତି ସୁଲିକୁ । ଭାରି ଭଲଲାଗେ । ତା’ ଘରର ମାଟି ଚଟାଣ, ଝାଟିମାଟି ତାଟି ଦୁଆର ଡେଇଁ ନରହରିକୁ ବାହା ହୋଇ ଆଜି ମୁମ୍ବାଇରେ ଘର କରିବାକୁ ଯାଉଛି ସେ । ଏ କଥା ଭାବି ପୁଲକିତ ହେଉଥିଲା ସୁଲି ।

ପାଞ୍ଚ ହଜାର ଟଙ୍କା ଘର ଭଡା ଦେଉଛି ନରହରି । ବେଶ ସୁନ୍ଦର ହୋଇଥିବ ଘରଟି । ସୁଲି ସଜାଇବ ସେ ଘରକୁ ତା‘ ମନ ମୁତବକ । କାନ୍ଥରେ ଟାଙ୍ଗିବ ତା‘ର ଆଉ ନରହରିର ଫଟୋ । ଦୁଆର ଝରକାରେ ଲଗେଇବ ସୁନ୍ଦର ପରଦା । ଡଲିଅପା ଘରେ ଦେଖିଥିବା ଅନେକ କିଛି ଆଖି  ପଲକରେ  ବାନ୍ଧି ଆଣିଛି ସେ । ମିଠା ମିଠା ସ୍ଵପ୍ନ ଖୁନ୍ଦି ହୋଇ ଯାଉଥିଲା ସୁଲକ୍ଷଣାର ମନ ବନ ଉପବନରେ । ନରହରି ଆସ୍ତେ ଦାବି ଦେଇଥିଲା ତାର ହାତ ପାପୁଲିକୁ ଲୁହାଖମ୍ବ ଉପରେ ।

“କଣ ଭାବୁଛୁ?”

“ନାଇଁ ମ, କିଛି ନାଇଁ । “

ସେ ନ କହିଲେ ବି ନରହରି ଜାଣିପାରୁଥିଲା ସୁଲି ଖୁବ ଖୁସି ।ସୁଲିର ଖୁସି ସଞ୍ଚରି ଆସୁଥିଲା ତା’ର ହୃଦୟ ଭିତରକୁ । ଘରଣୀକୁ ସାଥିରେ ନେଇ ସେ ତାର ଘରକୁ ଯାଉଛି, ଭାବିଲା ମାତ୍ରେ ହିଁ ଉଲ୍ଲୁସି ଉଠୁଛି ମନ ।

ସୁଲିର ଦୃଷ୍ଟି ଲମ୍ବି ଯାଇଥିଲା ଦୁଆର ସେପଟ ଦୃଶ୍ୟମାନଙ୍କ ଆଡକୁ । ଥାକଥାକ ହୋଇ କେତେଘର ରାସ୍ତା ସାରା । ଯେତେ ଘର, ସେତେ ଲୋକ । ମୁମ୍ବାଇରେ ସଂସାର ଯାକର ଲୋକ ରହନ୍ତି ନା କଣ ? ’ହେଇ ହେଇ, ବାଲକୋନୀ ରେ କିଏ ଲୁଗା ଶୁଖାଉଛି’ – ହସିଲା ମନେମନେ ସେ । ସେ ବି ଲୁଗା ଶୁଖେଇବ ଡଲି ଅପା ପରି । ନରହରି କହୁଥିଲା ତାଙ୍କର ଗୋଟିକିଆ ଘର । ଭଲ ହେଲା, ଥାକ ଥାକ ଘରେ ଭାରି ଅଡୁଆ । ଏ ଘରର ପାଣି ସେ ଘରେ ପଶିବ । ଏ ଘରେ ଲୁଗା ଶୁଖିଲେ ସେ ଘରେ ପାଣି ଝରିବ । ସେ ତା’ର ଗୋଟିକିଆ ଘରର ଛାତ ଉପରେ ଲୁଗା ଟାଙ୍ଗିଦେବ । ପବନରେ ଘୁରି ବୁଲିବ ଛାତର ଏ ମୁଣ୍ଡରୁ ସେମୁଣ୍ଡ । ସୁମୀ ଅପା ପରି ଗୀତ ଗାଇବ ଗୁଣୁଗୁଣୁ ହୋଇ ।

“ହେଇ, କଣ ଏତେ ଭାବୁଛୁ ?” ନରହରି କେଞ୍ଚି ଦେଲା । ସ୍ଵପ୍ନ ଭାଙ୍ଗିଗଲା ସୁଲିର ।

“ଘର ଆଉ କେତେ ଦୂର?”

“ଆଉ ଅଳ୍ପ ବାଟଅଛି । ପନ୍ଦର କୋଡିଏ ମିନିଟ ଲାଗିବ ।“

ନରହରି କହିଲା, ଆଉ ତା ‘ପକେଟ ରୁ ଫୋନ କାଢି ଫଟୋଟେ ଖୋଲି ଧରିଲା ସୁଲି ଆଗରେ ।

“ହେଇ ଦେଖ, ଆମ ଘର ।“

ସୁଲି ଟିକେ ଚମକି ଉଠିଲା – ନୀଳ ପ୍ଲାଷ୍ଟିକରେ ବନ୍ଧା ହୋଇ ତିଆରି ହୋଇଛି ଧାଡି ଧାଡି ଘର । ପ୍ଲାଷ୍ଟିକ ଜରିରେ କାନ୍ଥ, ଛାତ, ଦୁଆର । ଅଧା କାନ୍ଥ ଉପରେ ମୋଟ ପ୍ଲାଷ୍ଟିକରେ ବେଶ ମଜଭୁତ ହୋଇଛି ଘରର ଚାରିପଟ । କେତେ ନା କେତେ ଘର । ଲାଗିଲାଗି, ଯୋଡାଯୋଡି ।  “ଧରବି ହେଉଚି ଜାଗାଟିର ନାଁ । ମନେ ରହିବତ ତୋର? ସେଇଠି ପୁରା ସଂସାର ଦେଖିବୁ ତୁ ।“  ନରହରି କହି ଚାଲିଥିଲା ତା’ ଘର ଆଉ ଆଖ ପାଖ ର ଦୁନିଆଁ ସମ୍ପର୍କରେ । ସୁଲି କଣ ଦେଖୁଥିଲା ? ଡଲି ଅପା ସୁମୀ ଅପାଙ୍କ ଘର, ଛାତ, ଅଗଣା ନା ତା ‘ର ଆଜି ଯାଏଁ କଟିଯାଇଥିବା  ଝାଟି ମାଟି ଝୁମ୍ପୁଡି । ପ୍ରକୃତରେ କିଛି ତ ସେ ଦେଖି ପାରୁ ନ ଥିଲା । କିଛି ଦେଖା ଯାଉ ନ ଥିଲା ତାକୁ । ପୁରା ଆଖି ଭରି ଯାଇଥିଲା ଲୁହ ରେ । ବାଁହାତ ନେଡିରେ ଲୁହ ପୋଛି ଆଣିଲା ବେଳକୁ ନରହରି ର ଖୁସି ଖୁସି ମୁହଁ ଟା ଆଖିରେ ପଡିଲା । ମୋବାଇଲର କୁନି ପରଦାଟିକୁ ଏକ ଲୟରେ  ଚାହିଁଛି ସେ – ଏଥର ଭଲ କରି ରଗଡି ଆଖି ପୋଛି ନେଲା ସୁଲି । ନରହରି ଆଖି ଉଠାଇ ଚାହିଁଛି ତାକୁ । ସେ ଆଖିରେ ଖୁସି ଝଲକୁଛି । ସୁଲି ବି ସ୍ଥିର ହୋଇ ଚାହିଁଲା ସେ ଆଖିକୁ । ଚମକି ପଡିଲା । କାହାକୁ ଦେଖୁଛି ସେ? କାହାକୁ??? ନା ସେଠି ସେ ଦେଖି ପାରୁଥିଲା ତା’ ମା’ର ଘର, ନା ଡଲି ଅପାଙ୍କ ଉଚ୍ଚ କାନ୍ଥ ଆଉ ଛାତ । ସେଇଠି ସେ ଦେଖି ପାରିଥିଲା ନିଜକୁ ।ଏକ ଅପୂର୍ବ ସମ୍ମୋହନ । ଅବର୍ଣନୀୟ ଏକ ଅନୁଭବ ଖେଳେଇ ହୋଇ ଗଲା ତାର ସାରା ଦେହରେ, ମନରେ । ଏତେ ଖୁସି, ଏତେ ଆନନ୍ଦ,ଏତେ ଭଲପାଇବା! ନରହରିର ଆଖିରେ, ନରହରିର ମୁହଁ ରେ ତା’ ନିଜ ପ୍ରତି ଏତେ ଆବେଗ ! ସେଇ ସ୍ଵର୍ଗୀୟ ସୁଖକୁ ସାଉଁଟି ନେବା ପାଇଁ ସୁଲିର ହୃଦୟ ଖୋଲିଗଲା ଆପଣାଛାଏଁ । ପ୍ରିୟର ଆଖିର ଡୋଳାରେ ପ୍ରେମର ନିବୁଜ ସୁରକ୍ଷିତ ଘରଟି ଭିତରେ ନିଜକୁ ହିଁ କେବଳ ଦେଖି ପାରୁଥିଲା ସୁଲି । ନରହରି ପଚାରୁ ଥିଲା ଖୁସି ଲାଗୁଛି ନା ଆମ ଘର ଦେଖି ? ଏଇଟା ତ ଫଟୋ ! ତୁ ଗଲେ ସଜାଡି ଦେବୁ ତୋ ଘରକୁ ନିଜ ହାତରେ । ସୁଲି ଭାବୁଥିଲା କହିବ କି ମୋ ଘର ତ ତୁମ ଆଖିରେ । ଲାଜେଇ ଗଲା । କହିପାରିନଥିଲା  କିଛି …

(୨୦୧୮ ‘ତଅପୋଇ’, ମୁମ୍ବାଇରେ ପ୍ରକାଶିତ)

****

3 thoughts on “ସ୍ଵପ୍ନର ଘର

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s