ଜେଜେମା’

ସାବିତ୍ରୀ ନିଜ ନାଁ ଟିକୁ ବି ଭୁଲିଗଲେଣି ଏ ଭିତରେ । ସମସ୍ତଙ୍କର ସେ ଜେଜେମା’ । ଆଖପାଖ ଖଣ୍ଡକରେ ସମସ୍ତେ ତାଙ୍କୁ ଜେଜେମା’ ବୋଲି ଡାକନ୍ତି । ସ୍ଵାମୀ ଚାଲିଗଲାପରେ ସାବିତ୍ରୀ କେମିତି ଏକୁଟିଆ ଅନୁଭବ କରୁଛନ୍ତି । ସେ ଯିବାର ଆଜିକି ଅନେକ ବର୍ଷ ହୋଇଗଲାଣି । ସାବିତ୍ରୀ ଗାଧୁଆଘରେ ଗୋଡ ଲମ୍ବେଇ ପାଣି ଢାଳିବାରେ ଲାଗିଛନ୍ତି । ଆଜି ତିଥିରେ ସେ ଜନ୍ମ ହୋଇଥିଲେ । ଆଜି ଜନ୍ମାଷ୍ଟମୀ; ତେଣୁ ଜନ୍ମଦିନଟି ତାଙ୍କର ଭୁଲି ହୁଏନି କେବେ । ଆଜି ତାଙ୍କୁ ଶହେ ବର୍ଷ ବୟସ ହେଲା । ବାଳ ଗୋଛାକ ଅଣ୍ଟାଉପରେ ଖେଳେଇ ହୋଇ ପଡିଛି । ହାତରେ ଗୁଡେଇ ଜୁଡାଟେ ପାରିବାକୁ ଶକ୍ତି ପାଉନି । ଅନୁ ଗାଧୁଆ ଘର ଦୁଆରେ ଠିଆ ହୋଇ ଡାକ ଛାଡୁଛି “କ’ଣ ସରିଲା ଜେଜେମା’?” ସବୁଦିନେ ଅନୁଟା ଏମିତି । ଗାଧୁଆ ବେଳେ ପାଣି ଚାରିଢାଳ ଏକାନ୍ତରେ ଢାଳି ନ ହେଲେ ଶାନ୍ତି ଲାଗେନି ତାଙ୍କୁ । ଶହେ ବର୍ଷର ବୁଢୀ ହେଲେଣି ସିନା, ଲୁଗାପଟା ଟିକେ ଏକଡସେକଡ ହେଲେ ଭାରି ଲାଜ ମାଡେ ତାଙ୍କୁ । ଏ ନାତି ନାତୁଣୀ ଗୁଡାକ କ’ଣ ବୁଝୁଛନ୍ତି ? ଝିଙ୍କିଝାଙ୍କି ପକାଉଛନ୍ତି । ଅନୁଟା ଉପରେ ଭାରି ବିଶ୍ଵାସ ତାଙ୍କର । ଅନୁ ବଡ ନାତୁଣୀ ବୋହୂ । ଗାଧୁଆପାଧୁଆ ସବୁ ସେଇ କରାଏ । ଚାରି ଢାଳ ପାଣି ନିଜେ ଢାଳି ହୋଇ ଗଲାପରେ ଅନୁ ଘଷି ଦେଇ ପୋଛି ପାଛି କେଡେ ସଳଖ ରେ ଲୁଗା ପିନ୍ଧେଇ ଦେବ । ଜେଜେମା’ ଅନୁ ବିନା ଅଚଳ ।
ଆଜି କାହିଁକି ବୁଢା ମନେପଡ଼ୁଛନ୍ତି ଖୁବ । ଜେଜେମା’ ଧକେଇ ଧକେଇ ବହେ କାନ୍ଦିଲେ । ଅନୁ ଭିତରକୁ ପଶି ଆସି ଜେଜେମା’ଙ୍କୁ ଆକଟ କରିଥିଲା । ବାଳ ଗୁଡାକ ଦୁଇ ହାତରେ ମୁଠାଇ ନେଉନେଉ ଅନୁ କହିଥିଲା “ଜେଜେମା’ ହାପି ବାର୍ଥଡେ !“ ଜେଜେମା’ ଏଇ କଥାଟିକୁ ମନେ ରଖିଛନ୍ତି । ତାଙ୍କ ଅଣନାତି, ଏଇ ଅନୁପ୍ରଭାର ପୁଅ ତାଙ୍କୁ ଶିଖେଇଛି । ଗତଥର ତା’ର ଜନ୍ମଦିନରେ କେକ କଟାଗଲା ବେଳେ ଜେଜେମା’ “ହାପି ବାର୍ଥ ଡେ ଟୁ ୟୁ” ନ କହିଲେ ସେ କେକ କାଟିବନି ବୋଲି ଜିଦ କଲାପରେ ସମସ୍ତଙ୍କର ଅନୁରୋଧ, ଅଭିଷେକର କାନ୍ଦକାନ୍ଦ ଅଳିକୁ ମାନି ନେଇ ଜେଜେମା’ “ହାପି ବାର୍ଥ ଡେ ଟୁ ୟୁ” କହିଥିଲେ । ଆଉ ସେଇ ଦିନଟି ସେ ମନେ ମନେ ଘୋଷି ହେଉଥିଲେ । କାହିଁକି କେଜାଣି କହି ସାରିବା ପରେ ଭାରି ଖୁସି ଲାଗିଥିଲା ତାଙ୍କୁ । ଅଭିଷେକବି ତାଙ୍କ ଗାଲ ରେ ମୁହଁ ଘଷି “ଥ୍ୟାଙ୍କ ୟୁ” କହିଥିଲା । ଅନୁ ର କଥା ଶୁଣି ଜେଜେମା’ ତାକୁ ଟିକେ ଆଉଁସି ଦେଇ “ଥ୍ୟାଙ୍କ ୟୁ” କହିଲେ। ଜେଜେମା’ଙ୍କ ମୁହଁ ରୁ ଥ୍ୟାଙ୍କ ୟୁ ଶୁଣି ଅନୁ ବି ଚମକି ପଡିଥିଲା ।
– ”ବାଃ “
ଜେଜେମା’ ହସିଥିଲେ । ଏବେ ବି ଜେଜେମା’ଙ୍କର ତିନି ଚାରିଟି ଆଗ ଦାନ୍ତ ଅଛି । ମୁଣ୍ଡର ବାଳ ଗୁଡିକ ଝୋଟ ହୋଇ ଯାଇଥିଲେ ମଧ୍ୟ ଲମ୍ବା ବାଳ ଦେଖି ଯେ କୌଣସି ସ୍ତ୍ରୀ ଲୋକ ଘଡିଏ ଅଟକି ଯିବ ।
ଜେଜେମା’ ପୋଛିପାଛି ହୋଇ ବାହାରକୁ ଆସି ଆଶ୍ଚର୍ଯ୍ୟ ହୋଇଗଲେ ।
– ଆରେ , ଏ କ’ଣ ! ବାହାରେ ସବୁ ନାତି, ନାତୁଣୀ, ଅଣନାତି, ନାତୁଣୀ ପୁଅ ଝିଅ ଙ୍କ ଭିଡ । ଆଜି ଜେଜେମା’ କେକ କାଟିବେ । ଜେଜେମା’ଙ୍କ ବାର୍ଥ ଡେ ପାଇଁ ଆୟୋଜନ । ଜେଜେମା’ ଲାଜରେ ସଙ୍କୋଚରେ ଏଡେ ଟିକେ ହୋଇ ଗଲେଣି । ଆଗଚଲା ଅଭିଷେକ ବାହାରି ପଡି କହିଲା, “ଜେଜେମା’ ହାପ୍ପି ବାର୍ଥ ଡେ ଟୁ ୟୁ” । ସମସ୍ତେ ପାଳି ଧରିଲେ । ଅନୁ, ଆଭା, ସମୀର ଜେଜେମା’ଙ୍କୁ କୁଣ୍ଢେଇ କୁଣ୍ଢେଇ ହଲକୁ ନେଇ ଗଲେ । ହଲର ସାଜସଜ୍ଜା, ଘର ଲୋକଙ୍କ ଛଡା ନିମନ୍ତ୍ରିତ ଆଉ କେତେଜଣଙ୍କୁ ଦେଖି ଜେଜେମା’ ପୁରା ସଙ୍କୁଚିତ ହୋଇଗଲେ । ମୁଣ୍ଡର ବାଳଗୁଡା ଖୋଲି ଯାଇ ଅଣ୍ଟାଉପରେ ପହଂରୁଥିଲା । ନୂଆ ଧଳା ଲୁଗାରେ ଜେଜେମା’ ଭାରି ଆକର୍ଷଣୀୟା ଦିଶୁଥିଲେ । ସାହି ର ବୟୋଜ୍ୟେଷ୍ଠା ମହିଳାଙ୍କୁ ଶୁଭେଚ୍ଛା ଜଣେଇ ମହିଳା ସମିତି ତରଫରୁ ଶୁଭେଚ୍ଛା ପତ୍ର ଆସିଥିଲା । ଜେଜେମା’ ଧୀରେ ଧୀରେ ସ୍ଵାଭାବିକ ହେବାକୁ ଲାଗିଲେ । କେମିତି ଖୁସିଖୁସି ଲାଗୁଥିଲା ।
ଖୁବ ଆଡମ୍ବର ରେ ଜନ୍ମଦିନ ପାଳିତ ହୋଇଥିଲା । ତା’ର ଦୁଇଦିନ ପରେ ସ୍ଥାନୀୟ ସମ୍ବାଦ ପତ୍ରରେ ‘ବୟୋଜ୍ୟେଷ୍ଠା ମହିଳାଙ୍କର ଏକଶତତମ ଜନ୍ମଦିନ ପାଳିତ ଶୀର୍ଷକରେ ଜେଜେମା’ଙ୍କ ଫଟୋ ପ୍ରକାଶ ପାଇଥିଲା ।
ସାବିତ୍ରୀ ଙ୍କୁ ଖୁବ ସଙ୍କୋଚ ଲାଗିଥିଲା ସେଦିନ, ଯେଉଁଦିନ ଦୁଇ ଜଣ ଭଦ୍ରଲୋକ ଓ ଭଦ୍ର ମହିଳା ଆସି ଅନୁରୋଧ କରିଥିଲେ ତାଙ୍କର କେଶ ତୈଳର ପ୍ରଚାର ଲାଗି ଜେଜେମା’ଙ୍କ ପାଖରେ । ଅଣ୍ଟା ଯାଏଁ ଲମ୍ବିଥିବା କେଶ ସହ ଗୋଟିଏ ଫଟୋ ଓ ସାବିତ୍ରୀ ଙ୍କ ମୁଖ ନିଃସୃତ କେତୋଟି କଥା କେଶ ତୈଳକୁ ନେଇ । ବାସ ! ସେଇ ଧାଡିଗୁଡିକୁ ମଧ୍ୟ ଲେଖି ଆଣିଥିଲେ ସାଙ୍ଗରେ ସେମାନେ । କ୍ୟାମେରା, ଟେପ ରେକଡ଼ର, ସବୁକିଛି ନେଇ ଆସିଥିଲେ । ସାବିତ୍ରୀଙ୍କ ଅନୁମତିପାଇଁ କେବଳ ଅପେକ୍ଷା ଥିଲା । ବୋଧହୁଏ ଅନୁ, ଆଭା ରାଜି ହୋଇ ଯାଇଥିଲେ । ଜେଜେମା’ ସେମାନଙ୍କ ଆଡେ ଚାହିଁଥିଲେ । ସମସ୍ତଙ୍କ ଅନୁନୟଭରା ଆଖି ଦେଖି ଜେଜେମା’ ହସିଥିଲେ କେବଳ । କେଜାଣି କାହିଁକି ଫଟୋ ଉଠେଇବାକୁ ଖୁବ ଲାଜ ଲାଗେ ତାଙ୍କୁ । ଅଭିଷେକର ଜନ୍ମଦିନ ସମୟରେ ଉଠିଥିବା ଫଟୋରେ ସେ ଜବରଦସ୍ତ ଜେଜେମା’ଙ୍କୁ କୁଣ୍ଢେଇ ଉଠେଇଥିବା ଫଟୋଟି ବଡ କରାହୋଇ ଦାଣ୍ଡଘରେ ଝୁଲୁଥିଲା । ଜେଜେମା’ ଫଟୋଟି ଆଡେ ଚାହିଁଲେ ଥରେ । ସତରେ କ’ଣ କେଶ ତୈଳ ର ପ୍ରଚାର ପାଇଁ ଯୋଗ୍ୟ ତାଙ୍କ କେଶ ! ନିଜର ଲମ୍ବା କେଶକୁ ହାତରେ ଆଉଁସୁ ଆଉଁସୁ ସେ ଅନୁଭବ କରୁଥିଲେ କେମିତି ଧୀରେ ଧୀରେ ସେ ଦୃଢ ହୋଇ ଯାଉଛନ୍ତି । ତାଙ୍କର ସମ୍ମତିସୂଚକ ମୌନତାକୁ ଲକ୍ଷ୍ୟ କରି ଆଗନ୍ତୁକ ଭଦ୍ର ମହିଳା ଆଣିଥିବା ଚାରି ଧାଡି ତାଙ୍କ ଆଗରେ ଖୋଲି ଧରିଥିଲେ । ଜେଜେମା’ ପଢିଲେ । ପିଲାଦିନେ ଶିଖିଥିବା ଅକ୍ଷର ଗୁଡିକ ରାମାୟଣ, ଭାଗବତ ପଢିବା ଭିତରେ ସ୍ମୃତିର ଇଲାକାରେ ବାନ୍ଧି ରଖିଛନ୍ତି ଜେଜେମା’ । ଚଷମା ନ ଲଗେଇ ଖାଲି ଆଖିରେ ମଧ୍ୟ ଟିକେ ପାଖରୁ ସେ ପଢିପାରନ୍ତି । କେଜାଣି କାହିଁକି ଟେଲିଭିଜନର ପରଦାରେ ଦେଖିଥିବା ବିଭିନ୍ନ ପ୍ରଚାର (ଯାହାକି ତାଙ୍କୁ ଖୁବ ଭଲ ଲାଗେ)ରେ ଶୁଣିଥିବା ସ୍ଵର ପରି ତାଙ୍କ ମୁହଁରୁ ବାହାରି ଥିବା ଧାଡି ଗୁଡିକ ଥରକ ରେ ହିଁ ଏତେ ସୁନ୍ଦର ହୋଇଥିଲା ଯେ ପରୀକ୍ଷା କରିବାକୁ ରେକର୍ଡିଂ କରିବେ, କହିଥିବା ସତ୍ତ୍ୱେ ସେଇ ଥରକରେ ସେମାନେ ରେକର୍ଡିଂକରି ନେଇଥିଲେ ସେଇ କଥା ଗୁଡିକ । ଦୁଇ ତିନୋଟି ବିଭିନ୍ନ ପୋଜରେ ଫଟୋ ଉଠେଇ ସେମାନେ ଚାଲିଗଲା ପରେ ଜେଜେମା’ ଅନୁଭବ କରୁଥିଲେ ସେ ଯେମିତି ଆଉ କିଏ ହୋଇ ଯାଇଛନ୍ତି । କହିଥିବା ଧାଡି ଗୁଡିକ ମନେମନେ ଗୁଣି ହେଉଥିଲେ । ଜୀବନରେ କେବେହେଲେ ସେ ଏଭଳି ଅନୁଭବ କରି ନ ଥିଲେ । ମନେହେଉଥିଲା ତାଙ୍କ ଆଗର ଦୀର୍ଘ ପଥ ଲମ୍ବି ଯାଉଛି ଆଗକୁ ଆଗକୁ । ଅନେକ କିଛି କରିବାକୁ ବାକି ରହିଯାଇଛି ଯେମିତି । ତାଙ୍କୁ ଆଗେଇବାକୁ ହେବ । ଅନେକ କିଛି କରିବାକୁ ହେବ ।
ଦୁଇ ଧାଡି କଥାରୁ ବଢି ବଢି ନାଟକ ଟିଏ ହେଲା, ଜେଜେମା’ ସକାଳୁ ଉଠି ଠାକୁର ଘରେ ଦୁଇ ତିନି ଘଣ୍ଟା ବିତେଇବା ପରିବର୍ତ୍ତେ ଚଞ୍ଚଳ ସୁଟିଙ୍ଗ ପାଇଁ ବାହାରିଲେ । ନାତି ନାତୁଣୀଙ୍କୁ ଗପ କହି ଶୁଆଉଥିବା ଜେଜେମା’ ନୂଆ ନୂଆ କାହାଣୀରେ ଅଭିନୟ କରିଚାଲିଲେ । କେଶତୈଳ, ସାବୁନ, ଟୁଥପେଷ୍ଟର ପ୍ରଚାର କରୁ କରୁ ଜେଜେମା’ ଚଳଚ୍ଚିତ୍ରର ରୁପେଲି ପରଦାରେ ଅଭିନୟ କରିବାର ସୁଯୋଗ ପାଇଲେ । ନିଜର ଏଇ ନୂଆ ଚରିତ୍ରଟିକୁ ଆବିଷ୍କାର କରି ଜେଜେମା’ ଉତଫୁଲ୍ଲିତା ହେଲେ । ଜୀବନର ଏକଶତ ବର୍ଷ ଅତିକ୍ରମ କରି ଆସିଥିବା ସ୍ମୃତି ବହୁଳ ରାସ୍ତାରେ କୁହୁଡି ଛାଇ ଗଲା । ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ନୂଆ ସ୍ମୃତି ଗଢିଲେ ଜେଜେମା’ । ‘ହାପି ବାର୍ଥ ଡେ ଟୁ ୟୁ, ଥ୍ୟାଙ୍କ ୟୁ’ ରେ ସୀମିତ ନ ହୋଇ ନୂଆ ନୂଆ ଧାଡି ଇଂରାଜୀ ଶିଖିଲେ । ଜୀବନର ଏଇ ନୂତନ ଅନୁଭୂତିକୁ ନେଇ ମସଗୁଲ ରହିଲେ ସେ ।
ଜେଜେମା’ଙ୍କର ଅଭିନୟକୁ ନେଇ ସାକ୍ଷାତକର ଆଲୋଚନା ଟେଲିଭିଜନରେ ପ୍ରଚାର ହେଉ ଥିଲା । ନୂଆ ନୂଆ କ୍ୟାମେରା ସାମ୍ନାରେ ସଙ୍କୁଚିତା ଅନୁଭବ କରୁଥିବା ଜେଜେମା’ ହଠାତ ଏ ସବୁରେ ପ୍ରବୀଣା ହୋଇ ଉଠିଲେ । ତାଙ୍କର କଥା କହିବାର ଦୃଢତା ବେଳେବେଳେ ତାଙ୍କ ନିଜକୁ ମଧ୍ୟ ବିସ୍ମିତ କରୁଥିଲା ।
ସେଦିନ ନାରୀ ଜୀବନ ଉପରେ ଆଧାରିତ ଡକୁମେଣ୍ଟାରିର ଶେଷ ଦୃଶ୍ୟ ରେକର୍ଡିଂ ହେବାର ଥାଏ । ଜେଜେମା’ ସକାଳୁ ଉଠି ଗାଧୋଇ ଲୁଗା ପିନ୍ଧି ଠାକୁର ଘରେ ପୂଜା କରି ବସିଲେ । ଦାଣ୍ଡଘରେ ଅପେକ୍ଷା କରିଥିଲେ ପ୍ରଯୋଜକ, ନିର୍ଦ୍ଦେଶକ ଓ ଆହୁରି କେତେଜଣ ଭଦ୍ରଲୋକ । ଅନୁ ଚା’ ଜଳଖିଆରେ ଆପ୍ୟାୟିତ କରିଥିଲା ସମସ୍ତଙ୍କୁ । ଆଜି ଜେଜେମା’ଙ୍କର ଅନେକ ଡେରି ହୋଇ ଯାଇଥିଲା ଉଠୁ ଉଠୁ । ଗାଧୋଇ ଠାକୁର ଘରକୁ ଯାଇଥିଲେ ଜେଜେମା’ । ଘଣ୍ଟା ଆଳତିର ସ୍ଵର ଥମି ଯାଇଥିଲା । ଅନୁ ଶାଢୀ ବଦଳେଇ ସାରିଥିଲା । ଜେଜେମା’ଙ୍କ ସହିତ ସବୁ ଜାଗାକୁ ଯାଏ ସେ । ଅନୁ ପାଖରେ ନଥିଲେ ଜେଜେମା’ ଜମ୍ମା ଦୃଢ ହୋଇ ପାରନ୍ତିନି । ଅନୁ ଭାବୁଥିଲା, ଏଇ କେତେଦିନ ଜେଜେମା’ ଙ୍କୁ କାମଟିକେ ଅଧିକ କରିବାକୁ ପଡିଛି । ଆସନ୍ତା ଜନ୍ମାଷ୍ଟମୀରେ ଡକୁମେଣ୍ଟାରିଟି ପ୍ରଦର୍ଶିତ ହେବାଲାଗି ଚୁକ୍ତିବଦ୍ଧ। ଜେଜେମା’ଙ୍କର ବିଶ୍ରାମ ଦରକାର । ଅନୁ ମନେମନେ ଯୋଜନା କରୁଥିଲା, ଏଇ ଶେଷ ପର୍ଯ୍ୟାୟର ସୁଟିଙ୍ଗ ପରେ ଜେଜେମା’ଙ୍କୁ ବିଶ୍ରାମ ନେବାକୁ ଜିଦ କରିବ ସେ । ଦିନକୁ ଦିନ ଛୁଆ ହୋଇ ଯାଉଛନ୍ତି ଜେଜେମା’। ଏ ବୟସରେ ଏତେ ଗୁଡାଏ ପରିଶ୍ରମକରି ମଧ୍ୟ କ୍ଳାନ୍ତି ବୋଧ କରୁନାହାନ୍ତି ଜମା । କହିଲେ ହସନ୍ତି, କହନ୍ତି; ”ନାଇଁ ରେ ଅନୁ, କରିପାରିବି ମୁଁ । ସମୟ ଅଳ୍ପ ଅଛି ହାତରେ, ଅନେକ କିଛି କରିବାର ଅଛି ଯେ …” ଅନୁ ଭାବୁଥିଲା, ନାଃ ! ଏଥର ସେ ଜବରଦସ୍ତ ଅଟକେଇ ରଖିବ ତାଙ୍କୁ । କିଛିଦିନ ବିଶ୍ରାମପରେ ପୁଣି କାମ କରିବେ । ଏଭଳି ଅଥୟ ହୋଇ ପରିଶ୍ରମ କଲେ ଦେହ ଖରାପ ହେବ । ଜେଜେମା’ଙ୍କୁ ଦେଖି ମନେହୁଏ ସେ ଯେମିତି ଆଗାମୀ ବର୍ଷ ଗୁଡାକୁ ସାଉଣ୍ଟିନେଇ ଛୋଟ କରିଦେବାକୁ ଚାହୁଁଛନ୍ତି । ସବୁ କିଛି ଚଞ୍ଚଳ ଚଞ୍ଚଳ ସାରିଦେବାକୁ ପଡିବ । ଡେରି ନ ହୋଇ ଯାଏ ଯେମିତି । ଅନୁ ଭାବୁଥିଲା ଏଥର ଜେଜେମା’ଙ୍କର କଥା ଜମ୍ମା ଶୁଣିବନି ସେ । ବିଶ୍ରାମ ନ ନେଲେ ସେ ଆଗେଇବେ କେମିତି? ତାଙ୍କୁ ଆହୁରି ଅନେକ କିଛି କରିବାକୁ ପଡିବ । ଠାକୁର ଘରୁ ଘଣ୍ଟ ସ୍ଵର ଶୁଣାଯାଉ ନ ଥିଲା । ପ୍ରଯୋଜକ ମହାଶୟଙ୍କର ବ୍ୟସ୍ତତା ଲକ୍ଷ୍ୟକଲା ଅନୁ । ଆଜି ଟିକେ ବେଶୀ ସମୟ ଠାକୁର ଘରେ କଟେଇଲେଣି ଜେଜେମା’ । ଅନୁ ଠାକୁର ଘର କୁ ଗଲା । ଠାକୁରଙ୍କ ସାମ୍ନାରେ ପ୍ରଣାମ କରିବାର ଭଙ୍ଗିନେଇ ବସିଥିଲେ ଜେଜେମା’ । ଦୀର୍ଘ କେଶ ଲମ୍ବି ଯାଇଥିଲା ଚଟାଣରେ । ଅନୁ ଜେଜେମା’ଙ୍କୁ ଆଉଜେଇ ଆଣିଥିଲା । ଜେଜେମା’ଙ୍କର ଆଖି ବୁଜି ହୋଇ ଯାଇଥିଲା । ମୁଁହରେ ଶାନ୍ତି ଛାଇ ଯାଇଥିଲା । ମନେହେଉଥିଲା ସବୁ କାମ ଶେଷ କରିସାରି ନିଶ୍ଚିନ୍ତରେ ଶୋଇ ଯାଇଥିଲେ ଜେଜେମା’ । ଅନୁ କାନ୍ଦି ପାରିନଥିଲା । ଖାଲି କୋଳେଇ ନେଇଥିଲା ତାଙ୍କୁ ।
ଡକୁମେଣ୍ଟାରୀର ଶେଷଦୃଶ୍ୟରେ ଶବ ଶୋଭାଯାତ୍ରାର ଫଟୋ ନେବା ହିଁ ବାକିଥିଲା କେବଳ । ମନେ ହେଉଥିଲା ସତେ ଯେପରି ଏଇ ଦୃଶ୍ୟ ଟିକୁ ଜୀବନ୍ତ କରିବା ପାଇଁ ଚେଷ୍ଟା କରୁଥିଲେ ଜେଜେମା’ । ଠାକୁର ଘରୁ ସୁଟିଙ୍ଗ କାମ ଆରମ୍ଭ ହୋଇଥିଲା । ଅନୁ ସହିତ ପରିବାରର ଅନ୍ୟ ମାନେ ସୁଟିଙ୍ଗ ଶେଷ ପର୍ଯ୍ୟନ୍ତ ଜେଜେମା’ଙ୍କ ପାଖେପାଖେ ଥିଲେ । ଅଗ୍ନି ସଂଯୋଗ ର ସୁଟିଙ୍ଗ ପରେ ଅଭିଷେକ ଜୋର ରେ କାନ୍ଦି ଉଠିଥିଲା। ”ମମ୍ମି, ସତକୁ ସତ ସେମାନେ ନିଆଁ ଲଗେଇ ଦେଲେ ଜେଜେମା’ଙ୍କ ଦେହରେ” । ଅନୁ ଅଭିଷେକକୁ କୋଳକୁ ଆଉଜେଇ ନେଇ କହିଥିଲା; ”ଜେଜେମା’ ଡକୁମେଣ୍ଟାରୀର ଆଜି ଶେଷ ଦୃଶ୍ୟ ଥିଲା ପରା……..”

(୧୯୯୯ ଫେବୃୟାରୀ ‘ସୁଧନ୍ୟା’ରେ ପ୍ରକାଶିତ)

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s