ଅନ୍ୟତମ ଆକର୍ଷଣ

ସେଇ ନିର୍ଦ୍ଦିଷ୍ଟ କୃଷ୍ଣଚୂଡା ଗଛମୂଳେ ତାଙ୍କ ସଙ୍ଗେ ମୋର ଦେଖାହୁଏ ସବୁଦିନ। ଥରେ ନୁହେଁ, ଏକାଧିକ ଥର – ଯେତେ ଥର ମୁଁ ରାଉଣ୍ଡ ନିଏ ସେଇ ଅଙ୍କାବଙ୍କା ରାସ୍ତାଟିରେ । ପାର୍କ ଭିତରେ ଏକ୍ସରସାଇଜ କରୁଥିବା ଆମପରି ଲୋକମାନଙ୍କ ପାଇଁ ତିଆରି ହୋଇଛି ସେ ପାଦଚଲା ରାସ୍ତାଟି। ରାସ୍ତାଟିକୁ ଏକା ସମୟରେ ଏତେ ଲୋକ ଯେ ବ୍ୟବହାର କରିବେ, ଏମିତି ଧାରଣା ବୋଧହୁଏ ଆସି ନ ଥିଲା କାହା ମନରେ ପ୍ରଥମରୁ । ରାସ୍ତାଟିର ଚଉଡା ବେଶ୍ କମ୍ ଥିଲା । ଏକା ସମୟରେ ଦୁଇପଟୁ ଦୁଇଜଣ, ଜଣେ ଆର ଜଣଙ୍କୁ ଅତିକ୍ରମ କରି ଚାଲି ପାରୁଥିଲେ କେବଳ । ସେଇ ରାସ୍ତାରେ କିନ୍ତୁ ଚାଲୁନଥିଲେ ସମସ୍ତେ । ପାର୍କକୁ ଅନେକ ଭାବରେ ଅକ୍ତିୟାର କରି ବସିଥିଲେ ସକାଳୁ ବ୍ୟାୟାମ ପାଇଁ ଆସୁଥିବା ଲୋକସବୁ । ବିଭିନ୍ନ ବୟସର ପୁରୁଷ ସ୍ତ୍ରୀ, ଯୁବକ ଯୁବତୀ । କୁନି କୁନି ପିଲା କେତୋଟି ମଧ୍ୟ ନୂଆନୂଆ ମାଆ ହୋଇଥିବା ତରୁଣୀ ମାନଙ୍କ ସହ ପ୍ରାମରେ ବସି ଘୁରି ବୁଲନ୍ତି ପାର୍କ ର ଏ ପ୍ରାନ୍ତରୁ ସେ ପ୍ରାନ୍ତ।
ସେ କିନ୍ତୁ ସେଇ ରାସ୍ତାରେ ଧୀରେ ଧୀରେ ଦୌଡନ୍ତି , ଯେଉଁ ରାସ୍ତାରେ ମୁଁ ଚାଲିବାକୁ ଯାଏ ପ୍ରତିଦିନ । ସେଇ କୃଷ୍ଣଚୂଡା ଗଛଟି ତଳେ ଆମେ ପରସ୍ପରକୁ ଅତିକ୍ରମ କରୁ ସବୁଦିନ, ବାରମ୍ବାର । ପ୍ରଥମଥର ସେ ମତେ ଗୁଡମର୍ଣ୍ଣିଂ କହି ବେଶ ବଡ ପାଟିରେ ଉଇଶ ବି କରନ୍ତି । କିନ୍ତୁ ତା’ପର ତା’ପର ଦେଖା ଗୁଡିକରେ ଖାଲି ହସନ୍ତି ଟିକେ । ଗୋରା, ଡେଙ୍ଗା, ସୁଦର୍ଶନ ବ୍ୟକ୍ତିତ୍ଵ ତାଙ୍କର । ଚନ୍ଦାମୁଣ୍ଡରେ ସକାଳର କଅଁଳିଆ ଖରା ପଡି ଚକଚକ କରୁଥାଏ । ମେଦ ବିହୀନ ଦେହରେ ସୁସ୍ପଷ୍ଟ ତାଙ୍କର ବଳିଷ୍ଠ ବାହୁ, ଚଉଡା ଛାତି । ଦଶ ଥର ରାଉଣ୍ଡ ଲଗେଇବାକୁ ମନସ୍ଥ କରି ଯାଇଥିଲେ ମଧ୍ୟ ସାତ ରାଉଣ୍ଡ ପରେ ବାରମ୍ବାର ହାତ ଘଣ୍ଟାକୁ ଚାହୁଁଥାଏ ମୁଁ , ନିର୍ଦ୍ଦିଷ୍ଟ ସମୟର ଅବଧି ପୂରଣର ମାନସିକତା ନେଇ । ସେ କିନ୍ତୁ ଟିକେ ବି ହାଲିଆ ଲାଗନ୍ତିନି, ଯଦିଓ ସେ ଚାଲନ୍ତି କମ – ଦୌଡନ୍ତି ବେଶୀ ।
– ‘ସକାଳୁ ଉଠି ଏକ୍ସରସାଇଜ କରିବା ଉଦ୍ଦେଶ୍ୟରେ ଚାଲିବାକୁ ଯିବା ପାଇଁ ମନୋବଳ ଦରକାର । ଲୋଡା ଗୋଟେ ଆକର୍ଷଣ ….’
ମୋ କଥା ଶୁଣି ହସିଥିଲେ ସ୍ମୃତି – ‘ଆକର୍ଷଣ ? ଆକର୍ଷଣ କେଉଁଠି? କାହାର?’
– ‘ଉଁ …..ସେଇ ଜାଗାର । ଯେଉଁଠିକୁ ଆମେ ଚାଲିବାକୁ ଯିବା ସବୁଦିନ । ସେଇଠି ଗୋଟେ ଏମିତି ଆକର୍ଷଣ ଥିବା ଦରକାର ଯାହାପାଇଁ ଆମେ ଟାଣି ହୋଇଯିବା ସବୁଦିନ । ସବୁଦିନ ସକାଳେ ।‘
– ‘ଏକ୍ସରସାଇଜ କରିବା ନିଜେ ତ ଗୋଟେ ଆକର୍ଷଣ ।‘ ସ୍ମୃତି ବୁଝାନ୍ତି ମତେ । ମୁଁ କିନ୍ତୁ ଆଦୌ ବୁଝାଇ ପାରେନା ନିଜକୁ ।
ଘର ପାଖରୁ ଖଣ୍ଡେ ଦୂରରେ ପାର୍କଟି । ପାର୍କର ପ୍ରବେଶ ପଥରେ ହିଁ ଅଛି ଛୋଟ ମନ୍ଦିରଟିଏ । ଅଳ୍ପ ଦିନ ହେବ ରହିବାକୁ ଆସିଥିବା ଆମ ଘରଟି ଜନବସତିଠାରୁ ବେଶ ଦୂରରେ । ନୂଆ ନୂଆ ଗଢି ଉଠିଛି ଆପାର୍ଟମେଣ୍ଟ ଘର ଗୁଡିଏ ସେଇ ଅଞ୍ଚଳରେ । କିଛି ଘର ଅକ୍ତିଆର କରି ରହିଗଲେଣି ଲୋକ । ସ୍କୁଲ ବସଟିଏ ବି ଯିବା ଆସିବା କରୁଛି । ସନ୍ଧ୍ୟାରେ ଛୋଟଛୋଟ ପିଲାମାନେ ଖେଳୁଛନ୍ତି ଆପାର୍ଟମେଣ୍ଟରେ ନୂଆ କରି ଆରମ୍ଭ ହୋଇଥିବା ବଗିଚାଟିରେ । ଏଠି ସେଠି ବାଲକୋନୀ ମାନଙ୍କରେ ସଜ୍ଜାହୋଇ ରହିଥିବା ଫୁଲକୁଣ୍ଡ ଗୁଡିକରୁ ସ୍ଥିର ହୋଇ ବସବାସ କଲେଣି କିଛି ଲୋକ – ଏମିତି ପ୍ରତ୍ୟୟ ସଂଗ୍ରହ କଲାପରେ ସ୍ମୃତି ରାଜି କରେଇ ନେଇଥିଲେ ମତେ ଭୁବନେଶ୍ଵର ବଦଳି ହୋଇ ଆସିବାପରେ ସରକାରୀ କ୍ଵାଟର୍ସ ରେ ନ ରହି ସହରଠାରୁ ଦୂରରେ ନେଇଥିବା ନିଜ ଘରଟିରେ ରହିବା ନେଇ । ମୁଁ ଜାଣେ ବାରମ୍ବାର ଏ ସହର ରୁ ସେ ସହର ବଦଳି ଭିତରେ ହାଲିଆ ହୋଇ ଗଲେଣି ସ୍ମୃତି । ଏଥର ନିଜ ଘରେ ରହିବାର ଲାଳସାକୁ ଚରିତାର୍ଥ କରିବାକୁ ଚାହୁଁଛନ୍ତି ସେ । ନିଜକୁ ବୁଝାଇ ନେଇଥିଲି ।
ଜିନିଷ ପତ୍ର ସଜାଡି ରଖିବାରେ ପ୍ରଥମ କିଛିଦିନ ବେଶ କାର୍ଯ୍ୟକ୍ଷମ ହୋଇଉଠିଥିଲି ମୁଁ । ପୁଅ ମାମୁନ ଆଉ ବୋହୁ ଲୁସି ବିଦେଶରେ ଥାଇ ମଧ୍ୟ ଘରେ ଛାଡି ଯାଇଥିବା ତାଙ୍କ ଜିନିଷ ଗୁଡିକର ରଖିବାର ସ୍ଥାନ ନିରୂପଣ କରିଥିଲେ ମୋବାଇଲର ପରଦା ଉପରୁ ନିଜ ନିଜ ରୁଚି ଅନୁଯାୟୀ । ତାପରେ ଆରମ୍ଭ ହୋଇ ଯାଇଥିଲା କଡା ତାଗିଦ, ‘ଏଥର ତୁମେ ବିଶ୍ରାମ ନିଅ ମାମା , ବହୁତ କାମ କଲଣି ।‘ ହସିଥିଲି ମୁଁ । ସ୍ମୃତି ମଧ୍ୟ ଦୋହରାଇଥିଲେ ସେ ଧାଡିଟି କେତେଥର । ‘ଆରାମରେ ଜିନିଷପତ୍ର ରଖାଥୁଆ କର । ଏତେ ତରତର କାହିଁକି?’ ତାପରେ ଏଇଟାତ ଚାକିରୀର ଶେଷ ପର୍ଯ୍ୟାୟ – ଆଉ କୁଆଡେ ବଦଳି ହେବାର ନାହିଁ । ମୁଁ ବି ବୁଝାଇ ଥିଲି ନିଜକୁ – ଠିକ ସେମିତି କିଛି ଧରାବନ୍ଧା ଧାଡି ଗୁଡିଏ ନିଜକୁ ଶୁଣାଇ । ବାସ, ସେଇ କେତେଦିନ ପରେ ମୋ ପାଖରେ ସତକୁ ସତ କାମ କମିଗଲା ।
– ‘ଏଥର ସକାଳୁ ଉଠି ମୋ ସାଙ୍ଗରେ ଏକ୍ସରସାଇଜ କରିବାକୁ ଯିବ । ଆପାର୍ଟମେଣ୍ଟର ଜିମରେ ।‘
– ‘ନା ବାବା ମୋ ଦେହାତି ହେବନି ସେସବୁ ।‘
– ‘ଠିକ ଅଛି, ଚାଲିବାକୁ ଯିବା ବାହାରକୁ । ଚଳିବ?’
– ‘ହଁ , ଠିକ ଯେ, ଚାଲିବାକୁ ହେଲେ ସକାଳୁ ଉଠିବାକୁ ପଡିବ । ସେଥିପାଇଁ ଗୋଟେ କିଛି ଆକର୍ଷଣ ଖୋଜିବାକୁ ହେବ ।
ମୋ କଥା ଶୁଣି ହସିଥିବା ସ୍ମୃତି କିନ୍ତୁ ସତକୁ ସତ ଆକର୍ଷଣଟିଏ ଖୋଜି ଆଣିଥିଲେ । ଅଫିସରୁ ଫେରିଲା ବେଳକୁ ତାଙ୍କର ଛଳ ଛଳ ଖୁସି ଦେଖି ମୁଁ ଜାଣିଥିଲି କିଛି ଗୋଟେ ସୁଖବର ଅଛି । ହଁ , କାଲିଠାରୁ ସକାଳୁ ଚାଲିବାକୁ ଯିବା ଦୁହେଁ ମିଶି ।
ମନ୍ଦିରଟି ଛୋଟ ହେଲେ ମଧ୍ୟ ଖୁବ ସୁନ୍ଦର । ପ୍ରଥମ ଦିନ ମୁଁ ଆସିଲା ବେଳକୁ ମନ୍ଦିର ଦ୍ଵାର ଖୋଲି ଯାଇଥିଲା । ଦ୍ଵାରଦେଶର ତୋରଣ, ଶ୍ରୀକୃଷ୍ଣଙ୍କ ବେକର ଫୁଲମାଳ, ଶ୍ରୀରାଧାଙ୍କର କୁନି ପାଟଶାଢୀ – ସବୁ ବଦଳା ସରିଥିଲା । ବାହାରୁ ବାହାରୁ ମୁଣ୍ଡିଆ ମାରି ପ୍ରଥମ ରାଉଣ୍ଡ ଘୁରି ଆସିଲା ବେଳକୁ ମନ୍ଦିରରେ ଘଣ୍ଟି ବାଜୁଥିଲା । ପୂଜା ଆଳତିର ଶେଷ ପର୍ବ ।
– ‘ନାଃ, କାଲି ଚଞ୍ଚଳ ଆସିବା । ଆଳତି ଦେଖିସାରି ଚାଲିବା ଆରମ୍ଭ କରିବି ।‘ ମୋ କଥା ଶୁଣି ହସିଥିଲେ ସ୍ମୃତି ।
– ‘ସକାଳୁ ଉଠିପାରିବ ତୁମେ?’
ସ୍ମୃତିଙ୍କ ଆଶଙ୍କାକୁ ମିଛ ପ୍ରମାଣିତ କରି ତା’ପର ଦିନ ଗୁଡିକରେ ସକାଳ ଆଳତି ପୂର୍ବରୁ ପ୍ରସ୍ତୁତ ହୋଇ ମନ୍ଦିରରେ ପହଞ୍ଚି ଯାଉଥିଲି ମୁଁ । ସ୍ମୃତି ତ ସବୁବେଳେ ପ୍ରାତଃସୂର୍ଯ୍ୟ ଉପାସକ । ସୂର୍ଯ୍ୟ ଉଠିବାର ଅନେକ ପୂର୍ବରୁ ଉଠି ବାଳସୂର୍ଯ୍ୟଙ୍କୁ ଦେଖି ସୂର୍ଯ୍ୟ ନମସ୍କାର କରନ୍ତି ସେ । ମୋ ସହିତ ମନ୍ଦିର ଦର୍ଶନର ସୌଭାଗ୍ୟ ପାଇ ସେ ମଧ୍ୟ ଖୁବ ଖୁସି । ବେଶୀ ଖୁସି ଯେ ମୋ ପାଇଁ ଆକର୍ଷଣ ଟିଏ ଖୋଜି ପାଇଛନ୍ତି ବୋଲି ।
ଭଲ ଲାଗେ ସକାଳୁ ସକାଳୁ ଦେବଦର୍ଶନ । ଘଣ୍ଟଘଣ୍ଟା ଆଳତିର ସ୍ଵର । ଅଗାଧୁଆ ଆସିଥିବାରୁ ମନ୍ଦିର ବାହାରୁ ଦର୍ଶନ ସାରି ପାର୍କର ସେଇ ଅଙ୍କାବଙ୍କା ରାସ୍ତାରେ ଚାଲିବା ଆରମ୍ଭ କରେ ମୁଁ । ସ୍ମୃତିଙ୍କ ଏକ୍ସରସାଇଜ ଅଲଗା ପ୍ରକାରର । ପାର୍କର ମଝାମଝି ଜାଗାରେ ତାଙ୍କ ପରି କିଛି ଲୋକ ସୂର୍ଯ୍ୟ ନମସ୍କାର, ଯୋଗ, ପ୍ରାଣାୟମ ଆଦି କରନ୍ତି । ତାଙ୍କ ସହ ସାମିଲ ହୋଇ ଯାନ୍ତି ସ୍ମୃତି । ଆମେ କେବଳ ଯୋଡି ହୋଇ ଯାଉ ଓ ଯୋଡି ହୋଇ ଫେରୁ ।
ସେଦିନ ହଠାତ ଗୁଡ ମର୍ଣିଙ୍ଗ ସ୍ଵର ରେ ଚମକି ଉଠିଥିଲି ମୁଁ । କଣ ଗୋଟେ ଭାବି ଭାବି ଟିକେ ଅନ୍ୟମନସ୍କ ଭାବରେ ଚାଲୁଥିଲି ବୋଧହୁଏ ।ମତେ ଅପ୍ରସ୍ତୁତ ହେବାକୁ ନ ଦେଇ ଭଦ୍ରଲୋକ ଆଗେଇ ଯାଇଥିଲେ । ତାଙ୍କ ସହ ଦ୍ଵିତୀୟ ରାଉଣ୍ଡ ରେ ଦେଖା ହେବା ପର୍ଯ୍ୟନ୍ତ ‘କେଉଁଠି ଦେଖିଛି ଆଙ୍କୁ‘ ଏମିତି ଚିନ୍ତା ଟିଏ ମନ ଭିତରେ କୁଣ୍ଡଳୀ ରଚାଉଥିଲା । ଦ୍ଵିତୀୟ ରାଉଣ୍ଡ ରେ ପୁଣି ଦେଖା ହେଲା ସେଇ କୃଷ୍ଣଚୂଡା ଗଛ ତଳେ। ବିପରୀତ ଦିଗରୁ ଆସୁଥିବା ଭଦ୍ରଲୋକ ଙ୍କ ମୁହଁ ରେ ସୁସ୍ପଷ୍ଟ ହସ ର ଝଲକ । ଏଥର ମୁଁ ସ୍ଥିର ନିଶ୍ଚିତ ହେଲି ଯେ ଏ ଭଦ୍ରଲୋକଙ୍କୁ ମୁଁ ଆଦୌ ଜାଣିନି । ତାଙ୍କ ମୁହଁକୁ ସିଧା ଚାହିଁ ତାଙ୍କର ପରିଚୟ ପଢି ନେବାର ମୋର ପ୍ରବଳ ଅନୁସନ୍ଧିତ୍ସା ସତ୍ତ୍ୱେ ସେ ଆଦୌ ବିଚଳିତ ହୋଇ ନ ଥିଲେ । ବେଶ ସହଜ ଥିଲେ ସେ । ତୋଫା ଗୋରା ମୁହଁରେ ଝଲସୁଥିଲା ଆତ୍ମୀୟତାର ହସ ଟିକକ । ତାଙ୍କ ଆଖିରେ ଥିଲା ଏକ ନିରାମୟ ଆନନ୍ଦ, ଯେଉଁ ଆନନ୍ଦ ତାଙ୍କ ଆଖିରୁ ପ୍ରସରି ଆସିଥିଲା ମୋ ହୃଦୟ ଭିତରକୁ । ତାଙ୍କ ମୁଖ ମଣ୍ଡଳରେ ଥିଲା ଯେମିତି କାଉଁରୀ ସ୍ପର୍ଶ ।
ତୃତୀୟ ରାଉଣ୍ଡରେ ପୁଣି ଦେଖା ହେଲା ତାଙ୍କ ସହ । ଅପରିଚିତ ପୁରୁଷଙ୍କୁ ସିଧା ସଳଖ ଚାହିଁବାରେ ଅପ୍ରସ୍ତୁତତା ଥିଲେ ମଧ୍ୟ କାହିଁକି କେଜାଣି ମୋ ଭିତରେ ତାଙ୍କ ସ୍ମିତ ହସ ଟିକକକୁ ପୁଣିଥରେ ଅନୁଭବିବାର ଦୁର୍ବାର ଆକର୍ଷଣଟିଏ ଉପଲବଧି କରୁଥିଲି । ଚାହିଁଥିଲି ତାଙ୍କୁ ଅପଲକ ନୟନରେ । ସେ ମତେ ଅତିକ୍ରମ କରି ଚାଲିଗଲା ପରେ ମଧ୍ୟ ମୁଁ ସମ୍ମୋହିତ ଥିଲି । ତା’ପର ତା‘ପର ରାଉଣ୍ଡରେ ପୁଣି ଦେଖା ହେଲେ ସେ । କେତେ ଥର କୃଷ୍ଣଚୂଡା ଗଛ ତଳେ, କେତେ ଥର କେଇଗଜ ଏପଟେ ସେପଟେ – ଯେଉଁଠିକୁ ହାଲ୍କା ପବନରେ ଉଡି ଆସୁଥିଲା କୃଷ୍ଣଚୂଡା ଫୁଲ କିଛି, କିଛି ଝରା ପତ୍ର ଆଉ ପାଖୁଡା । କୃଷ୍ଣଚୂଡା ଗଛର ଅନତି ଦୂରରେ । ପରବର୍ତ୍ତୀ ଦିନ ଗୁଡିକରେ ସେଇ ଘଟଣାର ପୁନରାବୃତ୍ତି । କେତେବେଳେ କେଜାଣି ସେ ପାଲଟିଗଲେ ମୋର ଅନ୍ୟତମ ଆକର୍ଷଣ ।
କମ୍ବଳଟିକୁ ଦେହ ଉପରକୁ ଟାଣି ନେଇ ଗୋଡକୁ ଟିକେ ଜାକି ନେଲି ମୁଁ । ମୁଁ ଅରୁ । ଅରୁଣିମା ବହିଦାର । ଥଣ୍ଡା ଲାଗୁଛି, ବର୍ଷା ଟିକେ ଟିକେ ପଡୁଛି ବୋଧେ । ରହିରହି ଘଡଘଡିର ସ୍ଵର ଶୁଣାଯାଉଛି । ଏମିତି ସେଦିନବି ବର୍ଷା ପଡୁଥିଲା । ଘଡଘଡି ବିଜୁଳି ସହିତ ନୁହେଁ, ସାମାନ୍ୟ ଝିପିଝିପି ବର୍ଷା । ହଠାତ ଆରମ୍ଭ ହୋଇଯାଇଥିଲା ବର୍ଷା । ଘରୁ ବାହାରିବା ବେଳେ ବର୍ଷା ହେବ ବୋଲି ଆଦୌ ମନେ ହେଉ ନ ଥିଲା । ଖଣ୍ଡେଖଣ୍ଡେ ଚଲା ବାଦଲ ଘୁରି ବୁଲୁଥିଲେ ଆକାଶରେ । ସ୍ମୃତି ଯିବେ ନ ଯିବେ ହେଉଥିଲେ, ସେଇ ଦିନ ଗୁଡିକରେ ସ୍ମୃତିଙ୍କ ଆଗରୁ ସକାଳେ ଚାଲିବାକୁ ଯିବାପାଇଁ ମୁଁ ବୋଧହୁଏ ବେଶୀ ଆତୁର ହୋଇ ପଡୁଥିଲି । ବୋଧହୁଏ ତାଙ୍କୁ ଦେଖିବାର ପ୍ରବଳ ଇଚ୍ଛା ମତେ ଟାଣି ନେଉଥିଲା ସେଇ କୃଷ୍ଣଚୂଡା ମୂଳକୁ । ସେଦିନ ବି ମୁଁ ଚାଲିଗଲି । ଚଲା ବାଦଲ ଖଣ୍ଡ ସବୁ ଆକାଶରେ ଘୁରି ବୁଲୁଥିବା ଦେଖିବା ସତ୍ତ୍ୱେ । ସ୍ମୃତି ବି ଅଟକାଇ ନଥିଲେ ମତେ । ଏତେ ଶୀଘ୍ର ବର୍ଷା ପଡିବାର ସମ୍ଭାବନା କୁ ମନରୁ ଏଡେଇ ନେଇ ସେ ମଧ୍ୟ ମୋ ସହିତ ଯୋଗ ଦେଲେ ।
ସେଇ କୃଷ୍ଣଚୂଡା ଗଛ ମୂଳେ ତାଙ୍କ ସହ ମୋର ଭେଟ ବି ହୋଇଥିଲା । ଝିପିଝିପି ହୋଇ ବର୍ଷା ପଡିବା ଆରମ୍ଭ ହୋଇ ଯାଇଥିଲା । ତାଙ୍କ ଓଠରେ ଲାଗି ରହିଥିଲା ସ୍ମିତ ହସ ଟିକକ । ଅଟକି ଯାଇ ନ ଥିଲୁ ଆମେ । ସେଇ ଝିପିଝିପି ବର୍ଷା ରେ ପରସ୍ପର କୁ ଅତିକ୍ରମ କରି ଯାଇଥିଲୁ ।
ସେଦିନ ହିଁ ପରିଚୟ ହୋଇଥିଲା ତାଙ୍କ ସହ । ସେ ଜଣେ ରିଟାୟାର୍ଡ ଆର୍ମୀ ଅଫିସର । ସ୍ମୃତି, ମୁଁ ଓ ସେ ସେଇ କୃଷ୍ଣଚୂଡା ଗଛ ମୂଳେ ପାଖାପାଖି ଠିଆ ହୋଇଥିଲୁ । ହଠାତ ବର୍ଷା ପଡିବା ଆରମ୍ଭ ହୋଇ ଯାଇଥିଲା । ବ୍ୟାୟାମ ଅଧା ରଖି ସ୍ମୃତି ଚାଲି ଆସିଥିଲେ କୃଷ୍ଣଚୂଡା ମୂଳକୁ । ବର୍ଷା ପାଣି ଝରି ପଡୁଥିଲା କୃଷ୍ଣଚୂଡା ଗଛ ମୂଳେ ବେପରୁଆ ଉଡିବୁଲୁଥିବା ଝରାଫୁଲର ପାଖୁଡା ଗୁଡିକ ଉପରେ । କ୍ରମଶଃ ଭିଜୁଥିଲେ ସେମାନେ । କର୍ଣ୍ଣେଲ ଶିବ ପ୍ରସାଦ ମହାପାତ୍ର ଙ୍କର ଖୁବ ନିକଟରେ ଠିଆ ହୋଇଥିଲି ମୁଁ । ଭିଜୁଥିଲି ବାହାରେ ବର୍ଷା ର ଛିଟା ରେ, ଫୁଲ ର ପାଖୁଡା ପରି ଧିରେଧୀରେ ଓଦା ହୋଇ ଯାଉଥିଲି ଭିତରେ ଭିତରେ । ସେଇ କେଇଟି ମୂହୁର୍ତ୍ତ ସମ୍ମୋହନରେ ଅତିକ୍ରାନ୍ତ ହୋଇଥିଲା । ବାସ…. ମୁଁ କର୍ଣ୍ଣେଲ ଙ୍କ ଉପରୁ ଆଖି ହଟେଇ ସ୍ମୃତି ଙ୍କୁ ଚାହିଁଲି । ସ୍ମୃତି ଙ୍କ ଆଖିରେ ବ୍ୟସ୍ତତା । ମୋ ଚୂର୍ଣ୍ଣ କୁନ୍ତଳରେ ବର୍ଷା ଛିଟା, ମୋ ପ୍ରସାରିତ ଓଢଣୀର ଧାର ଭିଜି ଯାଉଛି । ସ୍ମୃତି ବିବ୍ରତ । କର୍ଣ୍ଣେଲ ଙ୍କ ସ୍ମିତ ହସ ନା ସ୍ମୃତି ଙ୍କ ବ୍ୟସ୍ତ ବିବ୍ରତ ଅସହାୟ ଚେହେରା କିଏ ମତେ ଆବୋରି ବସିଥିଲା ପର ମୁହୂର୍ତ୍ତରେ । କିଏ ???
ଜୀବନ କୁ ପରିପୂର୍ଣ୍ଣ କରେ ପ୍ରେମ । ବର୍ଷା ପ୍ରେମର ଋତୁ ଟିଏ । ବର୍ଷା ରେ ଭିଜିଭିଜି ନିଜକୁ ଖୋଜିବା ତ ପ୍ରେମ । ନିଜର ପ୍ରିୟ ମଣିଷଟିକୁ ନିଜ ଭିତରେ ପାଇବାରେ ପ୍ରେମ ପରିପୂର୍ଣ୍ଣ ହୁଏ । ସାରା ଜୀବନ ଜିଇଁ ହୁଏ ସେଇ ପାଇଯିବା ନିଶାରେ । ନିଜ ଭିତରେ ପରମ ପ୍ରେମିକ ଟିକୁ ଖୋଜିବାର ନିଶାରେ ବିଭୋର ଥିଲି ମୁଁ । ସେଇ ବର୍ଷା ରେ ଭିଜିଭିଜି ସ୍ମୃତି ଙ୍କ ହାତ ଧରି ତାଙ୍କର ଶତ ବାରଣ ସତ୍ତ୍ୱେ ବାହାରି ପଡିଥିଲି କୃଷ୍ଣଚୂଡା ଗଛ ତଳୁ ରାସ୍ତା ଉପରକୁ । କର୍ଣ୍ଣେଲ ମହାପାତ୍ର ଙ୍କ କଥା ସେଇଠି ଅଧା ରହିଗଲା ।
ଆଜି ବି ବର୍ଷା । ଆକାଶ ଭର୍ତ୍ତି ମେଘ । ଗତ ମାସ ସାରା ମୁଁ ଚାଲିବାକୁ ଯାଇନି। ସେଦିନ ବର୍ଷାରେ ଭିଜିବା ପରେ ଜ୍ଵର ହୋଇ ଯାଇଥିଲା । ପରେପରେ ଦୁର୍ବଳତା । ପଚାଶ ବର୍ଷ ବୟସ ରେ ସାମାନ୍ୟ ଜ୍ଵର ଟିକେ ବି ଭାଙ୍ଗି ଦିଏ ଦେହକୁ ।
– ‘କର୍ଣ୍ଣେଲ ଙ୍କୁ ଦେଖ, ଦଶ ବର୍ଷ ହେଲାଣି ରିଟାୟାର୍ଡ ହେଲେଣି । କେତେ ପଜିଟିଭ ଆଟିଚିଉଡ ତାଙ୍କର । ପଞ୍ଚଷଠି ବର୍ଷ ବୟସରେ ବି ତରୁଣ ମନେ ହେଉଛନ୍ତି ।‘ ସ୍ମୃତି ଙ୍କ କଥା ଶୁଣି ହସିଲି ମୁଁ । ‘ତାଙ୍କ ଆଖି ର ଭାଷା ଓ ତାଙ୍କର ସେ ସ୍ମିତ ହସରେ ଆକ୍ତାମାକ୍ତା ହୋଇ ଯାଇଥିଲି ମୁଁ ।‘ କହିବାକୁ ଯାଇ ଚୁପ ହୋଇ ଗଲି । କିଛି ଦିନ ସ୍ମୃତି ମଧ୍ୟ ଯାଇ ନ ଥିଲେ ପାର୍କ କୁ । ମୁଁ ଟିକେ ସୁସ୍ଥ ହେବାପରେ ଏଇ ତିନି ଦିନ ହେଲା ପୁଣି ଏକା ଯିବା ଆରମ୍ଭ କରିଛନ୍ତି ।
– ‘କର୍ଣ୍ଣେଲ ତୁମ କଥା ପଚାରୁଥିଲେ ଆଜି ।‘ ପାର୍କରୁ ଫେରି ସ୍ମୃତି କହିଲେ ।
‘କଣ ପଚାରୁଥିଲେ?’ ବୋଧହୁଏ ମୋ ଠାରୁ ଏମିତି ପ୍ରତିକ୍ରିୟା ଟିଏ ଆଶା କରିଥିବେ ସ୍ମୃତି । ମୁଁ ଜଳଖିଆ ତିଆରି କରିବାକୁ ଚାଲି ଯାଇଥିଲି । ସ୍ମୃତି ଜଳଖିଆ ଖାଇ ଅଫିସ ଚାଲିଗଲେ । ମୁଁ ଘର ସଜାଡିଲି । ମୋ ଘର । ସ୍ମୃତି ଓ ମୁଁ ମିଶି ଗଢିଥିବା ଘର । ସାରା ଦିନ କାମରେ ବ୍ୟସ୍ତ ଥିଲି ମୁଁ । ଶୋଇବା ଶେଯ ରେ ସ୍ମୃତି କହିଲେ ‘ଆଜି କର୍ଣ୍ଣେଲ ଙ୍କ ହାତରେ କୁନି ଝିଅଟିଏ ର ଫଟୋ ଥିଲା । ମତେ ଦେଖେଇଥିଲେ ଆଉ କହିଲେ ସେ ତାଙ୍କ ସାନ ଭଉଣୀ ର ଫଟୋ । ଭାରି ଭଲ ପାଉଥିଲେ ସେ ତାକୁ । ହଠାତ ଦିନେ ଜ୍ଵର ହେଲା, ଆଉ ଚାଲିଗଲା ସେ । ଭାରି ବ୍ୟସ୍ତ ହେଉଥିଲେ ସେ ତୁମର ଜ୍ଵର ହୋଇଛି ଶୁଣି’।
– ‘ସବୁଦିନ ଗୁଡ ମର୍ଣିଙ୍ଗ ଉଇଶ କରନ୍ତି ତ’, କହିଲି ମୁଁ ।
– ‘ବୋଧହୁଏ ଟିକେ ଦୁର୍ବଳତା ଆସି ଯାଇଥିଲା ତୁମ ପ୍ରତି‘, ସ୍ମୃତି ହସିଲେ, ‘ସ୍ଵାଭାବିକ ଦୁର୍ବଳତା। ତୁମର ବି ଆସିଯାଇନି ତ ତାଙ୍କ ପ୍ରତି…?’ ସ୍ମୃତି ମୋ ଆଡକୁ କଡ ଲେଉଟାଇ କହିଲେ । ତାଙ୍କ ସ୍ଵର ରେ ଥିଲା ଚପଳତା ।
ଶୋଇବାର ଛଳନା କରୁଥିଲି ମୁଁ । ପଚାଶ ବର୍ଷ ବୟସ ରେ ……. କଣ ଆଶା କରୁଛନ୍ତି ସ୍ମୃତି ମୋ ଠାରୁ ଶୁଣିବାକୁ ?? ମୋର କର୍ଣ୍ଣେଲ ଙ୍କ ପ୍ରତି ଦୁର୍ବଳତା ଥିଲା କି ନା?? ସେଇ କେଇଦିନ କର୍ଣ୍ଣେଲଙ୍କୁ ଭେଟିବାର ଇଚ୍ଛା କଣ ଦୁର୍ବଳତା ? ମୁଁ ଉତ୍ତର ଦେଇ ନଥିଲି ।
‘ଅରୁ, ଏ ଅରୁ, ଶୋଇ ପଡିଲ କି?’ କମ୍ବଳକୁ ମୋ ଉପରକୁ ଭଲ କରି ଟାଣି ନେଲେ ସ୍ମୃତି । ମତେ ଥଣ୍ଡା ଲାଗି ନ ଯାଏ ଯେମିତି…
ଓଃ ,ସ୍ମୃତି ……….ମୋ ଭିତରେ ଯେଉଁ ପ୍ରକାର ଅନୁଭବଟିଏ ତା’ର ଶିରା ପ୍ରଶିରା ମେଲି ଖେଳେଇ ହୋଇ ଯାଉଥିଲା କେବଳ ସ୍ମୃତି ଙ୍କ ପାଇଁ, ସେଇଟା ତ ପ୍ରେମ ! ଗୋଟେ ପୁରା ଜୀବନବି କମ ପଡିଯିବ ଏଭଳି ପ୍ରେମଟିକୁ ଅନୁଭବିବାକୁ । ତେବେ କର୍ଣ୍ଣେଲଙ୍କ ପ୍ରତି ଆକର୍ଷଣ? ଯିଏ ମତେ ଟାଣି ନେଉଥିଲା ପାର୍କକୁ ସବୁଦିନ ସକାଳେ? ସେଇଟା କଣ ?? ଆଖି ବୁଜି ମନେପକେଇବାକୁ ଚେଷ୍ଟା କରୁଥିଲି ସେ ଆଖି ଦୁଇଟିକୁ । ନାଃ,ଆଦୌ ଦେଖି ପାରୁନଥିଲି । ସେଇଠି ଉଭା ହେଉଥିଲା କେବଳ ଦୁଇଟି ଆଖି । ପାର୍କର ଦ୍ଵାର ଦେଶରେ ଥିବା ମନ୍ଦିର ଭିତରୁ କୃଷ୍ଣଙ୍କର ଆଖି । ମୁରଲୀ ମୋହନ କୃଷ୍ଣଙ୍କର । ପାର୍କକୁ ସକାଳୁ ଯିବାର ଏକମାତ୍ର ଆକର୍ଷଣ ମନ୍ଦିରର ଆଳତି ଶୁଣି ପାରୁଥିଲି ଖୁବ ପାଖରେ । ସ୍ମୃତି ମୃଦୁ ଘୁଙ୍ଗୁଡି ମାରିବା ଆରମ୍ଭ କରି ଦେଇଥିଲେ । ଟିକେ ତାଙ୍କ ପାଖକୁ ଜାକି ହୋଇଗଲି ।
– ‘ଏତେ ଶୀଘ୍ର ଶୋଇ ପଡିଲ? କାଲି ସକାଳୁ ଟିକେ ମନ୍ଦିର ଯିବା ତ !!’ ପାର୍କ ପାଖର ସେ ମନ୍ଦିର ।‘
ମୁଁ ବି ଶୋଇ ପଡିବାକୁ ଆଖି ବୁଜିନେଲି ।

(୨୦୧୮ ପୂଜାସଂଖ୍ୟା ‘ଭିଜାମାଟି’ରେ ପ୍ରକାଶିତ)
****

6 thoughts on “ଅନ୍ୟତମ ଆକର୍ଷଣ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s