ଚୁଇଁ ଚଢେଇ ପୁଣି ଉଡ଼ିଆସିଲା ସେଇ ଫୁଲ ପେନ୍ଥା ପାଖକୁ। ଟିକେ ବସିଲା,ଟିକେ ଖୁମ୍ପିଲା ସେଇ ଫୁଲକୁ। ପୁଣି ଉଡ଼ିଗଲା ପାଖ ଡାଳ କୁ। ପାଖ ଡାଳରେ ଫୁଲ ନାହିଁ। ଅଛି କେବଳ ନେନ୍ଥି ନେନ୍ଥି ପତ୍ର। ଚୁଇଁ ଚଢେଇ ସେଇ ପତ୍ର ଥୋଲାକ ଭିତରେ ଲୁଚିଗଲା କିଛି ସମୟ। ଖୋଜି ହେଲି ତାକୁ। କୁନି କଳା ଥଂଟ ଟିଏ। ହଳଦୀରଙ୍ଗର ଦେହ। ହଳଦୀ ବସନ୍ତଠୁ ଢେର କୁନି। ଢେର ସୁନ୍ଦର। ମୁଁ ଖୋଜିଲି ତାକୁ। ସେ ବେଶି ବେଶି ଲୁଚିଲା। ପତ୍ର ଭିତରେ, ଉପର ଡାଳରେ। ମୁଁ ଚାହିଁ ରହିଲି। କେତେବେଳେ ବାହାରିବ ସେ।କେତେବେଳେ ପୁଣି ଦେଖିବି ତାକୁ। ମୁଁ ଅଥୟ ହୋଇ ଆସିଲା ବେଳକୁ ଚୁଟ କରି ବହାରିପଡ଼ିଲା ଚୁଇଁ ଚଢେଇ। ତାର ଚିଂ ଚିଂ ଡାକ ପହଁରି ବୁଲିଲା ଚାରିଆଡେ। ମୁଁ ଖୋଜିହେଲି। ହେଇଟି ସେଇଠି, ନା ନା ଆଉ ଟିକେ ଉପରେ। ଉପର ଡାଳରେ। ମୁଁ ତାକୁ ଦେଖିଦେଲି ଥରେ।
ଆର୍ମ ଚେୟାର ରେ ଆଉଜି ବସି ଚୁଇଁ ଚଢେଇ କୁ ଚାହିଁ ରହିଥିଲି।
ଏମିତି କେତେଦିନ ହେଲାଣି, ଟିକେ ସମୟ ପାଇଲେ ମୁଁ ବାଲକୋନିରେ ବସେ, ଆର୍ମ ଚେୟାର ଟି ଉପରେ। ଖୁବ ଭଲ ଲାଗେ। ସୁଲୁସୁଲୁ ପବନ, ଆଉ ଚୁଇଁ ଚଢେଇ।
“ଆପଣ ବାଲକୋନିରେ ବସୁଛନ୍ତି, ଡର ଲାଗୁନି????” ମିସେସ ମହାପାତ୍ର ପଚାରିଲେ। ତାଙ୍କ ମୁହଁରେ ଆତଙ୍କ।
ଡର??ଡର କାହିଁକି ଲାଗିବ?? ମୁଁ ଆଶ୍ଚର୍ଯ୍ୟ ହେଲି।
“କେତେ କାଉ ସେଠି। କି କର୍କଶ ତାଙ୍କ ସ୍ୱର। ତାଙ୍କ ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇ ପଡିଥିଲୁ ଆମେ।!!!! ଏତେ କାଉ ଏ ଆଖପାଖରେ। ମୁଁ ଆଉ କେଉଁଠି ଦେଖିନି।”
ମୁଁ ଏବେ ଏବେ ରହୁଥିବା ଘରେ ମିସେସ ମହାପାତ୍ର ଦୁଇ ବର୍ଷ ଥିଲେ। ସେ ଛାଡିବା ପରେ ଘରଟିରେ ମୁଁ ରହୁଛି ଏଇ କେଇ ଦିନ ହେଲା।
ଆଉ ଚୁଇଁ ଚଢେଇ !!!! କାଉ ବି ଅଛନ୍ତି ସେଠି! ଥିବେ ବୋଧେ। ମୁଁ କିନ୍ତୁ କେବଳ ଚୁଇଁ ଚଢେଇକୁ ଦେଖିପାରୁଥିଲି ସେଠି। ଶୁଣି ପାରୁଥିଲି ତାର ଚିଂ ଚିଂ ମଧୁର ସ୍ୱର। କିଛି ନ କହି ହସିଲି କେବଳ। ସେ ସେମିତି ପ୍ରଶ୍ନବାଚୀ ଦୃଷ୍ଟି ରେ ଚାହିଁଥିଲେ ମତେ…..