ଦେବୀ ଦର୍ଶନ

       ଶାରୀରିକ ଯନ୍ତ୍ରଣା ଠାରୁ ମାନସିକ ଯନ୍ତ୍ରଣା ବେଶୀ କଷ୍ଟ ଦିଏ, ହୃଦୟକୁ ଭାଂଗିରୁଜି ଦିଏ ଅପମାନିତ,  ଅସହାୟ ମନଟିଏ । ତା‘ ପୁଣି ଅବ୍ୟକ୍ତ ହୋଇଥିଲେ କ୍ଷୋଭ ବଢ଼ିଯାଏ ।

          ପ୍ରାକ୍  ମୌସୁମୀର ଛୋଟଛୋଟ କଳା ମେଘଖଣ୍ଡ ଆକାଶରେ ଘୁରି ବୁଲୁଥିଲେ ସାରା ସକାଳୁ । କିଛିକିଛି ଏକାଠି ହୋଇ ଆସନ୍ନ ବର୍ଷାର ରୁପ ନେଉଥିଲେ ।  ସନ୍ଧ୍ୟା ହୋଇ ଆସୁଥିଲା ।  ଗାୟତ୍ରୀ ମନ୍ଦିର ବାହାରୁଥିଲେ ।  ତିତିଲିର ସ୍କୁଲ୍ରୁ ଫେରିବା ଡେରି ହେଉଥିଲା ।  ତିତିଲି ଫେରିଲେ ତାକୁ ବୋର୍ନଭିଟା ଗୋଳାଇ କ୍ଷୀର ଗିଲାସେ ପିଆଇ ଦେଇ ସେ ମନ୍ଦିର ଯାଆନ୍ତି । ସ୍କୁଲରୁ  ଫେରିଲେ ସଂଗେ ସଂଗେ ତିତିଲି କିଛି ଖାଇବାକୁ ଇଚ୍ଛା କରେନି । କମ୍ପ୍ୟୁଟର୍  ପାଖରେ ଘଣ୍ଟେ  ଦୁଇ ଘଣ୍ଟା ବସିଗଲା ପରେ ଯାଇ ଖାଇବ ।  ସେତେବେଳକୁ ଶାନ୍ତ୍ଵନା ବି ଫେରି ଆସିଥାଏ ଅଫିସ୍ ରୁ  ।  ମା’ ଝିଅ ଦିହେଁ  ଏକାଠି ଖାଆନ୍ତି । ସନ୍ଧ୍ୟାରେ ମନ୍ଦିରରୁ ଫେରିଲେ ଗାୟତ୍ରୀ ଓ ଅରବିନ୍ଦ ଏକାଠି ଚା’ ପିଅନ୍ତି ।  ଗାୟତ୍ରୀ ମନ୍ଦିରରୁ ଫେରିବା ସମୟକୁ ଅରବିନ୍ଦ ବି ଅଫିସ୍ ରୁ ଫେରେ ।

ଆଜି କିନ୍ତୁ ବେଶ୍ ଡେରି କରିଥିଲା ତିତିଲିର ସ୍କୁଲ୍ ବସ୍ । ଅପେକ୍ଷା କରିଥିଲେ ଗାୟତ୍ରୀ । ପ୍ରାୟ ଅଧଘଘଣ୍ଟାଏ  ଡେରିରେ ବସ୍ ଆସିଲା ।  ତିତିଲି ବସ୍ ରୁ ଓହ୍ଳେଇ ବସ୍ କୁ ପିଠି କରି ଦୌଡିଲାପରି  ଘରକୁ ଆସୁଥିଲା ।  ଅସ୍ଵାଭାବିକ  ଲାଗୁଥିଲା ଗାୟତ୍ରୀଙ୍କୁ ।  ସବୁଦିନ ବସ୍ ରୁ ଓହ୍ଳେଇ ବସ୍ ଆଡେ ଚାହିଁ  ଅନ୍ୟ ସାଂଗ ମାନଂକୁ ବାଏ ବାଏ କରି, ପ୍ରାୟ ପଛେଇ ପଛେଇ ଗେଟ ଯାଏଁ ଆସେ ତିତିଲି । ଚୁଲବୁଲି ତିତିଲି । ଆଜି ଥରେମାତ୍ର  ବସ ଆଡେ ଚାହିଁ ନ ଥିଲା ସେ । ସିଧା ଗେଟ୍ ଖୋଲି ଭିତରେ ପଶିଲା । ବସ ଭିତରୁ ବି କୋଳାହଳ ଶୁଣାଯାଉନଥିଲା । କୁନିକୁନି ମୁଣ୍ଡ କିଛି ବି ଓହଳି ନ ଥିଲା ଝରକା ପାଖରେ ତିତିଲିକୁ ବିଦାୟ ଦେବାକୁ । ସବୁ ପିଲା ବସରୁ ଓହ୍ଲେଇ ସାରିଥିଲେ ।

ବେଳେ ବେଳେ ଏମିତି ହୁଏ । ବୁଲାଣି ରାସ୍ତାରେ ବସ ଆସିଲେ ଶେଷ ଷ୍ଟପେଜରେ ତିତିଲି ଓହ୍ଳାଏ । ସେତେବେଳକୁ ସବୁ ପିଲା ଓହ୍ଳାଇ ସାରିଥାନ୍ତି । ତିତିଲି କିନ୍ତୁ ବାଏବାଏ  କରି ହାତ ହଲାଏ ବସ୍ ର କଣ୍ଡକ୍ଟର ଓ ଡ୍ରାଇଭର ଅଙ୍କଲଙ୍କୁ । ’’ବାଏ ବାଏ  ଅଙ୍କଲ୍…” । ତିତିଲିର ଉଚ୍ଚ ପୁଲକିତ ସ୍ଵରରେ ଘର ବାହୁଡା ଖୁସିର ମିଠା ମିଠା ବାସ୍ନା ପବନରେ ଭାସି ଆସି ଛୁଇଁ ଯାଏ ଗାୟତ୍ରୀଙ୍କୁ । ନିଃସଙ୍ଗ ସମୟ ଗୁଡିକ ଅପସାରିତ ହୁଏ ତିତିଲିର ଖିଲିଖିଲି ହସରେ । ଆଜି ସବୁ କେମିତି ଚୁପ୍ ଚାପ୍  । ଗୁମ୍  ସୁମ୍ ଲାଗୁଥିଲା । ଗାୟତ୍ରୀ ତିତିଲିକୁ କୋଳେଇ ନେବାକୁ ଗଲାବେଳେ ସବୁଦିନ ପରି ଗାୟତ୍ରୀଙ୍କ ଗାଲରେ ଗାଲ ଘଷି ନଥିଲା ତିତିଲି । ସବୁ କେମିତି ଅଲଗା ଅଲଗା ଲାଗୁଥିଲା । ବଦଳି ଯାଇଛି ସବୁ ଦିନର ଦୃଶ୍ୟ ପଟ ।

ଘର ଭିତରକୁ ପଶିଯାଇ ସ୍କୁଲବ୍ୟାଗ୍ ଟିକୁ ଏକରକମ କଚ୍ଚିଦେଇ ତିତିଲି ଗାଧୁଆ ଘରେ ପଶିଗଲା । ଡାଇନିଙ୍ଗ୍ ଚେୟାର୍ ଟି ଉପରେ ନଥ୍ କରି ବସିଗଲେ ଗାୟତ୍ରୀ । କଣ ହୋଇଛି ତିତିଲିର ?? ସବୁ ଠିକ ଅଛି ତ?  ମନ୍ଦିର ଯିବାକୁ ସଜ କରି ରଖିଥିବା ଜପାମାଳି ପର୍ସଟି ସେମିତି ପଡି ରହିଥିଲା ଡାଇନିଙ୍ଗ୍ ଟେବୁଲ୍  ଉପରେ । ଗାଧୁଆ ଘରେ ପାଣିର ଶବ୍ଦ ଶୁଣା ଯାଉଥିଲା । ତିତିଲି ଅବେଳରେ ଗାଧୋଉଛି କାହିଁକି? ସକାଳୁ ତ ଗାଧୋଇ ସାରି ସ୍କୁଲ ଯାଇଥିଲା । ଖାଲି ଟିକେ ଧୁଆ ଧୋଇ ହୋଇ ଡ୍ରେସ୍ ବଦଳେଇବା ପାଇଁ କହି କହି ଗାୟତ୍ରୀ ନାକେଦମ୍ ହୋଇଯାନ୍ତି ସବୁଦିନ । ଖାଲି କମ୍ପୁଟର୍ ରେ ଖେଳ ଆଉ ଖେଳ । ତିତିଲି ଅମାନିଆଁ ହୁଏ ଅଥଚ ଆଜି!!! ଗାଧୁଆ ଘରେ  ପଶିଯାଇଛି ଆସୁ ଆସୁ ।

—  ତିତିଲି ! ଟ୍ୟାପ ଖୋଲ । ଖାଲି ଗୀତ ବୋଲୁଥିବୁ କି ?? ରହ, କବାଟ ଖୋଲ, ମୁଁ ପୋଛିଦେବି ।   ନାଇଁ ଜେଜେମା, ଆଉ ଟିକେ ପରେ ……… ।   ତିତିଲି ଗାଧୁଆଘରେ ପଶିବା ପରେ ତା’ ଗୀତର ସ୍ଵର ବଢି ବଢି ଚାଲେ । ଅଥଚ  ଆଜି ! କେବଳ ପାଣିର ଶବ୍ଦ । ସରସର ଶାୱାରରୁ ଝରି ପଡୁଛି ପାଣି । ଗାଧୁଆ ଘର ଦୁଆରେ କାନ ଡେରିଲେ ଗାୟତ୍ରୀ । ଆଦୌ ଶୁଣା ଯାଉନି ଗୀତର ସ୍ଵର ।

“ତିତିଲି, ଜ୍ଵର ହେବ । ଏତେ କଣ  ଗାଧୋଉଛୁ?”

ଏପଟ ସେପଟ ହେଉଥିଲେ ଗାୟତ୍ରୀ । ଗାଧୁଆ ଘର ଦୁଆରେ କାନ ଡେରୁଥିଲେ । ପୁଣି ଆସି ବସି ଯାଉଥିଲେ ଡ଼ାନିଙ୍ଗ୍ ଚେୟାର୍ ଉପରେ । ଶାନ୍ତ୍ଵନା ଆସିବା ଯାଏଁ ତିତିଲି ଗାଧୁଆ ଘରେ ଥିବ ନା କଣ ?? ଜ୍ଵର ହୋଇଯିବ ପିଲାଟାକୁ ।

ଦାଣ୍ଡ ଦୁଆରର ଘଣ୍ଟି ବାଜିବା ଶବ୍ଦରେ ପ୍ରକୃତିସ୍ଥ ହୋଇଥିଲେ ଗାୟତ୍ରୀ । ଶାନ୍ତ୍ଵନା ଫେରି ଆସିଛି ।

‘’ଆଜି କଣ ଜଲ୍ଦି ଆସିଗଲୁ ‘’?

‘’ନାଇଁ, ଏମିତି । ଦେହଟା ଟିକେ ଭଲ ଲାଗିଲାନି ତ । ଆପଣ ମନ୍ଦିର ଯାଇନାହାନ୍ତି ଯେ ?? ତିତିଲି   କଣ କରୁଛି ?

କାନ୍ଦ କାନ୍ଦ ହୋଇଯାଇଥିଲେ ଗାୟତ୍ରୀ ।

‘’ତିତିଲି ଗାଧୁଆ ଘରେ । କଣ ତାର ହୋଇଛି କେଜାଣି .. ।‘’

‘’ଆପଣ ବ୍ୟସ୍ତ ହୁଅନ୍ତୁନି ମାଆ । ମୁଁ ତା’ କଥା ବୁଝିବି । ଆପଣ ମନ୍ଦିର ଯାଆନ୍ତୁ । ବର୍ଷା ହୋଇପାରେ, ଛତାଟେ ବି ନେଇଯା’ନ୍ତୁ ସାଙ୍ଗରେ .. । କହୁ କହୁ ଶାନ୍ତ୍ଵନା ଗାଧୁଆଘର ଦିଗରେ ଆଗେଇ ଯାଇଥିଲା ।

ମନ୍ଦିର ଆସିବାକୁ ଇଚ୍ଛା ନଥିଲେ ମଧ୍ୟ ଗାୟତ୍ରୀ ଆସିଥିଲେ । ସବୁଦିନ ସନ୍ଧ୍ୟାରେ ସେ ମନ୍ଦିର ଆସନ୍ତି । ନିଶ୍ଚଳ ନିବିଷ୍ଟ ଚିତ୍ତରେ ଭଗବାନଙ୍କୁ ଆରାଧନା କରନ୍ତି । ଆଳତି ଦେଖନ୍ତି । ଭଜନ ଗାଆନ୍ତି । ହାଲୁକା ମନରେ ଫେରି ଯାଆନ୍ତି ଘରକୁ । ଜୀବନର ଗୂଢ ତତ୍ତ୍ଵକୁ ନେଇ ଆଲୋଚନା କରି ପାରନ୍ତି ନାହିଁ କେବେ । ସହଜ ସରଳ ମନରେ କେବଳ ଭଗବାନଙ୍କୁ ସମର୍ପିତା ହୋଇ ଶାନ୍ତି ପାଆନ୍ତି ।

ଅଥଚ ଆଜି ! ଆଜି ଆଦୌ ସହଜ ହୋଇପାରୁ ନ ଥିଲେ ଗାୟତ୍ରୀ । ପୁରା ସ୍କୁଲ ବ୍ୟାଗ୍ ଟିକୁ ପିଠିରେ ନ ବୋହି ଛାତିରେ ଚାପି ଧରିଥିଲା ତିତିଲି । ଶୁଖିଲା ଲୁହ ଦି’ ଧାର ଗାଲ ଉପରେ ଯନ୍ତ୍ରଣାର ସ୍ଵାକ୍ଷର ବହନ କରି ଚିକ୍ ଚିକ୍ ହେଉଥିଲା । କେବଳ ସେତିକି ଦେଖି ପାରୁଥିଲେ ଗାୟତ୍ରୀ । ସବୁଦିନ ଆଉଜି ବସିଥିବା ଖମ୍ବ ଟିକୁ ଆଜି ବି ଆଉଜି ବସିଥିଲେ । ଠିକ ସେଇ ଜାଗାରେ ,ଯେଉଁଠି ବସିଲେ ମନ୍ଦିରର କୋଣ ଅନୁକୋଣ ତାଙ୍କୁ ଦେଖାଯାଏ । ଏମିତି କି ଅଳ୍ପ କେତେଟା ପାହାଚ ଓହ୍ଲେଇ ଶିବଲିଙ୍ଗ ଦର୍ଶନ କରୁଥିବା ଲୋକ ମାନଙ୍କୁ ଆଉ ଶିବଲିଙ୍ଗ ଉପରେ ପଡୁଥିବା କ୍ଷୀର କଳସର କ୍ଷୀର ବିନ୍ଦୁ – ସବୁ କିଛି ସେଇଠି ବସି ଦେଖି ପାରନ୍ତି ଗାୟତ୍ରୀ । କିନ୍ତୁ ଆଜି ! ଗୋଟିଏ ପରେ ଗୋଟିଏ ମାଳୀ ହାତର ଜପମାଳୀ  ମୁଣି ଭିତରେ ଖସି ଯାଉଛି ତଳକୁ ତଳକୁ ଅଥଚ ଗାୟତ୍ରୀ ଥରେ ମାତ୍ର ଭଗବାନଙ୍କ ନାମ ଉଚ୍ଚାରଣ କରି ନାହାନ୍ତି । ଆଖି ଆଗରେ କେବଳ ତିତିଲି ଆଉ ତାର କରୁଣ ଯନ୍ତ୍ରଣାସିକ୍ତ ମୁହଁଟି ।

ଛାତି ଭିତରଟା  ରୁଗୁରୁଗୁ ହୋଇ ପୋଡ଼ୁଥିଲା । ମନେ ହେଉଥିଲା ଏଇ ଯେମିତି କିଏ ଦଳିମନ୍ଥୀ ପକାଉଛି ତାଙ୍କ ଛାତିକୁ । କିଏ ??? କିଏ ସେ ?? କାହାକୁ ମନେ ପକାଇବେ । ସେଇ ଲୋକ ଗୁଡାଙ୍କୁ । ଯିଏ ଭାଇ, କକା, ମାମୁଁ ସମ୍ପର୍କ ରେ ସମ୍ପର୍କିତ । ନିଜର ପରି ଘନିଷ୍ଠ ସମ୍ପର୍କ ରେ ବାନ୍ଧି ହେବାର ଛଳନା କରି ସୁଯୋଗ ପାଇଲେ ଝାମ୍ପି ପଡନ୍ତି ଅସହାୟ କୁମାରୀଟିଏ ଉପରେ । ଖିନ୍ ଭିନ୍ କରି ଦିଅନ୍ତି ଫୁଟି ଆସୁଥିବା କଳି ଟିକୁ । ନିଷ୍ପାପ ମନଟିରେ ଆଙ୍କି ଦିଅନ୍ତି ଭୟ ଆଉ ଘୃଣା ମିଶା କଳା କଳା, ମେଞ୍ଚା ମେଞ୍ଚା କାଦୁଅ ଛିଟାର କୁତ୍ସିତ ଚିତ୍ର । ଛିଃ !!! ଗାୟତ୍ରୀ ଜୀବନର ଅପରାହ୍ନରେ ଥାଇ ବି ଶିହରି ଉଠୁଥିଲେ ଘୃଣାରେ, ଲଜ୍ଜ୍ୟାରେ, ଅପମାନରେ ।

ଅବ୍ୟକ୍ତ ଯନ୍ତ୍ରଣା କୁ କାହାରି ଆଗରେ ପ୍ରକାଶ ନ କରିପାରିବାର ଅପମାନ । କାହାକୁ କହିଥାନ୍ତେ? ମାଆକୁ ? ଭଉଣୀକୁ  ???  ସେମାନେ ବି ନିଷ୍ପେସିତା ହୋଇଥିବେ କେବେ ନା କେବେ । କହି ପାରିନଥିବେ କାହାକୁ । କହିଥିବେ ?? କହିଥିବେ କାହାକୁ ??? ନା !!!! ଅପମାନିତା ହେବା, ଲାଞ୍ଛିତା ହେବା ଠାରୁ ଆହୁରି ବେଶୀ ଯନ୍ତ୍ରଣା ଦାୟକ ସେହି ଲୋକ ମାନଙ୍କୁ ବାରମ୍ବାର ସାମ୍ନା କରିବା । ନିଜକୁ ରକ୍ଷା କରିବାର ବାଟ ନିଜେ ନିରୂପଣ କରିବା ।

ତିତିଲି!! ତିତିଲି ମଧ୍ୟ ଆଜି ଫୁଟିବାକୁ ଯାଉଛି । କଳି ଟିଏରୁ ଫୁଲ ଟିଏକୁ । ପ୍ରଥମ ଥର ପାଇଁ ସେ ବି କାହାରି ନା କାହାରି ଅଶାନ୍ତ ଦୃଷ୍ଟିର ଶିକାର ହୋଇଛି ବୋଧହୁଏ । ତିତିଲିର ଆଖିରୁ ସେମିତି କିଛି ପଢି ପାରିଥିଲେ  ଗାୟତ୍ରୀ । ତିତିଲି ଅପମାନିତା ହୋଇଛି କି ??? ଠିକ ତାଙ୍କ ପରି, ଅଗଣିତା, ଅସହାୟ ତିତିଲି ମାନଙ୍କ ପରି ।

ନିଜ ମନକୁ ଆଦୌ ବୁଝେଇ ପାରୁ ନ ଥିଲେ ଗାୟତ୍ରୀ । କିଛି ଗୋଟେ କରିବାକୁ ହେବ । ଜୀବନର ଗୋଲକ ଧନ୍ଦାରେ ଛନ୍ଦି ହୋଇ ପଡୁଥିଲେ । ଅନେକ ସମୟ ବିତି ଯାଇଥିଲା । ଗାୟତ୍ରୀଙ୍କୁ କାହିଁକି କେଜାଣି ଖୁବ ଦୁର୍ବଳ ଲାଗୁଥିଲା । ଝିପିଝିପି ବର୍ଷା  ପଡିବା  ଆରମ୍ଭ ହୋଇ ଯାଇଥିଲା । ସେମିତି ଭିଜିଭିଜି ଘରକୁ ଫେରିଥିଲେ ସେ । ହାତର ଛତାକୁ ମୁଣ୍ଡ ଉପରେ ମେଲେଇ ଧରିବାର ସ୍ପୃହା ନ ଥିଲା ମନରେ ।

ଗେଟ୍ ଖୋଲି ଘର ଭିତରେ ପଶିଲା ବେଳକୁ ତିତିଲିର ସ୍ଵର ଶୁଣା ଯାଉଥିଲା । ଦୃଢ ଅଥଚ ଗମ୍ଭୀର ।

‘’ମାମା ! ପାପା ! ତୁମେ କମ୍ପଲେନ କରିବ ତା ନା’ ରେ । ସେ ଭଲ ଅଙ୍କଲ  ନୁହେଁ । ଖରାପ ଅଙ୍କଲ।‘’

ଅରବିନ୍ଦ ଓ ଶାନ୍ତ୍ଵନା ବୋଧ ଦେଉଛନ୍ତି ତାକୁ, “ନିଶ୍ଚୟ ,ନିଶ୍ଚୟ । ଆମେ କାଲି ହିଁ ସ୍କୁଲରେ କମ୍ପଲେନ୍  କରିବୁ । ସେ ନିଶ୍ଚୟ ଦଣ୍ଡ ପାଇବ । କଠିନ ଦଣ୍ଡ ।

‘’ହେଭି ପନିଶ ମେଣ୍ଟ ।‘ ତିତିଲି ଚିତ୍କାର କରି କହୁଥିଲା ।

ତିତିଲି ମୁହଁରେ ଅପମାନର ଲେଶ ମାତ୍ର ଚିହ୍ନ ନ ଥିଲା, ବରଂ ଥିଲା ଆତ୍ମପ୍ରତ୍ୟୟ । ଶାନ୍ତ୍ଵନା ଓ ଅରବିନ୍ଦ ମଧ୍ୟ ସମ୍ବେଦନା ର ସହ ଆଉଁସି ଦେଉଥିଲେ ତାକୁ । ତାଙ୍କ ମୁହଁ ରେ ନ ଥିଲା ଅକୁହା ଅସ୍ପଷ୍ଟ ଇଙ୍ଗିତ – ‘’ସହି  ଯା, ଚୁପ ରହି ଯା ।

‘’ଅନେକ ବର୍ଷ ତଳେ ଗାୟତ୍ରୀ ସେ ଅକୁହା ନିର୍ଦେଶ ପଢି ପାରିଥିଲେ ତାଙ୍କ ମାଆଙ୍କ ଆଖିରେ । ତାଙ୍କ ଭଉଣୀଙ୍କ ମୁହଁ ରେ । ଆଉ ସେ ନିଜେ ??? ସେ ନିଜେ ବି ତ ସାରା ଜୀବନ ସେଇଆ କରିଥିଲେ । ଅପମାନିତା ହୋଇଥିଲେ, ଲାଞ୍ଛିତା ହୋଇଥିଲେ । ଅଥଚ କେବଳ ଚୁପ ରହିବାର ଇଙ୍ଗିତ ଦେଇଥିଲେ ।

ନାଃ ,ଆଜି ଆଉ ତିତିଲି ସେମାନଙ୍କ ପରି  ମୂକ ନୁହେଁ । ସେ ମୁହଁ ଖୋଲିଛି । ତାର କଥା କହିବାର କ୍ଷମତା ଆସିଛି । ଏତିକି କଣ ଯଥେଷ୍ଟ ନୁହେଁ ଆଗକୁ ବଢିବା ରାସ୍ତାର ପାଥେୟ  ହେବାପାଇଁ । ଆଜିର ନାରୀ ମୂକ ନୁହେଁ । ନ୍ୟାୟ ପାଇଁ ସେ ସଂଗ୍ରାମ କରିବା ଶିଖି ଯାଇଛି । ଗାୟତ୍ରୀ କେମିତି ହାଲୁକା ଅନୁଭବ କରୁଥିଲେ । କୁନିକୁନି ହାତ ପାଦ ନେଇ ଦେବୀ ଦୂର୍ଗା ଧରା ପୃଷ୍ଠରେ ଅବତରଣ କରିଛନ୍ତି । ଅନ୍ୟାୟକୁ ସଂହାର କରି ନ୍ୟାୟ ଦେବେ ତାଙ୍କ ସୁନ୍ଦର ସୃଷ୍ଟିକୁ – ଝିଅଟିକୁ, ବୋହୂଟିକୁ ମାଆଟିକୁ ନାରୀ ହେବାର ସୌଭାଗ୍ୟ ମୁକୁଟ ପିନ୍ଧାଇ ଦେବାକୁ ଲମ୍ବି ଆସୁଛି ତାଙ୍କ ହାତ । ସାରା ମନ୍ଦିର ଆଜି ଗାୟତ୍ରୀଙ୍କ ଆଖିରୁ ଅଦୃଶ୍ୟ ହୋଇ ଯାଇଥିଲା । ଏବେ କେବଳ ଦେବୀ ତାଙ୍କ ଆଗରେ ଉଭା । ମୁଣ୍ଡ ନୂଆଁଇଲେ ସେ । ଦେବୀଙ୍କୁ ପ୍ରଣାମକଲେ ମନେମନେ ।

(୨୦୧୫ ପୂଜାସଂଖ୍ୟା ‘ସୁଧନ୍ୟା’ରେ ପ୍ରକାଶିତ)

****

One thought on “ଦେବୀ ଦର୍ଶନ

  1. ନମସ୍କାର ମେମ
    ମୁଁ ଆପଣଙ୍କ ବ୍ଲଗ ପାଇଁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନ ସଠିକ ମତାମତ ଦେଇ ପାରିବି ନାହିଁ।
    ଅନୁରୋଧ କରୁଛି ସମୟମାନେ ଶକ୍କୁଚିତ ହୋଇ ଯାଇଛନ୍ତି। କରୋନା ପାଇଁ।
    ମୁଁ ଆପଣଙ୍କୁ ମତାମତ ଦେବାପାଇଁ ସମୟ ମାଗୁଛି
    ନମସ୍କାର
    ରାଜୀବ

    Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s