ଚିହ୍ନା ଜଣା ମଣିଷ

               ବାଲକୋନିରୁ ଟିକେ ଛାଡି ପାଖା ପାଖି ଠିଆ ହୋଇଥିବା ସେଇ କୃଷ୍ଣଚୁଡା ଗଛ ଦୁଇଟି ଫୁଲରେ ଲଦି ହୋଇ ପଡିଥିଲେ । ତା’ ପାଖକୁ ଲାଗି ଲାଗି ଅନେକ ଗୁଡିଏ ଗଛ । ବସନ୍ତ ଋତୁ ଆସି ଗଲାଣି ଏ ଭିତରେ । ସବୁଜ ପତ୍ରରେ ଗଛ ସବୁ ଯେ ଏତେ ଆକର୍ଷଣୀୟ ଦିଶନ୍ତି, ବୋଧହୁଏ ବହୁତ ଦିନ ପରେ ଲକ୍ଷ୍ୟ କରୁଥିଲି ମୁଁ । ହଁ, ଗଲା କେତେବର୍ଷ ହେଲାଣି ଅଫିସ କାମର ଚାପରେ ବାଲକୋନିରେ ଠିଆ ହେବାକୁ ସମୟ ପାଇନି, ଆଉ ଏତେ ସମୟ ଏମିତି ମଗ୍ନ ହୋଇ ଗଛ ମାନଙ୍କ ସହ ଏକାତ୍ମ ହେବା କଥା ଚିନ୍ତା କରିଥାନ୍ତି କେମିତି ! ଫର୍ଚ୍ଛା ହୋଇ ଆସୁଥିଲା ଆକାଶ । ଅଜଣା ଭୁତାଣୁଟିକୁ କିଛି ସମୟ ପାଇଁ ଭୁଲି ଯାଇ  ସକାଳ କାକରରେ ସଦ୍ୟ ଗାଧୋଇଥିବା ଗଛ ଗୁଡିକ ଉପରେ ଆଖି ପହଁରାଇ ନେଉଥିଲି । ଚାରିଆଡ଼ ଖାଁ ଖାଁ ଲାଗୁଥିଲା । ଗୁମସୁମ ଲାଗୁଥିଲା । ସୁଲୁସୁଲୁ ପବନ ବୋହୁଥିଲା, ଆଉ ପତ୍ର ସବୁ ସେଇ ପବନରେ ଝୁଲୁଥିଲେ ଧିରେ ଧିରେ ।

               ନିଜକୁ ପ୍ରକୁତିସ୍ଥ ରଖିବାକୁ ମୁଁ ପ୍ରୟାସ କରୁଥିଲି । ସେଇ ଭୁତାଣୁ ଆସିଥିବାର ଖବର ମତେ ଆଶଙ୍କିତ କରି ରଖିଥିଲା । ଘରୁ ଅଫିସ କାମ କରିବାର ଆଜିକୁ ଅଠର ଦିନ ହୋଇଗଲା । ଅଞ୍ଜଳୀ ପାଖରେ ଥିଲେ ଏତେ ଏକୁଟିଆ ଲାଗୁ ନ ଥାନ୍ତା । ଅଞ୍ଜଳୀ ଥିଲେ ଗହଳ ଚହଳ ଲାଗିରହିଥାଏ ଘରେ । ନିରା ନୂଆ କରି ବାଙ୍ଗାଲୋରରେ ଚାକିରୀ ଆରମ୍ଭ କଲା । ନିରା ପାଖରେ କିଛିଦିନ ରହି  ଆବଶ୍ୟକୀୟ  ଘରକରଣାରେ ତା’ ଘରଟିକୁ ଚଳିବା ଉପଯୋଗୀ କରେଇ ଦେଇ ଆସିବା ଉଦ୍ଦେଶ୍ୟରେ ପୁରା ପରିବାର ଯାଇଥିଲୁ ବାଙ୍ଗାଲୋର । କରୋନା ନାମକ ଏଇ ନୂଆ ଭୁତାଣୁ ସେତେବେଳେ ଚୀନର ଉହାନ  ସହରରେ ତା’ର ତାଣ୍ଡବ ଆରମ୍ଭ କରିଦେଇଥିଲା । ସେତେବେଳେ ସେଇ ଭୟଙ୍କର ଭୁତାଣୁକୁ ନେଇ ମନରେ ତିଳେ ମାତ୍ର ଆଶଙ୍କା ନ ଥିଲା । ସହସ୍ର ସହସ୍ର ଯୋଜନ ଦୂରରେ ଚୀନର ଚିନ୍ତା ଯେ ଦିନେ ହଳା ହଳ ବିଷ ପରି ଗ୍ରାସି  ଯିବ ସାରା ବିଶ୍ୱକୁ, ସେ କଥା କେହି କେବେ ବି  କଳ୍ପନା କରି ନ ଥିଲେ । ଆମେ ବି ନୁହେଁ । ସବୁ ଠିକ ଠାକ ଚାଲିଥିଲା ବେଳେ କରୋନା ଦେଶରୁ ଦେଶକୁ ଆରମ୍ଭ କଲା ତା’ର ଲୋମହର୍ଷଣ କାରୀ ଯାତ୍ରା । ତାର ପଞ୍ଝାରେ କବଳିତ ହେଲେ ଗୋଟାକ ପରେ ଗୋଟିଏ ଦେଶ । ଠିକ ସେତେବେଳକୁ ଆମେ ପୁରା ପରିବାର ନିରାର ଘର ସଜାଡ଼ିବା ନିଶାରେ । ଅଫିସରୁ ଶୀଘ୍ର କାର୍ଯ୍ୟରେ ଯୋଗ ଦେବାର ଆଦେଶ ପାଇ ମୁଁ ମୁମ୍ବାଇ ଫେରିଆସିଲି ଆଉ ଅଞ୍ଜଳୀ ସପ୍ତହଟେ ପାଇଁ ଚାଲିଗଲେ ଓଡିଶା । କରୋନା ବଡ଼ବଡ଼ ବିଦେଶୀ ରାଷ୍ଟ୍ରରେ ପହଞ୍ଚି ଗଲାଣି ଜାଣି ମଧ୍ୟ ଆଶଙ୍କା ଆସି ନ ଥିଲା ମନରେ । ବିଳାସମୟ ରାଷ୍ଟ୍ରର ଏ ସବୁ ବିଳାସୀ ରୋଗ କହି ତାତ୍ସଲ୍ୟ କରିଥିଲି ସେଦିନ ପ୍ରକାଶ୍ୟରେ । ଅଞ୍ଜଳୀଙ୍କୁ କହିଥିଲି, ଓଡିଶା ଯାଉଛ, ପ୍ରବୋଧ ବାବୁଙ୍କ ସହ କଥା ହୋଇ ନିରାର ନିର୍ବନ୍ଧ ତାରିଖ ବି ଠିକ କରିଦେବ । ଅଞ୍ଜଳୀ ଏଥର ଏକା ଏକା ମୋ ବାପାବୋଉଙ୍କ ପାଖରେ ରହିବେ । ଅଞ୍ଜଳୀ ଯାଉଛନ୍ତି ଖବର ପାଇ ଭାଇଭାଉଜ ବି ଆଖପାଖ ବୁଲିଯିବା ପାଇଁ  ଆଶା ବାନ୍ଧିଲେଣି । ‘ସତରେ, ବାପାବୋଉଙ୍କୁ ଏକା ଛାଡି ତୁମ ଭାଇ ଭାଉଜ ବି କୁଆଡେ ଯାଇପାରୁନାହାନ୍ତି’ – ଏକଥା କହିଲାବେଳେ ଏଥର ଅଞ୍ଜଳୀଙ୍କ ସ୍ୱରରେ କୃତିମତା ଲକ୍ଷ୍ୟ କରି ପାରି ନ ଥିଲି ।

           ନିରା ଚାକିରୀ ପାଇଛି । ଭଲ ଜାଗାରେ ତାର ବାହାଘର ବି ଠିକ ହୋଇଛି । ଅଞ୍ଜଳୀ ଏତେ ସବୁ ଖୁସି ଭିତରେ ଉବୁଟୁବୁ ହେଉଥିଲେ ଯେ ବାପାବୋଉଙ୍କ ସହ ଗାଁରେ ରହିବା କଥାଟା ସହଜରେ ଗ୍ରହଣ କରି ନେଇଥିଲେ । ‘ତୁମ  ଭାଇ ଭାଉଜ ବି ବୁଲାବୁଲି କରି ଆସନ୍ତୁ । ମୁଁ ତ ବାପାବୋଉଙ୍କ ପାଖରେ ରହିବି ଚାରିଦିନ ।’  ସପ୍ତାହର ଶେଷ ତିନିଦିନ ଭୁବନେଶ୍ୱର ଆସି ସାଙ୍ଗ ମାନଙ୍କ ସହ ମଜା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିସାରିଲେଣି ଅଞ୍ଜଳୀ । କାହିଁକି କେଜାଣି ବାହାଘରର ପଚିଶ ବର୍ଷ ପରେ ବି ବାପାବୋଉଙ୍କ ସହ ଗାଁରେ ରହିବାରେ  ଅଞ୍ଜଳୀ ଆଦୌ ସହଜ ନୁହଁନ୍ତି । ବାପାଙ୍କର ଚାକିରୀ ଥିଲାବେଳେ ସେଇ ଛୋଟ ସହରରେ ଛୋଟ ଘରଟିକୁ ଯିବା ପାଇଁ ତାଙ୍କର ଆପତ୍ତି ନଥିଲା କିନ୍ତୁ ଚାକିରୀ ପରେ ବାପାବୋଉ ଗାଁରେ ରହିବାକୁ ନେଇ ଘୋର ଆପତ୍ତି କରିଥିଲେ ଅଞ୍ଜଳୀ । ବାପାବୋଉ ବି ନଛୋଡବନ୍ଧା । ବଡ ଭାଇ ସେଇ ପାଖ ଗାଁ ସ୍କୁଲରେ ଶିକ୍ଷକତା କରୁଥିଲେ । ଭାଉଜ ସେଇ ଗାଁର ଝିଅ । ତେଣୁ ସେମାନଙ୍କର ସମ୍ମତ୍ତି ଥିଲା ବାପାବୋଉଙ୍କ ନିଷ୍ପତ୍ତିରେ । ଆଉ ମୁହଁ ଖୋଲି ନାହାନ୍ତି ଅଞ୍ଜଳୀ । ଦିନେ ଦୁଇ ଦିନ ଗାଁରେ ବୁଲି ଆସିବାକୁ ଜଞ୍ଜାଳ ଭାବି ନାହାନ୍ତି କେବେ, ଗୋଟିଏ ସର୍ତ୍ତରେ । ମୋ ସହ ଯିବେ ପୁଣି ମୋ ସହ ଫେରିଆସିବେ ଗାଁରୁ । ଏମିତି ଚାଲିଗଲାଣି ଗୁଡ଼ାଏ ବର୍ଷ । କଥାଟି ବି ଆଦୌ ଅସ୍ୱାଭାବିକ ଲାଗିନି କେବେ ।

               ଅଳ୍ପ ସମୟ ଭିତରେ ସବୁକିଛି ଏପଟ ସେପଟ ହୋଇଗଲା । ମୁଁ ମୁମ୍ବାଇରେ ଅଫିସରେ ଯୋଗ ଦେଲି, ଆଉ ନିରା ବାଙ୍ଗାଲୋରରେ ତା’ ଚାକିରୀରେ । ଅଞ୍ଜଳୀ ଭୁବନେଶ୍ୱରର ଅନତିଦୂରରେ ଆମ ଗାଁ ବିଶ୍ୱନାଥ ପୁରରେ । କ୍ୟାଲେଣ୍ଡରର ପୃଷ୍ଠା ଟିଏ ଓଲଟି ଗଲା । ଆଉ ତା ସହିତ ଓଲଟି ଗଲା ଆମ ତିନିଜଣଙ୍କ ଭାଗ୍ୟ ।  କେମିତି କେଜାଣି, ସେ ଭୟଙ୍କର ଭୁତାଣୁ ଆମ ଭାରତରେ ଆସି  ପହଁଚିଗଲା ।

               ସତେ କ’ଣ ଯୁଦ୍ଧ ଆରମ୍ଭ ହୋଇଗଲା ! ଆତଙ୍କ ଖେଳିଗଲା ଚାରିଆଡ଼ । ସରକାର ଲକଡାଉନ ଘୋଷଣା କଲେ । ଅଦୃଶ୍ୟ ଭୂତାଣୁକୁ ପରାଜୟ କରିବାର ଏକମାତ୍ର ଉପାୟ ଗୃହବନ୍ଦୀ ହୋଇ ରହିବା । ସମସ୍ତଙ୍କୁ ଘରେ ଏକାନ୍ତବାସ କରିବାକୁ ହେବ । ଶେଷ ବିମାନଟିରେ ଟିକେଟ କରିଦେବାକୁ ସେଦିନ ବାରମ୍ବାର ଫୋନ କରିଥିଲେ ଅଞ୍ଜଳୀ । କେଜାଣି କାହିଁକି ମନ ମାନି ନ ଥିଲା । ‘କିଛି ହେବନି । ରହିଯାଅ ଆଉ କିଛି ଦିନ । ସବୁ ଠିକ ହୋଇଯିବ‘ – ସେଦିନ କହିଥିଲି । ପ୍ରଥମ ଥର ପାଇଁ ଅଞ୍ଜଳୀ ଜିଦ କରି ନ ଥିଲେ, ଯେମିତି ସେ ଛୋଟ ଛୋଟ କଥାରେ କରନ୍ତି । ଦୁଇ ତିନି ଥର ଫୋନ କରି ଖାଲି ଅନୁରୋଧ କରିଥିଲେ ମତେ । ଆଦୌ ଅସ୍ଵାଭାବିକ ଲାଗି ନ ଥିଲା କିଛି । ଦିନେ ଦୁଇଦିନ ଭିତରେ ବଦଳିଗଲା ସବୁକିଛି । ଭୟଙ୍କର ସେଇ କରୋନା ଭୁତାଣୁର ପଞ୍ଝା ଭିତରେ ପଶି ସାରିଥିଲେ ପୁରା ବିଶ୍ୱର କୋଟି କୋଟି ଜନତା ।  ମୁଁ, ମୋ ସ୍ତ୍ରୀ ଅଞ୍ଜଳୀ ଆଉ ମୋ ଝିଅ ନିରା ପ୍ରଥମଥର ପାଇଁ ପରସ୍ପରଠାରୁ ଅଲଗା ହୋଇ ତିନୋଟି କୋଣକୁ ଛିଟିକି ପଡ଼ିଥିଲୁ ।

               ଅଞ୍ଜଳୀ, ମୁଁ ଓ ନିରା ତିନିଜଣ ଏବେ ତିନୋଟି ରାଜ୍ୟରେ । ଲକଡାଉନ ଆହୁରି ଏକୋଇଶ ଦିନ ବଢ଼େଇ ଦିଆଯାଇଛି । ଅଞ୍ଜଳୀଙ୍କର ଗାଁରେ ରହିବାର ଅଠର ଦିନ ହୋଇଗଲା । ଗାଁରେ ପହଂଚିବା ଦିନ ସେ ଖୁସି ଥିଲେ । ‘ବୋଉ ପୋହଳା ମାଛ ଅଣେଇଛନ୍ତି । ମତେ ଚୁନା ମାଛ ଚୁର୍ଚୁରା ଭଲ ଲାଗେ କହିଥିଲି ବୋଲି ସେ ଚୁନା ମାଛ ବି ମଗେଇଛନ୍ତି’ କହିଲା ବେଳେ ଅଞ୍ଜଳୀଙ୍କ ସ୍ୱରରୁ ଖୁସି ଝଲସୁଥିଲା । ଚୁନା ମାଛ ଅଞ୍ଜଳୀଙ୍କୁ ନୁହେଁ, ମତେ ଭଲ ଲାଗେ । କେବେ କେମିତି ବଜାରରୁ ଲୋଭରେ ନେଇଆସେ ମୁଁ । ଅଞ୍ଜଳୀ ଭାରି ବିରକ୍ତ ହୁଅନ୍ତି । ‘କିଏ କରିବ ଏତେ କାମ । ଆକୁ ବାଛିବା କଣ ସହଜ ହୋଇଛି । ଘଣ୍ଟାଏ ଲାଗିବ ଏଇଲେ । ଘରଟା ଯାକର କାମ ପଡିଛି କିଏ କରିବ ???’ । ଆଉ କେବେ ଆଣିବିନି କହି ମନଟାକୁ ପ୍ରବୋଧନା ଦେଇ ନିଜେ ଅନଭ୍ୟସ୍ତ ହାତରେ ଲଟପଟ ହୋଇ କେଳେଇଛି କେତେ ଥର । ଆଜି ମୋ ବୋଉ ପାଖରେ ଚୂନା ମାଛ । ବୋଉ କେଳେଇ କାଳେଇ କେତେ ସୁଆଦିଆ କରି ରାନ୍ଧିଦେଵ ଚୁନାମାଛ ବେସର । ଆଃ, ଲାଳ ଗଡ଼ିଆସିଥିଲା ପାଟିରୁ । ସେଦିନ ରାତିରେ ଶୋଇଲା ଶେଜରୁ ଆଉଥରେ ଫୋନ କରିଥିଲେ ଅଞ୍ଜଳୀ – ପ୍ରବୋଧ ବାବୁଙ୍କୁ ଫୋନ କରି ନିର୍ବନ୍ଧ ତାରିଖ ଠିକ କରିବାକୁ କହିଦେଇଛନ୍ତି । ଅଞ୍ଜଳୀ ଭାରି ଦାୟୀତ୍ୱସଂପନ୍ନା  ଲାଗୁଥିଲେ । ଖୁସି ଲାଗୁଥିଲେ । ପୁଣିଥରେ  ସୁଆଦିଆ  ମାଛ ତରକାରୀ କଥା ଶୁଣାଇ ପ୍ରଲୋଭିତ କଲେ ମତେ । ତା’ପରେ ସେ ତ ଶୋଇଗଲେ, ଡେରି ରାତିରେ ମ୍ୟାଗି ପ୍ୟାକେଟ ଟିଏ ସିଝେଇ ଖାଇଦେଇ ବୋଉ ହାତ ରନ୍ଧା କେତେନା କେତେ ସୁଆଦିଆ ରାନ୍ଧଣାକୁ ଝୁରି ଝୁରି ମୁଁ ଶୋଇ ପଡ଼ିବାକୁ ଚେଷ୍ଟା କରୁଥିଲି ।

               ତା’ପର ଦିନ ହିଁ ସବୁ ଗଡ଼ବଡ଼ ହୋଇଗଲା । ଚଳଚଞ୍ଚଳ ପୃଥିବୀର ସବୁ ରାସ୍ତା ଉପରେ ଖଡ୍ଗ ହସ୍ତରେ ଠିଆ ହୋଇଗଲା କରୋନା । ସେଇ ଭୟଙ୍କର ଭୁତାଣୁ । ଏଥର ନିଜକୁ ଲୁଚେଇବାର ସମୟ । ଦେଶ ବିଦେଶର ସମସ୍ତେ ନିଜକୁ ସେଇ ସର୍ବଗ୍ରାସୀ ଭୁତାଣୁ କବଳରୁ ରକ୍ଷା କରିବା ଚେଷ୍ଟାରେ ଲାଗି ପଡିଲେ । ସେଇ ଦିନ ତିନି ଥର ଫୋନ କରିଥିଲେ ଅଞ୍ଜଳୀ, ଶେଷ ବିମାନରେ ଟିକେଟ କରି  ପଠେଇବା ପାଇଁ କହିଥିଲେ । ବୋଧହୁଏ ନିୟତିର ନିର୍ଦ୍ଦେଶ ଅନ୍ୟକିଛି ଥିଲା । ସବୁବେଳେ ଅଞ୍ଜଳୀଙ୍କ ନିର୍ଦ୍ଦେଶରେ ଚାଲୁଥିବା ସତ୍ତ୍ୱେ ଏଥର ମୁଁ ମୋ ନିଷ୍ପତ୍ତି ଶୁଣାଇଦେଲି, କହିଲି ‘କିଛି ହେବନି । ରହିଯାଅ ଆଉ କିଛି ଦିନ । ସବୁ ଠିକ ହୋଇଗଲେ ଆସିବ’ । ଅଞ୍ଜଳୀ କେମିତି ମାନି ନେଲେ ମୋ ନିଷ୍ପତ୍ତି । ବାସ, ତା’ପର ଠାରୁ କେବଳ ମୁଁ ଫୋନ କରିଛି ଗାଁକୁ । ପ୍ରତିଦିନ । ଅଞ୍ଜଳୀ ଫୋନ ଉଠାନ୍ତି । ସ୍ୱାଭାବିକ ଭାବରେ କଥା ହୁଅନ୍ତି । ଫୋନ କାଟିଦେଲା ପରେ ବି ବେଶ୍ କିଛି ସମୟ ଅନ୍ୟମନସ୍କ  ରହେ ମୁଁ । ନିଜକୁ ବୁଝାଏ, ସ୍ଥିର ହୁଏ । ଅଫିସ କାମରେ ମନ ଦିଏ । କାମର ଜଞ୍ଜାଳରେ ବୁଡିଯାଏ, ଆଉ କିଛି ବି ମନେପକେଇ ପାରେନା ।

               ଅଞ୍ଜଳୀ ଗାଁରେ । ବାପାବୋଉଙ୍କ ପାଖରେ । ମୋ ବାପା; ଖୁବ କମ କଥା କୁହନ୍ତି । ଅଳ୍ପ କିଛି ସାଙ୍ଗ ଅଛନ୍ତି ତାଙ୍କର । ସେମାନେ ସବୁଦିନ ସନ୍ଧ୍ୟାରେ ଏକାଠି ହୁଅନ୍ତି । ସୁଖଦୁଃଖ ହୁଅନ୍ତି । ବୋଧହୁଏ ସେଇ କେତେଜଣ ସାଙ୍ଗ ବୁଝିପାରନ୍ତି ମୋ ବାପାଙ୍କୁ । ବାପା ବି ସେଇ କେତେଜଣଙ୍କ ସହ ଭାରି ସହଜ ଭାବରେ ମିଶନ୍ତି । ଥରେ ବାପା ମୋତେ କହିଥିଲେ ଗୋଟେ ନିର୍ଦ୍ଦିଷ୍ଟ ବୟସ ପରେ ଅଳ୍ପ କେତେଜଣ ବନ୍ଧୁ ହିଁ  ପାଖରେ ଠିଆ ହୁଅନ୍ତି । ବହୁତ ଜଣଙ୍କ ସହ ନିଜକୁ ସାମିଲ କରି ରଖିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୁଏନି । ହୁଏତ ବାପାଙ୍କର ସେମିତି କିଛି ଅଭିଜ୍ଞତା ହୋଇଥିଲା । ବାପା ସହଜ କରି ନେଇଥିଲେ ତାଙ୍କ ଜୀବନକୁ । ଖୁବ ଶୃଙ୍ଖଳିତ  ହୋଇଯାଇଥିଲା ତାଙ୍କ ଜୀବନ ।   ଅଞ୍ଜଳୀ ଖୁବ ସଂଭ୍ରମତାର ସହ କଥା ହୁଅନ୍ତି ତାଙ୍କ ସହ । ଅଞ୍ଜଳୀଙ୍କୁ ବାପା ଭଲ ପାଆନ୍ତି । ସମ୍ମାନ କରନ୍ତି । ଏବେ ଏଇ ଲକଡାଉନରେ ବାପା ଏକା ହୋଇ ଯାଉଥିବେ । ବାପାଙ୍କର ସେଇ ଅଳ୍ପ କେଇଜଣ ସାଙ୍ଗ କ’ଣ ବାପାଙ୍କୁ ସଖ୍ୟ ଦେଇ ପାରୁଥିବେ । ବୋଧହୁଏ ସେ ସମସ୍ତେ ବାପାଙ୍କ ପରି ସ୍ଵଳ୍ପଭାଷୀ ହୋଇଥିବେ । ବେଳେବେଳେ ଇଚ୍ଛା ହୁଏ ଅଞ୍ଜଳୀଙ୍କୁ ଫୋନ କରି ବାପାଙ୍କ ସହ ବେଶୀ ସମୟ କଟେଇବା ପାଇଁ କହିବି । କହିପାରେନି । ବିଗତ ପଚିଶ ବର୍ଷ ଭିତରେ କେବେବି ଅଞ୍ଜଳୀଙ୍କୁ ବାପାଙ୍କ ସହ ମନଖୋଲି କଥା ହେବାର ଦେଖିନି । ଆଜି ଏତେ ବର୍ଷ ପରେ … ନିଜକୁ ବୁଝେଇ ନିଏ । ବୋଉ ଠିକ୍ ଥିବ । ଅଞ୍ଜଳୀଙ୍କ  ସଂଗେ ତାର ସମୟ କଟି ଯାଉଥିବ । ଅଞ୍ଜଳୀଙ୍କପ୍ରତି ତା’ର ଅସନ୍ତୁଷ୍ଟତା ସିଏ ପ୍ରକାଶ କରି ଦେଉ ନଥିବତ !! ଅଞ୍ଜଳୀ କ’ଣ କ୍ଷମା କରିଦେଉଥିବେ  ତାକୁ !!!! କେତେ କଣ ଭାବିହୁଏ ମୁଁ ।

               ଅଞ୍ଜଳୀଙ୍କ ବିନା ଖାଲି ଖାଲି ଲାଗେ ଜୀବନ । ଖାଁ ଖାଁ ଗୋଡାଏ ମୋ ଏକୁଟିଆ ଘର । ଘର କାମରେ ସାହାଯ୍ୟ କରୁଥିବା ସ୍ତ୍ରୀ ଲୋକଟି କାମ କରିବାକୁ ଆସେନି । ଘର ଓଳା ନ ହୋଇ ରହିଯାଏ । କଂଚା ଦରସିଝା କିଛି ରୋଷେଇ କରି ଖାଇନିଏ ମୁଁ । ନିରାର ଖବର ଅଞ୍ଜଳୀଙ୍କ ଠାରୁ ବୁଝେ । ନିରା ମତେ ଫୋନ କରେ । ନିଜ କଥା ବିଶେଷ କିଛି ନ କହି ମୋ’ ଖବର ବେଶୀ ବୁଝେ । ମାଆ ପରି ଉପଦେଶ ଦିଏ । ମୁଁ କିନ୍ତୁ ତାକୁ କହିପାରେନି କିଛି । ଏ ଲକଡାଉନରେ ତାକୁ ଅଫିସ ଯିବାକୁ ପଡୁନି । ସେ ବି ମୋ ପରି ଘରୁ କାମ କରୁଛି । ନୂଆକରି ଆରମ୍ଭ କରିବାକୁ ଯାଉଥିଲା ଚାକିରୀ । ହାତ ଗଣତି ଦିନ କେତୋଟି ଅଫିସ ଯାଇଛି ସେ । କାମ ଶିଖିବା ଆଗରୁ ଘରୁ କାମ କରିବା ଆରମ୍ଭ ହୋଇଗଲା । ଦୁଃଖୀ ହୋଇଯାଇଥିଲା ନିରା । ଉତ୍ସାହୀ ମନଟି ତା’ର ଭାଙ୍ଗି ପଡୁଥିଲା । ଏ ବିଶ୍ୱ ମହାମାରୀକୁ ସାରା ପୃଥିବୀକୁ ସାମ୍ନା କରିବାକୁ ହେବ । ସାହସର ସହିତ, ଧୈର୍ଯ୍ୟ ଧରିବାକୁ ହେବ ଗୋଟେ ଲମ୍ବା ସମୟ ପାଇଁ । ସଜାଡି ହୋଇଯିବ ସବୁକିଛି । ନିରାକୁ ନେଇ ମୋ ମନର ଅବସାଦକୁ ମୁଁ ତା’ ସହିତ ବାଣ୍ଟି ନେବା ପୂର୍ବରୁ ସେ  ମତେ ନେଇ ତାର ବ୍ୟସ୍ତତା ଜାହିର କରେ ।  ବୁଝାଏ ତାକୁ । ଖାଇଛି ମୁଁ । ଠିକ ଅଛି । ଅଞ୍ଜଳୀ ବିନା ମୋ’ ଇତଃସ୍ତତଃ ଜୀବନ ନିରା ଆଖି ଆଗରେ ଖୋଲି ହୋଇଯାଉଥିବା ବେଳେ ମୁଁ  ତା’ ଉପରେ ପରଦା ଟାଣି ନେବାକୁ ଚେଷ୍ଟା କରେ । ଆମେ ତିନିହେଁ ତିନି ଜାଗାରେ ପରସ୍ପର ପାଇଁ ଘାରିହେଉ ।

               ବାଲକୋନିରେ ଠିଆ ହୋଇ ଆଜି ଅନେକ ଦିନ ପରେ ମୁଁ ପ୍ରକୃତିକୁ ଦେଖୁଥିଲି । ପଛରେ ଛାଡି ଆସିଥିବା ଦିନ ଗୁଡିକୁ ଆଉଥରେ ଜୀଇଁବାର ସୁଯୋଗ ମିଳନ୍ତାକି ?? ମନ ଭରି ଦେଖନ୍ତି ପ୍ରକୃତିର ଏ ଅପାଶୋରା ସୌନ୍ଦର୍ଯ୍ୟକୁ । ଫେରି ପାରନ୍ତି କି ସେଇ ସମୟକୁ । ଅଣଦେଖା କରିଥିବା ଅତୀତକୁ ଝୁରି ହେଉଥିଲି ମନେମନେ । ଶବ୍ଦ କରି ବାଜି ଉଠିଲା ମୋ’ ହାତରେ ମୋବାଇଲ ଫୋନଟା । ଆଜି ଅନେକ ଦିନ ପରେ ଅଞ୍ଜଳୀ ଫୋନ କରିଥିଲେ । ସଂଗେ ସଂଗେ ଉଠେଇଲି ଫୋନ । ଫୋନ ଆରପଟୁ ଅଞ୍ଜଳୀଙ୍କ କାନ୍ଦକାନ୍ଦ ସ୍ୱର ଶୁଣିପାରୁଥିଲି । ସାମାନ୍ୟ ବିବ୍ରତ ଅନୁଭବ କଲି ।  ମୁଁ ଫୋନ ଉଠାଇବା ମାତ୍ରେ ସେ କିନ୍ତୁ ହସିଦେଲେ । କହିଲେ ବୋଉ ମୋ ଉପରେ ଭୀଷଣ ଅସନ୍ତୁଷ୍ଟ । ଠିକ ଏଇକଥା ଶୁଣିବି ବୋଲି ମୁଁ ଆଶଙ୍କା କରିଥିଲି । ଅଞ୍ଜଳୀଙ୍କୁ ବୁଝେଇବା ପାଇଁ ନିଜକୁ ପ୍ରସ୍ତୁତ କରିନେବା ମୁହୂର୍ତ୍ତରେ ସେପଟୁ ଅଞ୍ଜଳୀ କହି ଚାଲିଥିଲେ, ‘ତୁମକୁ କିଛି ଘର କାମ ଶିଖେଇନି ବୋଲି ଗାଳି ଖାଉଛି ମୁଁ’ । ଅପ୍ରସ୍ତୁତ ଅନୁଭବ କଲି । ବୋଉଠାରୁ ମୋ’ ନିମନ୍ତେ ସମସ୍ତ ଗାଳି ମତେ ଆଶ୍ୱାସନା ହିଁ ଦେଉଥିଲା । ଏ ଲକଡ଼ାଉନ ସମୟରେ ବୋଉ ସହିତ, ବାପାଙ୍କ ସହିତ ନିଜକୁ ସହଜ କରି ମିଶିଛନ୍ତି ଅଞ୍ଜଳୀ । କୃଷ୍ଣଚୁଡା ଗଛରେ ଲଦି ହୋଇଥିବା ଫୁଲସବୁ ଅଞ୍ଜଳୀଙ୍କ ମିଠାମିଠା ସ୍ୱର ସହିତ ମିଶିଯାଇ ଏକ ଅଦ୍ଭୁତ ଅନନୁଭୁତ ଅନୁଭୂତି ରେ ପରିଣତ ହେଉଥିଲେ । କବାଟରେ କିଏ ଡାକିଲାକି ???? ଟିକେ ଚମକି ପଡି ଚାହିଁଲି ଦାଣ୍ଡ ଦୁଆର ଆଡକୁ । ଲକଡାଉନ ସମୟରେ କିଏ ବା କେମିତି ଆସି ଡାକିବ ଦୁଆରେ !!!! ପୁଣି ଖୁଡ କରି ଶବ୍ଦ ହେଲା । ଅଞ୍ଜଳୀ ଫୋନ ରଖି ଦେଲେଣି । ପବନ ପିଟି ହେଉଛି ଦାଣ୍ଡ ଦୁଆରେ । କେହି ନାହାନ୍ତି ଜାଣି ସୁଦ୍ଧା ମୁଁ ଦାଣ୍ଡ ଦୁଆର ଖୋଲି ଦେଇଥିଲି ଆଉ ଏପଟ ସେପଟ ହୋଇ ଖୋଜି ହେଉଥିଲି ଚିହ୍ନା ଜଣା ମଣିଷ ମାନଙ୍କୁ । 

****

4 thoughts on “ଚିହ୍ନା ଜଣା ମଣିଷ

  1. Biswajit Mohapstra

    An well crafted short story, depicting the emotions of three different generations in a typical middle class Indian family, in the prevailing circumstances. One can easily identify himself/herself with the characters of this story.

    Like

Leave a Reply to Biswajit Mohapstra Cancel reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s