ଫୋନ ରଖିଦେଇ ଅଳକା ଟିକେ ଜୋର୍ ପାଟିରେ କହିଲା “ଚାରିଶହ ବା’ସ୍ତରୀ” ।
କଣିକିଆ ବାଲକୋନିରୁ କିଛି ବି ଠିକରେ ଦେଖା ଯାଉନି । ସାବିତ୍ରୀ ଆଉ ଟିକେ ଜାକି ହୋଇଗଲେ ବାଲକୋନିର ଲୁହା ବାଡ଼କୁ । ଏଇଠୁ ଆମ୍ବୁଲାନ୍ସର ଶେଷ ଭାଗଟି କେବଳ ଦେଖା ଯାଉଛି । ଆଦୌ ଦେଖିହେବନି ତାଙ୍କୁ । କିଏ ସେ ସେ ?? ନିଜେ ନିଜେ ଗୁଣୁ ଗୁଣୁ ହୋଇ କହିଲେ, “ଚାରିଶହ ବା’ସ୍ତରୀ”। ଆମ୍ବୁଲାନ୍ସଟି ବାହାରି ଗଲାଣି ଆପର୍ଟମେଂଟ ଭିତରୁ । ଖୁବ ଅନ୍ୟମନସ୍କ ଲାଗୁଥିଲେ ସାବିତ୍ରୀ । ପୂଜା ପାଇଁ ଫୁଲ ତୋଳିବାକୁ ବାଲକୋନିକୁ ଆସିଥିଲେ – ଭୁଲିଗଲେ । ଭୁଲିଗଲେ ସକାଳୁ ଗାଧୋଇ ଓଦା ବାଳରେ ଜଗନ୍ନାଥଙ୍କୁ ତୁଳସୀ ଲାଗି କରେଇବା କଥା । ଧିର ପାଦରେ ଆସି ଦାଣ୍ଡଘର ସୋଫା ପାଖକୁ ଲାଗି ରଖାହୋଇଥିବା ଛୋଟ ପ୍ଲାଷ୍ଟିକ ଚେୟାରଟି ଉପରେ ବସିଲେ । ଅଳକା ରୋଷେଇ ଘରକୁ ଚାଲିଗଲାଣି ।
“ଆରେ, ସେଇଠି କାହିଁକି ବସିଲୁ ବୋଉ, ଆ, ଏ ପଟକୁ । ତୁ ପୂଜା ସାରିଲୁଣି?”
“ଚାରିଶହ ବା’ସ୍ତରୀ ରେ କିଏ କିରେ???” ଆତଙ୍କିତ ସ୍ୱର ରେ ସାବିତ୍ରୀ ପ୍ରଶ୍ନ କଲେ ଦେବବ୍ରତ ଙ୍କୁ ।
“ମୁଁ ଜାଣିନି ବୋଉ । ଏବେ ଏବେ ପୁରା ଆପର୍ଟମେଂଟକୁ ନେଇ ଗଢ଼ା ହୋଇଥିବା ହ୍ଵାଟ୍ସ୍ଆପ ଗ୍ରୁପ ଟିରେ ବି କାହା ନାଁ ନାହିଁ । ସେଇ ଚାରିଶହ ବା’ସ୍ତରୀ ଲେଖା ହୋଇଛି । ତୁ ବ୍ୟସ୍ତ ହୋନା, ଯା, ପୂଜା ସାରେ, ଆମେ ସାଙ୍ଗ ହୋଇ ଜଳଖିଆ ଖାଇବା ।”
ଏଇ କରୋନା ଭୁତାଣୁ ଟି ଆସିବା ପରଠାରୁ ଚାରିଆଡେ ଆତଙ୍କ ଖେଳି ଯାଇଛି । ଚୀନରୁ ବାହାରି ସାରା ବିଶ୍ୱକୁ ଅଣାୟତ୍ତ କରିସାରିଲାଣି ସେ । ଦେହରୁ ଦେହକୁ ବ୍ୟାପି ଯାଉଥିବା ସେଇ ଭୟଙ୍କର ଭୁତାଣୁଟି ହାବୁଡ଼ରୁ ନିଜକୁ ବଞ୍ଚାଇବାର ଚେଷ୍ଟାରେ ଲାଗିପଡିଛନ୍ତି ସାରା ବିଶ୍ୱବାସୀ ।
ସାବିତ୍ରୀ ମୁମ୍ବାଇ ଆସିବାର ତିନିମାସ ହୋଇଗଲାଣି । ଦୀନବନ୍ଧୁଙ୍କ ସଂଗେ ଆଗରୁ ବି ଆସିଥିଲେ ପୁଅଘରକୁ ମୁମ୍ବାଇ । ଅଳ୍ପଦିନ ରହି ଫେରି ଯାଆନ୍ତି ସେମାନେ । ଦେବବ୍ରତର ପାରାଭାଡ଼ି ପରି ଫ୍ଲାଟ୍ ରେ ଅଣନିଶ୍ୱାସୀ ହୋଇଯାନ୍ତି ସାବିତ୍ରୀ । ଦୀନବନ୍ଧୁ ପୁଅବୋହୂ ନାତୁଣୀ ସହିତ ମସଗୁଲ ରହନ୍ତି ସେଇ କେତେଦିନ । ତାଙ୍କର ଖୁସି ଦେଖି ସାବିତ୍ରୀ ବି ସହଜ ହୋଇଯାନ୍ତି । ଫେରିବାର ବେଳ ହେଲେ ସାବିତ୍ରୀ କିନ୍ତୁ ଦୀନବନ୍ଧୁଙ୍କ ଠାରୁ ବେଶୀ ଦୁଃଖୀ ହୁଅନ୍ତି । ଆଶ୍ଚର୍ଯ୍ୟ ମଣିଷ ଜଣେ ଦୀନବନ୍ଧୁ । ଅଫିସ ଓ ଘରର ଦାୟିତ୍ୱ ସମ୍ଭାଳିବା ଭିତରେ ନିଜକୁ ଖୁବ ଶୀଘ୍ର ସହଜ କରିନିଅନ୍ତି । ସାବିତ୍ରୀ ମୁମ୍ବାଇ ଆସି ଝୁରନ୍ତି ସାଙ୍ଗ ମାନଙ୍କୁ । ଓଡ଼ିଶାରେ ଥାଇ ଘାରି ହୁଅନ୍ତି ପୁଅ ବୋହୂ ନାତୁଣୀଙ୍କ ପାଇଁ । ସବୁ ପରିସ୍ଥିତି ସହ ସାଲିସ କରି ଶିଖିଥିବା ଦୀନବନ୍ଧୁଙ୍କ ପାଖରେ ନିଜ ମନ ଖୋଲି ଦିଅନ୍ତି ସାବିତ୍ରୀ । ଦୀନବନ୍ଧୁ ଖୁବ ସୁନ୍ଦର ଭାବରେ ବୁଝାଇ ଦିଅନ୍ତି । ଏମିତି ଜୀବନକୁ ବୁଝିଥିବା ମଣିଷ ଜଣେ, ବୁଝାଇପାରୁଥିବା ସାଥିଟିଏ ହାତ ଛାଡି ଚାଲିଗଲାପରେ ଖୁବ ବେଶୀ ନିଃସଙ୍ଗ ହୋଇପଡିଥିଲେ ସାବିତ୍ରୀ । ଦେବବ୍ରତ, ଅଳକାଙ୍କ ସହିତ ମୁମ୍ବାଇ ଆସିଛନ୍ତି । ମହାନଗରୀର ଚଳଣୀରେ ନିଜକୁ ମିଶାଇ ନେବାର ଚେଷ୍ଟାରେ ସେ ।
ତିନିମାସ ହୋଉଗଲାଣି ଏ ଭିତରେ । ନାତୁଣୀ ଆମେରିକାରେ । ପୁଅବୋହୂ ଦୁହେଁ ଚାକିରିଆ । ସେମାନେ ତାଙ୍କ ଅଫିସ କାମ ନେଇ ବ୍ୟସ୍ତ । ଉଭୟେ ଖୁବ ସ୍ନେହୀ । ସାବିତ୍ରୀଙ୍କୁ ଖୁସି ରଖିବାପାଇଁ ସବୁବେଳେ ଚେଷ୍ଟାରେ ଥାନ୍ତି । ସାବିତ୍ରୀ ସନ୍ଧ୍ୟାରେ କ୍ୟାମ୍ପସ୍ ଭିତରେ ଚାଲିବାକୁ ଯାଆନ୍ତି । ଲିଫ୍ଟ ରେ ଯିବାଆସିବା କରିବା ଶିଖି ଗଲେଣି । ପ୍ରଥମେ ପ୍ରଥମେ ଡର ଲାଗୁଥିଲା । ଲିଫ୍ଟ ଭିତରେ ବନ୍ଦ ହୋଇ ରହିଯିବେନି ତ !!!!ଦୀନବନ୍ଧୁଙ୍କ ସଂଗେ ଯିବାଆସିବା ବେଳେ କେତେଥର ଦୀନବନ୍ଧୁଙ୍କୁ ଚମକେଇ ଦେବା ପାଇଁ ଲିଫ୍ଟ ଚଳେଇଥିଲେ । ଏବେ କିନ୍ତୁ ଆଉ ଡର ଲାଗେନି । ସ୍ୱଚ୍ଛନ୍ଦରେ ଲିଫ୍ଟରେ ଯିବା ଆସିବା କରନ୍ତି ସେ । ଦେବବ୍ରତ ନଅ ମହଲାରେ ରୁହେ । ଘର ନମ୍ବର ନଅ ଶହ ବା’ସ୍ତରୀ । ଠିକ ତାଙ୍କ ଘର ତଳକୁ ତଳ ପାଞ୍ଚ ମହଲା ତଳେ ଚାରିଶହ ବା’ସ୍ତରୀ । କିନ୍ତୁ, କିଏ ରହନ୍ତି ସେଠି ????
ଦେବବ୍ରତ ପାଖରେ ମୁମ୍ବାଇରେ ସବୁଦିନ ରହିବା ପାଇଁ ଆସିଯାଇଥିଲେ ସାବିତ୍ରୀ । ପ୍ରଥମ ଦିନ କେତୋଟି ଘର ଭିତରେ ହିଁ କାଟି ଥିଲେ ସେ । ବାହାରକୁ ଯାଉଥିଲେ କେବେ କେବେ ଅଳକା ବା ଦେବବ୍ରତଙ୍କ ସାଙ୍ଗରେ । କେବେ କେବେ ତିନିଜଣ ଯାକ ସାଙ୍ଗ ହୋଇ ବାହାରକୁ ଯାଉଥିଲେ । କାହିଁକି କେଜାଣି ଭାରି ଏକୁଟିଆ ଲାଗିଥିଲା ଦିନେ । ଯିବେ ନ ଯିବେ ହୋଇ ଏକାଏକା ଚାଲିଯାଇଥିଲେ ତଳକୁ । ସୁନ୍ଦର ଲନ ଟିରେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସିବସି ଚାରିପଟର ଫୁଲ ଗଛ ଗୁଡିକୁ ଦେଖୁଥିଲେ । ଦେଖୁଥିଲେ ଲନ ଆରପଟେ ଛୋଟ ଖେଳପଡ଼ିଆଟିରେ ଖେଳୁଥିବା କୁନିକୁନି ପିଲାମାନଙ୍କୁ । ଭଲ ଲାଗୁଥିଲା । ସେତିକି ବେଳେ ଦୃଷ୍ଟି ପଡିଲା ତାଙ୍କ ଉପରେ । ସୁନ୍ଦର ଗୋରା ପତଳା ଚେହେରା । ଆଣ୍ଠୁ ଉପରକୁ ପିନ୍ଧିଥିବା କଳାସ୍କର୍ଟ ଆଉ ଫୁଲ୍ ହାତର ପିଆଜ ରଙ୍ଗର ସେଇ ସାର୍ଟଟିରେ ଭାରି ସମ୍ଭାନ୍ତ ଲାଗୁଥିଲେ ସେ । ସାବିତ୍ରୀ ବସିଥିବା ସିମେଣ୍ଟ ବେଞ୍ଚରେ ଆସି ବସିଲେ । ମୁଣ୍ଡ ହଲାଇ ଆଖିରେ ଆଖିରେ ସମ୍ଭାଷଣ ପରେ ଦୁହେଁ ବସିଥିଲେ ଚୁପ ଚାପ ବେଶ୍ କିଛି ସମୟ । ସାବିତ୍ରୀଙ୍କୁ କାହିଁକି କେଜାଣି ଖୁବ ଭଲ ଲାଗୁଥିଲା ତାଙ୍କ ଉପସ୍ଥିତି । ତା’ପର ଦିନ ସନ୍ଧ୍ୟାରେ ବି ସାବିତ୍ରୀ ତଳକୁ ଗଲେ ଏକାଏକା । ବସିଲେ ସେ ସିମେଣ୍ଟ ବେଞ୍ଚ ରେ, ମନେମନେ ଖୋଜି ହେଲେ ତାଙ୍କୁ । ସେ ଆସିଥିଲେ । ଏଥର ଖୁବ କମ୍ ଶବ୍ଦ ରେ ସାବିତ୍ରୀ ଭାବ ବିନିମୟ କଲେ । ପାର୍ସୀ ଭଦ୍ର ମହିଳା କେବଳ ଇଂରାଜୀ ରେ କଥା ହୁଅନ୍ତି । ଖଣ୍ଡି ଖଣ୍ଡି ଇଂରାଜୀରେ ସାମାନ୍ୟ ଭାବ ବିନିମୟ ହୁଏ । ଏତେ ବେଶୀ କଥାବାର୍ତ୍ତା ନ ହେଉଥିବା ସତ୍ତ୍ୱେ ସାବିତ୍ରୀ ଖୁବ ଅନ୍ତରଙ୍ଗ ବାନ୍ଧବୀଟିଏ ପାଇଗଲା ପରି ଉତ୍ତଫୁଲ୍ଲ ହୁଅନ୍ତି । ଦେବବ୍ରତ, ଅଳକା ଖୁସି ହୁଅନ୍ତି ତାଙ୍କର ନୂଆ ବାନ୍ଧବୀଟି ପାଇଁ । ଦେବବ୍ରତ ମଜାରେ ପଚାରନ୍ତି, “ବୋଉ, କେମିତି ଅଛନ୍ତି ତୋର ମିସେସ ଦାରୁୱାଲା??” ସାବିତ୍ରୀ ବି ଆଜିକାଲି ତାଙ୍କ ବିଷୟରେ ପୁଅବୋହୂ ଙ୍କ ଆଗରେ କହିଲା ବେଳେ ଖୁବ ସାବଲୀଳ ଭାବରେ ମିସେସ ଦାରୁୱାଲା ହିଁ କହିଥାନ୍ତି । ସେଇ ତିନି ଜଣ ଙ୍କ ପାଇଁ ତାଙ୍କ ନାଁ ମିସେସ ଦାରୁୱାଲା ।
ଦେଖାହେଉଥିଲା ସନ୍ଧ୍ୟାରେ ତା ପରଠୁ । ପରିଚୟ ର ଆଦାନ ପ୍ରଦାନ ହୋଇ ନଥିଲା । ନାଁ ଧରି ଡାକିବାର ଆବଶ୍ୟକତା ନଥିଲା । ସମ୍ପର୍କ ଗଢିବା ପାଇଁ ଭାଷା ନୁହେଁ, ଭାବ ହିଁ ଯଥେଷ୍ଟ ଥିଲା । ଆଖିରେ ଆଖିରେ ପରସ୍ପରର କୁଶଳ ପଚାରିବା ପରେ ଏକାଠି କିଛି ସମୟ କଟେ । ତାଙ୍କ ସହିତ ସେଇ କେତୋଟି ମୁହୂର୍ତ୍ତ ପାଇଁ ସାବିତ୍ରୀ ଅପେକ୍ଷା ରଖନ୍ତି । ମୁମ୍ବାଇ ରହଣୀକୁ ନେଇ ମନରେ ଆଉ ଅବସାଦ ରହେନି । ସବୁକିଛି ଭଲ ଲାଗି ଆସୁଥିବା ସମୟରେ ହିଁ ଆସିଥିଲା କରୋନାର ଭୟ । ଏଇ ଭୟଙ୍କର ଭୁତାଣୁ କବଳରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ଏକାନ୍ତବାସ । ଦୋକାନ ବଜାର ସବୁ ବନ୍ଦ । ବାହାରକୁ ବାହାରିଲେ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା । ଅଫିସ ବନ୍ଦ । ଘରେ ରହି ଅଫିସ କରିବାକୁ ହୁଏ ପୁଅବୋହୂଙ୍କୁ । ଚାକରାଣୀ କାମ କରିବାକୁ ଆସେନି । ଅଳକାକୁ ବହୁତ ପରିଶ୍ରମ କରିବାକୁ ହୁଏ । ସାବିତ୍ରୀ ଆଜିକାଲି ରୋଷେଇ କାମରେ କିଛି କିଛି ସାହାଯ୍ୟ କଲେଣି । ଦେବବ୍ରତବି ସାହାଯ୍ୟର ହାତ ବଢ଼ାଏ ।
ସକାଳ ଜଳଖିଆ ଟେବୁଲ ଉପରେ ରଖିଦେଇ ଅଳକା ବାଲକୋନିରୁ ଫୁଲ ତୋଳି ଆଣିଥିଲା ସାବିତ୍ରୀଙ୍କ ପାଇଁ । ତୁଳସୀ ବି । ସାବିତ୍ରୀ ପୂଜା ଘରେ ଭଗବାନଙ୍କୁ ତୁଳସୀ ଚଢ଼େଇଲା ବେଳେ ବି ଅନ୍ୟମନସ୍କ ହୋଇ ଯାଉଥିଲେ । କେଜାଣି କାହାକୁ କରୋନା ଆକ୍ରାନ୍ତ କଲା ?? କିଏ ସେ ଚାରିଶହ ବା’ସ୍ତରୀ ରେ??? ଭଗବାନଙ୍କୁ ସମସ୍ତଙ୍କ ପାଇଁ ବିକଳ ହୋଇ ଡାକିଥିଲେ ଆଜି । ସତରେ ଭାରି ଡର ଲାଗୁଛି । ଯେତେ ବୁଝାଇଲେ ମନ କଣ ବୁଝୁଛି !!!
ପୂଜାଘରୁ ବାହାରି ପୁଣି ପଚାରିଲେ ସାବିତ୍ରୀ ।”ଚାରିଶହ ବାସ୍ତରୀ କିଏ ଜାଣିଲ କି???”ପୁଣି ଗୁଣୁ ଗୁଣୁ ହୋଇ କହିଲେ “ଆମ ସେଠା ହୋଇଥିଲେ ଆଖପାଖ ସମସ୍ତେ ଜାଣନ୍ତେଣି । ଏ ମହନଗରୀ ରେ ପାଖ ଘରେ କିଏ ଅଛି ବି ଜାଣି ହେଉନି !!”!!! ଟିକେ ଦୁଃଖୀ ଦୁଃଖୀ ଲାଗୁଥିଲେ ।
ଅଳକା ତାଙ୍କୁ ଅପେକ୍ଷା କରିଛି । ଦେବବ୍ରତ ଖାଇ ସାରିଲାଣି । ଦାଣ୍ଡ କବାଟ ମେଲା ଅଛି । “ଦେବବ୍ରତ ତଳକୁ ଯାଇଛି କି??” ପଚାରିଲେ ସାବିତ୍ରୀ । ଆଜିକାଲି ଦରକାରୀ ଜିନିଷ ଅନ-ଲାଇନ ରେ ଅର୍ଡର କରାହେଉଛି । ସେ ପୁଣି ତଳେ ଆଣି ରଖି ଦେଉଛନ୍ତି, ସେଠୁ ଯାଇ ଆଣି ଆସିଲେ ହାତକୁ କୋଡିଏ ସେକେଣ୍ଡ ସାବୁନରେ ଧୁଆ ହେବ । ଜିନିଷ ପତ୍ରକୁ ଅଲଗା କରି ରଖାହେବ । କି ରୋଗ ଇଏ ଆସିଛି । ସାବିତ୍ରୀ ନିଜ ମନର ବ୍ୟଗ୍ରତାକୁ ନିଜ ଭିତରେ ଚାପି ରଖନ୍ତି । ପିଲାମାନଙ୍କ ବ୍ୟସ୍ତତା ବଢ଼େଇବାକୁ ବିବେକ ଚାହେଁନି । ନାତୁଣୀ ଆମେରିକାରେ । ଏତେ ଉନ୍ନତ ଦେଶ ହୋଇବି ମହାମାରୀ କରୋନା ର ପଞ୍ଝା ଭିତରେ କିଂ କର୍ତଵ୍ୟବିମୁଢ ହୋଇ ପଡିଛନ୍ତି ସେଠି ସମସ୍ତେ । । ଛୋଟ ପିଲାଟି ପାଇଁ ଛଟପଟ ହେଉଛି ମନ । ଏଇ ରୋଗରେ ବୟସ୍କଙ୍କ ପାଇଁ ଭୟର ସମ୍ଭାବନା ବେଶୀ ଜାଣି ସୁଦ୍ଧା ପୁଅବୋହୂଙ୍କ ପାଇଁ, ନାତୁଣୀ ପାଇଁ ମନ ଘାଣ୍ଟି ହେଉଛି । ସାବିତ୍ରୀ ଚେଷ୍ଟା କରି ମଧ୍ୟ ସହଜ ହୋଇପାରୁ ନ ଥିଲେ । ଆଜି ଜଳଖିଆରେ ଉପମା, ସମ୍ବର । ସାବିତ୍ରୀ ଉପମା କଳେ ପାଟିରେ ଜାକି ନେଇ ସମ୍ବରକୁ ଘାଣ୍ଟୁଥିଲେ ଚାମଚରେ । ତୁହାଇ ତୁହାଇ ମନ ଭିତରକୁ ପଶି ଆସୁଥିଲା ସେଇ ଗୋଟିଏ କଥା ‘ଚାରିଶହ ବା’ସ୍ତରୀ ରେ କିଏ ଯେ ସେ ? ଘରେ ତାଙ୍କର ଆଉ କିଏ କିଏ ଅଛନ୍ତି କେଜାଣି?? ସତରେ କଣ ତାଙ୍କର କରୋନା ପଜିଟିଭ ବାହାରିବ । କଣ ହେବ ତାହେଲେ ???’ କେତେ କେତେ ନକରାତ୍ମକ ଚିନ୍ତାରେ ଘାଣ୍ଟି ହେଉଥିଲା ମନ । ଭଗବାନଙ୍କୁ ହାତ ଯୋଡି ଗୁହାରୀ ଜଣାଉଥିଲା ବେଳେ ମିସେସ ଦାରୁୱାଲାଙ୍କ ମୁହଁଟି ବି ଆଖି ଆଗରେ ନାଚି ଉଠୁଥିଲା । ‘ନା ନା, ଭଲରେ ଥା’ନ୍ତୁ ସେ’ । ଅଳକାକୁ କହିଲେ, “ଆଲୋ, ଯିଏ ଖବର ଦେଲେ ପଚାରିଲୁନି ତାଙ୍କୁ ଚାରିଶହ ବା’ସ୍ତରୀ ରେ କିଏ ସେ ସେ?”
ଦେବବ୍ରତ ଦୁଆର ଖୋଲି ପଶି ଆସିଲେ । କହିଲେ, “ବୋଉ, ସିକ୍ୟୁରିଟି ପାଖରୁ ଶୁଣିଲି ମିସେସ ଜରିନ ଜରିୱାଲା ଅସୁସ୍ଥ ହୋଇ ପଡିଛନ୍ତି । ଆମ୍ବୁଲାନ୍ସରେ ତାଙ୍କୁ ହିଁ ଡାକ୍ତରଖାନା ନେଇଛନ୍ତି ।“ … ତାଙ୍କ ପାଟିରୁ କଥା ନସରୁଣୁ ସାବିତ୍ରୀ ଆତଙ୍କିତ ସ୍ୱରରେ କହିଲେ, “ସେ କିଏ କିରେ??”
-“ସେ ଆମର ସେଇ ମିସେସ ଦାରୁୱାଲା” ।
-“ଓହୋ, ତାଙ୍କର ତ ଏଠି କେହି ନାହାନ୍ତି କହୁଥିଲେ। କିଏ ତାଙ୍କ କଥା ବୁଝିବ । ଏ ମହନଗରୀ ରେ କିଏ କାହାର ?”
-“ତୁ ବ୍ୟସ୍ତ ହୋନା ବୋଉ, ସେଇ ଆମ ଘର ତଳ ମହଲାରେ କଡ଼ ପଟକୁ ଥିବା ଆଠ ଶହ କୋଡିଏ, ଲକ ଡ଼ାଉନ ହେବା ଦିନରୁ କୁଆଡେ ତାଙ୍କର ସେବା କରିବାରେ ଲାଗି ପଡିଥିଲା । ତଳୁ ତାଙ୍କ ପାଇଁ ସବୁ ଜିନିଷ ତାଙ୍କ ଘରେ ପହଞ୍ଚାଇ ଦେଉଥିଲା । ତାଙ୍କ ପାଇଁ ଔଷଧ ପତ୍ର ବି କିଣି ଆଣୁଥିଲା । ” ସମ୍ବର ଗିନାକୁ ମୁହଁ ଲଗେଇ ପିଉଥିବାବେଳେ ଅଳକା ଟିକେ ଆଶ୍ଚର୍ଯ୍ୟ ସ୍ୱରରେ କହିଲେ, “କାହା କଥା କହୁଛ??? ସେଇ ପିଲାଟା, କେମିତି କେଜାଣି ଅନ୍ୟମନସ୍କ ଥାଏ ସବୁବେଳେ । ଭାରି ରାଉଡି ରାଉଡି ଲାଗେ ।”
-“ହଁ, କାନରେ ସବୁବେଳେ ଇଅର୍ ଫୋନ୍ ଲାଗିଥାଏ । ଟିକେ ବେପରୁୱା ଲାଗେ ।” ଦେବବ୍ରତ ଅଳକାକୁ ସମର୍ଥନ କରି କଥା ଯୋଡିଥିଲେ ।
ସାବିତ୍ରୀ କହିଲେ, “କାହା କଥା କହୁଛୁ କିରେ ??? ସେଇ ଝାଂପୁରା କଥା କହୁଛୁ କି??” ହସିଲେ ଦେବବ୍ରତ । “ହଁ, ତୋର ସେଇ ଝାଂପୁରା । ଆଠ ଶହ କୋଡିଏ ରେ ରହେ । ଆପର୍ଟମେଂଟରେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କର ସୁଖଦୁଃଖ ବୁଝୁଥିଲା ଏଇ ଲକଡାଉନ ସମୟରେ।”
-“ଆମେ ସବୁ କେବଳ ଆମ କଥା ବୁଝୁଥିଲୁ ଆଉ ସେ ଅନ୍ୟ ମାନଙ୍କ ପାଇଁ ଭାବୁଥିଲା । ସେଇ ଆଠ ଶହ କୋଡିଏ ପାଇଁ ଜରିନ ଜରିୱାଲା ଠିକ ସମୟରେ ଡାକ୍ତରଖାନା ଯାଇପାରିଲେ । ହୁଏତ ତାଙ୍କର କରୋନା ନେଗେଟିଭ ବାହାରିବ, ଆଉ ସେ ଭଲରେ ଭଲରେ ଘରକୁ ଫେରି ଆସିବେ” । ଦେବବ୍ରତ କହିଥିଲେ ଆଉ ସାବିତ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ହାତଯୋଡି ଥିଲେ ମୁଣ୍ଡରେ । ଗୁଣୁ ଗୁଣୁ ହୋଇ କହୁଥିଲେ “ଆଠ ଶହ କୋଡିଏର ସେ ଝାମ୍ପୁରାଟିକୁ ଆଶିଷ ଦିଅ ପ୍ରଭୁ । ଛୁଆଟିକୁ ଘଣ୍ଟ ଘୋଡେଇ ରଖିଥାଅ କାଳିଆ ଠାକୁର ।”
-“ବୋଉ ତାକୁ ଝାଂପୁରା ନାଁ ଦେଇଛନ୍ତି” । ଅଳକା ହସିହସି ଦେବବ୍ରତଙ୍କୁ ଏକଥା କହିବା ସମୟରେ ମୋବାଇଲରୁ ଆପର୍ଟମେଂଟର ସେ ହ୍ଵାଟ୍ସ୍ଆପ ଗ୍ରୁପ୍ ରେ ଆଠ ଶହ କୋଡିଏ ଜାଗାରେ ଝାଂପୁରା ସେଭ୍ କରିଦେଲା ଆଉ ମିସେସ ଦାରୁୱାଲା ଙ୍କୁ– ଜଲଦି ଠିକ ହୋଇ ଫେରିଆସ, ଆମେ ତୁମକୁ ଅପେକ୍ଷା ରଖିଛୁ — ଲେଖି ପଠେଇଦେଲା । ସାବିତ୍ରୀ ତାଙ୍କ ପାଖରେ ବସିଥିବା ଅଳକାର ମୋବାଇଲର କୁନି ପରଦାଟି ଉପରେ ଆଖି ରଖିଥିଲେ । ଚାରିଶହ ବା’ସ୍ତରୀ ଜାଗାରେ ଦାରୁୱାଲା ଲେଖା ଥିଲା ଆଉ ତା’ ପାଖକୁ ହସ ମୁହଁ ଟିଏ ଯୋଡି ଲେଖିଥିଲା ଅଳକା । ସେଇ ନମ୍ବରରେ ମେସେଜ୍ ପଠେଇ ସାରିବା ପରେ ଦାରୁୱାଲାକୁ ବାହାର କରିଦେଇ ଲେଖିଦେଲା ଜରିନା, ଆଉ ପାଖକୁ ଯୋଡ଼ିଦେଲା ନମସ୍କାର ଟିଏ । ଆଖି ଓଦା ହୋଇ ଆସିଲା ଅଳକାର । ଶାଢ଼ୀ କାନିରେ ଲୁହ ପୋଛିଲେ ସାବିତ୍ରୀ ।
(ଜାନୁୟାରୀ ୩, ୨୦୨୧ ‘ଗେଟୱେ ଓଡ଼ିଶା’ରେ ପ୍ରକାଶିତ)
****
A story, worth reading. Effect of the pandemic on the society has been nicely portrayed with precision. The story is bound to get appreciation of numerous Odia readers across the globe.
LikeLike
Thank you for your inspiring comment.
LikeLike