କାନ୍ଧ

(କରୋନା କାହାଣୀ – ୩)

“ଆଉ ମାତ୍ର ଆଠଟି ପାହାଚ । ତା’ ପରେ ଆମେ ଛାତ ଉପରେ ପହଂଚି ଯିବା । ଭଲ ଲାଗିବ ତୁମକୁ” । ଦୁଇମାସ ହୋଇଗଲାଣି ଏ ଭିତରେ ।  ଲକ ଡ଼ାଉନ ଚାଲିଛି । କରୋନା ନାମକ ସେଇ ଅଦୃଶ୍ୟ ଭୁତାଣୁଟିର ଆବିର୍ଭାବ ଖିନ୍ ଭିନ୍ କରିଦେଇଛି ଆମ ସମସ୍ତଙ୍କର ସହଜ, ସାମାନ୍ୟ ଜୀବନକୁ । ଭୁତାଣୁଟିଠାରୁ ନିଜକୁ ରକ୍ଷା କରିବାର ଏକମାତ୍ର ଉପାୟ ଗୃହବନ୍ଦୀ ହୋଇ ରହିବା । ଦୁଇ ମାସ ହେଲାଣି ଆମେ ସମସ୍ତେ ନିଜକୁ ବନ୍ଦ କରିଦେଇଛୁ ଘର ଭିତରେ । ଅତି ଆବଶ୍ୟକ ନ ପଡିଲେ ବହାରକୁ ନ ବାହାରିବାର ଶୃଙ୍ଖଳରେ ବାନ୍ଧି ନେଇଛୁ ନିଜକୁ । ପ୍ରତିଦିନ ବାହାରେ କିଛି ସମୟ ବୁଲି ଆସିଲେ ଭଲ ଲାଗେ ମାଆଙ୍କୁ ।  ସେମିତି ଘେରାଏ ବାହାରେ ବୁଲିବାକୁ ଯିବା ପାଇଁ ଡାକ୍ତର ସବୁବେଳେ ପରାମର୍ଶ ଦେଇ ଆସିଛନ୍ତି ତାଙ୍କୁ । କେହି ସାଙ୍ଗରେ ନ ଥିଲେ ଏକା ଏକା ଘର ସାମ୍ନା ରାସ୍ତାରେ ଏପଟ ସେପଟ ହୋଇ ବୁଲି ଆସନ୍ତି ସେ । ଆମ ଆପର୍ଟମେଂଟର ସାମ୍ନା ରାସ୍ତାଟିରେ କାଁ ଭାଁ ଗାଡି ଗୋଟେ ଗୋଟେ ଯାଏ । ଭାରି ଶାନ୍ତ ଶାନ୍ତ ଲାଗେ ଜାଗାଟି । ମାଆଙ୍କ ସଂଗେ ମୁଁ ବି ବୁଲି ଆସେ ଘେରାଏ ବାହାରେ । ଯେଉଁ ଦିନ କିଛି କାମରେ ବ୍ୟସ୍ତ ଥାଏ, ମାଆଙ୍କୁ ସାଥି ଦେଇ ପାରେନି, ସେଦିନ ମାଆ ଘରକୁ ନ ଫେରିଲା ଯାଏଁ ମୁଁ ଅସ୍ଥିର ହୁଏ । ମାଆ ଫେରିଲା ପରେ ହସନ୍ତି । କହନ୍ତି, “ମୁଁ କଣ ଛୋଟ ଛୁଆ ହୋଇଛି, ହଜିଯିବି”?
          ଆଜିକୁ ଦୁଇ ମାସହୋଇଗଲା ଲକ୍ ଡାଉନ୍ ଘୋଷଣା କରାଯାଇଛି ପ୍ରଶାସନ ତରଫରୁ । ଘର ଭିତରେ ରହିବାକୁ ହେବ ସମସ୍ତଙ୍କୁ । ବାହାରକୁ ବାହାରିଲେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ । ଦୁଇମାସର ଲକ୍ ଡାଉନ୍ ଆଗକୁ ବଢିବାର ସମ୍ଭାବନା ଅଛି । ଚୀନରୁ ବାହାରି କରୋନା ନାମକ ସେଇ ଭୟଙ୍କର ଭୁତାଣୁଟି ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଲାଣି । ସେଇ ଭୁତାଣୁଟି କବଳରୁ ନିଜକୁ ସୁରକ୍ଷିତ ରଖିବାର ଆଉ କିଛି ଉପାୟ ବି ତ ନାହିଁ । ମାଆ ଭାରି ଅନ୍ୟମନସ୍କ ଲାଗୁଥିଲେ ପ୍ରଥମ ଦିନ ଗୁଡିକରେ । ବାରମ୍ବାର ଟେଲିଭିଜନ୍ ଖୋଲି  ଦେଶ ଦୁନିଆଁର ଖବର ଦେଖି ନେବାକୁ, ଶୁଣି ନେବାକୁ ଚାଂହୁଁଥିଲେ । ସେଇସବୁ ଖବର ଶୁଣିବା ଭିତରେ ଭୁତାଣୁଟି ପାଖରୁ ସେ ଓ ତାଙ୍କ ପରିବାର ଯେ ନିରାପଦ ଅଛନ୍ତି, ଏଭଳି ଆଶ୍ୱାସନାଟିଏରେ ନିଜକୁ ବୁଝେଇ ଦେବା ପରେ ମଧ୍ୟ ଭାରି ଗୁମ୍ ସୁମ୍ ଲାଗୁଥିଲେ ସେ । ନିକିତା, ନିବେଦିତା ସୁଦୂର ଆମେରିକାରେ । ନିକିତାର ୟୁନିଭରସିଟି ତାକୁ ଘରୁ କାମ କରିବାର ସୁଯୋଗ ଦେଇଛି । ତା’ର ରିସର୍ଚ୍ଚ କାମକୁ ନେଇ ସେ ବ୍ୟସ୍ତ । ନିବେଦିତା  ଘରୁ କାମ କରୁଛି । ଜୋଇଁ ସିଦ୍ଧାର୍ଥ, କୁନି ଝିଅ ଲାଡଲିକୁ ନେଇ ତା’ର ଛୋଟ ସଂସାର । ସିଦ୍ଧାର୍ଥଙ୍କର କମ୍ପାନୀ ଉପରେ କରୋନା ଭୁତାଣୁର ପ୍ରହାର ବେଶୀ ମାତ୍ରାରେ ଅନୁଭୂତ ହେଉଛି । ଟ୍ରାଭେଲ ଟୁରିଯିମକୁ ନେଇ ବେଶ୍ ପ୍ରତିଷ୍ଠିତ କମ୍ପାନୀ ତାଙ୍କର । ସିଦ୍ଧାର୍ଥ ଅତିମାତ୍ରାରେ ବିଚଳିତ ହୋଇ ପଡିଛନ୍ତି । ନିବେଦିତା ଯେତେ ଚେଷ୍ଟା କଲେ ମଧ୍ୟ ତା’ ମନର ବ୍ୟସ୍ତତା ବେଳେବେଳେ ଖୋଲି ଯାଉଛି ବାପାମାଆଙ୍କ ଆଗରେ । ଆମେ ମାଆଙ୍କ ପାଖରୁ ଯଥାସମ୍ଭବ ଘୋଡେଇ ରଖିଛୁ ନିବେଦିତାର ବ୍ୟସ୍ତତା । କରୋନା ଭୁତାଣୁଟି ଆମେରିକା ପରି ବଳଶାଳୀ ଦେଶଟିକୁ ପଙ୍ଗୁ କରିଦେବାରେ ଲାଗି ପଡିଛି, ଏଇଭଳି ଖବର ମାଆଙ୍କୁ ଅଜଣା ନାହିଁ । ‘ଆମ ପିଲାମାନେ ଭଲ ଅଛନ୍ତି, ଭଲ ରହିବେ’ କହି ତାଙ୍କୁ ବୁଝାଇ ପାରୁନୁ ଆମେ ।
        “ବୋଧହୁଏ ସିଦ୍ଧାର୍ଥଙ୍କ ଅଫିସ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ଲକ୍ ଡାଉନ୍ ହୋଇଯିବ” – ନିବେଦିତାର ବିଚଳିତ ସ୍ୱର ତୁହାଇ ତୁହାଇ କାନରେ ବାଜୁଥିଲା । ସକାଳେ ଫୋନରେ ନିବେଦିତା ନିଜକୁ ଲୁଚେଇବାରେ ଅସଫଳ ହୋଇ କହି ପକାଇଥିବା ସେଇ କଥା କେଇପଦ ଭାରାକ୍ରାନ୍ତ କରିଥିଲା ମତେ । ଆମେ ସମସ୍ତେ ନିଜ ନିଜ ବ୍ୟସ୍ତତାକୁ ନିଜ ଭିତରେ ସାଉଁଟି ରଖିବାର ବ୍ୟର୍ଥ ପ୍ରୟାସ କରି ଚାଲିଥିଲୁ ଏଇ କେଇଦିନ ହେଲା । ବୋଧହୁଏ ଆଜି ନିବେଦିତା  ଆଉ ଲୁଚେଇ ପାରି ନ ଥିଲା ନିଜକୁ । ଦେବବ୍ରତ କେତେ ସୁନ୍ଦର ଭାବରେ ବୁଝେଇଦେଲେ ନିବେଦିତାକୁ । କେତେ ଆଶ୍ୱସ୍ତ ଲାଗୁଥିଲା ନିବେଦିତା ଫୋନ ରଖିବା ବେଳକୁ । ବୋଧହୁଏ, ସିଦ୍ଧାର୍ଥଙ୍କୁ ସମ୍ଭାଳି ନେବାପାଇଁ ପର୍ଯ୍ୟାପ୍ତ ମାନସିକତା ଗୋଟେଇ ନେଇଥିଲା ସେ ଦେବବ୍ରତଙ୍କ ପାଖରୁ । ସାମାନ୍ୟ ଆଶ୍ୱସ୍ତ ମତେ ବି ଲାଗିଥିଲା ସେଇ ସମୟରେ । ପରେ ପରେ ଦେବବ୍ରତ ଅଫିସ କାମରେ ଲାଗିଗଲେ, ଆଉ ମୁଁ ଘର କାମରେ । ମାଆ ବି ଆଜି ବହୁତ ସମୟ ପୂଜା ଘରେ କଟେଇଥିଲେ । ନିବେଦିତାର ବ୍ୟସ୍ତତା, ଆମର ଚହଲି ଯାଉଥିବା ଆଶଙ୍କିତ ମନ, ମାଆଙ୍କ ପାଖରୁ ଲୁଚେଇ ରଖିବାର ପ୍ରୟାସ କରୁଥିଲି ମୁଁ । ଖାଇବା ଟେବଲରେ ଥାଇ, ସନ୍ଧ୍ୟାରେ ଛାତ ଉପରେ ଘେରାଏ ବୁଲି ଆସିବା କଥା ଶୁଣି, ମାଆ ଟିକେ ଖୁସି ଲାଗୁଥିଲେ ।
          ଦଶ-ବାରଟି ପାହାଚ ଚଢ଼ି ଗଲେଣି ମାଆ । ଆଉ ମାତ୍ର ଆଠଟି ପାହାଚ । ଆପର୍ଟମେଂଟର ଶେଷ ମହଲା ପର୍ଯ୍ୟନ୍ତ ଲିଫ୍ଟ ବନ୍ଦୋବସ୍ତ ଅଛି । ତା’ପରେ ଛାତ ଉପରକୁ ଲମ୍ବି ଯାଇଛି ଧାଡିଏ ପାହାଚ । “ମାଆ, ଚଢିପାରିବ ଏତେ ଗୁଡ଼ାଏ ପାହାଚ??” ପ୍ରଥମ ଦୁଇଟି ପାହାଚ ଚଢିବା ପରେ ମୁଁ ଟିକେ ନିରୁତ୍ସାହିତ ହୋଇ ପଚାରିଥିଲି ମାଆଙ୍କୁ । ବୋଧହୁଏ ମନର ଚଞ୍ଚଳତା ଶବ୍ଦ ହୋଇ ବାହାରି ଆସିଥିଲା ପାଟିରୁ । ମାଆ କିନ୍ତୁ ବେଶ ଦୃଢ଼ ସ୍ୱରରେ କହିଲେ “ହଁ, ମତେ କିଛି ଅସୁବିଧା ଲାଗୁନି ତ” । ଟିକେ ବିଶ୍ରାମ ନେଇ ମାଆ ପୁଣି ଉପର ପାହାଚକୁ ଚଢ଼ିଗଲେ । ଧୀରେ ଧୀରେ ଆମେ ଦୁହେଁ ଛାତ ଉପରକୁ ଆସିଗଲୁ । ମାଆ ଭାରି ଖୁସି ଲାଗୁଥିଲେ । ଖୋଲା ପବନରେ ମତେ ବି ଭାରି ଭଲ ଲାଗୁଥିଲା । ସାରା ଦିନର ଅବସାଦ ଦୁରେଇ ଯାଇଥିଲା । ଛାତ ଉପରେ ଘେରାଏ ବୁଲି ଆସିଲା ବେଳକୁ ସୀମରନ ପହଁଚିଲା ତା ଚାରି ବର୍ଷର ଝିଅକୁ ସାଥିରେ ନେଇ । ଟ୍ଵିଙ୍କଲ୍ ହାତରେ ସବୁଜ ରଙ୍ଗର ପ୍ଲାଷ୍ଟିକ ବଲଟିଏ ଧରିଥିଲା । ଆମକୁ ଦେଖି ମାଆ ଝିଅ ଦୁହେଁ ଖୁସି ଦେଖା ଯାଉଥିଲେ । ଆମ ପରି ସେମାନେ ବି ମୁହଁରେ ମାସ୍କ ପିନ୍ଧିଥିଲେ । ବେଶ୍ ଦୂରତାରେ ଠିଆହୋଇ ମୁଁ କିଛି ସମୟ କଥା ହେଲି ସୀମରାନ ସହ । ମାଆ ଧୀରେ ଧୀରେ ଏପଟ ସେପଟ ବୁଲୁଥିଲେ । ଟ୍ଵିଙ୍କଲ୍ ବଲ୍ ଗଡେଇ ଗଡେଇ ଦୌଡୁଥିଲା ଛାତର ଅନତି କଣରେ । ସୀମରନକୁ ତାର ପେଣ୍ଟିଂ କଥା ପଚାରିଥିଲି । ଖୁବ ଆଗ୍ରହରେ ଏବେ ଏବେ ଶେଷ କରିଥିବା ପେଣ୍ଟିଂ ବିଷୟରେ ବେଶ୍ କିଛି କହିଲା ସେ । ମୋବାଇଲ୍ ଖୋଲି ସେଇ ନୂଆ ପେଣ୍ଟିଂର ଫଟୋ ଟିଏ ବି ଦେଖାଇଲା । ଖୁବ ସୁନ୍ଦର ହୋଇଛି ପେଣ୍ଟିଂଟି । ଅସହାୟ ଦିଶୁଥିବା ବୃଦ୍ଧା ମାଆଟିଏକୁ କୋଳେଇ ନେଇ ଥିବା ଝିଅଟିଏ ବା ବୋହୂଟିଏର ଚିତ୍ର । ଭଲ ଲାଗିଲା ମତେ । ଭଲ ଲାଗିଲା ମାଆଙ୍କୁ ବି । ମୁହଁରେ ତାଙ୍କର ସନ୍ତୋଷ ସ୍ପଷ୍ଟ ପଢି ହେଉଥିଲା । ଆଗାମୀ ପିଢୀକୁ ନେଇ ସକାରାତ୍ମକ ଚିନ୍ତାଟିଏ ତୁଳୀ ମୁନରେ ସୃଷ୍ଟି କରିଥିବା ସୀମରନ ପାଇଁ ଆଶୀର୍ବାଦ ଝରି ଆସିଥିଲା ତାଙ୍କ ଆଖିରୁ ।
         ବେଶ ଦୂରତା ରଖି କଥା ହେଉଥିବା ସମୟରେ ହିଁ ଟ୍ଵିଙ୍କଲ୍ ର ବଲଟି ଗଡି ଆସିଥିଲା ମାଆଙ୍କ ନିକଟକୁ । ମାଆ ନଇଁ ପଡ଼ି ଉଠେଇଥିଲେ ବଲଟିକୁ  । ଟ୍ଵିଙ୍କଲ୍ ଦୌଡ଼ି ଆସିଲା ମାଆଙ୍କ ପାଖକୁ । ମାଆ ଜାକି ଧରିବାକୁ ଯାଉଥିଲେ ତାକୁ । ବିଜୁଳି ବେଗରେ ଆସି ଟାଣିନେଲା ଝିଅକୁ ସୀମରନ । ମୁହୂର୍ତ୍ତକ ମଧ୍ୟରେ ଏସବୁ ଘଟିଗଲା ।  କଣ ହେଲା ସୀମରନର ? ଟିକିଏ ଅପମାନିତ ଅନୁଭବ କଲେ ମାଆ, ବୋଧହୁଏ । ସୀମରନର ହାତରୁ ଖସି ଦୌଡ଼ି ଚାଲିଗଲା ଟ୍ଵିଙ୍କଲ୍ । ଆଉ ତା’ ପଛେ ପଛେ ସୀମରନ । ମାଆଙ୍କର ତା’ ଝିଅକୁ କୋଳେଇ ନେବାର ସମ୍ଭାବନାରେ ହିଁ ବ୍ୟସ୍ତ ହୋଇ ପଡିଥିଲା ସେ । ହଠାତ ତା’ ବ୍ୟବହାରରେ ଅପ୍ରାକୃତିକତା ଲକ୍ଷ୍ୟ କରିଥିଲି । ମାଆ ତର ତର ହେଲେ ଘରକୁ ଆସିବା ପାଇଁ । ସୀମରନକୁ କିଛି କହିପାରି ନ ଥିଲି । ମାଆଙ୍କ ସହ ଫେରି ଆସିଥିଲି ଘରକୁ । “କି  ରୋଗ ଇଏ ଆସିଛି ଯେ ଆମେ ପରସ୍ପର ଠାରୁ ଦୂରେଇ ଯାଉଛେ” – ପାହାଚରେ ଓହ୍ଳେଇବା ସମୟରେ ମାଆ କହିଲେ । ଟିକେ ବିଚଳିତ ଲାଗୁଥିଲେ ସେ; ମୁଁ ବି । ନିଜକୁ ବୁଝେଇଥିଲି ମନେମନେ ଆଉ ପ୍ରକାଶ୍ୟରେ ମାଆଙ୍କୁ କହିଥିଲି,  “ମାନସିକ ଉଦବେଗତା ଏଇ କଠିନ ସମୟରେ ବିଚଳିତ କରୁଛି ମଣିଷଙ୍କୁ” ।
       ଦେବବ୍ରତ ଅଫିସ କାମ ସାରି ସୋଫା ଉପରେ ବସିଥିଲେ । କଫି ସହିତ ମାଆଙ୍କ ମନପସନ୍ଦ ଜୀରା ଵିସ୍କିଟ୍ ନେଇ ଆମେ ତିନିଜଣ ଏକାଠି ବସିଲୁ । ଶବ୍ଦ କରି ବାଜିଉଠିଲା ମୋବାଇଲ ଫୋନଟି । ସୀମରନ ଫୋନ କରିଥିଲା । ଫୋନ ଧରି ବାଲକୋନିକୁ ଚାଲି  ଯାଇଥିଲି ମୁଁ । “ସରି ଅଳକା, କିଏ ଜାଣେ, କିଏ ଏଇ ଭୁତାଣୁ ଟିକୁ ଧରି ବୁଲୁଛି । ଆମେ ପରସ୍ପରଠାରୁ ଦୂରରେ ରହିବା ନିହାତି ଜରୁରୀ । ଟ୍ଵିଙ୍କଲ୍ ସମସ୍ତଙ୍କ ପାଖକୁ ପଳଉଛି । ଆଣ୍ଟି ଖରାପ ଭାବିଥିବେ । କାହିଁକି କେଜାଣି ସେ ମୁହୂର୍ତ୍ତରେ ମୁଁ ଟିକେ ଆବନର୍ମାଲ ବିହେଭ୍ କରିଦେଲି । ସବୁକଥା ତ କହି ହୁଏନି ଅଳକା । ତୁମେ ତ ଜାଣିଛ ଆମର ବଡ଼ ପରିବାର । ଏବେ ଏଇ ଲକ୍ ଡାଉନ୍ ସମୟରେ ସମସ୍ତେ ଘରେ । ଶାଶୁ, ଶ୍ୱଶୁର, ଦିଅର । କାମବାଲୀ ଆସୁନି । ବଡ ପୁଅର ଅନ୍ ଲାଇନ୍ କ୍ଲାସ ଚାଲିଛି । ବେଳେବେଳେ ଭାରି କଷ୍ଟ ହେଉଛି ମତେ । ଟ୍ଵିଙ୍କଲ୍ କୁ ନେଇ ବୁଲେଇ ଆଣିବା ବାହାନାରେ ଛାତ ଉପରେ ଘେରାଏ ବୁଲି ଆସୁଛି ମୁଁ ମଝିରେ ମଝିରେ । ତୁମେ ମୋର ପେଣ୍ଟିଂ ଦେଖି ଏତେ ଖୁସି ହେଲ, ଆଉ ମୁଁ ଆଣ୍ଟି ଙ୍କୁ …..”।

ଆଲ୍ଲାହବାଦର ଝିଅ ସୀମରନ । ଏମିତିରେ ଭାରି ଭଦ୍ର ଆଉ କୋମଳ ।  ଟିକିଏ ଆଗରୁ ସକାରାତ୍ମକ ଚିତ୍ର ଟିଏ ତୋଳିଧରିଥିବା ସୀମରନ ସ୍ୱରରେ ଅସ୍ୱାଭାବିକ ଗମ୍ଭୀରତା ଲକ୍ଷ୍ୟ କରିଥିଲି । କହିଲି, “ନାଇଁ ରେ କିଛି ଭାବିନି ମୁଁ । ମାଆଙ୍କୁ ବି ବୁଝେଇଦେବି । ଏ ଭୁତାଣୁଟି ପାଇଁ ଆମର ଏଭଳି ମାନସିକ ଚଞ୍ଚଳତା ସ୍ୱାଭାବିକ । ସମୟ ସବୁ ଠିକ କରିଦେବ । ଆଉ କିଛି ଦିନ ଆମକୁ ଅପେକ୍ଷା କରିବାକୁ ହେବ । ହୁଏତ ଟିକେ ଲମ୍ବା ଏ ଅପେକ୍ଷାର ସମୟ । ପୁଣି ଆମେ ଏକାଠି ହେବା, ପୁଣି ମାଆଙ୍କ ପାଖରେ ଗେହ୍ଳା ହେବ ଟ୍ଵିଙ୍କଲ୍” । ମୋ କଥା ଶୁଣି ସୀମରନ ଆଶ୍ୱସ୍ତ ହୋଇଥିବ ବୋଧେ । ସେମିତି ମନେ ହୋଇଥିଲା ମତେ ।  ଫୋନ ରଖିଦେଇ ମାଆଙ୍କ ପାଖରେ ବସିଲି । ଦେବବ୍ରତ ଆଉ ମାଆ ନିବେଦିତା ବିଷୟରେ କଥା ହେଉଥିଲେ । ଲାଡ଼ଲିକୁ ମନେ ପକାଉଥିଲେ ମାଆ ।  ମୁଁ ପାଖରେ ବସିଗଲା ପରେ କହିଲେ, “ସୀମରନ ଭଲ ଝିଅ ଟିଏ । ଏଇ ଭୁତାଣୁଟି ପାଖରୁ ପରସ୍ପରକୁ ରକ୍ଷା କରିବା ପାଇଁ ପରସ୍ପର ଠାରୁ ଦୂରେଇ ରହିବା ଜରୁରୀ । କୁନି ଝିଅଟି ତା’ର ହଇରାଣ କରିପକାଉଛି ତା’କୁ” । ମାଆ ସୀମରନର ବ୍ୟବହାରକୁ ନେଇ ସହଜ ହୋଇ ସାରିଥିଲେ । ମୁଁ ଆଶ୍ୱସ୍ତ ଅନୁଭବ କରୁଥିଲି । ନିବେଦିତା କଥା ହୋଇଥିଲା ଆଉ ଟିକିଏ ଆଗରୁ । ସିଦ୍ଧାର୍ଥଙ୍କର ଚାକିରୀ କଟିଯାଇଛି । ବୋଧହୁଏ ତାଙ୍କୁ ଭାରତ ଫେରି ଆସିବାକୁ ହେବ । ମାଆଙ୍କ ଆଗରେହିଁ ଦେବବ୍ରତ କହିଲେ ମତେ । ଦେବବ୍ରତ ବୋଧହୁଏ ସବୁ କହି ସାରିଲେଣି ମାଆଙ୍କୁ । ତାଙ୍କ କଥା ନ ସରୁଣୁ ମାଆ କହିଲେ “କିଛି ଅସୁବିଧା ନାହିଁ । ଏତେ ବଡ ବିପଦ ସାରା ଦୁନିଆଁକୁ କବଳିତ କରି ବସିଛି । ଏଇ ସବୁ ଛୋଟ ଛୋଟ ଅସୁବିଧା ତା’ ଆଗରେ କିଛି ବି ନୁହେଁ । ଖୁବ ଶୀଘ୍ର  ସବୁକିଛି ସଜାଡି ହୋଇଯିବ । ଆମେ ଜିତିବା । ବିଶ୍ୱ ମହାମାରୀକୁ ପରାସ୍ତ କରି ଆମେ ପୁଣି ହସିବା” । ଆଜିଯାଏଁ ଦୁର୍ବଳ ମନେ ହେଊଥିବା ମାଆଙ୍କ ସ୍ୱରରେ ଅପର୍ଯ୍ୟାପ୍ତ ଦୃଢତା ପରିଲକ୍ଷିତ ହେଉଥିଲା । ଦେବବ୍ରତ ଆଉ ମୁଁ ବୋଧହୁଏ ନିଜକୁ ସମ୍ଭାଳି ନେବାପାଇଁ ସେ ସମୟରେ ଏମିତି ଦୃଢ଼ ମନୋବଳଟିଏ କାହା ପାଖରୁ ଆଶା କରୁଥିଲୁ । ମାଆଙ୍କ ପାଖକୁ ଲାଗିଆସିଲୁ ଆମେ  । ତାଙ୍କର ପ୍ରଲମ୍ବିତ ବାହୁବନ୍ଧନ ଭିତରେ ପଶିଯାଇ କାନ୍ଧକୁ ତାଙ୍କର ଆଉଜି ପଡିଥିଲୁ ଦୁହେଁ ….. 

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s