ରାଜକୁମାରୀ

ଚାଳ ସନ୍ଧିରୁ ଖଣ୍ଡିଆ ବିଡ଼ିଟା କାଢି ନିଆଁ ଲଗେଇଲା ବେଳେ କେମିତି ଗୋଟାଏ ବିରକ୍ତିକର ଫୁଁ ଫୁଁ କାର ଶୁଣା ଯାଉଥିଲା ଅପର୍ତ୍ତି ମୁହଁରୁ । ଏବେ ବି ସେ ଗୁଣୁଗୁଣୁ ହେଉଛି । ଗାଳି ଦେଉଛି ପାରୁକୁ । ଗାଳି ଦେଉଛି ସକାଳୁ ଉଠିଲା ବେଳୁ । ଦଶ ବର୍ଷର ଝିଅ ପାରୁ ତା’ର ଖଣ୍ଡିଆ ଚିରା ଫ୍ରକରେ ହାତ ପୋଛୁ ପୋଛୁ ନୂଆଁଣିଆ ଚାଳଟି  ଧରି ଠିଆ ହୋଇଛି । ଅପର୍ତ୍ତିର ଗୁଣୁଗୁଣୁ ଗାଳି ତା’ର କାନରେ  ପଡୁଛି କି ନାହିଁ କେଜାଣି? ପଡୁଥିଲେ ବି ସେ କ’ଣ  କରିବ, ରାଜକୁମାରୀର ଝଲମଲ ଜାମାଟା ତିଆରି ହେବା ଦିନରୁ ତ  ସେ ଲୋଭେଇଥିଲା । କାଲି ବା’ ଜାମାଟା ସମ୍ପୂର୍ଣ୍ଣ କରି ଟଙ୍ଗେଇ ଥିଲା ଚାଳରେ ବାଡି ଢେର ଦେଇ । ପାରୁ ଜାମାଟିକୁ ଦେହରେ ଗଳେଇନି, ଖାଲି ଦେହକୁ ଲଗେଇ ଚାପିଥିଲା ଟିକେ, ବା’ କେଉଁଠି ଥିଲା କେଜାଣି, ଚିଲ ପରି ଝାମ୍ପି ନେଇଥିଲା ଜାମାଟା । ତା‘ପରେ ଯେଉଁ ମାଡ଼! ପାରୁକୁ ସେ ମାଡ଼ ବିଶେଷ କଷ୍ଟ ଦେଇ ନଥିଲା, କଷ୍ଟ ଦେଇଥିଲା ତା’ର ସେଇ ଛିଗୁଲିଆ କଥା କେଇପଦ,

– ‘ଛତରଖାଇ! ରାଜା ଝିଅ ସପନ ଦେଖୁଛି । ମାଟି ଘଡ଼ିରେ ଭାତ ଦି’ ମୁଠା ମିଳିଲେ ଢେର୍ । ସୁନାଗରା ସପନଉଛି’ ।

କାହିଁକି କେଜାଣି ବା’ ର ଗାଳି ପାରୁକୁ ମାଡ଼ ଠାରୁବି ବେଶୀ କଷ୍ଟ ଦେଇଥିଲା । ବା’ ଟା ବି ବେଶୀ ଚିଡି ଚିଡା ହେଇ ଯାଇଛି ଏଇ କେତେଦିନ ହେଲା । ପାରୁ ବୁଝି ପାରୁ ନ ଥିଲା ସପନ ଦେଖିବା କ’ଣ ଖରାପ ? ସପନରେ ତ ସିଏ କେତେ କଣ ଦେଖେ । କେବେ ଅନେକ ସୁଆଦିଆ ଖାଇବା ଜିନିଷ, ଯାହା ସବୁ ଦୋକାନରେ ଦେଖିଥାଏ ନାଲି ନେଳି କାଚ ଡବାରେ । ଛୁଇଁ ପାରିବାର ସାମର୍ଥ୍ୟ ନଥାଏ । ସ୍ଵପ୍ନରେତ ପୂରା ବୋତଲ ବୋତଲ ସୁଆଦିଆ ଜିନିଷ ଖାଏ ସେ । କେବେ କେବେ ସ୍ଵପ୍ନରେ ଚଢେଇ ପରି ଉଡେ । ଦୂରରେ, ଦୂର ଆକାଶରେ । ଭାରି ହାଲୁକା ଲାଗେ ସେତେବେଳେ । ମନହୁଏ ସେମିତି ଉଡୁଥାନ୍ତା । ଡେଣା ଥକି ଯାଆନ୍ତାନି । ପବନରେ ହଲିହଲି ଝୁଲିଝୁଲି ଭାସୁଥାନ୍ତା ନୀଳ ଆକାଶରେ । ଏମିତି ଦିନେ ବେଶ ମଜାରେ ଉଡୁଥିଲା ବେଳେ (ହେଉପଛେ ସପନରେ) ବା ‘ ଝିଙ୍କି ଦେଲା ଯେ ତଳେ ପଡିଲା ସେ ଦୁମ୍  କରି । ସେଦିନ ନିଦରୁ ଉଠି ଢେର ବେଳ ଯାଏଁ କାନ୍ଦିଥିଲା ଏକାନ୍ତରେ । ବା’ର ଗାଳି, ଗରଗର ମୁହଁଫୁଲା ସବୁ ଅଭ୍ୟାସରେ ପଡ଼ିଗଲାଣି ଆଜିକାଲି । ତଥାପି କାହିଁକି କେଜାଣି ଆଜି ଗାଳିଟା ଖୁବ ବାଧିଲା ପାରୁକୁ । ସକାଳୁ ସକାଳୁ ମନଟା ଖରାପ ହୋଇଗଲା ତା’ର  । ପାରୁ ଦୁମ୍ ଦୁମ୍  କରି ଘର ଭିତରେ ପଶିଗଲା । ଅପର୍ତ୍ତି ତା’ର  ଜରି ଧଡି, ଚୁମକି ଧରି ବାକିଆ  କାମ ଶେଷ କରିବାରେ ମନ ଦେଲା । ଆଜି ସନ୍ଧ୍ୟା ସୁଦ୍ଧା କାମ ଶେଷ କରିବାକୁ ହେବ । ରାଜା, ରାଣୀ, ରାଜକୁମାରୀ ସବୁ ପୋଷାକ ସେ ଶେଷ କରିଛି, ବାକି ଅଛି ଖାଲି ରାଜକୁମାରୀ  ପୋଷାକଟି । ଆଜି ସାରିଦେଲେ ବାବୁ କାଲି ସକାଳେ ଆସି ନେଇଯିବେ ପୋଷାକ ଗୁଡା । ଆଉ ଦୁଇଦିନ ପରେ ଯାତ୍ରା ଆରମ୍ଭ । ଆଖପାଖ ଦଶ ଖଣ୍ଡ ଗାଁର ଯାତ୍ରା ପୋଷାକ ତିଆରି କରିବା ଦାୟୀତ୍ଵ ସେ ଓ ତାଙ୍କ ଗାଁର ଦଶ ବାର ଖଣ୍ଡି ଘର ନିଅନ୍ତି । ଅପର୍ତ୍ତିର ହାତରେ ସତେକି ଯାଦୁ ଅଛି । ଭାରି ନାମ ଡାକ ତା’ର ।  ଭାରି ସୁନ୍ଦର ସଜେଇ ବୁଜେଇ  ତିଆରି କରେ ସେ ପୋଷାକ ଗୁଡିକୁ । ପାରୁ ଚୁଲି ଲଗେଇ ଭାତ ବସେଇଲା । ଅପର୍ତ୍ତିର ହାତ ତିଆରି ପୋଷାକରେ ପାରୁ ଚୁମକି ବସାଏ । ଅପର୍ତ୍ତିର ଆଖିକୁ ଆଜିକାଲି ଟିକେ କମ ଦିଶୁଛି । ପାରୁ ମାଆ ସନାତନ ସହିତ ଚାଲିଗଲା ପରେ ଅପର୍ତ୍ତି ଦିନାକେତେ ଅପମାନ ପାଶୋରି ଯିବାପାଇଁ ରାତିଦିନ କାମକଲା । ତା’ର ପରିଣାମ ସଦୃଶ ଆଖି ଦି’ଟା ଜାଲୁଆ ହୋଇଗଲା ।

ପାରୁ ମାଆ ଉପରେ ଖୁବ ରାଗେ । କୋଉ ସୁଖରେ ଅଛି ମାଆ ସେଠି ଯେ ?? ଦିନରାତି ମୂଲ ଲାଗୁଛି । ବକଟେ ଛୁଆ ଜଗୁକୁ ନେଇ ଯାଇଥିଲା ଯେ, ଜଗୁ ଏବେ ତିନି ଚାରି ବର୍ଷର ହେଲାଣି । ନାଳ ପଙ୍କ ବୋଳି ହୋଇ ଖେଳୁଥିବ । ତାକୁ ଦେଖିବାକୁ କାହାର ବେଳ ନାହିଁ । ପାରୁ ବେଳେବେଳେ ଆକଟ କରେ ତା’କୁ । ଆର ସାହିରେ ତ ସେମାନେ ରହନ୍ତି । ପାରୁ ଖରବେଳିଆ ରୁଟି ପଟେ କି ମୁଢି ପୋଷେ ନେଇ ଜଗୁକୁ ଦେଖିବାକୁ ଯାଏ । ତା’ ହାତ ଧରି ଗଛ ମୂଳେ ବସି ନେଇ ଯାଇଥିବା ଖାଇବା ତା’  ପାଟିରେ ଦିଏ । ଜଗୁ ଯେମିତି ବାଟ ଚାହିଁ ବସିଥାଏ – ତା’ର  ମାଆ ଯଦି କେବେ ଦେଖି ଦିଏ ନ ଦେଖିଲା ପରି ନିଜେ ହିଁ ଆଡ ହୋଇ ଚାଲିଯାଏ । ଅପର୍ତ୍ତି କି ପାରୁ ମୁହଁକୁ ଚାହିଁ ପାରେନି ସିଏ । କି ଲୋଭରେ ସେମାନଙ୍କୁ ଛାଡି ଆସିଥିଲା କେଜାଣି ? ଫେରିଯିବା ପାଇଁ ତ ବାଟ ନାହିଁ । ସନାତନ ବି ବାଡାଏ ପ୍ରତିଦିନ । ରିକ୍ସା ଟାଣିବାକୁ ଯାଏ ଦିନଯାକ । ରାତିକୁ ମଦ ପିଇ ଆସି ପିଟିଦେଇ ଯାଏ । କେମିତି ଗୋଟେ ଅପମାନ ବୋଧରେ ଚୁପ ରହିଯାଏ ମାଆ । କାହାକୁ କିଛି କହି ପାରେନି । ପାରୁ ତା’ ମାଆକୁ ଇଚ୍ଛା କରି ବି ଭଲ ପାଇ ପାରେନି । କ’ଣ ପାଇଁ ବା ଭଲ ପାଇବ ମାଆକୁ? ତା’କୁ ସେ ଦେଇଛି କ’ଣ? ବରଂ ମାଆ ଚାଲିଗଲା ପରେ ବା’ ତା’ର ବେଶୀ ଚିଡଚିଡ଼ା ହୋଇ ଯାଇଛି ।

ପାରୁ ଭାତ ରାନ୍ଧି ପଖାଳିଲା । ବଡ ବଡ ପିଆଜ ଖଣ୍ଡ ସାଙ୍ଗରେ ଲୁଣ ଲଙ୍କା ମଡେଇ କଂସେ ପଖାଳ ଖାଇ ନେଲା । ବା’କୁ କିଛି ନକହି ବାହାରି ଗଲା ଆର ସାହିକୁ । ଆଜି ସାରା ଦିନ ସେ ଜଗୁ ସାଙ୍ଗରେ ଖେଳିବ । ବା’କୁ ଚୁମକି ବସେଇବାରେ ସାହାଯ୍ୟ କରିବନି ଆଦୌ । ଅପର୍ତ୍ତି କାମରେ ମନ ଦେଇଛି । ପାରୁ ଚାଲିଗଲା ପରେ ବିଭିନ୍ନ କାମରେ ପାରୁକୁ ଡାକ ପକେଇଛି । ଗାଳି ଦେଇଛି ଖୁବ ।

– କୁଆଡେ ବୁଲି ଚାଲିଗଲେ ମହାରାଣୀ । ଆଜି ଆସୁ ,ତାକୁ ଦେଉଛି ।

ପାରୁ ରାତିରେ ଫେରିଲା । କନ୍ଥା ଘୋଡ଼େଇ ହୋଇ ଶୋଇପଡ଼ିଲା ଚୁପଚାପ । ଅପର୍ତ୍ତି କାମ ସାରି ଭାତ ଖାଇଲା । ଡାକିଲେବି ପାରୁ ଉଠିଲାନି । ଆଜି ଅଭିମାନ କରିଛି ପାରୁ । ଏମିତି ତ ପ୍ରତିଦିନ ଗାଳିଦିଏ ସେ ପାରୁକୁ । ନହୁନୁହାଣ କରି ମାରେ ବେଳେବେଳେ । ଆଜି କ’ଣ ହୋଇଗଲା? ପାରୁକୁ ଖୁବ ବାଧିଛି ଆଜି । ରାଜକୁମାରୀର ଜାମାଟା ଖାଲି ଛୁଇଁ ଦେଇଥିଲା ଟିକେ । ବା’ ଏତେ କଥା କହିଲା । ପାରୁ ମନେମନେ ଘୋଷି ହେଉଥିଲା, ‘ଆଜି ଖାଇବିନି ରାତିସାରା । ସେମିତି ଶୋଇବି’ । ସତକୁ ସତ ଶୋଇପଡ଼ିଲା ସେ ।

– ‘ଯାତ୍ରା ଦେଖିବାକୁ ଯିବୁନି କି’?

ଅପର୍ତ୍ତି ଗେହ୍ଲା କରି ପଚାରୁଥିଲା । ଏମିତି ସବୁବେଳେ କରେ ସେ । ଯାତ୍ରାର କାହାଣୀ କ’ଣ ଅପର୍ତ୍ତି ବୁଝେନି । ତା’ ହାତ ତିଆରି ପୋଷାକ କାହାକୁ କେମିତି ମାନୁଥିଲା ସେଇଆ ଦେଖିବ ବୋଲି ଯାତ୍ରା ଦିନତକ ରାତି ଅନିଦ୍ରା ହୋଇ ବସିରହେ ସେ ଯାତ୍ରା ପଡିଆରେ । ସବୁଦିନ ଯାତ୍ରାରୁ ଫେରି ପାରୁକୁ ପଚାରେ,

– ‘ରାଜା ପୋଷାକଟା  ଆଉ ଟିକେ ଲମ୍ବା ହୋଇଥା’ନ୍ତାକି’ ?

– ‘ରାଜକୁମାରୀର ବେକ ପାଖରେ ବଡ ଗୋଟାଏ ଦର୍ପଣ ଲଗେଇଦେବା ଆସନ୍ତା ଥରକୁ’ ।

– ପାରୁ କହେ ‘ନାଇଁ ତ ବା’ । ଭାରି ସୁନ୍ଦର ଦିଶୁଥିଲେ ସମସ୍ତେ । ସବୁଲୋକ ତ ସେଇଆ କଥାବାର୍ତ୍ତା ହେଉଥିଲେ’ ।

– ‘କ’ଣ କହୁଥିଲେ ସମସ୍ତେ? ତୁ ସେ ପୋଷାକ ପିନ୍ଧା ଘର ପାଖକୁ କାଲି ଯିବୁ ତ । କିଏ କ’ଣ କହୁଛି ଶୁଣିବୁ’ ।

ପାରୁ ପୋଷାକ ର ପ୍ରଶଂସା କରେ । ଅପର୍ତ୍ତି ଖୁସି ହୁଏ । ଏଥର କିନ୍ତୁ ପାରୁ ମୁହଁ ଫୁଲେଇଲା – ‘ମୁଁ  ଯିବିନି । ତୁ ମତେ ସବୁବେଳେ ଗାଳି ଦେଉଛୁ । ମୁଁ ଏଥର ଯାତ୍ରା ଦେଖି ଯିବିନି’ ।

ଅପର୍ତ୍ତି ସାକୁଲେଇଲା ‘ମୋ ମାଆ ଟା ପରା । ସୁନା ଚାନ୍ଦଟା । ଆଉ ପାଞ୍ଚ ଟଙ୍କା  ଅଧିକା ଦେବି ଏଥର । କାନଫୁଲ କିଣିବୁ’ । ପାରୁ ଦୁମ ଦୁମ ଚାଲିଲା । ଅପର୍ତ୍ତି ପଇସା କିଛି କାଢି ଗୁଞ୍ଜି ଦେଲା ତା’ ହାତରେ । – ‘ମୋ ଧନଟା ପରା, ସିଧା ଚାଲିଯିବୁ ପୋଷାକ ପିନ୍ଧା ଘର ପାଖକୁ ଏଥର । କିଏ କ’ଣ କହୁଛି ଶୁଣିଆସି ମତେ କହିବୁ । ବୁଝିଲୁ’?

ପାରୁ ପୋଷାକ ପିନ୍ଧା ଘର ପାଖରେ ଯାଇ ଠିଆହେଲା । ତା’ ବା’ର ହାତ ତିଆରି ପୋଷାକ ପିନ୍ଧି ସେମାନେ କହୁଥିବା କଥା ଗୁଡିକ ମନ ଭିତରେ ଟିପି ରଖିବାକୁ ଚେଷ୍ଟା କରିବ ସେ । କିନ୍ତୁ ଆଜି କାହିଁକି ସମସ୍ତେ ଚୁପ ଚାପ । ବ୍ୟତିବ୍ୟସ୍ତ ଲାଗୁଥିଲେ । ରାଜକୁମାରୀ ହେବାକୁ ଥିବା କୁନି ଝିଅଟିର ଦେହ ଭଲ ନାହିଁ ରାତିରୁ ଝାଡା ବାନ୍ତି । ସେ ପାର୍ଟଟା  କରିବ କିଏ? ହଠାତ ମାଲିକର ଆଖି ପଡିଗଲା ପାରୁ ଉପରେ, – ‘ଆସିଲୁ ଆସିଲୁ, ଭିତରକୁ’ ।

ପାରୁ ସଙ୍କୁଚିତା ହେଲା । ଅନେକ ଡକାହକା ପରେ ସନ୍ତର୍ପଣରେ ଠିଆହେଲା ପାଖରେ ଯାଇ ।

‘ତୁ ରାଜକୁମାରୀ ହେବୁ? ବାସ୍  ଖାଲି ଦୁଇ ଧାଡ଼ି କଥା । ପାଞ୍ଚ ମିନିଟ୍ ଲାଗିବ ଶିଖିବାକୁ’ । ପାରୁ ଉତ୍ତେଜନା ରେ ଥରୁଥିଲା । କ’ଣ  ଉତ୍ତର ଦେବ ବୁଝିପାରୁନଥିଲା ।

– ‘ହଁ ,ହଁ ପାରିବୁ ତୁ’ ।

ତା’ ଉତ୍ତରକୁ ଅପେକ୍ଷା ନ କରି ରାଜକୁମାରୀ ପୋଷାକଟି ନେଇ ତରତର ହୋଇ ଭିତର ଘରକୁ ଟାଣିନେଲେ ପାରୁକୁ କେହିଜଣେ । ଭିତର ଘରେ ମଣିଷ ଉଚ୍ଚା ଦର୍ପଣ ଆଗରେ ରାଜା, ରାଣୀ ଆପଣା ଆପଣା ସାଜସଜ୍ଜାରେ ବ୍ୟସ୍ତ । ପାରୁର ଚିରା ଫ୍ରକ୍ ଟିକୁ କାଢିନେଇ ରାଜକୁମାରୀର ଝଲ୍ ମଲ୍ ପୋଷାକଟି ପିନ୍ଧେଇଦେବା ପରେ ଦର୍ପଣ ଆଗରେ ପଡିଥିବା ଷ୍ଟୁଲ୍  ଉପରେ ବସିଥିବା ଲୋକଟି ପାରୁକୁ ଟାଣିନେଇ ସାମ୍ନା ଛୋଟ ଷ୍ଟୁଲ୍ ରେ ବସେଇ ଦେଇ ତରତରରେ ସଜେଇବାରେ ଲାଗିଗଲା ତାକୁ । ସାମ୍ନାର ସେଇ ବିରାଟ ଦର୍ପଣ ଭିତରେ ପାରୁ ଖୋଜିବାକୁ ଚେଷ୍ଟା କରୁଥିଲା ତା’ ନିଜକୁ । ଉତ୍ତେଜନାରେ ଥରୁଥିଲା ତା’ର ହାତ, ପାଦ ଅଧର ସବୁକିଛି । ଯେଉଁ ଜାମାଟିକୁ ଟିକେ ଛୁଇଁ ଦେଇଥିଲା ବୋଲି ବା’ ତା’ର କେତେ କଟୁ କଥା କହିଥିଲା, ସେଇ ରାଜକୁମାରୀ ପୋଷାକ ପିନ୍ଧି ସେ ରାଜକୁମାରୀ ହୋଇଛି । ପାରୁ କ’ଣ କରିବ, କେମିତି ଠିଆ ହେବ ଏତେ ଲୋକଙ୍କ ଆଗରେ? ତା’ ବା’ ଆଗରେ । ତା’ ବା’ କ’ଣ ତାକୁ ଚିହ୍ନି ପାରିବ? ଚିହ୍ନି ପାରିଲେ ଗାଳି ଦେବନି ତ? ମାରିବନି ତ?

ମଞ୍ଚ ଉପରେ ପାରୁ କେବଳ ଚାହିଁ ଥିଲା ତା’ ବା’ ଆଡେ । ଭୟରେ, ସଙ୍କୋଚରେ, ସନ୍ତର୍ପଣରେ । ଅସହାୟ ଭାବରେ ଚାହିଁ ଥିଲା କେବଳ । ମହାରାଣୀ ତାଙ୍କ ଉକ୍ତିରେ ଭାଷା ଯୋଡ଼ିଲେ – ‘ଆ, ଆ ମାଆ! ମୋ କୋଳକୁ ଆ । କାହାକୁ ଚାହିଁ ରହିଛୁ ସେଠି? କ’ଣ ଭାବୁଛୁ ଏତେ? ପ୍ରାଣର ପିତୁଳା ମୋର । ଆ …..’

ପାରୁ ଥରୁଥିଲା । ଥରୁଥିଲା ଖୁବ ଜୋରରେ । ମନେପକେଇବାକୁ ଚେଷ୍ଟା କରୁଥିଲା ସେଇ ଦୁଇ ଧାଡ଼ି, ଯୋଉ ଧାଡ଼ି ଯୋଡିକ କହି ଚାପି ଧରିବ ସେ ମାଆକୁ । ଏମିତି ଚାପି ଧରିବ ଯେ ତାକୁ ଚାହିଁ ରହିଥିବା ଲୋକ ମାନଙ୍କ ଆଖିରୁ ଝରି ପଡିବ ଲୁହ ଧାରଧାର, ଯେମିତି ଝରି ପଡିଥିଲା ତା’ ପୂର୍ବ ଦିନ ରାତିରେ ତା’ ନିଜ ଆଖିରୁ !

(୧୯୯୭ ପୂଜାସଂଖ୍ୟା ‘ସୁଚରିତା’ରେ ପ୍ରକାଶିତ)

****

One thought on “ରାଜକୁମାରୀ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s