ଏଇ କମ୍ପାନୀରେ ଛଅ ମାସ ହେବ ଯୋଗ ଦେଇଛି ନିକିତା । ନିଜକୁ ଦକ୍ଷ ପ୍ରମାଣିତ କରିବାର ସୁଯୋଗ ହାତଛଡା କରିବାକୁ ଚାହେଁନି ସେ । ସେଥିପାଇଁ ଅଧିକ ପରିଶ୍ରମ କରିବାରେ କାର୍ପଣ୍ୟ କରେନି । କ୍ଲାନ୍ତ ଲାଗୁଥିଲା । ଭୋକ ବି କରୁଥିଲା ଖୁବ୍ । ନୂଆ ଅଫିସ୍ ରେ ଦୁଇ ମାସ କାମ କରିବା ପରେ ହିଁ କରୋନା ଭୂତାଣୁର ପ୍ରକୋପ ଆରମ୍ଭ ହୋଇ ଯାଇଥିଲା ଭାରତରେ । ବିଦେଶରେ ତାଣ୍ଡବ ରଚୁଥିବା ଅଦୃଶ୍ୟ ଭୁତାଣୁଟି ଯେ ଖୁବ ଶୀଘ୍ର ଭାରତରେ ପହଂଚିଯିବ, ଆଉ ତା’ କବଳରୁ ବଂଚିବାକୁ ଯାଇ ଗୃହବନ୍ଦୀ ହୋଇ ରହିବାକୁ ହେବ, ଏମିତି ଚିନ୍ତା କରି ପାରି ନ ଥିଲେ କେହି ସେତେବେଳେ । ଗୃହବନ୍ଦୀ ହୋଇ ରହିବା ସହିତ ସାରା ଦିନ ଅଫିସର କାମ । ରୋଷେଇ ସହ ଘରର ସବୁ କାମ ମଧ୍ୟ ନିଜକୁ କରିବାକୁ ହୁଏ । ନିକିତା ସିଦ୍ଧାର୍ଥର ସାହାଯ୍ୟକୁ ଅପେକ୍ଷା ନ କରି କାମ କରିଯାଏ ।
ସିଦ୍ଧାର୍ଥ ଆଉ ନିକିତାଙ୍କର ବାହାଘର ସାତମାସ ହୋଇଛି । ବ୍ୟବସ୍ଥିତ ବିବାହ ତାଙ୍କର । ବାହାଘର ପୂର୍ବରୁ ପାଞ୍ଚ ମାସ ପ୍ରତିଦିନ ଫୋନରେ କଥା ହେଉଥିଲେ ସେମାନେ । ନିକିତାକୁ ଦେଖା କରିବାକୁ ଦୁଇ ଥର ସିଦ୍ଧାର୍ଥ ଆସିଥିଲା । ଏକାଠି ଡିନର୍ କରିବାକୁ ଯାଇଥିଲେ । ପରସ୍ପରକୁ ବୁଝିବାକୁ ଚେଷ୍ଟା କରିଥିଲେ । ସେଇ ସ୍ୱଳ୍ପ ସମୟ ଭିତରେ କେତେ ବା ବୁଝିଥିଲେ? ବାହାଘର ହୋଇଗଲା । ନିକିତା ସିଦ୍ଧାର୍ଥ ରହୁଥିବା ସହରରେ ନୂଆ ଚାକିରୀରେ ଯୋଗ ଦେଇ ସିଦ୍ଧାର୍ଥ ପାଖକୁ ଚାଲି ଆସିଥିଲା । ନୂଆ ନୂଆ ଚିହ୍ନୁଥିବା ମଣିଷଟି ସହ ବଦଳି ଯାଇଥିଲା ଅଫିସର ପରିବେଶ । ନୂଆ କାମ ସହିତ ନିଜକୁ ଖାପ ଖୁଆଇ ଆସିଲା ବେଳକୁ ଏ ସବୁ ଅପ୍ରତ୍ୟାଶିତ ପରିସ୍ଥିତି ଚହଲେଇ ଦେଇଥିଲା ନିକିତାକୁ । ଅଦୃଶ୍ୟ ଭୁତଣୁଟିଏ ଖିନ୍ ଭିନ୍ କରିଦେଲା ନିତିଦିନିଆ ଚଳଚଂଚଳ ଦୁନିଆକୁ । ସିଦ୍ଧାର୍ଥ ଓ ନିକିତା ପରସ୍ପରକୁ ବୁଝିବାକୁ, ପରସ୍ପରକୁ ଚିହ୍ନିବାକୁ, ପରସ୍ପର ସହ ଘନିଷ୍ଠ ହେବାକୁ ଚେଷ୍ଟା କରୁଥିଲେ । ନିଜର ଇଚ୍ଛା, ନିଜର ପସନ୍ଦ ଅପସନ୍ଦକୁ ପ୍ରଥମ ଥର ପାଇଁ ଦେଖି ପାରୁଥିଲେ ଅନ୍ୟ ଜଣଙ୍କ ଭିତରେ । ସେଥିରେ ନ ଥିଲା ଅସ୍ଵାଭାବିକତା ।
ନିକିତାକୁ ଖୁବ ଭୋକ ହେଉଥିଲା । ଫ୍ରିଜ୍ ଖୋଲି ଦେଖିଲା ପ୍ରସ୍ତୁତ ହୋଇଥିବା ଖାଦ୍ୟ କିଛି ବି ନାହିଁ । ସିଦ୍ଧାର୍ଥ ଖାଇ ନେଇଛି ଦିନବେଳା । ଦାଣ୍ଡଘର ସୋଫା ଉପରକୁ ଗୋଡ଼ ଲମ୍ବାଇ କୋଳରେ ଲ୍ୟାପ୍ ଟପ୍ ରଖି ବସିଥିଲା ସିଦ୍ଧାର୍ଥ । ନିକିତାକୁ ଦେଖି କହିଲା, ‘ଓହୋ, ସରିଲା ତୁମ କାମ? ଚା’ ଟିକେ ବନେଇଲ । କେତେବେଳୁ ପିଇବାକୁ ଇଛା ହେଲାଣି । ଅପେକ୍ଷା କରିଥିଲି ତୁମ କାମ ସରିବାକୁ’ । ସିଦ୍ଧାର୍ଥର ଆଖି ଲ୍ୟାପ୍ ଟପ୍ ର ପରଦା ଉପରେ । ନିକିତା ଆହତ ହେଲା । ସାରା ଦିନ କାମ କରି ସେ କ୍ଲାନ୍ତ । ଚା’ ଟିକେ ପାଇଁ ତାକୁ ଅପେକ୍ଷା ରଖିଛି ସିଦ୍ଧାର୍ଥ ! ମୁହଁ ବୁଲେଇ ବାଥରୁମ୍ କୁ ଚାଲିଗଲା ନିକିତା । ପେଟର ଭୋକ ନୁହେଁ, ଏଥର ସିଦ୍ଧାର୍ଥ ଉପରେ କରିଥିବା ଅଭିମାନ ତାକୁ ଅଧିକ କ୍ଲାନ୍ତ କରି ପକାଇ ଥିଲା । ସାୱାର ତଳେ ଠିଆ ହେଲା । ଉଷୁମ ପାଣି ଝରିପଡ଼ିଲା ତା’ ଦେହ ଉପରେ, ମନ ଉପରେ ।
ଚା’ କପ୍ ଧରି ସିଦ୍ଧାର୍ଥ ଓ ନିକିତା ବସିଲେ ସୋଫାରେ । ଏଇମାତ୍ର ଶେଷ କରିଥିବା କବିତାଟି ପଢି ଶୁଣେଇବା ଆରମ୍ଭ କରିଛି ସିଦ୍ଧାର୍ଥ । ‘ଆଜି ଅଫିସ କାମ ଟିକେ କମ ଥିଲା । କବିତାଟେ ଲେଖିଛି ଶୁଣ’ – କହିଲା, ଆଉ ଆରମ୍ଭ କରିଦେଲା କବିତାଟିକୁ ଆବୃତ୍ତି କରିବାକୁ । ଟିକେ ଅନ୍ୟମନସ୍କ ହୋଇଗଲା ନିକିତା । ଖୁବ ଶୀଘ୍ର କିନ୍ତୁ ସଜାଡି ନେଲା ନିଜକୁ । କ୍ଷଣିକ ପୂର୍ବରୁ ମନଭିତରକୁ ପଶି ଆସୁଥିବା ନକରାତ୍ମକ ଭାବନାକୁ ଜୋର କରି ସାଉଁଟି ନେଲା । ଖୁବ ମନ ଦେଇ ଶୁଣିଲା କବିତାଟିକୁ । ମୁଗ୍ଧ ହେଲା । ‘ସତରେ ଖୁବ ସୁନ୍ଦର ହୋଇଛି କବିତା ଟି’ – କହିଦେଇ ଉଠିଗଲା ସେ । ସିଦ୍ଧାର୍ଥ ପାଖରେ ବସିବାକୁ ତା’ ପାଖରେ ବେଳ ନାହିଁ । ରାତି ରୋଷେଇ ସାରି ବାକିଥିବା ଅଫିସ କାମ ବି କିଛି କରିବାକୁ ହେବ ।
ନିକିତା ପାଖରୁ ଟିକେ ଅଧିକ ପ୍ରଶଂସା ଆଶା କରୁଥିଲା ସିଦ୍ଧାର୍ଥ ନିଜ କବିତାକୁ ନେଇ – ଠିକ ସେମିତି ଘର କାମରେ ସିଦ୍ଧାର୍ଥର ଆଉ ଟିକିଏ ଅଧିକ ସାହାଯ୍ୟ ଚାଂହୁଥିଲା ନିକିତା । ମନରେ ଅଭିମାନ ରଖି ଶୋଇଗଲା ସେ ।
ସକାଳର ଖରା ବିଛେଇ ହୋଇ ପଡ଼ିଥିଲା ଖଟ ଉପରେ । ସବୁଦିନ ପରି ଆଜି ବି ଡେରିରେ ଉଠିଛି ନିକିତା । ଖୁବ ସକାଳୁ ଆରମ୍ଭ ହୋଇଯାଏ ସିଦ୍ଧାର୍ଥର ଅଫିସ୍ । ଅନେକ ବେଳୁ ଉଠି ଗଲାଣି ସେ । ନିକିତା କାନ୍ଥଘଣ୍ଟାକୁ ଚାହିଁଲା, ଆଉ ଅଳସ ଭାଙ୍ଗିଲା । ସିଦ୍ଧାର୍ଥ ସହିତ ଜୀବନସାରା ଏକାଠି ରହିବ ସେ । ସୁଖଦୁଃଖ ହସଲୁହ ସବୁ ବାଣ୍ଟିନେବେ ସେ ଦୁହେଁ । ଜୀବନର ଚଲାପଥ ଏକାଠି ଚାଲିବେ ହାତ ଧରାଧରି ହୋଇ । ଶୋଇବାଘରୁ ସିଦ୍ଧାର୍ଥ ଲ୍ୟପ୍ ଟପ୍ ଉପରକୁ ଝୁଂକିପଡି କାମ କରୁଥିବାର ସ୍ପଷ୍ଟ ଦେଖିପାରୁଥିଲା ନିକିତା । ସିଦ୍ଧାର୍ଥ କହୁଥିଲା, ଏଇ କେତେଦିନ ହେବ ତା ବସ୍ ଙ୍କୁ ସନ୍ତୁଷ୍ଟ କରି ପାରୁନି ସେ । ଘରୁ କାମ କରିବା ଫଳରେ ମୁହାଁମୁହିଁ ହୋଇ ସମାଧାନ କରିହେଉଥିବା ଛୋଟ ଛୋଟ ସମସ୍ୟା ଗୁଡିକ ଅଯଥା ଜଟିଳ ହୋଇ କାମ ବଢ଼ାଉଛନ୍ତି ଓ ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି । ସେମିତି କିଛି ଅଡ଼ୁଆ ସୁତାକୁ ନେଇ ଏଇ କେଇଦିନ ହେଲା ଘାରି ହେଉଛି ସିଦ୍ଧାର୍ଥ । ନିକିତା ଦେଖୁଛି କର୍ତ୍ତବ୍ୟନିଷ୍ଠ ସିଦ୍ଧାର୍ଥକୁ । କମ୍ପାନୀ ପାଇଁ ତାର ନିଷ୍ଠାପରତା ଦେଖି ଖୁବ ଖୁସି ହୁଏ ନିକିତା । ଏତେ ସବୁ କରିବା ସତ୍ତ୍ୱେ ବି ସନ୍ତୁଷ୍ଟ କରି ପାରୁନି ସେ ତା’ ବସ୍ ଙ୍କୁ । ନିକିତା ଟିକେ ଦୁଃଖୀ ହୁଏ ସିଦ୍ଧାର୍ଥ ପାଇଁ ।
ଅଳ୍ପ ଦିନ ଭିତରେ ଟିମ୍ ଲିଡର୍ ସହ ବେଶ ଘନିଷ୍ଠତା ଆସିଯାଇଛି ନିକିତାର । କେବଳ ସ୍ତ୍ରୀ ଲୋକଙ୍କୁ ନେଇ ଗଢ଼ା ହୋଇଥିବା ଏଇ ଗ୍ରୁପ୍ ଟିରେ କାମ କରିବାର ସୁଯୋଗ ମିଳିଲା ପରେ ମାମାଙ୍କୁ ଫୋନ କରି ଜଣାଇଥିଲା । ‘କେଜାଣି, ସ୍ତ୍ରୀ ଲୋକ ମାନେ ଠିକ୍ ରେ ଏତେ ବଡ ପ୍ରୋଜେକ୍ଟଟି ହ୍ୟାଣ୍ଡେଲ କରିପାରିବେ ତ !’ ସେଇ ନୂଆ ପ୍ରୋଜେକ୍ଟ କଥା ଶୁଣୁଶୁଣୁ ବାବା ମାମାଙ୍କୁ କହିଥିଲେ । ନିକିତା ଆଗରେ ବି ଶଙ୍କା ପ୍ରକାଶ କରିଥିଲେ । ତାଙ୍କର ଏ ପ୍ରକାର ମନ୍ତବ୍ୟରେ ନିକିତା ଦୁର୍ବଳ ହୋଇପଡିଥିଲା । ଏ ଭିତରେ ପ୍ରୋଜେକ୍ଟ ଟି ଅନ୍ତିମ ଚରଣରେ ପହଂଚିଛି ଓ ସମ୍ଭବତଃ ସେଇଟି ଏ ବର୍ଷର ଶ୍ରେଷ୍ଠ ପ୍ରୋଜେକ୍ଟ ଭାବରେ ସମସ୍ତଙ୍କୁ ଆକର୍ଷିତ କରିଛି । ବାବା ମାମା ଖୁସି ହୋଇଛନ୍ତି । ସିଦ୍ଧାର୍ଥ ବି । ‘ସ୍ତ୍ରୀ ଲୋକମାନେ ଏତେ ଜଟିଳ ପ୍ରୋଜେକ୍ଟ ଟି ଅତି ସୁନ୍ଦର ଭାବରେ କରିଦେଲେ, ବିଶ୍ୱାସ ହେଉନଥିଲା’ – ବାବା କହିଥିଲେ । ‘ଆମ ଝିଅ ଖୁବ ପରିଶ୍ରମ କରିଛି’ – ମାମା ନିକିତାର ପ୍ରଶଂସା କରିଥିଲେ । କେଜାଣି କାହିଁକି ବାବାଙ୍କର ସ୍ତ୍ରୀ ଲୋକଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଆଘାତ ଦେଇଥିଲା ନିକିତାକୁ । ଅଳ୍ପ ଦିନର ପରିଚୟ ସତ୍ତ୍ୱେ ପ୍ରଥମ ଦିନରୁ ସିଦ୍ଧାର୍ଥର ଉତ୍ସାହ ବାରି ହୋଇ ପଡୁଥିଲା । ନିକିତା ଉପରେ ଥିବା ସିଦ୍ଧାର୍ଥର ବିଶ୍ୱାସ ନିକିତାକୁ ଦୃଢ଼ କରିଥିଲା । ଏଇ ପ୍ରୋଜେକ୍ଟ କୁ ନେଇ ସେ ସମୟେ ସମୟେ ଅନେକ ପ୍ରଶଂସା କରୁଥିଲା, ଆଉ ସେ ସବୁ ସକାରାତ୍ମକ ଶବ୍ଦ ହିଁ ନିକିତା କୁ ପ୍ରେରଣା ଯୋଗାଊ ଥିଲା।
ନିକିତା କଡେଇ ଶୋଇଲା ସିଦ୍ଧାର୍ଥକୁ ମୁହଁ କରି । ଆଉ କିଛି ସମୟ ସିଦ୍ଧାର୍ଥକୁ ଚାହିଁ ରହିବ ଶୋଇ ଶୋଇ । ସେଇ ଅଳସ ମୁହୂର୍ତ୍ତରେ ହିଁ ଅଫିସରୁ ଫୋନ ଆସିଥିଲା । ଆସିଥିଲା ମେଲ୍ ଚେକ୍ କରି ଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାପାଇଁ ଆଦେଶ । ନିକିତା ଶେଜରୁ ଉଠିଗଲା । ଉଠିବାକୁ ବାଧ୍ୟ ହେଲା । ଷ୍ଟୁଲ୍ ଉପରେ ହାମୁଡ଼ି ପଡି ଲ୍ୟାପ୍ ଟପ୍ ରୁ ମେଲ୍ ଚେକ୍ କଲା । ବ୍ୟସ୍ତତା ବାରି ହୋଇ ପଡୁଥିଲା ତା ମୁହଁରୁ । ପୂର୍ବ ଦିନ କରିଥିବା ସମସ୍ତ ପରିଶ୍ରମ ଉପରେ ପ୍ରଶ୍ନବାଚୀ ଲାଗି ଫେରି ଆସିଥିଲା ନୂଆ ନିର୍ଦେଶ । ସକାଳର ରୋମାଣ୍ଟିକ୍ ମୁଡ୍ ଟି ଉପରେ ଅଙ୍କୁଶ ଲାଗିଥିଲା । ଶୀଘ୍ର ନିତ୍ୟକର୍ମ ସାରି ବସିବାକୁ ହେବ । ନିକିତା ବାଥରୁମ୍ ଯିବା ସମୟରେ ସିଦ୍ଧାର୍ଥକୁ ସଂକ୍ଷେପରେ ଜଣେଇ ଦେଲା ସେ କଥା ।
ଚଟାପଟ ଗାଧୋଇପଡି ବହାରକୁ ଆସିଲା ନିକିତା । ଦୁଇ ହାତରେ ମୁଣ୍ଡର ବାଳତକ ଗୋଟେଇ ନେଇ ଗଣ୍ଠିଟେ କରିଦେଲା, ଆଉ ତରବର ହୋଇ ରୋଷେଇ ଘରେ ପଶିଗଲା ଜଲଦି କିଛି ଖାଇବା ବନେଇ ଦେବାକୁ । ଆରେ, ଇଏ କଣ? ସିଦ୍ଧାର୍ଥ ଚପିଙ୍ଗ୍ ବୋର୍ଡ ଉପରେ ପିଆଜ ଟମାଟୋ କାଟି ଥୋଇଛି । ଗୋଟେ ପଟ ଚୂଲିରେ ତାାୱା ବସେଇ ସାରିଲାଣି । ଚା, କପରେ ଢାଳି କପ୍ ଟି ତା’ ଆଡ଼କୁ ବଢ଼େଇ ଦେଇ କହିଲା ‘ସାଙ୍ଗେ ସାଙ୍ଗେ ଅମଲେଟ୍ କରି ଦେଉଛି । ତୁମେ ଚା’ ଟା ପିଇ ନିଅ । ବ୍ରେଡ୍ ଟୋଷ୍ଟ କାରିଦେଇଛି’ । ମୁହଁରେ ତାର ହସ ଟିକିଏ ଲାଗି ରହିଥିଲା । ଚା’ କପ୍ ଟି ନେଇ ନିକିତା ଡାଇନିଂ ଟେବୁଲ ଉପରେ ରଖିଲା । ମାମା ଫୋନ କରୁଛନ୍ତି । ଏବେ ଫୋନ ନ ନେଲେ ଅଭିମାନ କରିବେ । ବାଧ୍ୟ ହୋଇ ଫୋନ ଉଠେଇଲା ନିକିତା ।
– ‘ଜୀବନ ସାରା କଟିଗଲା ପଛେ, ନା’ ମୁଁ ତୋ ବାବାଙ୍କୁ ଚିହିଁ ପାରିଲି, ନା ସେ ମୋତେ ।”
– ‘ପୁଣି କଣ ହେଲା ଆଜି’??
– ‘ଯିଏ ଆଜି ଯାଏଁ ମୋର ଛୋଟ ଛୋଟ ଖୁସିକୁ ଜାଣି ପାରିଲେନି, ଜୀବନ ସାରା ତାଙ୍କ ସହିତ ଆଡ଼ଜଷ୍ଟ କରି କରି ଥକି ଗଲିଣି ମୁଁ । କେବେବି ମତେ ବୁଝିବାକୁ ଚେଷ୍ଟା କଲେନି ସେ….’
ମାମା କାନ୍ଦ କାନ୍ଦ ହେଉଥିଲେ । ନିକିତା ଟିକେ ଗେଲ ହେଇ ହୋଇ କହିଲା, ‘ମାମା, ମୁଁ ସବୁକଥା ତୁମର ସନ୍ଧ୍ୟାରେ ଶୁଣିବି । ଆଜି ଅଫିସ ….’ ତାକୁ ଆଉ କହିବାକୁ ନଦେଇ ମାମା ଫୋନ କାଟିଦେଲେ । ତିରିଶ ବର୍ଷର ବୈବାହିକ ଜୀବନ ପରେ ବି ସେ ଦି’ ଜଣ କେହି କାହାକୁ ବୁଝି ପାରିଲେନି । ଆଉ କେବେ …? ମାମା ସତରେ ବାବାଙ୍କୁ ଆକ୍ଷେପ କରନ୍ତି, ନା ଏମିତି ଅଭିମାନ କରି କହନ୍ତି କେଜାଣି? ଏଇଟା ସତ ଯେ ମାମାଙ୍କୁ କ’ଣ ଭଲ ଲାଗେ, ବାବା କେବେ ଜାଣିବାକୁ ଚେଷ୍ଟା କରିନାହାନ୍ତି । ନିକିତାର ମନେହୁଏ ପୁରୁଷ ପ୍ରଧାନ ସମାଜରେ ସ୍ୱାମୀ ପଛେ ପଛେ ଚାଲିବାକୁ ସ୍ତ୍ରୀଟି ବାଧ୍ୟ । ତା’ର ପସନ୍ଦ ଅପସନ୍ଦ ନା ସେ କେବେ ଜାହିର କରେ, ନା କେହିକେବେ ଜାଣିବାର ପ୍ରୟାସ କରେ । ସ୍ୱାମୀର ନିଷ୍ପତ୍ତି ନେବାର ଏକଚାଟିଆ ଅଧିକାରକୁ ନେଇ ବାଦ ବିବାଦ କରା ଯାଏନି । ସ୍ତ୍ରୀଟି କେବେ କେମିତି ଅଭିମାନ କରେ । ତାର ଅଭିମାନ ଶୁଣିବାକୁ ବା ତା’ ଉପରେ ଚିନ୍ତା କରି ନିଷ୍ପତ୍ତି ବଦଳେଇବା ପୁରୁଷ ଦୁର୍ଲ୍ଲଭ । ତିରିଶ ବର୍ଷର ଲମ୍ବା ବୈବାହିକ ଜୀବନ କେବଳ କଣ ସତରେ ସାଲିଶ କରି କରି କଟିଗଲା ମାମାଙ୍କର? ତାଙ୍କ କହିବା ଅନୁସାରେ କେବଳ ଆଡଯଷ୍ଟ କରି – କିନ୍ତୁ କାହିଁକି?? ମାମାଙ୍କର ଅଭିମାନ ଶୁଣିବାକୁ ନିକିତା ପାଖରେ ଏବେ ଯେ ସତରେ ସମୟ ନାହିଁ, ସେକଥା ବୁଝେଇ ପାରି ନ ଥିଲା ମାମାଙ୍କୁ ।
ସିଦ୍ଧାର୍ଥ ବ୍ରେଡ୍ ଅମଲେଟ ପ୍ଲେଟ ରଖିଦେଲା ନିକିତା ଆଗରେ । ନିକିତା ଜାଣେ ସିଦ୍ଧାର୍ଥକୁବି ଖୁବ ଭୋକ ହେଉଥିବ । ଚା’ କପ୍ ହାତରେ ନେଇ ନିକିତା ରୋଷେଇ ଘରକୁ ଯାଇଥିଲା । ସିଦ୍ଧାର୍ଥର ବାରଣ ସତ୍ତ୍ୱେ ତା’ ପାଇଁ ଅମଲେଟ ବନେଇବା ଆରମ୍ଭ କରି ଦେଇ ଥିଲା । ସିଏ ଭଲ କରି ଜାଣିଥିଲା ସିଦ୍ଧାର୍ଥକୁ ଭୋକ ହେବଣି । ସକାଳ ଜଳଖିଆ ଓ ଚା’ ସେ ନିକିତା ସହ ଏକାଠି ଖାଇବାକୁ ପସନ୍ଦ କରେ । ଗତ ତିନି ମାସର ଲକ୍ ଡାଉନ୍ ତାକୁ ସିଦ୍ଧାର୍ଥ ସହ ସାରା ସାରା ସମୟ ଏକାଠି ରହିବାର ସୁଯୋଗ ଦେଇଛି । ଜୀବନର କାନଭାସ୍ ଉପରେ ଖେଳେଇ ହୋଇ ରହିଥିବା ଦୁଇଟି ହୃଦୟର ଅପରିଚିତ ଅଙ୍କା ବଙ୍କା ଗାର ସବୁ ପାଖାପାଖି ଯୋଡି ହୋଇ ଯାଇଛନ୍ତି ଅଳ୍ପ କେଇଦିନ ଭିତରେ । ଯାହା ହୁଏତ ଯୋଡି ହୋଇ ଚିତ୍ର ଟିଏ ହେବାକୁ ବେଶ କିଛି ବର୍ଷ ଲାଗି ଯାଇଥାନ୍ତା । ହୁଏତ ଗୋଟିଏ ଲମ୍ବା ସମୟ ଭିତରେ ପରସ୍ପରକୁ ଭଲ ପାଇବା ପରିବର୍ତ୍ତେ ପରସ୍ପର ସହିତ ଆଡଯଷ୍ଟ କରି ନେଇ ଥାଆନ୍ତେ ସେମାନେ । ଏକତ୍ର କଟେଇ ଥିବା ଏଇ ତିନି ମାସ ତାଙ୍କୁ ପରସ୍ପରକୁ ଭଲ ପାଇବା ଶିଖେଇଲା । ଦୁଇ ଜଣଙ୍କର ଚାକିରୀ ଜୀବନରେ ଗୋଟିଏ ଛାତ ତଳେ ଥାଇ ବି ସେମାନେ ଏତେ ସମୟ ଏକାଠି ରହିବାକୁ ପାଇ ନ ଥାଆନ୍ତେ । ପରସ୍ପରର ପସନ୍ଦ ଜାଣିବାକୁ ଆଉ ତା’ ସହ ସାଲିସ୍ ନ କରି, ବରଂ ତାକୁ ସମ୍ମାନ ଦେଇ, ନିଜର କରି ନେବାକୁ ହୁଏତ ଏମିତିକା କିଛି ସମୟ ସେମାନେ ଖୋଜି ହେଉଥାନ୍ତେ ଅହରହ ।
****
Dhanyabad mam
Namaskar
Mu padhikari Uttar deuchi
LikeLike