ଗଣ୍ଠି

      ସୂତା ଖିଅଟିରେ ଗଣ୍ଠି ପଡିଗଲେ ମଣିଷ ତାକୁ ଖୋଲି ପକେଇବାକୁ ଚେଷ୍ଟା କରେ, କିନ୍ତୁ ସମ୍ପର୍କର ସୂତା ଖିଅ, ଆଉ ସିଏ ଯଦି ଇପ୍ସିତ ହୁଏ, ତେବେ ସେ ଗଣ୍ଠିକୁ ଆହୁରି ବେଶି ବେଶି  ବାନ୍ଧି ପକେଇବାକୁ ମନ ଚାହେଁ । ତା ଭିତରେ ବନ୍ଧା ପଡ଼ିଯାଏ ସୂକ୍ଷ୍ମ ହୃଦୟର କିଛି ନିରୁତା ଭଲପାଇବା ।
      ଶୋଇବା ଘର ଦୁଆରକୁ ଆଉଜି ଥକ୍କା ହୋଇ ଠିଆ ହୋଇଥିଲି ମୁଁ । ଦୁଇ ଜଣିଆ ଖଟର ଗୋଟେ କଡ଼କୁ ଶୋଇଥିଲା ରମ୍ୟା, ତା’ ପେଟକୁ ଜାକି ହୋଇଯାଇ ଥିଲା କୁନି ଝିଅ ଅରୁଷା । ଅରୁଷା ଜାବୁଡି ଧରିଛି ସକାଳେ ମୁଁ ତାକୁ ଦେଇଥିବା ସେ ବଡ଼ ବାର୍ବୀ ଡଲଟି । ତା’ ଆଖିରୁ ବୋହିଆସିଥିବା ଲୁହର ଦାଗ ଏବେ ବି  ଗାଲ ଉପରେ ଚିକ ଚିକ ହେଉଛି । ଢେର ବେଳଯାଏଁ କାନ୍ଦିଛି ବୋଧେ ସେ ।
       ଆମେ ପ୍ରେଷ୍ଟନରେ ରମ୍ୟା ଘରେ ପହଂଚିବାର ଦୁଇଘଣ୍ଟା ହୋଇଗଲାଣି । ସିଦ୍ଧାର୍ଥ ଏ ଯାଏଁ  ଦାଣ୍ଡଘର ସୋଫା ଉପରେ ଆଉଜି ବସି ଟିଭିକୁ ଚାହିଁଛନ୍ତି । ମୁଁ ବି ସେଇଠି ତାଙ୍କ ପାଖରେ ବସିଥିଲି ଏ ପର୍ଯ୍ୟନ୍ତ । ଘରେ ପହଁଚିଲା ପରେ ରମ୍ୟା ତିନି କପ କଫି ତିଆରି କରି ଆଣିଥିଲା । ଅରୁଷା ପାଇଁ ଷ୍ଟ୍ର ଲାଗିଥିବା ଗୋଟେ କପରେ ବୋର୍ଣ୍ଣଭିଟା ବି ଆଣିଥିଲା। ଆମେ ଗପି ଗପି ସେତକ ପିଇଲୁ । ‘ରଘୁ ରାତିରେ ପହଞ୍ଚିବେ । ସକାଳେ ତାଙ୍କ ସହ ଦେଖାହେବ’ – ରମ୍ୟା କହିଥିଲା।        ଆଜି ସକାଳେ ହିଁ ରମ୍ୟାକୁ ଆମେ ପ୍ରଥମ ଥର ପାଇଁ ଭେଟିଲୁ । ରମ୍ୟା ଅଢେଇଘଣ୍ଟାର ବାଟ ନିଜେ ଗାଡି ଚଲେଇ  ଆମ ପାଖକୁ ଯାଇଥିଲା । ସାଙ୍ଗରେ ନେଇଥିଲା କୁନି ଝିଅ ଅରୁଷାକୁ । ଗାଡିର ପଛସିଟରେ ଲାଗିଥିବା ବେବିସିଟର୍ ରେ ବେଲ୍ଟ ଦ୍ୱାରା କୁନି ଝିଅଟିକୁ ବାନ୍ଧି ଦେଇ ଅଢେଇ ଘଣ୍ଟା  ପ୍ରେଷ୍ଟନରୁ ବରମିଙ୍ଗହାମକୁ ନେଇ ଯିବା ଭିତରେ ରମ୍ୟା ଯେ କେତେ କଷ୍ଟ କରିଥିବ, ସେକଥା ସେ ଆମକୁ ନ କହିଲେ ବି ଆମେ ଠିକ ବୁଝି ପାରୁଥିଲୁ ।
          ରମ୍ୟା-ରଘୁଙ୍କ ସହ କେବଳ ଫୋନରେ କଥାବାର୍ତ୍ତା ହୋଇଥିଲା ଆମର । ରମ୍ୟାର ମା’ ରତ୍ନା  ସିଦ୍ଧାର୍ଥଙ୍କର ସହକର୍ମୀ । ସିଦ୍ଧାର୍ଥଙ୍କ ଠାରୁ ବୟସରେ ଦଶ ବାର ବର୍ଷ ବଡ଼ ହେବେ । ନିଜେ ଉପରିସ୍ଥ ଅଫିସର ହେଲେ ମଧ୍ୟ ସିଦ୍ଧାର୍ଥ ତାଙ୍କୁ ବଡ଼ ଭଉଣୀ ପରି ସମ୍ମାନ କରନ୍ତି । ଆମେ ବର୍ମିଙ୍ଗହାମରେ କିଛି ମାସ ରହିବୁ ଜାଣିଲା ପରେ ଖୁବ ଖୁସି ହୋଇଥିଲେ ରତ୍ନା । ଆମେ ପହଂଚିବାର ଦିନେ ଦୁଇ ଦିନ ପରେ ଆସିଥିଲା ରମ୍ୟାର ଫୋନ । ବିଦେଶରେ କିଛିଦିନ ରହଣୀ ଭିତରେ ଜଣା ଶୁଣା ମଣିଷ କେହି ମିଳିଗଲେ ଯେ ଏତେ ଆଶ୍ୱସ୍ତ ଲାଗେ ସେଇ ପ୍ରଥମ ଥର ଅନୁଭବ କଲି ମୁଁ । ରମ୍ୟା ର ଆଣ୍ଟି ଡାକରେ ମନେ ହେଉଥିଲା ଫୋନ ଆରପଟେ ମୋର ଆପଣାର କେହି ଜଣେ ଅଛି । ରତ୍ନା ସିଦ୍ଧାର୍ଥଙ୍କର ବହୁତ ପ୍ରଶଂସା କରି କହିଥିଲେ ଝିଅ ଜୋଇଁଙ୍କୁ । ମାଆଙ୍କ ଠାରୁ ଏତେ ଭଲକଥା ଶୁଣିଲା ପରେ ରଘୁ ଆଉ ରମ୍ୟା ବେଶ ଉତ୍ସୁକ ଥିଲେ ଆମକୁ ଦେଖା କରିବାକୁ । ବିଦେଶ ମାଟିରେ ନିଜକୁ ଟିକେ ବ୍ୟବସ୍ଥିତ କଲାପରେ  ଆମେ ପ୍ରଥମେ ସେମାନଙ୍କୁ ନିମନ୍ତ୍ରଣ କରିଥିଲୁ ।
      ରମ୍ୟା ଓ ରଘୁ ଦୁହେଁ ଡାକ୍ତର । ରମ୍ୟା  ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ କାମ କରେ ସେଇ ପ୍ରେଷ୍ଟନରେ । ରଘୁ ମଣିଷ ମସ୍ତିଷ୍କର ସୁକ୍ଷ୍ମାତିସୂକ୍ଷ୍ମ ଅଂଶକୁ ନେଇ ଉଚ୍ଚତର ଗବେଷଣାରେ ବ୍ୟସ୍ତ । ଏଇ ଗବେଷଣା କାମ ପାଇଁ ଘରଠାରୁ ଦୂରରେ ରହିବାକୁ ପଡେ ତାଙ୍କୁ । ସପ୍ତାହାନ୍ତ ଦିନ ଦୁଇଟି ପୁରା ପରିବାର ଏକାଠି କାଟନ୍ତି । ଏଥର ସୋମବାର ଓ ମଙ୍ଗଳବାର ଦୁଇ ଦିନ ଛୁଟି । ଫଳରେ ଚାରି ଦିନ ଏକାଠି କଟାଇବାର ସୁବର୍ଣ୍ଣ ସୁଯୋଗ । ଏଭଳି ସୁଯୋଗ କୁ ହାତଛଡା କରିବାକୁ ଚାହେଁନି ରମ୍ୟା । ତେଣୁ ଆମ ଦୁହିଁଙ୍କୁ ନେଇ ଯିବ ସେ ତାଙ୍କ ଘରକୁ ।  ଆମ ସହିତ ବନ୍ଧୁତା ହେବାପରେ ଏଇକଥା କହି ସେ କେବଳ ଆମକୁ ନୁହେଁ, ରଘୁ ଓ ରତ୍ନାଙ୍କୁ ମଧ୍ୟ ତା’ର ଆମପ୍ରତି ଥିବା ଭଲପାଇବାକୁ ଜାହିର କରିବାରେ ପୂର୍ଣ୍ଣ ସମର୍ଥ ହୋଇଛି । ପୁଣି ଏଇ ଚାରି ଦିନ ଭିତରେ ଅରୁଷାର ଜନ୍ମଦିନ ପଡୁଛି । ଆମ ଦୁହିଁଙ୍କୁ ପ୍ରେଷ୍ଟନ ସାଙ୍ଗରେ ନେଇଯିବା ପାଇଁ ଏତକ କାରଣ ଯେ ଯଥେଷ୍ଟ, ଏକଥା କହି ସିଦ୍ଧାର୍ଥ ଙ୍କୁ ରାଜି କରିବାରେ ସକ୍ଷମ ହୋଇଥିଲା ରମ୍ୟା । ସିଦ୍ଧାର୍ଥ ଚାହୁଁଥିଲେ ମତେ । ରମ୍ୟା ଏକରକମ ଜିଦ୍ଦି କରିବା ଆରମ୍ଭ କରି ଦେଇଥିଲା ସେତେ ବେଳକୁ । ଶେଷରେ ଆମେ ଦୁହେଁ ଛୋଟ ବ୍ୟାକପ୍ୟାକଟିରେ ଲୁଗାପଟା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଛି ନେଇ ବହାରିଥିଲୁ ରମ୍ୟା ସହିତ ।
         ଅରୁଷା ଗାଡି ପାଖରେ ପହଂଚିଲା ବେଳକୁ ବେଶୀ ବେଶୀ ଜାକି ହୋଇ ଯାଉଥିଲା ମୋ ସହ । ଗାଡି ଭିତରେ ବସି ପଡି କୋଳକୁ ମୋର ଟେକି ଆଣିଲି ଅରୁଷାକୁ ।  ମୋର ଆର ପାଖକୁ ଲାଗିରହିଥିବା ବେବି ସିଟକୁ ଫୋଲଡ଼ କରି ଡିକିରେ ରଖିଦେଲା ରମ୍ୟା । ବେବିସିଟର୍ ରେ ବାନ୍ଧି ହୋଇ ଆସିଥିବା ସମୟ ଠାରୁ ଏଥର ଫେରିବାର ସମୟ ଯେ ଏତେ ଆମୋଦପ୍ରଦ ହେବ ଏକଥା ତିନିବର୍ଷର ଅରୁଷା ବୁଝିପାରିଥିଲା, ଆଉ ସେଥିପାଇଁ ଖୁବ ଜୋରରେ ଜାକିଧରି ମୋ ମୁହଁରେ ଵୋକ ଖାଇଥିଲା । ତାର ଖୁସି, ତାର ଉତ୍ସାହ ଦେଖି ଆମେ ବି ସହଜ ହୋଇଥିଲୁ । ଅଳ୍ପ ଦିନ ଆମର ରହଣୀ ଏଇ ଇଂଲଣ୍ଡରେ । ଗାଡ଼ିରେ ବସି ହାଇୱେରେ ପହଂଚିଲା ପରେ ମୋ ଆଖି ଲମ୍ବି ଯାଉଥିଲା ପ୍ରଶସ୍ତ ରାସ୍ତାରେ କାହିଁ କେତେ ଦୂରକୁ । ଆମ ଦେଶର ସହର ଗୁଡିକ ପରି ଗାଡି ମୋଟରର ପ୍ରାବଲ୍ୟ ନାହିଁ ଏ ଦେଶରେ । କାଁ ଭାଁ ଆମକୁ ଟପି ଯାଉଥାଏ ଗାଡି ଗୋଟେ ଗୋଟେ । ଟ୍ରାଫିକ ଲାଇଟ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ଜଳୁଥାଏ । ନାଲି ରଙ୍ଗର ସିଗନାଲ ଦେଖିଲେ କେହି ନ ଥିବା ରାସ୍ତା ଉପରେ ରମ୍ୟା ସୁନା ପିଲା ପରି ଗାଡି ଅଟକାଇ ଦେଇ ଠିଆ ହୋଇ ଯାଉଥାଏ । କେମିତି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲା ମତେ । ରାସ୍ତାରେ ଅନ୍ୟ ଗାଡି ମାନଙ୍କର କର୍କଶ ପେଁ ପାଆଁ ଶବ୍ଦ ଶୁଣା ଯାଉ ନ ଥାଏ ଆଦୌ । ନିଜ ଗାଡିରେ ହର୍ଣ୍ଣ ବଜାଇ ଅନ୍ୟ ମାନଙ୍କୁ ଟପିଯିବାର ପ୍ରତିଯୋଗିତା ଦେଖିପାରୁ ନ ଥିଲି ।
         ସିଦ୍ଧାର୍ଥ ଆଉ ରମ୍ୟା  ଇଂଲଣ୍ଡର  ଚଉଡା ରାସ୍ତା, ଟ୍ରାଫିକ ନିୟମକୁ ନେଇ କଥାବାର୍ତ୍ତାରେ ବ୍ୟସ୍ତ ଥାଆନ୍ତି । ଆମେ ଦୁହେଁ- ଅରୁଷା ଓ ମୁଁ  କେତେ କେତେ ଜଣା ଅଜଣା ଭାଷାରେ ହସି ଖେଳି ପରସ୍ପରର ଅନ୍ତରଙ୍ଗ ହେବାରେ ଲାଗିଥିଲୁ । ଅରୁଷାର ସାରା ଦିନ କଟେ ପ୍ଲେ ସ୍କୁଲରେ ଶିକ୍ଷକ ମାନଙ୍କ ସହ ଆଉ ସ୍କୁଲ ସଂଲଗ୍ନ ସେଇ ସ୍ପାନିଷ ମହିଳା ଙ୍କର କ୍ରେଚ ରେ । ରମ୍ୟା ର ଘରକୁ ଫେରିବାର କିଛି ନିର୍ଦ୍ଦିଷ୍ଟ ସମୟ ନଥାଏ । ତେଣୁ ଅରୁଷା ର କଥାବାର୍ତ୍ତା ସମୟରେ କହୁଥିବା ଭାଷା ଉଚ୍ଚାରଣ ରେ ବ୍ରିଟିଶ ଓ ସ୍ପାନିଷ ମିଶ୍ରଣ ସ୍ପଷ୍ଟ ବାରିହୋଇପଡ଼େ । ମତେ ତା’ କଥା ବୁଝିବାକୁ ବହୁତ ଅସୁବିଧା ହେଉଥାଏ । ଅରୁଷା କିନ୍ତୁ କୁନି ଛୁଆଟିଏ ହେଲେ ବି ଖୁବ ମେଳାପୀ । ବିଭିନ୍ନ ଅଙ୍ଗ ଭଙ୍ଗୀ କରି ସେ ସୁନ୍ଦର ଭାବେ ବୁଝେଇଦିଏ ତାର ମନର କଥା । ଗୋଟିଏ ଦିନର ସମ୍ପର୍କରେ ରମ୍ୟାର ଆମପ୍ରତି ଏତେ ସ୍ନେହ, ଭଲ ପାଇବା ଦେଖି ଅରୁଷା ତା’ ମାଆ ପରି ମେଳାପୀ ହୋଇଛି କହୁଥିଲି ମୁଁ । ଅଢେଇଘଣ୍ଟାର ରାସ୍ତାରେ ରମ୍ୟା ଅରୁଷା ପ୍ରତି ମଧ୍ୟ ଖୁବ ଯତ୍ନଶୀଳ ଥିବାର ଲକ୍ଷ୍ୟ କଲୁ । ସମୟେ ସମୟେ ଅରୁଷା ପଚାରୁଥିବା ପ୍ରଶ୍ନର ଖୁବ ଶାନ୍ତ ଭାବରେ ଉତ୍ତର ଦେବା ସହ ଆମର ଓ ଅରୁଷାର ସମସ୍ତ ସୁବିଧା ଅସୁବିଧା ପଚାରି ବୁଖୁଥିଲା ସେ ।
       ଛୁଟି ଦିନ ଚାରିଟି ପରିବାର ସହ କଟେଇବ ବୋଲି ଡାକ୍ତରଖାନାରେ ଅଧିକ ସମୟ କାମ କରିଛି ବିଗତ କିଛିଦିନ  ରମ୍ୟା ।  ନିୟମ ଅନୁଯାୟୀ ସେ କରିଥିବା ଅଧିକ ସମୟର କାମ ଫଳରେ ତାକୁ ପରବର୍ତ୍ତୀ କେତେ ଘଣ୍ଟା କେହି ବି ବ୍ୟସ୍ତ କରିବେନି । ଏତକ ସମୟ କେବଳ ପରିବାରକୁ ଦେବ ସେ । ଏବେ ଆମେ ଆସିଛୁ ବୋଲି ରମ୍ୟାର ଗୋଡ଼ ତକେ ଲାଗୁ ନ ଥିଲା । କଫି ପିଇବା ସମୟରେ କେତେ କଣ ଯୋଜନା କରି ପକାଇଲା ସେ । ସବୁ ଠିକ ଚାଲିଥିଲା ବେଳେ ହିଁ ଘଟଣାଟି ଘଟିଗଲା । ସିଦ୍ଧାର୍ଥ ମୁହଁ ହାତ ଧୋଇ ଫ୍ରେଶ ହୋଇଯା’ନ୍ତୁ କହି ରମ୍ୟା ଉଠିଗଲା, ଆଉ ରଘୁ ବ୍ୟବହାର କରୁଥିବା ସ୍ଲିପର ହଳଟି ଆଣି ରଖିଦେଲା ସିଦ୍ଧାର୍ଥଙ୍କ ଆଗରେ । ସ୍ଲିପରକୁ ଗୋଡ଼ରେ ଗଳେଇଲେ ସିଦ୍ଧାର୍ଥ । ବାସ, ମୋ’ କୋଳରୁ ସିଧା ସିଦ୍ଧାର୍ଥଙ୍କ ଉପରକୁ ଡେଇଁ ପଡିଲା ଅରୁଷା । ‘ମୋ ପାପାଙ୍କର ଏ ସ୍ଲିପର, ମୋ ପାପା କଣ ପିନ୍ଧିବେ’ କହି ଖୁବ ଜୋରରେ କାନ୍ଦିବାକୁ ଲାଗିଲା ସେ ।  ରମ୍ୟା ବିବ୍ରତ ହେଲା । ରଘୁଙ୍କର ଫୋନ ଆସିଥିଲା ଠିକ ସେତିକି ବେଳକୁ । ‘କଣ ହେଲା?? କାହିଁକି କାନ୍ଦୁଛି ଅରୁଷା ??’ – ରମ୍ୟା ଠାରୁ ସବୁ ଶୁଣିଲାପରେ ସେଇ ଫୋନରେ ସେ ବୁଝାଇ ଥିଲେ ଅରୁଷାକୁ – ‘ଅଙ୍କଲ ସ୍ଲିପର ଆଣିନାହାନ୍ତି ଯେ ମୁଁ କହିଛି ତାଙ୍କୁ ମୋ ଚପଲ ପିନ୍ଧିବାକୁ । ତୁ କାନ୍ଦେନା’ । ରଘୁ ବୁଝେଇଲା ପରେ କାନ୍ଦ ବନ୍ଦ ହୋଇଥିଲା ସତ, କିନ୍ତୁ ରହିରହି କୋହ ଉଠୁଥିଲା ତଥାପି ।  ଛୋଟ ଛୁଆଟେ, ଏତେ କାନ୍ଦିଲେ କାହାର ବା ଦେହ ସହିବ ? ଅପ୍ରସ୍ତୁତ ହୋଇ ଯାଇଥିଲୁ ଆମେ ଦୁହେଁ । ସିଦ୍ଧାର୍ଥ ଦୋଷୀଟିଏ ପରି ପାଦରୁ ଚପଲ ହଳକ କାଢ଼ିଦେଇ  ଠିଆ ହୋଇଥିଲେ । ସାମାନ୍ୟ ଅସନ୍ତୁଷ୍ଟ ଲାଗୁଥିଲା ମତେ । ଭାରି ଅସ୍ଵସ୍ତି ବି ଲାଗୁଥିଲା । ରଘୁଙ୍କୁ ଗୁଡ଼ ନାଇଟ କହି ଫୋନ ରଖିଲା ପରେ ‘ମୁଁ ଉପର ଘରେ ଶୁଆଇ ଦେଇ ଆସେ ଆକୁ । ନିଦ ଲାଗିବଣି, ସେଥିପାଇଁ ଏମିତି ହେଉଛି । ଦିନସାରା ବେଶ ଖେଳିଛି । ହାଲିଆ ଲାଗୁଥିବ । ଆପଣ ମାନେ ଫ୍ରେଶ ହୋଇଯାନ୍ତୁ । ହେଇ, ପନ୍ଦର ମିନିଟରେ ମୁଁ ଆସୁଛି’ । ଆମକୁ ଏତକ କହି ଝିଅକୁ କାଖ କରି ସିଡିରେ ଉପର ମହଲାକୁ ଉଠିଗଲା ରମ୍ୟା । ଏଯାଏଁ ଘର ଟି ଭଲରେ ଦେଖିନୁ ଆମେ । ସେଇ ଦାଣ୍ଡ ଘରେ ଆସିଲା ବେଳୁ ବସିଛୁ । ଦାଣ୍ଡଘର ସଂଲଗ୍ନ କିଚେନରେ କ୍ଷୀର ଗରମ କରି ଆମ ସହ ଗପିଗପି କଫି କରିଥିଲା ରମ୍ୟା । ‘ଏଇଠି କେଉଁଠି ୱାଶରୁମ  ଥିବ’ – କହି ପୁଣି ଥରେ ସ୍ଲିପରଟି ପାଦରେ ଗଳେଇ ସିଦ୍ଧାର୍ଥ ଚାଲିଗଲା ପରେ ଥକ୍କା ହୋଇ ସୋଫାରେ ବସିଗଲି ମୁଁ । ହଠାତ କାହିଁକି କେଜାଣି, ଖୁବ ବେଶୀ ହାଲିଆ ଲାଗିଲା ମତେ ।
           ଧୁଅଧୋଇ ହୋଇ ଫ୍ରେଶ ଦେଖାଯାଉଥିଲେ ସିଦ୍ଧାର୍ଥ । ମତେ  ଟାୱେଲ ଦେଇ କହିଲେ, ‘କଣ ଏତେ ଭାବୁଛ ଅତସୀ ! କୁନି ଛୁଆଟା । ତା’ ପାପାର ସ୍ଲିପର ମୁଁ ପିନ୍ଧି ପକେଇଲି ବୋଲି ଟିକେ ବ୍ୟସ୍ତ ହୋଇଗଲା । ସାରାଦିନ ର କ୍ଲାନ୍ତି  ତାକୁ ଟିକେ ଚିଡ଼ ଚିଡା କରିଦେଇଛି । ସକାଳୁ ସବୁ ଠିକ ହୋଇଯିବ ।‘ ପ୍ରଥମଥର ପାଇଁ ସିଦ୍ଧାର୍ଥଙ୍କ ସ୍ୱରରେ ଏତେ ବେଶୀ ଉଦାରତା ଦେଖିପାରିଲି । ଫ୍ରେଶ ହୋଇ ଆସିଲା ପରେ ମତେ ବି ଭଲ ଲାଗିଲା । କୁନି ଛୁଆଟି ଉପରେ କିଛି ସମୟ ପୂର୍ବରୁ ମୋ ମନରେ ଆସିଥିବା ଅଭିମାନ ପାଇଁ ଲଜ୍ଜିତା ହେଲି।  ସେଇ ଘଟଣାଟି  ଆଲୋଚନା କରି ଆମେ ଦୁହେଁ ବେଶ ଅମୋଦିତ ହେଲୁ । ଏଇ କଥାଟି ପରବର୍ତ୍ତୀ ସମୟ ରେ ଆମ ପାଇଁ ଏକ ରୋଚକ ଘଟଣା ହୋଇ ରହିଯିବ କହି ହସି ପକେଇଥିଲି ମୁଁ ।
          ଏ ଭିତରେ ଦୁଇଘଣ୍ଟା ହୋଇ ଗଲାଣି । ସିଦ୍ଧାର୍ଥ ଓ ମୁଁ ସେଇ ସୋଫା ଉପରେ ସେମିତି ବସିଛୁ । କାନ୍ଥ କଡ଼କୁ ଆଉଜା ହୋଇ ଥୁଆ ହୋଇଛି ଆମେ ଆଣିଥିବା ଛୋଟ ବ୍ୟାକପ୍ୟାକଟି । ସିଦ୍ଧାର୍ଥ ଶୀଘ୍ର ଶୋଇ ଶୀଘ୍ର ଉଠିବା ମଣିଷ । “ରମ୍ୟା ଗଲା କୁଆଡେ? ପନ୍ଦର ମିନିଟରେ ଆସିବ କହି ଯାଇଥିଲା, ଦୁଇଘଣ୍ଟା ହୋଇ  ଗଲାଣି । ଗଲ, ଦେଖିବ, କୁଆଡେ ଗଲା ସେ ??” ଭାରି ଅସ୍ଵସ୍ତି ଲାଗୁଥିଲା ମତେ । ମାତ୍ର କେତେ ଘଣ୍ଟା ତଳେ ଗଢିଥିବା ଏଇ ସମ୍ପର୍କ । ‘ଏମିତି କେମିତି ତାଙ୍କ ଘରେ…..’ କହିବାକୁ ଯାଇ ରହିଗଲି । ସିଦ୍ଧାର୍ଥ ଭାରି କ୍ଲାନ୍ତ ଆଉ ଉଦାସ ଲାଗୁଥିଲେ । ଉଠିବାକୁ ବାଧ୍ୟ ହେଲି ମୁଁ ।
         ରମ୍ୟାର ଶୋଇବା ଘରେ ନିଘୋଡ଼ ନିଦରେ ଶୋଇ ଯାଇଥିବା ମାଆ ଝିଅଙ୍କୁ ଦେଖି କିଂକର୍ତ୍ତବ୍ୟବିମୂଢ ଅବସ୍ଥାରେ ଠିଆ ହୋଇଥିଲି ମୁଁ । ତଳ ଘର ସୋଫାରେ ସିଦ୍ଧାର୍ଥ ଥକ୍କା ହୋଇ ବସିଛନ୍ତି ଆଉ ଏଠି ତିନି ଦିନ ହେବ ଠିକରେ ନିଦ ଯାଇ ନଥିବା ମାଆଟିଏ ଅବୁଝା ଝିଅଟିକୁ ବୋଧ ଦେଇ ଶୁଆଇ ଦେଉ ଦେଉ ନିଜେ ଶୋଇ ଯାଇଛି ଗଭୀର ନିଦରେ । ମଝିରେ ମୁଁ ।
          ଚମକି ଚାହିଁଲା ରମ୍ୟା । ଓହୋ, ନିଦ ଭାଙ୍ଗିଗଲା ବୋଧେ । ଆଶ୍ୱସ୍ତ ଲାଗି ଆସୁଥିବା ସମୟରେ ରମ୍ୟାର ମୁହଁକୁ ଚାହିଁ ସଙ୍କୁଚିତ ହୋଇଗଲି । ଅସ୍ୱାଭାବିକ ଲାଗୁଥିଲା ରମ୍ୟା । ସାମାନ୍ୟ ଭୟ, କିଛି ଆଶ୍ଚର୍ଯ୍ୟ ମିଶା ଆଖି ମୋ ଉପରେ ନିବଦ୍ଧ କରି ଚିହ୍ନିବାକୁ ଚେଷ୍ଟା କରୁଥିଲା ମତେ । ସ୍ପଷ୍ଟ ପଢି ପାରୁଥିଲି ମୁଁ ତା’ ଆଖିର ଭାଷା । ବିନା ଶବ୍ଦରେ ସେ ପଚାରୁ ଥିଲା ‘କିଏ ଆପଣ?’ ତ୍ରିଶଙ୍କୁ ମୁଁ । ଥଣ୍ଡା ହୋଇ ଆସୁଥିଲା ମୋ ହାତ, ପାଦ । ଫେରି ଆସିବି କି ସିଦ୍ଧାର୍ଥଙ୍କ ପାଖକୁ । ମୋ ଫେରନ୍ତା ପାଦ ଉଠିବା ଆଗରୁ ରମ୍ୟାର ଖୁସି ଜରଜର ସ୍ୱର ଶୁଣାଗଲା ‘ଓ ଆଣ୍ଟି’ । ପ୍ରକୃତିସ୍ଥ ହୋଇ ଯାଇଥିଲା ସେ । ଖଟ ଉପରୁ ଉଠିଆସି ମୋତେ କୋଳେଇ ନେଇ ତାର ଏମିତି ଶୋଇ ପଡିଥିବାରୁ କ୍ଷମା ପ୍ରାର୍ଥନା କରୁଥିଲା । ମୁଁ ଦେଖି ପାରୁଥିଲି ଆମ ସହିତ, ନିଜ ପରିବାର ସହିତ ଏକାଠି କିଛି ସମୟ କଟେଇବା ପାଇଁ ଏତେ ସବୁ ପ୍ରସ୍ତୁତି କରିଥିବା  କାର୍ତ୍ତବ୍ୟନିଷ୍ଠ ନାରୀଟିଏକୁ । ଅତ୍ୟଧିକ କ୍ଲାନ୍ତି ପରେ ଏମିତି ଗଭୀର ନିଦରେ ଶୋଇ ପଡିଥିଲା  ବିଚାରୀ । ଫେରିଯାଇ ଝିଅକୁ ଭଲକରି କମ୍ବଳ ଢାଙ୍କି ଦେଇ ପୁଣିଥରେ ସେ ଉଠିଆସିଥିଲା ମୋ ପାଖକୁ । ଏଥର ମୁଁ ତାକୁ କୋଳେଇ ନେଲି ମୋ ଦୁଇ ହାତରେ । ମୋ ଭିତରେ ତା’ ପାଇଁ ସେଇ ସେଇ ସୃଷ୍ଟି ହୋଇଥିବା ଅପର୍ଯ୍ୟାପ୍ତ ସ୍ନେହ ସୋହାଗରେ ବାନ୍ଧିଦେଇ ତାକୁ ସହଜ କରି ଦେଉଥିଲି ।
           ରମ୍ୟାକୁ ଶୁଭରାତ୍ରି କହି ଦୁଆର ଆଇଜେଇ ନେଲା ପରେ ମୁଁ  ଖଟକୁ ଆସି ତୁରନ୍ତ ଶୋଇ ପଡିବି ଭାବିଥିଲି । ଲାଇଟ ଅଫ କରି କମ୍ବଳ ଭିତରେ ନିଜକୁ ଢାଙ୍କି ନେବାବେଳେ ସିଦ୍ଧାର୍ଥଙ୍କର ମୃଦୁ ଘୁଙ୍ଗୁଡ଼ି ଶୁଣି ପାରୁଥିଲି । ମୋ’ ଆଖିରେ କିନ୍ତୁ ନିଦ ନ ଥିଲା । ଅଳ୍ପ କେତେ ଘଣ୍ଟା ପୂର୍ବରୁ ସୃଷ୍ଟି ହୋଇଥିବା ଏଇ ନୂଆ ସମ୍ପର୍କଟିର ସୂକ୍ଷ୍ମ ସୂତାଖିଅ ଟିକୁ  ଗଣ୍ଠି କରି ନେବା ପାଇଁ  ମୁଁ ହୁଏତ ଚେଷ୍ଟାରେ ଲାଗିଥିଲି । ରମ୍ୟାର ବିସ୍ଫାରିତ ଆଖି ମନେ ପଡି ହସି ଦେଲି ଟିକେ ଶବ୍ଦ କରି । ସିଦ୍ଧାର୍ଥ ଉଠି ପଡିଲେ କହିଲେ ‘କଣ ନୂଆ ଜାଗାରେ ନିଦ ହେଉନି ?’ – ‘ନା ନା, ଶୋଇବାକୁ ଆସିଲି ତ’ – କହିଲି,  ଆଉ  ନୂଆ ଏଇ ଗଢି ଉଠିଥିବା ସମ୍ପର୍କକୁ  ଭଲ କରି ଆଉ ଟିକେ ଅନୁଭବିବାକୁ  ଅଜଣା ବାସ୍ନାରେ ମହକୁଥିବା କମ୍ବଳଟିକୁ ଟାଣି ନେଇଥିଲି ମୋର ପୁରା ଦେହ ଉପରକୁ । 

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s