କୁଢ଼ କୁଢ଼ ବରଫ ଗୁଣ୍ଡ ଉପରେ ନଇଁ ପଡି କଣ ସବୁ ଲେଖି ଚାଲିଥିଲା ରୁନି । ପ୍ରାୟ ଘଣ୍ଟାଏ ହେବ ତୁଷାରପାତ ଚାଲିଛି । ଭରିଯାଇଛି ପୁରା ପାର୍କିଂଗ ଜାଗାଟି । ସେଇଠି ଥୁଆ ହୋଇଥିବା ଗାଡି ଚାରୋଟି ଘୋଡେଇ ହୋଇ ଯାଇଛି ବରଫ ଗୁଣ୍ଡରେ । ଏମିତି ତୁଷାରପାତ ଦେଖିବା ମୋର ଏଇ ପ୍ରଥମ ଅନୁଭୂତି । ସେଥିପାଇଁ ଭାରି ଉତ୍ସାହିତ ଥିଲି ମୁଁ । କିନ୍ତୁ ରୁନିକୁ ଦେଖି ମନେହେଉଥିଲା ମୋ ପରି ସେ ବି ଖୁବ ଉପଭୋଗ କରୁଛି ଏମିତି ଝର ଝର ହୋଇ ତୁଳା ପରି ଝରିପଡୁଥିବା ତୁଷାର ସବୁକୁ । ଆପର୍ଟମେଣ୍ଟର ତଳ ମହଲାରେ ଆମେ ରହୁଥିବାରୁ ଗାଡି ପାର୍କିଂଗକୁ ଖୋଲୁଥିବା ସେଇ କାଚ ଦୁଆର ଆରପଟେ ରୁନି ବରଫ ଗୁଣ୍ଡ ମାନଙ୍କ ଉପରେ କଣ ସବୁ ଲେଖୁଛି ବୋଲି ମୁଁ ଦେଖିପାରୁଥିଲି । କବାଟ ଖୋଲି ବାହାରକୁ ଯାଇ ରୁନି ସହିତ ମିଶି ସେଇଠି ତା’ ସହ ବରଫ ଗୁଣ୍ଡ ଉପରେ ବହୁତ କିଛି ଲେଖି ପକେଇବାକୁ ମୋର ବି ଭାରି ଇଚ୍ଛା ହେଉଥିଲା । ଚିନି ଗୁଣ୍ଡ ପରି ଦେଖାଯାଉଥିବା ବରଫର ସ୍ତୁପ ଉପରେ ଖୁବ ବଡ଼ ଚିତ୍ରଟେ ଆଙ୍କି ଦେବାକୁ ମୋ ମନ ଛଟପଟ ହେଉଥିଲା ।
ରୁନି ସହିତ ପ୍ରଥମ ଦେଖା ହୋଇଥିଲା ବର୍ମିଙ୍ଗହାମର ସିଟି ସେଣ୍ଟରରେ, ଇସ୍କନ ମନ୍ଦିର ତରଫରୁ ହୋଇଥିବା ରଥଯାତ୍ରା ଦିନ । ଜୁଲାଇ ମାସ ଦ୍ଵିତୀୟ ସପ୍ତାହରେ ଆମର ପୁରୀରେ ରଥଯାତ୍ରା ହୋଇଥିଲା । ବଡ଼ଦାଣ୍ଡରେ ଠିଆ ହୋଇ ସବୁ ବର୍ଷ ପରି ରଥ ନ ଦେଖି ପାରିବାର ଦୁଃଖ ମୋ ପରି ସିଦ୍ଧାର୍ଥଙ୍କର ବି ଥିଲା । ସେଦିନ ଅଧ ରାତିରୁ ଉଠି ଗାଧୋଇ ପଡ଼ିଥିଲି ମୁଁ ।
-‘ଆରେ, ଏତେ ରାତିରେ କଣ ଗାଧୋଉଛ? ଜର ହୋଇଯିବ’ । ସିଦ୍ଧାର୍ଥ ପାଟି କରିଥିଲେ ବି ମୁଁ ଶୁଣିନଥିଲି ।
-‘ଆମେ ଏଠି ଇଂଲଣ୍ଡ ରେ, ଭାରତୀୟ ସମୟଠାରୁ ସାଢ଼େ ପାଞ୍ଚଘଣ୍ଟା ପଛରେ ଅଛେ ଯେ । ପହଣ୍ଡି ଆରମ୍ଭ ହୋଇଯିବ । ନ ଗାଧେଇ ଦେଖିବି କେମିତି ?’ – କେଜାଣି କାହିଁକି ପ୍ରଭୁ ଜଗନ୍ନାଥଙ୍କ କଥାରେ ମୋ ସହିତ ଯୁକ୍ତି କରନ୍ତିନି ସିଦ୍ଧାର୍ଥ । ଅନ୍ୟ କିଛି କଥାରେ ମୋର ଏମିତି କିଛି ଆଚରଣ ଦେଖିଲେ ‘ଏତେ ପାଠଶାଠ ପଢି ଏମିତି ମଫସଲୀ ଭଳି କଣ ହେଉଛ’ କହି ଚିଡ଼େଇ ସାରନ୍ତେଣି । ଲ୍ୟାପଟପ ପରଦାରେ ଭଗବାନଙ୍କ ଉଦ୍ଦେଶ୍ୟରେ ମୋର ଯୋଡ ହସ୍ତକୁ ନେଇ ଥଟ୍ଟା ନକରି ବରଂ ଚା’ କରି ଆଣି ବସି ପଡିଥିଲେ ମୋ ପାଖରେ । ସେଦିନ ରଥଯାତ୍ରା ସେମିତି ଲ୍ୟାପ ଟପରେ ଦେଖି ମନ ବୁଝେଇ ଦେବାର ସପ୍ତାହଟିଏ ପରେ ବର୍ମିଙ୍ଗହାମରେ ଆମେ ରହୁଥିବା ଜାଗାଟିର ଅନତି ଦୂରରେ ଆୟୋଜନ ହୋଇଥିଲା ଇସ୍କନ ମନ୍ଦିର ତରଫରୁ ରଥଯାତ୍ରା ମହୋତ୍ସବ । ସେଦିନ ମତେ ବହୁତ ଖୁସି ଲାଗିଥିଲା । ଖୁସି ଝଲମଲ ହେଉଥିଲା ସିଦ୍ଧାର୍ଥଙ୍କ ମୁହଁରେ ବି । ନିର୍ଦ୍ଦିଷ୍ଟ ଦିନ ନିର୍ଘଣ୍ଟ ସମୟର ଢେର ଆଗରୁ ଆମେଦୁହେଁ ପହଂଚି ଯାଇଥିଲୁ ନିର୍ଦ୍ଧରିତ ସ୍ଥାନରେ ।
ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥାରୂଢ ହୋଇଥିଲେ । ବିରାଟ ସେ ରଥ ଠିଆ ହୋଇଥିଲା ସିଟି ସେଣ୍ଟରର ମଝି ରାସ୍ତା ରେ । ରଥ ଗଢିଥିବା କାରିଗର ମାନଙ୍କ ସହିତ ଆମର ପରିଚୟ କରାଇ ଦେଇଥିଲେ ଆମର ପୂର୍ବ-ପରିଚିତ ଡାକ୍ତର ମିତାଲି ବନ୍ଦୋପାଧ୍ୟାୟ । ସେ ହିଁ ଏଇ ରଥଯାତ୍ରା ସମ୍ପର୍କରେ ଆମକୁ ସୂଚନା ଦେଇଥିଲେ । ଦଶ ଜଣ ଯାକ ରଥ-କାରିଗର ସେଠାରେ କାମ କରୁଥିବା ବଡ଼ ନାମି, ଦାମୀ କମ୍ପାନୀର ନାମକରା ଯନ୍ତ୍ରୀ । ପେଷାରେ ଇଞ୍ଜିନିୟର ହୋଇଥିବାରୁ ଖୁବ କୌଶଳରେ ତିଆରି କରିଥାନ୍ତି ରଥଟିକୁ । ରଥ ଟଣା ଆରମ୍ଭରେ ହିଁ ତାଙ୍କର କଳା କୌଶଳ ଦୃଷ୍ଟି ଗୋଚର ହେଲା ଆମର । ରାସ୍ତା ଉପରେ ରଥର ଉପରଭାଗ ଅତିକ୍ରମ କରିବାରେ ପ୍ରତିବନ୍ଧକ ଆସିବା ମାତ୍ରେ ରଥ ଚୂଡ଼ା ର ବେଶ କିଛି ଅଂଶ ମୋଡି ହୋଇ ପଶି ଯାଉଥିଲା ଭିତର ପଟକୁ। ରଥ ର ଉଚ୍ଚତା ଏକ ତୃତୀୟାଂଶ କମିଯାଉଥିଲା ଆଉ ରଥ ସୁରୁଖୁରୁ ରେ ଗଡି ଯାଉଥିଲା ଆଗକୁ । ପ୍ରତିବନ୍ଧକ ଅତିକ୍ରମ କଲା ପରେ ପୁଣି ରଥ ସଜାଡି ହୋଇ ପୂର୍ବ ଉଚ୍ଚତା କୁ ଫେରି ଆସୁଥିଲା । ସବୁ କିଛି ମନକୁ ମନ ହେଉଥିଲା । ଇଞ୍ଜିନିୟର ମାନଙ୍କର ବୁଦ୍ଧି କୁ ତାରିଫ କରିଥିଲୁ ଆମେ । ରାସ୍ତାରେ ଆସିଥିବା ଫୁଟ ଓଭର ବ୍ରିଜକୁ ଅତିକ୍ରମ କରି ରଥ ଗଡିଚାଲିଥିଲା । ସେ ରଥଯାତ୍ରା ଏକ ଅବର୍ଣ୍ଣନୀୟ ଅନୁଭୂତି । ତିନି ଠାକୁରଙ୍କର ମୁର୍ତ୍ତୀ, ସାଜସଜ୍ଜା ସବୁକିଛି ନିଖୁଣ । ଅପୂର୍ବ ଉତ୍ସାହରେ ରଥଯାତ୍ରାର ସମସ୍ତ ନୀତିକାନ୍ତି କରୁଥିଲେ ସେମାନେ । ଭକ୍ତ ମାନଙ୍କର ଭକ୍ତି ଦେଖି ଅଭିଭୂତ ହୋଇ ପଡୁଥିଲୁ ଆମେ । ହାତରେ ଝାଡୁ ନେଇ ଦାଣ୍ଡ ପହଁରୁ ଥାନ୍ତି ଭାରତୀୟଙ୍କ ସହ ବିଦେଶୀ ନାରୀ କେତେଜଣ । କୃଷ୍ଣ ପ୍ରେମରେ ବିଭୋର ସେମାନେ। ସେମାନଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ପାଇ ଆତ୍ମବିସୃତ ହୋଇପଡ଼ିଥାନ୍ତି ସତେକି । ଭକ୍ତ ଓ ଭଗବାନଙ୍କଙ୍କ ମିଳନ ଦେଖି ବିହ୍ଵଳ ହୋଇ ଯାଉଥାଏ ମୁଁ । ବଡ଼ଦାଣ୍ଡରେ ପ୍ରଭୁଙ୍କୁ ନ ଦେଖି ପାରିବାର ଦୁଃଖ କିଛିଟା ଲାଘବ ହେଇ ଯାଉଥାଏ ଆମର । ରଥାରୂଢ ଜଗନ୍ନାଥଙ୍କୁ ସେଇଠି ବିଦେଶ ମାଟିରେ ହଜାର ହଜାର ଭକ୍ତଙ୍କ ସହ ଘଣ୍ଟ ଘଣ୍ଟାର ପବିତ୍ର ଧ୍ଵନି ଭିତରେ ଦେଖିବାର ପରମ ସୌଭାଗ୍ୟ ପାଇ ମୁଁ ତଲ୍ଲୀନ ହୋଇଯାଉଥିବା ସମୟ ରେ ହିଁ ଭେଟିଥିଲି ରୁନିକୁ । ସେଇଠି ତକେ ରାସ୍ତା କଡରେ ସେ ଓ ତାର ପୁରୁଷ ବନ୍ଧୁ ଆର୍ଥର ହାତରେ ପ୍ରସାଦ ଖାଉଥିବାର ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆମେ ବି ସେଇଠି ତାଙ୍କର ଟିକେ ପାଖରେ ବସି ପ୍ରସାଦ ଖାଇଲୁ । ଫେରିବା ସମୟରେ ଆଗ ପଛ ହୋଇ ଆମ ଆପର୍ଟମେଣ୍ଟରେ ପହଂଚିବା ପରେ ପରିଚୟ ହୋଇଥିଲା ସେମାନଙ୍କ ସହ । ଠିକ ଆମର ଉପର ଫ୍ଲାଟରେ ରହୁଥିଲେ ସେମାନେ । ସେଦିନ ଏକାଠି ଘରକୁ ଫେରିବା ଅବସରରେ ଆମେ ପରସ୍ପରକୁ ଚିହ୍ନିଥିଲୁ । ଜାଣିଥିଲୁ ଆମେ ଏକା ଆପର୍ଟମେଣ୍ଟରେ ରହୁଛୁ ବୋଲି ।
ସପ୍ତାହାନ୍ତ ଦିନ ଗୁଡିକରେ ଉପର ଘର ବାଲକୋନିରେ ବସି କେହି ଜଣେ ଗୀଟାର ବଜେଇବାର ଶୁଣିଥିଲୁ ଅନେକ ଥର । ଖୁବ ସୁମଧୁର ସେ ସ୍ୱର । କିନ୍ତୁ ଦେଖା ହୋଇନଥିଲା ସେମାନଙ୍କ ସହ ।
– ‘ଖୁବ ସୁନ୍ଦର ଗୀଟାର ବଜାନ୍ତି ଆପଣ’ – ରୁନି ଆଡକୁ ମୋର ଆଖି ନିର୍ଦ୍ଦେଶ ଥିଲେ ବି ଆର୍ଥର ଧନ୍ୟବାଦ କହିବାରୁ ମୋ ଆଖି ରୁନି ଉପରୁ ଖସି ଆସିଥିଲା ତା’ ଉପରକୁ ।
ସେଇଦିନ ଦେଖାହେବା ପରେ ବେଶ କିଛିଦିନ ଅତିକ୍ରାନ୍ତ ହୋଇଯାଇଥିଲା । କେମିତି ଗୋଟେ ଶୁନ୍ୟତା ଅନୁଭବ ହେଉଥିଲା ଉପର ଫ୍ଲାଟରେ । ଦିନେ ସିଦ୍ଧାର୍ଥ ଙ୍କୁ ପଚାରିଥିଲି,
– ‘ରୁନି ନାହିଁକି? ବହୁତ ଦିନ ହେଲା ଦେଖହୋଇନି ସେମାନଙ୍କ ସହ । ଗିଟାରର ଶବ୍ଦ ବି ଶୁଣାଯାଉନି’ ।
– ‘ଯାଉନ, ବୁଲି ଆସିବ ଉପରୁ ଘେରାଏ!’ ଥଟ୍ଟା ରେ କହିଥିଲେ ସିଦ୍ଧାର୍ଥ ।
– ‘ହଁ, ଆମ ଦେଶ ହୋଇଥିଲେ ତାଙ୍କ ଦୁଆର ଖଟଖଟ କରି ବୁଝି ଆସନ୍ତିଣି’ କହି ମୁଁ ବି ହସି ଦେଇଥିଲି ।
– ‘ଆଛା କହିଲ ଅନୁଭା, ତା ନାଁ ରୁନି ଦେଇଛ ତୁମେ, ଏକଥା ସେ ଜାଣିଛି ?’ – ସେମିତି ହସ ଲାଖିରହିଥିଲା ସିଦ୍ଧାର୍ଥଙ୍କ ମୁହଁରେ । ହସିଲି ମୁଁ
– ‘ଆରେ, ସେ ଏତେ ବଡ ନାଁ ଟେ କହିଲା ମୋର ଆଦୌ ମନେରହିଲାନି । ରୁନି, ଛୋଟ ଆଉ ସୁନ୍ଦର ନାଁଟେ । ତା’ ନାଁ ସହିତ କିଛିଟା ସାମଞ୍ଜସ୍ୟ ବି ଅଛି । ଆଉଥରେ ଦେଖାହେଲେ କହିଦେବି’ କହି ଚୁପ ହୋଇଯାଇଥିଲି । ବହୁତ ଦିନ ହୋଇଗଲାଣି ଏ ଭିରରେ । ରୁନି କୁଆଡେ ଯାଇଛି । ଉଦାସ ଲାଗୁଥିଲା ମୋ ନିଜ ସ୍ୱର ନିଜକୁ । ଭାରି ଏକୁଟିଆ ଅନୁଭବ କରିଥିଲି ତାପର ଦିନ ଗୁଡ଼ାକରେ । ଉପର ଘରର ସାମାନ୍ୟ ପରିଚୟ ହୋଇଥିବା ସେ ଦି’ ଜଣଙ୍କୁ ଖୋଜିଥିଲି ମନେମନେ ।
ହଠାତ ଦିନେ ଉପରେ ଠକଠକ ଶବ୍ଦ ଶୁଣା ଯାଇଥିଲା । ଉପର ଘରେ କାହା ଜୋତାର ଆବାଜ ସେ ।
– ‘ରୁନି ଫେରିଆସିଲାଣି’ । ସିଦ୍ଧାର୍ଥ ଅଫିସରୁ ଫେରିଲା ମାତ୍ରେ ଉଲ୍ଲସିତ ହୋଇ କହିଥିଲି ।
ରୁନି ସହ ଦେଖାହୋଇଯାଇଥିଲା ଘର ସାମ୍ନା ରାସ୍ତା ଉପରେ । ଖୁବ ଝଡି ଯାଇଥିଲା ରୁନି । ହାତରେ ବର୍ଗର ଆଉ ବିଅର କ୍ୟାନଟେ ଧରି ଆସୁଥିଲା ସେ, ଏକା ଏକା । ମୋର ଖୁସି କୂଳ ଲଙ୍ଘିଥିଲା । ମୋ ଠାରୁ ବୟସରେ ଢେର ଛୋଟ ସେ ଝିଅଟିକୁ ଦେଖି ମୁଁ ମୋର ଅତି ପ୍ରିୟ ବାନ୍ଧବୀ ଟିଏକୁ ଅନେକ ଦିନ ପରେ ପାଇଥିବାର ଖୁସି ଜାହିର କରୁଥିଲି । ସେ ବି ଖୁସି ହେଲା । ସେଇଠି ରାସ୍ତା ଉପରେ ଆମେ ବେଶ କିଛି ସମୟ ଗପିଥିଲୁ । ସେ ମୋ ନାଁ ଖୁବ ସୁନ୍ଦର ଭାବରେ ଉଚ୍ଚାରଣ କରି ମତେ ସମ୍ବୋଧନ କରୁଥିଲା ‘ଅନୁ’ । ସେ କହିପାରିବ ବୋଲି ମୁଁ ମୋ ନାଁ ଅନୁଭା ନ କହି ଅନୁ କହିଥିଲି । ମୁଁ କିନ୍ତୁ ତା ନାଁ ଆଦୌ କହି ପାରୁନଥିଲି, ଆଉ ସେଥିପାଇଁ ତା’ ନାଁ ଯେ ମୁଁ ରୁନି ରଖିଛି, ସେକଥା ବି ତାକୁ କହିବାକୁ ସଂକୋଚ ବୋଧ କରିଥିଲି । ଆମେ ଢେର ବେଳ ଗପିଲୁ । ତାପରେ ପରେ ଆମେ ଦୁହେଁ ବେଶ କିଛିଥର ଦେଖାହେଲୁ । କଥାହେଲୁ । ପରସ୍ପରର ଇଂରାଜୀ ଉଚ୍ଚାରଣକୁ ନଜର ଅନ୍ଦାଜ କରି ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଥିଲୁ । ଆମେ ଦୁହେଁ ପରସ୍ପର ସହିତ କଥାବାର୍ତ୍ତା ହେବାରେ ଏତେ ବେଶୀ ଆଗ୍ରହୀ ଥିଲୁ ଯେ ଭାଷା ଆମ ପାଇଁ ବାଧକ ହୋଇପାରିନଥିଲା । ଖୁବ ସୁନ୍ଦର ଭାବରେ ଆମ ଦୁହିଁଙ୍କ ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା । ଖୁବ ଶୀଘ୍ର ଆମେ ଘନିଷ୍ଠ ବାନ୍ଧବୀ ହୋଇଯାଇଥିଲୁ ।
ତୁଷାରପାତକୁ ନେଇ ଆମେ ଦୁହେଁ ଥିଲୁ ଖୁବ ଉତ୍ସାହିତ । ‘ବର୍ମିଙ୍ଗହାମରେ ବହୁତ ବେଶୀ ବରଫ ପଡେ ନାହିଁ । ‘ତୁଷାରପାତ ଯୋଗୁଁ କେବେ ଅଫିସ ବନ୍ଦ ହୋଇଛି ନା ପ୍ରଭାବିତ ହୋଇଛି ଜନଜୀବନ’ କହି ସିଦ୍ଧାର୍ଥ ତୁଷାରପାତ ସମୟରେ ଆଖପାଖ ଜାଗାକୁ ବୁଲିଯିବାର ଯୋଜନା କରିଥିଲେ ।
କାଚ କବାଟ ଆରପଟେ ରୁନି ଝୁରା ବରଫ ଉପରେ କଣ ସବୁ ଲେଖୁଛି । ମୁଁ ଘର ଭିରରୁ ତାକୁ ଦେଖୁଥିଲି । ମୋର ଆର୍ଥର ମନେ ପଡୁଥିଲା । ମନେ ପଡୁଥିଲା,ଏଇ କେଇଦିନ ତଳେ ମୁଁ ଅକସ୍ମାତ ଆର୍ଥରକୁ ଦେଖିଥିବା ଘଟଣା । ସେଦିନ ସକାଳେ ଆର୍ଥର ସେ ଦାଢ଼ିଆ କିଟିକିଟି କଳା ନିଗ୍ରୋ ଯୁବକଟିର ହାତରେ ହାତ ଛନ୍ଦି ଠିଆ ହୋଇଥିଲା ଆମ ଆପର୍ଟମେଣ୍ଟର ଗେଟ ପାଖରେ । ରାତିସାରା ବୋଧେ ସେମାନେ ରୁନି ଘରେ ଥିଲେ, ମଉଜ ମଜଲିସ କରି ପାର୍ଟୀ କରିଥିଲେ – ଡେରି ରାତି ଯାଏ କଳରବ ଶୁଣା ଯାଉଥିଲା ତାଙ୍କ ଘର ଭିତରୁ । ରୁନି ଅପାର୍ଟମେଣ୍ଟରୁ ବାହାରି ସେମାନଙ୍କ ପାଖକୁ ଯାଇଥିଲା । ତିନିଜଣ ଏକାଠି ମିଶି କୁଆଡେ ବୁଲିବାକୁ ଚାଲି ଯାଇଥିଲେ । ଦୂରରୁ ଗାଡିର ଶବ୍ଦ ଶୁଣାଯାଇଥିଲା । କାଇଁ, ଗୀଟାର ଶବ୍ଦ ତ ଶୁଣା ଯାଇନଥିଲା ସେଦିନ ରାତିରେ? । ମତେ ଟିକେ ଅଡ଼ୁଆ ଲାଗୁଥିଲା ସେମାନଙ୍କର ଚଳଣୀ । ସେଦିନ ପରେବି ଘରେ ରୁନି ଏକୁଟିଆ ରହୁଥିଲା । ଆର୍ଥର ଆସୁନଥିଲା ତା ସହିତ ରହିବାକୁ ।
ଯିବି, ନଯିବି ହୋଇ ଶେଷରେ ମୁଁ ଦୁଆର ଖୋଲି ରୁନି ପାଖକୁ ଗଲି । ରୁନିର ନିକଟବର୍ତ୍ତୀ ହେବା ପରେ ଦେଖିଲି ବରଫରେ ଆର୍ଥର ନାଁ ଟିକୁ ବେଶ ବଡ ବଡ ଅକ୍ଷରରେ ଲେଖିଛି ସେ । ମତେ ଦେଖି ଟିକେ ବି ଅସହଜ ହୋଇ ନଥିଲା । ବରଂ ବଡ ସହଜ ଭାବରେ କହିଲା,
– ‘ଆର୍ଥର ଏବେ ଆଉ ଜଣଙ୍କ ସହ ରହୁଛି । ସେ ଦୁହେଁ ବେଶ ଖୁସିରେ ଅଛନ୍ତି’ ।
କହିଲି ‘ଦେଖିଛି ତା ପାଟନରକୁ’ – ଟିକେ କ୍ଷୋଭ ଥିଲା ମୋ ସ୍ୱରରେ ।
ସେଇଠି ତା’ ପାଖରେ ବସିପଡି ମୁଁ ମୁଠେଇ ଧରିଲି ବରଫ ଗୁଣ୍ଡ କିଛି ହାତରେ । କିଛି ଗୋଟେ କରିବାର ସ୍ପୃହା ଆବୋରି ବସୁଥିଲା ମତେ । ବୋଧେ କେତେବର୍ଷ ପରେ ପୁଣି ଥରେ ମୁର୍ତ୍ତୀ ଗଢିବାର ପ୍ରୟାସ କରୁଥିଲି ମୁଁ । କିଛି ସମୟରେ ଚୁନା ଚୁନା ବରଫ ଉପରେ ଏକ ଯୁଗଳ ନାରୀ ମୁର୍ତ୍ତୀର ରୂପ ସ୍ପଷ୍ଟ ଦେଖାଗଲା । ଆଲିଙ୍ଗନ ମୁଦ୍ରାରେ ଠିଆ ହୋଇଥିଲେ ଦୁଇ ବାନ୍ଧବୀ । ଅନେକ ଦିନ ପରେ ମୋ ହାତରେ ଏତେ ସୁନ୍ଦର ମୁର୍ତ୍ତୀ ଦିଓଟି ଉତୁରିଛି । ସମୁଦ୍ର ବାଲିରେ ସ୍ୟାଣ୍ଡ ଆର୍ଟ କରିଛି ଆଗରୁ । ଖୁବ ଆଗ୍ରହ ଥିବାରୁ କିଛି ତାଲିମ ବି ନେଇଥିଲି ସେତେବେଳେ । କିନ୍ତୁ ତାପରେ ଅନେକ ବର୍ଷ ହେଲାଣି ବାଲିକୁ ନେଇ ମୁର୍ତ୍ତୀ ଗଢିବାର ସୁଯୋଗ ପାଇନଥିଲି । ଆଜି ଅନେକ ଦିନ ପରେ ବରଫ ଗୁଣ୍ଡରେ ମୁଁ ନିଜେ କରିଥିବା ସେଇ ମୂର୍ତ୍ତିକୁ ଦେଖି ମୁଁ ବି ଅବାକ ହୋଇଯାଇଥିଲି । କେତେ ସମୟ ବିତି ଗଲାଣି ଏ ଭିତରେ । ଫପ୍ସା ବରଫ ଗୁଣ୍ଡବି ଶକ୍ତ ହୋଇ ଆସିଲାଣି । ରୁନିର ଆଖିରେ ବିସ୍ମୟ । ସିଦ୍ଧାର୍ଥ କେତେବେଳେ ଆସିଲେ !
– ‘କୋଣାର୍କ ର ଲାସ୍ୟମୟୀ ମୁର୍ତ୍ତୀ ତୁମେ ତିଆରି କରିଛ ଅନୁଭା?’ । କି ସୁନ୍ଦର’ । ରୁନି ବି ମୁଗ୍ଧ ହୋଇ ବସିଛି ମୋ ପାଖରେ ସେତେବେଳୁ । ଉଭୟ ସିଦ୍ଧାର୍ଥ ଓ ରୁନି ମୂର୍ତ୍ତିର ଫଟୋ ଉଠେଇନେଲେ ।
ସେଇ ମୁର୍ତ୍ତୀ ଗଢିବାରେ ରୁନିର ଅନଭ୍ୟସ୍ତ ହାତର ସହଯୋଗ ବି ରହିଥିଲା । ମୋ ସହିତ ମୁର୍ତ୍ତୀ ଗଢିବା ସମୟରେ ରୁନି ମଝିରେ ମଝିରେ ଯାଇ ତାର ଲେଖାଟିରେ ହାତ ମାରି ସଜାଡି ଦେଇ ଆସୁଥିଲା । ଅଳ୍ପ ଅଳ୍ପ ତୁଷାରପାତ ଏବେବି ହେଉଥିଲା । ରୁନି କହିଥିଲା ପ୍ରଥମ ତୁଷାରପାତର ବରଫ ଉପରେ ମାନସିକ କରି କିଛି ଲେଖିଲେ କୁଆଡେ ମାନସିକ ପୂରଣ ହୁଏ । ସେ ଆହୁରି ବି କହିଥିଲା ସେସବୁରେ ତାର ବିଶ୍ୱାସ ନଥିଲେ ବି ଆଜି ସେ ଆର୍ଥରର ନାଁ ଲେଖିଛି ପ୍ରଥମ ତୁଷାରପାତର ବରଫ ଉପରେ । ହୁଏତ ବରଫ ଉପରେ ଲେଖିବା ଫଳରେ ଆର୍ଥର ତା’ ପାଖକୁ ପୁଣି ଫେରିଆସିବ । ବରଫ ଉପରେ ଦୀର୍ଘ ସମୟ ସ୍ପଷ୍ଟ ହୋଇ ରହିଥିବା ଲେଖା ହିଁ ଆର୍ଥରର ତା ପ୍ରତି ଭଲପାଇବାର ମାପକାଠି ହେବ । ଗୋଟେ ଲମ୍ବା ସମୟ ପାଇଁ ସେଇ ଅକ୍ଷର ଗୁଡିକୁ ଦେଖି ଆର୍ଥରକୁ ପୁଣି ଫେରିପାଇବାର ଆଶା ଗଭୀର ହେବ । ରୁନି ଏକଥା କହିବା ସମୟରେ ତା ଆଖିରେ ମୁକ୍ତା ପରି ଚକଚକ ହେଉଥିବା ଦୁଇ ବୁନ୍ଦା ଲୁହ ମୋ ନଜର ରେ ଆସିଥିଲା । ଭିତରେ ଭିତରେ ଖୁବ ଭାବପ୍ରବଣ ହୋଇ ପଡୁଥିଲା ରୁନି ।
– ‘ହାଏ , ମୁଁ ସିଦ୍ଧାର୍ଥ’ – ଅନେକ ଦିନପରେ ଦେଖା ହୋଇଥିଲା ରୁନିର ସିଦ୍ଧାର୍ଥଙ୍କ ସହ । ବୋଧହୁଏ ସେଇ ପ୍ରଥମ ସାକ୍ଷାତ ପରେ ଆଉ ଦେଖା ହୋଇନି ସେମାନଙ୍କର । ସିଦ୍ଧାର୍ଥ ପୁଣିଥରେ ନିଜର ପରିଚୟ ଦେଇ କହିଥିଲେ ।
– ‘ଆଇ ଆମ ରୁନି’ – ନିଜର ପରିଚୟ ଦେଲା ସେ । ମୁଁ ଚମକି ଚାହିଁଲି । ବୋଧହୁଏ ଏ ଭିତରେ ରୁନି ନାମରେ ମୁଁ ତାକୁ ସମ୍ବୋଧନ କରିଥିଲି ବାରମ୍ବାର ମୋ’ ଅଜାଣତରେ, ମୁର୍ତ୍ତୀ ଗଢିବା ଭିତରେ – ଆଉ ବୋଧହୁଏ ରୁନି ଗ୍ରହଣ କରି ନେଇଥିଲା ତାର ଏ ନୂଆ ନାଁଟିକୁ ।
କିଏ କହେ ପାଶ୍ଚାତ୍ୟ ଦେଶର ଲୋକମାନେ ସଂବେଦନଶୀଳ ନୁହଁନ୍ତି, କିଏ କହେ ଭାବପ୍ରବଣତାର ବନ୍ଧନ ସେମାନଙ୍କ ପାଇଁ ଶିଥିଳ ବୋଲି? ହୃଦୟ ସଭିଙ୍କ ପାଖରେ ଅଛି । ଆଉ ହୃଦୟର ଭଙ୍ଗାଗଢ଼ା ସବୁଠି ହେଉଛି – ସେ ପ୍ରାଚ୍ୟ ହେଉ କି ପାଶ୍ଚାତ୍ୟ ।ରୁନି ତାର ଲମ୍ବା ନାଁ ନକହି, ମୁଁ ତାକୁ ସମ୍ବୋଧନ କରୁଥିବା ଛୋଟ ନାଁ’ଟିରେ ନିଜର ପରିଚୟ ଦେଲା ।
ମୋର ଘନିଷ୍ଠ ହୋଇ ଠିଆ ହୋଇଥିଲା ସେ । ଧୀରେ ଧୀରେ ମୁର୍ତ୍ତୀ ଗୁଡିକ ଉପରେ ଝରିପଡୁଥିଲା ମେଞ୍ଚା ମେଞ୍ଚା ବରଫ ଗୁଣ୍ଡ । ମୂର୍ତ୍ତିର ଆକାର ପରିବର୍ତ୍ତନ ହୋଇଯାଉଥିଲା ସେଇ ବରଫ ଗୁଣ୍ଡର ସ୍ପର୍ଶରେ । ଆର୍ଥର ଶବ୍ଦଟି ଉପରେ ବି ଝରିପଡୁଛି ବରଫ । ବେଳକୁ ବେଳ ନିଷ୍ପ୍ରଭ ଦିଶୁଛି ସେ ଅକ୍ଷର ସବୁ । ରୁନି ଖୁବ ସ୍ନେହରେ ସେ ଅକ୍ଷର ଉପରୁ ଝାଡ଼ିଦେଲା ଅନାବଶ୍ୟକ ବରଫ ଗୁଣ୍ଡ କିଛି – କହିଲା, ‘ଏବେବି ଆର୍ଥର ନାଁ ଟି କେତେ ଗଭୀର ଦିଶୁଛି । କେତେ ସ୍ପଷ୍ଟ ଦିଶୁଛି’ ।
କହନ୍ତି, ଆଖି କଥା କହେ । ହୃଦୟର କଥା ଆଖିରେ ଆତ୍ମ ପ୍ରକାଶ କରେ । ରୁନିର ଆର୍ଥର ପ୍ରତି ଗଭୀର ଭଲ ପାଇବା ରୂପ ପାଉଥିଲା ତ’ ଆଖିରେ । ତୁଷାରପାତରେ କ୍ରମଶଃ ପୋତି ହୋଇ ପଡୁଥିବା ସେ ଲେଖିଥିବା ଅକ୍ଷର ଗୁଡିକ ସେଇ ଭଲ ପାଇବାର ରଙ୍ଗରେ ମାଖିହୋଇ ଅଧିକରୁ ଅଧିକ ଉଜ୍ଜ୍ଵଳ ଦିଶୁଥିଲା ରୁନିର ଆଖିକୁ । ମୋ ଆଖିରେ କିନ୍ତୁ ଆର୍ଥର ଲେଖାଟି ନୁହେଁ, ରୁନିର ତା ପ୍ରତି ନିଛକ ଭଲପାଇବା ସୁସ୍ପଷ୍ଟ ଆଉ ସୁଗଭୀର ଦିଶୁଥିଲା । ପ୍ରଥମ ତୁଷାରପାତର ବରଫ ଉପରେ ସେ ଲେଖିଥିବା ଆର୍ଥର ନାଁ’ର ଅକ୍ଷର ସବୁ ସିଧା ଉତୁରି ଆସି ଲିପିବଦ୍ଧ ହୋଇଯାଇଥିଲା ରୁନିର ହୃଦୟ ଭିତରେ, ଆଉ ପ୍ରତିଫଳିତ ହେଉଥିଲା ତ’ ଆଖିରେ ।
(ପୂଜା ସଂଖ୍ୟା 2021 ପଶ୍ଚିମାରେ ପ୍ରକାଶିତ)
****