ବାପାଙ୍କ ପୁରୁଣା ବାକ୍ସ ଭିତରୁ ଚିଠି ପୁଳାକ ଧରି ଏପଟ ସେପଟ କରୁଥିଲେ ବୃନ୍ଦାବନ । ସାତ ବର୍ଷ ହେଲାଣି ବାପା ଚାଲିଗଲେଣି । ବୋଉ ଥିଲାବେଳେ ବାପାଙ୍କ ଅବର୍ତ୍ତମାନରେବି ବାପାଙ୍କ ହାତ-ବାକ୍ସରେ ହାତ ମାରି ନଥିଲେ କେହି । ବୋଉ ଯିବାର ତିନିମାସ ହୋଇଗଲାଣି ଏ ଭିତରେ । ବୃନ୍ଦାବନ ଘରର ବଡ଼ପୁଅ । ତାଙ୍କ ତଳକୁ ତଳ ତିନି ଭଉଣୀ । ସାନ ଭାଇ ଚୈତନ୍ୟ ଆଠ ବର୍ଷ ସାନ ହେଲେ ବି ବାପ ପରି ମାନେ । ଆଜି ସେ ବାପାଙ୍କ ହାତ-ବାକ୍ସ ଖୋଲିଲାବେଳେ ତିନି ଭଉଣୀ ପାଖରେ ନଥିଲେ । ସାନଭାଇ ପିଲାପିଲିଙ୍କ ସହ ତା’ ଚାକିରୀ ଜାଗାରେ । ବୋଉ ଶେଷ କେଇମାସ ବୃନ୍ଦାବନଙ୍କ ପାଖରେ ଭୁବନେଶ୍ୱରରେ ଥିଲା । ବୋଉ ଯିବାପରେ ତା’ରି କ୍ରିୟାକର୍ମ କରିବାକୁ ଗାଁକୁ ଆସିଥିଲେ ସେତେବେଳେ ସଭିଏଁ । ଏଥର ସମସ୍ତଙ୍କୁ ଗାଁକୁ ଆସିବାକୁ ଡାକିଥିଲେ ବୃନ୍ଦାବନ । ସମସ୍ତଙ୍କ ଉପସ୍ଥିତିରେ ଘରର ଜିନିଷ ପତ୍ର ଦେଖି କିଛି ନିଷ୍ପତ୍ତି ନେବାକୁ ତାଙ୍କର ଇଛା ଥିଲା । ଭଉଣୀ ମାନେ ଆସିବାକୁ ମନା କରିଦେଲେ । ବାପାବୋଉ ନଥିବା ଘର ଭାଇମାନଙ୍କର । ଆମର ସେଠି କି କାମ? ସେ ଜିନିଷ ପତ୍ର ତୁମେ ଦି’ ଭାଇ ଦେଖାରଖା କର । ଆମେ ଖାଲି ବୁଲିବାକୁ ଆସିବୁ । ତିନି ଭଉଣୀ ନିଜ ଭିତରେ କଥା ହୋଇଥିଲେ କି କଣ; ଏକା କଥା ତିନିହେଁ କହିଥିଲେ ।
ଚୈତନ୍ୟ ଛୁଟି ପାଇ ନଥିଲା । ଆସିପାରିବନି କହିବା ସହ ଭାଇଙ୍କ ନିଷ୍ପତ୍ତିରେ ତାର କିଛି ଦ୍ଵିମତ ନାହିଁ ବୋଲି କହିଦେଲା ସମସ୍ତଙ୍କୁ । ଆସିବେ ନ ଆସିବେ ହୋଇ ଶେଷକୁ ଘରେ ଥରେ ବୁଲିଯିବେ ବୋଲି ସ୍ଥିର କରି ଆସିଥିଲେ ବୃନ୍ଦାବନ । ବାପାଙ୍କ ହାତ-ବାକ୍ସଟା ଆଖିରେ ପଡି ନଥିଲେ ଖାଲି ବୁଲିଦେଇ ଫେରି ଯାଇଥାନ୍ତେ ସେ । କନକ ଘରେ ନ ପଶି ଆଗ ପଡିଶା ଘରକୁ ଚାଲି ଗଲେଣି । ସେଇ ଘରେ ତାଙ୍କ ପିଲା ଦିନର ବଉଳ ବୋହୂ ହୋଇଛି । ସେମାନେ ଏଇଠି ଗାଁରେ ରହନ୍ତି । ‘ତା ସହ ଦୁଃଖସୁଖ ହୋଇ ଆସେ ଟିକେ’ – କହି ରିକ୍ସାରୁ ଓହ୍ଲେଇ ପଡି କନକ ବଡ଼ବଡ଼ ପାହୁଣ୍ଡ ପକେଇ ପଡିଶା ଘରକୁ ଚାଲି ଯାଇଥିଲେ । ଭୁବନେଶ୍ୱରରୁ ବଉଳ ପାଇଁ କଣ କଣ କିଣି ସାଙ୍ଗରେ ଆଣିଥିବା ଛିଟ କନାର ବ୍ୟାଗଟି ବି ନେଇ ଯାଇଥିଲେ ସାଙ୍ଗରେ ।
ବୃନ୍ଦାବନ ଖୋଲିଥିଲେ ବାପାଙ୍କ ହାତ-ବାକ୍ସ । ବାକ୍ସ ଭିତରେ କେତେକଣ ରଖିଛନ୍ତି ବାପା । ସେସବୁ ବୃନ୍ଦାବନଙ୍କ ପାଇଁ କେବଳ ଏଣୁ ତେଣୁ ଅଦରକାରୀ ଜିନିଷ । କିନ୍ତୁ ହୁଏତ ସେସବୁ ଜିନିଷ ଗୁଡିକ ସହ ବାପାଙ୍କର ବଡ ଭାବଗତ ସମ୍ପର୍କ ଥିବ । ସେଇଥିପାଇଁ ତ ବାପା ତାକୁ ହାତ-ବାକ୍ସରେ ସାଇତି ରଖିଥିଲେ । ବୃନ୍ଦାବନ ବାକ୍ସରୁ ଉଠାଇ ନେଲେ ଛୋଟ ଗୋଟେ କଜଳପାତି । ରୁପାର କଜଳପାତିଟି ଅଯତ୍ନରେ କଳା ପଡିଯାଇଛି । ବୋଧହୁଏ ସେଇଟି ବାପାଙ୍କର ପ୍ରିୟ ଜିନିଷ ମାନଙ୍କରୁ ଗୋଟିଏ ହୋଇଥିବ । ବୃନ୍ଦାବନଙ୍କର ମନେ ପଡିଯାଇଥିଲା ପିଲାଦିନର କଥା । ଘରର ବଡ଼ ପୁଅ ସେ । ଏଇ କଜଳପାତିରୁ କଜଳ କାଢି ସାନ ଭାଇ ଭଉଣୀଙ୍କୁ ବୋଉ କଜଳ ଲଗେଇ ଦେଉଥିବାର କ୍ଷୀଣ ସ୍ମୃତି ତାଜା ହୋଇ ଆସିଲା । ହାତରେ ଲାଗିଲା ସେଇ ଗୁଆ କାତିଟି ଯେଉଁଟାକୁ ନେଇ ଜେଜେମାଆ ସାଙ୍ଗରେ କେତେ ଲୁଚା-ଛପା ଖେଳ ଖେଳିଥିଲେ ସେମାନେ । ଗୁଆକାତିଟି ଜେଜେମାଆ ରଖିଥିଲା ଜେଜେବାପାଙ୍କ ସନ୍ତକ କରି । ସେଇଥିରେ ସେ ବି ଗୁଆ କାଟେ । ଟିକେ ବେଢଙ୍ଗ ହୋଇ ଯାଇଥିବା ସେଇ ଗୁଆକାତିରେ ଭଲରେ କଟି ନ ପାରୁଥିଲେ ବି ଗୁଆକାତି ବଦଳା ହେବା କଥା ଜେଜେମାଆ ଆଦୌ ଗ୍ରହଣ କରି ପାରେନା । ପିଲାବେଳେ ଗୁଆକାତିଟି ଲୁଚେଇ ଦେଇ ମଜା ଦେଖନ୍ତି ସେମାନେ ଭାଇ ଭଉଣୀ ପାଞ୍ଚଜଣ । ବୃନ୍ଦାବନଙ୍କର ପିଲାଦିନର ସବୁ ସ୍ମୃତି ବେକକୁ ବେଳ ତାଜା ହୋଇ ରୂପ ନେଉଥିଲା କ୍ଷଣିକ ପୂର୍ବରୁ ବାପାଙ୍କର ହାତ-ବାକ୍ସର ସେଇ ଫିଙ୍ଗା ଫୋପଡାହେବାକୁ ଯୋଗ୍ୟ ମନେ ହେଉଥିବା ଜିନିଷ ମାନଙ୍କ ଭିତରେ । ଆହୁରି ଆହୁରି ଘାଣ୍ଟି ଚାଲିଲେ ବୃନ୍ଦାବନ ସେଇ ଛୋଟ ବାକ୍ସ ଟିକୁ । ଛୋଟ ପିଲାଟିଏ ପରି ବାକ୍ସ ଭିତରଟା ଦରାଣ୍ଡି ପକାଇଲେ । ବାକ୍ସ ଭିତରୁ ବାହାରି ଆସିଥିଲା ଚିଠି ପୁଳାକ, ଆଉ ଅଧା ଭିତରେ ଅଧା ବାହାରେ ହୋଇ ଖେଳେଇ ହୋଇ ପଡ଼ିଥିଲା । ସେ ଭିତରେ ଥିଲା ନୀଳ ଲଫାପା ଟି । କାହିଁକି କେଜାଣି ଚଟ୍ କରି ସେଇଟା ତାଙ୍କ ଆଖିରେ ପଡ଼ିଲା । ଏଇଟା ସେ ବାପାଙ୍କୁ ଦେଇଥିବା ନୀଳ ଲଫାପା ଗୁଡାକ ଭିତରୁ ଗୋଟେ । ମନ ଭିତରେ ଉଙ୍କି ମାରୁଥିଲା ନୀଳ ଲଫାପା ପଛର କାହାଣୀ ।
ଲଫାପା ଉପରେ ଓଡ଼ିଆରେ ଲେଖା ଠିକଣା । କିଏ ଲେଖିଛି ଓଡ଼ିଆରେ? ପ୍ରେରକ ଜାଗାଟିରେ ପୋଷ୍ଟାଲ ଷ୍ଟାମ୍ପ ବାଜି ଅସ୍ପଷ୍ଟ ଦିଶୁଛି । ଚେଷ୍ଟା କଲେ ମଧ୍ୟ ପଢି ହେଉନାହିଁ । ବୃନ୍ଦାବନ ଲଫାପା ଭିତରୁ ବାହାର କଲେ ମାଟିଆ କାଗଜ ଖଣ୍ଡେ । ଲଫାପାଟି ଉପରେ ଆଉ କାହା ହାତର ଅସ୍ପଷ୍ଟ ଅକ୍ଷର; କିନ୍ତୁ ଲଫାପାର ଭିତର ପଟେ ଗୋଲ ଗୋଲ ଅକ୍ଷରରେ ବାପା ଲେଖିଥିବା ବୃନ୍ଦାବନର ହଷ୍ଟେଲ ଠିକଣା । ସେଇ ଅକ୍ଷର ଗୁଡିକରେ ବାପାଙ୍କ ମୁହଁ ଦିଶୁଥିଲା । ଲୁହ ଜକେଇ ଆସିଲା ଆଖିରେ । ଲଫାପା ଟିଏ ପାଇଲେ ସଜାଡି ରଖନ୍ତି ବାପା । ସେଇ ଲଫାପାକୁ ଓଲଟାଇ ଅଠା ମାରି ନୂଆଟିଏ ପ୍ରସ୍ତୁତ କରନ୍ତି ଆଉ ଷ୍ଟାମ୍ପ ଲଗାଇ ଚିଠି ପଠାନ୍ତି । ସେମିତି କିଛି କାଗଜ ପତ୍ରର ଗୋଟିଏ ପଟେ ଲେଖାଥାଇ ଅନ୍ୟ ପଟ ଖାଲି ଥିଲେ ସେଇଟିକୁ ମଧ୍ୟ ଚିଠିପତ୍ର ଲେଖିବାରେ ବ୍ୟବହାର କରନ୍ତି । ବୃନ୍ଦାବନ ଦିନେ ନୀଳ ରଙ୍ଗର ଲଫାପା କିଛି ନେଇ ଆସିଥିଲେ ବାପାଙ୍କ ପାଇଁ । ବାପାଙ୍କର ଅଭିନବ ଉପାୟରେ ପ୍ରସ୍ତୁତ ଲଫାପାସବୁ ସାଙ୍ଗ ମାନଙ୍କ ଆଖିରେ ପଡି ସେ ଉପହାସିତ ହୋଇଥିବା କଥାଟି ଲୁଚାଇ ଦେଇ ସୁନ୍ଦର ନୀଳ ଲଫାପାରେ ଚିଠି ଲେଖି ପଠାଇବା ପାଇଁ ଖୁବ ଉତ୍ସାହିତ କରିଥିଲେ ବାପାଙ୍କୁ । ବାପା ସେଇ ନୀଳ ଲଫାପାରେ କେବଳ ତାଙ୍କୁ ହିଁ ଚିଠି ଲେଖୁଥିଲେ । ବୃନ୍ଦାବନ ବଡ଼ ବଡ଼ ଅକ୍ଷରରେ ଲେଖାଥିବା ତାଙ୍କ ରୁମ୍ ନମ୍ବର ଓ ହଷ୍ଟେଲ ଠିକଣା ବି ପୁରା ପଢି ପାରୁଥିଲେ ଲଫାପା ଭିତରପଟୁ । କିଏ ସେ ତାଙ୍କ ଲଫାପାଟି ନେଇ ବାପାଙ୍କ ପରି ସେଇଟିକୁ ଓଲଟାଇ ଅଠା ମାରି ଚିଠି ପଠେଇଛି, ପୁଣି ବାପାଙ୍କ ପାଖକୁ? ଚାରି-ଚଉତା ମାଟିଆ କାଗଜଟିକୁ ଖୋଲି ପକାଇଲେ ବୃନ୍ଦାବନ । ଚିଠିଟିରେ ସମ୍ବୋଧନ ଅଛି ବାପା । କାଇଁ ସେ ତ କେବେ ଏମିତି ଚିଠିଟେ ଲେଖି ନାହାନ୍ତି ! ବରଂ ସେମିତି ବ୍ୟବହୃତ ଲଫାପା ବାପା ନ ପଠାଇବାକୁ ପ୍ରକାରନ୍ତରେ ଅନେକଥର କହିଥିବେ ବାପାଙ୍କୁ । ମାଟିଆ କାଗଜରେ କିଏ ପଠେଇଛି ଏ ଚିଠି ! ତା ପୁଣି ବାପା ବୋଲି ସମ୍ବୋଧନ କରି !!
ଦୁଇ ପୃଷ୍ଠାର ସେ ଚିଠିଟିକୁ ତରତର ହୋଇ ଓଲଟାଇ ଏପଟ ସେପଟ ଦେଖି ନେଲେ ବୃନ୍ଦାବନ । ଚିଠି ଶେଷରେ ନାଁ ଲେଖାଅଛି ନିଳାମ୍ବର । ଦୀର୍ଘ ଆଠ ବର୍ଷପରେ ନିଳାମ୍ବର ଓରଫ ନିଲୁକୁ ପୁଣିଥରେ ମନେ ପକେଇଲେ ବୃନ୍ଦାବନ । ବଡ଼ ଲୋକ ଘରର ପୁଅ ନୀଲୁ । କଲେଜକୁ ଗାଡ଼ିରେ ଆସେ । ଡ୍ରାଇଭର ଗାଡିର ଦୁଆର ଖୋଲି ଧରିଲେ ନିଳାମ୍ବର ଗାଡିରୁ ଓହ୍ଲାଏ । କଲେଜରେ ୟୁନିଫର୍ମ ପିନ୍ଧିବାର ପ୍ରଥା ନଥିଲେ ବି ନିଳାମ୍ବର ସବୁବେଳେ ଗୋଟେ ମାଟିଆ ପ୍ୟାଣ୍ଟ ଆଉ ଚମ୍ପା ରଙ୍ଗର ସାର୍ଟ ପିନ୍ଧି କଲେଜ ଆସେ । ଦୀର୍ଘ ଚେହେରା, ଖଣ୍ଡା ନାକ, ଆୟତ୍ତ ଆଖିରେ ନିଳାମ୍ବର କେଉଁ ରାଜକୁମାରଠାରୁ କମ ଦିଶେନା । କେମିତି ଗୋଟେ ଦୁର୍ବଳତା ଆସିଯାଏ ବୃନ୍ଦାବନଙ୍କର ନିଳାମ୍ବର ପ୍ରତି । ଦେଖିବାକୁ ଟିକେ ବାଙ୍ଗରା, ସାବନା ରଙ୍ଗ ତାଙ୍କର । ନିଳାମ୍ବର ଆଗରେ ଭାରି ଫିକା ଫିକା ଦିଶନ୍ତି ସେ । ନିଳାମ୍ବର ଭଲ ପଢେ । ବୃନ୍ଦାବନ ବି । ଉଭୟେ ସାହିତ୍ୟକୁ ଭଲ ପାଆନ୍ତି । ଉଭୟେ କଳାପ୍ରିୟ । ଚେହେରାର ଅସାମଞ୍ଜସ୍ୟ କିନ୍ତୁ ଚରିତ୍ରରେ ଅସାମାନ୍ୟ ସାଦୃଶ୍ୟ ବୃନ୍ଦାବନଙ୍କୁ ଖୁବ ନିକଟତର କରାଇଥିଲା ନିଳାମ୍ବରର । ପରସ୍ପର ପ୍ରତି ସମ୍ମାନ ବଢିବା ସହ ଦୁହେଁ ହୋଇ ଯାଇଥିଲେ ଘନିଷ୍ଠ ବନ୍ଧୁ । ନିଳାମ୍ବର ସେତେବେଳେ ଯୁଗ୍ମ ପରିବାରରେ କଲେଜଠାରୁ ବେଶ ଦୂରରେ ରହୁଥିଲା । କିଛି ଦିନ ପରେ ସେ ହଷ୍ଟେଲରେ ଆସି ରହିଲା । ଗାଡ଼ିରେ ଏତେ ଦୂର ଯିବା ଆସିବା କରି ପାଠ ପଢିବାକୁ ଅସୁବିଧା ହେଉଛି ବୋଲି କହି ଘର ଲୋକଙ୍କୁ ରାଜି କରେଇ ନେଇଥିଲା ସେ । ହଷ୍ଟେଲରେ ରୁମମେଟ ହୋଇ ରହିଲେ ସେମାନେ ଦୁହେଁ । ବୃନ୍ଦାବନ ପୁରୁଣା ଦିନ ଗୁଡିକୁ ସାଉଁଟି ନେଉଥିଲେ ନିଜ ସ୍ମୃତିର ଇଲାକାରୁ । ଏକା ନିଳାମ୍ବର ଆଗରେ ସେ ତାଙ୍କର ପୁରା ମନଟିକୁ ଖୋଲି ଦିଅନ୍ତି ।
ହଷ୍ଟେଲ ଛାଡିବା ପରେ କିଛିଦିନ ଚିଠିପତ୍ରର ସମ୍ପର୍କ ଥିଲା । ସମୟ ବଦଳିବା ସହ ଚିଠି ପତ୍ରର ଆଦାନ ପ୍ରଦାନ କମିଗଲା । ନିଳାମ୍ବର ଦେଉଥିବା ସବୁ ଚିଠିର ଉତ୍ତର ଫେରାଇ ପାରୁ ନଥିଲେ ସେ । ପୋଷ୍ଟ ଅଫିସ ତା’ ଜାଗାରେ ଥିଲା । ଖାକି ପୋଷାକ ପିନ୍ଧି ଚିଠିଭର୍ତ୍ତି ବ୍ୟାଗଟିକୁ ସାଇକେଲରେ ଝୁଲାଇ ପୋଷ୍ଟ ମ୍ୟାନ ବି ନଜରରେ ଆସୁଥିଲେ । କେବଳ ବେଳକୁ ବେଳ ସେଇ ଚିଠି ବ୍ୟାଗର ମୋଟେଇ କମିଗଲା, ଆଉ ସାହି ବସ୍ତି ଗଳି ଭିତରକୁ ପୋଷ୍ଟମ୍ୟାନଙ୍କ ଯିବା ଆସିବା ମଧ୍ୟ । ସମସ୍ତଙ୍କ ପରି ଚିଠି ଲେଖିବାର ଅଭ୍ୟାସ ଛାଡି ଛାଡି ଆସିଥିଲା ବୃନ୍ଦାବନଙ୍କର । ଆଉ ସେଇଥିପାଇଁ ନିଳାମ୍ବର ପରି ଘନିଷ୍ଠ ବନ୍ଧୁଙ୍କ ସହ ମଧ୍ୟ ଯୋଗାଯୋଗ ଶେଷ ହୋଇଗଲା । ଧୀରେ ଧୀରେ ନିଳାମ୍ବର ଓ ନିଜର ପରି ଲାଗୁଥିବା ପୁରୁଣା ସାଙ୍ଗ ମାନଙ୍କ ସ୍ମୃତି ଝାପ୍ସା ହୋଇଆସିଲା । ଏପରିକି ବାପା ବୋଉଙ୍କୁ ମଧ୍ୟ ଚିଠି ଲେଖି ନଥିଲେ ଆଉ । ଫୋନ କରି ମଝିରେ ମଝିରେ କଥାବାର୍ତ୍ତା ହୋଇ ସାରିଲା ପରେ ଚିଠି ଲେଖିବାର ଆବଶ୍ୟକତା ଅନୁଭବ କରି ପାରିଲେନି ବୃନ୍ଦାବନ ।
ଆଠ ବର୍ଷ ତଳେ ଦେଖା ହୋଇଥିଲା ନିଳାମ୍ବର ସହ ଭୁବନେଶ୍ୱର ଏୟାରପୋର୍ଟରେ । ଖୁବ ଶୁଖିଲା ଦିଶୁଥିଲା ସେ । ମୁମ୍ବାଇ ୟୁନିଭରସିଟିରେ ଗୋଟେ ସେମିନାରରେ ଯୋଗ ଦେଇ ବୃନ୍ଦାବନ ଫେରୁଥିଲେ । ନିଳାମ୍ବର ଚେନ୍ନାଇରୁ ଆସିଥିଲା । ସେଇଠି ହଠାତ ଦୁହେଁ ଦୁହିଁଙ୍କୁ ଦେଖି ଖୁବ ଖୁସି ହୋଇ ଯାଇଥିଲେ । ନିଳାମ୍ବର ବୃନ୍ଦାବନଙ୍କୁ ଟାଣିନେଇ ବସେଇ ଦେଇଥିଲା ଗୋଟେ ଚେୟାର ଉପରେ, ଆଉ ତାର ଘନିଷ୍ଠ ହୋଇ ବସି ପଡିଥିଲା ପାଖ ଚେୟାରରେ । କେତେ କଣ ସବୁ ଗପିଥିଲେ ସେମାନେ । ସବୁ ସେଇ କଲେଜ ବେଳର ଗପ । ଖୁବ ବେଶୀ ପ୍ରଗଳଭ ଲାଗୁଥିଲା ନିଳାମ୍ବର । ଚେନ୍ନାଇରେ ସେ ରହୁଥିବା ଆଶ୍ରମ ବିଷୟରେ ବି ବହୁତ କିଛି ଗପିଥିଲା ସେ । ସେ ଭିତରେ ବୃନ୍ଦାବନ ଫୋନ କରି ଘରକୁ ଟିକେ ଡେରିରେ ଫେରିବେ ବୋଲି ଜଣେଇ ଦେଇଥିଲେ କନକଙ୍କୁ । ନିଳାମ୍ବର ବି କାହାକୁ ଫୋନ କରିବ ବୋଲି ଉଠି ଯାଇଥିଲା ଟିକେ ଦୂରକୁ । ସେଇଠି ସେଦିନ ଦେଖାହେବା ପରଦିନ ସମ୍ବାଦପତ୍ରରୁ ସ୍ଥାନୀୟ ସମ୍ବାଦ ଟିଏ ଦେଖେଇ କନକ କହିଥିଲେ, ‘ଆରେ ତୁମ ସାଙ୍ଗ ନିଳାମ୍ବର ଅସୁସ୍ଥ ଥିବାରୁ ଗତ କାଲି ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଉଥିବା କବି ସମ୍ମିଳନୀରେ ଯୋଗ ଦେଇ ପାରି ନଥିଲେ ବୋଲି କଣ ବାହାରିଛି ଏଥିରେ । ସେଇଠି ସମ୍ବର୍ଦ୍ଧନା ପାଇଥିବା କିଛି ଗାଳ୍ପିକ ଓ କବିଙ୍କ ନାଁ ବି ପ୍ରକାଶ ପାଇଛି । ନିଳାମ୍ବର କବିତା ଲେଖନ୍ତି ବୋଲି କହୁଥିଲ । ତାଙ୍କ କବିତା ପଢ଼ିବାର ସୁଯୋଗ ଆମକୁ କେବେ ମିଳିବ?’ ବୃନ୍ଦାବନ କନକଙ୍କ ହାତରୁ ସମ୍ବାଦପତ୍ରଟି ନେଇ ପୁରା ସମ୍ବାଦଟି ପଢିଥିଲେ, ଆଉ ଜାଣି ପାରିଥିଲେ ନିଳାମ୍ବର ସେଇ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିଥିବା ସତ୍ତ୍ୱେ ତାଙ୍କ ସହ ସମୟ କଟେଇଛି । ଦେହ ଖରାପ ବାହାନାରେ ଯୋଗ ଦେଇନି ସେ ସମ୍ବର୍ଦ୍ଧନା ସଭାରେ । ନିଳାମ୍ବର ସତରେ ଅସୁସ୍ଥ ଥିଲା କି? ଭାରି ଶୁଖିଲା ଦେଖା ଯାଉଥିଲା । ନିଳାମ୍ବରକୁ ବହେ ଗାଳି ଦେବେ ବୋଲି ନିଷ୍ପତ୍ତି ନେଇ ଫୋନ ଲଗେଇ ଥିଲେ ବୃନ୍ଦାବନ, କିନ୍ତୁ ନିଳାମ୍ବରର ଫୋନ ସୁଇଚିଡ଼-ଅଫ କହୁଥିଲା । ବେଶ କିଛିଥର ଚେଷ୍ଟା କରିଥିଲେ ସେ ସେଇ ସମୟରେ ଓ ପରେ ପରେ ମଧ୍ୟ । ନିଳାମ୍ବର ସହ ଆଦୌ ଯୋଗାଯୋଗ ହୋଇପାରିନଥିଲା । ବାପାଙ୍କ ଅସୁସ୍ଥତା, ସଂସାର ଜଞ୍ଜାଳ ଭିତରେ ବୁଡି ରହିଲେ ବୃନ୍ଦାବନ । ନିଳାମ୍ବର ଖସିଗଲା ପୁଣିଥରେ ସ୍ମୃତିରେ ଦୂରକୁ ।
ଏ ଭିତରେ ଆଠ ବର୍ଷ ବିତିଗଲାଣି । ନୀଳ ରଙ୍ଗର ସେ ଲଫାପାଟି ନିଳାମ୍ବର କଥା ମନେ ପକାଇ ଦେଇଛି ଆଉଥରେ । ନିଳାମ୍ବର ଏବେ କେଉଁଠି? ବୃନ୍ଦାବନ ଚିଠିଟି ଖୋଲିଲେ, ଆଉ ସେଇଠି ସେଇ ତଳେ ବସି ପଢିବା ଆରମ୍ଭ କରିଦେଲେ । କେତେ କେତେ ଅକୁହା କୋହରେ ବାନ୍ଧି ହୋଇଗଲା ଦେହମନ । ନିଳାମ୍ବର ବାପାଙ୍କ ପାଖରେ ତା’ ମନର ସମସ୍ତ ଦୁଃଖ, ସମସ୍ତ ବେଦନା ଖୋଲି ଦେଇଥିଲା । ବଡଲୋକ ଘରେ ଜନ୍ମ ହୋଇ ବି ନିଳାମ୍ବର ସବୁବେଳେ ନିରାଡ଼ମ୍ବର ଜୀବନଟିଏ ଚାହିଁଥିଲା । ତାର ବାପା ବି ତା’ରିପରି ଥିଲେ । ବହୁ ସମ୍ପତ୍ତିର ମାଲିକ ହୋଇ ବି ସେ ଦୁଃଖୀ ଦରିଦ୍ରଙ୍କ ହୃଦୟକୁ ଚିହ୍ନୁଥିଲେ । କାକା, ବଡ଼ ବାପାଙ୍କର ସେଥିପାଇଁ ତାଙ୍କ ସହ ପଡୁ ନଥିଲା । ବଡ଼ ଗୋଟେ ରାସ୍ତା ଦୁର୍ଘଟଣାରେ ତା’ ବାପା ଚାଲିଗଲେ ଆଉ ସେ ଦୁର୍ଘଟଣା ଗୋଟେ ରହସ୍ୟ ହୋଇ ରହିଗଲା ନିଳାମ୍ବରଙ୍କ ମନରେ । ବୃନ୍ଦାବନର ବାପାଙ୍କ ବିଷୟରେ ବୃନ୍ଦାବନଙ୍କ ଠାରୁ ଶୁଣି ଶୁଣି ନିଳାମ୍ବର ଭଲ ପାଇ ବସିଥିଲା ତାଙ୍କୁ । ମନ ଭିତରେ ତାଙ୍କ ପ୍ରତି ସମ୍ମାନ ଖୁବ ବଢିଯାଇଥିଲା । ଦେଖାହୋଇନଥିଲେ ବି ବାପାଙ୍କର ମୂର୍ତ୍ତିଟିଏ ମନରେ ଆଙ୍କିଥିଲା ସେ । ସେ ମୂର୍ତ୍ତିର ସାଦୃଶ୍ୟ ଦେଖୁଥିଲା ତା’ ନିଜ ବାପାଙ୍କ ପାଖରେ । ହଷ୍ଟେଲରେ ରହିଥିବା ଦିନ ଗୁଡିକରେ ଅନ୍ୟ ବନ୍ଧୁ ମାନଙ୍କ ପାଖକୁ ଆସୁଥିବା ସେମାନଙ୍କ ବାପାଙ୍କ ଚିଠି ଦେଖି ସେମିତି ଗୋଟିଏ ଚିଠି ଲେଖିବାକୁ, ପୁଣି ସେମିତି ଗୋଟିଏ ଚିଠି ପାଇବାକୁ ବ୍ୟାକୁଳ ମନଟିକୁ ବହୁ କଷ୍ଟରେ ବୁଝାଉଥିଲା ସେ । ଚିଠିକୁ ନେଇ ବାପାଙ୍କ ଆତୁରତାର କଥା ଅନେକଥର ବୃନ୍ଦାବନ କହିଥିଲେ ବନ୍ଧୁ ନିଳାମ୍ବର ଆଗରେ । ସେକଥା ସବୁ ଲିପିବଦ୍ଧ ହୋଇ ଯାଉଥିଲା ନିଳାମ୍ବରର ଛାତି ଭିତରେ । ‘ମଉସା ଙ୍କୁ ଚିଠି ଟିଏ ଲେଖିବି ମୁଁ‘ – କହେ ନିଳାମ୍ବର କେବେ କେବେ । ଲେଖିଛି କି ନା ସେକଥା କେବେ ପଚାରି ବୁଝି ନଥିଲେ ବୃନ୍ଦାବନ । ଆଉ ଜଣଙ୍କ ବାପାଙ୍କୁ ଚିଠି ଲେଖିବାର ଇଛା ତାଙ୍କ ନିଜ ମନରେ କେବେ ଆସି ନଥିଲା; ତେଣୁ ସେ ଏମିତିକା ଭାବପ୍ରବଣତାକୁ ଅନୁଭବ କରି ପାରି ନଥିଲେ । ସତକୁ ସତ ଦିନେ ନିଳାମ୍ବର ଚିଠି ଲେଖିଥିଲା ବୃନ୍ଦାବନର ବାପାଙ୍କ ପାଖକୁ, କିନ୍ତୁ ଅନେକ ଦିନ ପରେ – ବୋଧହୁଏ ହଷ୍ଟେଲ ଛାଡିବାର ଦଶ ବାର ବର୍ଷ ପରେ । ଚିଠିରେ ବହୁତ କିଛି ଲେଖି ପକାଇଥିଲା ନିଳାମ୍ବର ।
ବାପା ତାଙ୍କ ପାଖକୁ ପଠେଇଥିବା ନୀଳ ରଙ୍ଗର ଏଇ ଲଫାପାଟିକୁ ନିଳାମ୍ବର ସ୍ମୃତି କରି ରଖିଥିଲା ବୋଧେ ପାଖରେ ତାର । ସେଇଥିରେ ପଠେଇଥିଲା ଚିଠିଟିଏ ବାପାଙ୍କ ପାଖକୁ । ଚିଠି ଉପରେ ଲେଖା ଥିବା ତାରିଖ ଉପରେ ଆଖି ବୁଲାଇ ଆଣିଲେ ବୃନ୍ଦାବନ ଆଉ ମନେ ପକାଉଥିଲେ ବାପା ଚାଲିଯିବା ଦିନଟିକୁ । ଦେହରେ କେମିତି ଗୋଟେ ଶୀତଳ ଶିହରଣ ଖେଳିଗଲା । ଉଭୟ ତାରିଖ ସମାନ ଥିଲା । ତାମାନେ ବାପା ଚାଲିଯିବା ଦିନ ହିଁ ନିଳାମ୍ବର ଏ ଚିଠି ଲେଖିଥିଲା ବାପାଙ୍କୁ, ଆଉ ପୋଷ୍ଟ କରିଥିଲା ସେଇ ନୀଳ ରଙ୍ଗର ଲଫାପାଟିରେ ଯେଉଁ ଲଫାପାଟିକୁ ଅନେକ ଦିନରୁ ସାଇତି ରଖିଥିଲା ସେ, ଚିଠିଟିଏ ଲେଖିବାର ଇଛା ନେଇ । ଚିଠିଟି ପୋଷ୍ଟ କଲାପରେ ସେ ହୁଏତ ଉତ୍ତର ପାଇଁ ଅପେକ୍ଷା କରିଥିବ । ଚିଠିର ଶେଷ ଧାଡିଟିରେ ସେଇକଥା ଲେଖିଛି ସେ ‘ବାପା, ନୀଳ ଲଫାପା ରେ ଚିଠିଟିଏ ଲେଖିବେ । ବୃନ୍ଦାବନ କୁ ଲେଖିବା ପରି । ଠିକଣା ଲେଖୁଛି । ବୃନ୍ଦାବନ ଆପଣଙ୍କ ଚିଠିକୁ ଅପେକ୍ଷା ରଖିଲା ପରି ମୁଁ ବି ଅପେକ୍ଷା ରଖିବି’ । ନିଳାମ୍ବର କଣ ବାପା ଚାଲିଯିବାର ଖବର ପାଇଥିବ ? କିଏ ତାକୁ ଏ ଖବର ଦେଇଥିବ । ବୋଉ ତ ଏ ଚିଠି ପଢ଼ିଛି କି ନା ସନ୍ଦେହ । ବାପାଙ୍କ ନାଁ ଠିକଣା ଲେଖାଥିବା ଶେଷ ଚିଠି ଭାବରେ ବାପାଙ୍କ ହାତ-ବାକ୍ସ ରେ ଚିଠିଟି ରଖିଥିବ ବୋଉ । ବୋଉ ଉଦ୍ଦେଶ୍ୟରେ ହାତ ଯୋଡି ହୋଇଯାଇଥିଲା ଆପେଆପେ । ବୃନ୍ଦାବନ କଲେଜ ସାଙ୍ଗ ମାନଙ୍କୁ ନେଇ ଏବେ ଏବେ ଗଢା ହୋଇଥିବା ହ୍ଵାଟ୍ସଆପ ଗ୍ରୁପ ଟିରେ ଖୋଜିନେଲେ ନିଳାମ୍ବରକୁ । ନା, ନିଳାମ୍ବର ସେ ଗ୍ରୁପ ରେ ନାହିଁ । କେଉଁଠି ଅଛି ସେ ଏବେ ? ଚିଠିରୁ ଶେଷ ଧାଡି କେତୋଟିର ଫଟୋ ଉଠେଇ ନେଲେ ବୃନ୍ଦାବନ ଓ ସେଇଟିକୁ ପୋଷ୍ଟ କରିଦେଲେ ଗ୍ରୁପରେ । କାନ୍ଦ କାନ୍ଦ ଇମୋଜି ଦୁଇଟି ଆସିଗଲା ଠିକ ପରେ ପରେ । ବୃନ୍ଦାବନଙ୍କ ଆଖିରେ ଖୁସି ଝଲସିଲା । ଲେଖିଲେ କେଉଁଠି ସେ ଏବେ? କିଛି ଉତ୍ତର ଆସି ନଥିଲା ସଂଗେ ସଂଗେ ।
କନକ ଫେରିଆସିଥିଲେ ପଡିଶା ଘରୁ । ରୂପାର ସେ କିଟିକିଟି କଳା କଜଳପାତିଟି ଆଖିରେ ପଡିଗଲା ତାଙ୍କର । ଏଇଟି ମତେ ଦିଅ । ଭାରି ସୁନ୍ଦର ହୋଇଛି ଏଇଟି । କନକ କହିଲେ, ଆଉ ହାତରେ ଉଠାଇ ନେଲେ କଜଳପାତିଟିକୁ । କନକଙ୍କ ସାଙ୍ଗରେ ଆସିଥିବା ମହିଳା ଓ ଛୋଟ ପିଲା କେତୋଟି ସେତେବେଳକୁ ଅନୁସନ୍ଧିଷ୍ଣୁ ଆଖି ନେଇ ବାକ୍ସ ଭିତରକୁ ଝୁଙ୍କି ପଡିବାର ଦେଖି ଚଟାପଟ ବାକ୍ସ ଟିକୁ ବନ୍ଦ କରି ରଖିଦେଲେ ବୃନ୍ଦାବନ । ମୁହୂର୍ତ୍ତକ ମଧ୍ୟରେ ପିଲାମାନେ ଖେଦିଗଲେ ଘର ସାରା । ଦୌଡା ଧପଡା ପାଟି ତୁଣ୍ଡରେ ଘର ପଡ଼ୁଥିଲା ଉଠୁଥିଲା । ବୃନ୍ଦାବନ ହାତ-ବାକ୍ସଟି ରଖିଦେଲେ ସୁରକ୍ଷିତ ସ୍ଥାନରେ । ପକେଟରେ ରଖିଲେ ନିଳାମ୍ବର ପଠେଇଥିବା ଚିଠି – ସେଇ ନୀଳ ଲଫାପାଟି ସହ ।
ସନ୍ଧ୍ୟା ପୂର୍ବରୁ ସେମାନେ ଭୁବନେଶ୍ୱର ଫେରିଆସିବା ପାଇଁ ଗାଡ଼ିରେ ବସିଲେ । ଟିକିଏ ସ୍ଥିର ହେଲାପରେ ପୁରା କଥାଟି କନକଙ୍କୁ କହିଲେ । ‘ବାପା ଚାଲିଗଲା ଦିନ ତୁମ ବନ୍ଧୁ ତାଙ୍କୁ ଚିଠି ଲେଖିଥିଲେ । ବାପା ବୋଧେ ଚାହୁଁଥିଲେ ତୁମେ ସେ ଚିଠିଟିକୁ ଦେଖ । ସେଥିପାଇଁ ଆଜି ଆମେ ଆସିଲେ ଆଉ ସେ ଚିଠି ତୁମ ଆଖିରେ ପଡ଼ିଲା….’। ହ୍ଵାଟ୍ସ୍ ଆପ୍ ରେ କଣ ନୂଆ ମେସେଜ ଆସିଛି ଦେଖିବାକୁ ଫୋନ ବାହାର କଲେ ବୃନ୍ଦାବନ । ନିଳାମ୍ବର ଚେନ୍ନାଇରେ ଗୋଟିଏ ଆଶ୍ରମ ରେ ଥିଲା । ଜଣେ କିଏ ଲେଖିଛି । ବୃନ୍ଦାବନ ଜାଣିଛନ୍ତି ସେକଥା । ତାପରେ, ତାପରେ ସେ କେଉଁଠି? ଆଉ କିଏ କଣ ଲେଖିଛି ପଢି ପକେଇଲେ । ଜଣେ ଲେଖିଛି ଗୁଡ଼ାଏ ହସ ଇମୋଜି ସହ ନିଳାମ୍ବରଟା ସେମିତି ମଫସଲିଆ ହୋଇ ରହିଗଲା, ଆଜିକାଲି କିଏ ଚିଠି ଲେଖୁଛି?? ଫୋନ ଉଠାଅ । କଥାହୁଆ । ଦେଖିବାକୁ ଇଛା ଅଛି ତ ଭିଡ଼ିଓ କଲ କର । ବୃନ୍ଦାବନ ଭାବୁଥିଲା ହଁ, ସେଇଆ ତ ସେ ବି କରିଥିଲା । ଚିଠି ଖଣ୍ଡେ ଲେଖିକି ଦେ ବୋଲି କେତେ କହିଛନ୍ତି ବାପା । ଚିଠିରେ କୁଆଡେ ମନକୁ ଖୋଲିହୁଏ । ଆଉ ଅକ୍ଷର ଗୁଡିକରେ ଯେଉଁ ମୁହଁ ଝଲସି ଉଠେ, ସେ ମୁହଁ ଭିଡ଼ିଓ ରେ ଦେଖିବା ମୁହଁ ଠାରୁ ଢେର ଅଲଗା । ହସକାନ୍ଦ, ଖୁସି, ଲୁହ – ସବୁ ସେଇ କାଗଜରେ ଫୁଟି ଦିଶେ । ଏକାନ୍ତରେ ସେଇ ଚିଠିକୁ ବାରମ୍ବାର ପଢି ସବୁଥର ସେମିତି ଅନୁଭବ ଉପଲବ୍ଧି କରିହୁଏ । ସେଇମିତି କଥାକୁହା ଚିଠି ବାପା ଲେଖନ୍ତି । ବୃନ୍ଦାବନ ଲୁହ ପୋଛିଲେ ଆଖିରୁ । ଯେମିତି ଚିଠିଟିଏ ବାପା ତା’ ପାଖରୁ ଚଂହୁଁଥିଲେ ସେମିତି ଚିଠିଟେ ତାଙ୍କୁ ଲେଖିଛି ନିଳାମ୍ବର । ଗ୍ରୁପରେ ଆଉ କିଏ ବି କଣ ସବୁ ଲେଖିଥିଲେ । ଫୋନ ବନ୍ଦ କରି ପକେଟରେ ରଖିଦେଲେ ବୃନ୍ଦାବନ । ‘ନିଳାମ୍ବର ର ଠିକଣା ଅଛି ଏଥିରେ । କାଲି ଚିଠିଟେ ଲେଖି ପକେଇ ଦେବି ସେଇ ଠିକଣା ରେ । ବିଚରା, ବାପାଙ୍କଠାରୁ ଚିଠିଟେ ପାଇବାକୁ ଆଶା ରଖିଥିଲା’ – କନକଙ୍କୁ କହିଲେ ସେ ।
ଭାରି କ୍ଲାନ୍ତ ଲାଗୁଥିଲା । ଦିନସାରା ଖୁବ ଧାଁ ଦୌଡ଼ ହୋଇଛି । ଖାଇସାରି ଶେଜରେ ଗଡି ପଡିଲେ ବୃନ୍ଦାବନ । କାଲି ସକାଳେ ଅନେକ ଦିନ ପରେ ଚିଠିଟିଏ ଲେଖିବେ ସେ । କଣ କଣ ଲେଖିବେ ସବୁ ଭାବି ନେଉଥିଲେ ମନେମନେ । ବାପାଙ୍କ ଦେହାନ୍ତ ଖବର ଶୁଣି ଦୁଃଖୀ ହୋଇଯିବ ନିଳାମ୍ବର । ଭାବୁଭାବୁ ଫୋନ ଖୋଲି ପୁଣି ସେ ଗ୍ରୁପରେ କଣ ସବୁ ଆସିଛି ଆଖି ପକାଇଲେ । ନିଳାମ୍ବର ଚାଲିଯିବାର ପାଞ୍ଚ ବର୍ଷ ହୋଇଗଲାଣି । ଦୁଇ-ତିନୋଟି କାନ୍ଦ ଇମୋଜି ସହ ଲେଖିଛି ପ୍ରବୀର । ପ୍ରବୀର ଚେନ୍ନାଇରେ ଅଛି ଏବେ ବି । ନିଳାମ୍ବର କହିଥିଲା ସେଦିନ । ବୃନ୍ଦାବନ ଶୋଇଲା ଶେଯରୁ ଉଠି ବସିଲେ । ପ୍ରଥମ ଆସିଥିବା ଦୁଃଖ ମୁହଁର ଇମୋଜିଟିକୁ ଆଉଥରେ ପରଖିନେଲେ । ହଁ, ଏଇଟା ଅଶୋକ ଲେଖିଛି । ଅଶୋକ ଆଉ ପ୍ରବୀରଙ୍କ ସହ କେବେ କେବେ ଦେଖାହୁଏ ଚେନ୍ନାଇରେ – ନିଳାମ୍ବର କହିବାର ମନେ ପଡୁଥିଲା । ଓଃ, ନିଳାମ୍ବର ଆଉ ନାହିଁ ! ଆଉ ଜଣେ ଲେଖିଛି ବ୍ଲଡ଼ କ୍ୟାନସରରେ ନିଳାମ୍ବର ଚାଲି ଗଲାଣିଅନେକ ଦିନରୁ । କନକ କହିକହି ଆସିଲେ, ‘ବାପାଙ୍କ ଯିବା କଥା ନିଳାମ୍ବର ବାବୁଙ୍କୁ ଟିକେ ବୁଝେଇକି ଲେଖିବ । କହୁଥିଲ ଭାରି ଇମୋସନାଲ ଲୋକ ସିଏ, ଠିକ ତୁମ ପରି’ – ଆଖିରୁ ଗଡି ଆସୁଥିବା ଗରମ ଲୁହ ଦୁଇଧାରକୁ ପୋଛିନେଇ ବୃନ୍ଦାବନ କହିଲେ, ‘ହଁ, ସେ ଭାରି ଇମୋସନାଲ, ମୁଁ ନୁହେଁ । ସମ୍ପର୍କକୁ ବାନ୍ଧିବାର କଳା ତାକୁ ଜଣାଥିଲା – ମତେ ନୁହେଁ ‘ ।
ବୃନ୍ଦାବନଙ୍କର ସାର୍ଟ ପକେଟରୁ ନୀଳ ଲଫାପାଟି କାଢି ଟେବୁଲ ଉପରେ ରଖିଲେ କନକ । ‘କାଲି ସକାଳେ ଚିଠି ଲେଖିବାକୁ ଭୁଲିବନି । କେଉଁଠି ସେ ଏବେ – କିଛି ଖବର ମିଳିଲା? ସେଇ ଠିକଣା ରେ ସେ ଯଦି ନଥିବେ?’ – ବୃନ୍ଦାବନ ଫୋନଟିକୁ ବଢ଼େଇ ଦେଇଥିଲେ କନକଙ୍କ ହାତକୁ – ‘ହଁ, ଠିକଣା ବଦଳି ଯାଇଛି ତାର ଏ ଭିତରେ’ । ପ୍ରବୀର ପଠେଇଥିବା ଫୁଲମାଳ ପଡିଥିବା ନିଳାମ୍ବରର ଫଟୋଟି ଫୋନର କୁନି ପରଦାଟି ଉପରେ କନକଙ୍କ ଆଗରେ ତୋଳି ଧରିଥିଲେ ବୃନ୍ଦାବନ । କନକଙ୍କର ଲୁହ ଭର୍ତ୍ତିହୋଇ ଆସୁଥିବା ଆଖିକୁ ସବୁକିଛି ଅସ୍ପଷ୍ଟ ଦିଶୁଥିଲା ।
****
ନମସ୍କାର ମେମ
ବହୁତ ଭଲ ଲାଗିଲା
ରାଜୀଵ
LikeLiked by 1 person