ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ

– ‘ସକାଳୁ ଦୀପା ତୁମ ସଙ୍ଗେ କଥା ହେବାପାଇଁ ଦୁଇଥର ଫୋନ କରିସାରିଲେଣି’ – ଘରେ ପହଞ୍ଚୁ ପହଞ୍ଚୁ ନୀଳିମା କହିଥିଲା ।
– ‘କଣ ପାଇଁ ମତେ ଖୋଜୁଛି ପଚାରିଲନି’ – ସାର୍ଟ ଖୋଲି ହ୍ୟାଙ୍ଗରରେ ଟାଙ୍ଗିଦେଇ ଦୀପକ କହିଲା ।
– ‘ମୁଁ କଣ ପଚାରିନି? ସେ ପରା କହିଲେ ଭାଇଙ୍କୁ କହିବି’ – ଅଭିମାନରେ ଥମ୍ ଥମ୍ ହେଉଥିଲା ନୀଳିମାର ମୁହଁ । ବାହାଘରର ସତର ବର୍ଷ ହୋଇଗଲାଣି, ଏବେ ବି ମୁଁ ପର ତୁମ ଘରେ । ଭାଇଙ୍କୁ କହିବେ, ଭାଉଜକୁ ନୁହେଁ’ ।
ନୀଳିମା ରୋଷେଇ ଘରକୁ ଚାଲିଗଲାଣି । ଦୀପକ ଫୋନ ଲଗେଇଲେ ଦୀପାକୁ ।
– ‘କଣ ହେଲା ଦୀପା, ଠିକ ଅଛ ତ ସବୁ?’
– ‘ହଁ, ଭାଇ, ଆମେ ସବୁ ଠିକ ଅଛୁ । ବାପା ବୋଉଙ୍କ ପଚାଶତମ ମ୍ୟାରେଜ୍ ଆନିଭର୍ସରି ଆସୁଛି । କିଛି ଗୋଟେ ସରପ୍ରାଇଜ୍ ଦେଲେ କେମିତି ହୁଅନ୍ତା?’
– ‘ଆରେ ହଁ, ମୁଁ ତତେ ଫୋନ କରିଥାନ୍ତି ଏ ଭିତରେ । ଏବେ ତୁ କରିଛୁ, ଭଲ ହେଲା । ତୋ’ ଭାଉଜ କଣ ସବୁ ପ୍ଲାନ୍ କରିଛି ବାପା ବୋଉଙ୍କ ଆନିଭର୍ସରି ପାଇଁ । କରୁ, ତାର ଯାହା ଇଛା – ବାପା ବୋଉଙ୍କୁ ଖୁବ ଭଲ ପାଏ ସେ । ତତେ ତା’ର ପୁରା ପ୍ଲାନ୍ ସିଏ ଜଣେଇଦେଵ । କହି ଦେଉଛି ତାକୁ’ ।

ଦୀପା ଟିକେ ବସିଲା ବସିଲା ଗଳାରେ କହିଲା, – ‘ଭାଇ । ମୁଁ ଭାବୁଥିଲି….’   

– ‘ତୁ ଆଉ ଟେନ୍ସନ୍ ନେ’ ନା । ତୋ ଭାଉଜ ସବୁ ବନ୍ଦୋବସ୍ତ କରି ସାରିଛି’ ।

– ‘ଟେନ୍ସନ୍ ନୁହେଁ ଭାଇ, ….’ – ଦୀପା ବୋଧେ ଆହୁରି କଣ ସବୁ କହିଥାନ୍ତା । ଫୋନ୍ କାଟିଦେଲେ ଦୀପକ । ନୀଳିମା ଜଳଖିଆ ପ୍ଲେଟଟି ତାଙ୍କ ହାତକୁ ବଢ଼େଇ ଦେଲା, ଆଉ ଚା’ ଆଣିବାକୁ ରୋଷେଇ ଘର ଆଡ଼େ ଚାଲିଗଲା । ଭାଇ ଭଉଣୀଙ୍କ ଶେଷ କଥା କେଇଧାଡ଼ି ଶୁଣି ପକେଇଥିଲା ବୋଧେ ନୀଳିମା । ସ୍ମିତ ହସର ଧାର ଟିଏ ଉକୁଟି ଆସୁଥିଲା ତା’ ଓଠରେ ।

ଆଉ ମାସଟିଏ ପରେ ବାପା, ବୋଉଙ୍କ ପଚାଶ ତମ ବିବାହ ବାର୍ଷିକୀ । ଖୁବ ଧୁମଧାମରେ ପାଳନ କରିବାକୁ ବହୁତ କିଛି ଯୋଜନା କରିଛି ନୀଳିମା । ବାପା, ବୋଉ ଗାଁରୁ ଆସି ଏଇଠି ଭୁବନେଶ୍ୱରରେ ତାଙ୍କ ଘରେ ରହିବେ ଆଠ ଦିନ । ଗାଁରେ ଯାଇ ବିବାହ ବାର୍ଷିକୀ ପାଳନ କରି ହେବନି । ସେଠି ଏ ସବୁର ମହତ୍ତ୍ୱ କେହି ବୁଝିବେନି । ବରଂ ଥଟ୍ଟା ତାମସା କରିବେ । ବାପା, ବୋଉ ବି ଏସବୁ କରିବାକୁ ରାଜି ହେବେନି । ସେଠି ଗାଁକୁ ନୀଳିମାର ସାଙ୍ଗ ମାନେ ବି କୋଉ ଯାଇପାରିବେ? ସାଙ୍ଗ ମାନଙ୍କ ବିନା କଣ ମଜା !  ନିଜ ପାଇଁ ଓ ବୋଉଙ୍କ ପାଇଁ ଶାଢ଼ୀ ବି କିଣି ସାରିଲାଣି ସେ । ବୋଉଙ୍କ ଶାଢ଼ୀ ସେଇଦିନ ତାଙ୍କୁ ଦେବ । ସରପ୍ରାଇଜ୍ ରଖିଛି ବୋଉଙ୍କ ପାଇଁ । ଦୀପା କଣ ପ୍ଲାନ୍ କରିଥିବେ କେଜାଣି !

ନୀଳିମା ଭାବୁଥିଲା, ବିବାହ ବାର୍ଷିକୀକୁ ନେଇ ସେ କରିଥିବା ଯୋଜନାସବୁ କେବେ ତ ତାଙ୍କଠାରୁ ଶୁଣି ନାହାନ୍ତି ଦୀପକ ! ଅନେକ ଥର ସେ କହିବାକୁ ଯାଇଛି, କିନ୍ତୁ ଦୀପକ ପରେ ଶୁଣିବେ କହି ଟାଳି ଦେଇଛନ୍ତି -‘ବହୁତ ଦିନ ଅଛି, ତୁମେ ପ୍ଲାନ୍ କର; ମୁଁ ପରେ ଶୁଣିବି, ଆଜି ଟିକେ ବିଜି ଅଛି’ – ଦୀପକ ତାଙ୍କ ଅଫିସ୍ କାମନେଇ ସବୁବେଳେ ବ୍ୟସ୍ତ ରହନ୍ତି । ଆଜି ଦୀପାଙ୍କୁ କହିଲେ କଣ ନା, ଭାଉଜ ସବୁ ପ୍ଲାନ କରିଛି । ଦୀପା ଯଦି ପଚାରିଥାନ୍ତେ କଣ ସବୁ ପ୍ଲାନ୍? କ’ଣ ଉତ୍ତର ଦେଇଥାନ୍ତେ ଦୀପକ?  ଯା’ହେଉ, ଅସଲ ସମୟରେ ଫୋନ କାଟିଦେଲେ । ଦୀପା ଏବେ ଭାବି ହେଉଥିବେ ସେଇ ପ୍ଲାନ୍ ସବୁ ବିଷୟରେ । ମନେ ମନେ ଖୁସି ହେଲା ନୀଳିମା । ଏବେ କ’ଣ କରିବେ ଦୀପା ? ଫୋନ୍ କରିବେ କି ତାକୁ ? ଫୋନ୍ କରି ପଚାରିବେ କି କ’ଣ ସବୁ ପ୍ଲାନ୍ କରିଛି ସେ? କି ଫୋନ୍ କରି ସେ ନିଜେ କରିଥିବା ଯୋଜନା  ବିଷୟରେ କହିବେ, ଆଉ ସେହି ଅନୁଯାୟୀ ନୀଳିମାଙ୍କୁ କାମ କରିବାକୁ ଅନୁରୋଧ କରିବା ଭିତରେ ଆଦେଶ ଦେବେ? ନୀଳିମା ଆଦୌ ଫୋନ୍ କରିବନି ନିଜଆଡୁ ।  ଦୁଷ୍ଟାମୀର ହସଟିଏ ଓଠ ଉପରେ ଖେଳେଇ ହୋଇରହିଥିଲା ନୀଳିମାର । ପୁରା ଦିନ ଅପେକ୍ଷା କଲାପରେବି ଫୋନ୍ ଆସିନଥିଲା ଦୀପାର ।

ଦୁଇଦିନ ପରେ ଦିନେ ଶୋଇଲା ଶେଜରେ ନୀଳିମା ଦୀପକଙ୍କୁ ପଚାରିଲା, ‘ଦୀପା ଫୋନ କରିଥିଲେ’ ?
– ‘କାଇଁ, ନାଇଁ ତ ! କଣ ହେଲାକି ? ତୁମେ ତାକୁ ଫୋନ କରି କହିଦେଲ ତ, କଣ ସବୁ ଯୋଜନା କରିଛ ବାପା ବୋଉଙ୍କ ଆନିଭର୍ସରି ପାଇଁ ? ସେ କେବେ ଆସିବ କହୁଥିଲା ? ପିଲାଙ୍କୁ ସାଙ୍ଗରେ ନେଇକି ଆସିବ ବୋଲି କହିଛ ତ’ –  କହୁ କହୁ ଦୀପକ କଡ଼ ଲେଉଟାଇ ନେଲା, ଆଉ ଚଟ୍ କରି ଶୋଇ ପଡିଲା । କିଛି ବି କହି ପାରିନଥିଲା ନୀଳିମା । ‘ଦୀପା କାହିଁକି ଫୋନ୍ କଲେନି ? କଣ ସବୁ ପ୍ଲାନ ଥିଲା ଦୀପାଙ୍କର ?’ – ଏମିତି ସବୁ ଭାବି ଭାବି ତାର ନିଦ ହଜି ଯାଇଥିଲା । ବହୁତ ରାତି ଯାଏଁ ସେମିତି ଶେଜରେ ପଡି ଛଟପଟ ହେଉଥିଲା ସେ ।

ସପ୍ତାହଟିଏ ବିତି ଯାଇଥିଲା ଏ ଭିତରେ । ଦୀପାଠାରୁ କିଛି ବି ଖବର ଆସି ନଥିଲା । ଘରକାମ ସବୁ ସାରି ନୀଳିମା ଖଟ ଉପରେ ଟିକେ ଗଡପଡ଼ ହେଉଥିଲା, ଡୋର୍-ବେଲ୍ ବାଜିଲା । ଦୀପା ଆସିଥିଲା । ଟ୍ୟାକ୍ସି ଭଡା କରି ଆସିଥିଲା ଦୀପା ।
– ‘ଆରେ ଦୀପା ! କିଛି ଖବର ନଦେଇ ଏମିତି ଅଚାନକ…. କହିଥିଲେ ଭାଇ ଗାଡି ପଠେଇ ଦେଇଥାନ୍ତେ’ ।
– ‘ସରପ୍ରାଇଜ୍ ଦେବି ବୋଲି ଭାବିଲି’ – ଦୀପା କହିଲା ଟିକେ ଅସ୍ୱାଭାବିକ ଗଳାରେ । ଦିନସାରା ଖୁବ ଗପସପ ହେଲେ ଦୁହେଁ । ପ୍ରଥମ କେତେ ମୁହୂର୍ତ୍ତ କଥା କଟକଟି, ରାଗରୁଷାରେ ଗଲା । ତା’ପରେ ଦୀପାର ସେ ସବୁ ଅଭିମାନ ଥିଲା, ରାଗ ନଥିଲା ବୋଲି ଦୀପା କହିଲା । ନୀଳିମା ବି ଅନେକ କିଛି କହିଥିଲା ଯାହାକୁ ସେ ଗୁରୁତ୍ୱ ନ ଦେବାକୁ ଦୀପାକୁ ଅନୁରୋଧ କଲା । ବାପାବୋଉଙ୍କ ପଚାଶତମ ବିବାହ ବାର୍ଷିକୀ ସ୍ମରଣୀୟ ହୋଇ ରହିବ ସମସ୍ତଙ୍କ ମନରେ । ଏଇକଥା ନୀଳିମା କହିଲା ପରେ ଦୀପା ଚୁପ ରହିଗଲା । ହଁ-ହଁ, ନା-ନା ଭିତରେ ପ୍ରାରମ୍ଭିକ ପ୍ରସ୍ତୁତି ହୋଇଗଲା ।

– ‘ସୋହନ୍ ସ୍କୁଲ୍ ଓ ପରେ ପରେ ସେଇଠୁ କୋଚିଂ କ୍ଲାସ୍ ଯାଇ ଡେରିରେ ଫେରିବ । ଏଥର ବୋଧେ ପୁତୁରା ସଂଗେ ଦେଖା ହେବନି ତୁମର’ – ନୀଳିମା କହିଥିଲା ଦୀପାକୁ ।

ଅଫିସରୁ ଫେରି ଦୀପାକୁ ଦେଖି ଦୀପକ ଅବାକ ହେଲେ । ଭଉଣୀକୁ ଦେଖି ସବୁଥର ପରି ଖୁସି ବି ହେଲେ । ସୋହନ ପହଁଚିଲା ଓ ପିଉସୀ ନାନୀଙ୍କୁ ଦେଖି ଗେହ୍ଲା ହେଲା ଟିକେ । ‘ଯା’ହେଉ, ତୋ ସଙ୍ଗେ ଦେଖାହୋଇଗଲା’ – ଖୁସି ଖୁସି ସ୍ୱରରେ ଦୀପା କହିଥିଲା । ପରେ ପରେ ସମସ୍ତେ ମିଶି ରାତି-ଖାଇବା  ଖାଇନେଲେ । ଦୀପକ  ଗ୍ୟାରେଜରୁ ଗାଡି କାଢ଼ିବାକୁ ଚାଲିଗଲେ ।  ନୀଳିମା ସାଙ୍ଗରେ ଯିବ ବୋଲି ଲୁଗା ବଦଳେଇଲା ।
– ‘କାହିଁକି  ମିଛରେ ହଇରାଣ ହେବ ତୁମେସବୁ ? ଏଇଠୁ କଟକ କେତେ ବାଟ ଯେ, ଟ୍ୟାକ୍ସି କରି ଚାଲି ଯାଇଥାନ୍ତି ମୁଁ । ଇଏତ ଆହୁରି ତାଙ୍କ ଅଫିସରୁ ଫେରି ନଥିବେ’ – ଦୀପା କହିଲା ।
– ‘ଭାଇ ତ ଅଛନ୍ତି, ଛାଡ଼ିଦେଇ ଆସିବୁ ଆମେ । ସୋହନ ଫେରି ଆସିଲାଣି। ମୋର ବି ଟିକେ ବାହାରକୁ ଯିବା ହୋଇଯିବ’ – ନୀଳିମା କହିଥିଲା ।

ଗାଡିରେ ବସିବା ପରଠାରୁ କଟକରେ ଘରେ ପହଞ୍ଚିବା ଯାଏଁ  ଦୀପା ତା’ ଭାଇକୁ ବାପାମାଆଙ୍କ ବିବାହ ବାର୍ଷିକୀ ପାଇଁ ସେ ଦୁହେଁ ସାରା ଦିପହର କରିଥିବା ଯୋଜନା ସବୁକୁ ଖୁବ ସୁନ୍ଦର ଭାବରେ ବୁଝାଇ କହୁଥିଲା । ନୀଳିମା ଲକ୍ଷ୍ୟ କରୁଥାଏ, ପୁରା କଥା ଭିତରେ ଦୀପା ବେଶ ଚାଲାକିରେ ନୀଳିମାର ସମସ୍ତ ଯୋଜନାକୁ ଗୌଣ କରି ନିଜର ପୁରା ଯୋଜନାଟିକୁ ରୂପରେଖ ଦେଇ ସାରିଥିଲା । କାହିଁକି କେଜାଣି କିଛି ବି ଆପତ୍ତି କରି ପାରିନଥିଲା ନୀଳିମା । ସବୁ ଶୁଣିସାରି ଦୀପକ ବି ‘ବାଃ, ବଢ଼ିଆ ପ୍ଲାନ୍ ସବୁ କରିଚୁ ତ’ ବୋଲି କହିଥିଲେ ଦୀପାକୁ ଚାହିଁ ।

ଘର ପାଖରେ ପହଞ୍ଚିଲା ପରେ ଗାଡିରୁ ଓହ୍ଲେଇ ଦୀପା ସେମାନଙ୍କୁ ଘରକୁ ଡାକିଥିଲା । ଅନ୍ଧାର ଦିଶୁଥିଲା ତା’ ଘର ଭିତର ଓ ବାହାର । ଗାଡିର କାଚ ଭିତରୁ ମୁହଁ ଗଳାଇ ‘ବାବୁ ଆସିନାହାନ୍ତି ଅଫିସରୁ ବୋଧେ, ଚାରିଆଡ଼ ଅନ୍ଧାର ଦିଶୁଛି । ଆମେ ପୁଣି କେବେ ଆସିବୁ’ – କହିଲା ନୀଳିମା । ଘରର ଗେଟ୍ ଖୋଲୁ ଖୋଲୁ ହାତ-ଘଣ୍ଟାକୁ ଚାହିଁ, ‘ହଁ, ଆଜିକାଲି ବହୁତ ଡେରି ହେଉଛି ଆଙ୍କର’ – କହି ଘର ଆଡ଼େ ମୁହାଁଇଲା ଦୀପା ।

– ‘ପିଲାମାନେ ହଷ୍ଟେଲରେ ରହିବା ପରେ ଭାରି ବେପାରୱା ହୋଇ ଗଲେଣି ଦୀପା । ଖବର ନ ଦେଇ ଏମିତି ଏକା ଏକା …’ ନୀଳିମା କହୁ କହୁ ରହିଗଲେ । ମନ ଭିତରର  ସବୁ ବିରକ୍ତିଭାବ ମୁହଁ ଉପରେ ଆସ୍ଥାନ ଜମେଇ ସାରିଥିଲେ ।

ଦୀପକ ଗାଡି ବୁଲେଇଲେ । ନୀଳିମା ଯେ ଅସନ୍ତୁଷ୍ଟ, ସେକଥା ତା’ ସ୍ୱରରୁ ସ୍ପଷ୍ଟ ଠଉରେଇ ସାରିଥିଲେ ଦୀପକ । କଥା ନ ବଢ଼େଇ ଗାଡି ଚଳେଇବାରେ ମନଦେଲେ । ‘ଘରେ ପହଞ୍ଚୁ ପହଞ୍ଚୁ ଦଶଟା ବାଜିଯିବ’ – କହିଲା ନୀଳିମା । ସେଇ ଭିତରେ ସେ ଦୀପକଙ୍କୁ ପରଖି ନେଲା ଓ ଦୀପା ବିପକ୍ଷରେ ଶୁଣିବାର ପ୍ରତିକୂଳ ମନଟିକୁ ଚିହ୍ନି ସାରିବା ପରେ ଅନ୍ୟ କଥା ପକେଇଲା । କେବଳ ହୁଁ, ହାଁ ରେ ଉତ୍ତର ରଖି ଦୀପକ ଘରେ ପହଁଚାଇ ଦେଲେ । ଦିନ ସାରା ଦୀପା ସହ କଥାବାର୍ତ୍ତା,  ତା’ ଉପରେ ବିବାହ ବାର୍ଷିକୀର ପ୍ରସ୍ତୁତିରେ ନିଜର ସମସ୍ତ ଯୋଜନା ଅସଫଳ ହେବାର ଦୁଃଖରେ ନୀଳିମା ଖୁବ କ୍ଲାନ୍ତ ଅନୁଭବ କରୁଥିଲା । ସୋହନ ପର ଦିନର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା । ତାକୁ କୋଲଡ୍ କଫି କପଟିଏ ଧରେଇ ଦେଇ ଆସି ଶେଜରେ ଗଡି ପଡିଲା ନୀଳିମା ।

ବିବାହବାର୍ଷିକୀ ଥିଲା ଆଉ ସାତ ଦିନ, ଦୀପା ଫୋନ କଲା – ‘ଭାଉଜ, ବାପାବୋଉ ଆସିଗଲେଣି ତୁମ ଘରକୁ?’

– ‘ନା ରେ, ଆସିଥିଲେ ମୁଁ କହିନଥାନ୍ତି ତୁମକୁ?’
– ‘କେବେ ଆସିବେ ବୋଲି କହିଛନ୍ତି  ସେମାନେ?’
ନୀଳିମା ହସିପକାଇଲା, – ‘ଆରେ, ଏବେଠୁ ନେଇଆସିଲେ ସରପ୍ରାଇଜ୍ ଖୋଲିଯିବନି? ତାଙ୍କ ଉପସ୍ଥିତିରେ ସପିଙ୍ଗ କେମିତି କରିବି ! ପୂର୍ବ ଦିନ ଆମେ ଦୁହେଁ ଯାଇ ନେଇଆସିବୁ ତାଙ୍କୁ’ – କହିସାରି ନୀଳିମା ନିଜ ବୁଦ୍ଧିକୁ ନିଜେ ତାରିଫ କଲା । 

ରାତିରେ ଠିକ ସେଇକଥା ଦୀପକ ପଚାରିଲେ । ନୀଳିମା କଥାଶୁଣି କହିଲେ, ‘ଏମିତି ହଠାତ ଯାଇ ପହଞ୍ଚିଗଲେ ବାପାବୋଉ ଆସିବାକୁ ଯଦି ରାଜି ନହୁଅନ୍ତି ?’
– ‘ତୁମକୁ ଏକଥା ଦୀପା କହିଛନ୍ତି ନା ?’ – ଚଟ୍ କରି ପଚାରିଦେଲା ନୀଳିମା । ଦୀପକ ଟିକିଏ ଅସନ୍ତୁଷ୍ଟ ଦେଖାଗଲେ । ନୀଳିମା କଥାର ଉତ୍ତର ନଦେଇ କହିଲେ, ‘ବୋଉ ଗାଁ’ରୁ କେବେ ଖାଲି ହାତରେ ଆସିବାର ଦେଖିଛ? ଆଗରୁ କହିଥିଲେ ସେ ତା’ର ଆରିସା ପିଠା, ବଡ଼ି, ପୋଡପିଠା ଆଦି ତିଆରି କରି ଆଣନ୍ତା । ବାପାଙ୍କୁ ବି ସେ ଏମିତି  ଭୁବନେଶ୍ୱର କିଛି  କାମରେ ହଠାତ ବାହାରିଲେ ଚିଡ଼େ’ । ‘ବୋଉ ଚିଡିବେ ନା ସେସବୁ ଖାଇ ପାରିବନି ବୋଲି ଦୁଃଖୀ ହୋଇଯାଉଛ ତୁମେ ?’ – ନୀଳିମା କହିଲା ଆଉ ହସି ପକାଇଲା ।

ବିବାହବାର୍ଷିକୀ ପୂର୍ବଦିନ ହିଁ ନୀଳିମା ଆଉ ଦୀପକ ଗାଁରେ ପହଞ୍ଚିଲେ । ନୀଳିମା ଗାଡିରୁ ଓହ୍ଲେଇ ପଡି  ଜୋର ଜୋର ପାଦରେ ଘର ଆଡ଼େ ମାଡି ଯାଇଥିଲା । ସଙ୍ଗେ ସଙ୍ଗେ ତାକୁ ବାଥ୍ ରୁମ୍ ଯିବା ଦରକାର କହି, ଦାଣ୍ଡ ପଟ ଉଚ୍ଚ ନାଲି ପିଣ୍ଡା ଉପରେ  ଦୌଡ଼ିଲା ପରି ଚଢ଼ିଗଲା ନୀଳିମା, ଆଉ ଦୁଆରେ ଝୁଲିଥିବା ବଡ଼ ତାଲାଟିକୁ ଦେଖିଦେଇ ଥ’ ହୋଇ ରହିଗଲା । ଛୋଟ ଚିତ୍କାରଟିଏ ବାହାରି ଗଲା ପାଟିରୁ । ବାପାବୋଉ କୁଆଡେ ଗଲେ? ଘରେ କଣ ତାଲା ପଡିଛି । ଦୀପକ ବି ସେଇଠି ସେଇ ପାହାଚ ଉପରେ ଠିଆ ହୋଇ ଚାହୁଁଥିଲା ଏପଟ ସେପଟ । 
– ‘ତାଙ୍କ ଘରକୁ କିଏ ଆସିଛନ୍ତି, ତାଙ୍କ ଘରକୁ କିଏ ଆସିଛନ୍ତି’ – କହି କହି ପଡିଶା ଘରୁ ବାହାରକୁ ବାହାରି ଆସିଲା ଦାମ ବଡବାପାଙ୍କ ନାତି ଟୋକାଟା, ଆଉ ପୁଣି ଘର ଭିତରକୁ ଦୌଡ଼ି ପଳେଇଲା । ଟିକେ ସମୟ ପରେ ସେ ପୁଣି ବାହାରକୁ ଆସିଲା, ଏଥର ତା’ ସଙ୍ଗରେ ଥିଲେ ତାରି ପରି ତିନିଟା ଛୁଆ, ଦୁଇଟାଙ୍କର ଦେହରେ ଜାମା ନଥିଲା ଆଉ ଜଣେ ପୁରା ଲଂଗଳା । ପଛେ ପଛେ ଥିଲେ ବଡ଼ମାଆ । ସେଇଠି ଓଳଗି ହେଲା ନୀଳିମା ତାଙ୍କୁ ।

– ‘ବାପାବୋଉ କୁଆଡେ ଗଲେ ?’ – ପଚାରିଲା ଦୀପକ ।
– ‘ତୁମ ଘରକୁ ଯାଇଥିବେ ବୋଲି ଭାବିଥିଲି’ – ଆଶ୍ଚର୍ଯ୍ୟ ହୋଇ କହିଥିଲେ ବଡ଼ମାଆ ।
– ‘କେବେଠୁ ଗଲେଣି?’
– ‘ଗଲେଣି ଚାରିଦିନ ହେବ!’
ଦୀପକ ଟିକେ ବ୍ୟସ୍ତ ହୋଇ ପଡିଲା । ନୀଳିମା ବଡ଼ବୋଉଙ୍କ ସଂଗେ ତାଙ୍କ ଘର ଭିତରକକୁ ଚାଲିଗଲା ପରେ ଦାଣ୍ଡ ଦୁଆରେ ନଥ କରି ବସିପଡ଼ିଲା ଦୀପକ ।

ନୀଳିମା ଆଗେ ଆଗେ ବାହାରିଲା ଘର ଭିତରୁ ,ପଛେ ପଛେ ଲୁଗା କାନି ପାଟିରେ ଦେଇ ମୁଚୁକି ମଚୁକି ହସି ହସି ବାହାରିଲେ ବଡ଼ମାଆ।
– ‘ବଡ଼ ବୋଉ କହୁଛନ୍ତି, ପଚାଶ ତମ ବିବାହ ବାର୍ଷିକୀ ପାଳନ କରିବାକୁ  ବାପାବୋଉ କୁଆଡେ ପୁରୀ ଯାଇଥିବେ’ – ନୀଳିମା କଥାଟିକୁ ଟିକେ ଜୋର ପାଟିରେ କହୁଥିଲା ବୋଲି ତାକୁ ଆକଟ କରିବା ସହ ଲାଜରେ  ଜଡସଡ଼ ହୋଇ ଯାଉଥିଲେ ବଡ଼ମାଆ ।

ଦୀପକ ପଛେ ପଛେ ଆସି ନୀଳିମା ଗାଡ଼ିରେ ବସିଲା ବେଳେ କହୁଥିଲା, ‘କେମିତି ଆକଟ କରୁଥିଲେ ବଡ଼ମାଆ ଦେଖିଲନି? ଆରେ, ନିଜ ବାହାଘର ଦିନଟିକୁ ମନେ ପକେଇବାରେ ଲଜ୍ୟା କଣ ?’ ତାକୁ ଆକଟ କରାଯିବା କଥାଟା ନେଇ ଖୁବ ଅସନ୍ତୁଷ୍ଟ ଥିଲା ସେ । କହିଲା, ‘ବାପାବୋଉଙ୍କୁ ଖୋଜିବାକୁ ପୁରୀ ଯିବା ଏବେ?’ ଦୀପକ କିଛି ଉତ୍ତର ନଦେଇ ଫୋନ୍ ଲଗାଉଥିଲେ ବାପାଙ୍କୁ । ଫୋନ୍  ରୁ ସ୍ୱିଚଡ୍ଅଫ ମେସେଜ  ଶୁଭୁଥାଏ; ବାରମ୍ବାର ଫୋନ୍ ଲଗେଇଲେ ବି ସେଇ ଏକା  ଯାନ୍ତ୍ରିକ ସ୍ୱରଟି ଶୁଣିବାକୁ ମିଳୁଥାଏ । ଗାଡି ନେଇ ଘରେ ପହଞ୍ଚିଲା ବେଳକୁ ଖାଇବା ବେଳ ହୋଇ ଯାଇଥିଲା । ସୋହନ ପାଇଁ ରଖି ଥିବା ଖାଇବା ବାଢ଼ିଦେଇ ଅମଲେଟ ତିଆରି କରିବାକୁ ଚୁଲି ରେ ତାୱା ବସେଇଲା ନୀଳିମା ।

– ‘ବାପାବୋଉ ବୋଧେ ପୁରୀ ଯାଇଛନ୍ତି’ – ଦୀପାକୁ ଫୋନ୍ କରି କହିଥିଲା ନୀଳିମା ।
– ‘ଓହୋ, କଣ ହେବ ଏବେ? ଭାଇଙ୍କୁ କୁହ ସେମାନେ ପୁରୀରେ କେଉଁଠି ଅଛନ୍ତି  ଫୋନ୍ କରି ବୁଝିବେ ଆଉ ନେଇ ଆସିବେ ସେମାନଙ୍କୁ । ଭୁବନେଶ୍ୱରରୁ ପୁରୀ କେତେବାଟ ଯେ !’ 
– ‘ଭାଇ ତ ଫୋନ୍ କରୁଛନ୍ତି ସେତେବେଳୁ, ପାଉନାହାନ୍ତି । ବାପାଙ୍କ ଫୋନ୍ ବି ସ୍ୱିଚଡ୍ଅଫ ଆସୁଛି’ । ନୀଳିମା ଏକଥା କହିବା ପରେ ପରେ ‘ଆଗରୁ ବାପାବୋଉଙ୍କୁ ନେଇ ଆସିଥିଲେ କେତେ ଭଲ ହୋଇଥାନ୍ତା’ କହି ନୀଳିମାକୁ ଦୁଇପଦ ଶୁଣାଇ ଦେଲା ଦୀପା । ବାରମ୍ବାର ଫୋନ୍ କରିବା ପରେ ଦୀପକ ମେସେଜ୍ ପଠେଇଥିଲା ବାପାଙ୍କୁ ।

– ‘ବାପା ମେସେଜ୍ ଦେଖିଲେ ଫୋନ୍ କରିବେ, ତାପରେ ଯାହା କରିହେବ । ପୁରୀ କେତେ ବାଟ ଯେ, କାଲି ସକାଳେ ବି ଯାଇ ନେଇ ଆସିହେବ’ – ନୀଳିମା ଟିକେ ନରମ ଗଳାରେ ଦୀପକଙ୍କୁ ବୁଝେଇଲା ପରି କହିଲା । ରାତି ଖାଇବା ଖାଇ ସାରି ଶୋଇବାକୁ ଗଲାବେଳେ ବାପାଙ୍କ ଫୋନ ଆସିଲା ।

– ‘ବାପା ପୁରୀରେ କେଉଁଠି ଅଛ ତୁମେ ଦି ଜଣ ?’ – ଦୀପକ ଅଧିର ହୋଇ ପଚାରୁଥିଲେ ।
– ‘ପୁରୀ ନୁହେଁ, ଆମେ କେରଳ ଆସିଛୁ । ଏଇଠି ଗୋଟେ ବୋଟ୍ ହାଉସରେ ଅଛୁ’  – ବାପା ଗଦ ଗଦ ହୋଇ କହୁଥିଲେ ।
– ‘କେରଳ…..’ – ଦୀପକ ବଡ଼ ପାଟିରେ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଉ ନୀଳିମା ଶୁଣିବ ବୋଲି ଫୋନର ସ୍ପିକର ଅନ୍ କରିଦେଲେ ।
– ‘ହଁ, ତୋ ବୋଉ ଆଉ ମୁଁ କେରଳ ଆସିଛୁ । ଗଡ୍ସ ଓନ୍ କଣ୍ଟ୍ରି । ତୋ’ ବୋଉ ସବୁବେଳେ ମତେ କହୁଥିଲା ‘ମତେ ଟିକେ ସେଇ ଜାଗାକୁ ନିଅନ୍ତ ନି? ଗଡ୍ସ ଓନ୍ କଣ୍ଟ୍ରି ! ପନ୍ଦର ବର୍ଷ ବୟସରେ ବାହା ହୋଇଥିଲା ସେ ।  ମତେ ସେତେବେଳେ ଅଠର ବର୍ଷ ବୟସ । ‘ନେଇ ଯିବି ଦିନେ ତତେ ସେଇ ଦେଶକୁ’ କହିଥିଲି । ଆଜିଯାଏଁ  ମୋ କଥା ରଖିପାରିନଥିଲି । ବାହାଘରକୁ ପଚାଶ ବର୍ଷ ହୋଇଗଲା । ଏଇଥର ଆସିଛୁ ଆମେ ଦୁହେଁ । ଏଇଠି ଗୋଟେ ବୋଟ୍ ହାଉସରେ ଅଛୁ । ଖୁବ ସୁନ୍ଦର ଜାଗା । ତୋ ବୋଉ ବହୁତ ଖୁସି । ବାପାଙ୍କ ସ୍ୱରରେ ଖୁସି ଝଲସୁ ଥିଲା । କହିଲେ, ‘ଆମ ଅଫିସରେ କାମ କରୁଥିଲେ ମହାନ୍ତି ବାବୁ, ମନେ ଅଛି ନା?’
– ‘ହଁ, ବାପା ମହାନ୍ତି ମଉସାଙ୍କ ଠାରୁ ତୁମର ଆଉ ବୋଉର ତୀର୍ଥଯାତ୍ରା ପ୍ୟାକେଜ ନେଇଛି ପରା’ ।
– ‘ହଁ ରେ, ସେଇଥିରେ ତ ଯିବୁ ଆର ମାସରେ । ଭାବିଲି, ଆମର ପଚାଶ-ବର୍ଷ-ପୂର୍ତ୍ତୀ ବାହାଘର ବାର୍ଷିକୀ ପୁର୍ବରୁ ତୋ’ ବୋଉର ବହୁ ଦିନର ଇଛା ଟି ପୂରଣ କରିଦେବି’ ।
– ‘ମହାନ୍ତି ବାବୁଙ୍କ ଫୋନ ନମ୍ବରଟା ତ ତୁ ଦେଇଥିଲୁ, ସେଇଥିରେ ତାଙ୍କୁ ଯୋଗାଯୋଗ କରି ଏ ପ୍ୟାକେଜଟା ନେଇଗଲି । ବାପା ବି ବୋଧେ ତାଙ୍କ ଫୋର ସ୍ପିକର୍ ଅନ୍ ରଖିଥିଲେ, ବୋଉର ଲାଜ ଲାଜ ଆକଟ ଶୁଣା ଯାଉଥିଲା ରହି ରହି ।

ନୀଳିମାର ମୁହଁ ଶୁଖି ଯାଇଥିଲା । କାଲି ପାଇଁ ଅନେକ ଲୋକଙ୍କୁ ଡାକିଛି ସେ ! ଦୀପା କରିଥିବା ସବୁ ପ୍ଲାନକୁ ନଜର ଅନ୍ଦାଜ କରି ସେ ନିଜେ ପ୍ରସ୍ତୁତ କରିଥିବା ନୂଆ ଆୟୋଜନରେ ଖାଲି ବାପାବୋଉଙ୍କୁ ନୁହେଁ, ଦୀପାକୁ ବି ଏକ ରକମର ସରପ୍ରାଇଜ୍ ଦେଇଥାନ୍ତା । ଏବେ କଣ ହେବ?

– ‘ଫେରିଲେ କଥା ହେବା । ଏଠି ବୋଟ୍ ହାଉସରେ ନେଟ୍ ଲାଗୁନି ଅନେକ ସମୟରେ’ – ବାପା କହିଲେ; ଫୋନ କଟିଗଲା ।  

****

2 thoughts on “ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s