ମେଘ ରଙ୍ଗର ସେଇ ଗୁଡିଟି

ଦୂର ଆକାଶରେ ଉଡି ଯାଉଥିଲା  ମେଘ ରଙ୍ଗର ସେଇ ଗୁଡିଟି । ଅପଲକ ଆଖିରେ ତାକୁ ଚାହିଁ ରହିଥିଲା ଶିବାନୀ । ଗୁଡିଟିର ସବୁଜ ଲାଞ୍ଜଟି ପବନରେ ହଲି ହଲି, ଝୁଲି ଝୁଲି ଉଠି ଯାଉଥିଲା ଉପରକୁ, ଆହୁରି ଉପରକୁ । ସେ ଗୁଡିଟି ଜାଣେନି ତାର ଭବିଷ୍ୟତ । ଜାଣେନା କେତେ ତାର ଆୟୁଷ । କେଉଁ ମୁହୂର୍ତ୍ତରେ ବି ସେ ଧରାଶାୟୀ ହୋଇପାରେ । ସେ କଥା ନା ସେ ଜାଣେ, ନା ଜାଣିବାକୁ ଚାହେଁ । ମେଘ ରଙ୍ଗର ସେ ଗୁଡିଟି କେବଳ ଉଡିବାକୁ ଚାହିଁଛି । ଧଳା ଧଳା ମେଘଖଣ୍ଡ ମାନଙ୍କ ଭିତରେ ନିଜକୁ ହଜେଇ ଦେବାକୁ ଚାହଁଛି, କେବଳ ଗୋଟିଏ ବିଶ୍ୱାସରେ ଯେ ସେ ଯେତିକି ସମୟ ବି ଆକାଶ ବୁକୁରେ ରହିଛି, ରହିଥିବ ଗଭୀର ଆତ୍ମବିଶ୍ଵାସର ସହ ।

ସେମିତି ଚାହିଁ ରହିଥିଲା ଗୁଡିଟିକୁ ଶିବାନୀ ।

ଦୂର ଦିଗବଳୟରୁ ଯେମିତି ଭାସି ଆସୁଥିଲା ବୋଉର ମମତାଭିଜା ସ୍ୱରଟି, ଯାହାକୁ ସେ ହଜେଇଦେଇ ସାରିଛି ଗତ କିଛି ବର୍ଷ ତଳେ –  ‘ହେ, ସିନୀ, ହେ ସୋନୁ, କୁଆଡେ ଗଲ ଦୁହେଁ ….. ସେ ବଦମାସ ପିଲାଙ୍କ ସାଙ୍ଗରେ ଗୁଡି ଉଡେଇଥିବ ଯଦି ବାପା ବହୁତ ରାଗିବେ’ । ବୋଉ କଥା ନମାନି ଭାଇ ନଟେଇ ହାତରେ ଧରି ବାହାରି ଯାଏ, ଆଉ ତା ପଛେ ପଛେ ଯାଏ ଶିବାନୀ । ବୋଉ ଧାଇଁ ଆସେ ଦାଣ୍ଡ ଯାଏଁ । ବୋଉକୁ ବୁଝେଇହୁଏ, କିନ୍ତୁ ବାପାଙ୍କୁ ? ବାପା ରାଗି ନୁହଁନ୍ତି ଜମା, କିନ୍ତୁ ବାପାଙ୍କ କଥା କାହିଁକି କେଜାଣି ମନେହୁଏ ଗୋଟେ ଅକାଟ୍ୟ, ଅଲିଖିତ ଆଦେଶନାମା !

ଭାଇର ଗୁଡି ଉଡେଇବାରେ ଭାରି ମନ, ଅଥଚ ବାପା ଗୁଡି ଉଡେଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ ।  ଠାକୁରଘରେ ଭାଇ ଲୁଚେଇ ରଖିଥାଏ ତା’ର ଗୁଡି । ବୋଉ ବେଶୀ ଆକଟ କରେ ଶିବାନୀକୁ – ‘ଗୁଡି ଉଡେଇବା ପୁଅଙ୍କ ଖେଳ, ଝିଅଙ୍କର ନୁହେଁ’ । ପୁଅଙ୍କ ଖେଳ, ଆଉ ଝିଅଙ୍କ ଖେଳ – ଏମିତି ଶୁଣିଲେ ବିଦ୍ରୋହୀ ହୋଇଉଠେ ମନ । ଭାଇ ସାଙ୍ଗରେ କବାଡି, ଗୁଚିତାଣ୍ଡୁ, ଖେଳିବାକୁ ବହାରିପଡ଼େ ଶିବାନୀ । ସେଗୁଡା ବି କୁଆଡେ ପୁଅଙ୍କ ଖେଳ । ଦଶ-ଏଗାର ବର୍ଷ ବଯସର ଝିଅଟିଏର କେତେବା ସାଂସରିକ ଜ୍ଞାନ ? ଶୈଶବକୁ ଏଇମାତ୍ର ଛାଡି ଆସିଥାଏ ସେ । ଶିଶୁ ସୁଲଭ ଚପଲତା ଭିତରୁ ଏଯାଏଁ ସମ୍ପୂର୍ଣ୍ଣ ମୁକ୍ତ କରିପାରି ନଥାଏ ନିଜକୁ ଆଉ ଯୌବନର ମତ୍ତ ଉଲ୍ଲାସ ରହିଥାଏ ଆହୁରି ଅନେକ ଦୂର । ଏଇତ କୈଶୋର – ନିଜକୁ ନୂଆ ଛାଞ୍ଚରେ ଢାଳିବାର ବୟସ । ଏମିତି ସମୟରେ ଗଢିଉଠୁଥିବା କଞ୍ଚା ମନଟିରେ ସେ ଆଦୌ ସ୍ୱୀକାର କରି ପାରେନା ଝିଅ-ପୁଅର ଏ ମଣିଷକୃତ ନିୟମ କାନୁନ ସବୁକୁ । 

ପଡିଆରେ ଭାଇ ଆଉ ତାର ସାଙ୍ଗମାନଙ୍କ ସହ ଖେଳିବାକୁ ଧାଇଁଯାଏ ସେ ।  ଭାଇ ର ସାଙ୍ଗମାନେ ବୟସରେ ମାତ୍ର ଚାରି, ପାଞ୍ଚ ବର୍ଷ ବଡ଼ ହେଲେ ମଧ୍ୟ ଶିବାନୀ ସହ ଖେଳିବାକୁ ଆଗ୍ରହ ଦେଖାନ୍ତିନି । ଖାଲି ଜିତୁ ଭାଇ ସେମାନଙ୍କଠାରୁ ଅଲଗା । ବୟସରେ ସେମାନଙ୍କ ଭିତରେ ସେ ସବୁଠାରୁ ବଡ଼ । ତେଣୁ ତା କଥା କେହିବି କାଟି ପାରନ୍ତି ନାହିଁ । ଭାଇ ବେଳେବେଳେ ବିରକ୍ତ ହୁଏ, – ‘ଯାଉନୁ ତୋ ସାଙ୍ଗ ମାନଙ୍କ ସାଙ୍ଗେ ଖେଳିବୁ । ପୁଅ ପିଲାମାନଙ୍କ ସହ କାହିଁକି ଖେଳୁଛୁ’? ଶିବନୀର ଇଛା ଚପଳ ହରିଣୀଟିଏ ପରି ଦୌଡ଼ିବାକୁ, ନଈରେ ପହଁରିବାକୁ, ଇଛା ପୁଣି ନୀଳ ଆକାଶରେ ପକ୍ଷୀଟିଏ ହୋଇ ଉଡ଼ି ବୁଲିବାକୁ । ତା’ ବୟସର ଝିଅ ମାନଙ୍କୁ ସେସବୁ କରିବା ମନା । ସେଇଥିପାଇଁ ତ ଭାଇ ସହ ଖେଳ ପଡିଆକୁ ଯାଏ ସେ, ଭାଇର ଶତ ଅନିଚ୍ଛା ସତ୍ତ୍ବେ । ବାପା ଶିବନୀକୁ କିଛି କହନ୍ତିନି, ରାଗନ୍ତିନି ଜମା । କେତେବେଳେ କେଜାଣି ବୋଉକୁ କହିଥାନ୍ତି ଶିବନୀକୁ ଆକଟ କରିବାକୁ ! ବୋଉ ଖୁବ ଆକଟ କରେ । କହେ, ‘ବାପା କହିଛନ୍ତି ଏସବୁ ଖେଳ ଖେଳେନା । ଏସବୁ ପୁଅଙ୍କ ଖେଳ’ । – ‘ଆଛା , ବାପା କହିଛନ୍ତି ଏକଥା?’ – ଅବିଶ୍ୱାସ ଆଖିରେ ଶିବାନୀ ବୋଉକୁ ଚାହେଁ । ବାପା ତ ତାକୁ ଖୁବ ଉତ୍ସାହିତ କରନ୍ତି, ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତି । ଶିବାନୀ ଚିହ୍ନି ପାରିନି ବାପାଙ୍କ ଭିତରର ସେଇ ଅସହାୟ ବାପାଜଣଙ୍କୁ, ଯିଏ ନିଜ ଝିଅର ନିରାପତ୍ତା ନେଇ ସବୁବେଳେ ଚିନ୍ତିତ । ଭାଇ ପଛେପଛେ ପଡିଆକୁ ଦଉଡେ ଶିବନୀ, ବୋଉ ଚୁପ ରହେ । ‘ବୋଉ ଭାରି ଦୁର୍ବଳ’ – ମନେମନେ କହେ ଶିବାନୀ ।

ଖେଳ ପଡ଼ିଆରେ ଶିବାନୀ ଧାଁଉଥାଏ ଭାଇ ପଛରେ । ଠାକୁରଘରୁ ଚୁପ କିନା ଗୁଡିଟି ଆଣି ଭାଇ ପଡିଆରେ ଉଡାଏ ।  ଭାଇର ସାଙ୍ଗ ମାନେ ବି  ଗୁଡି ଉଡାନ୍ତି । ନୀଳ ଆକାଶରେ ଦୂରରୁ  ଦୂରକୁ ଉଡିଯାଏ ତାଙ୍କ ଗୁଡି । ଜଣେ ଆଉଜଣଙ୍କର ଗୁଡି କଟେଇଦେବାରେ କି ଅବା ମଜା, ଶିବାନୀ ବୁଝିପାରେନା । କଟି ଯାଇଥିବା ଗୁଡ଼ିଟିଏ ଆକାଶରେ  ତଳକୁ ତଳ ଖସି ଆସୁଥିବାର ଦେଖିଲେ ଭାରି ଗୋଟେ ଅସହାୟ ପଣ ଆବୋରି ବସେ ତାକୁ । ଖାଲି ଭାଇର ନୁହେଁ, ଯାହାର ବି ଗୁଡି କଟିଗଲେ ଖୁବ ଦୁଃଖୀ ହୋଇଯାଉଥିଲା  ଶିବାନୀ । ଭାଇ ଯଦି କାହାର ଗୁଡି କାଟିଥାଏ, ଜିତିବାର ଖୁସି ବାଣ୍ଟି ପାରେନା ତା’ ସହ  ଶିବାନୀ । ବରଂ କଟିଯାଇ ଆକାଶରୁ ଖସି ଆସୁଥିବା ସେଇ ଗୁଡିଟି ପାଇଁ  ତାର ଦୁଃଖ ଦେଖି ଭାଇ ରାଗିଯାଏ । ଶିବାନୀ ପିଲାଳିଆ ଆଶଙ୍କାରେ ତଥାପି  ଚାହିଁ ରହିଥାଏ – ପଡିଆରେ ନପଡ଼ି ଗୁଡିଟି କେଉଁ ଅଜଣା ଭାଗ୍ୟକୁ ଭୋଗିବାକୁ ଯାଉଥାଏ ଧୀରେ ଧୀରେ – ହଲିହଲି, ଝୁଲିଝୁଲି । ଉଦାସ ହୋଇଯାଇଥାଏ ସେ ।

ଖେଳ ପଡିଆକୁ ଯିବାରେ ଡେରି ହେଲେ ସେମାନଙ୍କୁ ଡାକିବାକୁ ଘରକୁ ଚାଲି ଆସନ୍ତି ଭାଇର ସାଙ୍ଗ ମାନେ,
ଜିତୁ ଭାଇତ ନିଶ୍ଚୟ ଆସେ ସେମାନଙ୍କୁ ଡାକିବାକୁ । ଶିବାନୀର ବେଣୀକୁ ଟାଣେ । କହେ ତୁ ନ ଆସିଲେ ଖେଳ ଜମେନି । ଶିବାନୀ ଖୁସି ହୁଏ । ଜିତୁ ଭାଇ, ଜିତୁ ଭାଇ କହି ତା ପଛରେ ଦଉଡି ଯାଏ । ସେଇ ପିଲାଦିନ କେତେ ପଛରେ ଛାଡି ଆସିଛି ସେ ।  

ଶିବାନୀ ଦୂର ଆକାଶକୁ ଚାହିଁ ଖୋଜିହେଲା ସେ ମେଘ ରଙ୍ଗର ଗୁଡିଟିକୁ । ପିଲାବେଳର ମଧୁର ସ୍ମୃତିରୁ ହଠାତ ଫେରି ଆସିଲା ବର୍ତ୍ତମାନକୁ । ଆଜି ବି ଗୁଡ଼ି ପ୍ରତି ତାର ଆକର୍ଷଣ ଜାରି ରହିଛି । ତା’ ନଜର ଫେରିଗଲା ସେଇ ମେଘ ରଙ୍ଗର ଗୁଡିଟି ପାଖକୁ ଯାହାର ଉତ୍ତରଣରେ ସେ ଦେଖୁଥିଲା ନିଜ ଆଶା-ଆଶଙ୍କାର ପ୍ରତିଫଳନ  । କିନ୍ତୁ ଏ କଣ, ଗୁଡିଟି  ଏବେ ତ ଏଇଠି ଥିଲା । ତା ଉପରୁ ସେ ଆଦୌ ନଜର ଉଠାଉ ନଥିଲା । କେମିତି କେଜାଣି ଗୁଡିଟି ଖସିଗଲା ତା ଆଖି ଆଢୁଆଳକୁ । ଲୁହ ଟିକିଏ ଜକେଇ ଆସିଲା ତା’ ଆଖିରେ । ପୁଣି ବୋଉ ମନେପଡ଼ିଲା, ମନେପଡ଼ିଗଲା ସେ ଦିନର କଥା । ସେଇକଥା କଣ କେବେ ସେ ଭୁଲିପାରିବ ? ବୋଉକୁ ସେ ଦିନ ଯାଏଁ ଖୁବ ଦୁର୍ବଳ ଭାବିଥିଲା ଶିବାନୀ । ଅଥଚ ….

ସେ ଦିନର କଥା ମନେ ପଡିଲେ ଏବେବି ତା’ ଧମନୀରେ ରକ୍ତ-ସ୍ରୋତ ଦ୍ରୁତ ହୋଇଯାଏ । ମନେ ପଡେ, ଦିନେ ଜିତୁ ଭାଇ ମୁହଁରେ ମେଞ୍ଚାଏ ଛେପ ପକେଇ ଦଉଡି ଦଉଡି ଖେଳ ପଡ଼ିଆରୁ ଆସି ବୋଉର ଲୁଗା କାନିରେ କେମିତି ମୁହଁ ଲୁଚେଇ କଇଁ କଇଁ ହୋଇ କାନ୍ଦି ପକେଇଥିଲା ସେ । ଦେହଟା ତାର ଜଳୁଥିଲା କିଛି ଯନ୍ତ୍ରଣାରେ ଓ ଅନେକଟା ଅପମାନରେ । ବୋଉ କୋଳ ସେତେବେଳେ ଲାଗୁଥିଲା ଅଭୟ ଆଶ୍ରୟ, ବୋଉର ହାତ ପାପୁଲିରେ ଶିବାନୀ ଘୋଡେଇ ପକେଇଥିଲା ନିଜ ମୁହଁ ।  ବୋଉ ଥରେ ବି ପଚାରି ନଥିଲା କିଏ ସେ ସିଏ ।  କେବଳ କହିଥିଲା – ‘ତୁ ବଡ଼ ହୋଇଗଲୁଣି ।  ନିଜଳୁ ରକ୍ଷା କରିବା ଶିଖିଯିବୁ ଆପେଆପେ । ନାରୀକୁ ଅସହାୟ ଭାବୁଥିବା ରାକ୍ଷସ ମାନଙ୍କୁ ଦମନ କରିବାକୁ ତତେ ଅଷ୍ଟଭୁଜା  ହେବାକୁ ପଡିବ । ଅଦେଖା ଅସ୍ତ୍ରରେ ନିଜକୁ ସଜେଇ ନେବାର କଳା ଅକ୍ତିଆର କରିବାକୁ ହେବ । ଶିବାନୀକୁ ବି ଠିକ ସେମିତି ମନେ ହେଉଥିଲା ସେତେବେଳେ । ନିଜ ହାତକୁ ମୁଠା କରିନେଇ ନିଜକୁ ଦୃଢ଼ ମନେ କଲାବେଳେ ସେ ଅନୁଭବ କରୁଥିଲା ସତରେ ସେ ବଡ଼ ହୋଇଯାଇଛି ।

ସେ ଅଘଟଣଟି ତୁହାଇ ତୁହାଇ ମନେପଡେ ତା’ର ଅନେକ ସମୟରେ । ଝିଅ ତିତିଲିର ନିରୀହ ପ୍ରଶ୍ନ ମାନଙ୍କ ଭିତରେ ନିଜ ଶୈଶବକୁ ବାରମ୍ବାର ଆବିଷ୍କାର କରେ । ତାକୁ ବିନା କଟକଣାରେ ବଢିବାକୁ ଉତ୍ସାହ ଦେବାବେଳେ ଝୁଣ୍ଟି ପଡେ ସେ ନିଜେ । ସିଦ୍ଧାର୍ଥ ଠିଆ ହୁଅନ୍ତି ପାଖରେ ଦୃଢ଼ ହୋଇ । ଝିଅର ନିରାପତ୍ତା ନେଇ ତା’ ବାପାଙ୍କ ପରି ସିଦ୍ଧାର୍ଥଙ୍କ ଭିତରେ ବି ଆଶଙ୍କା ଥିବ ନିଶ୍ଚୟ, କିନ୍ତୁ ତିତିଲିକୁ ସେ କେବେହେଲେ ଦୁର୍ବଳ ମନୋଭାବର ଶିକାର ହେବାକୁ ଦେଇନାହାନ୍ତି । ଶିବାନୀକୁ ବି ।

ବାପା  ପାରୁପର୍ଯ୍ୟନ୍ତ  ସୁଧାରିବାକୁ ଚେଷ୍ଟା କରିଥିଲେ ଶିବାନୀର ଭାଙ୍ଗି ଯାଇଥିବା ମନଟିକୁ । ସେଇ ଦୁର୍ଘଟଣା ପରେ ପରେ ବାପାଙ୍କର ନୂଆ ସହରକୁ ବଦଳି ହୋଇଯାଇଥିଲା । ଶିବାନୀର ସ୍କୁଲ ଓ କଲେଜ ଶିକ୍ଷା ହୋଇଥିଲା ନୂଆ ସହରରେ । ସ୍କୁଲରେ ପ୍ରଥମେ ଏନ୍ ସି ସି ରେ ଯୋଗ ଦେବା ଓ କଲେଜର ଶେଷ ବର୍ଷରେ ପାଇଲଟ ଟ୍ରେନିଂ ପାଇଁ ମନୋନୀତ ହେବା    ଭିତରେ କେବେକେବେ ଜିତୁ ଭାଇର ମୁହଁ ଟି ନାଚିଯାଏ ଆଖି ଆଗରେ । ସେ ମୁହଁରେ ଦେଖି ପାରେନି ସାମାନ୍ୟ ଅନୁଶୋଚନା । କିନ୍ତୁ ମୁହଁର ସେଇ ସାମାନ୍ୟ ଝଲକରେ ବି ଶିବାନୀର ହାତ ମୁଠା ମୁଠା ହୋଇଯାଏ ।

ନିଜକୁ ଗୋଟେଇ ନେଲା ସେ ଆତ୍ମବଳର ନୂଆ ବିଶ୍ୱାସରେ । ମେଘ ରଙ୍ଗର ସେ ଗୁଡିଟି ଯେଉଁଟି ତା’ରି ଆଗରେ ଅନ୍ୟ ଗୁଡିମାନଙ୍କୁ ପଛରେ ପକାଇ ଉଠିଯାଉଥିଲା ଉପରକୁ ଆହୁରି ଉପରକୁ, ଏଥର ସେ ଠିକ ଦେଖିପାରୁଥିଲା ତାକୁ । ତା ଆଖିରୁ ଗାଲ ଦେଇ ଖସି ଯାଇଥିଲା କିଛି ସମୟ ପୂର୍ବରୁ ଆଖି କୋଣରେ ଜକେଇ ଆସିଥିବା ଲୁହ ଟୋପାକ ।

ଗୁଡିଟିକୁ ସେ ଏକଲୟରେ ଚାହିଁ ରହିଛି ସେତେବେଳୁ । ସେଇଠୁ ଆଖି ଫେରେଇ ନେଲେ କାଳେ ସେ ଗୁଡିଟି ହଜିଯିବ ଆଖପାଖରେ ଉଡୁଥିବା ଆଉ କେତୋଟି ଗୁଡି ମାନଙ୍କ ଭିତରେ, ଯେଉଁମାନେ ଏବେ ମଧ୍ୟ ସେଇ ଗୁଡିଟିର ପାଖାପାଖି ବି ପହଂଚି ପାରିନାହାନ୍ତି ।  ଶିବାନୀ ଆନମନା ହେଲା ।  ଗୁଡିଟିକୁ ଚାହିଁ ରହିଥିଲା ସେ ସେତିକି ବେଳୁ ଯେତେବେଳେ ଗୁଡିଟି ସ୍ପଷ୍ଟ ଦିଶୁଥିଲା ତାକୁ । ତା’ ନିଜ ଜୀବନତ ସେ ଗୁଡିଟି ଭଳି । ଗୁଡିଟି କେବେବି ବିଚ୍ୟୁତ ହେବାକୁ ଚାହୁଁ ନ ଥିବ ତା’ ଭଳି ନିଜର ଲକ୍ଷ୍ୟ ପଥରୁ । ତାର ଲକ୍ଷ୍ୟ ଥିବ କେବଳ ଉପରକୁ, ଆହୁରି ଉପରକୁ ଉଡିଯିବାକୁ ।  ତା’ ଆଖି ଆଗରେ ସେଇ ଗୁଡିଟି ଉଡିଯାଉଛି ଉପରକୁ । ମିଶିଯାଉଛି ବିନ୍ଦୁଟିଏ ହୋଇ ଆଉ ଆଉ ଗୁଡି ମାନଙ୍କ ସହ । ତଥାପି ସେ ଚିହ୍ନିଛି ସେ ନିର୍ଦ୍ଧିଷ୍ଟ ଗୁଡିଟିକୁ । ସେଇଟିକୁ ତା’ ଆଖିରୁ ଅନ୍ତର କରିବାକୁ ଚାହେଁନି ସେ । ସେଇଟି ଯେ ତାର ଆତ୍ମବିଶ୍ୱାସର ପ୍ରତୀକ । ତାକୁ କେବଳ ଉଚ୍ଚରେ ଖୁବ ଉଚ୍ଚରେ ଦେଖିବାକୁ ଚାହେଁ ସେ ।

ବାପା ଶେଯରେ ପଡ଼ି ଗଲେଣି । ବୁଲଚଲା କରି ପାରୁନାହାନ୍ତି ଆଦୌ । ଧରାଧରି କରି ନେଲେ ନିଜର ନିତ୍ୟକର୍ମ ଆଦି କରୁଛନ୍ତି । ଭାଇ ଖୁବ ଯତ୍ନଶୀଳ, ଭାଉଜ ବି । ଭାଇ ଶିବାନୀ ପାଇଁ ବି ଖୁବ ଯତ୍ନଶୀଳ । ଶିବାନୀର ଖୁସି ପାଇଁ ଭାଇ ସର୍ବଦା ତତ୍ପର ।  ସେଦିନ କିନ୍ତୁ ଭାଇ ନ ଥିଲା ପାଖରେ । ସେଇମାତ୍ର କଟି ଯାଇଥିବା ଲାଲ ଗୁଡିଟା ପଛରେ ଧାଇଁ ଥିଲେ ସମସ୍ତେ । ଭାଇବି । ଗୁଡିଟି ହଲିହଲି ଝୁଲିଝୁଲି ଖସି ଯାଉଥିଲା ତଳକୁ ।  ପଡ଼ିଆର ପାଚିରୀ ଆରପଟେ ଭଙ୍ଗା ଘରଟି ଟପି ସେମାନେ ସମସ୍ତେ ଦୌଡୁଥିଲେ । ଶିବାନୀ ସେଇଠି ଠିଆ ହୋଇଥିଲା ଚୁପଚାପ, ଆଉ ସେଇ କଟିଯାଇ ଖସିପଡୁଥିବା ଗୁଡିକୁ ଚାହିଁ ରହିଥିଲା ଉଦାସ ଆଖିରେ । ଜିତୁଭାଇ ତାକୁ ଟାଣୁଥିଲା, – ‘ଆ, ଏଇଠି ବୋକିଙ୍କ ପରି କଣ ଠିଆ ହୋଇଛୁ ? ଜିତୁଭାଇ ତାକୁ ଟାଣିଟାଣି ନେଇ ଯାଇଥିଲା ସେ ଭଙ୍ଗା ଘର ପାଖକୁ । ତ୍ରସ୍ତ ହରିଣୀଟିଏ ପରି ଶିବାନୀ ଛଟପଟ ହେଉଥିଲା ଜିତୁ ଭାଇର ଶକ୍ତ ହାତମୁଠା ଭିତରେ । ସେଇଠି  ତାକୁ ରକ୍ଷା କରିବାକୁ ଚକ୍ର ଆସିନଥିଲା କି ଆସି ନଥିଲେ ଚକ୍ରପାଣି । ସେଇ ମୁହୂର୍ତ୍ତରେ କାହିଁକି କେଜାଣି ସେ ବି ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇ ପାରିନଥିଲା ପ୍ରଭୁଙ୍କ ଶରଣରେ । ଲଢ଼ିଥିଲା, ଖୁବ ଲଢ଼ିଥିଲା ଆଉ ଜିତିଥିଲା ବି । କେମିତି କେଜାଣି ଖସିଗଲା ଜିତୁର ହାତମୁଠାରୁ ତା’ ହାତ । ତଳୁ ପୁଳାଏ ବାଲି ଧରି ଜୋର କରି ଛାଡିଥିଲା ଜିତୁର ଆଖିକୁ, ଆଉ ତା ସହିତ ମେଞ୍ଚାଏ  ଛେପ ତା ମୁହଁକୁ । ବୋଧହୁଏ ବିଶ୍ଵନିୟନ୍ତା ବି ସେଇଆ ଚାହିଁଥିଲେ । ନିଜକୁ ନିଜେ ରକ୍ଷା କର । ଲଢ଼ିବାକୁ ଦେହରେ ଶକ୍ତି ଖଞ୍ଜିଦେଲେ, ମନରେ ବଳ ଭରିଦେଲେ । କିନ୍ତୁ ହାତରୁ ଚକ୍ର ପଠେଇ ଅବଳା ସଜେଇ ନଥିଲେ ତାକୁ ।  ସେଦିନ ଯଦି ସେ ହାରି ଯାଇଥାନ୍ତା ଆଉ ଅପେକ୍ଷା କରିଥାନ୍ତା ଅନ୍ୟ କାହାର ସାହାଯ୍ୟକୁ, ତେବେ ସତକୁ ସତ ଅବଳା ହୋଇ ରହିଯାଇଥାନ୍ତା ସବୁଦିନ ପାଇଁ ।

ଝିଅ ତିତିଲିର ଖୁବ ହସ ଆଉ ପାଟି ଶୁଣାଯାଉଛି । ଫୋନରେ ଗପୁଥିବ ସେ ଅଜାଙ୍କ ସଂଗେ । ଆଜି ତ ତାକୁ ଅନେକ କଥା କହିବାକୁ ଅଛି ଅଜାଙ୍କୁ । କହିବାକୁ ଅଛି ଆସନ୍ତା କାଲି ତା’ ସ୍କୁଲରେ ସେମାନେ ପାଳିବାକୁ ଯାଉଥିବା ଉତ୍ତରାୟଣ ପର୍ବ ବିଷୟରେ । ଆଜି ସ୍କୁଲ ବସରୁ ଓହ୍ଲେଇ ଶିବାନୀକୁ ଦେଖି ଖୁବ ଖୁସି ହୋଇ ଯାଇଥିଲା ସେ । ଏଇ ଦୁଇ ଦିନ ଶିବାନୀ ଛୁଟି ନେଇଛି ।  ମକର ସଂକ୍ରାନ୍ତିରେ ସିଦ୍ଧାର୍ଥଙ୍କର ଜନ୍ମଦିନ । ସିଦ୍ଧାର୍ଥ  ବି ଛୁଟିରେ ରହିବେ । ଏମିତି କେତୋଟି ସ୍ୱତନ୍ତ୍ର ଦିନକୁ ପୁରା ପରିବାର ଏକାଠି ପାଳନ କରିବାକୁ ଶିବାନୀ ସବୁବେଳେ ଇଛା କରିଛି । ସିଦ୍ଧାର୍ଥ  ବି ସେଥିରେ ସହଯୋଗ କରିଛନ୍ତି ସବୁବେଳେ । ତିତିଲି ଖୁବ ଖୁସି ।  ଗୁଡିଉଡା ପର୍ବ ସହିତ ଜନ୍ମଦିନର ଏ ଉତ୍ସବ ତା’ ପାଇଁ ଏକ ଆନନ୍ଦର ସମୟ । ସ୍କୁଲରେ ଛୋଟ ପିଲାମାନଙ୍କ ଭିତରେ ପ୍ରବଳ ଉତ୍ସାହ ଏଇ ଗୁଡିଉଡା ପର୍ବଟିକୁ ନେଇ । ଶିବାନୀ ଦେଖିଆସୁଛି ଏଠି ପାଳନ ହେଉଥିବା ଏଇ ପର୍ବଟିରେ ଘରର ସମସ୍ତେ ଅଂଶ ଗ୍ରହଣ କରନ୍ତି । ରଙ୍ଗ ବେରଙ୍ଗର ଗୁଡିରେ ଭରିଯାଏ ଆକାଶର ବକ୍ଷ । କିସମ କିସ ର ଗୁଡି । ଦିନେ ଦୁଇଦିନ ହେଲାଣି ଗୁଡିଉଡା ପର୍ବର ଆଭାସ ମିଳିଲାଣି । କିଛି କିଛି ଗୁଡି ଉଡ଼ିଲାଣି ଆକାଶରେ । ତିତିଲି ବି ରଙ୍ଗ କାଗଜରେ କେତେନା କେତେ ଗୁଡି ତିଆରି କରି ସାରିଲାଣି । କିଛି ଗୁଡି ସେମାନେ ସ୍କୁଲରେ ବି ତିଆରି କରିଛନ୍ତି । ସେସବୁ ଗୁଡିକୁ ମାମା ଦେଖିବ ବୋଲି ଖୁବ ଯତ୍ନରେ ଘରକୁ ଆଣିବାର ପ୍ରୟାସ କରିଛି ତିତିଲି, ଯଦିଓ ଶିବାନୀ ପାଖରେ ସେସବୁ ଅକ୍ଷତ ଅବସ୍ଥାରେ ପହଂଚି ପାରିନି । ତଥାପି ତିତିଲିର ଉତ୍ସାହ ଦେଖି ଖୁବ ଖୁସି ହୋଇଛନ୍ତି ଦୁହେଁ ଶିବାନୀ ଓ ସିଦ୍ଧାର୍ଥ  ।

– ‘ପାପା ମାମା ବହୁତ ଖୁସି, ଅଜା, କାଲି ଆମର ଗୁଡି ଉଡା ଦିନ । ହଁ, ଗୁଡି, ସୂତା ନଟେଇ ସବୁ କିଣା ହୋଇଛି । ହେଇ ଦେଖ, ଦେଖ ଅଜା’ – କହି କିଣା ହୋଇଆସିଥିବା ଗୁଡି ଉଡାର ସମସ୍ତ ସରଞ୍ଜାମକୁ ହାତରେ ଗୋଟେଇ ନେଇ ଭିଡ଼ିଓ ଜରିଆରେ ବାପାଙ୍କ ଆଖି ଆଗରେ ତୋଳି ଧରିଛି ତିତିଲି । ବାପା କଣ କହୁଛନ୍ତି, ତିତିଲି ହସି ହସି ବେଦମ ହୋଇଗଲାଣି । ଶିବାନୀ ଆଡକୁ ଫୋନଟିକୁ ବୁଲେଇ ଧରି ତିତିଲି କହୁଥିଲା,  

– ‘ମାମା, ଦେଖ ଅଜା କଣ କହୁଛନ୍ତି’ ।

– ‘କଣ କହୁଛନ୍ତି ‘?

ଶିବାନୀ ସ୍ପଷ୍ଟ ଶୁଣିପାରୁଥିଲା ବାପାଙ୍କର ସ୍ୱର । ବାପା କହୁଛନ୍ତି, ‘ତୋ ମାମା କୁ ଟିକେ ଗୁଡି ଉଡେଇବାକୁ ଦେବୁ ମାଆ । ତୋ ମାମାର ପିଲାଦିନେ ଖୁବ ଇଛା ଥିଲା । ମୁଁ ତାକୁ ଗୁଡି ଉଡେଇବାକୁ ଦେଇ ନଥିଲି । କହିଥିଲି ସେସବୁ ପୁଅଙ୍କ ଖେଳ’ ।
– ‘ଅଜା, ଆମ କ୍ଲାସ ର ଆମେ ସମସ୍ତେ ଗୁଡି ଉଡେଇବୁ କାଲି । ଆମ ଟିଚର୍ ତ କହିନାହାନ୍ତି ଗୁଡି ଖାଲି ପୁଅମାନେ ଉଡେଇବେ । ସମସ୍ତେ, ମାନେ ସମସ୍ତେ  ଉଡେଇବୁ କାଲି ଗୁଡି । ଗୁଡ଼ଡୁ, ବବ୍ଲୁ, ନେହା, ମୁଁ ସମସ୍ତେ’ ।

– ‘ତୋ ମାମା କୁ ବି ଦେବୁ’ । ବାପା ଅନୁରୋଧ କରୁଥିଲେ ତାକୁ ।

ଶିବାନୀ ଫୋନ ନେଇଯାଇଥିଲା ତିତିଲି ହାତରୁ । ବାପାଙ୍କ ସ୍ୱରରେ କେତେ ବ୍ୟାକୁଳତା । ଶିବାନୀ ଆଖିରୁ ଝରଝର ହୋଇ ଝରି ପଡୁଥିଲା ଅମାନିଆଁ ଲୁହ ଧାର । ବାଁ ହାତ ନେଡିରେ ଲୁହ ପୋଛି ନେଉ ନେଉ ଶିବାନୀ କହୁଥିଲା, ‘ବାପା । ଏବେ ତୁମର ପାଇଲଟ ଝିଅ ନୀଳ ଆକାଶରେ ପରା ଘର କରି ସାରିଲାଣି’ । ବାପା ହସୁଥିଲେ । କେତେ ନିରୀହ ଲାଗୁଥିଲେ ବାପା । ତିତିଲି ଦୁଇ ହାତ ଟେକି ନାଚୁଥିଲା ‘ଗୁଡି କଟିଗଲା, ଗୁଡି କଟିଗଲା’ । ଶିବାନୀ ଚମକି ଚାହିଁଲା ଆକାଶକୁ ।

ମେଘ ରଙ୍ଗର ସେ ଗୁଡିଟି ଏବେବି ଉଡୁଛି ଉପରେ, ଖୁବ ଉପରେ, ଗଭୀର ଆତ୍ମବିଶ୍ଵାସର ସହ …..

(AIR ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ – 22 ଜାନୁୟାରୀ 2022)

****

3 thoughts on “ମେଘ ରଙ୍ଗର ସେଇ ଗୁଡିଟି

  1. Sandip Pani

    ଚମତ୍କାର…. ମେଘରଙ୍ଗର ଗୁଡି ସେମିତି ଆକାଶର ଛାତିଚିରି ଉଡୁଥିବ, ଯେ ପର୍ଯ୍ୟନ୍ତ ତା’କୁ ଦେଖୁଥିବ ଶିବାନୀ… ଆଉ ହାତ ଟେକି ନାଚୁଥିବ ତିତିଲି… ଇଏ ଆତ୍ମବିଶ୍ବାସର କଥା, ସ୍ୱାଧୀନ ଚେତନାର କଥା; ଯାହା ତୁମେ ଖୁନ୍ଦି ଦେଇଛ ସୁଚିତ୍ରା, ତୁମର ଏଇ ଗଳ୍ପରେ।
    …..ତୁମେ ଏମିତି ଲେଖିଚାଲ, ଗୁଡି ବି ସେମିତି ଉଡୁଥାଉ ମେଘର ରଙ୍ଗ ବୋଳି।

    Liked by 1 person

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s