ଖୁସି ତ ଖୁସି । ଛୋଟ ଖୁସି କ’ଣ, ଆଉ ବଡ଼ ଖୁସି କ’ଣ ? ଆନନ୍ଦ ଦେଉଥିବା, ଖୁସି ଦେଉଥିବା ମୁହୂର୍ତ୍ତ ଗୁଡିଏ ଜୀବନରେ ଆସେ ଆଉ ଚାଲିଯାଏ । ଠିକ ସମୟରେ ତାକୁ ଅନୁଭବ କରିବା ପାଇଁ, ସ୍ମୃତି କରି ସାଇତି ରଖିବା ପାଇଁ ସମ୍ବେଦନଶୀଳ ହୃଦୟଟିଏ ଲୋଡ଼ା ।
ନାତୁଣୀ ନେହାକୁ ବର୍ଷେ ପୁରିଲା ଏଇ ଆଠଦିନ ତଳେ ।
ଏଯାଏଁ ଚାଲିନି ।
– ‘ଚାଲିବ , ଏତେ ବ୍ୟସ୍ତ କାହିଁକି? ତୁ ସେମିତି ଦାନ୍ତ ଉଠୁନି କହି ବ୍ୟସ୍ତ ହେଉଥିଲୁ । ଦଶମାସରେ ଏକା ସାଙ୍ଗରେ ଛଅ ଟା ଦାନ୍ତ ଉଠିଗଲା ନା ! ଏତେ ବ୍ୟସ୍ତ ହେବା ଉଚିତ ନୁହେଁ । ସେ ଠିକ ଚାଲିବ…..’ ସୁଗନ୍ଧା କୁ ଫୋନ ରେ ବୁଝାଇ ଚାଲିଥିଲେ ସୁପ୍ରଭା । ଗେଟ ଖୋଲାହେବା ସାଙ୍ଗକୁ ସାନଭାଇ ଗ୍ୟାରେଜରେ ଗାଡି ରଖିବାର ଶବ୍ଦ ଶୁଣିବା ପରେ ସୁପ୍ରଭା ସୁଗନ୍ଧାକୁ ‘ପରେ କଥା ହେବାରେ ମାଆ । ଫୋନ ରଖିଲି’ – କହି ଫୋନ କାଟିଦେଲେ ।
ବୋଉ ଡାକ୍ତରଖାନାରେ । ଏତେ ଲୋକ ଘର କାମ କରିବାକୁ ଥାଉ ଥାଉ ବୋଉ କାହିଁକି ଯେ ରୋଷେଇ ଘରେ ପଶିଥିଲା? କଣ ଦରକାର ଥିଲା ନିଜେ ଯାଇ କ୍ଷୀର ଗରମ କରିବା? କ୍ଷୀର ଗରମ କରିବାକୁ ଯାଇ ବୋଉ ଯେ ଏମିତି ପୋଡିଯିବ, କଳ୍ପନା କରି ପାରିନଥିଲେ କେହି । ବାଁ ଗୋଡ଼ଟାରେ ଗୁଡେଇ ହୋଇଗଲା ଶାଢ଼ୀ । ପୁରା ବାଁ ଗୋଡଟା ପୋଡିଗଲା ନିଆଁରେ । ବୋଉ ଡାକ୍ତରଖାନାରେ – ଏ ଖବର ବ୍ୟାପି ଗଲା ସବୁ ଭାଇଭଉଣୀଙ୍କ ଭିତରେ । ଆଜି ଦୁଇମାସ ପୁରିଗଲା ବୋଉ ଡାକ୍ତରଖାନା ଆସିବାର।
ନାତୁଣୀକୁ ବର୍ଷେ ପୁରିବ । ବେଶ ଗୋଟାଏ ବଡ଼ ପାର୍ଟିର ଆୟୋଜନ କରିଥିଲା ସୁଗନ୍ଧା । ଚାରିମାସ ତଳୁ ଫ୍ଲାଇଟ ଟିକେଟବି ବୁକ କରି ରଖା ହୋଇଥିଲା । ନାତୁଣୀ ପାଇଁ ଡ୍ରେସ, ସୁନା ଚେନ, ଇୟର ରିଂ ସବୁ କିଣି ପ୍ରସ୍ତୁତ କରି ରଖିଥିଲେ ସୁପ୍ରଭା । ଅବିନାଶଙ୍କୁ ବି ବସେଇ ଉଠେଇ ଦେଉ ନଥିଲେ ସେ ।
–‘ତୁମେ ଛୁଟି ଦରଖାସ୍ତ ଦେଲଣି ନା? ଦେଖ ! ଠିକ ସମୟରେ ମତେ ଆଦୌ କହିବନି ତୁମକୁ ଛୁଟି ମିଳିଲାନି ବୋଲି । କ୍ଷମା କରିବିନି ତୁମକୁ ।‘ – ସୁପ୍ରଭାଙ୍କ ପ୍ରଗଳଭତା କୂଳ ଲଂଘୁଥିଲା । ହସୁଥିଲେ ଅବିନାଶ ।
ହଠାତ ଗୋଟିଏ ଫୋନ-କଲ୍ ସବୁକିଛି ଏପାଖ ସେପାଖ କରିଦେଲା । ଛିନଛତ୍ର କରିଦେଲା ସୁପ୍ରଭାଙ୍କ ମାନସିକତାକୁ । ଚାରିମାସ କାଳ କେଉଁ କେଉଁ ବ୍ୟାଗ ନେଇ ଝିଅ ପାଖକୁ ଯିବେ, କେଉଁ ବ୍ୟାଗରେ ନାତୁଣୀ ନେହାର ଖେଳନା ରହିବ, ଇତ୍ୟାଦି ଚିନ୍ତାରେ ଆତୁର ହେଉଥିବା ସୁପ୍ରଭା ମୁହୂର୍ତ୍ତକ ମଧ୍ୟରେ ବ୍ୟାଗ ପ୍ୟାକ କରିଥିଲେ । ସେ ବ୍ୟାଗ ରେ କଣ ରଖିଥିଲେ ? ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ଠିକରେ ରଖିଥିଲେ ନା ନାହିଁ କେଜାଣି? ଅବିନାଶ କିଛି ବି ପଚାରି ନଥିଲେ । ଫ୍ଲାଇଟ ଟିକେଟ ବୁକ କରିବା ଆଉ ଟିକେଟ ର ପ୍ରିଣ୍ଟ ଆଉଟ କାଢି ସୁପ୍ରଭାଙ୍କୁ ଦେବା ସମୟରେ ପଚାରିଥିଲେ
‘ଔଷଧ ନେଇଛ ତ?’
‘ – ହଁ, ହଁ ।ଠିକ ମନେ ପକେଇଛ ତୁମେ‘ – ଔଷଧ ପ୍ୟାକେଟଟି ସୁଟକେଶରେ ରଖି ତାଲା ଦେଇଥିଲେ ଆଉ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଦାଣ୍ଡ କବାଟ ଆଡେ ଆଗେଇ ଯାଇଥିଲେ ସୁପ୍ରଭା ।
ଆଜିକୁ ଦୁଇମାସ ହୋଇଗଲା । ଏ ଭିତରେ ନେହାର ପ୍ରଥମ ବର୍ଷ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଛି । ଅବିନାଶ ଯାଇଥିଲେ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବୋଉ ଆଡେ ଚାହିଁ ଚାହିଁ ଦିନ, ମାସ, ବାର ପାଶୋରି ଯାଇଥିଲେ ସୁପ୍ରଭା । ଅବିନାଶ ଫୋନ କରିଥିଲେ ଦିଲ୍ଲୀରୁ । ନେହାର ଜନ୍ମଦିନ ଭଲରେ ହେଲା । ବାସ୍ ସେତିକି । ଏମିତିରେ ଖୁବ କମ କଥା କହନ୍ତି ଅବିନାଶ । ଅନ୍ୟ ସମୟ ହୋଇଥିଲେ କେତେ କଣ ପ୍ରଶ୍ନ ପଚାରି ତାଙ୍କୁ ଅତିଷ୍ଠ କରିଦେଇଥାନ୍ତେ ସୁପ୍ରଭା । ସେଦିନ କିନ୍ତୁ ପଚାରି ନଥିଲେ କିଛି । ରହିରହି ମନରେ ସେଇ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ ହେଉଥିଲା, ସୁଗନ୍ଧା କଣ ବୁଝି ପାରିଥିବ ତା’ ମାଆର ମନକୁ? ଝିଅଟିଏର ମନ ନେଇ ସେ କଣ ସୁପ୍ରଭାର ଅନୁପସ୍ଥିତିକୁ ସ୍ୱୀକାର କରି ନେଇଥିବ? ଅନନ୍ୟୋପାୟ ସୁପ୍ରଭା ଡାକ୍ତରଖାନାରେ ବୃଦ୍ଧା ମାଆର ଶେଜ ପାଖରେ ବସି ରହିଥିଲେ । ଆଜି ସେ କାହାର ମାଆ ଭୂମିକାରେ ନୁହେଁ, କେବଳ ଗୋଟିଏ ଝିଅ ଭୂମିକାରେ ଦେଖୁଥିଲେ ନିଜକୁ । ସ୍ଥିର, ଅବିଚଳିତ ରହିବାକୁ ପ୍ରୟାସ କରୁଥିଲେ ।
ସୁଗନ୍ଧା ଫୋନ କରିନଥିଲା ଗତ ଆଠ ଦିନ ହେଲା । ଆଜି ଫୋନରେ ସୁଗନ୍ଧାକୁ ପାଇ ସାମାନ୍ୟ ପୁଲକିତ ହୋଇଥିଲେ ସୁପ୍ରଭା । ନାତୁଣୀ ନେହାକୁ ନେଇ ଅନେକ ଅନେକ ପ୍ରଶ୍ନ ପଚାରିବାକୁ ଉଦବେଳିତ ହେଉଥିଲା ମନ । କିଛି ପଚାରିବା ଆଗରୁ ହିଁ ସୁଗନ୍ଧା କଥା ଆରମ୍ଭ କରିଥିଲା । ବର୍ଷେ ପୁରିଗଲା, ତଥାପି ନେହା ଚାଲିବା ଆରମ୍ଭ କଲାନି । ସୁପ୍ରଭା ହସିଲେ, ‘ଆରେ ମାଆ, ଏତେ ତରତର କାହିଁକି? ହଠାତ ନେହା ଚାଲିବ ଯେ, ଛୁଆମାନେ ଦିନେ ହଠାତ ଚାଲିବା ଆରମ୍ଭ କରନ୍ତି । ଜାଣିଛୁ ମାଆ – ତୁ ବି ଦିନେ ଏମିତି ହଠାତ ଚୌକି ବାଡ଼ରୁ ହାତ ଛଡାଇ ଚାଲିଚାଲି ଆସି ଯାଇଥିଲୁ ମୋ’ ପାଖକୁ । ସେଦିନଟିକୁ ମୁଁ ଭୂଲି ପାରିବିନି କେବେ!!’ – ସୁଗନ୍ଧା ବୋଧହୁଏ ସୁପ୍ରଭାଙ୍କ ଖୁସି, ତାଙ୍କ ପୁଲକକୁ ଅନୁଭବ କରି ପାରୁଥିଲା ।
– ‘ହଁ, ମାମା ସତରେ ! କିନ୍ତୁ ନେହା କେବେ ଚାଲିବ ଯେ?’
– ‘ଚାଲିବ ମାଆ ଚାଲିବ । ଏତେ ବ୍ୟସ୍ତ କାହିଁକି ହେଉଛୁ?’
ସାନଭାଇ ସାଙ୍ଗରେ ଡାକ୍ତରଖାନା ଯିବା ବେଳ ହୋଇଗଲାଣି । ଭାଇ ବୋଉର ରିପୋର୍ଟ ସଂଗ୍ରହ କରି ଆସି ପହଂଚି ଯାଇଥିଲା । ସେ ଆସିବା ଶବ୍ଦ ଶୁଣି, ‘ହଉରେ ମାଆ, ରଖିଲି । ପରେ କଥା ହେବା….’ – କହି ଫୋନ କାଟିଥିଲେ ସୁପ୍ରଭା ।
ସାନଭାଇ ଲଥ କରି ବସିପଡିଥିଲା ଦାଣ୍ଡଘର ସୋଫା ଉପରେ । ବୋଉ ଡାକ୍ତରଖାନା ଯିବାର ଦୁଇମାସ ପୁରିଗଲା । ଯେତେ କହିଲେ ବି ପାଦ ତଳେ ଲଗାଉନି । ବେଳକୁ ବେଳ ଦୁର୍ବଳ ହୋଇ ପଡୁଛି ବୋଉ । ଏତେ ଯନ୍ତ୍ରଣା ସତ୍ତ୍ୱେ ପାଦ ତଳେ ଲଗେଇ ବୋଉ ଚାଲିବା ଯେ ନିହାତି ଜରୁରୀ ,ଏକଥା ବାରମ୍ବାର ଶୁଣେଇ ସାରିଲେଣି ଡାକ୍ତର । ଶେଜରୁ ଓହ୍ଲେଇ ତଳେ ଠିଆ ହେଲେ ତ ସେ ଚାଲିବ !! ‘ବୋଉ କଣ ଆଉ ଚାଲିପାରିବନି?’ – ସାନଭାଇର ସ୍ୱର ଶେଷ ବେଳକୁ ଥରି ଉଠୁଥିଲା । ଆଉ ତା ସହ ଥରି ଉଠୁଥିଲା ସୁପ୍ରଭାଙ୍କ ହୃଦୟ ଭିତରଟା ।
ନେହା ଚାଲିବ, ଦୌଡିବ । ଏ କୋଳାହଳମୟ ପୃଥିବୀ ଭିତରେ ଶହଶହ ହଜାର ହଜାର ଲୋକଙ୍କ ଗହଣ ରେ ଜଣେ ହୋଇ ହଜିଯିବ – ଏ ନେଇ ମନରେ ଆଦୌ ଆଶଙ୍କା ଆସୁ ନଥିଲା ସୁପ୍ରଭାଙ୍କର । କିନ୍ତୁ ବୋଉ! ବୋଉ ଯେ ଶେଜରୁ ଓହ୍ଲେଇବ, ଆଉଥରେ ଦୃଢ଼ କରି ନିଜ ପାଦ ଥାପି ପାରିବ ଭୂଇଁରେ – ଏ ବିଶ୍ୱାସ ଆସୁନଥିଲା ମନରେ । ମନର ଆଶଙ୍କାକୁ ଭାଇ ଆଗରେ ପ୍ରକାଶ କରିବାକୁ କାହିଁକି କେଜାଣି ମନ ହେଲାନି ସୁପ୍ରଭାଙ୍କର । ଭାଇକୁ ଆହୁରି ଆହୁରି ହତାଶା ଭିତରକୁ ଟାଣି ନ ନେବାକୁ ମନକୁ ଶକ୍ତ କରି ବାନ୍ଧି ରଖିଥିଲେ ସେ । ଚୁପଚାପ ଭାଇ ସହିତ ଡାକ୍ତରଖାନା ବାହାରିଥିଲେ ।
ଡାକ୍ତରଖାନାର ଶେଜ ଉପରେ ନିସ୍ତେଜ ହୋଇ ଶୋଇଥିଲା ବୋଉ । ବୋଉ ଆଡେ ଚାହିଁ କେମିତି ଅସହାୟ ଲାଗିଲା ତାଙ୍କୁ । ଏଇ ବୋଉ ତ ତାଙ୍କୁ ଚାଲିବା ଶିଖେଇଥିବ । ଥରଥର ପାଦରେ ପଡିଗଲା ବେଳେ ହାତଧରି ଉଠେଇଥିବ । ଧୂଳି ଝାଡ଼ି ଦେଇଥିବ ଦେହରୁ । କାଲିଭଳି ଲାଗୁଛି ସୁଗନ୍ଧା ଚାଲିବା । କୁନି କୁନି ପାଦରେ ବାରମ୍ବାର ପଡିଉଠି ତାରି ଆଗରେ ସୁଗନ୍ଧା ଚାଲିଲା, ଦୌଡ଼ିଲା । ଆଜି ସେ ବି ମାଆ ହୋଇଛି । ଉତ୍କଣ୍ଠାରେ ଚାହିଁ ରହିଛି ତା’ ଝିଅ ନେହା କେବେ ଚାଲିବ । ଅଥଚ ବୋଉ!!
– ‘ବୋଉ, ଆଜି ଚାଲିବାକୁ ଚେଷ୍ଟା କରିବୁ ନା?’ – ଗେହ୍ଲେଇ ହୋଇ କହିଥିଲେ ସୁପ୍ରଭା ।
– ‘ନା, ନା, ଆଜି ନୁହେଁ, କାଲି ……’ – ଧୀର ସ୍ୱରରେ ଉତ୍ତର ଦେଇଥିଲା ବୋଉ । ସାନଭାଇ ମୁହଁ ଶୁଖେଇଲା । କେବେ ସେ କାଲି ଆସିବ? କେବେ ଆଉ ଚେଷ୍ଟା କରିବ ବୋଉ? ସୁପ୍ରଭାବି ଚୁପ ହୋଇଗଲେ କିଛିକ୍ଷଣ । ଦୁର୍ବଳ ଶରୀର, ପୋଡା ଘା’ର ଯନ୍ତ୍ରଣା । ଏ ଭିତରେ ବୋଉ ଯେ ଚାଲିବାର ସାହସ କୁଳେଇ ପାରୁନି ଜାଣି ସୁଦ୍ଧା ସୁପ୍ରଭା ବୋଉକୁ ସାହସ ଦେବାକୁ ବସିଗଲେ ପାଖରେ । ତା’ର ଶୀର୍ଣ୍ଣ, ଦୁର୍ବଳ ହାତଟିକୁ ନିଜ ହାତରେ ଟେକି ଧରି କହିଲେ, ‘ଠିକ ଅଛି । ଆଜି ନୁହେଁ। କାଲି ଚେଷ୍ଟା କରିବା ଆମେ । ତୁ ଚାଲିବୁ । ନିଶ୍ଚୟ ଚାଲିବୁ ।‘ ସୁପ୍ରଭା ଦୃଢ଼ ହେବାକୁ ଚେଷ୍ଟା କରୁଥିଲେ । ବୋଉ ଆଖି ବନ୍ଦ କଲା । ବୋଧହୁଏ ଶୋଇବାକୁ ଚେଷ୍ଟା କରୁଥିଲା । ମୁହଁ ଶୁଖେଇ ଭାଇ ଫେରିଗଲା ।
ସୁପ୍ରଭା ଝରକା ପାଖରେ ଠିଆ ହୋଇ ବାହାରକୁ ଚାହିଁଥିଲେ । ସକାଳୁ ଭାଇ ସାଙ୍ଗରେ ଡାକ୍ତରଖାନା ଆସିଥିଲେ ସେ । ବୋଉକୁ ଖୁଆଇବା, ଔଷଧ ଦେବା, ନର୍ସ ଓ ଡାକ୍ତରଙ୍କୁ ସେମାନଙ୍କ ପ୍ରଶ୍ନର ଯତସମ୍ଭବ ଉତ୍ତର ଦେବା ଭିତରେ ଦିନଟି କଟି ଯାଇଥିଲା । ଝରକା ବାହାରେ ଗୋଧୂଳିର ଲାଲ କିରଣ ଆକାଶକୁ ରକ୍ତିମ କରି ତୋଳିଥିଲା । ଶବ୍ଦ କରି ବାଜିଉଠିଲା ମୋବାଇଲ । ମୋବାଇଲ ର କୁନି ପରଦା ଉପରେ ସୁଗନ୍ଧାର ମୁହଁଟି ଝଲସି ଉଠିଲା ।
ଆରେ, ସୁଗନ୍ଧା ଅଫିସ ରୁ ଫେରି ଆସିଲାଣି । ସକାଳେ ଅଫିସ ଯିବା ଆଗରୁ ଫୋନ କରିଥିଲା । ପୁଣି କାହିଁକି କଲା? ସବୁ ଠିକ ଅଛି ତ … । ସକାଳେ କଥାବାର୍ତ୍ତା ଅଧାରୁ ବନ୍ଦ କରିଥିଲା ସୁପ୍ରଭା । ଏବେ ବୋଉ ଶୋଇଛି । ଟିକେ କ୍ଲାନ୍ତ ବି ଲାଗୁଥିଲା ତାଙ୍କୁ । ସୁଗନ୍ଧା ସହିତ କଥାହେଲେ ଭଲ ଲାଗିବ । ଫୋନର ସ୍ୱିଚ ଅନ କରି କାନରେ ଦେଲେ ସୁପ୍ରଭା ।
– ‘ମାମା, ଏବେ ମୁଁ ଅଫିସ ରୁ ଫେରିଲି । ଜାଣିଛ ମାମା, ଏବେ ସାଙ୍ଗେ ସାଙ୍ଗେ ନେହା ଚାଲିଲା । ନେହା ଚାଲିଲା ମାମା ।‘ – ଓଃ, ସୁଗନ୍ଧାର ସ୍ୱରରେ ଏତେ ଖୁସି !! ସୁପ୍ରଭାର ମନ କହୁଥିଲା କୋଳେଇ ନେବ ନେହାକୁ । କୋଳେଇ ନେବ ସୁଗନ୍ଧାକୁ । ଝରକା ଆଡୁ ମୁହଁ ଫେରେଇ ବୋଉ ଆଡେ ଚାହିଁଲା ସୁପ୍ରଭା । ମନେ ହେଉଥିଲା ବୋଉ ବି ଖଟରୁ ଓହ୍ଲେଇ ଗୋଡ଼ ଲଗେଇ ଦେଇଛି ତଳେ । ସୁପ୍ରଭା ଖୁସିରେ ଆତ୍ମହରା ହୋଇ ପଡୁଥିଲେ । ଏ ଖୁସି କେମିତି ଅନନ୍ୟ । ବୋଉ ଗୋଡ଼ ତଳେ ଲାଗିଛି । ବୋଉ ଚାଲିପାରୁଛି । ଖଟ ଉପରେ ମୃତ୍ୟୁକୁ ଅପେକ୍ଷା କରି ପଡିନରହି ଧୀର ପାଦରେ ଏପଟ ସେପଟ ହେଉଛି ବୋଉ । ଏଇ ସମ୍ଭାବନା ଖୁସି ପାଲଟି ଯାଇ ସୁପ୍ରଭାଙ୍କୁ କୋଳେଇ ଧରିଥିଲା । ଗୋଧୂଳିର ଛିଟାଏ କିରଣ ବୋଉ ଉପରେ ବିଛାଡି ହୋଇ ପଡ଼ିଥିଲା । ବୋଉ ଶୋଇଥିଲା ଚୁପଚାପ, ନିସ୍ତେଜ ହୋଇ । ସବୁ ସମ୍ଭାବନା କେବଳ ସମ୍ଭାବନା ହୋଇ ରହିଯାଇଥିଲା ସୁପ୍ରଭାଙ୍କ ପାଖରେ । ଲୁହ ଟୋପେ ଛଳଛଳ କରୁଥିଲା ଆଖି କୋଣରେ । ନେହା ଚାଲିବା ଖବର ଶୁଣି ଖୁସିରେ ସେ ଲୁହ ଝରି ଆସିଥିଲା ନା ଗୋଧୂଳିର ଶେଷ ରଶ୍ମୀ ଶିଖା ଟିକକ ଭିତରେ ବୋଉର ଚାଲିବାର ସମ୍ଭାବନା ଆଶଙ୍କା ଟିଏ ହୋଇ ଝରି ପଡୁଥିଲା ଆଖି କୋଣରୁ ……
(୨୦୧୪ ପୂଜାସଂଖ୍ୟା ‘ସୁଧନ୍ୟା’ରେ ପ୍ରକାଶିତ)