ଅସ୍ତିତ୍ୱ

        ଉଡାଜାହାଜର ଝରକା ପାଖ ସିଟରେ ଚାପି ହୋଇ ବସି ବାହାରକୁ ଚାହିଁଥିଲା ମିନାକ୍ଷୀ । ବାହାରେ ମୁମ୍ବାଇର ଚଳଚଞ୍ଚଳ ପୃଥିବୀରୁ ଚେନାଏ । ଉଡାଜାହାଜ ପଡ଼ିଆରେ ଆତଯାତ କିଛି ଲୋକଙ୍କୁ ଦେଖୁଥିଲା ଆଖିଭରି । ସ୍ୱଚ୍ଛ ଝରକା ସେପାଖେ ଆତ୍ମୀୟତାରେ ଭରପୁର ନିଜ ଦେଶର ମୁକ୍ତ ଆଲୋକକୁ ପଛକରି ଆଉ ଟିକକ ପରେ ସେ ଉଡିଯିବ ପରଦେଶକୁ । ଟିକେ ଭୟ, ଟିକେ ଉତ୍ସାହ, ଟିକେ ସଂକୋଚ ଫେଣ୍ଟାଫେଣ୍ଟି ହେଉଥିଲେ ତା’ ଭିତରେ । ସେତିକିବେଳେ ସେ ଆସି ବସିଗଲା ପାଖରେ । ବୁର୍ଖା ପିନ୍ଧିଥିବା ଅଳ୍ପ ବୟସ୍କା ତରୁଣୀ ଜଣେ । ବସିଲା, ଏବଂ ଖୁବ ଶୀଘ୍ର ସିଟ ବେଲ୍ଟ ବାନ୍ଧିନେଇ ନିଜକୁ ସହଜ କରିନେଲା । ଉଡାଜାହାଜ ଚାଲିବାକୁ ଆରମ୍ଭ କଲା ବୋଧହୁଏ । ହଲଚଲ ହୋଇଥିଲା ଟିକେ । ତା’ସହିତ ହଲଚଲ ହୋଇଥିଲା ମିନାକ୍ଷୀର ମନ ଭିତରେ ନିରଜର ସ୍ମୃତି । ହସିଲା ମିନାକ୍ଷୀ ମନେମନେ । କିଛି ହସ ଝଲସି ଉଠିଥିବ ଆଖି କୋଣରେ ନିଶ୍ଚୟ ।

       ନୀରଜ । ମସ୍କଟରେ ଛଅ ମାସର ପ୍ରୋଜେକ୍ଟ କାମରେ ମିନାକ୍ଷୀ ଯୋଗ ଦେବାର ପ୍ରଥମ ଖବରଟି ପାଇ ଆଦୌ ଖୁସି ହୋଇ ନଥିଲା । ବରଂ ନାସ୍ତିବାଚକ ବାକ୍ୟଟି ମିନାକ୍ଷୀ ଉଦ୍ଦେଶ୍ୟରେ ପ୍ରକାଶ କରିବା ସମୟରେ ପ୍ରାୟ ଭୂଲି ଯାଇଥିଲା ଯେ ସେଯାଏଁ ମିନାକ୍ଷୀର ଭାଗ୍ୟ ନିରୂପଣ କରିବାର ଅଧିକାର ହାସଲ କରିନାହିଁ ସେ । ଅର୍ଥାତ, ମିନାକ୍ଷୀ କେବଳ ତାର ଝିଅ ସାଙ୍ଗ ଟିଏ – ସ୍ତ୍ରୀ ହୋଇନି ସେଯାଏଁ । ହସିଲା ମିନାକ୍ଷୀ । ନିରଜର ସ୍ତ୍ରୀ ହେଲାପରେ କଣ ତା’ର ଭାଗ୍ୟ ନିରୂପଣ କରିବାର ହକ ପାଇଯିବ ନିରଜ? ସେମିତି ହକ ଟିଏ ସେ ପାଇଯିବ – ଏମିତି ଚିନ୍ତା କେମିତି କରିପାରିଲା ସେ? ଠିକ ସେଇଆ ତ କହିଥିଲା ସେ ମିନାକ୍ଷୀ କୁ ତା’ର ନିର୍ଣ୍ଣୟ ଶୁଣାଇଲା ବେଳେ ! ସ୍ୱାମୀ ହୋଇଥିଲେ ସେ ମିନାକ୍ଷୀକୁ ମସ୍କଟ ଯିବାପାଇଁ ଆଦୌ ଅନୁମତି ଦେଇନଥାନ୍ତା – କହିଲା ବେଳେ ନିରଜ ତ ବେଶ ଗମ୍ଭୀର ଆଉ ଦାୟୀତ୍ଵବାନ ଲାଗୁଥିଲା । କିନ୍ତୁ ମିନାକ୍ଷୀ, ନିରଜର ଏ ପ୍ରକାର ନିର୍ଣ୍ଣୟ ନିଶ୍ଚେ ମାନିଯିବ, ଏମିତି ଅନୁଭବଟିଏ ସୃଷ୍ଟି କରି ପାରୁନଥିଲା ନିଜ ଭିତରେ । କମ୍ପାନୀ କାମରେ ମାତ୍ର ଛଅ ମାସ ପାଇଁ ସେ ଆଉ ଗୋଟିଏ ଦେଶକୁ ଯାଉଛି – ସେଥିରେ ତାର ନିଜର ନିଷ୍ପତ୍ତିଠାରୁ ନିରଜର ନିଷ୍ପତ୍ତିର ମୂଲ୍ୟ ଅଧିକ ହେବ କେମିତି? ନିରଜ ଏମିତି ଭାବି ପାରିଲା କିପରି? ମିନାକ୍ଷୀ ପ୍ରୋଜେକ୍ଟ କୋଅର୍ଡିନେଟରଙ୍କୁ ନିଜର ନିଷ୍ପତ୍ତି ଶୁଣାଇବା ପାଇଁ ଚବିଶ ଘଣ୍ଟା ସମୟ ନେଲା । ଚବିଶ ଘଣ୍ଟା, ବେଶ ବଡ଼ ସମୟଟିଏ ତା’ କମ୍ପାନୀର ଏଭଳି ନିଷ୍ପତ୍ତିଟିଏ ପାଇଁ । ମସ୍କଟ ପରି ମଧ୍ୟପ୍ରାଚ୍ୟର ଇସ୍ଲାମିକ ଦେଶଟିକୁ ତରୁଣୀଟିଏ ଏକା ଯିବା ଭଳି ନିଷ୍ପତ୍ତିଟିଏକୁ ଚବିଶ ଘଣ୍ଟା ସମୟ ଦେବାପାଇଁ ବୋଧହୁଏ ଉଚିତ ବିଚାରିଲେ କୋଅର୍ଡିନେଟର ବନ୍ଧୁ ଜଣକ । ସମୟ ମିଳିଗଲା । ଆଉ ଅନେକ ଚିନ୍ତା କଲାପରେ, ମିନାକ୍ଷୀ ସହଯୋଗର ହାତ ବଢାଇଥିଲା । ତା’ପରେ ନିରଜର ବକ୍ତବ୍ୟ ଥିଲା ଯୁକ୍ତିହୀନ । ନିରଜ ବି ଚୁପ ରହିଥିଲା ଶେଷ ଵାକ୍ୟଟି କହିବା ପରେ । ପୁରା ପ୍ରୋଜେକ୍ଟଟି ମିନାକ୍ଷୀର ସୃଷ୍ଟି । ‘ମିନାକ୍ଷୀର ଯିବା ଜରୁରୀ’ ବୋଲି କୋଅର୍ଡିନେଟରଙ୍କ ନିଷ୍ପତ୍ତି ଆଗରେ କେହି ବି ମୁହଁ ଖୋଲିନଥିଲେ

      ଆରମ୍ଭ ହୋଇଥିଲା ଭିସା ଯୋଗାଡ଼ କାର୍ଯ୍ୟକ୍ରମ । ସ୍ତ୍ରୀ ଲୋକ ଜଣେ, ସେ ପୁଣି ନିଜେ କର୍ମଚାରୀ । ୱର୍କ ଭିସା ମିଳିବା ବେଶ କଷ୍ଟ ଓ ସମୟସାପେକ୍ଷ । ପ୍ରଥମ ଉପାଧ୍ୟାୟର ଚିନ୍ତାଗ୍ରସ୍ତ ମୁହଁ ନିରଜକୁ ବେଶ ସାନ୍ତ୍ଵନା ଦେଇଥିଲା । ମିନାକ୍ଷୀ ଆଗରେ ନିଜର ଖୁସି ଲୁଚେଇବା ଚେଷ୍ଟା ଅସଫଳ ହେବା ସତ୍ତ୍ୱେ, ନିରଜର ଦୁଃଖୀ ହେବାର ଛଳନା ସହିତ ‘କୋଅର୍ଡିନେଟର ପ୍ରଥମ ଉପାଧ୍ୟାୟ ତୁମକୁ ସାଙ୍ଗରେ ନେବାପାଇଁ ଏତେ ଚେଷ୍ଟା କାହିଁକି କରୁଛି ? ମଧ୍ୟ-ପ୍ରାଚ୍ୟକୁ ସ୍ତ୍ରୀ ଲୋକର ୱାର୍କ ଭିସା ପାଇବା ସହଜ ନୁହେଁ ଜାଣି ମଧ୍ୟ ତୁମ ପାଇଁ ତାର ଟିକେ ବେଶୀ ପ୍ରଚେଷ୍ଟା …..’ ।  

ନିରଜ ଦୁଃଖୀ ନୁହେଁ । ମିନାକ୍ଷୀର ମସ୍କଟ ଯାତ୍ରା ପଛରେ ବାଧା ଅଛି ଜାଣି ସେ ଦୁଃଖୀ ନହୋଇ ବରଂ ଖୁସି ଲୁଚାଉଛି ଭିତରେ ଭିତରେ – କଥାଟା ମିନାକ୍ଷୀକୁ ଆଘାତ ଦେଇଥିଲା ଖୁବ । ‘ଏ ପ୍ରୋଜେକ୍ଟଟା ସମ୍ପୂର୍ଣ୍ଣ ଭାବରେ ମୋରି କଳ୍ପନା । ସେଥିପାଇଁ ପ୍ରଥମ ମୋର ପ୍ରାପ୍ୟ ଦେବାପାଇଁ ଚେଷ୍ଟା କରୁଛି … ’ – କହିଲା ବେଳେ ନିରଜ ନ ଶୁଣିବାର ଛଳନା କରୁଥିଲା ଆଉ ମିନାକ୍ଷୀ ନିଜର ଭଙ୍ଗା ଭଙ୍ଗା ସ୍ୱରରେ ପ୍ରତ୍ୟୟ ଆଣିବାର ପ୍ରଚେଷ୍ଟା ।

       ଶେଷରେ ପ୍ରଥମ ଉପାଧ୍ୟାୟ ସଫଳ ହୋଇଥିଲା । ଓମାନ ଯିବାପାଇଁ ମିନାକ୍ଷୀର ଭିସା ଦରଖାସ୍ତ ମଞ୍ଜୁରୀ ପାଇଥିଲା ଆଉ ମିନାକ୍ଷୀ ହାତରେ ଭିସା ପହଞ୍ଚିଥିଲା । ନିରଜ ଏକରକମ ଚୁପ ରହିଥିଲା ।

       ଝରକା ସେପାଖେ ରହିଲା ମୁମ୍ବାଇ, ମୁମ୍ବାଇର ଚିହ୍ନା ଜଣା ସାଙ୍ଗ,ଆଉ ରହିଗଲା ନିରଜ । ମସ୍କଟରେ ଦୁଇ ଦିନ ଆଗରୁ ପହଞ୍ଚିଥିବା ପ୍ରଥମ ଓ ଆଉ ଦୁଇ ସହକର୍ମୀ ତାକୁ ଏୟାରପୋର୍ଟରେ ଅପେକ୍ଷା କରିଛନ୍ତି – ଲେଖାଥିବା ମେସେଜ, ମୋବାଇଲର କୁନି ପରଦାଟିରେ ଝଲମଲ ହେଉଥିଲା । ମିନାକ୍ଷୀ ପ୍ରତ୍ୟୁତ୍ତର ଫେରେଇଲା । ଫୋନ ଫ୍ଲାଇଟ ମୋଡ଼ରେ ରଖି ସିଟ ତଳେ ଗୋଡ଼ ପାଖରେ ଥିବା ବ୍ୟାଗରେ ଥୋଇଦେଇ ପଛକୁ ଆଉଜି ବସିଲା । ଉଡାଜାହାଜର ଚକ ଗଡ଼ିବା ଆରମ୍ଭ କରିଛି । ଆଉ ଟିକକ ପରେ ସେ ଉଡିଯିବ ମସ୍କଟ ଅଭିମୁଖେ । ମୁମ୍ବାଇରୁ ମସ୍କଟ – ମଝିରେ କେବଳ ନୀଳ ନୀଳ ଅଥଳ ଥଳ ପାଣି । ଆରବ ସାଗର।

       ‘ସୌଆଦ’ – ପାଖରେ ବସିଥିବା ବୁର୍ଖା ପିନ୍ଧା ତରୁଣୀ ପରିଚୟ ଦେଇ ଗପ ଯୋଡିଲେ । ମିନାକ୍ଷୀ ଲକ୍ଷ୍ୟ କଲା, ତରୁଣୀ ଜଣକ ବେଶ ପ୍ରଗଳଭା । ଇସଲାମିକ ଦେଶର ସ୍ତ୍ରୀ ଲୋକଟିଏ କଥା କହିବାରେ ସଂଯମୀ ହୋଇଥିବ । ବୋଧହୁଏ ନିଜକୁ ପ୍ରକାଶ କରିବାର ଶବ୍ଦ ଅଜଣା ଥିବ ତା ପାଖରେ । ଏଭଳି ସଙ୍କୁଚିତ ଚିନ୍ତାଧାରାଟିଏ ଅଳ୍ପ ସମୟ ଭିତରେ ସ୍ୱତଃ ଅପସରି ଯାଇଥିଲା ମିନାକ୍ଷୀର ମାନସ ପଟରୁ । ସୌଆଦ ବେଶ୍ ସହଜ ଭାବରେ ଗପୁଥିଲା । ଗପୁଥିଲା ଅନେକ କିଛି । ସୌଆଦର ଚିନ୍ତାଧାରା ଓ ନିଜ ଚିନ୍ତାଧାରାରେ ଅନେକ ସାଦୃଶ୍ୟ ଲକ୍ଷ୍ୟ କରି ପାରିଥିଲା ମିନାକ୍ଷୀ । ମସ୍କଟର ସୁଲତାନ କାବୁସ ୟୁନିଭରସିଟିରେ ଓମେନସ ଜେଣ୍ଡର ଡିପାର୍ଟମେଂଟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାମ କରେ ସୌଆଦ । ମୁମ୍ବାଇର ଏସଏନଡିଟି ଓମେନ୍ସ ୟୁନିଭରସିଟିରେ ଚାଲିଥିବା ଗୋଟିଏ ଇଣ୍ଟରନ୍ୟାସନଲ କନଫରେନ୍ସରେ ଯୋଗ ଦେବା ଉଦ୍ଦେଶ୍ୟରେ ତିନି ଦିନ ପାଇଁ ଭାରତକୁ ଆସିଥିଲା ସେ । ପରସ୍ପର ସହିତ ଭାବର ଆଦାନ ପ୍ରଦାନ ଭିତରେ ମିନାକ୍ଷୀ ସୌଆଦର ଖୋଲା, ମାର୍ଜିତ ସକାରାତ୍ମକ ମନୋଭାବକୁ ବେଶ ଉପଲବ୍ଧି କରିପାରିଥିଲା । ତା ସହିତ ଭାରତୀୟ ନାରୀଙ୍କୁ ପାଖରୁ ଜାଣିବାର ଅନୁସନ୍ଧିତ୍ସା ଥିଲା ତା’ପାଖରେ । ମିନାକ୍ଷୀ ମନରେ ଅନୁରୂପ ଉତ୍କଣ୍ଠା । ମୁମ୍ବାଇରୁ ମସ୍କଟ ଅଢେଇ ଘଣ୍ଟାର ଉଡାଣ – ଦୁଇ ଜଣଙ୍କୁ ସହଯାତ୍ରୀରୁ  ବାନ୍ଧବୀରେ ପରିଣତ କରିଥିଲା । ବୁର୍ଖାର କଳା ଘୋଡଣି  ଭିତରୁ ଉଙ୍କି ମାରୁଥିବା ସୌଆଦ ପିନ୍ଧିଥିବା ବ୍ଲୁ ଜିନ୍ସ ଓ ପିଆଜ ରଙ୍ଗର ଟି-ସାର୍ଟ, ମିନାକ୍ଷୀର ସାଲ୍ୱାର-କୁର୍ତ୍ତିର ରଙ୍ଗ ସହ ଅନେକଟା ମେଳ ଖାଇ ଯାଉଥିଲା । ମନର ସାମଞ୍ଜସ୍ୟ ବନ୍ଧୁତା ସୂତ୍ରରେ ବାନ୍ଧି ଦେଇଥିଲା ଦୁହିଁଙ୍କୁ ସ୍ୱଳ୍ପ ସମୟ ଭିତରେ । ଅଦେଖା ଦେଶର ଅଜଣା ଠିକଣା ସହିତ ସୌଆଦର ନାମ ଲେଖାଥିବା କାର୍ଡଟିକୁ ସଯତ୍ନେ ସାଇତି ରଖିଥିଲା ହାତ ବ୍ୟାଗ ରେ ସେ ।  ଅଜଣା ଦେଶ, ବେଶ କିଛି ଚିହ୍ନା ଚିହ୍ନା ଲାଗୁଥିଲା ସୌଆଦର ଉପସ୍ଥିତିରେ । ଆଗାମୀ ଛଅ ମାସର ମସ୍କଟ ରହଣୀରେ ପ୍ରଥମ ଉପାଧ୍ୟାୟ, ଓ ସହକର୍ମୀ ମାନଙ୍କ ସହିତ ନୂଆ ନାମ ଟିଏ ଯୋଡି ହୋଇଗଲା ମିନାକ୍ଷୀର ବନ୍ଧୁ ତାଲିକାରେ ।

        ହାତଘଣ୍ଟାରେ ରାତି ଚାରିଟା ବାଜିବାକୁ ଯାଉଥିଲା । ସାମାନ୍ୟ ହାଲିଆ ଲାଗୁଥିଲା ତାକୁ । ସୌଆଦବି ଢୁଳେଇବା ଆରମ୍ଭ କରିଛି । ହଠାତ ପାଇଲଟଙ୍କ ସ୍ୱର ଭାସିଆସିଲା କକପିଟରୁ । ଯାତ୍ରୀ ମାନଙ୍କୁ ମସ୍କଟକୁ ସ୍ୱାଗତ ଜଣାଇ ବିଦାୟ ମାଗିବା ସହିତ ସ୍ଥାନୀୟ ସମୟ ସୁଚାଇଥିଲେ ସେ । ଭାରତରୁ ଦେଢ଼ଘଣ୍ଟା ପଛରେ ଥିଲା ମସ୍କଟର ସମୟ ଚକ୍ର । ହାତଘଣ୍ଟାରେ ମିନିଟ କଣ୍ଟାକୁ ଦେଢ଼ଘଣ୍ଟା ପଛକୁ ଘୁଞ୍ଚାଇ ନେବାସହ ମିନାକ୍ଷୀ ଜୋରକରି ଆଖି ପଲକକୁ  ଟେକି ଧରିବାକୁ ଚେଷ୍ଟା କରୁଥିଲା । ଉଡାଜାହାଜ ମସ୍କଟ ଆକାଶକୁ ପ୍ରବେଶ କରିବାକୁ ଯାଉଛି । ଆକାଶ ପୃଷ୍ଠରୁ ଧୀରେଧୀରେ ମସ୍କଟର ଏୟାରପୋର୍ଟକୁ ଓହ୍ଲାଇ ଯାଉଛି ବିମାନ । ଝରକାକୁ ଚାପି ହୋଇ ମିନାକ୍ଷୀ ଦୃଷ୍ଟି ଳମ୍ବେଇ ଦେଲା ତଳକୁ । ଗଲ୍ଫ ଉପକଣ୍ଠରେ ମସ୍କଟ ସହର । ସମୁଦ୍ର ଅତିକ୍ରମ କରି ଉଡାଜାହାଜ ଉଡି ଚାଲିଛି ମସ୍କଟ ସହର ଉପରେ । ମାଳ ମାଳ ଆଲୋକ ଖଚିତ ମସ୍କଟ ସହରଟି ଦିଶୁଛି ଅପୁର୍ବ । ମନେ ହେଉଛି କିଏ ଯେପରି ଜ୍ୟାମିତିର ଅଙ୍କନ ପରି ସ୍କେଲ ଟିଏ ଧରି ହଳଦୀ ରଙ୍ଗରେ ମାପିଚୁପି ଆଙ୍କିଛି ସହରଟିକୁ । ରାତ୍ରୀର ମସ୍କଟ ପ୍ରଲୋଭିତ କରିଥିଲା ମିନାକ୍ଷୀକୁ । ଉଡାଜାହାଜ ଖସି ଯାଉଥିଲା ତଳକୁ ତଳକୁ । ଆଉ ଟିକକ ପରେ ମସ୍କଟ ଭୁଇଁରେ ଅବତରଣ କରିବ ସେ।

         ବିମାନ ମାଟି ଛୁଇଁଥିଲା । ମସ୍କଟ ର ମାଟି । ଚଳଚଞ୍ଚଳ ହୋଇ ପଡିଲେ ଯାତ୍ରୀମାନେ । ଚଟାପଟ ଖୋଲି ଯାଉଥିଲା ସିଟ ବେଲ୍ଟ ସବୁ । ସୁଲଳିତ କଣ୍ଠରେ ଆନାଉନ୍ସ ହେଉଥିଲା ‘ସିଟ ବେଲ୍ଟ ର ଚିହ୍ନ ଅପସାରିତ ନହେବା ଯାଏଁ ନିଜର ସୁରକ୍ଷା ଦୃଷ୍ଟିରୁ ସିଟ ବେଲ୍ଟ ବାନ୍ଧି ରଖନ୍ତୁ । ମୁଣ୍ଡ ଉପରେ ରଖାହୋଇଥିବା ଜିନିଷ ଗୁଡିକ ଉଡାଣ ସମୟରେ ସ୍ଥାନ ବଦଳେଇଥାଇ ପାରନ୍ତି …..”। ସେସବୁ ଶୁଣୁଛି କିଏ? କିଛି ଯାତ୍ରୀ ତ ଜିନିଷ ପତ୍ର ହାତରେ ଧରି ଠିଆ ହୋଇ ପଡିଲେଣି । ଲୋକଙ୍କର ତତ୍ପରତା ଦେଖି ମିନାକ୍ଷୀ ଅସ୍ଵସ୍ତି ଅନୁଭବ କରୁଥିଲା । ବୋଧହୁଏ ଘରେ ସେମାନଙ୍କୁ ଅପେକ୍ଷା କରିଥିବା ତାଙ୍କର ପ୍ରିୟଜନଙ୍କୁ ଦେଖିବାର ପ୍ରବଳ ଲାଳସା ତାଙ୍କୁ ଏଭଳି ଆତୁର କରି ରଖିଛି ଯେ ସେମାନେ ନିଜର ଓ ନିଜ ଆଖପାଖର ସୁରକ୍ଷା ନିମନ୍ତେ ସଚେତନ ହୋଇ ପାରୁନାହାନ୍ତି । ମିନାକ୍ଷୀ ଦୃଷ୍ଟି ଫେରେଇ ନେଲା ଝରକା ଆରପାଖର ନୂଆ ଅଜଣା ପୃଥିବୀ ଉଦ୍ଦେଶ୍ୟରେ । ଆପଣା କରିବାକୁ ଯାଉଥିବା ଅଦେଖା ଦେଶକୁ ମନେମନେ ପ୍ରଣତି ଜଣାଇଲା ।

        ଇମିଗ୍ରେସନର ଲମ୍ବା ଧାଡିରେ ଠିଆ ହୋଇ ମିନାକ୍ଷୀ ଏୟାରପୋର୍ଟର ୱଇା-ଫାଇ ନେଟୱର୍କରେ ନିଜ ମୋବାଇଲ ସଂଯୁକ୍ତ କରିବା ସଙ୍ଗେ ସଙ୍ଗେ ପ୍ରଥମେ ଆସିଲା ପ୍ରଥମର ମେସେଜ । ଏୟାରପୋର୍ଟ ବାହାରେ ଅପେକ୍ଷା କରିଛି ସେ । ମିନାକ୍ଷୀ ଆଶ୍ୱସ୍ତ ହେଲା । ବାବା ମାଆଙ୍କୁ ମେସେଜ କରି କହିଦେଲା ତା’ର ପହଞ୍ଚିବା ଓ ଅଫିସ ସହକର୍ମୀ ମାନେ ତାକୁ ଏୟାରପୋର୍ଟକୁ ନେବାକୁ ଆସିଥିବା, ଦୁଇଟି ଯାକ ଖବର । ନିରଜକୁ ପଠେଇବ କି ମେସେଜ? ପ୍ରଥମ ଉପାଧ୍ୟାୟ ଏୟାରପୋର୍ଟ ବାହାରେ ତାକୁ ଅପେକ୍ଷା କରିଛି ଶୁଣିବା ପରେ କଣ ହେବ ତା’ର ପ୍ରତିକ୍ରିୟା? ନିରଜକୁ କେଵଳ ଭଲରେ ପହଂଚିଛି ଲେଖି ମେସେଜ ପଠେଇଦେଲା । ବାବାମାଆଙ୍କର ଆଶ୍ୱସ୍ତ ହୋଇଥିବା ଉତ୍ତର ଫେରିପାଇଲା ସେ । ନିରଜ ସବୁଥର ପରି ଏଥର ମଧ୍ୟ ସଂଗେ ସଂଗେ ଉତ୍ତର ଫେରାଇଲାନି । ମିନାକ୍ଷୀ ଆଘାତ ପାଇଲା ପୁଣିଥରେ । ଇମିଗ୍ରେସନର ଲମ୍ବା ଧାଡିରେ ଦେଶବିଦେଶର ଲୋକମାନଙ୍କ ଉପରେ ଆଖି ପହଁରେଇଆଣି ନିଜ ମନକୁ ଭୁଲାଇଦେବାକୁ ଚେଷ୍ଟା କଲା ।

        ଏୟାରପୋର୍ଟର ଆନୁସଙ୍ଗିକ କାମ ଶେଷ କରି ବାହାରକୁ ଆସିବା ବେଳକୁ ପ୍ରଥମ ଉପରେ ଆଖି ପଡ଼ିଲା । ଅପେକ୍ଷା କରିଥିଲା ସେ । ଏପଟ ସେପଟ ସୌଆଦକୁ ଖୋଜିହେଉଥିଲା ମିନାକ୍ଷୀର ଅନ୍ୟମନସ୍କ ଆଖି । ନଃ, ସୌଆଦ ଚାଲିଗଲାଣି । ସେଇ ଶେଷଥର ପାଇଁ ତା’ର ଗଳାବେଷ୍ଟନୀରୁ ନିଜକୁ ମୁକୁଳେଇଆଣି ହାତ ହଲେଇ ବିଦାୟ ଦେବା ପରେ ତା’ର ଆଉ ସୌଆଦର ରାସ୍ତା ତ ଅଲଗା ହୋଇଯାଇଥିଲା । ଇମିଗ୍ରେସନର ଲମ୍ବା ଲାଇନ ଆଡେ ଯାଇଥିଲା ସେ । ଆଉ ଫୋନ ରେ ତାକୁ ଅପେକ୍ଷା କରିଥିବା ସମ୍ପର୍କୀୟ ଙ୍କ ସହ କଥା ହେଉ ହେଉ ସୌଆଦ ଆଗେଇ ଯାଉଥିଲା ପ୍ରସ୍ଥାନ ଦ୍ୱାର ଆଡେ । କଳା ଗାଉନ ର ନିମ୍ନଅଂଶ ଲୋଟୁଥିଲା ଏୟାରପୋର୍ଟର ଶୁଭ୍ର ଚଟାଣ ଉପରେ । ଆଉ, ଏତେ ସମୟ ପରେ……। ବୋଧହୁଏ ତା’ ଘରେ ପହଞ୍ଚି ସାରିଥିବ ସେ !

        ଅକ୍ଟୋବର ମାସର ସୁଲୁସୁଲିଆ ଶୀତଳ ପବନ ରହି ରହି ଛୁଇଁ ଯାଉଥିଲା । କପାଳ ଓ ଆଖିରେ ଖସି ପଡୁଥିବା ଚୂର୍ଣ୍ଣ କୁନ୍ତଳ କେତୋଟିକୁ ବାଁ ହାତରେ  ଆଡେଇ ନେବା ସହ ମିନାକ୍ଷୀ ତା’ର ଅନ୍ୟମନସ୍କ ମନଟିକୁ ଆକଟି ନେଉଥିଲା । ପ୍ରଥମର ପଛେପଛେ ପାର୍କିଂଗ ଜାଗାକୁ ଚାଲିଲାବେଳେ ମିନାକ୍ଷୀ କିଛି ବି କହୁନଥିଲା । ଚାଲୁଥିଲା ଚୁପଚାପ । ମନ ଭିତରକୁ ପଶି ଆସୁଥିଲା ସୌଆଦ । ସୌଆଦର କିଛି କଥା ଭାରତୀୟ ନାରୀଙ୍କୁ ନେଇ । ତା’ର ଏଇମାତ୍ର ଆବିଷ୍କାର କରିଥିବା କିଛି ଦ୍ବନ୍ଦ୍ୱକୁ, ଯାହା ସେ ବାଣ୍ଟିଥିଲା ମିନାକ୍ଷୀ ସହିତ ଉଡାଣ ଅବସରରେ, ମିନାକ୍ଷୀକୁ ସମ୍ପର୍କର ଦୋଛକିରେ ଠିଆ କରାଇଥିଲା । ଅନେକ କଟକଣା ଥିବା ମୁସଲିମ ନାରୀଟିକୁ ଭିନ୍ନ ଭାବରେ ଆବିଷ୍କାର କରି ଥିଲା ସେ ଭାରତର ଏକ ସ୍ୱାଧୀନଚେତା ନାରୀ ଭାବରେ । ମନର ଏ ଉଦବେଳନକୁ ପ୍ରଥମ ଉପାଧ୍ୟାୟ ସହିତ ନୁହେଁ, ନିରଜ ସହିତ ବାଣ୍ଟିଥାନ୍ତା ସେ । ସେଇଆ ତ କରି ଆସିଥିଲା ଆଜିଯାଏଁ । ଦୀର୍ଘ ତିନି ବର୍ଷ ହେଲାଣି । ନିରଜ ବୋଧହୁଏ ବେଶୀ ବେଶୀ ପଜେସିଭ ହୋଇ ଯାଉଛି । ଭୂଲି ଯିବାକୁ ଚେଷ୍ଟା କରୁଥିବା ଘଟଣାଟି ବାରମ୍ବାର ମନେ ପଡିଯାଉଥିଲା । ମିନାକ୍ଷୀ ନିରଜର ଏଇଭଳି ଅଧିକାର ସାବ୍ୟସ୍ତ କରିବାର ପ୍ରବୃତ୍ତିକୁ ସକାରାତ୍ମକ ରୂପ ଦେଇ ପାରୁନଥିଲା । ଆଜି ତା’ର ମନର ଦ୍ବନ୍ଦ୍ୱକୁ ଆଦୌ ବାଣ୍ଟି ପରିନଥାନ୍ତା ନିରଜ ସହ । କିଛି ଅସୁନ୍ଦର ଅନୁଭୂତି ଯାହାକୁ ନେଇ ଉଡାଜାହାଜରେ ଥିବା ସମସ୍ତ ନାରୀ ଅସୁରକ୍ଷିତ  ଅନୁଭବ କରିଥିଲେ କିଛି ସମୟ ପାଇଁ, ଯାହାକୁ ନେଇ ସୌଆଦ ସହିତ କିଛି ମନକଥା ବଣ୍ଟାବଣ୍ଟି ହୋଇ ପାରିଥିଲା କିଛି ସମୟ । ସେଇ  ଅଶୋଭନୀୟ ଘଟଣାଟିକୁ ନିରଜ ଆଗରେ କେବେ ହୁଏତ କହିପାରିବନି ସେ । ନିରଜର ଅସମ୍ବେଦନଶୀଳ ମନଟିର ସୂଚନା ପାଇବାପରେ ମିନାକ୍ଷୀ ଏଯାବତ  ତା’ସହ ଘଟିଥିବା ଏବଂ ଆଗକୁ ଘଟିବାକୁ ଯାଉଥିବା ସବୁ ଅନୁଭୂତିକୁ କାଟଛାଟ କରିବ ନିଶ୍ଚୟ । ବେଶ ସାବଧାନତାର ସହ ନିଜ ମନକୁ ଗୋଟେଇ ନେଲା ମିନାକ୍ଷୀ । ପ୍ରଥମ ସହ ଗାଡ଼ିରେ ବସି ଆସିବା ସମୟରେ ଅଫିସ ସଂକ୍ରାନ୍ତୀୟ କଥୋପକଥନ ଜାରି ରଖିଥିଲା ହୋଟେଲରେ ପହଞ୍ଚିବା ପର୍ଯ୍ୟନ୍ତ । ଦୁଇ ତିନି ଦିନ ଭିତରେ ପ୍ରଥମ ଘରଟିଏ ଠିକ କରିଦେବ ତା ପାଇଁ । ଏତକ ଦିନ ହୋଟେଲରେ  ତା’ର ରହିବାର ବନ୍ଦୋବସ୍ତ ହୋଇଛି । ମିନାକ୍ଷୀକୁ ମସ୍କଟର ସ୍ତ୍ରୀ ସୁରକ୍ଷା ବିଷୟରେ ବେଶ ଗୋଟିଏ ଭାଷଣ ଶୁଣାଇଲା ପ୍ରଥମ । ‘ମୋର ନିଜକୁ ସୁରକ୍ଷା ଦେବାର ସାହସ ଅଛି’ – କହି ହସିହସି ଗାଡିରୁ ଓହ୍ଲାଇଗଲା ମିନାକ୍ଷୀ ।

        ‘ଜଣେ ଲୋକର ଅଶାଳୀନ ବ୍ୟବହାରକୁ ନେଇ ସମଗ୍ର ପୁରୁଷ ଜାତିକୁ ଅଶାଳୀନ କହିବା ଠିକ ହେବନି ।’ ସୌଆଦ କେତେ ଉଦାରଚେତା ନାରୀଟିଏ । ଏଇ ପଦକ କଥାରୁ ପୁରୁଷ ଜାତି ପ୍ରତି ତାର ସମ୍ମାନ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଯେଉଁ ଦେଶର ପୁରୁଷ ପ୍ରଧାନ ସମାଜ ନାରୀକୁ ଅସମ୍ଭବ କଟକଣା ଭିତରେ ରଖିଥାଏ ବୋଲି ବାରମ୍ବାର ଶୁଣି ଆସିଛି ମିନାକ୍ଷୀ, ସେଇ ଦେଶର ନାରୀଟିଏର  ପୁରୁଷ ସମାଜ ପ୍ରତି ସମ୍ମାନବୋଧ ନାରୀ ଜାତିର ନମ୍ର ଓ ଉନ୍ନତ ବିଚାରଶକ୍ତିର ପରିଚୟ ଦିଏ । ଠିକ ତ କହିଛି ସୌଆଦ । ଉଭୟ ନାରୀ ଓ ପୁରୁଷ ଭିତରେ ଅନେକ ଭଲମନ୍ଦ ଗୁଣ ଭରିରହିଛି । ନିଜର ଭଲ ଗୁଣର ପରିପ୍ରକାଶ କରିବା ଓ ମନ୍ଦ ଗୁଣକୁ ସଂଯମତାର ସହ ନିୟନ୍ତ୍ରଣ କରିବାରେ ନାରୀ ଓ ପୁରୁଷର ପ୍ରଭେଦ ଆସିବ ବା କାହିଁକି? ସକରାତ୍ମକ ଚିନ୍ତାଧାରାକୁ ଉନ୍ନତ ଓ ମାର୍ଜିତ କରି ଉଭୟେ ଆଦର୍ଶ ହୋଇପାରିବେ । ସୌଆଦ ପରି ଅଳ୍ପ ବୟସ୍କ ତରୁଣୀଟିର ଏ ପ୍ରକାର ଉନ୍ନତ ଚିନ୍ତାଧାରା ମିନାକ୍ଷୀକୁ ପ୍ରଭାବିତ କରିଥିଲା ।

        ଘଟଣାଟି ଘଟିଥିଲା ଉଡାଣ ସମୟରେ । ଏୟାରହୋଷ୍ଟେସ ଝିଅଟି ବେଶ କିଛି ଥର ଗ୍ଲାସ ଭର୍ତ୍ତି ହ୍ବିସ୍କି ପରିବେଷଣ କରିବା ପରେ ଆଉ ଦେଇ ନପାରିବାର ଅସମର୍ଥତା ପ୍ରକାଶ କରିଥିଲା । ଉଡାଜାହାଜରେ ମାଗଣା ମିଳୁଥିବା ନିଶା ପାନୀୟକୁ ଆକଣ୍ଠ କରିବାପରେ ନିମ୍ନ ମାନସିକ ଵ୍ୟକ୍ତିଟି ଏକ ପ୍ରକାର ଜୋର ଜବରଦସ୍ତି କରିଥିଲା ଝିଅଟି ସହିତ । ତାର ଅଭଦ୍ରୋଚିତ କଥା ଓ କାର୍ଯ୍ୟକଳାପରେ ଅପମାନିତ ହେଲା ଝିଅଟି । ତା’ସହିତ ଅପମାନିତ ହେଲେ ଉଡାଜାହାଜରେ ବସିଥିବା ସମଗ୍ର ସ୍ତ୍ରୀ ଜାତି । କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ ସମସ୍ତେ । ଏଥର ଝିଅଟିର ପାଳି । ତାକୁ ସାହସ ଦେବାପାଇଁ ତା’ସହିତ ଠିଆ ହେଲେ ତା’ସହକର୍ମୀ ବନ୍ଧୁ ଓ ବାନ୍ଧବୀ ମାନେ । ଲୋକଟିର ପାଶପୋର୍ଟ ଜବତ କଲେ । ଏଥର ଚେତା ପଶିଲା ଉଦ୍ଧତ ଅସାମାଜିକ ଲୋକଟିର । ଅନେକ ଅନୁନୟ ବିନୟ କ୍ଷମା ଯାଚନା ପରେ ସମସ୍ତଙ୍କ ସମ୍ମୁଖରେ କାନଧରି ବସଉଠ ହୋଇଥିଲା ଲୋକଟି । ଏଭଳି ଭୂଲର ପୁନରବୃତ୍ତି ନହେବାର ପ୍ରତିଶୃତି ଦେବାପରେ  ପାସପୋର୍ଟ ଫେରି ପାଇ ଲୋକଟି ଅପରାଧୀଟିଏ ପରି କୁଂଚିକାଞ୍ଚି ହୋଇ ବସିଥିଲା । ଏଥରର ଅନୁଭୁତିରୁ ଲୋକଟି ବେଶ ଶିକ୍ଷା ପାଇଥିବ । ନିଜକୁ ନିଜେ କହୁଥିଲା ମିନାକ୍ଷୀ । ଭାରାକ୍ରାନ୍ତ ହୋଇଥିଲା ମନ । ସୌଆଦ ସହିତ କଥାବାର୍ତ୍ତା ହୋଇ କିଛି ହାଲୁକା ଲାଗିଲା ତାକୁ । ‘ଏଇ କିଛି ଅନୈତିକ ଚିନ୍ତାଧାରାର  ଲୋକଙ୍କ ପାଇଁ……’ କହିବାକୁ ଆରମ୍ଭ କରି ରହିଗଲା ମିନାକ୍ଷୀ । ନିରଜକୁ କେଉଁଠି ରଖିବ? ଏପରି ଲୋକଙ୍କ ଧାଡିରେ ନିରଜକୁ ଠିଆ କରିବାର ସାହସ କୁଳେଇ ପାରିନଥିଲା । ଚୁପ ରହିଥିଲା । କଥା ବଦଳାଇଥିଲା । ଜୋର କରି ମନ ଭିତରୁ ବାହାର କରି ଦେଇଥିଲା ନିରଜକୁ । ସୌଆଦ ସହିତ ଅବଶିଷ୍ଟ କେତୋଟି ମୁହୂର୍ତ୍ତ ଖୁସିରେ ଖୁସିରେ କାଟିଦେବା ପରେ ଦୁଇ ବାନ୍ଧବୀ ହାତ ଧରାଧରି ହୋଇ ବାହାରି ଯାଇଥିଲେ ଉଡାଜାହାଜ ଭିତରୁ । ଏୟାରପୋର୍ଟ ଲବିରେ ପହଞ୍ଚିବାପରେ  ସୌଆଦ ଅଟକି ଯାଇଥିଲା । ମିନାକ୍ଷୀର ଗଳାବେଷ୍ଟନ କରି ପୁଣି ଦେଖାହେବ କହିଲାବେଳେ ସୌଆଦର ଫୋନ ଶବ୍ଦ କରି ବାଜିଉଠିଥିଲା । ମିନାକ୍ଷୀ ଓ ସୌଆଦଙ୍କ ରାସ୍ତା ଅଲଗା ହୋଇଯାଇଥିଲା ।

        କହିବକି ଏସବୁ ପ୍ରଥମକୁ? ନାଃ …. କହି ନଥିଲା କିଛି ଶେଷ ପର୍ଯ୍ୟନ୍ତ । ନିଜ ରୁମରେ ପହଞ୍ଚି ଫ୍ରେଶ ହେଲା । ମଧ୍ୟରାତ୍ରୀ ଅତିକ୍ରମ କରିଯାଇଛି । ଆଉ ଅଳ୍ପ ସମୟ ପରେ ଦିନର ଆଲୋକ ଦିଶିବ । ଖଟ ଉପରେ ଗଡ଼ି ପଡିଲା ସେ । ସୌଆଦ …ନିରଜ; ନିରଜ…ପ୍ରଥମ । ନାଃ, ଆଉ କିଛି ଭାବିବନି ସେ । କିଛି ବି ନୁହେଁ । ମସ୍କଟ ମାଟିରେ, ଏଇ ପ୍ରଥମ ରାତିଟିରେ ସ୍ୱପ୍ନରେ ସେ ଗଢ଼ିବ ଏକ ସୁନ୍ଦର ପରିବେଶ ଯେଉଁଠି ତା’ର ଅସ୍ତିତ୍ୱକୁ ସମ୍ମାନ କରୁଥିବେ ତା’ ଚାରିପାଖର ମଣିଷ ମାନେ । କାଲିର ପ୍ରଥମ ସକାଳ ଆସିବ ଏକ ନୂଆ ରୂପରେ । ଖୁବ ହାଲକା ଲାଗୁଥିଲା । ସେମିତି ଏକ ସୁଖଦ ସ୍ବପ୍ନକୁ ଆଖିର ପଲକରେ ବାନ୍ଧି ରଖିବାକୁ ଧୀରେଧୀରେ ଆଖି ବୁଜିନେଲା ମିନାକ୍ଷୀ  । 

(୨୦୧୭ ପୂଜା ସଂଖ୍ୟା ‘ପଶ୍ଚିମା’ରେ ପ୍ରକାଶିତ)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s