ପରୀ

          ଆଜି ପରୀ ସହିତ ଦେଖାହେଲା ମସ୍କଟର ଏକ ଓଡ଼ିଆ ସମାବେଶରେ । ଦୀପାବଳୀ ଉତ୍ସବ ଉପଲକ୍ଷେ ଓଡ଼ିଆ ସଂସଦ ତରଫରୁ ଏଇ ସମାବେଶର ଆୟୋଜନ କରାଯାଇଥିଲା ମସ୍କଟ ସହରର ଉପକଣ୍ଠରେ । ଆମପାଇଁ ବିଦେଶ ମାଟିରେ ତାହା ପ୍ରଥମ ଓଡ଼ିଆ ବଂଧୁମିଳନ । ଭାରତରୁ ଆସିଥିବା ଆମର ପୂର୍ବ ପରିଚିତ କେବଳ ଚାରୋଟି ଓଡ଼ିଆ ପରିବାର ଛଡା ଆଉ ସମସ୍ତେ ଅପରିଚିତ । ମସ୍କଟ ଆସିବାର ମାତ୍ର ମାସଟିଏ ହୋଇଥାଏ ଆମର । ନୂଆ ଜାଗା, ନୂଆ ପରିବେଶରେ ଏପର୍ଯ୍ୟନ୍ତ ନିଜକୁ ସାମିଲ କରିବାର ପ୍ରଚେଷ୍ଟାରେ ଆମେ ଦୁଇଜଣ । ସିଦ୍ଧାର୍ଥଙ୍କର ମୋବାଇଲ ଫୋନରେ ମେସେଜ ଆସିଲା । ଓଡ଼ିଆ ବଂଧୁମିଳନରେ ଯୋଗ ଦେବାର ନିମନ୍ତ୍ରଣ । ପୁଲକିତ ହେଲୁ । ନୂଆ ବନ୍ଧୁ – ତା’ପୁଣି ଓଡ଼ିଆ , ବିଦେଶ ମାଟିରେ । ଆମର ଯୋଗଦେବା ନିଶ୍ଚିତ ଜଣାଇ ସିଦ୍ଧାର୍ଥ ମେସେଜ ମାଧ୍ୟମରେ ଉତ୍ତର ଫେରାଇଲେ । ଏହା ସାତଦିନ ତଳର କଥା।
       ସକାଳୁ ସକାଳୁ ଦୁଇଟି ଗାଡ଼ିରେ ଆମେ ଚାରୋଟି ପରିବାର ବାହାରିଥିଲୁ ଦୀପାବଳୀ ବଂଧୁମିଳନ ଉପଲକ୍ଷେ । ମସ୍କଟର ଉପକଣ୍ଠରେ ବୋଲି କହୁଥିଲେ ମଧ୍ୟ ଜାଗାଟି ଥିଲା ମସ୍କଟଠାରୁ ଶହେ ପଚାଶ କିଲୋମିଟର ଦୂର । ପରିଷ୍କାର, ପରିଚ୍ଛନ୍ନ, ପ୍ରଶସ୍ତ ରାସ୍ତା । ଗାଡି ଚାଲୁଥିଲା ଘଣ୍ଟାକୁ ଶହେ କିଲୋମିଟରରୁ ଉର୍ଦ୍ଧ୍ବ ବେଗରେ, ମାତ୍ର ଗାଡି ଭିତରେ ଥାଇ ସେପରି ଆଦୌ ଅନୁଭୂତ ହେଉନଥିଲା । ହାତର ମୋବାଇଲ ପରଦାରେ ରାସ୍ତାର ମାନଚିତ୍ର ଧରି ଓଡ଼ିଆ ଭାଇଜଣେ ପଥପ୍ରଦର୍ଶକ ହୋଇ ଆଗ ସିଟରେ ବସିଥିଲେ ଆଉ ରାସ୍ତା ଉପରେ ନଜର ରଖିଥିଲେ । ଆମେସବୁ ମନ ଆନନ୍ଦରେ ରାସ୍ତା ଧାରର ପ୍ରାକୃତିକ ପରିବେଶ ଓ ଅଣପ୍ରାକୃତିକ ମାନବକୃତ ଶୋଭା ସମ୍ଭାର ଉପଭୋଗ କରିବାରେ ଲାଗିପଡିଥିଲୁ ।
         ମରୁଭୂମି ଦେଶ ଓମାନର ରାଜଧାନୀ ମସ୍କଟ । ଶୀତ ଦିନର ପ୍ରାରମ୍ଭରେ ଲୋଭନୀୟ ରାଶିରାଶି ରଙ୍ଗବେରଙ୍ଗ ଫୁଲର ସମ୍ଭାର ରାସ୍ତାର ଦୁଇ ଧାରରେ । ପାହାଡ଼ କଟାହୋଇ ଯୋଜନ ଯୋଜନ ଧରି ଲମ୍ବି ଯାଇଥିବା ପ୍ରଶସ୍ତ ରାସ୍ତାକୁ ବିଭକ୍ତ କରି ରାସ୍ତା ମଝିରେ ଥାଏ ବିଭିନ୍ନ ରଙ୍ଗର ଫୁଲଗଛ । ଦୁଇ ପଟରେ ବିସ୍ତାରିତ ଘାସ ଗାଳିଚା । ପାହାଡ଼ ପୁଣି ଧୂସର, ଟାଙ୍ଗର । କେବଳ ପଥର ଆଉ ପଥର । ଘାସଟିଏର ମଧ୍ୟ ସତ୍ତା ନାହିଁ ସେଥିରେ । ଅଥଚ ପାହାଡର ଠିକ ତଳେ ଲଗାଯାଇଛି ବଡ଼ବଡ଼ ଗଛ ଧାଡ଼ିଧାଡ଼ି । ଆଉ ପରେପରେ ସବୁଜ ଘାସର ଗାଲିଚା । ଫୁଲର ପଟୁଆର । ଅବର୍ଣ୍ଣନୀୟ ଶୋଭା ସମ୍ଭାର ।
          ମରୁଭୂମି ଦେଶରେ ଏତେ ଗଛ ? ଏତେ ଫୁଲ ? ଆଖିରେ ଦେଖିବି ବିଶ୍ଵାସ କରିପାରୁ ନଥିଲି ମୁଁ ।  ପ୍ରତିଟି ଘାସ ଗାଲିଚାରେ କିଛି ଫୁଟ ବ୍ୟବଧାନରେ ପାଣିର ଗୋଟିଏ ଗୋଟିଏ ଛୋଟ ଉତ୍ସ । ପିଚକାରୀ ମାରି ପାଣି ଛିଞ୍ଚାଡି ହୋଇ ପଡୁଛି ଚାରିପଟ । ବଡ଼ ଗଛର ତଳେତଳେ ଯାଇଛି ସରୁସରୁ  ପାଣିର ନଳୀ । କ୍ରମାଗତ ଭାବରେ ଜଳସିଞ୍ଚନ ପ୍ରକ୍ରିୟା ଚାଲିଛି । ସେଇ ନଳୀ ମାଧ୍ୟମରେ ବିଭିନ୍ନ ପ୍ରକାର ସାର ମଧ୍ୟ ଯୋଗାଇ ଦିଆଯାଉଛି ବୃକ୍ଷ ରାଜିଙ୍କୁ । ଅତି ଯତ୍ନରେ ଲାଳିତ ପାଳିତ ବୃକ୍ଷ ସମ୍ଭାର ପ୍ରାକୃତିକ ପରିବେଶରେ ବଢୁଥିବା ବୃକ୍ଷ ପରି ଶୋଭା ବିସ୍ତାର କରି ଚାଲିଛନ୍ତି ଚତୁର୍ଦ୍ଦିଗ । 
        ଆମେ ଯାଉଥିବା ରାସ୍ତାରେ ପଡିଲା ସମୁଦ୍ର । ନୀଳ ଜଳରାଶି । ପାହାଡ଼ ମାନଙ୍କ ମଝିରୁ ଦେଖାଯାଉଛି ଦିଗନ୍ତବିସ୍ତାରୀ ସମୁଦ୍ର । ଏଠି ସମୁଦ୍ରର ପାଣି ଖୁବ ପରିଷ୍କାର ।
– ‘ଆଛା, ଏଇଟା କଣ ଆରବ ସାଗର ?’ – ମୁଁ ପଚାରିଦେଲି ।
– ‘ହଁ, ଆରବ ସାଗର । ଗଲ୍ଫ ଉପକଣ୍ଠର ଆରବ ସାଗର ।’ – ସିଦ୍ଧାର୍ଥ ଉତ୍ତର ଦେଲେ ।
ଦୂରରୁ ଦେଖାଯାଉଥିବା ସମୁଦ୍ର ଆଉ ସମୁଦ୍ର ଭିତରେ ଥିବା ପାହାଡ଼ ମୁଣ୍ଡିଆ ଉପରେ ଦୃଷ୍ଟି ସ୍ଥିର ରଖି ମୁଁ ସିଦ୍ଧାର୍ଥ ଙ୍କ ଉଦ୍ଦେଶ୍ୟରେ କହିଲି,
– ‘ଆସିବା ଆମେ ଦିନେ ଏଇ ସମୁଦ୍ର କୂଳକୁ ।’
ସମ୍ମତି ସୂଚକ ମୁଣ୍ଡ ହଲାଇଲେ ସିଦ୍ଧାର୍ଥ। ଆଗପଟୁ ଓଡ଼ିଆ ଭାଇଙ୍କ ସ୍ୱର ଭାସି ଆସିଲା ।
– ‘ବହୁତ ସୁନ୍ଦର ସୁନ୍ଦର ସମୁଦ୍ରକୂଳ ଗୁଡିଏ ଅଛି ଏଠି । ସରକାରୀ ପ୍ରଚେଷ୍ଟାରେ ପର୍ଯ୍ୟଟକଙ୍କୁ ଆଖିରେ ରଖି ଡେଭେଲପ କରିଛନ୍ତି ଜାଗା ଗୁଡିକୁ । ବେଶ ପରିଷ୍କାର, ପରିଚ୍ଛନ୍ନ କରି ରଖିଛନ୍ତି । ପାଣି ମଧ୍ୟ ଖୁବ ସ୍ଵଛ, ନୀଳ । ଭାରି ଭଲ ଲାଗିବ । ଆସିବା ଦିନେ ସମସ୍ତେ ।’
       ସେମିତି ଦିନଟିଏକୁ ଉପଭୋଗ କରିବାର ଉତ୍ସାହ ଲହରୀ ଟିଏ ହୋଇ ବୋହିଗଲା ମୋ ମନ ଭିତରେ । ପ୍ରାୟ ଘଣ୍ଟାଏ କୋଡିଏ ମିନିଟର ଯାତ୍ରା ପରେ ଆମେ ପହଞ୍ଚିଲୁ ନିର୍ଦ୍ଧାରିତ ବଂଧୁମିଳନ ଜାଗାରେ ।
       ଆମ ଆଗରୁ ବେଶ କେତୋଟି ପରିବାର ପହଞ୍ଚି ଯାଇଥିଲେ ସେଠି । କିଛି ଓଡ଼ିଆ ଭଉଣୀ ଖୋଲିଥିଲେ ବିଭିନ୍ନ ସୁଆଦିଆ ଖାଦ୍ୟର ଷ୍ଟଲ । ଓଡ଼ିଆ ଦହିବରା, ଆଳୁଦମ , ଗୁପଚୁପ ଆଦିର ମଜା ନେଲୁ ଆମେ । ତା’ ସହିତ ପରିଚୟ ହେଲୁ ନୂଆ ବନ୍ଧୁ ବାନ୍ଧବୀ ମାନଙ୍କ ସହିତ । ସେଇଠି ଦେଖାହେଲା ମିନାକ୍ଷୀ ସହ । ଭାରି ଖୋଲା ହୃଦୟର ଝିଅଟିଏ । ସେ ବି ନୂଆ କରି ଆସିଥାଏ ଏ ଦେଶକୁ । ଖୁବ ନିଜର ହୋଇ ମିଶୁଥାଏ ସମସ୍ତଙ୍କ ସହ । ଖିଆପିଆ, ନାଚଗୀତ । ଦି’ ପହର ଖରାରେ ବାଗୁଡି ଖେଳ ବେଶ ଉପଭୋଗ୍ୟ ଥିଲା । ଟଗ୍ ଅଫ୍ ୱାର୍ ଖେଳରେ ଦୁଇପଟୁ ଘୋଷରା ଦଉଡିରେ ହାତ ପକେଇ ହାତଟିକେ ଘଷି ହୋଇ ପୋଡୁଥିଲା ମୋର । ସେଥିପ୍ରତି ନଜର ନଥିଲା । ବେଶ ହସଖୁସିରେ କଟିଗଲା ସାରାଦିନ ।
       ସନ୍ଧ୍ୟା ଆଗତପ୍ରାୟ । ଘାସ ଗାଲିଚାରେ ନୂଆ ପୁରୁଣା ବାନ୍ଧବୀମାନଙ୍କ ଗହଣରେ ବସି ଗପର ଆସର ମେଲି ଦେଇଥାଏ ମୁଁ । ସେ ଆସି ବସିଗଲା ସିଧା ମୋ କୋଳରେ । ଗୁଲୁଗୁଲିଆ ଝିଅଟିଏ । ବୟସ ତିନି କି ଚାରି ହେବ । ବହୁ ଦିନରୁ ପରିଚିତ ପରି ସିଧା ଆସି ବସିଗଲା ଜାଗାମାଡି । ଦୁଇ ହାତରେ ଚାପି ଧରିଲି ତାକୁ ।
– ‘ମାଆରେ, ତୋ ନାଁ କ’ଣ? ଓଡ଼ିଆ କହି ଜାଣିଚୁ? ତୋ ନାଁ କଣ ମାମା?’
        କୁଲୁରୁ କୁଲୁରୁ ହୋଇ ପଶିଥାଏ ସେ ମୋ କୋଳରେ । ଖିଲି ଖିଲି ହସ । କେଇ ମୁହୂର୍ତ୍ତ ପରେ ଧାଇଁ ଆସିଲା ଯୁବତୀ ଜଣେ । ସୁନ୍ଦରୀ ଯୁବତୀଟିର ଲମ୍ବା ଗହଳ କେଶ ଅଣ୍ଟା ଯାଏଁ ଖେଳେଇ ହୋଇପଡ଼ିଥିଲା । ଖୋଜିଲା ଖୋଜିଲା ଆଖି ଦୁଇଟି ଥ’ ହୋଇ ରହିଗଲା ମୋ କୋଳ ଉପରେ । ଦୁଇ ହାତରେ କୁନି କଅଁଳିଆ ନିଷ୍ପାପ ଗାଲ ଦୁଇଟିକୁ ଧରି ମୁଁ ପଚାରୁଥିଲି –
– ‘ତୋ ନାଁ କଣ ମାମା?’ -କିରିକିରି ହସରେ ବସ୍ନାୟିତ ହେଉଥିଲା ଆଖପାଖ । ହସର ବାସ୍ନା । କୁନି ଫୁଲଟିଏର ହସ । ବାସ୍ନା ତ ଚହଟିବ ହିଁ ।
– ‘ସେ କଥା କହିପାରେନି ମ୍ୟାମ ।’ – ମାଆଟିର ଭଙ୍ଗା ଭଙ୍ଗା ସ୍ୱର ତୀରଟିଏ ଭଳି ଗଳିଗଲା ମୋ ଛାତିରେ ।
– ‘କଥା କହିପାରେନି ମାନେ? ବେଶ ବଡ଼ ତ ହୋଇଗଲାଣି । କଥା କହିବାର ବୟସ ହୋଇଗଲାଣି ତ ?’ ଦୁଇ ପଟୁ ଶବ୍ଦ କେତୋଟି ଭାସି ଆସିଲା । ନିଷ୍ଠୁର ଶବ୍ଦର ଧାଡି କେତୋଟି । ମୋ ପାଖକୁ ଲାଗି ଘାସ ଗାଲିଚାରେ ବସି ପଡ଼ି କହିଲା ଯୁବତୀଟି ।
– ‘ତା’ ନାଁ ପରୀ । କଥା କହିନି ଏଯାଏଁ ।’
ମୁହୂର୍ତ୍ତ ଟିଏ ପାଇଁ ସ୍ତବ୍ଧ ହୋଇଗଲି ମୁଁ ।
– ‘ପରୀ, ଭାରି ସୁନ୍ଦର ନାଁ ଟିଏ ତ । କଥା କହିବ ସେ । ନିଶ୍ଚୟ କହିବ ।’ – ମୋ ସ୍ୱରର ଦୃଢତା ଛୁଇଁ ଗଲା ପରୀର ମାଆକୁ ।
– ‘ମୋ ନାଁ ଲୋରା । ଏ ମୋ ଝିଅ ପରୀ । ଚାରି ପୁରି ଗଲାଣି । କଥା କହୁନି । ସବୁ ବୁଝୁଛି, କିନ୍ତୁ …….’ – ଟିକେ ହତାଶା, ଟିକେ ଦୁଃଖ, ଟିକେ ଅସହାୟତା ଅକ୍ତାମାକ୍ତା କରିଦେଉଥିଲା ତାକୁ ।
        ପରବର୍ତ୍ତୀ କିଛି ସମୟ ବେଶ ସରଗରମ ଆଲୋଚନା । କିଛି ସକାରାତ୍ମକ କିଛି ନକାରାତ୍ମକ । ଅନେକ ଉଦାହରଣ -କିଏ କଥା କହୁନଥିଲା, ପୁଣି କହିଲା – ଚମକ ଆଣୁଥିଲା ଲୋରା ଆଖିରେ । ପୁଣି କିଏ ଆଦୌ କଥା କହିଲାନି । ଜଣାପଡିଲା ପିଲାଟି ଅଟିଷ୍ଟିକ, କେବେ କଥା କହିବନି । ଝାଉଁଳି ପଡୁଥିଲା ଲୋରା ।
       ଅଟିଷ୍ଟିକ ପିଲାମାନେ ଆଖି ମିଳେଇ ଚାହିଁ ପାରନ୍ତିନି । ଭଗବାନଙ୍କ ଦୁନିଆରେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ସେମାନେ । ପରୀ, କଥାକୁହା ପରୀଟିଏ । ଅଟିଜିମର ଲକ୍ଷଣ ତା’ ପାଖରେ ନାହିଁ । ଅଟିଜିମ ବିଷୟରେ ଯେତିକି ଜାଣିଥିଲି ତାକୁଇ ପାଥେୟ କରି ଲୋରାକୁ ଆଶ୍ୱାସନା ଦେଲି ମୁଁ । କଥାର ମୋଡ଼ ପରିବର୍ତ୍ତନ ହୋଇଗଲା । ଅଟିଷ୍ଟିକ ପିଲାମାନେ ମଧ୍ୟ ବେଶ ପାରଦର୍ଶିତା ଦେଖାଇ ପାରନ୍ତି କେତେକ କ୍ଷେତ୍ରରେ । ବାସ, ଖାଲି ଜାଣିବା କଥା ,ପିଲାଟିର ଆଗ୍ରହ କେଉଁଥିରେ ଅଛି । ଠିକ ଭାବରେ ସେହି ଆଗ୍ରହଟିକୁ ଉଜ୍ଜୀବିତ କରାଇ ପାରିଲେ  ଉଦାହରଣ ହୋଇଯାଆନ୍ତି ସେମାନେ ଅନ୍ୟମାନଂକପାଇଁ । ମିନାକ୍ଷୀର ଦୃଢ଼ କଣ୍ଠର ସକାରାତ୍ମକ  ବାକ୍ୟ କେତୋଟି ଲୋରାର ଆଖିରେ ଚମକ ସୃଷ୍ଟି କରିଥିଲା । ଏଇମାତ୍ର ପରିଚୟ ହୋଇଥିବା ମିନାକ୍ଷୀ ଆଡକୁ ବୁଲି ଚାହିଁଥିଲି ମୁଁ । ମାୟାଭରା ଆୟତ୍ତ ଆଖି ଦୁଇଟିରେ ପ୍ରତ୍ୟୟ ଛଳଛଳ ହେଉଥିଲା ।କେଜାଣି କାହିଁକି ଖୁବ ନିଜର ନିଜର ଲାଗିଥିଲା ସେ ।  ପରୀ ସେତେବେଳେ  ବେଶ ମଜା ନେଉଥିଲା ମୋ କୋଳରେ ଆଉ ମୁଁ ବି ପରୀର ସାନ୍ନିଧ୍ୟ ବେଶ ଉପଭୋଗ କରୁଥିଲି ।
         ଛୋଟ ଛୋଟ ପିଲାମାନେ ନାଚୁଥିଲେ । ପରୀର ହାତଧରି ନଚାଉଥିଲି ମୁଁ । ଲୋରା ଆଖିରେ ମୋ ଲାଗି ସ୍ନେହ ଛଳଛଳ ହେଉଥିଲା । ନାଚୁନାଚୁ ପରୀ କହିଲା, ‘ଗେ…..ଲ…’
– ‘ଆଁ  ।’ – ପରୀ କିଛି କହିଲାକି? ଘାସ  ଗାଲିଚାରେ ଆଣ୍ଠୁ ମାଡି ପରୀର କୁନି କୁନି ହାତକୁ ଯନ୍ତ୍ର ସଙ୍ଗୀତର  ତାଳେ ତାଳେ ନଚାଉଥିବା ସମୟରେ ଚମକି ଉଠିଥିଲି ମୁଁ ।
– ‘ପରୀ, କଣ କହିଲୁ? କହ ଆଉଥରେ କହ ।’ – ପରୀର ଓଠରୁ କେବଳ ଖିଲି ଖିଲି ହସ । ନାଃ , ମୁଁ ଭୂଲ ଶୁଣିଲି । କେବଳ ହସ । ପରୀ କେବଳ ହସିପାରେ । କଥା କହିପାରେନି । ଠିକ ଅଛି ।
– ‘ନାଚିବ, ପରୀ ଆମର ନାଚିବ ।’ – ପରୀର ହାତ ଦୋହଲାଇ ଦୋହଲାଇ ଆଣ୍ଠୁ ମାଡି ନାଚି ଉଠୁଥିଲି ମୁଁ । ଆଣ୍ଠୁଟା କଟକଟ କଲା । ଆଃ, କେତେବେଳୁ ଆଣ୍ଠୁ ମାଡି ବସିଛି ମୁଁ । ଅଖଜ ଆଣ୍ଠୁଟା କଟକଟ କରିବ ତ ! ପରୀ ସହିତ କୁନି ଝିଅଟିଏ ପରି ନାଚୁଥିଲି ନିଜ ବୟସକୁ ଆଢୁଆଳ କରି । ବୟସ କିନ୍ତୁ ତୀର ଛାଡିଦେଲା । ଆଉ ଅଖଜ ଆଣ୍ଠୁ ଯନ୍ତ୍ରଣାରେ ଶିହିରୀ ଉଠିଲା । ପରୀର ହାତ ଛାଡ଼ିଦେଇ ଘାସ ଉପରେ ଗୋଡ଼ ଲମ୍ବାଇ ବସିପଡ଼ିଲି । ମୋ ଚାରିପଟେ ହସିହସି ତାଳିମାରି ନାଚୁଥିଲା ପରୀ । ଆଉଥରେ ଚାହିଁଲି ପରୀକୁ । କିଛି କହିବ କି ? ଆଣ୍ଠୁର ଯନ୍ତ୍ରଣା ଭୂଲି ପଚାରିଲି
– ‘ମାମା’
ପରୀ କହିଲା, – ‘ମାମା ଗେ…ଲା …’
– ‘କୁଆଡେ ଗଲା ମାମା?’ -ଏଥର ଖୁସିରେ ଚିତ୍କାର କରି ଉଠିଲି ମୁଁ । ‘ଲୋରା, କୁଆଡେ ଗଲ? ଲୋରା, ଏ ଲୋରା, ତୁମ ଝିଅ କଥା କହିଲାଣି …..’
       ଏପଟ ସେପଟ ଖୋଜିହେଉଥିଲି ଲୋରାକୁ । ଖୁସିରେ । ଉତ୍ସାହ ଭରି ଯାଇଥିଲା ମୋ ସ୍ଵରରେ । ଦୂରରେ ଲୋରା ତା’ ସ୍ୱାମୀର ହାତ ଧରି ନାଚିବାରେ ବ୍ୟସ୍ତ । ପରୀକୁ ମୋ ପାଖରେ ଛାଡ଼ିଦେଇ ଲୋରା ନିଶ୍ଚିନ୍ତରେ ନାଚୁଛି । ମୋ ଉପରେ ଭରସା ଆସିଯାଇଛି ଲୋରାର । ହସଖୁସି ନାଚଗୀତର ଆସର ବେଶ ଜମି ଉଠିଛି । ରାତ୍ରୀର ବୟସ ବଢ଼ିବାରେ ଲାଗିଛି ।

     ଫେରନ୍ତା ଗାଡ଼ିରେ କ୍ଲାନ୍ତ ହୋଇ ସିଟ୍ କୁ ଆଉଜି ବସିଥିଲି । ଲୋରା ପରୀକୁ ନେଇ ଚାଲିଗଲାଣି । ପରୀ କଣ ସତରେ  କିଛି କହିଥିଲା? ନିଜକୁ ପଚାରୁଥିଲି ମୁଁ ।
        ଘରକୁ ଫେରୁଥିଲୁ ଆମେ । ନିଦ ମାଡ଼ି ଆସୁଥିଲା ଆଖିକୁ, କିନ୍ତୁ ଶୋଇ ପାରିନଥିଲୁ କେହି । ଓମାନର ଜାତୀୟ ଦିବସ ଆଉ ଦୁଇଦିନ ପରେ । ରାସ୍ତାସବୁ ଆଲୋକ ମାଳାରେ ସଜ୍ଜିତ । ରାସ୍ତା କଡର ଗଛସବୁ ମଧ୍ୟ ରଙ୍ଗବେରଙ୍ଗ ଆଲୋକରେ ସଜାହୋଇ ଅପୁର୍ବ ଦିଶୁଥାନ୍ତି । ଧଳା କୋଠା ସବୁ ରଙ୍ଗୀନ  ଆଲୋକରେ ଝଲସି ଉଠୁଥାନ୍ତି ।
– ‘ମସ୍କଟରେ ଥିବା ସମସ୍ତ ଘର ଧଳା ରଙ୍ଗର – ଏଠାକାର ଲୋକ ମାନଙ୍କର ଧଳାରଙ୍ଗର ଜାମା ପରି । କଦବା କ୍ଵଚିତ ହାଲକା ମାଟିଆ ରଙ୍ଗର କୋଠାଟିଏ ଆଖିରେ ପଡ଼େ ।’ – ହସିହସି କହିଲି ମୁଁ ।
– ‘ହଁ, ଏମାନଙ୍କର ଧଳା ଗାଉନ ପରି । ଏ ପୋଷାକକୁ ‘ଡିସଡାସା’ କହନ୍ତି । ଗୋଡ଼ଯାଏଁ ଲମ୍ବିଥିବା ଏ ଗାଉନ ସାଧାରଣତଃ ଧଳା ରଙ୍ଗର ହୋଇଥାଏ । କେବେ କେମିତି କେହି କଳା ବା ମାଟିଆ ରଙ୍ଗର ଗାଉନ ପିନ୍ଧନ୍ତି । ମୁଣ୍ଡରେ ପିନ୍ଧିଥିବା ପଗଡ଼ିଟିକୁ ‘ଗୁଜାର’ କୁହାଯାଏ । ସ୍କାର୍ଫ ପରି କନାଟିଏକୁ ନିର୍ଦ୍ଦିଷ୍ଟ ପ୍ରକାର ମୁଣ୍ଡରେ ଗୁଡ଼ାଇ ପିନ୍ଧନ୍ତି ପୁରୁଷ ଲୋକମାନେ । ଉତ୍ସବ ଦିନ ଗୁଡିକରେ ହାତରେ ବାଡିଟିଏ ଧରିବା ଏମାନଙ୍କ ପ୍ରଥା । ଏହି ନିର୍ଦ୍ଦିଷ୍ଟ ବାଡିଟିକୁ ‘ଆଶା’ କୁହାଯାଏ । ସେହି ଉତ୍ସବ ଦିନରେ ଅଣ୍ଟାରେ ‘ଖଞ୍ଜାର’ ବା ଖଣ୍ଡା ଖୋସନ୍ତି ଏମାନେ ।’ – ଆଗରେ ବସିଥିବା ଓଡ଼ିଆ ଭାଇ ବୁଝାଇ କହିଲେ ଆମକୁ ।
– ‘ଆଉ ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ପୋଷାକକୁ ‘ଅବାୟା’ କୁହାଯାଏ । ବୁର୍ଖାପରି ପିନ୍ଧୁଥିବା ଅବାୟା ସହିତ ମୁଣ୍ଡରେ ପିନ୍ଧନ୍ତି ‘ହିଜାବ’ । ମୁଣ୍ଡର କେଶକୁ ଘୋଡାଇ ରଖିବା ଏଠାର ପରମ୍ପରା ।’
        ଆଲୋକ ମାଳାରେ ଝଲମଲ ହେଉଥିଲା ଓମାନର ଜାତୀୟ ପତାକାର ତିନୋଟି ରଙ୍ଗ – ଧଳା, ନାଲି ଆଉ ସବୁଜ । ଧାଡି ଧାଡି ଆଲୋକ ଖଚିତ ଜାତୀୟ ପତାକା ମଧ୍ୟ ଜାତୀୟତାର ସ୍ବାକ୍ଷର ବହନ କରି ଜାଜୁଲ୍ୟମାନ । ମଝିରେ ମଝିରେ ଜାତୀୟ ଚିହ୍ନ ‘ଖଞ୍ଜାର’ ଅର୍ଥାତ ଯୋଡି ଖଣ୍ଡା ଆଲୋକ ମାଳାରେ ସଜ୍ଜିତ ହୋଇ  ଝଲମଲ ହେଉଥାଏ । ସ୍ଥାନେ ସ୍ଥାନେ କଫି ମଗ ପରି ଦେଖାଯାଉଥିବା କିଛି ଆଲୋକ ସଜ୍ଜା ଆଖିରେ ପଡିଲା । ସିଦ୍ଧାର୍ଥ ବୁଝାଇ କହିଲେ ଓମାନି ମାନେ ଖାଇବା ପରେ ଖଜୁରରେ ତିଆରି ଏକ ମିଷ୍ଟାନ୍ନ ହାଲୁଆ ଖାଆନ୍ତି । ତା’ ପୂର୍ବରୁ କାହାୱା ପିଅନ୍ତି । କାହାୱା ବା ଅଳେଇଚ ଯୁକ୍ତ ସ୍ଥାନୀୟ କଫି ଛୋଟ ଛୋଟ ପାତ୍ରରେ ଦିଆଯାଏ । ସେହି କଫି ପାତ୍ର ଗୁଡିକୁ ମଧ୍ୟ ଆତିଥେୟତାର ଚିହ୍ନ ସ୍ବରୂପ ଆଲୋକ ସଜାରେ ସ୍ଥାନ ଦିଆଯାଇଛି ।
         ମାଡି ମାଡି ପଡୁଥିବା ଆଖି ପତାକୁ ଯଥା ସମ୍ଭବ ଟେକି ରଖିବା ସମୟରେ ବେଳେବେଳେ ବିସ୍ଫାରିତ ହୋଇଯାଇଥିବା ମୋ ଆଖିକୁ ଦେଖି ସିଦ୍ଧାର୍ଥ ଥଟ୍ଟା ପରିହାସ ଆରମ୍ଭ କରିଦେଇଥାନ୍ତି । ରାସ୍ତା ସାରା ଆଲୋକ ମାଳାକୁ ଉପଭୋଗ କରିକରି ଆମେ ପ୍ରାୟ ରାତି ଗୋଟାଏରେ ଘରେ ପହଞ୍ଚିଲୁ ।
         ଲିଫ୍ଟ ରେ ଚାରିମହଲା ଆସି ଘରର ଦ୍ୱାର ଦେଶରେ ପହଞ୍ଚିଲା ବେଳକୁ ମୋର ଟଳମଟଳ  ଅବସ୍ଥା । ଘରର ଚାବି ଖୋଲୁଖୋଲୁ ସିଦ୍ଧାର୍ଥ କହିଲେ, – ‘ବହୁତ ଭଲ ଲାଗିଲା ।  ନାଇଁ?  କେତେ ନୂଆ ବନ୍ଧୁଙ୍କ ସହ ପରିଚୟ ହେଲା ।‘

(୨୦୧୬ ପୂଜା ସଂଖ୍ୟା ‘ପଶ୍ଚିମା’ରେ ପ୍ରକାଶିତ)

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s