ଗାଁ ଶ୍ମଶାନ ଧାରରେ କିଏ କେଜାଣି କେଉଁ ଦିନ ବୁଣି ଦେଇଥିଲା ତା’ ମଞ୍ଜି? କି ଆପେ ଆପେ ଉଠିଛି ସେ ସେଠି ? କାହିଁକି ଏମିତି ଜାଗାଟେ ବାଛିଲା ଯେ ସେ? ଅଭିମାନରେ ମୁହଁ ଫୁଲାଉଥିଲା ଦୁଦୁରା । ଭାରି ଅଭିମାନ ହେଉଥିଲା ଭଗବାନଙ୍କ ଉପରେ । ରାଗ ଲାଗୁଥିଲା, କାନ୍ଦ ବି ଲାଗୁଥିଲା । କେତେ ସୁନ୍ଦର ଫୁଲ ତୋଳି ଧରୁଛି ସେ । କାହାଳୀ ପରି କେଡେ ସୁନ୍ଦର ଗଢଣ ତା’ର । କେହି କିନ୍ତୁ ଭଲ ପାଆନ୍ତିନି ତାକୁ । କେହି ତ କେବେ ତୋଳି ନିଅନ୍ତିନି ଠାକୁରଙ୍କୁ ଲାଗି କରିବାକୁ ! ବୋଧହୁଏ ସେ ଶ୍ମଶାନ ଧାରରେ ଅଛି ବୋଲି କାହା ନଜରରେ ପଡୁନି । ବୋଧହୁଏ !! ଏମିତି ଭାବି ସେ ବୁଝାଉଥିଲା ନିଜକୁ । ବୁଝାଇଥିଲା ଆଜିଯାଏଁ । କିନ୍ତୁ ଆଜି, ଆଜି ସେ ଭାଙ୍ଗି ପଡିଛି । ତା’ରି ଆଗରେ ଥିବା ଟଗର ଗଛରୁ ଫୁଲ ସବୁ ତୋଳି ନେଲେ ସେମାନେ, ଆଉ ଚାଙ୍ଗୁଡ଼ି ଭରି ନେଇଗଲେ ଠାକୁର ମନ୍ଦିରକୁ । ଟିକକ ଆଗରୁ ଏଇ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବାରୁ ଠାକୁରଙ୍କୁ ଲାଗି ହେଉନି କହି ବୋଧ ଦେଉଥିବା ମନଟା ଏକଦମ ଭାଙ୍ଗିଗଲା ।
ଦୁଦୁରା ଏଇଠି ଦେଖୁଚି ଜୀବନ । ଦେଖୁଚି ଭାଙ୍ଗୁଥିବା, ଗଢୁଥିବା ସମ୍ପର୍କ । ତାର ଅଭିଜ୍ଞତା ଅନେକ – ସୁଖର, ଦୁଃଖର, ହର୍ଷ-ବିଷାଦର । କେବେ ଛଳନାରେ ଛଳ ଛଳ ପୁଣି କେବେ ନିର୍ବୋଧତାରେ ଠକି ଯାଉଥିବା ସମ୍ପର୍କକୁ ଆଖିରେ ଦେଖିଚି ସେ ।
ସେଦିନ ଚାରିକାନ୍ଧରେ ବୁହା ହୋଇ ଆସିଥିଲା ପ୍ରତୀକ । ପ୍ରତୀକ ଚୌଧୁରୀ । ଚୌଧୁରୀ ଘରର ଏକମାତ୍ର ଦାୟାଦ । କେତେବା ବୟସ ତାକୁ ? ସେଇଠି, ସେଇ ପାଚିରୀ କଡ଼କୁ ମୁଣ୍ଡ ପୋତି ବସିଥିଲେ ତା’ ବାପା । ଲୁହ ଆଉ ଗଡୁନଥିଲା ଆଖିରୁ । ସବୁ ଲୁହ ଝରିସାରିଥିଲା ଆଗରୁ । ଢେର ଆଗରୁ । ପୁଅ ଡିପ୍ରେସନରେ ଅଛି ଶୁଣି ହଷ୍ଟେଲରୁ ନେଇ ଆସିଥିଲେ ତାକୁ । ବୁଝାଇଥିଲେ, ଚିକିତ୍ସାବି କରେଇଥିଲେ । ଅନୁପମାଙ୍କୁ ଏକାନ୍ତରେ ସାହସ ଦେଇଥିଲେ । ଯାହା ଯାହା କରିପାରିବେ ସବୁ ତ କରିଥିଲେ ସେ । ତଥାପି ଛାତ ଉପରୁ ଡେଇଁ ପଡିଲା ପ୍ରତୀକ । ଅସହାୟ ବାପାଟିର ମନକୁ ପଢି ପାରୁଥିଲା ଦୁଦୁରା । ସେଇଠି ଠିଆ ହୋଇ ଦୁଃଖରେ ଭାଙ୍ଗି ପଡୁଥିବା ନିରୀହ ବାପମାଆଙ୍କୁ ଦୋଷ ଦେଉଥିବା ପରଶ୍ରୀକାତର ଲୋକ ମାନଙ୍କୁ ଚୁପ କରାଇ ପାରୁନଥିବାର ଆତ୍ମଗ୍ଲାନି ଭୋଗୁଥିଲା ସେ ।
ନୀରବ ଦର୍ଶକ ସାଜି ଦେଖିଥିଲା ସେଦିନ, ଯେଉଁଦିନ ଏଇଠି ଏଇ ମଶାଣୀ ଭୂଇଁରେ ନଟ ସାଆନ୍ତଙ୍କ ଜୁଇ ଲିଭିବା ଆଗରୁ ହାତାହାତି ହେଉଥିଲେ ତାଙ୍କର ତିନି ପୁଅ । ମାଆକୁ ଏବେ କିଏ ନେଇ ରଖିବ – ଟଣାଓଟରା ଲାଗିଥିଲା ତାଙ୍କର । ନିଜର ସବୁ ସମୟ ପୁଅଙ୍କୁ ମଣିଷ କରିବାକୁ ବିତେଇ ଦେଇଥିବା ମାଆକୁ ପାଖରେ ନେଇ ରଖିବାର ଅସରନ୍ତି ଅସୁବିଧା ବଖାଣିଥିଲେ ସମସ୍ତେ । ଆଉ ତା’ପରେ ଯୁକ୍ତିତର୍କ ପୁଣି ପରସ୍ପର ପ୍ରତି ଦୋଷାରୋପ, ଶେଷରେ ମର୍ଯ୍ୟାଦା ଭୁଲି ଗଲେ ସେମାନେ । ସାନ ଭାଇ ବଡଭାଇ ଉପରକୁ ହାତ ଉଠେଇଲା । ଦୁଦୁରା ସେଦିନ ଦୁଃଖରେ ଭାଙ୍ଗିପଡିଥିଲା ।
ଏଇଠି ପୁଣି ଦେଖିଥିଲା କୁମ ଅପାକୁ । ଝିଅ ହୋଇ ମୁଖାଗ୍ନି ଦେଇଥିଲା ବାପାଙ୍କୁ । ମାନସିକ ବିକଳାଙ୍ଗ ବାଳୁତ ଭାଇକୁ ସାହସ ଦେଉଥିଲା। ଅସମୟରେ ବିଧବା ହୋଇଥିବା ମାଆକୁ ନିରାଭରଣ କରିବାର ସେ ଭୟଙ୍କର ପରମ୍ପରା ବିରୁଦ୍ଧରେ ସ୍ୱର ଉଠେଇଥିଲା । ସାହିଭାଇରେ ଆପତ୍ତି ଉଠିଥିଲା । କୁମ ଅପା କିନ୍ତୁ ଦୃଢ଼ ଥିଲା ତା’ ନିଷ୍ପତ୍ତି ରେ । ପୁଣି ଆସିଲା ମୁଖାଗ୍ନି ଦେବାର ବେଳ । ପୁଅ ଥାଉଥାଉ ଝିଅ କେମିତି ମୁଖାଗ୍ନି ଦେବ? କିଛି ବୁଝି ନ ପାରି ବଲବଲ କରି ଚାହିଁଥିବା ସାନଭାଇକୁ କୋଳକୁ ଆଉଜେଇ ନେଇ କୁମ ଅପା କହିଥିଲା ” ମୁଁ ବି ମୋ ବାପାଙ୍କର ସନ୍ତାନ । ନଅ ମାସ ଗର୍ଭରେ ଧରି ମୋ’ ମାଆ ମତେ କେତେ କେତେ ଯନ୍ତ୍ରଣା ସହି ଏ ଦୁନିଆକୁ ଆଣିଛି । ମୁଁ ମୋ ବାପାଙ୍କୁ ମୁଖାଗ୍ନି ଦେବି । ଆଉ ମୋ ମାଆ ଭାଇଙ୍କର ସାହାରା ହେବି ।” କୁମ ଅପାର ନମ୍ର ଅଥଚ ଗମ୍ଭୀର, ଦୃଢ଼ ସ୍ୱର ଚହଲେଇ ଦେଇଥିଲା ସମସ୍ତଙ୍କ ହୃଦୟ । ଦୁଦୁରା ଖୁସିରେ ନାଚି ଯାଇଥିଲା ସେଦିନ ।
କେତେ କେତେ ଘଟଣା ତା’ ଆଖି ଆଗରେ ଘଟି ଯାଇଛି । ଗୋଟାକ ପରେ ଗୋଟିଏ ଜନ୍ମ ପାଇ ଫୁଟି ଝଡି ଯିବା ଭିତରେ ଦୁଦୁରା ଫୁଲ ନିଜଳୁ ଅବାଂଛିତ ଭାବିଛି । ଅନାଦର ଓ ଦୁଃଖ ଭିତରେ କାକୁସ୍ଥ ହୋଇ ପବନରେ ଝୁଲି ଝୁଲି ଝରି ପଡିଛି ସେ ।
ଆଜି ମହାଶିବରାତ୍ରୀ । କେଜାଣି କାହିଁକି ନିଜକୁ ଆଜି ଖୁବ ଏକା ଏକା ଲାଗୁଥିଲା । ସକାଳୁ ସକାଳୁ ଆଖି ଆଗରେ ଟଗର ଫୁଲ ଯାକ ସେମାନେ ତୋଳି ନେବା ପରେ ଖୁବ ବେଶୀ ଅଲୋଡ଼ା ଲାଗୁଥିଲା ଜୀବନ ।
ଦୀନବନ୍ଧୁ ନନା ଚାଙ୍ଗୁଡ଼ି ନେଇ ଆସିଥିଲେ । ସାଙ୍ଗରେ ପିଲା କେତେଜଣ । ନନା ପିଲାଙ୍କୁ କଣ ସବୁ ବୁଝେଇ କହୁଥିଲେ। ଦୁଦୁରା ନିଜ ନାଁ ଶୁଣି କାନ ଡେରିଲା,
‘—- ବହୁ ଯୁଗ ତଳେ ଦେବ ଦାନବ ମିଶି ସମୁଦ୍ର ମନ୍ଥନ କରିଥିଲେ । ଉଦ୍ଦେଶ୍ୟ ଥିଲା, ଅମୃତ ଆହରଣ କରିବା । ଅମୃତତ ମିଳିଲା, କିନ୍ତୁ ତା’ ପୂର୍ବରୁ ବାହାରିଥିଲା ହଳା ହଳ ବିଷ । ସେ ବିଷକୁ ଶିବ ପାନ କରିଥିଲେ । ସେ ହୋଇଥିଲେ ନୀଳକଣ୍ଠ । ସେହି ଜହର ତାଙ୍କ ଛାତିରୁ ପ୍ରସ୍ଫୁଟିତ ହେଲା ଦୁଦୁରା ଫୁଲର ରୂପ ନେଇ। ବିଷରୁ ଜାତ ଦୁଦୁରା ପୂଜା ପାଇଁ ଯୋଗ୍ୟ ହେଲା ନାହିଁ । କିନ୍ତୁ ମହାଦେବଙ୍କର ସେ ହେଲା ପ୍ରିୟ ଫୁଲ ।’ ଖୋଜି ଖୋଜି ଦୀନବନ୍ଧୁ ନନା ପହଞ୍ଚିଥିଲେ ଦୁଦୁରା ଗଛ ପାଖରେ । ଦୀନବନ୍ଧୁ ନନାଙ୍କ ହାତ ଲମ୍ବି ଆସିଥିଲା ଦୁଦୁରା ଫୁଲ ତୋଳି ନେବାକୁ । ଖୁସିରେ ଆତ୍ମହରା ହେଲା ଦୁଦୁରା । ଆଜି ସେ ମହାଦେବଙ୍କୁ ଲାଗିହେବ । ନିଜର ସୌଭାଗ୍ୟକୁ ନେଇ ନନାଙ୍କ ହାତରେ ଧରା ଦେବାବେଳେ ପଛରେ ଶ୍ମଶାନ ଆଡେ ଦୃଷ୍ଟି ପହଁରିଗଲା ତା’ର । ପାଉଁଶ ବୋଳି ହୋଇ ହସହସ ମୁହଁରେ ତାକୁହିଁ ଯେମିତି ଚାହିଁ ରହିଥିଲେ ମହାଦେବ । ଟିକେ ସମୟ ଆଗରୁ ଭଗବାନଙ୍କ ଉପରେ ଅଭିମାନ କରୁଥିବା ତା’ ମନଟା ନଇଁ ଯାଉଥିଲା ମହାଦେବଙ୍କ ପାଦତଳେ । ସେ ଅବାଂଛିତ ନୁହେଁ । ମହାଦେବଙ୍କ ପ୍ରିୟ ଫୁଲ ସେ । ଅବାଞ୍ଛିତ ନୁହେଁ କୁମ ଅପା । ମାଆ ଭାଇଙ୍କ ସାହାରା ସେ । ସଂସାରରେ କେତେ କିଏ ବାଟ ଚାହିଁ ବସିଛନ୍ତି ପ୍ରତୀକର। କାହିଁକି ଅଭିମାନରେ ଚାଲିଗଲା ସେ? କାହିଁକି ଥରେ ଭାବିଲାନି ସେମାନଙ୍କ କଥା? ଦୁଦୁରା ଫୁଲରେ ଚାଙ୍ଗୁଡ଼ି ଭରି ମହାଦେବଙ୍କୁ ଲାଗି କରିବାକୁ ନେଉଥିବା ଦୀନବନ୍ଧୁ ନନାଙ୍କଠାରୁ ନିଜ ଜନ୍ମ ବୃତ୍ତାନ୍ତ ଶୁଣିବା ପରେ ପୁଲଳିତ ହୋଇଥିଲା ସେ । ଟିକକ ପରେ ମହାଦେବଙ୍କ ଅଙ୍ଗସ୍ପର୍ଶ ପାଇବାର ଅପୁର୍ବ ମୁହୂର୍ତ୍ତଟିର ଅପେକ୍ଷାରେ ଅଧିକରୁ ଅଧିକ ମହକି ଉଠୁଥିଲା ଦୁଦୁରା ।
****