କେନ୍ଦ୍ରବିନ୍ଦୁରେ ଏକାକୀ

ଶୁଭଙ୍କର ଚୁପ ହୋଇ ଠିଆ ହୋଇଥିଲା ବାପାଙ୍କ ପାଖରେ ।

ବାପା ଶୋଇଥିଲେ ଧଳା ଚାଦର ଘୋଡ଼ି ହୋଇ ଚିରନିଦ୍ରାରେ । ଆଖିରୁ ତାର  ଝରି ପଡୁଥିଲା ଧାର ଧାର ଲୁହ କୌଣସି ବାଧା ନମାନି । ଭାରି ଅସହାୟ ଲାଗୁଥିଲା । ବାପାଙ୍କର ଖୋଲା ପାପୁଲି ଉପରେ ନିଜର ହାତ ପାପୁଲି ଚାପିନେଇ ତାଙ୍କଠାରୁ ଅଭୟ ଆଶ୍ୱାସନାଟିଏ ସାଉଁଟି ନେବାକୁ ମନ ଚାହୁଁଥିଲା । ବାପାଙ୍କ ହାତ ଏବେବି ତାକୁ ଶକ୍ତ ଦିଶୁଥିଲା, ଆଉ ତା’ ନିଜ ହାତ ଲାଗୁଥିଲା ଦୁର୍ବଳ, ଶକ୍ତିହୀନ ।

ଦୁଇସପ୍ତାହ ତଳେ ବାପା କୋମାକୁ ଚାଲିଯାଇଥିଲେ । ନିରଞ୍ଜନ ଫୋନ କରି କହିଥିଲା ‘ବସିବା ଜାଗାରୁ ଉଠିଆସେ । ମଉସାଙ୍କୁ ନହେଲେ ଦେଖି ପାରିବୁନି ଆଉ । କେତେ ଭଲ ପାଆନ୍ତିରେ ତତେ ।‘ – ନିରଞ୍ଜନ କାନ୍ଦୁଥିଲା ସୁଉଁ ସୁଉଁ ହୋଇ । ଶୁଭଙ୍କର ଚାରିଦିନ ଛୁଟି ନେଇ ପହଞ୍ଚି ଯାଇଥିଲା ଘରେ । ବାପା ସେତେବେଳେ ଡାକ୍ତରଖାନାରେ । ଶୁଭଙ୍କରକୁ ଦେଖିଦେଇ ବୋଉ କନ୍ଦା କଟା ଆରମ୍ଭ କରିଦେଲା । ଦୁଇ ଭଉଣୀ – ନିରୁ ଆଉ ଉଷା ମଧ୍ୟ ଭାଇକୁ ଧରି କାନ୍ଦିବାକୁ ଲାଗିଲେ । ବାପାଙ୍କ ଅସୁସ୍ଥତା ଖବର ପାଇ ସେମାନେ ବି ଆସିଥିଲେ । ସମସ୍ତଙ୍କୁ ବୋଧ ଶୋଧ କରି ଡାକ୍ତରଖାନାକୁ ଯାଇଥିଲା ଶୁଭଙ୍କର । ନିରଞ୍ଜନ ବାପାଙ୍କ ପାଖରେ ସେଠି ଥିଲା । ଶୁଭଙ୍କରକୁ ଦେଖି ସେ ଆଶ୍ୱସ୍ତ ହୋଇଗଲା । ଶୁଭଙ୍କର ବାପାଙ୍କ ପାଖରେ ବସିଲା ।

– ‘ତୁ ଖାଲି ମଉସାଙ୍କ ପାଖରେ ବସିଥା । ମଉସା ଆଖି ଖୋଲିଲେ ଯେମିତି ତତେ ଦେଖିବେ । ବାକି ସବୁ ମୁଁ ସମ୍ଭାଳି ନେବି’ – ନିରଞ୍ଜନ କହିଥିଲା । ସେଇଠି ସେଇ ସହରରେ ତାର ଚାକିରୀ । ଶୁଭଙ୍କରର ସେ ବନ୍ଧୁ । ରକ୍ତ ସମ୍ପର୍କ ନଥାଇ ବି ଜଣେ ଯେ ଏତେ ଆପଣାର ହୋଇପାରେ ସେକଥା  ଶୁଭଙ୍କର ପରିବାରରେ ନିରଞ୍ଜନର ଭୂମିକା ଦେଖି ଉପଲବ୍ଧି କରିହେବ । ବାପାଙ୍କ ଦେହ ଖରାପ ପରେ ଛୁଟିନେଇ ଡାକ୍ତରଖାନା, ଘର – ସବୁ ସମ୍ଭାଳୁଥିଲା ସେ । ମୁମ୍ବାଇରୁ ଶୁଭଙ୍କର ପହଂଚିବା ପରେ ଏଥର ଅଫିସରେ ଯୋଗ ଦେବ ବୋଲି ଜଣେଇଥିଲା ଶୁଭଙ୍କରକୁ । ‘ଗୁଡ଼ାଏ ଛୁଟି ନେଇଗଲିଣି ରେ । ଏଥର ତୁ ଆସିଗଲୁ । ସବୁ ଠିକ ହୋଇଯିବ ।‘ ତାର ଅଫିସରେ ଯୋଗ ଦେବା କଥା ଶୁଣି ମନେମନେ ଟିକେ ବ୍ୟସ୍ତ ହୋଇ ପଡିଥିଲା ଶୁଭଙ୍କର, କିନ୍ତୁ ନିଜେ ମାତ୍ର ଚାରିଦିନ ଛୁଟିନେଇ ଆସିଛି  କହିବାକୁ ପାଟି ଲେଉଟି ନଥିଲା ।

ବାପାଙ୍କୁ ଦେଖିଦେଇ ଘରକୁ ଫେରିଯିବ ଭାବିଥିଲା ସେ । ଡାକ୍ତରଖାନାକୁ ନେଇ ପୂର୍ବ ଅଭିଜ୍ଞତା ନଥିବାରୁ ଏବଂ ଡାକ୍ତରଖାନାରେ ରାତିରେ ରହିବାକୁ ହେବ ସେକଥା ଚିନ୍ତା ନକରି ହଠାତ ଘରୁ ବାହାରି ଆସିଥିବାରୁ ସାଙ୍ଗରେ  ରାତି ପୋଷାକ ବି ଆଣିନି । ବାପାଙ୍କୁ ଟିକେ ଦେଖିଦେଇ ଘରକୁ ଫେରିଯିବ ଭାବି ଡାକ୍ତରଖାନାକୁ ଚାଲି ଆସିଥିଲା ସେ ଏକଦମ ଖାଲି ହାତରେ । ନିରଞ୍ଜନ ରାତି ଖାଇବା ନେଇ ଆସିଲା ବେଳେ  ଘରୁ ତାର କଣ ସବୁ  ଆସିବ ପଚାରିଲା । ଶୁଭଙ୍କର ଏଥର ପ୍ରକୃତିସ୍ଥ ହେଲା ଓ ରାତି ପୋଷାକ ସହ ତା ବାକ୍ସ ଭିତରୁ ସେଇ ସୁନେଲି ପାଉଚଟି ଆଣିଦେବାକୁବି କହିଲା । କହିଲା ବେଳେ ଶୁଭଙ୍କର ଟିକିଏ ଅନ୍ୟମନସ୍କ ଲାଗୁଥିଲା । ତା’ ବାକ୍ସ କେହିବି ଖୋଲିଲେ ତାକୁ ଭଲ ଲାଗେନା, ଆଉ ଖାସ ସେଇଥିପାଇଁ ସୁକନ୍ୟା ଆଉ ସେ କୁଆଡେ ଏକାଠି ଗଲାବେଳେ ଉଭୟଙ୍କ ବାକ୍ସ ଅଲଗା ଅଲଗା ସଜାଡନ୍ତି ସେମାନେ । ଟିକିଏ ଗଳା ଖଙ୍କାରି ବାକ୍ସ ଖୋଲିବାର ସଂଖ୍ୟା ତିନୋଟି କହିଲା । ସେଇ ତିନୋଟି ସଂଖ୍ୟା ସଜାଡି ଦେଲେ ବାକ୍ସ ଖୋଲିଯିବ ଆପେ ଆପେ । ସେ କହିଲା ବେଳେ ନିରଞ୍ଜନ ଟିକେ ଶବ୍ଦ କରି ହସିଦେଲା । ତା’ ମୁହଁରୁ ହିନ୍ଦୀ ଉଚ୍ଚାରଣରେ ‘ଶୂନ୍ୟ ଶୂନ୍ୟ ଶୁନ୍ୟ’ ବୋଲି ବାହାରି ଯାଇଥିଲା ଆଉ ସେଇଥିପାଇଁ ନିରଞ୍ଜନ ହସି ପକେଇଥିଲା । ଟିକେ ସଙ୍କୁଚିତ ଲାଗିଲେ ମଧ୍ୟ ଶୁଭଙ୍କର ଅସହଜ ହସଟିଏ ହସିଥିଲା କେବଳ ନିରଞ୍ଜନ ସମ୍ମୁଖରେ ନିଜକୁ ସହଜ ପ୍ରମାଣିତ କରିବାକୁ ।

ନିରଞ୍ଜନ ଚାଲିଗଲା ପରେ ଭାରି ଏକା ଏକା ଲାଗିଥିଲା ଶୁଭଙ୍କରକୁ । ବାପା ସେମିତି ଆଖିବୁଜି ଶୋଇଥିଲେ । ଶୁଭଙ୍କର ଟିକେ ଲାଗିକରି ବସିଲା ବାପାଙ୍କ ପାଖକୁ । ଖଟରେ ଯୋଡ଼ିଦେଲା ତାର ସେ ପ୍ଲାଷ୍ଟିକ ଚେୟାରଟି । ଏତେ ନିକଟରେ ସେ ବସିଥିଲା ଯେ  ବାପାଙ୍କ ନିଶ୍ୱାସର କ୍ଷୀଣ ସ୍ୱର ତାକୁ ଶୁଣାଯାଉଥିଲା । ବାପାଙ୍କର ବୁଜା ଆଖିକୁ ଅପଲକ ନୟନରେ ଚାହିଁ ରହିଥିଲା ସେ । କିଛି ସମୟ ସେମିତି ଏକାଗ୍ରତାର ସହ ଚାହିଁ ରହିବା ପରେ ତାର ମନେ ହୋଇଥିଲା ସତେ ଯେମିତି ବାପାଙ୍କ ଆଖି ଦୁଇଟି ସ୍ଥିର ହୋଇ ଦେଖୁଛି ତାକୁ । ସେଇ ବୁଜା ଆଖି ଦୁଇଟି ଭିତରୁ ବାପାଙ୍କର କଳାକଳା ଡୋଳା ଦୁଇଟି ତାକୁ ହିଁ ଚାହିଁ ରହିଥିବାର ଅନୁଭବରେ ଶିହରି ଉଠିଥିଲା ତାର ଦେହ । ଜଣେ ମଣିଷକୁ ଆଉ ଜଣେ ମଣିଷ ଏତେ ଦୀର୍ଘ ସମୟ କେବଳ ଚାହିଁବାରେ କଟେଇଦେଇପାରେ, ଏ ପ୍ରକାର ଅନୁଭବ ତାର ପ୍ରଥମ ଥର ପାଇଁ ହେଲା । ନିରଞ୍ଜନ ତା’ କାନ୍ଧରେ ହାତର ସ୍ପର୍ଶ ଦେବାପରେ ପ୍ରକୃତିସ୍ଥ ହେଲା ସେ । ଏ ଭିତରେ ଏତେ ସମୟ ଚାଲିଗଲାଣି ! ନିରଞ୍ଜନ ଘରକୁ ଯାଇ ତା’ ପାଇଁ ଖାଇବା ନେଇ ଆସିଲାଣି । ଲାଗୁଥିଲା ଏଇମାତ୍ର ଯେମିତି ଚେୟାର ଟାଣି ସେ ବାପାଙ୍କ ସଂଲଗ୍ନ ହୋଇ ବସିଛି । ବସିଲା ବେଳେ ବିଗତ ଦିନ ଗୁଡିକରେ ବାପାଙ୍କ ପ୍ରତି ତା’ ମନରେ ଆସିଥିବା ସବୁ ଅଭିମାନ, ଅବୁଝାମଣା, ଅସନ୍ତୋଷର ରୂପ ନେଇଥିଲା । ସେ ବାପାଙ୍କୁ ସେସବୁ କହିବ ବୋଲି ମନେମନେ ସ୍ଥିର କରିନେଇଥିଲା । କୋମାରେ ଥାଇବି ବାପା ସବୁ ଶୁଣିପାରିବେ , ଏକଥା କେଉଁଠୁ ପଢିଥିଲାା ସେ । ବାପାଙ୍କୁ ସେ ସବୁକଥା କହିଦେବ, ବାପା ତା କଥାସବୁ ଶୁଣିନେବା ଉଚିତ, ଏମିତି ଗୋଟେ ଅଜବ ଧାରଣା ବଳବତ୍ତର ହେଉଥିଲା ତା ମନ ଭିତରେ । କିଛି ତ ସେ କହିପାରିନଥିଲା । ବହୁତ ଦିନ ପରେ ଏତେ ନିକଟରୁ ,ଏତେ ଘନିଷ୍ଠ ଭାବରେ ସେ ବାପାଙ୍କୁ ଦେଖୁଥିଲା । କେବଳ ଦେଖୁଥିଲା ସେ ବାପାଙ୍କୁ ସେଯାଏଁ ।

– ‘ଏତେ ଶୀଘ୍ର ଆସିଗଲୁ ?’ – ଶୁଭଙ୍କର ନିରଞ୍ଜନ ଉଦ୍ଦେଶ୍ୟରେ ଏତକ କହି ଉଠିଆସିଥିଲା ବାପାଙ୍କ ଖଟ ପାଖରୁ । ନିରଞ୍ଜନ କାନ୍ଥ କଡ଼କୁ ଆଉଜାଇଦେଇ ଥୋଇଥିବା ବାକ୍ସ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା, ‘ପୁରା ବାକ୍ସ ଉଠେଇ ଆଣିଛି ।’
– ‘ଆରେ ! ପୁରା ବାକ୍ସ ଟି ନେଇଆସିଲୁ’ – କହି ଟିକେ ହସି ଦେଲେବି ଶୁଭଙ୍କର ମନେମନେ ଆଶ୍ୱସ୍ତ ହେଉଥିଲା । ବାକ୍ସ ନିରଞ୍ଜନ ଖୋଲିନି, ଏନେଇ ତା’ ମନ ପ୍ରସନ୍ନ ଥିଲା ।

ବାପାଙ୍କୁ ଟିକେ ଆଉଁଶି ଦେଇ ତାଙ୍କର ନାଜାଲ ଫିଡିଂ ଠିକରେ ଚାଲିଛି କି ନାହିଁ ପରଖି ନେଇ ନିରଞ୍ଜନ ଚାଲିଗଲା ପରେ ଶୁଭଙ୍କର ହାତମୁହଁ ଧୋଇ ଖାଇବା ବ୍ୟାଗ ଖୋଲିଲା । ବୋଉ ହାତର ଚୁନାମାଛ ବେସରର ବାସ୍ନା ମହକି ଆସୁଥିଲା ବ୍ୟାଗ ଭିତରୁ । ପୁଣି ଅନ୍ୟମନସ୍କ ହୋଇଗଲା ଶୁଭଙ୍କର । ଚୁନାମାଛ ବେସର ବାପାଙ୍କରବି ଖୁବ ପ୍ରିୟ । ଖୋଲି ଆସୁଥିବା ବ୍ୟାଗଟିରୁ ଖସିଗଲା ତା ହାତ । ନାଜାଲ ଫିଡିଂ ପରେ ବାପା ଶୋଇପଡିଥିବେ ବୋଧହୁଏ । ଶୁଭଙ୍କର ଉଠିଗଲା ବାପାଙ୍କ ପାଖକୁ । ଟିକିଏ ନିରେଖି  ଚାହିଁଲା ତାଙ୍କୁ । ନାଜାଲ ଫିଡିଂରେ କେବଳ ଫଳରସ ଓ କ୍ଷୀର ଦିଆଯାଉଛି ବାପାଙ୍କୁ । ଅଳ୍ପ ସମୟ ଆଗରୁ ଖାଇବା ବ୍ୟାଗରୁ ମହକି ଆସିଥିବା ବାସ୍ନା ଛୋଟ କୋଠରୀଟି ଭିତରେ ଖେଳି ବୁଲୁଥିଲା । ସେ ବାସ୍ନା ବାପାଙ୍କ ପାଖରେ ବି ପହଂଚିଯାଇଥିବ ।  ଚୁନାମାଛ ବେସର ବୋଉ ରାନ୍ଧିଥିଲେ ବାପା ଅଧିକ ଭାତ ଖାଆନ୍ତି । ଏକଥା ବୋଉକୁ କହନ୍ତି ସେ । ବୋଉବି ଲୁଗା କାନି ପାଟିରେ ଚାପି ହସିବାର କେତେଥର ଶୁଭଙ୍କର ଆଖିରେ ପଡିଛି ।

ବେସର ବାସ୍ନା  ନାକରେ ବାଜି ଶୁଭଙ୍କରର ଭୋକ ବଢିଯାଇଥିଲା । ବାପାଙ୍କୁ ସେମିତି ସ୍ଥିର ହୋଇ ଶୋଇଥିବାର ଦେଖି ଟିକେ ଦୁଃଖୀ ହେଲା ଓ ଫେରିଆସିଲା କାନ୍ଥ କଡ଼କୁ ଲାଗି ପଡିଥିବା ସେଇ ପଟା ଖଟଟି ପାଖକୁ । ସେଇ ଖଟ ଉପରେ ବସି ସେ ପୁଣିଥରେ ଖାଦ୍ୟ ବ୍ୟାଗଟି ଖୋଲିବାକୁ ଯାଉଛି, ନିରଞ୍ଜନ ଦୁଆର ଠେଲି ପଶିଆସିଲା । କିଛିଗୋଟେ ଭୂଲି ଯାଇଥିଲା ବୋଧେ । “ଫେରି ଆସିଲୁ ଯେ ?” –  ନିରଞ୍ଜନ ହସିଲା । ତା ହାତରୁ ଖାଦ୍ୟ ବ୍ୟାଗଟି ନେଲା ଆଉ ତାକୁ ଖୋଲି ତା’ ଭିତରୁ ବାହାର କଲା ପୁରୁଣା ଫଟୋ ଆଲବମ ଟିଏ । ଶୁଭଙ୍କର ହାତକୁ ବଢ଼େଇ ଦେଇ କହିଲା, “ନିରୁ, ଉଷା ଦେଖୁଥିଲେ ଏ ଫଟୋ ଆଲବମ । ତୋ ପାଇଁ ନେଇଆସିଥିଲି । ଏକା ଏକା ଲାଗୁଥିବ ତତେ ଏଠି । ପିଲାଦିନର ଫଟୋସବୁ ଦେଖିଦେଖି ସମୟ କଟିଯିବ ।“ – ନିରଞ୍ଜନ ଏକଥା କହିଲା ବେଳେ ତା’ ସ୍ୱର ସାମାନ୍ୟ ଓଦା ହୋଇ ଆସୁଥିଲା । ଟିକିଏ ଛେପ ଢ଼ୋକି ପୁଣି କହିଲା, “ମତେ ଖୋଜିବୁ ତ । କେତେଟା ଫଟୋରେ ତୋ ସହ ମୁଁ ଅଛି । ସେଇ ଫଟୋ ଗୁଡ଼ାକରେ ମୁଁ କୁଆଡେ ଜୋକର ଭଳି ଦିଶୁଛି । ଏକଥା କହି ନିରୁ ଆଉ ଉଷା ପରା ମତେ ଚିଡାଉଥିଲେ ଆଜି ।“
– “ଆରେ, ତୁ ଜୋକର ଭଳି କାହିଁକି ଦିଶିବୁ?  ତୁ ତ ସବୁକାଳେ ହ୍ୟାଣ୍ଡସମ ଥିଲୁ“ – କହି ଭାରି ଯତ୍ନରେ ନିରଞ୍ଜନ ହାତରୁ ଆଲବମଟି ଧରିନେଲା ଶୁଭଙ୍କର । ନୀଳ ରଙ୍ଗର ସେ ଆଲବମଟି ଧରୁ ଧରୁ କେମିତି ଗୋଟେ ଅପାର୍ଥିବ ଆନନ୍ଦରେ ଝଲସୁଥିଲା ତା ମୁହଁ । କହନ୍ତି, ନୀଳ ରଙ୍ଗ ସମ୍ମୋହନର ପ୍ରତୀକ । ପିଲାଦିନର ସେଇ ଫଟୋ ଆଲବମଟିରେ କି ପ୍ରକାର ସମ୍ମୋହନ ଥିଲା କେଜାଣି, ଶୁଭଙ୍କର ନିଜ ଭିତରେ  ଅପୁର୍ବ ଏକ ଶିହରଣ ଅନୁଭଵ କରୁଥିଲା । ନିରଞ୍ଜନ ଶୁଭରାତ୍ରି କହିଦେଇ ଚାଲି ଯାଇଥିଲା ।

ତରତର ହୋଇ ଖାଇନେଇ ଶୁଭଙ୍କର ଫଟୋ ଆଲବମଟି ଖୋଲି ଦେଖିବାକୁ ଆରମ୍ଭ କଲା । ତା’ ପିଲାଦିନ ସେ ସୁଆଦିଆ ଚୁନାମାଛ ବେସର ଭିତରୁ ବାହାରି ନୀଳ ରଙ୍ଗର ସେ ପୁରୁଣା ଫଟୋ ଆଲବମ ଟି ସହିତ ଏକାତ୍ମ ହୋଇଯାଇଥିଲା । ପୁରୁଣା ଆଲବମର ନୀଳ କଭରଟି ସ୍ଥାନେ ସ୍ଥାନେ ଫାଟି ଯାଇଥିଲା । ଠିକରେ ନ ଧରିଲେ ଏପାଖ ସେପାଖ ହୋଇ ଖସି ପଡିବାର ସମ୍ଭାବନା ଥିଲା । ଶୁଭଙ୍କର ସାବଧାନତାର ସହ ପୃଷ୍ଠା ଓଲଟାଇଲା । ପତଳା ଜରି କାଗଜ ଭିତରୁ ଉଙ୍କି ମାରୁଥିଲା ତା’ ପିଲାଦିନ । କଳାକଳା ଚାରିଟି କୁନି କୁନି ତ୍ରିକୋଣ ଚାରିପଟୁ ବାନ୍ଧି ରଖିଛି ସେଇ କୁନି ଲଙ୍ଗଳା ପିଲାର ଫଟୋଟିକୁ ଯାହାକୁ ସେ ନିଜେ ବୋଲି ଜାଣିପାରି ନିରେଖି ଦେଖୁଥିଲା । କ୍ଷୀଣ ହସଟିଏ ପହଁରି ଆସିଥିଲା ତା ଓଠ ଉପରେ । ଠିକ ତା ପାଖକୁ ଲାଗି ଆର ଫଟୋଟି । ବାପା ତାକୁ କାଖେଇ ଠିଆ ହୋଇଛନ୍ତି । ବାପାଙ୍କ ହାତ ତାକୁ ଦୃଢ଼ ଭାବରେ ବେଢ଼େଇ ରଖିଛି । ତା ମୁହଁ ଚାପି ହୋଇ ରହିଛି ବାପାଙ୍କ ଛାତି ଉପରେ । ଶୁଭଙ୍କରର କେଜାଣି କାହିଁକି ସେଇ ମୁହୂର୍ତ୍ତରେ ବାପାଙ୍କ ଛାତିରେ ଲାଗିଯିବାକୁ ଇଛା ହେଲା । ଖଟରୁ ଉଠିପଡ଼ି ଶୁଭଙ୍କର ବାପାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସୁକନ୍ୟାର ଫୋନ ଆସିଥିଲା। ସୁକନ୍ୟା ବେଶ୍ ଉତ୍ତଜିତ ଲାଗୁଥିଲା । – ‘ପୁଣି କଣ କଲା ସିତୁ?’
– ‘ଚେନ୍ନାଇ ଯିବ କହୁଛି’
– ‘କଣ କରିବ ସେଠି?’
– ‘କେଜାଣି? ମୁଁ ଜାଣିପାରୁନି କଣ ସେ କରୁଛି ? ତୁମେ କେବେ ଆସିବ ଯେ ?’
ଶୁଭଙ୍କର ଛେପ ଢ଼ୋକିଲା । ଏ ପ୍ରଶ୍ନର ଉତ୍ତର ସେ କଣ ଦେବ ଜାଣି ପାରୁନଥିଲା । ବାପା କୋମାରେ । ସିତୁକୁ ନେଇ ସୁକନ୍ୟା ଚିନ୍ତାରେ ଅଛି। ଶୁଭଙ୍କର ବିଚଳିତ ହୋଇ ପଡ଼ିଲା ସେଇ କେତୋଟି ମୁହୂର୍ତ୍ତ । ବାପାଙ୍କ ପାଖରେ ବସିପଡ଼ିଲା ସେଇ ଖଟରେ । ହାତ ରଖିଲା ବାପାଙ୍କ ଛାତି ଉପରେ । ତାଙ୍କ ଛାତିର  କ୍ଷୀଣ ଦୁକଦୁକ ଶବ୍ଦ ଧୀରେ ଧୀରେ ନିଜ ଭିତରକୁ ସଂକ୍ରମିତ ହୋଇ ଆସିଲା ପରି ମନେହେଲା ତାକୁ ।

– ‘ସବୁବେଳେ ପରିସ୍ଥିତି ଠିକ ରହିବନି । ଆମେ ଏମିତି ବିଚଳିତ ହେଲେ କେମିତି ହେବ? ସିତୁ ବଡ଼ ହେଲାଣି । ଭଲମନ୍ଦ ବୁଝିବାର ଶକ୍ତି ହେଲାଣି ତା’ର । କହୁଛି ତ ଯାଉ ସେ । ଆମେ ତା’ଉପରେ ବିଶ୍ୱାସ ରଖିବା । ହୁଏତ ସେ ଠିକ ନିଷ୍ପତ୍ତି ନେଇଥିବ । ତାକୁ ଚେନ୍ନାଇ ଯିବାକୁ ଦିଅ । ବାପାଙ୍କ ପାଖରେ କିଛିଦିନ ରହୁଛି ମୁଁ । ମୁଁ ସିତୁ ସହ କଥା ହେବି । ତୁମେ ବ୍ୟସ୍ତ ହୁଅନି । ସବୁ ଠିକ ହୋଇଯିବ ।’ – ଶୁଭଙ୍କର ସୁକନ୍ୟାକୁ ଏତିକି କହିଲା ଆଉ ଫୋନ କାଟିଦେଲା । ତା’ହାତ ସେ ପର୍ଯ୍ୟନ୍ତ ବାପାଙ୍କ ଛାତି ଉପରେ ଥିଲା । ଖୁବ କ୍ଷୀଣ ଅନୁଭଵ ହେଉଥିଲା ବାପାଙ୍କ ହୃତପିଣ୍ଡର ଦୁକଦୁକ ଶବ୍ଦ । ଶୁଭଙ୍କର ବାପାଙ୍କ ଛାତି ଉପରୁ ହାତ କାଢ଼ିଆଣିଲା ପରେ ପ୍ରଥମ ଥର ପାଇଁ ଖୁବ ଗଭୀର ଭାବରେ ତାଙ୍କ ମୁହଁକୁ ଚାହିଁଲା । ଅଳ୍ପ ସମୟ ଆଗରୁ ସେ ସୁକନ୍ୟା ଉଦ୍ଦେଶ୍ୟରେ କହିଥିବା କଥାକୁ ଦୋହରାଇଲା ମନେମନେ । ଏ ପ୍ରକାର ପରିସ୍ଥିତି ତା’ ଜୀବନରେ ବି ଆସିଥିଲା ।   ସେ କଣ ଘରର ପରିସ୍ଥିତି ବୁଝିଥିଲା ସେତେବେଳେ? କେମିତି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବାପା  ଘାଣ୍ଟି ହୋଇ ଯାଇଥିବେ । ବାପା ସେ । ସବୁ ସମୟରେ ସେ ପାରୁପର୍ଯ୍ୟନ୍ତ ତାଙ୍କ ସନ୍ତାନମାନଙ୍କୁ ସ୍ୱଚ୍ଛନ୍ଦ ଦେବାକୁ ଚାହିଁ ଥିବେ । ବାପାଙ୍କ ପ୍ରତି ଥିବା ସମସ୍ତ ଅଭିଯୋଗ ତା ଆଖିରୁ ଲୁହ ଟୋପେ ହୋଇ ଖସି ଆସିଥିଲା ଆପେଆପେ । ଜଣେ ବାପାର ଅସହାୟତାକୁ ସେ ବୁଝିପାରିଥିଲା । ବାପା ଶୁଅନ୍ତୁ ଶାନ୍ତିରେ । ନିଜ ପଟା ଖଟକୁ ଆସି ଶୋଇପଡିବାକୁ ଚେଷ୍ଟା କଲା ଶୁଭଙ୍କର । ରାତି ବହୁତ ହୋଇଯାଇଥିଲା ।

ପରଦିନ ସକାଳେ ଅଫିସକୁ ଲମ୍ବା ଛୁଟିର ଦରଖାସ୍ତଟିଏ ମେଲ୍ କରିଦେଲା । ସେଥିପାଇଁ ଆସିବାକୁ ଥିବା ସମସ୍ତ ପ୍ରତିକୂଳ ସମ୍ଭାବନାକୁ ସାମ୍ନା କରିବାକୁ ଏବେ ପ୍ରସ୍ତୁତ ଥିଲା ସେ ।

ନୀଳ ରଙ୍ଗର ପୁରୁଣା ଫଟୋ ଆଲବମ ଖଟ ଉପରେ ବସି ସେ ଓଲଟାଇଲା । କେତେକେତେ ସ୍ମୃତି ଧାଡି ବାନ୍ଧି ଠିଆ ହୋଇଗଲେ ତା ଆଖପାଖରେ । କେତେବେଳେ ଆଖି ଝାପସା ହୋଇଯାଉଥିଲା ଲୁହରେ ତ କେତେବେଳେ ହସର ଝଲକଟିଏ ସାରା ମୁହଁକୁ ଆଉଁଶି ଦେଉଥିଲା ତା ମମତାଭିଜା ପଣତରେ । ସାରାଦିନ ବାପାଙ୍କ ପାଖରେ ବସିଲା ଆଉ ଓଲଟେଇଲା ସେ ଫଟୋ ଆଲବମକୁ । ନିରଞ୍ଜନ ଆସିଥିଲା । ଖାଇବା ଦେଇ, ଭଲମନ୍ଦ ବୁଝି ଯାଇଥିଲା । ଡାକ୍ତର, ନର୍ସ ସମସ୍ତେ ନିଜ ନିଜ କାମ କରିଥିଲେ । ନିରୁ ଆଉ ଉଷା ବି ଆସି ବୁଲିଯାଇଥିଲେ ।  ଶୁଭଙ୍କର କିନ୍ତୁ ହଜିଯାଇଥିଲା ସେଇ ପିଲାଦିନ ଭିତରେ । ବାପାଙ୍କ ସାନିଧ୍ୟର ଏକ ଅନନ୍ୟ ଅନୁଭଵ ଭିତରେ ନିଜକୁ ସେଇ ଅତୀତରେ ହଜେଇ ଦେଇଥିଲା ସେ । ଏମିତି ପୃଷ୍ଠା ଓଲଟାଉଥିବା ବେଳେ ପୁରୁଣା ଆଲବମ ଭିତରୁ ଖସି ପଡ଼ିଥିଲା ସେ ଫଟୋଟି । ଟିକେ ବଡ଼ ବେଳର ଫଟୋ – ବୋଧେ ପଞ୍ଚମରେ ପଢୁଥିଲା ସେ ସେତେବେଳେ । ବାପାଙ୍କୁ କୁଣ୍ଡେଇ ଠିଆ ହୋଇଛି ସେଇ ଫଟୋରେ ସେ । ଫଟୋଟିରେ ତା କପାଳରେ କ୍ରିକେଟ ବଲ୍ ବାଜି ସଦ୍ୟ ସୃଷ୍ଟି ହୋଇଥିବା ସେ ଗଭୀର କ୍ଷତ ସ୍ପଷ୍ଟ ବାରି ହୋଇପଡୁଛି । ସେତେବେଳେ ବୋଉ କହୁଥିବା ସେ କଥା କେଇପଦ ଏବେବି ମନେଅଛି ତା’ର। ବାପାଙ୍କ ପରି ଚେହେରା ପାଇଥିଲୁ, ଖାଲି ଯାହା କପାଳର ଏଇ କଟା ଦାଗଟି ବାକିଥିଲା, ସେଇଟି ବି ଆସିଗଲା ।’ ସେଇ କଥାସବୁ ମନେପଡି ଆଖି ଓଦା ହୋଇଗଲା ତାର ।  ବାପାଙ୍କ କପାଳର ସେଇ କଟା ଦାଗଟିକୁ ଧୀର ହାତରେ ଆଉଁଶି ଦେଲା ସେ । ସତରେ କଣ ସେ ଦେଖିବାକୁ ବାପାଙ୍କ ପରି! ବାପାଙ୍କର ଦୀର୍ଘ ଚେହେରା, ଚଉଡା ଛାତି । ସେ କିନ୍ତୁ ପିଲାଦିନୁ ଦୁର୍ବଳ ।  ବାପା ଏ ଭିତରେ ଖୁବ ଦୁର୍ବଳ ହୋଇଯାଇଛନ୍ତି । ଗାଲ ପଶିଯାଇଛି । ତେବେବି ବାପାଙ୍କର ମୁହଁର ଦୀପ୍ତି ମଳିନ ପଡିନି । ଧୀରେ ଧୀରେ ବାପାଙ୍କୁ ଆଉଁଶି ଦେଉଥିଲା ଶୁଭଙ୍କର । ବୋଧହୁଏ ଜୀବନରେ ପ୍ରଥମଥର ପାଇଁ ଏମିତି କରିଥିଲା ସେ । ତା ଛାତି ଭିତରେ ଗୋଟେ ଅଦ୍ଭୁତ ଶିହରଣ ଖେଳି ଯାଉଥିଲା ।

ଦୁଇ ସପ୍ତାହ ଭିତରେ ସେ  ବାରମ୍ବାର ଓଲଟାଇଛି ସେ ଫଟୋ ଆଲବମଟିକୁ । ଯେତିକି ନିକଟରୁ ଦେଖିଛି ତା ପିଲାଦିନକୁ, ସେତିକି ଘନିଷ୍ଠ କରି ପାଇଛି ବାପାଙ୍କୁ । ବାପାଙ୍କୁ କହିଛି ସେଇ ପିଲାଦିନର ଗପସବୁ । ସତରେ କଣ କୋମାରେ ଥାଇ ବାପା ଶୁଣିପାରିଥିବେ ସେସବୁ ? ସନ୍ଧ୍ୟାରେ ବାପାଙ୍କ ପାଖରେ ବସି ଗାଇଛି ତାର ପିଲାଦିନର ସେ ଭଜନ ‘ଆହେ ନୀଳ ଶଇଳ ….’ । ଫଟୋ ଆଲବମର ପ୍ରତିଟି ଫଟୋ ପଛରେ ଥିବା କାହାଣୀକୁ ଝୁରି ହୋଇଛି ଏଇ ଦିନତକ ।’

– ‘ବାପା ଆଉ ନାହାଁନ୍ତି ।’ ଡାକ୍ତରଙ୍କ ଏକଥା ଶୁଣିଲା ବେଳେ ବି ଶୁଭଙ୍କର ହାତରେ ଚାପି ଧରିଥିଲା ସେଇ ଆଲବମଟି । ଏଇ କିଛି ସମୟ ଆଗରୁ  ସେଇ ନିର୍ଦ୍ଦିଷ୍ଟ ଫଟୋଟି ଦେଖାଉଥିଲା ସେ ବାପାଙ୍କୁ । ସେଇ ଫଟୋରେ ସେମାନେ ପଞ୍ଚଜଣଯାକ ଥିଲେ । ନିରୁ, ଉଷା, ବୋଉ, ବାପା ଆଉ ସେ ନିଜେ । ଫଟୋଟି ଖସି ଯାଇଥିଲା ଆଲବମର ପୃଷ୍ଠାରୁ । ତାକୁ ବାନ୍ଧି ରଖିଥିବା ସେଇ ତ୍ରିକୋଣରୁ ଗୋଟିଏ ନିରୁଦ୍ଦିଷ୍ଟ ଥିଲା, ଆଉ ସେଇଥିପାଇଁ ବାରମ୍ବାର ଲଟକାଇ ରଖିଲେ ବି ଫଟୋଟି ଖସି ଆସୁଥିଲା ତା ଜାଗାରୁ । ଆଙ୍ଗୁଠି ଟିପରେ ସେ ଅଟକାଇ ରଖିଥିଲା ଫଟୋଟିକୁ । ଡାକ୍ତର ମହାନ୍ତି ଧଳା ଚାଦରଟି ଟାଣିଦେଇଥିଲେ ବାପାଙ୍କ ମୁହଁ ଉପରେ ।

ଶୁଭଙ୍କର ସେମିତି ଠିଆ ହୋଇଥିଲା ବାପାଙ୍କ ପାଖରେ । ଚୁପଚାପ । ଏକାକୀ….

(ମେ-ଜୁନ ୨୦୨୧ ‘ନନ୍ଦିକା’ରେ ପ୍ରକାଶିତ)

****

2 thoughts on “କେନ୍ଦ୍ରବିନ୍ଦୁରେ ଏକାକୀ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s