ଆରତିର ମାଆ

ସାତଦିନ ହେଲା ପହଞ୍ଚିଲାଣି ଆରତି । ପ୍ରଥମ ଦିନେ ଦୁଇଦିନ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲା ସେ ମତେ । ଅସରନ୍ତି ପ୍ରଶ୍ନ । କ’ଣ ବା ଉତ୍ତର ଦେବି ମୁଁ?  ସବୁ ତ ଠିକ୍ ଠାକ୍ ଥିଲା । ହଠାତ ଏମିତି ହୋଇଯିବ ବୋଲି ମୁଁ ବା କିପରି ଜାଣିବି? ଆରତିକୁ ଦେଇ ପାରୁନଥିଲି ସନ୍ତୋଷଜନକ ଉତ୍ତର । ଆରତି ଅସନ୍ତୁଷ୍ଟ ହେଉଥିଲା । ମୁଁ ବି ହୋଇ ପଡୁଥିଲି ନିରୁପାୟ । ଅସହାୟ ଲାଗୁଥିଲା ବେଳକୁ ବେଳ । ଆରତି ଚୁପ ହୋଇଯାଇଥିଲା । ପଚାରି ନଥିଲା ଆଉ କିଛି । କିନ୍ତୁ ଅସନ୍ତୋଷ ତା’ ମୁହଁରେ ପ୍ରତିଫଳିତ ହୋଇ ସ୍ପଷ୍ଟ ଦିଶୁଥିଲା ମତେ । ପ୍ରଶ୍ନ ସବୁ ଓଠ ଖୋଲି ବାହାରି ଆସୁନଥିଲେ ମଧ୍ୟ ଆଙ୍କି ହୋଇ ଯାଉଥିଲେ ତାର ମୁଖମୁଦ୍ରାରେ । ଆଖି ମିଶାଇ ପାରୁନଥିଲି ତା’ ସହ। ଘଣ୍ଟା ଘଣ୍ଟା ଆମେ ଏକାଠି କଟାଉଥିଲୁ ଡାକ୍ତରଖାନାରେ । କେହି କାହାସହ ପଦେ ମଧ୍ୟ କଥା ହେଉନଥିଲୁ ।

ମାଉସୀଙ୍କ ଅସୁସ୍ଥତା ଖବର ପାଇ ଆରତି ମୁମ୍ବାଇରୁ ଆସି ସିଧା ଡାକ୍ତରଖାନାରେ ପହଞ୍ଚିଥିଲା । କ୍ଲାନ୍ତି, ଅବସାଦ ଅସନ୍ତୋଷ ତାକୁ ଦୁର୍ବଳ କରିଦେଇଥିଲା । ମୋର ଘନିଷ୍ଠ ବାନ୍ଧବୀ ସେ । ତାକୁ ଅନୁରୋଧ ନୁହେଁ, ବରଂ ଆଦେଶ ଦେଇଥିଲି ଘରେ ଯାଇ ବିଶ୍ରାମ କରିବାକୁ । ମୋ’ ଠାରୁ ତା’ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନପାଇ ଆହତ ବାଘୁଣୀ ପରି ଫଁ ଫଁ ହେଉଥିବା ସତ୍ତ୍ୱେ ମୋ କଥା ମାନି ଚୁପଚାପ ଘରକୁ ଚାଲି ଯାଇଥିଲା ସେ ।  ରାତିସାରା ଏକାଏକା ମାଉସୀଙ୍କ ଶେଯ ପାଖେ ବସିଥିଲି । ଭଗବାନଙ୍କୁ ଆକୁଳ ପାର୍ଥନା କରୁଥିଲି । ବିକଳ ହୋଇ ଚାହିଁ ରହିଥିଲି ମାଉସୀଙ୍କ ଆଖିକୁ । କାଳେ କେତେବେଳେ ଫିଟିଯିବ ପରା । ମାଉସୀ ଚାହିଁବେ । ଆରତି ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ସେ ନିଜେ ଦେଇଦେବେ ତାଙ୍କ ଝିଅକୁ । ମାଉସୀ କିନ୍ତୁ ଆଖି ଖୋଲୁ ନଥିଲେ । ମୋର ବିକଳ ଅପେକ୍ଷା, ରହି ଯାଉଥିଲା ଅପେକ୍ଷାରେ ।

ଆରତି ଓ ମୋର ସମ୍ପର୍କ ଗତ ପାଞ୍ଚ ବର୍ଷର । କିନ୍ତୁ ମନେହୁଏ ଯେମିତି ଆମେ ଗୋଟିଏ ମାଆ ପେଟର ଦୁଇ ଭଉଣୀ । ମାଉସୀ ବି ସେମିତି ଦେଖନ୍ତି ଆମ ଦୁହିଁଙ୍କୁ । କେବେ ପାତର ଅନ୍ତର କରନ୍ତିନି ଦୁହିଁଙ୍କ ଭିତରେ । କୁମାରପୂର୍ଣ୍ଣମୀରେ ଦୁହିଁଙ୍କ ପାଇଁ ଶାଢ଼ୀ କିଣନ୍ତି ସେ ଆରତି ସହ ଜିଦ୍ଦି ଲଗାଇ । ଦୁହେଁ ନୂଆ ଶାଢ଼ୀ ପିନ୍ଧି ତାଙ୍କୁ ମୁଣ୍ଡିଆ ମାରିଲେ ମନଭରି ଆଶୀର୍ବାଦ କରନ୍ତି । ଆରତିକୁ ଶୀଘ୍ର ଭଲ ବରଟିଏ ମିଳୁ ଓ ମତେ ମୋ କାଚ ବଜ୍ର ହେବାର ଆଶୀର୍ବାଦ କଲାବେଳେ ମାଉସୀଙ୍କ ଆଖି ଚକଚକ କରିଉଠେ ଆନନ୍ଦାଶ୍ରୁରେ । ଆରତି ଚିଡିଉଠେ ଭଲ ବର ମିଳିବ, ଆଶୀର୍ବାଦ ଶୁଣି । ମାଉସୀଙ୍କ ଉପରେ ରାଗେ । ‘କଣ ପାଇଁ ବର, ବର ହେଉଛୁ । ମୁଁ ବାହା ହେବିନି, କହିଲି ପରା ।’  ମାଉସୀ ଦୁଃଖୀ ହୋଇଯାଆନ୍ତି । ଆରତିକୁ ବୁଝେଇ ବାହା ହେବାପାଇଁ ରାଜି କରେଇ ନେବାର ପ୍ରତିଶ୍ରୁତିଟିଏ ତାକୁ ଲୁଚେଇ ମୋ’ ଠାରୁ ଆଦାୟ କରିନିଅନ୍ତି ।  

ଆରତି କିନ୍ତୁ ବାହା ହେବାପାଇଁ ଆଦୌ ରାଜି ହୁଏନି । ମୋର ସମସ୍ତ ଚେଷ୍ଟା ବିଫଳ ହୁଏ । ଆରତି ଅଭିମନ୍ୟୁଙ୍କର ସହକର୍ମୀ । ଏକା ଅଫିସରେ ଚାକିରୀ କରନ୍ତି ଦୁହେଁ । ଅଭିମନ୍ୟୁଙ୍କ ସହ ପ୍ରଥମ କରି ଏଇ ସହରରେ ମୁଁ ପାଦ ଦେଲାବେଳେ ମୋ ପାଇଁ ସବୁକିଛି ନୂଆ ଥିଲା । ନୂଆ ଥିଲେ ଅଭିମନ୍ୟୁ, ନୂଆ ଥିଲା ଅଭିମନ୍ୟୁଙ୍କ ସହ ମୋ’ ସଂସାର । ଆରତି ମୋର ପଡୋଶୀ । ଖୁବ ସହଜ କରି ଦେଇଥିଲା ମୋ’ ଜୀବନକୁ । ମୋ’ ଆଡ଼କୁ ବଢ଼େଇ ଦେଇଥିଲା ସାହଚର୍ଯ୍ୟର ହାତ । ତା’ ସହିତ ମୁଁ ମୋର ସୁଖ ଦୁଃଖ ଅନାୟାସରେ ବାଣ୍ଟି ପାରୁଥିଲି । ଅଭିମନ୍ୟୁ ଟୁରରେ ଗଲାବେଳେ ମୁଁ ଚାଲିଯାଏ ତାଙ୍କ ଘରକୁ । ସେଇଦିନ ଗୁଡିକ ତାର ମୋର ଏକାଠି ଶୋଉ। ରାତିସାରା ଗପିଗପି କଟିଯାଏ । ପାହାନ୍ତିଆକୁ ନିଦେଇ ଯାଏ ମୁଁ । ଆରତି ସକାଳୁ ଉଠି ଅଫିସ ପାଇଁ ପ୍ରସ୍ତୁତ ହୁଏ । ମୋର ନିଦ କାଳେ ଭାଙ୍ଗିଯିବ ବୋଲି ଧିରେ ଧିରେ ସକାଳର ସବୁକାମ ସାରେ ।  ମୋ ପାଇଁ , ମାଉସୀଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରି ଦେଇଥାଏ ସେ । ନୂଆ ନୂଆ ମୋର ଅନଭ୍ୟସ୍ତ ଘର କରଣା ଭିତରେ ଆରତିର ପାରଙ୍ଗମତା ସମୟେ ସମୟେ ଇର୍ଷାର ରୂପ ନିଏ । କିନ୍ତୁ ଠିକ ସେତିକିବେଳେ ତାର ଆନ୍ତରିକ, ଅନାବିଳ ହସ ଟିକକ ମୋ ଭିତରର ହୀନମନ୍ୟତାକୁ  ଚାବୁକ ମାରି ଶାସନ କରେ । ତାକୁ ନିବିଡ଼ ଭାବରେ ଭଲ ପାଇବସେ ମୁଁ ।

ସେଇ ଆରତି କେମିତି ଚୁପ ହୋଇ ରହିଛି ଏବେ । ତା’ଆଖିରେ ସେ ମମତାଭରା ହସ ଟିକକ ବଦଳରେ ସନ୍ଦେହ, ଘୃଣା ଅସମାହିତ ଅନେକ ପ୍ରଶ୍ନର ସମାହାର । ମୁଁ ବାଟବଣା ହୋଇ ଯାଉଥିଲି । ଅଭିମନ୍ୟୁ ପଥର ହୋଇଯାଇଥିଲେ । ନିଦ ହଜିଯାଇଥିଲା ଆମ ଦୁହିଁଙ୍କ ଆଖିରୁ । ଅଭିମନ୍ୟୁ ବୁଝାଉଥିଲେ, ‘ମାଉସୀ ଠିକ ହୋଇଯିବେ । ଆରତି ତାର ପ୍ରଶ୍ନର ଉତ୍ତର ପାଇଯିବ ।’ ଆଦୌ ମିଛ କହି ପାରୁନଥିବା ଅଭିମନ୍ୟୁଙ୍କର ଏ ଆଶ୍ୱାସନା ମିଛ ବୋଲି ଆଶଙ୍କା କରି ସୁଦ୍ଧା ମୁଁ ଆଶା ବାନ୍ଧୁଥିଲି । ଦିନ ପରେ ଦିନ ଗଡି ଯାଉଥିଲା । ଏ ଭିତରେ ସାତଦିନ ହୋଇଗଲାଣି। ମାଉସୀ ଆଖି ଖୋଲୁ ନଥିଲେ । କୋମାରେ ଥିବା ମାଉସୀଙ୍କୁ ଦେଖି ଲାଗୁଥିଲା, ସେ ସେମିତି ଶୋଇ ଯାଇଛନ୍ତି ନିଶ୍ଚିନ୍ତରେ, ଯେମିତି ନିଶ୍ଚନ୍ତରେ ସେ ଶୋଉଥିଲେ ଟୁପ୍ସି ପାଖରେ ପ୍ରତି ରାତିରେ, ଗତ ଦେଢ଼ମାସ ହେଲା ମୋ’ ଘରେ ।

ହଠାତ ଆରତିର ଟ୍ରାନ୍ସଫର ଅର୍ଡର ଚହଲାଇ ଦେଇଥିଲା ତାକୁ ଦେଢ଼ମାସ ତଳେ । ମୁମ୍ବାଇକୁ ଅଚାନକ ବଦଳି । ମୁମ୍ବାଇରେ ନିଜକୁ ବ୍ୟବସ୍ଥିତ କରେଇ ସାରିବା ପରେ ମାଉସୀଙ୍କୁ ସେଠାକୁ ନେବା କଥା ଚିନ୍ତା କରିବ ସେ । ଏତକ ଦିନ ମାଉସୀଙ୍କୁ ଏକା ଛାଡି ଯିବ କେମିତି? ଉଦାସ ହୋଇ ପଡୁଥିଲା ଆରତି। ମାଉସୀଙ୍କ ସହ ସମୟ ବିତେଇ ପାରୁ ନଥିଲେ ମଧ୍ୟ ତାଙ୍କର ସାମାନ୍ୟ ଅସୁବିଧା ଦେଖିଲେ ସହି ପାରେନା ସେ। ଘର ବାହାର ସବୁ କାମ ସେ ନିଜେ କରେ । ସାହାଯ୍ୟ କରିବାକୁ କେହି ନଥାନ୍ତି ପାଖରେ । ମାଉସୀ ବେଳେବେଳେ ଦୁଃଖ କରନ୍ତି । ‘ଆରତି ପାଖରେ ତାଙ୍କ ପାଇଁ ସମୟ ନାହିଁ’ – କହି ଅଭିମାନ କରନ୍ତି । ଝିଅକୁ ପାଖରେ ବସାଇ କେତେନା କେତେ ଗପିବାକୁ ଇଚ୍ଛା କରନ୍ତି ମାଉସୀ । ଆରତି କିନ୍ତୁ ପାରେନା । ଅଫିସରେ ଜଣେ ଦାୟିତ୍ୱ ସମ୍ପନ୍ନ ଅଫିସର ଭାବରେ ତାର ବେଶ ସୁନାମ । ଘରର ଯାବତୀୟ କାମ ସହିତ ଅଫିସର କାମକୁ ସୁଚାରୁ ରୁପେ ସମ୍ପନ୍ନ କରିବା ଭିତରେ ସେ ମାଉସୀଙ୍କ ପାଇଁ ସମୟ କାଢି ପାରେନା । ମାଉସୀଙ୍କ ଅଭିମାନ ଅନୁଭବ କରେ ସେ । ଥରେ ଥରେ ମୋ ଆଗରେ କହି ପକାଏ । ମାଉସୀ ମଧ୍ୟ ତାଙ୍କ ଦୁଃଖ କହନ୍ତି ମୋ’ ପାଖରେ । ମୁଁ ମାଉସୀଙ୍କୁ ବୁଝାଏ । ଆରତି ପରି ଝିଅ ପାଇଁ ସେ ଗର୍ବ କରିବା ଉଚିତ ବୋଲି ମୁଁ କହିଲା ବେଳେ ମାଉସୀ କାନ୍ଦି ପକାନ୍ତି । କହନ୍ତି ସେଇଟା ତାଙ୍କ ଖୁସିର ଲୁହ । ମୁଁ ଜାଣେ ମାଆଟିଏ ନିଜ ସନ୍ତାନର ପ୍ରଶଂସା ଶୁଣିଲେ ଖୁସି ହେବାଟା ସ୍ୱାଭାବିକ । ଏକଥା ବି ଜାଣେ ଯେ ଆରତିର ମାଆ ସଦା ସର୍ବଦା ଆରତିର ସାନ୍ନିଧ୍ୟ ଖୋଜନ୍ତି । ଏକୁଟିଆ ଜୀବନରେ ଆରତିକୁ  ପାଖରେ ନପାଇବାର ଅଭାବବୋଧରେ  ଘାରି ହୁଅନ୍ତି । ଟୁପ୍ସି ଆଉ ମୁଁ ତାଙ୍କ ନିଃସଙ୍ଗ ଜୀବନକୁ କିଛି ସମୟ କୋଳାହଳରେ ଭରିଦେଉ, ଏକଥା ସେ କହନ୍ତି । ଆରତି ମଧ୍ୟ ଅନେକ ଥର କହିଛି ସେକଥା ମତେ । ‘ମୁଁ ଯାହା ଦେଇ ପାରିନି ତାକୁ, ସେସବୁ ସେ ତୋ ଠୁ’ ପାଉଛି ।’ – ଏକଥା କହିବା ସମୟରେ କୃତଜ୍ଞତାରେ ଛଳଛଳ ହୋଇଉଠେ ତା’ ଆଖି । ନିବିଡ଼ ହୋଇଯାଏ ଆମ ବନ୍ଧନ ।

ମାଉସୀଙ୍କୁ ମୁମ୍ବାଇ ନେବା ବିଷୟରେ ଖୁବ ଚିନ୍ତାରେ ଥିଲା ସେ । ତାର ଉଦାସ ଚେହେରା ଚହଲାଇ ଦେଇଥିଲା ମତେ । ଅଭିମନ୍ୟୁଙ୍କୁ ନ ପଚାରି ହଠାତ ଆରତି ଆଗରେ ରଖିଥିଲି ମାଉସୀ ଆମ ପାଖରେ ରହିଯିବାର ପ୍ରସ୍ତାବ । ଆରତି ପ୍ରଥମେ ଅରାଜି ହେଲେ ମଧ୍ୟ ପରେ ଆଶ୍ୱସ୍ତ ହୋଇଥିଲା । ‘ଠିକ ଅଛି,  ଯେତେଶିଘ୍ର ପାରେ ଘର ଠିକ କରି ମାଆ କୁ ନେଇଯିବି ମୁଁ ।’ ମାଉସୀ ଖୁସି ଖୁସି ଲାଗୁଥିଲେ । ଟୁପ୍ସି ଡ଼େଉଁଥିଲା ମାଉସୀଙ୍କ କୋଳରେ – ‘ଜେଜେମାଆ ଆମ ଘରେ ରହିବେ । ଖୁବ ମଜା ହେବ ।’

ଅଭିମନ୍ୟୁ ଶୁଣି ବ୍ୟସ୍ତ ହୋଇ ପଡିଲେ । କିଛି ସମୟ ପାଇଁ ଚୁପ ହୋଇଗଲେ ସେ । କହିଲେ, ‘ଗାର୍ଗୀ, ଏମିତି ଗୋଟେ ପ୍ରସ୍ତାବ ଦେବା ଆଗରୁ ମତେ ଥରେ ପଚାରିଲନି ?’ ମୁହଁ ଶୁଖିଗଲା ମୋର । ଅଭିମନ୍ୟୁଙ୍କ ଉପରେ ଅଭିମାନ ହେଲା । ଏତେ ଛୋଟ କଥାଟିଏ ପାଇଁ ଅନୁମତି ନନେବା କଣ ନିହାତି ମୋର ଅପରାଧ ହୋଇଗଲା? ମତେ ତ ସେପରି ଲାଗୁନଥିଲା ଆଦୌ !’ – ‘ଏତେ ଛୋଟ କଥାଟିଏ – ତୁମକୁ କଣ ପଚାରିଥାନ୍ତି? ତୁମେ କଣ ମନା କରି ଦେଇଥାନ୍ତ ମାଉସୀଙ୍କୁ ଆମ ଘରେ ରଖିବାପାଇଁ ?’ – ଅଭିମାନରେ ଥମଥମ ହେଉଥିଲି ମୁଁ । ଅଭିମନ୍ୟୁ ନରମି ଗଲେ ଟିକେ । କହିଲେ, – ‘ଗାର୍ଗୀ, ଛୋଟ କଥାଟିଏ ପରି ଲାଗୁ ଥାଇପାରେ ତୁମକୁ, କିନ୍ତୁ ବେଶ ଗୁରୁତ୍ୱପୂର୍ଣ୍ଣ ଏ ନିଷ୍ପତ୍ତି । ବୁଢ଼ୀ ଲୋକ, କେତେବେଳେ କଣ ହେବ କିଏ ଜାଣେ?’ – ‘କିନ୍ତୁ, ମାଉସୀ ତ ଏକଦମ ସୁସ୍ଥ ଅଛନ୍ତି । କିଛି ବି କଟକଣା ନାହିଁ ତାଙ୍କ ଖାଇବା, ପିଇବାରେ!’ ଅଭିମନ୍ୟୁଙ୍କ କଥା ଶୁଣିବା ପରେ ମୁଁ ମୋ ନିଷ୍ପତ୍ତିର ଗୁରୁତ୍ୱ ବୁଝି ପାରୁଥିଲି । ଭିତରେ ଭିତରେ ଦବି ଯାଉଥିଲି ମୁଁ । ଅଭିମନ୍ୟୁ ଦୀର୍ଘଶ୍ଵାସ ନେଲେ । ମତେ ବୁଝାଇ କହିଲେ, – ‘ଠିକ ଅଛି, ଦେଖିବା ଯାହା ହେବାର ଥିବ, ହେବ ।’

ମତେ ଏଥର ସତରେ ଟିକେ ଡର ଡର ଲାଗିଲା । ମୋ ମୁହଁ ଶୁଖିଗଲା । ଆଖି ଲୁହରେ ଢଳଢଳ ହେଲା । ଟୁପ୍ସି ମାଉସୀଙ୍କ ହାତଧରି ଡେଇଁ ଡେଇଁ ଆସିଲା । କହିଲା, ‘ପାପା ! ଏଥର ଜେଜେମା’ ଆମ ଘରେ ରହିବେ । ମୋ ଘରେ …. ‘ମୋ ଘର’ – କହିଲା ବେଳେ ଛାତି ଚଉଡା ହୋଇ ଯାଉଥିଲା ଯେମିତି ତା’ର ।

ଟୁପ୍ସି ର ଖୁସି । ମାଉସୀଙ୍କ ଆନନ୍ଦ ଆମ ଦୁହିଁଙ୍କୁ  ପ୍ରତ୍ୟୟ ଯୋଗାଇଥିଲା । ମୋର ନିଷ୍ପତ୍ତିକୁ ନେଇ ଅଭିମନ୍ୟୁ ଆଉ ଅସନ୍ତୋଷ ପ୍ରକାଶ କଲେନାହିଁ । ଆରତି ମାଉସୀଙ୍କୁ ଓ ମାଉସୀଙ୍କ ବ୍ୟବହାର୍ଯ୍ୟ ଜିନିଷ ସବୁ ଆମ ଘରେ ରଖିଦେଇ ମୁମ୍ବାଇ ଚାଲିଗଲା । ତା’ ଘରର ଡୁପ୍ଲିକେଟ ଚାବି ମଧ୍ୟ ମୋ’ ପାଖରେ ଥିଲା । ମାଉସୀ କେତେବେଳେ କେମିତି ବୁଲି ଆସୁଥିଲେ ନିଜ ଘରେ । ଗତ ଦେଢ଼ମାସ ଆମ ଘର ଖୁସି ଆନନ୍ଦରେ ପୁରି ଉଠିଥିଲା । ମାଉସୀଙ୍କ ମନଲାଖି ଖାଇବା ପ୍ରସ୍ତୁତ କରୁଥିଲି ମୁଁ । ରୋଷେଇ ଘରେ ମୋ’ ପାଖରେ ଠିଆ ହୋଇ ମାଉସୀ ଶିଖାଉଥିଲେ ନାନା ଜାତିର ପିଠାପଣା । ନୂଆ-ପୁରୁଣା ତରକାରୀର ବାସ୍ନାରେ ମହକି ଉଠୁଥିଲା ଆଖପାଖ ।

ଟୁପ୍ସି ଓ ମାଉସୀଙ୍କୁ ଏକାଠି ଦେଖି ମନ କହୁଥିଲା, ‘ସବୁଦିନ ମାଉସୀ ରହିଯାନ୍ତେ କି ଆମ ପାଖରେ ।’

ରୋଷେଇ ଘରେ ଠିଆ ହୋଇ ମାଉସୀ ଶୁଣାନ୍ତି ତାଙ୍କ ପିଲାଦିନ କଥା, ଗାଁ ସାଙ୍ଗ ଆଉ ରଜଦୋଳି କଥା । ମଉସାଙ୍କ ସଂଗେ ବିତେଇ ଥିବା କେତେନା କେତେ ଅକୁହା କଥା ମାଉସୀ ଖୋଲି କୁହନ୍ତି ମତେ । ମାଉସୀଙ୍କ ମୁହଁରୁ ଖୁସି ବାରିହୋଇପଡ଼େ । ଆନମନା ହୁଅନ୍ତି ସେ । ବୟସର ଏରୁଣ୍ଡିବନ୍ଧ ଡେଇଁ ଧାଇଁ ବୁଲନ୍ତି ତାଙ୍କ ଯୌବନର ଅପାଶୋରା ଦିନ ଗୁଡ଼ାକରେ ମୋରି ସାମ୍ନାରେ ।  ଅଭିମନ୍ୟୁଙ୍କ ସହ ସେସବୁ ମୁହୂର୍ତ୍ତକୁ ବାଣ୍ଟିଲା ବେଳେ କେମିତି ଗୋଟେ ଅପୂର୍ବ ପୁଲକରେ ପୁଲକିତା ହୁଏ ମୁଁ । ମାଉସୀଙ୍କ ଖୁସି ଆମ ହୃଦୟକୁ ଚହଲାଇ ଦିଏ । ହସଖୁସିରେ କଟିଯାଏ ଦିନ । ରାତିହେଲେ ଟୁପ୍ସି ଗପ ଶୁଣୁଶୁଣୁ ଶୋଇପଡେ଼ ମାଉସୀଙ୍କ କୋଳରେ । ମାଉସୀ ବି ଶାନ୍ତିରେ ଶୋଇଯାନ୍ତି ।

ସବୁଦିନ ପରି ସେଦିନ ରାତିରେ ଖୁସି ଖୁସି ଟୁପ୍ସି ସହ ସ୍ୱର ମିଳାଇ ସମସ୍ତଙ୍କୁ ଗୁଡ଼ ନାଇଟ କହି ଶୋଇବାକୁ ଯାଇଥିଲେ ମାଉସୀ । ରାତିରେ ମାଉସୀଙ୍କ ମନ ପସନ୍ଦ ତରକାରୀ ରାନ୍ଧିଥିଲି ମୁଁ । ଖାଇଲା ବେଳେ ସେ ଖୁବ ତୃପ୍ତିରେ ଅଭିମନ୍ୟୁଙ୍କୁ କହିଥିଲେ, ‘କାଇଁ କେଉଁ ପିଲାବେଳେ ଖାଇଥିଲି ମୋ’ ବୋଉ ହାତରନ୍ଧା ଏ ବେସର । ଆଜି ଗାର୍ଗୀ ଅବିକଳ ସେମିତି ରାନ୍ଧିଛି ।’ – ଅଭିମନ୍ୟୁ ଖୁସି ହେଉଥିଲେ । ମାଉସୀଙ୍କୁ ବଳେଇ ବଳେଇ ଖୁଆଇଥିଲି ମୁଁ । ‘ବେଶୀ ଖାଇଦେଲେ କି ମାଉସୀ । ସେଥିପାଇଁ କଣ ….’।

ସକାଳେ ଯେତେବେଳେ ବାରମ୍ବାର ଡାକିବା ପରେ ମାଉସୀ ଉଠି ନଥିଲେ କି ଆଖି ଖୋଲି ନଥିଲେ ଆତଙ୍କରେ ଶିହରୀ ଉଠିଥିଲି ମୁଁ । ନିଶ୍ଚଳ ହୋଇ ଶୋଇ ରହିଥିଲେ ସେ । ହଲେଇ ଦେଇଥିଲି ଖୁବ ଜୋରରେ । ଭୟରେ ଥରି ଉଠିଥିଲା ଅନ୍ତର । ଡାକିଡାକି ତଣ୍ଟି ପଡିଗଲା । ମାଉସୀ ସେମିତି ଶୋଇରହିଥିଲେ । ଅଭିମନ୍ୟୁ ଡାକ୍ତରଙ୍କୁ ଖବର ଦେଲେ । ଟୁପ୍ସି ଚଡି ଖଣ୍ଡେ ପିନ୍ଧି ବୁଲୁଥିଲା ଏଘର ସେଘର । ‘ଜେଜେମା ଙ୍କର କଣ ହେଲା ?’ – ଦୁଇ ତିନିଥର ପଚାରିଥିଲା ମତେ ଶିଶୁସୁଲଭ ବ୍ୟଗ୍ରତାରେ ।
– ‘କିଛି ନାଇଁ, ତୁ ଖେଳୁଥାଆ । ଜେଜେମା’ ଉଠିଲେ ଖେଳିବୁ ତାଙ୍କସାଙ୍ଗେ ….’ – କହି ମୁଁ ଅଣଦେଖା କରୁଥିଲି ତାକୁ । ମାଉସୀଙ୍କ ସହ ଆମ୍ବୁଲାନ୍ସ ରେ ବସିବା ବେଳକୁ ଅଭିମନ୍ୟୁ ଫ୍ରକ ଖଣ୍ଡେ ପିନ୍ଧାଇ ଦେଇଥିଲେ ଟୁପ୍ସିକୁ । ମୋ କୋଳରେ ଥାଇ ଜୁଳୁକୁଳୁ ହୋଇ ଚାହୁଁଥିଲା ସେ ମାଉସୀଙ୍କୁ । ଛୋଟ ପିଲାଟିକୁ ଭୋକ ଲାଗୁଥାଇ ପାରେ – ଭୁଲି ଯାଇଥିଲି ମୁଁ ।

ଗତ ସାତଦିନ ହେଲାଣି ମାଉସୀ ଡାକ୍ତଖାନାରେ । ଆରତି ପହଞ୍ଚିବା ପରେ ପ୍ରଥମେ ପଚାରିଥିଲା, ‘କାହିଁକି ଏମିତି ହେଲା ?’ ତା ପରକୁ ପର ଅସରନ୍ତି ପ୍ରଶ୍ନ । କୌଣସି ଗୋଟିଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିଲି ମୁଁ । ମାଉସୀଙ୍କୁ ପାଖରେ ରଖିବାର ନିଷ୍ପତ୍ତି ଥିଲା ଏକା ମୋର । ଅଭିମନ୍ୟୁଙ୍କର ନୁହେଁ । ମାଉସୀଙ୍କୁ ପାଖରେ ରଖିବାପାଇଁ ଆମେ ବାଧ୍ୟ ନଥିଲୁ । ଏଭଳି ଦାୟିତ୍ୱଟିଏ ନିଜ ଇଚ୍ଛାରେ ଆଦରି ନେଇଥିଲି ମୁଁ,  ଅଭିମନ୍ୟୁ ତ ଡରିଥିଲେ ସେତେବେଳେ । ତଥାପି ମାଉସୀଙ୍କ ପ୍ରତି ତାଙ୍କ ଦାୟିତ୍ୱ ଠିକ ଭାବରେ ସମ୍ପାଦନ କରିବାରେ ତାଙ୍କର କାର୍ପଣ୍ୟ ନଥିଲା । କିନ୍ତୁ ମାଉସୀ ଆରତିର ମାଆ, ମୋର ବା ଅଭିମନ୍ୟୁଙ୍କର ମାଆ ନୁହେଁ । ଆରତି ଆମର କେହି ନୁହେଁ ଏକଥା ହୁଏତ ଅଭିମନ୍ୟୁ ଚିନ୍ତା କରି ପାରୁଥିଲେ, ମାତ୍ର ମାଉସୀ ଯେ ମୋର କେହି ନୁହେଁ, ଏକଥା ମୁଁ ଆଦୌ ଭାବି ପାରୁ ନଥିଲି । ଏବେ ମଧ୍ୟ ଲାଗୁଛି ଯେମିତି ମୋ’ ନିଜ ମାଆ ଡାକ୍ତରଖାନାରେ ଶୋଇ ରହିଛି କୋମାରେ । ସେ ନିଶ୍ଚୟ ଉଠିବ ମୋ ଡାକରେ । ଆଦୌ ନିରାଶ କରିବନି ମୋତେ । ଗତ ଦେଢ଼ମାସ ଭିତରେ ମାଉସୀଙ୍କସହ ଏକାତ୍ମ ହୋଇ ଉଠିଛନ୍ତି ଅଭିମନ୍ୟୁ ମଧ୍ୟ । ଥରେ ହେଲେ ପୁନରାବୃତ୍ତି କରି ନାହାନ୍ତି ତାଙ୍କର ପ୍ରଥମ ଦିନର ଆଶଙ୍କାଭରା ବକ୍ତବ୍ୟ । ତାଙ୍କର ବି ମନ କହୁଛି ମାଉସୀ ଉଠିବେ, ନିଶ୍ଚୟ ଉଠିବେ । ପୁଣି ତାଙ୍କ ସହ ଗପିବେ । ଅଫିସ ଗଲାବେଳେ ତାଙ୍କ ହାତକୁ ବଢ଼େଇଦେବେ ରୁମାଲ ସହିତ ସାଦା ପାନଖଣ୍ଡେ । ମତେ ଲୁଚେଇ ଯାହାକୁ ସେ ଅଭିମନ୍ୟୁଙ୍କ ପାଇଁ ଭାଙ୍ଗି ରଖିଥିବେ ସେ । ଅଭିମନ୍ୟୁଙ୍କ ମୁହଁରେ ଅସନ୍ତୋଷ ଦେଖିପାରୁ ନଥିଲି । ଭାରି ଭାରି ସେ ମୁହଁଟା କେବଳ ଆଶା ଆଉ ଆଶଙ୍କାରେ ଚାହିଁ ରହିଛି ମୋରି ପରି ମାଉସୀଙ୍କ ଆଖିକୁ । କେତେବେଳେ ଥରେ ଫିଟିଯିବ ପରା ସେ ଆଖି । ଆରତିର ପ୍ରଶ୍ନ ଶୁଣିବାପରେ ମୁଁ ବି ବିକଳ ହୋଇ ଚାହୁଁଥିଲି ମାଉସୀଙ୍କ ଆଖିକୁ । କାହିଁକି ଆଖି ଖୋଲୁନାହାନ୍ତି ଯେ ମାଉସୀ ! ସେ ତ କହୁଥିଲେ ଜୀବନଯାକର ଇପ୍ସିତ ସୁଖ ସେ ପାଇଛନ୍ତି ମୋ’ ଘରେ । କହୁଥିଲେ ତାଙ୍କ ଏକାକୀପଣ ଦୂର ହୋଇଯାଇଛି ଆମ ଗହଣରେ । ଯେତେ ଖୁସି, ଯେତେ ଶାନ୍ତି ସେ ଏଇଠି ପାଇଛନ୍ତି, ଆଜି ଯାଏଁ ପାଇ ନଥିଲେ ସେ । ଆରତିକୁ ସେ ଗଭୀର ଭାବରେ ଭଲ ପାଆନ୍ତି । ତାଙ୍କର ଏକମାତ୍ର ସନ୍ତାନ ସେ ।  ତଥାପି ସେ ଏକ ସମ୍ପୂର୍ଣ୍ଣ ପରିବାରକୁ ଝୁରୁଥିଲେ ସବୁବେଳେ । ମୋ ଘରେ ସେ ଶାନ୍ତି ପାଉଥିଲେ ଏକଥା ତ ବାରମ୍ବାର କହିଥିଲେ ସେ ମତେ । କାହିଁକି ଆଜି ପାଟି ଖୋଲି କହିଦେଉନାହାନ୍ତି ଯେ ସେ ? କେବେ କାହାରିଠାରୁ ପ୍ରଶଂସା ଶୁଣିବାକୁ ଲାଳାୟିତ ନଥିବା ମୁଁ ଆଜି ମାଉସୀଙ୍କ ମୁହଁରୁ ମୋର ପ୍ରଶଂସା ଟିକିଏ ଶୁଣିବାକୁ ଚାହିଁ ରହିଥିଲି ।

ମାଉସୀଙ୍କ ଶେଯ ପାଖରେ ବସି ରହିଛି  ମୁଁ ଗତ ସାତଦିନ ହେଲା । ଆରତିବି ବସି ରହେ ସେଠି । କେଜାଣି କାହିଁକି ତା’ ସହ ଆଖି ମିଶେଇ ପାରେନି ମୁଁ । ଅଭିମାନରେ ଭାଙ୍ଗିପଡ଼େ ମୋ ହୃଦୟ । ଏତେ ଘନିଷ୍ଠତା ସତ୍ତ୍ୱେ ଆରତି ମତେ ବୁଝି ନପାରିବା  ଖୁବ ଏକ ହତାଶା ଭାବ ସୃଷ୍ଟି କରେ ମୋ’ ମନରେ । ତାକୁ ବୁଝେଇ ନପାରିବାର ଦୁଃଖରେ ଘାରି ହେଉଥାଏ ମୁଁ ଅହର୍ନିଶି ।

ଆରତି ଠିଆ ହୋଇଥିଲା ମାଉସୀଙ୍କ ମୁଣ୍ଡ ପାଖରେ । ହଠାତ ଥରି ଉଠିଲା ମାଉସୀଙ୍କ ଆଖି । ମାଉସୀ ଆଖି ଖୋଲି ଦେଲେ । ଖୁସିର ଶିହରଣ ଖେଳିଗଲା ମୋ ସାରା ଶରୀରରେ । ଏତେ ଦିନର ପ୍ରତୀକ୍ଷା ପରେ ମାଉସୀ ଆଖି ଖୋଲି ଚାହିଁବା, ଆମ ସମସ୍ତଙ୍କ ପାଇଁ  ସୁଖର ମୂହୁର୍ତ୍ତ ଥିଲା । ମାଉସୀଙ୍କ ଦୃଷ୍ଟି ଜଣଜଣ ହୋଇ ଘୂରି ଆସିଲା ସମସ୍ତଙ୍କ ଉପରେ । ଡାକ୍ତର, ଆରତି, ଅଭିମନ୍ୟୁ, ଆଉ ତାଙ୍କ ପାଖରେ ଠିଆ ହୋଇଥିବା ଦିନରାତି ତାଙ୍କ ସେବାରେ ଲାଗିଥିବା ସେଇ ନର୍ସ ଝିଅ ଦୁଇଜଣଙ୍କ ଉପରେ ମଧ୍ୟ । ସେ ଆଖି ସ୍ଥିର ହୋଇଗଲା ଆସି ମୋ ଉପରେ । କେମିତି ଅଦ୍ଭୁତ ସେ ଦୃଷ୍ଟି – ଯୁଗ ଯୁଗର ପ୍ରତୀକ୍ଷା, ଯୁଗ ଯୁଗର ଅଭୀପ୍ସା । କେତେନା କେତେ ସ୍ନେହ ଭରି ରହିଥିଲା ସେ ଦୃଷ୍ଟିରେ । ସ୍ଵର୍ଗୀୟ ଆନନ୍ଦରେ ବିଭୋର ହୋଇଗଲି ମୁଁ । ସେ ଦୃଷ୍ଟିର ଅମୃତଧାରାରେ  ଧୋଇଗଲି ଗୋଟାପଣେ । ଜୁଡୁବୁଡୁ ହୋଇଗଲି ସେ ସ୍ନେହ ଦୃଷ୍ଟିରେ । ମାଉସୀ ଆଖି ବୁଜିଦେଲେ । ତାଙ୍କ ଡାହାଣ ହାତରେ ସେ ଜାବୁଡି ଧରିଥିଲେ ମୋ ହାତକୁ । ସମସ୍ତେ କାନ୍ଦି ଉଠିଲେ । ମାଉସୀ ଚାଲିଗଲେ । ମୋ ଅଖିରୁ ବି ଝରିପଡୁଥିଲା ଧାରଧାର ଲୁହ । ମୁହଁ ଟେକି ଆରତିକୁ ଚାହିଁଲି । ଆରତି କ’ଣ ପଢ଼ି ପାରିଛି ମାଉସୀଙ୍କ ଅନ୍ତରକୁ, ଯେଉଁଠାରୁ ମୋ’ ପାଇଁ ଝରିଆସୁଥିଲା ସ୍ନେହ ଅମୃତର ଧାରା । ଆରତି ଆଖିରେ ଆଉ ପ୍ରଶ୍ନ ଝୁଲୁ ନଥିଲା କି ମୁଁ ଆଉ ସେ ପ୍ରଶ୍ନସବୁ ତା’ ଆଖିରୁ ପଢିପାରୁ ନଥିଲି କେଜାଣି !  ମତେ ଆଉ ଦୁର୍ବଳ ଲାଗୁ ନଥିଲା, ଅସହାୟ ଲାଗୁ ନଥିଲା । ମାଉସୀଙ୍କ ଦୃଷ୍ଟି ମୋ ଭିତରେ  ଭରି ଦେଇଥିଲା ଅପରିସୀମ ସାହସ । ମୋର ଆଉ ଡର ନାହିଁ କାହାକୁ । କିଏ ମତେ ବୁଝୁ କି ନବୁଝୁ । ମାଉସୀଙ୍କ ହାତ ଜାଵ ପଡିଯାଇଥିଲା ମୋ ହାତରେ ..

(୨୦୧୧ ଅଗଷ୍ଟ ‘ସୁଧନ୍ୟା’ରେ ପ୍ରକାଶିତ)

****

One thought on “ଆରତିର ମାଆ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s