ଡାଏରୀରୁ ପୃଷ୍ଠାଟିଏ

1994 ମସିହା  ଅଗଷ୍ଟ ମାସ ପଚିଶ ତାରିଖ । ମୋ ଜୀବନର ଏକ ଅବିସ୍ମରଣୀୟ ଦୁଃଖଦ ଦିବସ । ସବୁଦିନପରି ମୋ ସ୍ୱାମୀ ଅଫିସ୍ ଗଲେ । ମୋର ତିନି ବର୍ଷର ପୁଅ ସହିତ ମୁଁ ଘରେ ନିତିଦିନିଆ କାମରେ ବ୍ୟସ୍ତ ଥାଏ । କଲିକତାରୁ ବଦଳିହୋଇ ଆମେ ମୁମ୍ବାଇ ଆସିଥାଉ । କ୍ୱାଟର୍ସ ମିଳିନଥାଏ । ଅସ୍ଥାୟୀ ଘରଟିରେ ଥାଉ ଆମେ । ଖୁବ ମନଲୋଭା ସ୍ଥାନରେ ଘରଟି । ଆପାର୍ଟମେଂଟର ପାଚିରୀକୁ ଛୁଉଁଥାଏ ଆରବସାଗରର ଉତ୍ତାଳ ଲହରୀ । ଆମେ ଯେଉଁ ଘରେ ରହୁଥାଉ ସେ ଘରର ଝରକା ଗୁଡିକ ଖୁବ ବଡ଼ ବଡ଼ ଅଥଚ ରେଲିଂ ବିହୀନ । ପ୍ରକୃତିକୁ  ଉପଭୋଗ କରିବା ନିମିତ୍ତ ଉନ୍ମୁକ୍ତ ଗବାକ୍ଷ । ସେମିତି ମନେହେଉଥିଲା ମତେ । ଘଣ୍ଟା ଘଣ୍ଟା ଠିଆହୋଇ ରହେ ସେଇ ଝରକା ନିକଟରେ । ଦୂରରେ, ଖୁବ ଦୂରରେ ଆକାଶ ଆଉ ସମୁଦ୍ର ପରସ୍ପରକୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ମନରେ ପୁଲକ ଜଗାଏ ।

ଦିନଭିତରେ ବାରମ୍ବାର ସମୁଦ୍ରକୁ ପଛକୁ ଫେଟିଯିବାର ସେ ନୂଆ ଅନୁଭୂତି ଖୁବ ଉପଭୋଗ କରୁଥାଏ ମୁଁ । ଦିନେଦିନେ ସକାଳୁ ଝରକା ଖୋଲି ସମୁଦ୍ରକୁ ଖୋଜିହୁଏ । ‘ଆରେ,ଏ କଣ?କେବଳ  ବାଲି । ପାଣି କାହିଁ? ଦିନ ଭିତରେ ସମୁଦ୍ର ପୁଣି ଫେରିଆସେ । କାମ କରୁକରୁ  ସମୁଦ୍ରର ସ୍ୱର କାନରେ ବାଜେ । ଝରକା ଆରପଟେ  ସମୁଦ୍ର ମତେ ଡ଼ାକୁଥାଏ । ଠିଆହୁଏ ଝରକା ପାଖରେ । ଲହରୀ ସବୁ ପିଟିହେଉଥାଏ କୂଳରେ ।

ସେଦିନ ବି ସବୁ କିଛି ଠିକଠାକ ଥିଲା । ଆମେ ମାଆପୁଅ ଆମର ଦିନଚର୍ଯ୍ୟାରେ ବ୍ୟସ୍ତ ଥିଲୁ । ଘରକାମ ସାରି ରୋଷେଇ  କରି ପୁଅକୁ ଗାଧୋଇ ଦେଲି । ପୋଛିପାଛି ଡ୍ରେସ ପିନ୍ଧେଇଦେଇ ନିଜେ ଗାଧୋଇବାକୁ ଗଲି । ଝରକାରେ ରେଲିଂ ନଥିବାରୁ ମୁଁ  ସବୁ ଝରକା ବନ୍ଦ କରିଦେଇ ଗାଧୋଇବାକୁ ଯାଏ । ସେଦିନ ବି ସେମିତି କରିଥିଲି କେବଳ ଗୋଟିଏ ପଟ ଝରକାର କିଛିଅଂଶ ଖୋଲା ଥିଲା । ଚଟାପଟ ଗାଧୋଇପଡି ଚାଲିଆସିବି ଭାବି ଗାଧୁଅଘରେ ପଶିଲି ମୁଁ । ଗାଧୁଅଘରର କାଠ ଦୁଆର ବର୍ଷାରେ ଟିକେ ଫୁଲିଯାଇଥାଏ । ଦିନକ ଆଗରୁ ଦୁଆରର ହ୍ୟାଣ୍ଡେଲଟି ହୁଗୁଳା ହୋଇଯାଇଥାଏ । ଗାଧୋଇସାରି ବଢ଼େଇକୁ ଖବର ଦେବି । ଗାଧୁଅଘରର କବାଟ ଭିତରପଟୁ ସେଇ ହ୍ୟାଣ୍ଡେଲଟି ଧରି ଖୋଲିବାକୁ ହୁଏ । ମୁଁ ଗାଧୁଅଘର ଭିତରେ ପଶି କବାଟ ଆଉଜେଇ ଆଣିଲି । କେଜାଣି କାହିଁକି କବାଟରେ ଫାଙ୍କ ଦେଖି ଜୋରରେ ଟିକେ ଚାପିଦେଲି ଦୁଆର । ମୁଁ କଣ ଜାଣିଥିଲି ସେଇଠି ସେଇ  ମୁହୂର୍ତ୍ତରେ ମୁଁ ଡାକିଆଣିଥିଲି ଏତେ ବଡ଼ ବିପଦଟିକୁ । ଗାଧୋଇସାରି ଲୁଗା ପିନ୍ଧିନେଲି ,ତାପରେ ଦୁଆର ଖୋଲିବାକୁ ଗୋଲାକାର ନବ୍  (ହ୍ୟାଣ୍ଡେଲ)ଟିକୁ ମୋଡିଦେଲି । ନବ୍ ଟି ମୋଡ଼ିଦେଲେ ଦୁଆର ଖୋଲିଯାଏ କିନ୍ତୁ ସେଦିନ ହୁଗୁଳା ହୋଇଯାଇଥିବା ନବ୍ ଟି ବହାରିଆସିଥିଲା ମୋ ହାତରେ । ଗରମ ଝାଳ ପରସ୍ତେ ବୋହିଗଲା ଦେହରୁ । ‘ଏବେ ମୁଁ ଦୁଆର ଖୋଲିବି କେମିତି ?’ ପୁରା ଦୁଆରଟି ପାଚିରୀ ପରି ଠିଆ ହୋଇଥିଲା ମୋର ଆଉ ମୋ ଉତିଆଣି ପୁଅ ମଝିରେ । ଥ’ ହୋଇ ରହିଗଲି କିଛି ସମୟ । କେମିତି ଖୋଲିବି ଦୁଆର ? ବାହାରପଟୁ  କେହି ଠେଲିଦେଲେ ଖୋଲିଯାଆନ୍ତା ଦୁଆର, କିନ୍ତୁ କୁନିପୁଅଟି ନା ଏକଥା ବୁଝିପାରିବ ନା ଧକ୍କା ଦେଇ ଖୋଲିପାରିବ । କିଂ କର୍ତ୍ତବ୍ୟ ବିମୂଢହୋଇ ଠିଆ ହୋଇଥିଲି । ବାସ୍, କେତୋଟି ମୁହୂର୍ତ୍ତ ମାତ୍ର ଚୁପ ହୋଇ ରହିଗଲି ମୁଁ ।

ଦୁଆର ଉପରେ ତିନୋଟି କାଚ ଲାଗିଥିଲା । ସାମାନ୍ୟ ଫାଙ୍କ ଥିଲା ସେଇ କାଚ ମାନଙ୍କ ମଧ୍ୟରେ । ସେଇ ଫାଙ୍କରେ ହାତ ପୁରେଇ କାଚଟି ଭାଙ୍ଗିବାକୁ ଚେଷ୍ଟା କଲି । ଘର ଭିତରକୁ କାଚ ନପଡ଼ି ସବୁତକ କାଚ କେମିତି ମୋରି ପଟକୁ ପଡିବ ସେଥିପ୍ରତି ସତର୍କ ଥାଏ ମୁଁ । ଘର ଭିତରେ ମୋର କୁନିପୁଅ । କାଚ ଘରଭିତରେ ପଡିଲେ ତା’ ଗୋଡ଼ରେ ପଶିଯାଇପାରେ । ହାତରେ କାଚ ଟାଣି ଭାଙ୍ଗିବା ଦ୍ୱାରା ମୋ ହାତ କଟିଯାଇ ରକ୍ତ ବାହାରୁଥାଏ । କାଚଭାଙ୍ଗିସାରି ସେଇଫାଙ୍କବାଟେ ହାତପୁରେଇ ଦୁଆର ଖୋଲିବାକୁ ବହୁତ ଚେଷ୍ଟା କଲି । ମାତ୍ର ମୋର  ସବୁଚେଷ୍ଟା ବିଫଳ ହେଲା ।

ଯେତେ ଡେରି ହେଉଥାଏ ସେତେ ଭୟ ଲାଗୁଥାଏ ମତେ । ଘର ଭିତରେ ମୋର ଛୋଟ ପୁଅଟି; ଝରକା ଗୋଟେ ପଟ ଖୋଲା ଅଛି । ଆଉ ଆଗକୁ ଚିନ୍ତା କରିପାରୁନଥାଏ ମୁଁ । ଏଥର ଗାଧୁଆ ଘରର ସ୍କାଇଲାଇଟ୍ ଖୋଲିବାକୁ ଚେଷ୍ଟା କଲି । ତଳ ଉପର ହୋଇ ଦୁଇଟି ବଡ଼ବଡ଼ କାଚ । ତଳ କାଚଟି ଆଦୌ ଖୋଲିଲାନି । ଉପର କାଚଟି ଖୋଲିଗଲା । ମୁଁ କମୋଡ଼ ଉପରେ ଠିଆହୋଇ ବହୁ କଷ୍ଟରେ ସ୍କାଇଲାଇଟ୍ ପଟେ ବାହାରକୁ ଦେଖିବାକୁ ଚେଷ୍ଟାକଲି । ଆମର ଏ ଅସ୍ଥାୟୀ ଛୋଟ ଘରଟି ଥାଏ କଲୋନୀର ପଛ ପଟେ, ସମୁଦ୍ର ଆଡକୁ । କଡ଼ ପଟିଆ ଗାଧୁଅଘରେ  ମୋ ଆଖି ଆଗରେ ଦେଖାଯାଉଥାଏ ବଡ଼ ବଡ଼ କୋଠାର ପଛପଟ କାନ୍ଥ । କେବଳ କାନ୍ଥ – ସେଇଟି ଥିଲା ଗୋଟିଏ ପରିତ୍ୟକ୍ତ ଲୁଗାକଳ । ସବୁରି ଦୃଷ୍ଟିର ଆଢୁଆଳରେ ମୁଁ ବିପଦ ସହିତ ଲଢ଼ୁଥିଲି ଏକାକୀ । ଘରଟି ଚତୁର୍ଥ ମହଲରେ । ଚାରି ମହଲା କୋଠାଟିର ସେଇଟି ଥିଲା ଶେଷ । ଆମ ଉପରେ ଛାତ ।

ଆମ ଘରର ଠିକ ତଳ ଘରେ ଥିବା ଏକୁଟିଆ ଭଦ୍ରଲୋକ ଅଫିସ ଚାଲିଯାଇଥିଲେ । ତା’ ତଳେ ଥିଲେ ଆଉ ଗୋଟିଏ ଓଡ଼ିଆ ପରିବାର – ଭଦ୍ରମହିଳା ମୋ ସାଙ୍ଗ । ଖୁବ ବଡ଼ ପାଟିକରି ତାଙ୍କ ନାଁ ଧରି ଡାକିଲି, ‘ରିଙ୍କୁ……  ‘। ମୋତେ ବିଦ୍ରୁପ କରି ବଡ଼ ବଡ଼ କୋଠା ମାନଙ୍କରେ ମୋ ସ୍ୱର ପ୍ରତିଧ୍ଵନିତ ହେଉଥିଲା, ‘ରିଙ୍କୁ …..  ‘। ବାରମ୍ବାର ଡାକିଲା ପରେ ସେ ଶୁଣିପାରିଲେ । ମୋ ସ୍ୱର ଠଉରାଇ ନପାରିଲେ ମଧ୍ୟ ସନ୍ଦେହ କରି ସେ ଆମ ଘରକୁ ଆସିଲେ । ମୋ ପୁଅର ନାଁ ଧରି ଡାକିଲେ ଦୁଆର ପାଖରେ । ମୋ ପୁଅ ତାଙ୍କୁ କହିଲା, ‘ମୁଁ  ଖେଳୁଛି । ମମ୍ମି ଗାଧୋଉଛି ।’ ସିଏ ଫେରିଗଲେ । ମୋ ବୁକୁଫଟା ଆତୁର ଚିତ୍କାର ‘ରିଙ୍କୁ, ମୋ କଥା ଶୁଣି ପାରୁଛ କି?’ – କେମିତି ଜେଜାଣି ସେ ମୋ କଥା କିଛି ବି  ଶୁଣିପାରିଲେନି ଆଉ, ବାରମ୍ବାର ଡାକି ଡାକି ହତାଶ ହେଲି ମୁଁ ।  ମୋ ପୁଅ ଗାଧୁଆ ଘରର ଦୁଆର ପାଖରେ ଛିଡା ହୋଇ ବେଳେବେଳେ କହୁଥାଏ, ‘ରିଙ୍କୁ ଆଣ୍ଟିକୁ କାହିଁକି ଡାକୁଛୁ ? ଗାଧଉନୁ । ଭୋକ କଲାଣି ପରା ।’

ମୋ ପୁଅକୁ ଭୋକ ହେଉଛି । ମୁଁ ବାହାରକୁ ଯାଇପାରୁନି । ସେ ଏକଥା ବୁଝିପାରୁନି । କଣ କରିବି ମୁଁ । ଆଉ ଡେରି ନକରି  ମୁଁ ସେ ସ୍କାଇଲାଇଟ ବାଟେ ବାହାରକୁ ଯିବାର ରାସ୍ତା ଖୋଜିଲି । ସ୍କାଇଲାଇଟ ଆରପଟେ ଫାଙ୍କ । ତା’ର ପ୍ରାୟ ତିନି ଫୁଟ ଉପରେ  ଆମ ଚତୁର୍ଥ ମହଲାର ପାରାପେଟ । ହାତବଢ଼େଇ ମୁଁ ସେ ପାରାପେଟ ଧରିବାକୁ ଚେଷ୍ଟା କଲି । କେବଳ ଭଗବାନଙ୍କୁ ସୁମରଣା କରୁଥାଏ ସେତେବେଳେ । କମୋଡ଼ ଉପରେ ଚଢ଼ି ସେଇଠୁ ତା ପଛପଟେ ଥିବା  ଟିକେ ଉଚ୍ଚା ପାଇପ ଉପରେ ଚଢିଲି; ସେଇଠୁ ସିଧା ସ୍କାଇଲାଇଟ୍ ଭିତର ଦେଇ ବହାରିଗଲି ବାହାରକୁ, ହାତ ବଢ଼େଇ ଧରିଲି ପାରପେଟର ଧାରକୁ ।  ତା’ ପରେ ପରେ ନିଜକୁ ଆବିଷ୍କାର କଲି ପାରପେଟ ଉପରେ । ଗୋଟାପଣେ ଥରୁଥାଏ ସେତେବେଳେ । ଏଥର ଆମ ଘରର ଝରକା ମୁଁ ଦେଖିପାରୁନଥାଏ । ମୋ ପୁଅ ସହିତ କଥାବାର୍ତ୍ତା କରିପାରୁନଥାଏ । ମୁଁ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ ହୋଇଯାଇଥାଏ ମୋ ପୁଅ ପାଖରୁ ।

ମନରେ ଅଜସ୍ର ଭୟ । ଯଦି ମୋ ପୁଅ ମୋଠାରୁ କିଛି ଉତ୍ତର ନପାଇ ଝରକା ବାଟେ ଡେଇଁ ପଡିବ ! ଆଖିର ଲୁହ, ମନର କୋହକୁ ଚାପି ଧରି ଶୀଘ୍ର କିଛି ପଦକ୍ଷେପ ନେବାର ଚେଷ୍ଟାରେ ରହିଲି ମୁଁ । ପ୍ରଥମରୁ କହିଛି, ଆମର ସେ ଘରଟି କଲୋନୀର ପଛପଟେ ଥିଲା । ସାମ୍ନା ପଟ ପ୍ରବେଶପଥରେ ସୁରକ୍ଷାକର୍ମୀ ଭାଇମାନେ ଜଗିବସିଛନ୍ତି ।  ଭାଗ୍ୟକୁ ପାରାପେଟଟି ଲମ୍ବି ଯାଇଥିଲା ମୁଖ୍ୟ ପ୍ରବେଶପଥ ଦିଗରେ ।  ସରୁଆ ପାରାପେଟ । ସତର୍କତାର ସହ ଆଗକୁ ପାଦ ବଢାଇଲି । ଗୋଟେପଟେ ଘରର କାନ୍ଥ  ଆରପଟଟି ସମ୍ପୂର୍ଣ୍ଣ ମୁକ୍ତ । ସତରେ କଣ ମୁଁ ପହଞ୍ଚି ପାରିବି ସାମ୍ନା ପଟ ଲୋକ ଆତଯାତ ହେଉଥିବା ଜାଗାରେ ?ସତେ କଣ ସବୁକିଛି ଠିକ ହୋଇଯିବ ? ମୁଣ୍ଡ ବୁଲେଇ ଯାଉଥାଏ ମୋର ବାମପଟକୁ ଚାହିଁଲେ । ଯଦି ତଳକୁ ଖସି ପଡିବି??ଧିରେ ଧିରେ ଯାଇ ପହଞ୍ଚିଗଲି ସାମ୍ନା ପଟେ । ସେଇଠୁ ପାଟିକରି ଡାକିଲି ସୁରକ୍ଷାକର୍ମୀ ମାନଙ୍କୁ । ସେତେବେଳେ ଜଣେ ମାତ୍ର ବସିଥିଲେ ସେଠି । ମୋ ଡାକ ସେ ଶୁଣିପାରିଲେ । ମତେ ଦେଖିଲେ । ଚତୁର୍ଥ ମହଲାର ପାରାପେଟ ଉପରେ ଜଣେ ଅସହାୟ ସ୍ତ୍ରୀ ଲୋକଙ୍କୁ ଦେଖି ସେ ବ୍ୟସ୍ତ ହୋଇ ଧାଇଁ ଆସିଲେ ମୋ ଦିଗକୁ । ତାଙ୍କର ପ୍ରଥମ ପ୍ରଶ୍ନ ‘ଆପଣ ସେଠି କଣ କରୁଛନ୍ତି ‘ । ସେ ଭାବୁଥିବେ ହୁଏତ ମୁଁ ଆତ୍ମହତ୍ୟା କରିବାକୁ ସେଠି ପହଞ୍ଚିଛି । ତାଙ୍କର ଆଖିରେ ମୋ ଉଦ୍ଦେଶ୍ୟରେ ଅସଂଖ୍ୟ ପ୍ରଶ୍ନ । ସେଇ ଉପରୁ ମୁଁ ତାଙ୍କୁ ପୁରା  ଘଟଣାଟି ଚୁମ୍ବକରେ ବର୍ଣ୍ଣନା କଲି । ମୋ ପୁଅ ଘର ଭିତରେ ଅଛି । ତା ସହିତ କଥାବାର୍ତ୍ତା ନକଲେ ସେ ଭୟ କରିବ । ଶୀଘ୍ର ଏକଥା ତଳଘରର ସେ ଓଡ଼ିଆ ଭଦ୍ରମହିଳାଙ୍କୁ କହିଦେଇ ତାଙ୍କୁ ମୋ ପୁଅ ସହିତ କଥାବାର୍ତ୍ତା କରିବାକୁ ଅନୁରୋଧ କରିବାକୁ ମଧ୍ୟ କହିଲି ସେ ସୁରକ୍ଷାକର୍ମୀଙ୍କୁ । ଅଳ୍ପ ସମୟ ଭିତରେ ବେଶ କିଛି ଘରେ ଖବର ପହଞ୍ଚିଗଲା । କିଛି ସ୍ତ୍ରୀ ଲୋକ ଓ ରିଙ୍କୁ ଦୌଡ଼ିଲେ ଆମ ଘର ପାଖକୁ, ମୋ ପୁଅ ସହ ବାହାରେ ଥାଇ ଗପ ଯୋଡିଲେ ସେମାନେ । ପୁଅ ମୋର ସୁରକ୍ଷିତ ଅଛି ଓ ଆଣ୍ଟି ମାନଙ୍କ ସହ ଗପୁଛି ଶୁଣିଲାପରେ ମୁଁ ଆଶ୍ୱସ୍ତ ହେଲି ।

ବାହାରୁ ଦୁଆର ଖୋଲିବା ସମ୍ଭବ ନଥିଲା । ଦୁଆର ଭାଙ୍ଗିବା  କଥା ଚିନ୍ତା କରାଯାଇନପାରେ । ଅସ୍ୱାଭାବିକ ଶବ୍ଦରେ ପୁଅ ଯଦି ଡରିଯାଇ ଝରକା ବାଟେ ଡେଇଁ ପଡିବ । ଏମିତି ସବୁ କଥା ମନରେ ଆସୁଥାଏ । ଦରୁଆନଙ୍କୁ ଛାତ ଉପରକୁ ଆସିବାକୁ କହିଲି । ଏଥର ମୁଁ କିପରି ଛାତ ଉପରକୁ ଯିବି କେବଳ ତାହାହିଁ ଭାବୁଥାଏ । ପିନ୍ଧିଥିବା ଲମ୍ବା ଗାଉନକୁ ଟିକେ ଟେକିନେଇ ଗଣ୍ଠି କରିଦେଲି । ଛାତ ଉପରକୁ ଯିବାକୁ ହେଲେ ମତେ ପ୍ରାୟ ଛ’ – ସାତ ଫୁଟ ଉପରେ ଥିବା ଛାତର ବାଡ଼ଧରି ଉପରକୁ ଲମ୍ଫ ଦେବାକୁ ହେବ । ସେତେବେଳେ ମତେ ଆଦୌ ଡର ଲାଗୁନଥିଲା । କେବଳ ଲକ୍ଷ୍ୟ ଥିଲା କେମିତି ମୁଁ ଉପରେ ପହଞ୍ଚିବି । କାହାକୁ ଆଶ୍ରା କରି ଚଢ଼ିହେବ ଖୋଜିହେଲି । ଦେଖିଲି ଗୋଟେ ଜାଗାରେ ଆଠ ଦଶ ଇଞ୍ଚ ଉଚ୍ଚର ଗୋଟିଏ ପାଇଖାନା ନଳୀ ବାହାରିଛି । ତା ଉପରେ ଗୋଟେ ଗୋଡ଼ ରଖି ଛାତ ବାଡ଼ରେ ହାତଦେଇ ଭଗବାନଙ୍କ ନାମ ନେଇ  ଗୋଟିଏ ଖେପାରେ  ଚଢ଼ିଗଲି ଉପରକୁ। ସେଇଠି ଯଦି ମୁଁ ଛନ୍ଦି ହୋଇ ଯାଇଥାନ୍ତି ମୋ ଗାଉନରେ ବା ଥରକର ଚେଷ୍ଟା ମୋର ବିଫଳ ହୋଇଥାନ୍ତା, ହୁଏତ ଆଉଥରେ ଚେଷ୍ଟା କରିବାକୁ ରହିନଥାନ୍ତି ମୁଁ । ସିଧା ଖସିପଡ଼ିଥାନ୍ତି ଚାରି ମହଲା ତଳକୁ । ଛାତ ଉପରେ ପହଞ୍ଚିଲା ପରେ ଦୌଡ଼ିଲି ଆମ ଘର ପାଖକୁ । ଏବେ ଘର ଖୋଲିବ କେମିତି ? ଚେୟାରଟିଏ ଟାଣିଆଣି ଦୁଆର ଖୋଲିବାକୁ ପୁଅକୁ ବହୁତ ପ୍ରକାରରେ ବୁଝେଇବାକୁ ଚେଷ୍ଟା କଲି ମୁଁ । ସେ ଖାଲି କହୁଥାଏ ,’ମମ୍ମି, ତୁ ତ ଗାଧୋଉଥିଲୁ, ଏପଟକୁ କେମିତି ଆସିଲୁ ? ମୁଁ ତୋ ପାଖକୁ ଯିବି ।’ ‘ତୁ ଦୁଆର ଖୋଲିଦେ  ଧନ । ତୁ ଦୁଆର ଖୋଲିଲେ ଯାଇ ମୋ ପାଖକୁ ଆସିପାରିବୁ ‘। କଣ୍ଠ ମୋର ଥରୁଥାଏ । ମୋ କଥାଶୁଣି ନିରୀହ ସ୍ୱରରେ ମୋ ପୁଅ କହିଲା, ‘ମୁଁ ଦୁଆର ଖୋଲି ପାରୁନି ମମ୍ମି । ମତେ ଆସୁନି ।’ କହିଲି ,’ଡରନା  । ‘ମୁଁ ଅଙ୍କଲ ମାନଙ୍କୁ କହିଛି । ସେମାନେ ଦୁଆର ଖୋଲିଦେବେ ‘।

ବହୁତ ଚିନ୍ତା କଲାପରେ ସେଇ ସାହସୀ ସୁରକ୍ଷାକର୍ମୀ ଜଣକ ଛାତ ଉପରୁ ତଳକୁ ଓହ୍ଲେଇଲେ ବହୁ କଷ୍ଟ ଓ ସାହସର  ସହିତ । ଝରକା ଦେଇ ଘର ଭିତରେ ପଶିଲେ ଓ ଦୁଆର ଖୋଲିଦେଲେ । ସେତେବେଳଯାଏଁ ମୁଁ ଟିକେ ବି କାନ୍ଦି ନଥିଲି । ପୁଅକୁ ଦେଖି ଦେବାପରେ ମୁଁ ଜୋରରେ କାନ୍ଦି ଉଠିଲି ।  ମୋ ହାତରୁ ଝରୁଥିବା ରକ୍ତ, ଗାଧୁଅଘରେ ପଡିଥିବା ଭଙ୍ଗା କାଚ କିଛିବି ଦେଖିପାରୁନଥିଲି ମୁଁ ।  ମୋ କୁନିପୁଅକୁ କୋଳରେ ଜାକିଧରି କାନ୍ଦୁଥିଲି କେବଳ । ମତେ ଗେଲକରିଦେଇ ମୋ ପୁଅ କହିଥିଲା ,’ଭାରି ଭୋକ । ଖାଇବାକୁ ଦେ ।’

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s