ମାଆଦୁର୍ଗାଙ୍କ ପାଖରେ ଉଜ୍ଵଳ ହୋଇ ଜଳୁଥିଲା ଶହେଏକ ଦୀପ । ମିନାକ୍ଷୀ ତନ୍ମୟ ହୋଇ ଚାହିଁ ରହିଥିଲା ସେଇ ଦୀପଗୁଡିକୁ । ଦୀପଶିଖା ସବୁ ମାଆଙ୍କ ଆଗରେ ଖାଲି ଅଗ୍ନିର ଶିଖାଟିଏ ହୋଇ ଜଳୁନଥିଲେ, ଆଶା ଆଉ ବିଶ୍ୱାସର ଜ୍ୟୋତିରେ ଉଦ୍ଭାସିତ କରୁଥିଲେ ଚତୁଃପାର୍ଶ୍ଵ ।
ଉଡାଜାହାଜରୁ ଦେଖିଥିବା ରାତିର ଆକାଶରୁ ହିଁ ମସ୍କଟ ପ୍ରତି ମାୟା ଆସିଯାଇଥିଲା ମିନାକ୍ଷୀର । କମ୍ପାନୀର ଏକ ପ୍ରୋଜେକ୍ଟ କାମରେ ତାକୁ ବେଶ କିଛିମାସ ରହିବାକୁ ହେବ ଏ ଦେଶରେ । ଯେ କୌଣସି ନୂଆ ଜାଗାକୁ ଗଲେ ପ୍ରଥମରୁ ସେଇ ଜାଗାଟିକୁ ନିଜର କରିନେବାକୁ ଚେଷ୍ଟା କରେ ମିନାକ୍ଷୀ । ବୋଧହୁଏ ସେଥିପାଇଁ ଖୁବ ଶୀଘ୍ର ନିଜକୁ ଖାପ ଖୁଆଇ ନିଏ ସେ ଅଜଣା ପରିବେଶରେ । ଧୀରେ ଧୀରେ ସହଜ ହୋଇଉଠେ ସବୁକିଛି ।
ସକାଳର ଖରା ବିଛେଇ ହୋଇ ପଡ଼ିଥିଲା ଚାରିଆଡ଼ । ପାହାନ୍ତିଆରୁ ଉଠି ମୁଣ୍ଡଧୋଇ ଗାଧୋଇ ପଡିଥିଲା ମିନାକ୍ଷୀ । ସେଦିନ ଥିଲା ଦୁର୍ଗାଷ୍ଟମୀ, ଶନିବାର । ଏ ଦେଶରେ ଶୁକ୍ରବାର ଓ ଶନିବାର ସପ୍ତାହାନ୍ତ ଛୁଟିଦିନ । ରବିବାର ସେ ଅଫିସ ଯିବ । ଗ୍ରୁପ ଲିଡ଼ର ପ୍ରଥମ ଉପାଧ୍ୟାୟ ଏକଥା କହିବାବେଳେ ଟିକେ ହସ ଲାଗିଥିଲା ତାକୁ । ମସ୍କଟରେ ନୂଆ ଅଫିସ, ନୂଆ ସହକର୍ମୀଙ୍କ ସହ ତା’ର ପ୍ରଥମ ଦିନର ଅନୁଭୂତି ଆରମ୍ଭ ହେବ ରବିବାରଠାରୁ । ଭାରତରେ କାମ କରୁଥିବା ତାର ସହକର୍ମୀ ମାନଙ୍କର ଚିର ଇପ୍ସିତ ଛୁଟି ଦିନରୁ ଆରମ୍ଭ ହେବ ତାର ଏ ଦେଶର କର୍ମମୟ ଦିନଟି । କାଚ ଝରକାକୁ ଟିକେ ଖୋଲି ଧରିଲା ମିନାକ୍ଷୀ । ଝରକାର ଅନତି ଦୂରରେ ପାହାଡ଼ ମୁଣ୍ଡିଆଟିଏ । ମନେହେଉଛି ମସ୍ତବଡ ପଥର ଖଣ୍ଡଟିଏ ଯେମିତି କିଏ ରଖିଦେଇଛି ସେଠି । ସାମାନ୍ୟ ଘାସର ସୂଚନା ନାହିଁ । ସୃଷ୍ଟିର ଏକ ଅନିୟମିତତାକୁ ଲକ୍ଷ୍ୟ କଲା ମିନାକ୍ଷୀ । ପାଚିରୀ ସେପାଖେ ମୁଣ୍ଡିଆ ପାହାଡ଼ଟିଏ ଆଉ ପାଚିରୀ ଏପାଖେ – ସବୁଜ ଘାସ ଶେଯ । ନାଲି ନେଳି ରଙ୍ଗୀନ ଫୁଲ ଗଛର ଅପୁର୍ବ ସମନ୍ୱୟ ।
ଏଥର ଝରକାଟିକୁ ପୁରା ଖୋଲିଦେଲା ମିନାକ୍ଷୀ । ଦଲକା ଦଲକା ଥଣ୍ଡା ପବନ ପଶି ଆସିଲା ଘର ଭିତରକୁ । ଅକ୍ଟୋବର ଶେଷ ସପ୍ତାହ । ପ୍ରଥମ ଉପାଧ୍ୟାୟ କହୁଥିଲା ଏଇ ଦିନେ ଦୁଇଦିନ ହେବ ଥଣ୍ଡା ପଡିଛି । ମରୁଭୂମିରେ ଗ୍ରୀଷ୍ମଋତୁ ଏଇମାତ୍ର ଶେଷ ହୋଇଛି ।
‘ମିନାକ୍ଷୀ, ତୁମେ ତ ସାଥିରେ ନେଇଆସିଛ ଅଳ୍ପ ଶୀତୁଆ ମନମତାଣିଆ ଋତୁଟିଏ ।’ କହିଦେଇ ଅଳ୍ପ ହସିଦେଲା ପ୍ରଥମ । ସବୁବେଳେ ନିରସ ଓ ଟିକେ ଋକ୍ଷ ଲାଗୁଥିବା ପ୍ରଥମ ଉପାଧ୍ୟାୟର ମୁହଁରେ ଏଭଳି ହାଲକା କଥାଟିଏ ଶୁଣିବା ପରେ ମଧ୍ୟ ମିନାକ୍ଷୀ ବିଶ୍ୱାସ କରିପାରୁନଥିଲା । ଏୟାରପୋର୍ଟରୁ ସେମାନେ ଆସିବା ସମୟରେ ଗାଡିରୁ ଓହ୍ଲେଇ କିଛି ପାଦ ଏକାଠି ଯିବା ଭିତରେ ପ୍ରଥମ କହିଥିଲା ଏକଥା । ଭାରତରୁ ସେଇମାତ୍ର ଆସିଥିବା ମିନାକ୍ଷୀ ଅଳ୍ପ ଶୀତୁଆ ସୁଲୁସୁଲିଆ ପବନକୁ ନେଇ ସେତେ ବେଶୀ ପୁଲକିତ ନଥିଲା, କିନ୍ତୁ କିଛିଦିନ ଆଗରୁ ଆସିଥିବା ଓ ମରୁଭୂମି ଦେଶର ଶେଷ ଗ୍ରୀଷ୍ମକୁ ପ୍ରତ୍ୟକ୍ଷ କରିଥିବା ପ୍ରଥମ ଉଲ୍ଲସିତ ହେଉଥିଲା ଶୀତକୁ ସ୍ୱାଗତ କରି ।
ଶୀତ ଆସିଥିଲା । ଆସୁଥିଲା ଧୀରେ ଧୀରେ ମସ୍କଟବାସୀଙ୍କୁ ଆବୋରି ନେବାକୁ । ଶରତର ସ୍ୱଚ୍ଛ ଆକାଶ ଆଉ ମନମତାଣିଆ ସୁଲୁସୁଲିଆ ଥଣ୍ଡା ପବନ ଭିତରେ ମାଆ ଦୁର୍ଗାଙ୍କୁ ଆବାହନ କରୁଥିଲେ ମସ୍କଟବାସୀ ଭାରତୀୟ ମାନେ । ପ୍ରଥମ କହିଥିଲା ସେମାନେ ସକାଳେ ହିନ୍ଦୁ ମନ୍ଦିର ଦର୍ଶନ କରିବାକୁ ଯିବେ ।
ପାଚିରୀ ପାଖକୁ ଲାଗିଥିବା ଘାସ ଗାଲିଚା ଉପରେ ଆଖି ପହଁରେଇ ଆଣିଲା ମିନାକ୍ଷୀ । ମେଘ ବର୍ଣ୍ଣର ସାଲୁଆର କମିଜ ପିନ୍ଧି ଦର୍ପଣରେ ଆଉଥରେ ନିଜକୁ ଦେଖିନେଲା ସେ । ଲମ୍ବା ଓଦା ଖୋଲା ବାଳରେ ଦେବୀଙ୍କୁ ଦର୍ଶନ କରିବାକୁ ପ୍ରସ୍ତୁତ ହେଉଥିବା ମିନାକ୍ଷୀ ବେଶ ଶାନ୍ତ ଆଉ ପବିତ୍ର ଲାଗୁଥିଲା ।
ଲିଫ୍ଟରେ ତଳକୁ ଓହ୍ଲେଇ ଆସି ହୋଟେଲ ଲାଉଞ୍ଜରେ ତାକୁ ଅପେକ୍ଷା କରିଥିବା ପ୍ରଥମ ଉପାଧ୍ୟାୟ ପାଖରେ ପହଞ୍ଚିଲା । ପ୍ରଥମ ପିନ୍ଧିଥିଲା ଧଳା ଟ୍ରାଉଜର ଆଉ ପିଆଜ ରଙ୍ଗର କୁର୍ତା । ମିନାକ୍ଷୀକୁ ପ୍ରଥମଥରପାଇଁ ଭଲ ଲାଗିଥିଲା ପ୍ରଥମ । ସବୁବେଳେ ଋକ୍ଷ ଆଉ ଗମ୍ଭୀର ଲାଗୁଥିବା ପ୍ରଥମ କେତେ ହାଲକା ଆଉ ସହଜ ମନେହେଉଥିଲା ତାକୁ । କାଚ କାନ୍ଥର ଆରପଟେ ମୁଣ୍ଡିଆ ପାହାଡ଼ ଆଉ ଘାସ ଗାଲିଚାକୁ ନେଇ ମିନାକ୍ଷୀର ଉତ୍ସୁକତା ପ୍ରଥମକୁ ଗପର ଖୋରାକ ଯୋଗାଇଲା ।
ଏ ଦେଶ ପାହାଡ଼, ସମୁଦ୍ର ଓ ସମତଳର ଏକ ଅପୂର୍ବ ସମନ୍ୱୟ । ପାହାଡ଼ ସବୁ ପଥୁରିଆ, ଟାଙ୍ଗରା ହେଲେ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର । ସମୁଦ୍ରର ପରିଷ୍କାର, ନୀଳ ଜଳରାଶି ଆଉ ସମତଳର ଭରପୁର ସବୁଜିମା ମିନାକ୍ଷୀକୁ ଖୁବ ଶୀଘ୍ର ଆକର୍ଷି ନେବ । ପ୍ରଥମ ଠାରୁ ମସ୍କଟର ଲୋଭନୀୟ ରୂପ, ଶୋଭାର ବର୍ଣ୍ଣନା ଶୁଣିବା କ୍ଷଣି ହିଁ ମିନାକ୍ଷୀ ଭଲପାଇ ବସିଥିଲା ଏ ଦେଶକୁ । ଆକାଶ ମାର୍ଗରୁ ମସ୍କଟକୁ ଦେଖିବା ପରେ ପ୍ରଥମ ଉପାଧ୍ୟାୟ ଦେଇଥିବା ଚୁମ୍ବକୀୟ ପରିଚିତିରେ ମିନାକ୍ଷୀ ମସ୍କଟକୁ ତନ୍ନ ତନ୍ନ କରି ପରଖି ନେବାର, ମସ୍କଟର ସମସ୍ତ ପ୍ରାକୃତିକ ପରିବେଶକୁ ଉପଭୋଗ କରିବାର ନିଶାରେ ମସଗୁଲ ହୋଇ ଉଠିଲା ।
ଓମାନର ରାଜଧାନୀ ମସ୍କଟକୁ ଭଲକରି ଦେଖିନେବାର ପ୍ରଥମ ପର୍ବ ଦେବାଳୟରୁ । ହୋଟେଲରୁ ବାହାରି ସେମାନେ ବେଶ ପ୍ରଶସ୍ତ ରାସ୍ତାରେ ଆଗେଇ ଚାଲିଲେ । ଗାଡିର ମିଟର କଣ୍ଟା ଘୁରୁଥିଲା ଶହେଦଶରୁ ଶହେକୋଡ଼ିଏ କିଲୋମିଟର ପ୍ରତି ଘଣ୍ଟାରେ । ପ୍ରଶସ୍ତ ରାସ୍ତାରେ ଗାଡିର ଏତେ ତୀବ୍ର ଗତି ଆଦୌ ଅନୁଭୂତ ହେଉନଥିଲା । ରାସ୍ତାରେ ଗାଡିର ସଂଖ୍ୟା ମଧ୍ୟ ଖୁବ କମ । ମୁମ୍ବାଇରେ ଅଫିସ ଯିବା ସମୟରେ ରାସ୍ତାରେ ଅସଂଖ୍ୟ ଗାଡିମେଳରେ ନିଜକୁ ଅସହାୟ ମନେକରୁଥିବା ମିନାକ୍ଷୀ ମସ୍କଟର ପ୍ରଶସ୍ତ ରାସ୍ତା ଓ ସ୍ୱଳ୍ପ ଗାଡି କେତୋଟି ଉପରେ ଆଖି ପହଁରେଇ ନେଲାବେଳେ ଭାରି ଖୁସି ଖୁସି ମନେହେଉଥିଲା । ରାସ୍ତାକୁ ବିଭକ୍ତ କରୁଥାଏ ରଙ୍ଗ ବେରଙ୍ଗର ଧାଡି ଧାଡି ଫୁଲ ଗଛ । ଦୁଇପଟେ ଘାସ ଗାଲିଚା । ସବୁ ପରିଷ୍କାର, ବ୍ୟବସ୍ଥିତ । ପ୍ରଥମ ବୁଝାଇଦେଲା କୃତ୍ରିମ ପାଣିର ଫୁଆରା ସବୁଜିମା ସୃଷ୍ଟି କରିଛି ଏ ଦେଶରେ । ପାଣି ଓ ସାର ସରୁ ସରୁ ପାଇପ ମାଧ୍ୟମରେ ଅହରହ ଯୋଗେଇ ଦିଆଯିବା ଫଳରେ ସୁନ୍ଦର ସତେଜ ହୋଇଛି ସମତଳର ସବୁଜିମା ।
ପ୍ରବାସରୁ ଆସି ଅର୍ଥ ବିନିମୟରେ ଅକ୍ଲାନ୍ତ ପରିଶ୍ରମ କରି ଏପରି ସବୁଜ ସୁନ୍ଦର କରି ସଜାଇ ରଖିଛନ୍ତି ଶ୍ରମିକମାନେ । ପ୍ରଥମଠାରୁ ଏକଥା ଶୁଣିବାପରେ ଟିକେ ଦୁଃଖୀ ହୋଇଗଲା ମିନାକ୍ଷୀ । ପ୍ରାକୃତିକ ତୈଳ ସମ୍ଭାରକୁ ନେଇ କେତେ ଧନୀ ହୋଇଯାଇଛନ୍ତି ଏଠାକାର ଅଧିବାସୀ ମାନେ । ଭାରତ, ବଙ୍ଗଳାଦେଶ ,ଫିଲିପାଇନ୍ସ ପରି ଦେଶ ମାନଙ୍କରୁ ଗରିବ ମଜୁରିଆ ମାନଙ୍କୁ ଅର୍ଥ ବିନିମୟରେ ଶ୍ରମିକ କରି ଆଣି ପାରୁଛନ୍ତି । ନିଜ ଦେଶରେ ଛାଡି ଆସିଥିବା ପ୍ରିୟଜନଙ୍କୁ ଝୁରି ହେଉଥିଲେବି ନିଜର ସମସ୍ତ ଶ୍ରମ ଦାନକରି ସୁନ୍ଦର କରି ସଜାଇ ରଖିଛନ୍ତି ସେମାନେ ଏ ଦେଶକୁ । ଆନମନା ହେଲା ମିନାକ୍ଷୀ ।
‘ଦୂରର ସେଇ ଘର ଗୁଡିକୁ ଦେଖୁଛ ମିନାକ୍ଷୀ? ଏଠି ସବୁଘର ଧଳା ରଙ୍ଗର । ଘର ଗୁଡିକ ଆମ ଭାରତ ପରି ବହୁତଳ ବିଶିଷ୍ଟ ନୁହେଁ । ଚାରି ବା ପାଞ୍ଚ ମହଲା ଘର ଗୁଡିକ ଧାଡି ଧାଡି ହୋଇ କେତେ ସୁନ୍ଦର ଦେଖାଯାଉଛି। ମରୁଭୂମି ଦେଶରେ ପ୍ରବଳ ଖରା ଓ ଗରମକୁ ଆଖିରେ ରଖି ଘର ଗୁଡିକର ରଙ୍ଗ ଓ ଉଚ୍ଚତା ନିରୂପଣ କରାଯାଇଛି । ପ୍ରଥମର କଥା ଅନ୍ୟମନସ୍କତା ଭାଙ୍ଗିଥିଲା ମିନାକ୍ଷୀର ।
– ‘ସତେତ, ଏ ଦେଶର ଲୋକମାନଙ୍କର ପୋଷାକର ରଙ୍ଗ ପରି ଘର ଗୁଡିକ ମଧ୍ୟ ଧଳା ।’
– ‘ହଁ, ପୁରୁଷ ଲୋକମାନେ ପିନ୍ଧନ୍ତି ପାଦ ତଳ ପର୍ଯ୍ୟନ୍ତ ଝୁଲି ରହିଥିବା ଧଳା ଗାଉନ ପରି ପୋଷାକ । ଡିସଡାଶା।’
– ‘ପୋଷାକକୁ ଡିସଡାଶା କହନ୍ତି? ‘- ମିନାକ୍ଷୀ ହସିଦେଲା ଟିକେ ।
– ‘ଆଉ ମୁଣ୍ଡରେ ସେମାନେ ପିନ୍ଧିଥିବା ପଗଡ଼ି ପରି ଟୋପିଟିକୁ ମୁଜାର କହନ୍ତି ।’ – ପ୍ରଥମ ବୁଝାଇଦେଲା, ‘ଧୀରେ ଧୀରେ ଏସବୁ ମନେରହିଯିବ ତୁମର । ନିଜ ଦେଶ ବାହାରେ ଅନ୍ୟ ଏକ ଦେଶକୁ ଖୁବ ଭଲକରି ଦେଖିନେବ ଏହି ରହଣୀ ଭିତରେ‘ – ମିନାକ୍ଷୀ ପ୍ରଥମଠାରୁ ଶୁଣୁଥିଲା ସବୁକଥା ଆଉ ନୂଆ ଦେଶଟିକୁ ଚିହ୍ନିବାକୁ ଚେଷ୍ଟାକରି ଉଲ୍ଲସିତ ହେଉଥିଲା।
ମନ୍ଦିର ପାଖରେ ଗାଡି ପାର୍କିଙ୍ଗରୁ ଓହ୍ଲେଇ ଚାରିଆଡକୁ ଦୃଷ୍ଟି ପହଁରେଇ ନେଲା ମିନାକ୍ଷୀ । ମନ୍ଦିର କାଇଁ? କାଇଁ କେଉଁଠି ମନ୍ଦିରର ମୁଖଶାଳା? କେଉଁଠି ମନ୍ଦିରର ଚୂଡ଼ା?
– ‘କେଉଁଠିକୁ ନେଇ ଆସିଲ ପ୍ରଥମ? ଏଠି ମନ୍ଦିର କାଇଁ?’ – ଅନେକ ଦୂର ଯାଏଁ ଲମ୍ବି ଯାଇଥିଲା ମିନାକ୍ଷୀର ଦୃଷ୍ଟି ।
ମିନାକ୍ଷୀର ପ୍ରଲମ୍ବିତ ଦୃଷ୍ଟି ଆଡେ ଚାହିଁ ହସିଥିଲା ପ୍ରଥମ । ଗାଡିରୁ ଓହ୍ଲାଇ ପଡି ଡ୍ରାଇଭର ସିଟରେ ବସିଥିବା ବନ୍ଧୁ ଖାଲିଦକୁ ‘ଅଳ୍ପ ସମୟ ପରେ ଆମେ ଫେରିଆସିବୁ’ କହିଲା ବେଳେ ଲକ୍ଷ୍ୟ କଲା କେରଳି ମୁସଲିମ ବନ୍ଧୁ ଜଣକ ଟିକେ ଅନ୍ୟମନସ୍କ ଥିଲେ । ତାଙ୍କ ମୁହଁରେ ସବୁଦିନର ସେ ସତେଜତା ନଥିଲା । କାହାର ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବାରେ ପ୍ରଥମର ଆଗ୍ରହ ନଥିଲେ ମଧ୍ୟ ସ୍ୱତଃସ୍ଫୁର୍ତ୍ତ ଭାବରେ ପାଟିରୁ ବାହାରି ପଡ଼ିଥିଲା, ‘ସବୁ ଠିକ ଅଛି ତ ଖାଲିଦ ଭାଇ?’
ମିନାକ୍ଷୀ ଗାଡିରୁ ଓହ୍ଲେଇ ଠିଆ ହୋଇଥିଲା ପ୍ରଥମକୁ ଲାଗିକରି । ପ୍ରଥମର ଖାଲିଦକୁ ପ୍ରଶ୍ନ, ଖାଲିଦର ମୁହଁରୁ ପଢିହେଇଥିବା ତାର ମାନସିକ ଅସ୍ଥିରତା, ମିନାକ୍ଷୀର ଅଳ୍ପ ସମୟ ପୂର୍ବର ହଲଚଲ ମନକୁ ସ୍ଥିର କରିଥିଲା । ଖାଲିଦ କେମିତି ଗୋଟେ ବିହ୍ଵଳ ଦୃଷ୍ଟିରେ ଚାହିଁଲା ମିନାକ୍ଷୀକୁ । ପୂଜାରିଣୀ ବେଶରେ ଠିଆ ହୋଇଛି ମିନାକ୍ଷୀ । ଖାଲିଦର ଦୃଷ୍ଟି ମିନାକ୍ଷୀ ଉପରେ ସ୍ଥିର ଥିବାର ଦେଖି ଓ ମିନାକ୍ଷୀର ଅପ୍ରସ୍ତୁତତା ଲକ୍ଷ୍ୟ କରି ପ୍ରଥମ କିଛି କହିବାକୁ ଯିବା ପୂର୍ବରୁ ଗାଡି ଭିତରୁ ଭାସି ଆସିଲା ଖାଲିଦର ଆକୁଳ ସ୍ୱର, ‘ଆପଣ ଦେବୀଙ୍କ ପାଖରେ ଶହେ ଏକ ଦୀପ ପ୍ରଜ୍ଵଳନ କରିପାରିବେ ମୋ ପାଇଁ ?’ ସ୍ତବ୍ଧ ହୋଇଗଲେ ମିନାକ୍ଷୀ ଓ ପ୍ରଥମ ।
-‘ଦୀପ?…’ – ମିନାକ୍ଷୀ ଟିକେ ଆଶ୍ଚର୍ଯ୍ୟ ମିଶା ସ୍ୱରରେ ପଚାରିଦେଲା ।
‘ଆଜ୍ଞା। ଦୁଇଦିନ ପରେ କେରଳରେ ମୋ ଝିଅର କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ । ଆଜି ରାତି ଫ୍ଲାଇଟରେ ମୁଁ କେରଳ ଯାଉଛି’। ‘ଓଃ!’ ମିନାକ୍ଷୀ ଓ ପ୍ରଥମଙ୍କର ସମ୍ମିଳିତ ସ୍ୱରରେ ଭରିରହିଥିଲା ବନ୍ଧୁଙ୍କ ପ୍ରତି ଅସୁମାରି ସମବେଦନା ।
‘ତା ଅମ୍ମୀ କିଡନୀ ଦେବେ ବେଟିକୁ । ଖାଲି ଅପରରେସନଟି ସଫଳ ହେଇଯାଉ, ଏତିକି ମୋ ତରଫରୁ ଦୁଆ ମାଗିବେ ଦେବୀ ମାଆଙ୍କୁ ।’ ମିନାକ୍ଷୀ ଆଡେ ଦୃଷ୍ଟି ସ୍ଥିର କରି ପୁଣି କହିଲେ ସେ, ‘ଆପଣଙ୍କୁ ଦେଖି ମତେ ଲାଗୁଛି ଆପଣଙ୍କ ପ୍ରାର୍ଥନା ଉପରୱାଲା ପାଖରେ ନିଶ୍ଚେ ପହଞ୍ଚିବ ।’ ଏଥର କେବଳ ସ୍ୱରରେ ନୁହେଁ, ଖାଲିଦର ମନର ଆକୁଳତା ବିଶ୍ୱାସର ରୂପନେଇ ଝଲସି ଉଠୁଥିଲା ତା’ ମୁହଁରେ । ପ୍ରଥମର ଦୃଷ୍ଟି ପହଁରିଆସିଲା ମିନାକ୍ଷୀ ଉପରେ । ଶାନ୍ତ, ପବିତ୍ର ଲାଗୁଥିଲା ମିନାକ୍ଷୀ । ସେଇ ମୁହୂର୍ତ୍ତରେ ତାର ବି ସେମିତି ମନେହେଲା ଯାହା ଖାଲିଦ କହିଥିଲା। ଖାଲିଦର ବିଶ୍ୱାସକୁ ସେ ଦେଖିପାରିଥିଲା ମିନାକ୍ଷୀର ଆଖିରେ । ବିଶ୍ୱାସ ରୂପାନ୍ତରିତ ହେଉଥିଲା ଆଶାରେ । ଖାଲିଦର ହାତ ଉପରେ ମୃଦୁ ଚାପ ଦେଇ ପ୍ରଥମ ପ୍ରତ୍ୟୟ ଭରିଥିଲା ତା’ ମନରେ । ଅଳ୍ପ ଦିନର ପରିଚୟ ଓ ବୟସର ତାରତମ୍ୟ ସତ୍ତ୍ୱେ ମିନାକ୍ଷୀ ମଧ୍ୟ ଖାଲିଦକୁ ସାହସ ଦେବାପାଇଁ ମୁହଁ ଖୋଲିଥିଲା । କହିଥିଲା ସାଧାରଣ ସମାବେଦନାଭରା ଧାଡିଟିଏ । କହିଦେଇ ଚାହିଁଲା ପ୍ରଥମ ଆଡେ ।
– ‘ଯିବା?’ କହିଲା ସେ । ମିନାକ୍ଷୀର ଖାଲିଦକୁ ଆଶ୍ୱାସନା ଦେଇ କହିଥିବା ସାଧାରଣ କଥା କେଇପଦ କାହିଁକି କେଜାଣି ଅସାଧାରଣ ଲାଗିଥିଲା ପ୍ରଥମକୁ । ସେମିତି ମୋହଗ୍ରସ୍ତ ହୋଇ ଠିଆ ହୋଇଥିଲା ସେ । ପ୍ରକୃତିସ୍ଥ ହେଲା ମିନାକ୍ଷୀର ଡାକରେ।
ପାଦ ପାଦ ହୋଇ ମନ୍ଦିର ଦିଗରେ ଆଗେଇବା ସମୟରେ ପ୍ରଥମ କହିଲା, ‘ବୟସରେ ବହୁତ ବଡ଼ ହେଲେ ମଧ୍ୟ ଏଇ ଅଲ୍ପ ଦିନ ଭିତରେ ସାଙ୍ଗପରି ମିଶିଛି ଖାଲିଦଙ୍କ ସଂଗେ । ଭାରି ଭଲ ମନର ମଣିଷ ଜଣେ’ । ‘ଦେବୀମାଆ ତାଙ୍କୁ ସବୁ ସଂକଟରୁ ପାରି କରନ୍ତୁ’ – ମିନାକ୍ଷୀ କହିପକେଇଲା ପୁଣିଥରେ ଯାହା ସେ ଖାଲିଦକୁ କହିଥିଲା ଟିକକ ଆଗରୁ । ପ୍ରଥମ ଉଦ୍ଦେଶ୍ୟରେ ପଚାରିଲା, ‘ସତରେ କାହିଁ କେଉଁଠି ମନ୍ଦିର ତ ଦେଖୁନି ମୁଁ ।’ ହସିଲା ପ୍ରଥମ । ‘ଉଣେଇଶହ ସତାଶୀ ମସିହାରେ କିଛି ଗୁଜୁରାଟୀ-ଭରତୀୟ ଭକ୍ତମାନଙ୍କ ଚେଷ୍ଟାରେ ସୁନ୍ଦର କୃଷ୍ଣ ମନ୍ଦିର ଟିଏ ଗଢିଉଠିଛି ଏଠି । ଭାରି ସୁନ୍ଦର ସେ ମୂର୍ତ୍ତି । ଗଣେଶ ମହାପ୍ରଭୁ ଓ ମାଆ ଦୁର୍ଗା ମନ୍ଦିରର ଅନ୍ୟତମ ଦେବଦେବୀ ଭାବରେ ପୂଜା ପାଉଛନ୍ତି । ଛୋଟିଆ ବୁଦ୍ଧ ମନ୍ଦିରଟିଏ ଅଛି ପ୍ରାଙ୍ଗଣରେ । ଖୁବ ଭଲ ଲାଗିବ ତୁମକୁ ।’
ମିନାକ୍ଷୀ ଲକ୍ଷ୍ୟ କଲା, ଦୂରର ଅନୁଚ୍ଚ କୋଠାଟିର ବାହାରେ ଧାଡି ଧାଡି ଗାଡି ରଖି ଓହ୍ଲାଇ ପଡୁଥିବା ଅଚିହ୍ନା ଭାରତୀୟ ବନ୍ଧୁ ଓ ବାନ୍ଧବୀ ମାନଙ୍କୁ । ସେମାନେ ଏକମାତ୍ର ପରିଚୟରେ ପରସ୍ପର ଆଡକୁ ଚାହିଁ ସହାସ୍ୟ ଦୃଷ୍ଟି ବିନିମୟ କରୁଥିଲେ । ସେଇ ଗୋଟିଏ ପରିଚୟ, ଆମେ ଭାରତୀୟ । ସେମିତି କେତେଜଣ ଅଜଣା ବନ୍ଧୁଙ୍କ ସହ ମିଶି ମିନାକ୍ଷୀ ଓ ପ୍ରଥମ ପହଞ୍ଚିଥିଲେ ବେଶ ଗହଳି ଜମିଥିବା ଗୋଟିଏ ଘର ଆଗରେ ।
ମନ୍ଦିର ବାହାରେ ରାସ୍ତା ଉପରେ କଳା ବୁର୍ଖା ପରିହିତା କେତେକ ରମଣୀଙ୍କୁ ଦେଖି ମିନାକ୍ଷୀ ଦ୍ଵନ୍ଦ୍ୱରେ ପଡିଯାଇଥିଲା । ଭିନ୍ନ ସମ୍ପ୍ରଦାୟର ନାରୀ ମାନଙ୍କର ମନ୍ଦିରରେ କଣ କାମ ? ତାକୁ ଆଶ୍ଚର୍ଯ୍ୟ କରି ଫୁଲ ମାଳଟିଏ ବଢ଼େଇ ଦେଲା ପାଖରେ ଠିଆ ହୋଇଥିବା ସ୍ତ୍ରୀ ଲୋକଟି । ମିନାକ୍ଷୀ ଯନ୍ତ୍ରବତ ଧରିନେଲା ମାଳଟି । ପ୍ରଥମ କହିଲା ସେଇ ସ୍ତ୍ରୀ ଲୋକଟି ପିନ୍ଧିଥିବା ପୋଷାକକୁ ‘ଅବାୟା’ କୁହାଯାଏ । ଅବାୟା ସହିତ ମୁଣ୍ଡରେ ସେ ପିନ୍ଧିଛି ‘ହିଜାବ’ । କେଶକୁ ଘୋଡାଇ ରଖିବା ଏଠାର ପରମ୍ପରା ।’ ପ୍ରଥମ ପୁଣି କହିଲା, ‘ଏ ସ୍ତ୍ରୀ ଲୋକଟି ବାଂଲାଦେଶୀ ହୋଇଥାଇପାରେ । ପଇସା କିଛି ରୋଜଗାର କରିବା ଆଶାରେ ଠିଆ ହୋଇଛି ଏଠି ।‘
– ‘ଆମ ଦେଶରେ ମନ୍ଦିରର ପୂଜା ସାମଗ୍ରୀ ଭିନ୍ନ ସମ୍ପ୍ରଦାୟର ଲୋକମାନେ ବିକୁଥିବାର ଦେଖିନି କେବେ ।’ – ମିନାକ୍ଷୀ କହିଲା ଟିକେ ଧୀର ସ୍ୱରରେ । ତା’ ମନର ସେ ପାରମ୍ପରିକ ଋଢ଼ିବାଦୀ ଚିନ୍ତାକୁ ନା ସେ କେବେ ଆଗରୁ ବିଶ୍ଳେଷଣ କରିଥିଲା ନା ସେମିତି କିଛି ଆବିଷ୍କାର କରିଥିଲା ତା’ ନିଜ ଭିତରେ । ପ୍ରଥମ କିଛି ବି ଉତ୍ତର ଦେଇନଥିଲା । ସେଇ ସ୍ତ୍ରୀ ଲୋକଟିକୁ କିଛି ପଇସା ଧରେଇଦେଇ ଆଗକୁ ବଢିଯାଉଥିବା ଲମ୍ବା ଧାଡିଟିରେ ନିଜକୁ ସାମିଲ କରିଦେଇଥିଲା ପ୍ରଥମ । ଫୁଲମାଳଟି ହାତରେ ଧରି ମିନାକ୍ଷୀ ବି ଚୁପଚାପ ଠିଆ ହୋଇଗଲା ତା’ପଛରେ ।
ଘରର ପ୍ରବେଶପଥ ପାର ହେବା ପରେ ମିନାକ୍ଷୀ ଦେଖିଥିଲା ଭିତରେ ଅପୂର୍ବ ସୁନ୍ଦର ମନ୍ଦିରଟିଏ । ବାହାରୁ ସେ ଦେଖିପାରିନଥିଲା ମନ୍ଦିରର ଚୂଡ଼ା , ଭିତରେ ପ୍ରବେଶ କଲାପରେ ଦେଖିପାରୁନଥିଲା ମୁଖଶାଳା । ମନ୍ଦିରରେ ଅପରୂପ ବେଶରେ ସଜ୍ଜିତ ମୟୁରଚୁଳିଆ ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ କିନ୍ତୁ ଦେଖୁଥିଲା ସେ । ବିମୋହିତା ହେଲା ମିନାକ୍ଷୀ । ସେଇଠି ଶ୍ରୀକୃଷ୍ଣଙ୍କ ସାମ୍ନାରେ ଆଣ୍ଠୁମାଡ଼ି ବସିଗଲା ବେଶ କିଛି ସମୟ ।
– ‘ମିନାକ୍ଷୀ, ଚାଲ ମା ଦୁର୍ଗାଙ୍କ ଆଳତି ଆରମ୍ଭ ହୋଇଯିବ ଯେ ।’
ଦୁର୍ଗା ମାଆଙ୍କ ପାଖରେ ବେଶ ଭିଡ଼ । ଆଜି ଅଷ୍ଟମୀ । ଭାରତରେ ମିନାକ୍ଷୀ ଅଷ୍ଟମୀ ତିଥିରେ କାକଲି ସହିତ ଯାଇଛି ବେଙ୍ଗଲି କାଳୀବାଡ଼ି ଦୁର୍ଗା ମଣ୍ଡପକୁ । ଦେଖିଛି ସେମାନଙ୍କର ପୂଜାପ୍ରଣାଳୀ । ପୁଣି ଦଶହରା ଦିନ ଓଡ଼ିଆ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ପୂଜାରେ ଯୋଗ ଦେଇଛି । ନଅଦିନ ପୂଜା ଭିତରେ ତାମିଲ ବାନ୍ଧବୀ କରୁପାଗମ ଘରେ ସଜା ହୋଇଥିବା କଣ୍ଢେଇ ଦେଖିବାକୁ ଯାଇ ତାଙ୍କ ଘରକୁ ଅଳତା କୁଙ୍କୁମ ପାଇଁ ଆସିଥିବା ସଧବା ସ୍ତ୍ରୀ ଲୋକମାନଙ୍କୁ ଦେବା ପାଇଁ କରୁପାଗମ ସହିତ ମିଶି ଥାଳି ସଜାଡିଛି । ପରମ୍ପରା ଅନୁଯାୟୀ ଥାକ ଥାକ ହୋଇ ସଜାହୋଇଥିବା ନୂଆ ପୁରୁଣା କଣ୍ଢେଇ ସଜେଇବାରେ ସାହାଯ୍ୟ କରିଛି ସାଙ୍ଗକୁ ତା’ର । ଏଇଠି କିନ୍ତୁ ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସମସ୍ତେ ଏକାଠି ହୋଇଛନ୍ତି ଗୋଟିଏ ପ୍ରାଙ୍ଗଣରେ । ହୋମ କୁଣ୍ଡରେ ଏକାଠି ଢାଳୁଛନ୍ତି ଘିଅ । ଏକାଠି ଆରାଧନା କରୁଛନ୍ତି ମାଆଙ୍କୁ । ଏକାପରି ।
ପ୍ରଥମ କିଣି ଆଣିଥିଲା ଶହେଏକ ଦୀପ । ଦୀପ ସବୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଜ୍ଵଳିତ କରିବାର ବ୍ୟବସ୍ଥା କରାଯାଇଛି । ସେଇଠି ସେ ଦୁହେଁ ମିଶି ଧାଡି ଧାଡି କରି ସଜେଇଦେଲେ ଦୀପସବୁ । ମିନାକ୍ଷୀ ପ୍ରଥମକୁ କହିଲା ‘ଆମେ ଦଶହରା ଦିନ ଶିବ ମନ୍ଦିର ଯିବା? କହୁଥିଲ ଏଠି ମସ୍କଟରେ ଶିବ ମନ୍ଦିର ଟିଏ ଅଛି ।’ – ‘ହଁ, ମିନାକ୍ଷୀ, ମୋତିଶ୍ୱର ମନ୍ଦିର । ବହୁତ ପୁରୁଣା ମନ୍ଦିର ସେ । ଶହେ ବର୍ଷରୁ ବେଶି ପୁରୁଣା । ଉଣେଶହ ଅନେଶତ ମସିହାରେ ପୁନଃନିର୍ମାଣ କରାଯାଇଛି ମନ୍ଦିରଟି । ଖାଲିଦ ଭାଇ ଜାଣନ୍ତି ଏଠି ମନ୍ଦିର କେତେବେଳେ ଖୋଲିବ ଓ ଭୋଗ ଲାଗିବାର ସମୟ କଣ । କୋଡିଏ ବର୍ଷ ହେଲା ରହିଲେଣି ଏ ଦେଶରେ ସେ । ସବୁ ଧର୍ମର, ସବୁ ପ୍ରାନ୍ତର ଲୋକଙ୍କ ସହ ମିଶିବାରେ ଖୁବ ଆନନ୍ଦ ତାଙ୍କର । ମନ୍ଦିର କେତେବେଳେ ବନ୍ଦ ହେବ ବି ତାଙ୍କୁ ଜଣା । ଫେରିଲାବେଳେ ବୁଝିନେବା ତାଙ୍କଠାରୁ’। ପ୍ରଥମ କହିଲା । ଖାଲିଦ ଭାଇ କହୁଥିଲେ ଦୁଇଦିନ ପରେ ତାଙ୍କ ଝିଅର ଅପରେସନ ହେବ । ବୋଧହୁଏ ସେଇଦିନ’ । ଧିର ସ୍ୱରରେ କହିଲା ମିନାକ୍ଷୀ । ପ୍ରଥମ ଲକ୍ଷ୍ୟ କରିଥିଲା ମିନାକ୍ଷୀ ଆଖିରେ ଚକ ଚକ ହେଉଛି ଦୁଇବୁନ୍ଦା ଲୁହ । ‘ଭାରି ଇମୋସନାଲ ଝିଅଟା’ ସ୍ୱଗତୋକ୍ତି କଲା ସେ । ମିନାକ୍ଷୀ ଉଦ୍ଦେଶ୍ୟରେ କହିଲା ‘ସେଦିନ ଖାଲିଦ ଭାଇଙ୍କ ପାଇଁ ଶହେ ଏକ ଦୀପ ଜାଳିବା ସେଠି ।’ ତଳକୁ ମୁହଁ କରି ଦୀପ ସଜାଡୁଥିବା ମିନାକ୍ଷୀ ଆଖି ଟେକି ଚାହିଁଲା ପ୍ରଥମକୁ । ସେଇଆ ତ ସେ କହିବାକୁ ଯାଉଥିଲା । ଟିକେ ଖୁସି, ଟିକେ ବିଶ୍ୱାସ ତା’ ମୁହଁରେ ହସଟିଏ ହୋଇ ଖେଳିଗଲା ।
ଘଣ୍ଟ ଘଣ୍ଟି ଶବ୍ଦରେ ପ୍ରକମ୍ପିତ ହେଉଥିଲା ଚାରିଆଡ଼ । ଧଳା ଡିସଡାଶା ପରିଧାନ କରି ଜଣେ ଭକ୍ତ ଆଳତି କରୁଥିଲେ ମାଆଙ୍କୁ । ମିନାକ୍ଷୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବାର ଦେଖି ପ୍ରଥମ ବୁଝାଇଦେଲା, କେତେକ ହିନ୍ଦୁ ପରିବାରକୁ ଏ ପୋଷାକ ପିନ୍ଧିବାର ଅନୁମତି ଅଛି । ସେମିତି କେଉଁ ସମ୍ଭ୍ରାନ୍ତ ପରିବାରର ଲୋକ ହୋଇଥିବେ ଏ ଭକ୍ତ ଜଣକ । ମିନାକ୍ଷୀକୁ ଏକଥା ଆଚମ୍ବିତ ଲାଗିଥିଲା । ନୂଆ ଦେଶର ଆଉ ଏକ ଅଦେଖା ପୃଷ୍ଠା ଓଲଟି ଯାଇଥିଲା ତା ଆଖି ଆଗରେ । ଦେବୀଙ୍କ ସମ୍ମୁଖରେ ଜଳୁଥିଲା ତାଙ୍କର ଶହେ ଏକ ଦୀପ । ମିନାକ୍ଷୀ ତନ୍ମୟ ହୋଇ ଚାହିଁ ରହିଥିଲା ସେ ଦୀପ ଶିଖାକୁ । ଗାଡି ଭିତରେ ଖାଲିଦ ଭାଇ ବି ମନେମନେ ସୁମରଣା କରୁଥିବେ ଆଲ୍ହାଙ୍କୁ । ସୁମରଣା କରୁଥିବେ ନିଶ୍ଚୟ ମାଆ ଦୁର୍ଗା ଦେବୀଙ୍କୁ ବି, ଯାହାଙ୍କ ପାଖରେ ତାଙ୍କ ନାଁ ରେ ଜଳୁଛି ଶହେ ଏକ ଦୀପ । ଉଜ୍ଵଳ ହୋଇ ଜଳୁଥିଲା ଦୀପ ସବୁ । ଆଶା ଆଉ ବିଶ୍ୱାସର ଜ୍ୟୋତି ବିଛୁରିତ ହୋଇପଡୁଥିଲା ଚତୁଃପାର୍ଶ୍ଵରେ ।
(ପୂଜା ସଂଖ୍ୟା 2021 ଅର୍ପିତାରେ ପ୍ରକାଶିତ)
****