‘ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?’ ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, ‘ଏଇଟା କୋଉ ଜାଗା? ଘର ଆଉ କେତେବାଟ?’ – ଚିଡିଗଲା ରଘୁନାଥ । ସେ ଯେ ଝରକାର କୁନି ଫାଙ୍କ ଭିତରୁ ଜାଗାଟି ଠଉରେଇ ପାରୁନି, ସେକଥା ନକହି କହିଲା, ‘କଣ ପାଇଁ ଗୋଟେ ଘର ଘର ହେଉଛ? ଚୁପ ହୋଇ ବସିପାରୁନ? ଘର ପାଖ ହେଲେ କଣ୍ଡକ୍ଟର ବଳେ ଉଠେଇ ଦେବନି?’ ନୀଳିମା ଆଘାତ ପାଇ ଆଖି ଛଳ ଛଳ କଲା । ନରମି ଗଲା ରଘୁନାଥ ।
ସେମାନେ ଘରେ ପହଞ୍ଚିଲେ । ବ୍ୟାଗରୁ ଚାବି ଦରାଣ୍ଡି ପାଇବାକୁ ଟିକେ ସମୟ ନେଲା ନୀଳିମା । ଘରେ ପଶୁ ପଶୁ ରଘୁନାଥ ଫୋନ ଉଠେଇ ମାଆକୁ ‘ବସାରେ ପହଞ୍ଚିଗଲୁ’ କହିଲାବେଳେ ନୀଳିମା ଟିକେ ହସିଦେଲା । ରଘୁନାଥ ପଚାରିଲା, ହସିଲ ଯେ?’ ନୀଳିମା କହିଲା ‘ବସା କହିଲ ଯେ – ତୁମପାଇଁ ଏ ବସା ହୋଇପାରେ, କିନ୍ତୁ ମୋ ପାଇଁ ଏଇଟି ଘର । ଯେଉଁଠି ତୁମେ ଅଛ, ସେଇଟି ତ ମୋ’ ଘର ।‘ ରଘୁନାଥ ନୀଳିମାର ଆଖିକୁ ଚାହିଁଥିଲା । ନୀଳିମାର ସରଳ ଚାହାଣୀରେ ନଥିଲା ଛଳନା । ବରଂ ଏମିତି କିଛି ଥିଲା, ଯାହା ରଘୁନାଥର ହୃଦୟ ଯାଏଁ ପ୍ରସରି ଯାଇଥିଲା କୋମଳ ସିତ୍କାରଟିଏ ହୋଇ….
****