ବେଳାଭୂମି ଲମ୍ବି ଯାଇଛି କାହିଁ କେତେ ଦୂର । ବାଲି, ବାଲି ଆଉ ବାଲି । ତା ଭିତରେ ଉଠା ଦୋକାନ, ଘୋଡାଗାଡି, ବୁଲା ବିକାଳି, କିଛି ଲଙ୍ଗଳା ପିଲା, କିଛି ସୁତୁରା ବାବୁଭାୟା, ସମୁଦ୍ରର କୂଳ ଲଂଘୁଥିବା ପାଣି, ଆଉ ସେ ଲହରିରେ ଉଦ୍ଦାମ ହେଉଥିବା ଯୁବକ ଯୁବତୀ । ପ୍ରସାରିତ ପଲକ ଭିତରେ ଅନେକ ଭୋଗ୍ୟ ଦୃଶ୍ୟ । ଯେମିତି ବିରାଟ ସେଇ ଶଂଖଟି, ଯେଉଁଟି ଏବେ ଏବେ ବେଳାଭୂମି ଅକ୍ତିଆର କରି ବସିଛି । ଆଲୁଅ, ନାଲି କାଗଜ, ବେଲୁନରେ ସଜେଇ ହୋଇଥିବା ରଙ୍ଗବେରଙ୍ଗ ଉଠାପକା ଦୋଳି । ଆଉ ତା’ ଭିତରେ ତୁ । ଅନେକ ଦିନପରେ ତତେ ଦେଖିଲି। ପ୍ରାୟ ଦଶମାସ ପରେ। ଭାରି ଦୁର୍ବଳ ଲାଗୁଥିଲୁ।
ତତେ ଦେଖିଥିଲି ତୋ’ ଘରେ। ଜୈସଲମାରରେ। ଦଶମାସ ତଳେ। ଆଃ, କେତେ ଉତ୍ଫୁଲ୍ଲ ଲାଗୁଥିଲୁ ତୁ । ରାଜା ପରି ଚାଲୁଥିଲୁ। ସାରା ମରୁଭୂମିଟିକୁ ଚାହୁଁଥିଲୁ ରାଜକୀୟ ଠାଣିରେ। ସେଦିନ ବାଲୁକା ସ୍ତୁପ ଗୁଡିକ ଉପରେ ଚଢା ପକା ଖେଳ ଖେଳି ନୂଆ ଅନୁଭୂତିରେ ଉଲ୍ଲସିତ ହୋଇ ବାଲି ପାହାଡ଼ରୁ ଓହ୍ଲେଇ ଆସିଲା ବେଳକୁ ବିସ୍ତାରିତ ବାଲି ଇଲାକାରେ ରଙ୍ଗ ବେରଙ୍ଗର ତମ୍ବୁ ଦେଖିଥିଲି । ସ୍ଥାନୀୟ ଲୋକଙ୍କ ସହ ବନ୍ଧୁତା କରି, କିଛି ସୁନ୍ଦର ରାଜସ୍ଥାନୀ ଜିନିଷ କିଣି ଫେରିଲା ବେଳକୁ ଦେଖିଲି ତତେ। ମୋ ପୁଅ ତୋ ପିଠିରେ ବସି ଦୁଇ ଘେରା ବୁଲି ଆସିଲା। ଭାରି ଖୁସି ଖୁସି ଲାଗୁଥିଲୁ ତୁ। ତୋ ଘର, ତୋର ନିଜସ୍ୱ ପରିବେଶ ବାଲୁକାରାଜ୍ୟ ଆମକୁ ବୁଲେଇ ଦେଖେଇଲାବେଳେ ତୁ ଭାରି ଆଶ୍ୱସ୍ତ ଲାଗୁଥିଲୁ । ଉଲ୍ଲସିତ ଲାଗୁଥିଲୁ ।
ଆଜି ଦଶମାସ ପରେ ତତେ ଦେଖିଲି। ଖୁବ ଦୁର୍ବଳ ହୋଇଯାଇଛୁ ତୁ। ତୋ ଦେହରୁ ଦୁର୍ଗନ୍ଧ ବାହାରୁ ଥିଲା। ତୋର ଦୁର୍ବଳ ଗୋଡକୁ ଚାବୁକରେ ପିଟି ପକାଉଥିଲା ସେ ନିର୍ଦ୍ଦୟ ଲୋକଟି । ତୁ ବିକଳ ହୋଇ ଚାହୁଁ ଥିଲୁ ଏ ପାଖ, ସେପାଖ । ମତେ ଦେଖିପକେଇ ତୁ ଟିକେ ଆନମନା ହୋଇଗଲୁ – ନା’ ରେ ? ମୋ ପୁଅକୁ ତୋ ଉପରେ ବସେଇ କିଛି ପଇସା ରୋଜଗାର କରିବା ପାଇଁ ସେ ଲୋକଟି ମତେ ଭିଡି ପକାଉଥିଲା। ସେଦିନ ଜୈସଲମାରରେ ତୋ ଉପରେ ବସିବାକୁ ଅଥୟ ହେଉଥିବା ମୋ ପୁଅ କିନ୍ତୁ ଆଜି ତୋ’ର ଅପରିଷ୍କାର ପିଠି ଉପରେ ବସିବାକୁ ଆଦୌ ରାଜି ନ ଥିଲା। ତୁ ମତେ ଚାହିଁଥିଲୁ ବିକଳ ଦୃଷ୍ଟିରେ। ଆଜି ତୁ ମୋ’ ଘରେ । ତୋ ଘରେ ତୁ କେତେ ଖୁସି ଥିଲୁ । ସେଠି ଆଖପାଖରେ ବାଲି – ଏଠି ବି ବାଲି । ତୁ ମରୁଭୂମିର ଜୀବ । ଏଠି ବେଳାଭୂମି ବାଲିରେ ତୁ ଯେ ଆକ୍ତାମାକ୍ତା ହୋଇଯାଉଛୁ – ସେ କଥା ଏଇ ଲୋକ ମାନେ ବୁଝି ପାରୁନାହାନ୍ତି କାହିଁକି?? ମତେ ବଡ ମାଡ଼ି ପଡୁଥିଲା । ମୋ ଘରେ ତତେ ଦେଖିଲା ପରେ ବି ମୁଁ ଖୁସି ହୋଇପାରୁ ନ ଥିଲି, ଯେମିତି ତୁ ହୋଇଥିଲୁ ତୋ ରାଇଜରେ ମୋତେ ଦେଖିକରି । ତୋ ପିଠି ପଛରେ ତୋ ନାଁ ଲେଖା ପଟିଟା ସେମିତି ଝୁଲୁଥିଲା । ମୁଁ ତତେ ଠିକ ଚିହ୍ନି ପାରୁଥିଲି। ତୋ ସାଙ୍ଗରେ କିନ୍ତୁ ଆଖି ମିଳେଇ ନ ପାରି ମୁଁ ଫେରିଆସିଥିଲି। ଚୁପଚାପ । ଭଙ୍ଗା ହୃଦୟରେ । ଅସହାୟ ଭାବରେ…
****