ଦି’ଟା ସେଫ୍ଟିପିନ୍ ଦେଇ ବ୍ଲାଉଜର ଚିରା କାଖକୋଣକୁ ମଜଭୁତ କରିନେଲା ନଳିନୀ । ନାଃ, ଆଉ ଦିଶୁନି ତା’ର ଫୁଙ୍ଗୁଳା ଦେହ । ଶାଢ଼ୀର କାନିକୁ ବେଢ଼େଇ ନେଲା ଦେହରେ । ରଙ୍ଗ ଛାଡି ମଳିନ ଦିଶୁଥିବା ଗୋଲାପୀ ରଙ୍ଗର ଏଇ ଶାଢ଼ୀଟି ଭାରି ପ୍ରିୟ ତା’ର । ଦିଦି କହିଯାଇଛନ୍ତି ଶୀଘ୍ର ଶୀଘ୍ର ଛୁଆମାନଙ୍କୁ ନେଇ ହଲରେ ଏକାଠି ହେବାକୁ । ସେମାନଙ୍କୁ ଜାମା-ପ୍ୟାଣ୍ଟ ଖଣ୍ଡେ ଖଣ୍ଡେ ପିନ୍ଧେଇବାକୁ ହେବ । ସାନ, ବଡ଼ ହୋଇ ଦଶଜଣ ସେମାନେ । ଦିଦି ସେମାନଙ୍କ ନାଁ ରେଜିଷ୍ଟର କରିଛନ୍ତି କହୁଥିଲେ । ଖୁବ ଶୀଘ୍ର ସରକାରୀ ଅନୁଦାନ ଆସିଯିବ । ମୁଣ୍ଡ ଉପରେ ଛାତଟିଏ ଅଛି ଆଉ ଦିନକୁ ଦି’ବେଳା ଦି’ମୁଠା ଖାଇବା ଯୋଗାଡ଼ ହୋଇଯାଉଛି, ସେଇ ବଡ଼ କଥା । ଅନୁଦାନ ଆସିଗଲେ ସବୁ ଠିକ ହୋଇଯିବ । ଏଥର କାଗଜପତ୍ର ଦାଖଲ କରିସାରିବାପରେ ଦିଦି ଖୁବ ଆଶାୟୀ ଥିଲେ। କିନ୍ତୁ କରୋନା ମହାମାରୀ ଆସି ସବୁ କାମ ଠପ୍ ହୋଇଗଲା । ନହେଲେ ଏତେବେଳକୁ ନୂଆ ଘରକୁ ଉଠିଯା’ନ୍ତେଣି ସମସ୍ତେ ।
ଗୋରୁ ଗୁହାଳ ପରି ଦି’ ବଖରା ଘର ଆଉ ଲମ୍ବା ଗୋଟିଏ ଅଣ ଓସାରିଆ ହଲକୁ ନେଇ ଦିଦିଙ୍କର ଏଇ ଅନଥାଶ୍ରମଟି କଷ୍ଟେ ମଷ୍ଟେ ଚାଲିଛି ଦି’ବର୍ଷ ହେଲା ।
ଆଜି କେହିଜଣେ ପିଲାମାନଙ୍କପାଇଁ ଦିନବେଳାର ଖାଇବା ଆଣିଦେବେ କହିଛନ୍ତି । ତାଙ୍କ ଘରେ ହେବାକୁ ଥିବା କୌଣସି ଏକ ଉତ୍ସବକୁ ସେ ଏଇ ଗରିବ ପିଲାମାନଙ୍କୁ ଖାଇବାକୁ ଦେଇ ପାଳନ କରିବେ । ଭଲ କଥା । ଦିଦି ଖବରଟି କହିଲେ ଆଉ ‘ଭାରି ପୁଣ୍ୟ କାମ ଇଏ’, କହି ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ।
ନଳିନୀ କିନ୍ତୁ ଭାବୁଥିଲା ଅଳ୍ପ ଦିନ ତଳେ ଆଉ ଜଣେ ବାବୁ ଏମିତି ଖାଇବା ନେଇ ଆସିଥିଲେ । ସାଙ୍ଗରେ ବାବୁଆଣୀବି । ପିଲାମାନେ ଖୁବ ଖୁସିହୋଇଥିଲେ ସେଦିନ । ପୁରୀ, କ୍ଷୀରି, ମିଠା, ତରକାରୀ – କେତେ ସୁଆଦିଆ ଖାଇବା । ସବୁଦିନ ଭାତ, ଡାଲମା ଖାଇ ଖାଇ ଅରୁଚି ଧରିଥିବା ପାଟିକୁ ଏ ଯେମିତି ଦିବ୍ୟ ଭୋଜନ । ପିଲାଏ ଖୁବ ଖୁସିରେ ଖାଇବାରେ ଲାଗିଥାନ୍ତି ଆଉ ବାବୁ ବାବୁଆଣୀ ଫଟୋ ଉଠେଇବାରେ ।
ଧାଡି ହୋଇ ବସିଥିବା ସେଇ ପିଲାମାନଙ୍କ ଠାରୁ ଟିକେ ଦୂରତା ରକ୍ଷା କରି ଫଟୋ ଉଠାଇଲାବେଳେ ପିଲାମାନଙ୍କର ଚିରା ଜାମା ପ୍ୟାଣ୍ଟ ଦେଖି ବାବୁ ଟିକେ ଚଢା ଗଳାରେ ଦିଦିଙ୍କୁ କହିଥିଲେ, ‘ପିଲାଙ୍କୁ ଭଲ ପିନ୍ଧିବାକୁ ଦେଉନ? କଣ ଏମତି ଭିକାରୀ ପିଲା ପରି ଚିରା ଲେଙ୍କେଡା ପିନ୍ଧିଛନ୍ତି ଛୁଆଗୁଡା?’ ଦିଦିଙ୍କ ମୁହଁ ଶୁଖିଯାଇଥିଲା । ‘ସରକାରୀ ଅନୁଦାନ ମିଳିଗଲେ ଆମ ଅବସ୍ଥା ସୁଧୁରି ଯିବ’ । ଦିଦିଙ୍କ କଥା ବାବୁଙ୍କୁ ପ୍ରଭାବିତ କରିଥିଲା କି ନା କେଜାଣି ! ବାବୁଆଣୀ ଫିସ୍ ଫିସ୍ କରି କିଛି କହିଲେ ବାବୁଙ୍କ କାନରେ, ବାବୁଙ୍କ ମୁହଁ ଉଜ୍ଜ୍ୱଳ ଦିଶିଲା । ‘ମୁଁ ଫେସ ବୁକରେ ଛାଡ଼ିବି ଫଟୋ । ଗରିବ ପିଲାଗୁଡ଼ାକ ଯେତେ ଅଧିକ ଗରିବ ଦିଶିବେ, ମୋ ସାଙ୍ଗମାନେ ସେତେ ଅଧିକ ପ୍ରଶଂସା କରିବେ ମୋତେ । ଲାଇକସ୍ ବି ବେଶୀ ମିଳିବ’ । ବାବୁଆଣୀ ବେଶୀ ବେଶୀ ପ୍ରସନ୍ନ ଦିଶୁଥିଲେ କଥାଟି ବାବୁଙ୍କୁ କହିଦେବା ପରେ । ତାଙ୍କ ପ୍ରସନ୍ନ ମୁହଁ ଦେଖି ବାବୁ ଚୁପ ହୋଇଗଲେ ।
ସେମାନେ ଗଲାପରେ ବେଶ କିଛି ସମୟ ଦିଦି ଚୁପ ହୋଇ ବସିଲେ । ପରଦିନ ନୂଆ ଜାମା-ପ୍ୟାଣ୍ଟ ଆଣିଥିଲେ ଛୁଆଙ୍କ ପାଇଁ । ନଳିନୀକୁ କହିଥିଲେ, ‘ଏମିତି ବାହାର ଲୋକ ଆସିଲେ ଏ ଜାମା-ପ୍ୟାଣ୍ଟ ଗୁଡାକ ପିନ୍ଧେଇଦେବୁ । ଟିକେ ସାଇତି କି ରଖିବୁ ଏତକ’ । ନଳିନୀ ଜାଣେ ସେତକ ଯୋଗାଡ଼ କରିବାକୁ ଦିଦିଙ୍କୁ କେତେ କଷ୍ଟ କରିବାକୁ ପଡିଥିବ ।
ସବୁ ଛୁଆଙ୍କୁ ସାଇତି ରଖିଥିବା ସେ ଜାମାପ୍ୟାଣ୍ଟ ଗୁଡିକ ପିନ୍ଧେଇ ଦେବା ପରେ କେମିତି ଟିକେ ଆଶ୍ୱସ୍ତ ଅନୁଭବ କରୁଥିଲା ନଳିନୀ । ସେ ବି ଗୋଲାପୀ ଶାଢୀରେ ଠିକ ଠାକ ଦିଶୁଥିବ । ଦିଦିଙ୍କୁ ଖରାପ କଥା ଶୁଣିବାକୁ ପଡିବନି ଗଲଥର ପରି । ହଲରେ ପିଲାମାନେ ଧାଡିହୋଇ ବସିଥିଲେ । ଖାଇବା ପରଶି ଦେଇ ବାବୁ ବାବୁଆଣୀ ପିଲାଙ୍କ ପାଖରେ ଆପଣାର ହୋଇ ବସିଥାଆନ୍ତି, ‘ଆଉ ଟିକେ ତରକାରୀ ଦେବି ଧନ, ଖଣ୍ଡେ ପୁରୀ?’ । ବାବୁ ବାବୁଆଣୀ କୋଳେଇ କାଖେଇ ଖୁଆଉଛନ୍ତି ଛୁଆ ମାନଙ୍କୁ । ନଳିନୀ ଭାବୁଥିଲା, ଏ ବାବୁ ମାଆ ଫଟୋ ଉଠେଇବେନି କି? କାଲି ଖବର କାଗଜରେ ବହାରିବନି କି ଫଟୋ? ବାବୁ ମାଆଙ୍କ ସହ କୁନି, ଟିକୁ, ରାଣୀଙ୍କର ଫଟୋ । ମନେପଡୁଥିଲା ଗତଥର ଖବରକାଗଜରୁ ଦିଦି ଦେଖାଉଥିଲେ ତା’ ଫଟୋ । ଫଟୋଟି ଦେଖିଲା ବେଳେ ନଳିନୀ ନିଜକୁ ନଦେଖି ଦେଖୁଥିଲା ଛୁଆମାନଙ୍କୁ । ମାଆଙ୍କର ଟିକେ ପାଖକୁ ଲାଗିଯାଇଥିଲା ବୋଲି ମାଆଙ୍କ ଠାରୁ ଗାଳିଖାଇ ଟୁକୁନି ଆଖିରୁ ଝରିଆସିଥିବା ଲୁହ ଧାରଟି ଫଟୋରେ ସ୍ପଷ୍ଟ ଦେଖିପାରୁଥିଲା ନଳିନୀ ।
ବାବୁ ମାଆ ଚାଲିଗଲେଣି । ପିଲାଏ ଖାଇ ପିଇ ବାବୁ ମାଆ ଦେଇଥିବା ଖେଳନା ନେଇ ଖେଳୁଛନ୍ତି । ପାଟିତୁଣ୍ଡରେ ଦୁଲୁକୁଛି ଘର । ନଳିନୀ ଭାବୁଥିଲା, ବାବୁ ମାଆ ଫଟୋ ତ ନେଲେନି? ଦିଦିଙ୍କୁ ଟିକେ ସାହସ କରି କହିଲା ତା’ ମନକଥା । ଦିଦି ହସିଦେଲେ କହିଲେ,’କହନ୍ତି, ଡାହାଣ ହାତରେ କାହାକୁ କିଛି ଦାନ କରିବା ସମୟରେ ବାଁ ହାତକୁ ଯଦି ଖବର ନଯାଏ, ତେବେ ଭଗବାନ ଖୁସି ହୁଅନ୍ତି । ଫଟୋ ନେବା କଣ ଦରକାର ? ଦେଖିଲୁନି କି ପିଲାମାନଙ୍କୁ କେତେ ଶ୍ରଦ୍ଧାରେ ବାବୁ ମାଆ ଖୁଆଉଥିଲେ, ଆଉ ଖୁସି ହେଉଥିଲେ ସେମାନଙ୍କ ସହ । ସେ ଦୁହେଁ ଫଟୋରେ ନୁହେଁ , ତାଙ୍କ ଆଖି ପଲକରେ ବାନ୍ଧି ନେଇଛନ୍ତି ସେସବୁ । ଫଟୋ ଠାରୁ ଆହୁରି ସୁନ୍ଦର କରି ସଜେଇ ହୋଇଯାଇଥିବ ଆଜିର ଦିନଟି ତାଙ୍କ ହୃଦୟ ଭିତରେ’ ।
ସତେତ …ନଳିନୀ ମୁହଁରେ ଖେଳେଇ ହୋଇଯାଇଥିଲା ଖୁସିର ହସ ଧାରଟିଏ…
****