ଦେହି ପଦପଲ୍ଲବମ୍…..

ଭାରି କ୍ଳାନ୍ତ ଲାଗୁଥିଲା ତା’କୁ । ଅଫିସରେ ଆଜି ଖୁବ ଖଟିଛି । ତା’ ଉପରେ ଲଞ୍ଚ ପରେପରେ ଆସିଥିବା ସମୀକ୍ଷାର ଫୋନରେ ବେଶ ବିବ୍ରତ ହୋଇ ପଡିଛି ସେ । ସମୀକ୍ଷା କହିଥିବା କଥାଗୁଡା ସେତେବେଳେ ବଡ ଅସ୍ଥିର କରିଥିଲା ତାକୁ । ଖୁବ ବିରକ୍ତିକର ଥିଲା ସମୀକ୍ଷାର ସ୍ଵର । ତା’ କଥା ଶୁଣିବାର ଧୈର୍ଯ୍ୟ ହରେଇବସିଥିଲା ପ୍ରତୀକ। ଇୟରଫୋନର ଭଲ୍ୟୁମ କମାଇ ନେଇ ନିଜକୁ ସୁଇଚଡ ଅଫ କରି ନେଇଥିଲା । କିଛିବି  ଶୁଣିବାକୁ ସେ ସମୟରେ ନା ଥିଲା ତା’ର ଇଚ୍ଛା, ନା ସମୟ । ସମୀକ୍ଷା କିନ୍ତୁ କହୁଥିଲା – କହିଚାଲିଥିଲା ଅନର୍ଗଳ । ପ୍ରତୀକ ପାଖରେ ସମୟ ଅଛି କି ନା, କି ପ୍ରକାର ମାନସିକ ଅବସ୍ଥାରେ ଗତି କରୁଛି ସେ, ସେ ସବୁ ଜାଣିବାର ଚେଷ୍ଟା ବି ନଥିଲା ସମୀକ୍ଷାର ।

ଏମିତି ତ ସମୀକ୍ଷାର ଫୋନ ଆସିବା ପୂର୍ବରୁ ଖୁସି ଥିଲା ପ୍ରତୀକ । ଖାଲି ଖୁସି ନୁହେଁ, ଅନେକ ଦିନର ମାନସିକ ଦୁଶ୍ଚିନ୍ତା ପରେ ସେଇଟିକକ ଖୁସିକୁ ମନଭରି ଉପଭୋଗ  କରିବାକୁ ଚାହୁଁ ଥିଲା ସେ । ହୁଏତ ସମୀକ୍ଷା ସହ ମଧ୍ୟ ତା’ର ଖୁସି ବାଣ୍ଟିବାର ପ୍ରବଳ ଆକାଂକ୍ଷା ଥିଲା ତା’ ଭିତରେ । କିନ୍ତୁ ଫୋନରେ ସମୀକ୍ଷାଠାରୁ ଭାସି ଆସୁଥିଲା ତିରସ୍କାରର ବନ୍ୟା । ସାଉଣ୍ଡ  କମେଇଦେବାପରେ ଆଉ  କିଛି ଶୁଣାଯାଉନଥିଲା ତାକୁ । ସମୀକ୍ଷା  କହୁଥିଲା ଓ ଧରି ନେଇଥିଲା ସବୁଥର ପରି ଏଥର ମଧ୍ୟ ପ୍ରତୀକ ସବୁ ଶୁଣୁଥିବ । ପ୍ରତୀକ ପ୍ରତ୍ୟୁତ୍ତର ଫେରାଇ ନ ଥିଲା ।     

ରାତି ଗୋଟାଏ ବାଜିବାକୁ ଯାଉଛି । ଆପାର୍ଟମେଣ୍ଟର ଜଗୁଆଳି ଛୋଟ ଚେୟାରଟି ଉପରେ ବସି ରାତି ଉଜାଗରର ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଏଇ ନିର୍ଦ୍ଦିଷ୍ଟ ଜଗୁଆଳିଟି ପାଇଁ ପ୍ରତୀକର ଟିକେ ଦୁର୍ବଳତା ରହିଛି । ତା’ରି  ବୟସର ଯୁବକଟିଏ । ବୟସ ଏଇ ବତିଶ – ତେତିଶ ବର୍ଷ ହେବ । ନୂଆ ନୂଆ ରାତି-ଜଗୁଆଳି କାମଟିରେ  ଯୋଗ ଦେଇଛି ସେ । ସାରା ରାତି ଅନିଦ୍ରା ରହି ଅନ୍ୟ ମାନଙ୍କର ନିଶ୍ଚିନ୍ତ ନିଦ୍ରାର କାରଣଟିଏ ହେବା  ପାଇଁ ତା’ର ଉଦ୍ୟମ ସତରେ ପ୍ରଶଂସନୀୟ । ହନୁମାନ ଚାଳିଶା ବହିଟିଏ ହାତରେ ଧରି ସାରା ରାତି ଅନିଦ୍ରା ବସିଥାଏ ସେ । ଅନ୍ୟ ଜଗୁଆଳି ମାନଙ୍କ ପରି ଏଠି ସେଠି ଢୁଳେଇବା ଅବସ୍ଥାର ଧରପଡ଼ିନି କେବେ । ଛୋଟ କଲୋନୀଟିଏ । ପ୍ରାୟ ତିରିଶଟି ଘର । ନବେ ପ୍ରତିଶତ ବାସିନ୍ଦା ଆଇ ଟି ସଂସ୍ଥା ମାନଙ୍କରେ କାମ କରନ୍ତି । କିଏ ବାରଟା ବା କିଏ ରାତି ଗୋଟାଏରେ  ଘରକୁ ଫେରନ୍ତି । ନୀତିଶର କର୍ତ୍ତବ୍ୟନିଷ୍ଠାକୁ ନେଇ ବେଶ ଚର୍ଚ୍ଚା ହୁଏ ସୋସିଆଲ ଗ୍ୟାଦରିଙ୍ଗ ଗୁଡିକରେ ।                 

ପ୍ରତୀକ ଦୃଷ୍ଟି ବିନିମୟ କଲା ନୀତିଶ ସହ । ସମ୍ଭ୍ରମତାର ସହ ଗୁଡ ନାଇଟ କହିଲା ସେ । ସ୍ମିତ ହସଟିଏ ଖେଳିଗଲା ତା’ର ମୁଖ ମୁଦ୍ରାରେ ।  ଜୋର କରି ସେ ହସେନି । ହସଟିଏ ଆପେ ଆପେ ପହଁରିଆସେ ପ୍ରତୀକକୁ ଦେଖିଦେଲେ ନୀତିଶର ମୁହଁରେ – ସ୍ଵତଃ । ସ୍ଵତଃ ହସର ସେଇ ସାମାନ୍ୟ ଝଲକଟିକୁ ଅନୁଭବିପାରେ ପ୍ରତୀକ । ସେ ହସ ସିଧା ଆସି ହୃଦୟକୁ ଛୁଏଁ ।  ଛୁଇଁ ଥିଲା ମଧ୍ୟ । ଏତେ ବେଶୀ ମାନସିକ ଦ୍ଵନ୍ଦ୍ଵ ଭିତରେ ଥାଇ ବି ପ୍ରତୀକ ପ୍ରତ୍ୟୁତ୍ତର  ଫେରାଇଲା, ’ଗୁଡ ନାଇଟ’। ତା’ପରେ ଜୋର ଜୋର ପାଦ ପକାଇ ଲିଫ୍ଟ ଆଡେ ଚାଲିଗଲା ।

ସମୀକ୍ଷା ଏଇମାତ୍ର ଫେରିଛି ବୋଧହୁଏ । ମାଇକ୍ରୋୱେଭରେ ଖାଇବା ଗରମ କରି ଖାଇନେଇ ରୁମରେ ପଶି ଗଲାଣି ସେ । ଖୁଟଖାଟ ଶବ୍ଦ  ଶୁଣାଯାଉଛି । ବୋଧହୁଏ ନାଇଟ ଡ୍ରେସ ଚେଞ୍ଜ କରୁଛି ସେ  । ଗୋଟିଏ ମୂହୁର୍ତ୍ତ ପାଇଁ ଦୁଷ୍ଟାମିର ହସଟିଏ ଖେଳିଗଲା ପ୍ରତୀକର ମୁହଁରେ । ପଛଆଡୁ ଯାଇ ଆଶ୍ଳେଷି ଧରିବକି  ତା’କୁ । ଗୋଲାପି ଓଠରେ ଆଙ୍କିଦେବ……….     

 ଧକ୍କା ଖାଇଲା ପ୍ରତୀକ । ଧକ୍କା ଖାଇଲା ଅମାନିଆଁ ମନରେ , ଧକ୍କା ଖାଇଲା ବେଡରୁମର ବନ୍ଦ ଦୁଆର ଉପରେ । ଓଃ !! ବେଡ ରୁମର ଡୋରଟା ବନ୍ଦ କରିଦେଇଛି ଆଜି ସମୀକ୍ଷା । ଦ୍ଵିପହର ଫୋନରେ  ସମୀକ୍ଷା କହିଥିବା କଥାସବୁ ଧାଡି ବାନ୍ଧିଲେ ନିଜର ଅସ୍ତିତ୍ଵ ଜାହିର କରିବାପାଇଁ । ପ୍ରତୀକ ମାଇକ୍ରୋୱେଭ ଭିତରୁ ପ୍ଳେଟଟା କାଢିନେଇ ସୋଫା ଉପରେ ଗୋଡ  ଲମ୍ବାଇ ବସିଲା । ବେକରୁ କାଢିଥିବା  ଟାଇଟା ପଡିଥାଏ ସେଣ୍ଟର ଟେବୁଲ ଉପରେ । ସାର୍ଟର ଉପର ଦୁଇଟି ବୋତାମ ବାଁ ହାତରେ ଖୋଲି ନେଲା । ଚାମଚରେ ଖେଳେଇ ଖେଳେଇ ପ୍ଳେଟରେ ଭାତ ସହ ଗୋଳେଇ ହୋଇଯାଇଥିବା ତରକାରିକୁ ଏପଟ ସେପଟ କରୁଥିଲା । ମାମା ମନେ ପଡୁଥିଲେ ଖୁବ୍ । ଭାତ ସହ ତରକାରୀ ଗୋଳେଇ ହୋଇଗଲେ ଆଦୌ ଭଲ ପାଏନା ପ୍ରତୀକ । ସବୁ ରନ୍ଧା ଜିନିଷର ଅଲଗା ଅଲଗା ସ୍ଵାଦ ନେବାକୁ ଚାହେଁ ସେ । ତା’ ରୁଚି ଅନୁସାରେ ପରଶନ୍ତି  ମାମା । …..ସମୀକ୍ଷା ମାମାଙ୍କୁ ଭଲପାଏନା । କେତେକଥା କହିଯାଏ ସେ ମାମାଙ୍କ ବିରୁଦ୍ଧରେ । ବତିଶ ବର୍ଷ ହେଲା ତା’ ଆଖିରେ ପଡି ନ ଥିବା ମାମାଙ୍କର କେତେନା କେତେ ଖରାପ ପ୍ରକୃତିକୁ ଦୁଇ ବର୍ଷରେ ଦେଖି ସାରିଲାଣି ସମୀକ୍ଷା । ସେମିତି କିଛି କହୁଥିଲା ସେ ଫୋନରେ ବୋଧହୁଏ । ଆଜି ତା’ର ସେ ସବୁ ଶୁଣିବାକୁ ନା’ ମନରେ ଥିଲା ଆଗ୍ରହ, ନା’ ଦେହରେ ବଳ । ସମୀକ୍ଷା କିନ୍ତୁ କହିଚାଲିଥିଲା  ଅନର୍ଗଳ । ଖୁବ ବେଶୀ ଅସ୍ଥିର ଲାଗୁଥିଲା ସେତେବେଳେ, ଲାଗୁଛି ଏବେ ବି । ପ୍ରତୀକ କଣ ଖାଉଥିଲା କେଜାଣି ! ଚାରି ଚଉତା ହୋଇ ଥୁଆ ହୋଇଥିବା ଆମଲେଟକୁ ଖଣ୍ଡ ଖଣ୍ଡ କରି କଳରେ ପୁରାଇ ଦେଲା ସେ, ଆଉ ତାକୁ ଏକରକମ  ଗିଳି ପକେଇଲା ପରେ ଢକଢକ କରି ପାଣି ଗ୍ଲାସେ ପିଇଦେଇ ଗେଷ୍ଟ ରୁମ ଭିତରେ ପଶି ଯାଇଥିଲା ।

ଦୁଇଟା ନାଇଟ ଡ୍ରେସ ବେଡ ଉପରେ ପକେଇ ଦେଇ ଯାଇଛି ସମୀକ୍ଷା । ଓଃ ! ଭଲ କରିଛି ସେ । ଅନ୍ତତଃ ଅଫିସର ଟାଇଟ ପୋଷାକ ଉତ୍ତାରି ଦେଇ ହେବ ଦେହରୁ । ବାଥରୁମର ସାୱାର ଖୋଲି ଘଡିଏ ଠିଆହେଇରହିଲା ପ୍ରତୀକ । ଶୋଇବାକୁ ଆଉ ବେଳ କେତେ ଯେ ହାତରେ ! ସକାଳ ଦଶଟାରେ ଥିବା ମିଟିଙ୍ଗ ପାଇଁ ଟିକେ ପ୍ରସ୍ତୁତି ବି ଦରକାର । ଝର ଝର ହୋଇ ଝରି ପଡୁଥିଲା ପାଣି, ଦେହରୁ, ମୁଣ୍ଡରୁ । ଏଇ ପ୍ରେଜେଣ୍ଟଟେସନ ଉପରେ ନିର୍ଭର କରେ ସେମାନଙ୍କର ସେଇମାତ୍ର ମୁଣ୍ଡ ଟେକି ସଳଖି ଠିଆ ହେବାକୁ ଥିବା ଷ୍ଟାର୍ଟଅପ କମ୍ପାନୀଟି ।                

ସମୀକ୍ଷାର ଏକ ନିର୍ଭରଯୋଗ୍ୟ, ବ୍ୟବସ୍ଥିତ କମ୍ପାନୀରେ ବେଶ ଭଲ ଦରମାର  ଚାକିରି । ପ୍ରତୀକ ବି ସେମିତି ଚାକିରିଟିଏ କରିଥିଲା ଆଗରୁ । ଏଇ ଷ୍ଟାର୍ଟଅପ କମ୍ପାନୀଟି କରିବା ପଛରେ ସମୀକ୍ଷାର ପ୍ରୋତ୍ସାହନ ଥିଲା ଅନେକ । କେବଳ ତା’ରି ପ୍ରୋତ୍ସାହନ ପାଇ ଏମିତି ଗୋଟେ ପଦକ୍ଷେପ ନେବାକୁ ସାହସ କରି ପାରିଥିଲା ପ୍ରତୀକ । ତା’ ସହିତ ସହଯୋଗର ହାତ ବଢାଇ ଥିଲେ  ତିନି ଜଣ । ସେଇ ତିନି ଜଣ ପ୍ରତୀକର ସ୍କୁଲ ବେଳର ସାଙ୍ଗ । ଏକାଠି ସ୍କୁଲ, କୋଚିଙ୍ଗ, ପରେ ପରେ ଇଂଜିନିୟରିଂ କଲେଜ । ଦୀର୍ଘ ଦିନର ବନ୍ଧୁତା ସହପାଠୀରୁ ସହକର୍ମୀ ହେବା ଯାଏଁ । ଚିନ୍ତାଧାରାରେ ମେଳ ଅନେକ । ସେଥିପାଇଁ ସମୀକ୍ଷା ବେଳ ଅବେଳରେ କରୁଥିବା  ଅନୁପ୍ରବେଶକୁ ଅଣଦେଖା କରି ଆସିଛନ୍ତି ଆଜିଯାଏଁ । ପ୍ରତୀକ ସମୟ ସମୟରେ ଅସହଜ ହେଲେ ସହଜ କରିଦିଅନ୍ତି ସେମାନେ ।           

ଆଜି କିନ୍ତୁ ସମୀକ୍ଷା  ଉପରେ ଖୁବ ରାଗ ଆସୁଥିଲା । ଲଞ୍ଚ ପୂର୍ବରୁ ହୋଇଥିବା ମିଟିଂର ସଫଳତାକୁ ନେଇ ବେଶ ଖୁସିଥିଲା ପ୍ରତୀକ । ଏମିତି ଇନଭେଷ୍ଟର ପାଇବା ସୌଭାଗ୍ୟର କଥା । ବେଶ ଦୂର ଆଗେଇ ଯାଇଥିଲା କଥା । ଖାଲି ବାକି ଅଛି  ଆସନ୍ତାକାଲିର ପ୍ରେଜେଣ୍ଟେସନ । ବାସ୍  ! ତାପରେ ଅଣ୍ଟା ସଳଖି  ଠିଆ ହୋଇପାରିବ ତାଙ୍କର ବହୁଈପ୍ସିତ କମ୍ପାନୀଟି । ପ୍ରତୀକ ଖଟ ଉପରେ ଗଡି ପଡିଲା । ଆଉ ଜୋର କରି ବୁଜିନେଲା ଆଖିକୁ । ଟିକେ ବିଶ୍ରାମ ନିହାତି ଆବଶ୍ୟକ । ନିହାତି ।    

ନାଃ ! ନିଦ ଆସୁନି ଜମ୍ମା । ଖୁବ ବେଶୀ ଅସ୍ଥିରତା ଫଳରେ ନିଦ ଆସିବ କେଉଁଠୁ ? ଖୋଲା ଆଖିରେ ଶେଜ ଉପରେ କଡ଼ ଲେଉଟାଉଥିଲା ସେ ବାରମ୍ବାର । ନିତୀଶ ମନେପଡ଼ିଲା । ମନେପଡ଼ିଲା ତା’ ହାତରେ ଦେଖିଥିବା ହନୁମାନ ଚାଳିଶା ବହିଟି  । ପିଲାଦିନେ ମାମା ପାପାଙ୍କ ପାଖରେ ଜୋର ଜୋର ପାଟିରେ ଗାଇ ପୁରା ମୁଖସ୍ତ କରିଥିବା ହନୁମାନ ଚାଳିଶାର ପଦ ଗୁଡିକୁ  ଆଖି ବୁଜି ମନେପକାଉଥିଲା ସେ । କିଛି ମନେପଡୁନି । ଏବେବି ନିତୀଶ ହନୁମାନ ଚାଳିଶା ବହିଟି ଧରି ଉଜାଗର ଥିବ । ମାଗିବ  କି ବହିଟି ତାକୁ ? ଏତେ ରାତିରେ ! ମାଗିଆଣି ଥରେ ପଢିନେବାକୁ ଇଚ୍ଛା ହେଲା ଖୁବ । ହଁ-ନା’ର ଦ୍ଵନ୍ଦ୍ଵ ଭିତରେ ଇଣ୍ଟରକମରେ ନିତୀଶକୁ ଫୋନ ଲଗାଇଲା ସେ ।               

ନିତୀଶ ଆସୁଥିବ । ମୋବାଇଲର କୁନି ପରଦାଟି ଉପରେ ଆଖି ବୁଲି ଆସିଲା ପ୍ରତୀକର । ଆରେ !! ମାମା କେତେବେଳେ ଫୋନ କରିଥିଲେ, ମିସ୍  କରିଛି ସେ । ହାତ ଘଣ୍ଟାରେ ଦୁଇଟା ବାଜିବାକୁ ଯାଉଛି । ଏତେ ରାତିରେ ଫୋନ କରିବା ଠିକ ହେବନି । ସକାଳେ ପ୍ରଥମେ କଥା ହୋଇ ଯିବ ତାଙ୍କ ସହ । ମାମାଙ୍କର ମେସେଜ ବି ଅଛି ! କେତେବେଳେ ମିସ୍ କଲା ସେ ? ଖୋଲି ପଢିନେଲା ଆଉ ଅନୁଭବ କରୁଥିଲା କପାଳ ଉପରୁ ଗଡି ଆସୁଥିବା ଗରମ ଝାଳକୁ ।                  

ଆଜି ଥିଲା ତା’ର ବିବାହ ବାର୍ଷିକୀ । ଦ୍ଵିତୀୟ ବିବାହ ବାର୍ଷିକୀ । ଲଞ୍ଚ ପାଇଁ ସେ ଓ ସମୀକ୍ଷା ବାହାରକୁ ଯିବାର ଥିଲା । ପ୍ରତୀକର ଜରୁରୀ ମିଟିଂ ଥିବାରୁ ସମୀକ୍ଷା ଅଫିସ ପାଖ ରେଷ୍ଟୁରାଣ୍ଟକୁ ଚାଲି ଆସିବ ବୋଲି କହିଥିଲା ତ ତା’କୁ । ସବୁ କେମିତି ଭୁଲି ଗଲା ଯେ ସେ !                    

ମାମା ଲେଖିଛନ୍ତି “ସମୀକ୍ଷା ଭଲ ଝିଅଟିଏ । ତୋ’ ପାଇଁ ତା’ର ଅନେକ ଚିନ୍ତା । କାମ  ଭିତରେ ନିଜର ଯତ୍ନ ନେଉନୁ  ତୁ । ସେଥିପାଇଁ ତା’ର ବ୍ୟସ୍ତତା ଅନେକ । ତୁମ ଦୁହିଁଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଓ ଆଶୀର୍ବାଦ” ।

ଝିଅ ମାନେ ଖୁବ ଶୀଘ୍ର ପର ଘରକୁ ଆପଣାର କରିନିଅନ୍ତି । କାହିଁକି କେଜାଣି, ମାମାଙ୍କର ମେସେଜ ପଢିବା ପରେ କେମିତି ଗୋଟେ ସ୍ନିଗ୍ଧ ଶୀତଳ ଅନୁଭବ ଧିରେ ଧିରେ ଆବୋରି ବସୁଥିଲା ତା’କୁ । ଭଲ ଲାଗୁଥିଲା ।  ସମୀକ୍ଷା ପ୍ରତି କ୍ଷଣିକ ପୂର୍ବରୁ ମନ ଭିତରେ ସୃଷ୍ଟି ହୋଇଥିବା ଅଭିମାନ ଗଭୀର ଭଲପାଇବାରେ ପରିଣତ ହେଉଥିଲା କ୍ରମଶଃ । ମାମା ମଧ୍ୟ  ଖୁବ ଆଡଜଷ୍ଟ କରିଜାଣନ୍ତି । ବୋଧହୁଏ ଏ ଭିତରେ ସମୀକ୍ଷାବି ସଂସାରରେ ଚଳିବା ଶିଖି ଗଲାଣି । କିନ୍ତୁ ସେ ! ସେ କେମିତି ଭୁଲିଗଲା ଆଜିର ଦିନଟିକୁ ।

ସମୀକ୍ଷା ପ୍ରତି ତା’ ମନରେ ଅଭିଯୋଗ ରହି ଆସିଛି । ସବୁବେଳେ ସମୀକ୍ଷାକୁ ସମାଲୋଚନା କରିଆସିଛି  ସେ  । ଆଜି ଇନଭେଷ୍ଟରଙ୍କ ସହ ସଫଳ ଆଲୋଚନା ପରେ ସେ ଓ ତା’ର ବନ୍ଧୁମାନେ ଖୁବ ଖୁସି ଥିଲେ । ଏତେ ଖୁସି ଯେ ସେ ଭୁଲିଗଲା ସମୀକ୍ଷା ସହିତ ଏକାଠି ଲଞ୍ଚ କରିବା କଥା । ଭୁଲିଗଲା ତା’ର ଓ ସମୀକ୍ଷାର ଖୁସିର ଦିନଟିକୁ ଏକାଠି କଟାଇବାର ପ୍ରସ୍ତୁତିକୁ । ସାଙ୍ଗ ମାନଙ୍କ ସହ  ହସଖୁସିରେ କଟେଇଥିଲା ସାରାଦିନ ।  ସମୀକ୍ଷାର ଫୋନ ଆସିଥିଲା – କିନ୍ତୁ କଥୋପକଥନର ଆରମ୍ଭରୁ ହିଁ ରାଗରେ ଇୟରଫୋନର ଭଲ୍ୟୁମ ଏକଦମ କମାଇ ଦେଇ ଅନ୍ୟ କାମରେ ମନ ଦେବାକୁ ଚେଷ୍ଟା କରିଥିଲା ସେ ।

ସମୀକ୍ଷା ପ୍ରତି ସାମାନ୍ୟ  ଅଭିମାନ ବି ଆସୁଥିଲା । ପ୍ରାୟ ମାସେ ତଳେ ସେମାନେ ଠିକ କରିଥିବା ଆଜିର ଲଞ୍ଚ ପ୍ରୋଗ୍ରାମ ବିଷୟରେ, ଆଉ ଥରେ ମନେପକାଇଦେଇ ନ ଥାଆନ୍ତା ସେ ! ନାଃ !! ଭୁଲ ବୋଧହୁଏ ତା’ ନିଜର । ସମୀକ୍ଷା ମନେପକାଉଥିବା ଛୋଟଛୋଟ କଥାଗୁଡିକୁ ନେଇ ଏଇ କେଇଦିନ ହେବ ଖୁବ ବିରକ୍ତ ହେଉଥିଲା ସେ । ବୋଧହୁଏ ନିଜ କାମଚାପରେ ଅତିଷ୍ଠ ହୋଇପଡି ଭୁଲି ଯାଇଥିଲା ସମୀକ୍ଷାର ମନକୁ । ଖୁବ ସେନ୍ସିଟିଭ ଝିଅ ସେ  । ଏ କଥା ଜାଣି ବି ବାରମ୍ବାର ଆଘାତ ଦେଇଆସିଛି ତାକୁ । ବୋଧହୁଏ ନିଜର ଭୁଲକୁ ଅଣଦେଖା କରିଛି ସେ ଆଜି ଯାଏଁ । ବୋଧହୁଏ ସମୀକ୍ଷା ସହ ଜୀବନ ରାସ୍ତାରେ ଚାଲିବା ବେଳେ ତା’ ପ୍ରତି ଅବିଚାର କରିଛି ସେ । ସମୀକ୍ଷାକୁ ନୁହେଁ, ଆଜି ନିଜକୁ ବିଶ୍ଳେଷଣ କରିବାକୁ ମନ ଚାହୁଁଛି । ଆଜି ସେ ସ୍ପଷ୍ଟ ଭାବରେ ବୁଝି  ପାରୁଛି ତା’ ମନକୁ । ଖୁବ ଦୋଷୀ ଦୋଷୀ ଲାଗୁଛି । ଆଜିର ଏ ମସ୍ତବଡ ଭୁଲକୁ ସେ ସୁଧାରିବାକୁ ବାଟ ଖୋଜୁଛି । ଶୋଇବା ଘରର ବନ୍ଦ ଦ୍ଵାର ପାଖରେ ଠିଆ ହୋଇଥିଲା ସେ । ସକାଳ ଯାଏଁ ଅପେକ୍ଷା କରିବାକୁ ତା’ର  ଧୈର୍ଯ୍ୟ ନଥିଲା ଆଦୌ । ରାତି ପାହିନି ଏ ଯାଏଁ । ଏ ରାତି ତା‘ର ବିବାହ ବାର୍ଷିକୀର ରାତି । ନିଜକୁ ଦୃଢ କରୁଥିଲା ସେ   ।                 

ଡୋର ବେଲ ବାଜିବା ଶବ୍ଦରେ ସମୀକ୍ଷା ଖୋଲି ଦେଲା ତା’ର ବନ୍ଦ ଦୁଆର । ବାହାରେ ନିତୀଶ ଠିଆ ହୋଇଥିବା କଥା ପ୍ରତୀକ ଜାଣେ । ସମୀକ୍ଷାର ଅନୁସନ୍ଧିତ୍ସୁ ଆଖି । ଏତେ ରାତିରେ କିଏ ? ପ୍ରତୀକ ଚାହିଁ ରହିଥିଲା ଖୋଲା ଦୁଆର ପାଖରେ ଠିଆ ହୋଇଥିବା ସମୀକ୍ଷାକୁ  । ବହୁତ ଦିନ ପରେ ଏତେ ଗଭୀର ଭାବରେ ସେ  ଦେଖୁଥିଲା ତା’କୁ  । ଗତ କିଛିଦିନ ହେଲା ଗୋଟିଏ ନିଶାରେ ଧାଇଁଛି ପ୍ରତୀକ  ।  ସେଇ ଧାଇଁବା ଭିତରେ ସେ ଭୁଲିଯାଇଛି ତା ପରିବାରକୁ , ଭୁଲିଯାଇଛି ତାର ଜୀବନ ସହ ଜଡ଼ିତ ଥିବା ଆଉ ଜଣଙ୍କ ସୁଖଦୁଃଖକୁ, ଟିକେ ସମୟ, ଟିକେ ସହାନୁଭୂତି ଆଶା କରୁଥିବା ତା’ର ଜୀବନସାଥୀକୁ । ଖୁବ ବେଶୀ ସ୍ଵାର୍ଥପର ଲାଗୁଥିଲା ନିଜକୁ । ଭାରି ଉଦାସ ଲାଗୁଥିଲା ସମୀକ୍ଷା । ପ୍ରତୀକ କେବଳ ଚାହିଁ ରହିଥିଲା ତା’କୁ  । କେମିତି ଗୋଟେ ଅପୂର୍ବ ଶିହରଣ ଖେଳିଯାଉଥିଲା ପ୍ରତୀକର ଦେହରେ, ମନରେ । ସେଇ କେତୋଟି ମୁହୂର୍ତ୍ତରେ ସେ ଅନୁଭବ କରିଥିଲା ସମୀକ୍ଷା ପ୍ରତି ତାର ଗଭୀର ଭଲପାଇବାକୁ । ସମୀକ୍ଷାର ସବୁ ଉଦାସ ପଣକୁ ଦୂରେଇ ଦେଇ ତା’ ମୁହଁକୁ  ହସର ରକ୍ତିମ ଆଭାଟିଏରେ ସଜେଇ ଦେବାକୁ ମନ ଚାହୁଁ ଥିଲା ।  ନିଜେ କରିଥିବା ଭୁଲକୁ ସୁଧାରିବା ପାଇଁ ଏବେ ବି ହାତରେ ଥିବା ସେମାନଙ୍କର  ବିବାହବର୍ଷିକୀର ସେ କେଇଟି ମୁହୂର୍ତ୍ତକୁ ହାତଛଡା କରି ନ ଦେବା ପାଇଁ ଅତି ଶୀଘ୍ର ନିତୀଶ ହାତରୁ ହନୁମାନ ଚାଳିଶା ବହିଟି ଆଣି  ଟେବୁଲ ଉପରେ ରଖିଦେଲା, ଆଉ ସମୀକ୍ଷା ଦ୍ଵାର ବନ୍ଦ କରିଦେବା ପୂର୍ବରୁ ତରତର ହୋଇ ଶୋଇବା ଘରେ ପଶିଯାଇଥିଲା। ଏବେ ତାକୁ  ହନୁମାନ ଚାଳିଶା ନୁହେଁ ମାନିନୀର ମାନ ଭଞ୍ଜନ ପାଇଁ କହିବାକୁ ହେବ, ଦେହି ପଦପଲ୍ଲବମୁଦାରମ……..  

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s