ମୁଦା ଲଫାପା

‘ଏ ସପନି ବୋଉ, କ’ଣ ଶୋଇପଡିଲୁ କି?’ – ଡାକି ଡାକି ଘର ଭିତରକୁ ପଶି ଆସୁଥିବା ପାର୍ବତୀକୁ ଭଲକରି ଦେଖିପାରୁନଥିଲା କେତକୀ । ଆଖିକି କେମିତି ଜାଲୁ ଜାଲୁଆ ଦିଶୁଛି । ବେଳକୁ ବେଳ ବେଶୀବେଶୀ  ଖରାପ ହୋଇ ଯାଉଛି ଆଖି  । ପନ୍ଦର ଦିନ ତଳେ ପୁଅ-ବୋହୂ ଆସିଥିଲେ । ସପନା କେତେକରି ଡାକୁଥିଲା ସାଙ୍ଗରେ ଯିବାକୁ । କାହିଁକି କେଜାଣି ଆଦୌ ଇଚ୍ଛା ହେଲାନି ତା’ ସହିତ ଗାଁ ଛାଡି ସହରରେ ଯାଇ ରହିବାକୁ । ଏଇଠୁ ପାଏ ବାଟ ତ ସହର, କ’ଣ ପାଇଁ ସେ ସେମାନଙ୍କ ସାଙ୍ଗରେ ଯାଇଥାନ୍ତା? ଟୋକାଟୋକି ବେଳ, ମନ ଆନନ୍ଦରେ ଅଛନ୍ତି ସେମାନେ । ତା’ ନିଜ ବେଳ କଥା ନିଆରା । ଶାଶୁ ଶ୍ୱଶୁରଙ୍କୁ ନପଚାରି ପବନ ବି ଆତଯାତ ହେଉନଥିଲା ଦେହରେ । ଅଥଚ ଏବ ସମୟରେ କିଏ କାହାକୁ ଖାତିର କରୁଛି?

ମନେପଡେ ସେଦିନର କଥା – ସପନି ବାପ ମଲାପରେ ଦି’ ଦିନ ପାଇଁ ସହରକୁ ଯାଇଥିଲା ସେ । କଣ ଲେଖାପଢ଼ା ଥିଲା ସରକାରୀ କାଗଜରେ । ସେଇ କାଗଜରେ ଦସ୍ତଖତଟିଏ କରିବ ବୋଲି କୁଟୁମ୍ବର ପୁତୁରା ଲେଖା ସୁଦର୍ଶନ ସାଙ୍ଗରେ ଯାଇଥିଲା ସେ । ପୁଅ ଘରେ ପାଦ ଦେଉ ନଦେଉଣୁ ବୋହୂ ପଚାରିଲା, ‘ଆଉ, କେତେଦିନ ରହିବ ଏଠି ?’ – କେଜାଣି କାହିଁକି ଭଲ ଲାଗିଲାନି ତାକୁ । କିଏ ଘରକୁ ଆସୁ ଆସୁ ଯିବା କଥାଟା କଣ ପଚରାଯାଏ ? ଏତିକି କଣ ସେ ଜାଣି ପାରୁନି । ଏତକ କଣ କାହାକୁ ଶିଖେଇବାକୁ ପଡେ? ହଠାତ କେତକୀର ମୁହଁରେ ପ୍ରତିକ୍ରିୟାର ଛାପ ପଡିଗଲା ବୋଧେ । ସପନି ତା’ ମୁହଁ ଦେଖି ଜାଣିଗଲା । ଯେତେହେଲେ ଆପଣା ପେଟର ପୁଅତ ! ଚଟକରି କଥାଟାକୁ ଓଲଟାଇ ନେଲା । ପରେ ଅବଶ୍ୟ କଥାଟିକୁ ମନରେ କେତେଥର ଦୋହରାଇଲା ପରେ କେତକୀକୁ ନିହାତି ଅପସନ୍ଦ ଲାଗିଲାନି କଥାଗୁଡା । ତଥାପି ଏମିତି ନପଚାରିଥିଲେ କଣ ଚଳିନଥାନ୍ତା? ଉଠି ଯାଉଯାଉ ଟେବୁଲରେ ଗୋଡଟା ଟିକେ ବାଜିଗଲା । ବୋହୂ କହିଲା, ‘ଆଖିଟା ତ ଗଲାଣି, ପଡ଼ିଥା’ନ୍ତ ଏଇଲେ ‘। କେଜାଣି କାହିଁକି ଭଲ ଲାଗିଲାନି ତା’କୁ ବୋହୂର ଏ କଥା ଗୁଡା । ଆଖିକୁ ତ ଟିକେ କମ ଦିଶୁଛି, ସେ କୋଉ ଅନ୍ଧ ହୋଇଯାଇଛି ! ଏମିତି କଣ କିଏ କେଉଁଠି ଝୁଣ୍ଟି ପଡେନି ? ବୋହୂ ଯେମିତି କହିଲା, ସତେକି ସେ ଅନ୍ଧଟିଏ । ବାଟ ଚାଲିପାରୁନି । ସାମାନ୍ୟ ଟିକେ ହସିଦେଇ ଚାଲିଆସିଥିଲା ସେଠୁ । ନଇଁପଡ଼ି ସାମାନ୍ୟ ଖଣ୍ଡିଆ ହୋଇଥିବା ପାଦ ଆଙ୍ଗୁଳିକୁ ଆଉଁଶିବି ପାରିନଥିଲା ଟିକେ ।

ପୂଜାରେ ଗାଁରେ ରହିବାର ଆକର୍ଷଣରେ ପ୍ରତିବର୍ଷ ସପନାଟା ଆସେ । ତା’ ସାଙ୍ଗରେ ବାନ୍ଧି ହୋଇ ଆସିଥାଏ କି ମନ ଆନନ୍ଦରେ ଶାଶୁ ପାଖରେ ଦିନ କେତେଟା କଟେଇବାକୁ ଆସିଥାଏ କେଜାଣି, ବୋହୂକୁ ଦେଖି ଜାଣିପାରେନା କେତକୀ । ହେଲେ ପଚାରେନି କେବେ । ହଉ, ଆସୁଥା’ନ୍ତୁ  ଏମିତି – ଭଲ ତ ଲାଗୁଛି ଗୁଲୁରୁ ଗୁଲୁରୁ ହୋଇ ନାତି ଟୋକାଟା କୋଡ଼ରେ ପଶିଲେ ।  ଖନି ଖନି ସ୍ୱରରେ ଜେଜି ଜେଜି ଡାକି ଗୋଳେଇ ହେଉଥିବ ସେ କେତକୀ ଦେହରେ । ଏ ଅପୂର୍ବ ସୁଖ କଣ ଆଉ ମିଳିବ ସେମାନେ ନ ଆସିଲେ?

ସାଙ୍ଗରେ ଯିବାକୁ ମନା କରିଦେଲା ସିନା, ହେଲେ ସେମାନେ ଗଲାପରେ ଆଦୌ ଭଲ ଲାଗିନଥିଲା ତା’କୁ । ଜର ଟିକିଏ ବଢିଛି ଦୁଇ ଦିନ ହେଲା । ମୁଣ୍ଡଟାବି ବୁଲେଇ ଦେଉଛି । ସେଇ ସକାଳ ପହରୁ ଶୋଇଛିଯେ ସଞ୍ଜ ଗଡ଼ି ରାତି ହେଲାଣି ତାକୁ ଜଣା ନାହିଁ । ପାର୍ବତୀ ଘର ଭିତରେ ଠିଆ ହୋଇ ‘ସପନି ବୋଉ, ସପନି ବୋଉ’ ଡାକିଲା ପରେ ଯାଇ ନିଦ ଭାଙ୍ଗିଛି ତା’ର । ବର୍ଷା ହେବ ବୋଧେ । ଥଣ୍ଡା ପବନ ଦଲକାଏ ଦଲକାଏ ପଶିଆସି ମଞ୍ଜ ଥରେଇ ଦେଉଛି । କମ୍ବଳଟି ବେକ ପର୍ଯ୍ୟନ୍ତ ଟାଣିନେଇ କେତକୀ ଆଖି ବୁଜି ଦେଉ ଦେଉ କହିଲା, ‘ନାଇଁଲୋ ପାରୁ, ଦେହଟା କେମିତି କସମସ ହେଉଛି । ଆଉ ଘଡ଼ିଏ ଶୋଇପଡେ଼ ।’ କମ୍ବଳଟା ପ୍ରାୟ ଟାଣି ଫିଙ୍ଗିଦେଇ ପାର୍ବତୀ ଜୋରରେ ହଲେଇ ଦେଇ କହିଲା ,’ସପନି ବୋଉ, ଶୋ’ନା । ରାତି ହେଲାଣି ଆସି । ତୁଳସୀ ମୂଳେ ସଞ୍ଜ ବସେଇ ଦେଇଛି ତୋର । ଚାଲ ମୋ ଘରକୁ । ସାଗୁ ମୁନ୍ଦେ ପିଇ ଶୋଇବୁ । ବର୍ଷା ପବନ ମାଡି ଆସୁଛି । ଏମିତି ଖାଲି ପେଟରେ କଣ ପାଇଁ ପଡିଛୁ ? ପୁଅ ସାଙ୍ଗରେ ତ ଗଲୁନି । କେତେ ସରାଗରେ ଡାକୁଥିଲା । ‘ପାର୍ବତୀ ଆଡେ ଚାହିଁଲା କେତକୀ । କେତେ ଝଡି ଯାଇଛି ସେ । ମନେପଡୁଥିଲା ବିଗତ ଦିନର କଥାସବୁ ।

ବୋହୂ ହୋଇ ଗାଁକୁ ଆଗପଛ ହୋଇ ଆସିଥିଲେ ସେ ଆଉ ପାର୍ବତୀ । କେତେ ବା ବୟସ ସେତେବେଳେ ? ଏଇ ପନ୍ଦର କି ଷୋହଳ ହେବ । ବାହାଘର ପରି ଏତେବଡ଼ ଦାୟିତ୍ୱସମ୍ପନ୍ନ କଥାଟିଏକୁ  କେବଳ ନୂଆ ନୂଆ ଗହଣା, ଶାଢ଼ୀ ପିନ୍ଧାର ଦିନ ଛଡା ଆଉ କିଛି ବୁଝିନଥିଲେ ସେମାନେ । କେତକୀର ସ୍ୱାମୀ ମ୍ୟୁନିସପାଲଟିରେ ଚାକିରୀ କରେ । ଶନିବାର ଘରକୁ ଆସେ । ପାର୍ବତୀର ବର କିଛି କାମଦାମ କରେନି । ଗାଁ ଟୋକାଙ୍କ ସାଙ୍ଗରେ ତାସ ବାଡେଇ ଦିନ କାଟେ । ସପନା ବାପାର ସେ ଭାରି ସାଙ୍ଗ । ଗାଁରେ ଯାନି ଯାତରା ହେଲେ ପାର୍ବତୀର ବର ଆଗ ଧାଡିରେ ଆସନ କରିଦିଏ । ପାର୍ବତୀ ପାଖରେ ସେ ବସେ । ପାର୍ବତୀ ବି ଭଲ ଝିଅଟିଏ । ଦୁହିଁଙ୍କର ଭାରି ଭଲ ସମ୍ପର୍କ ।

ହଠାତ ଦିନେ କିନ୍ତୁ ସବୁକିଛି ଏପାଖ ସେପାଖ ହୋଇଗଲା । ଗାଁ ଟୋକାଙ୍କର କି ଗୋଟେ କଥାରେ ଝଗଡା ହୋଇଗଲା ପର୍ବତୀର ବର ସାଙ୍ଗରେ । ତା’ର ଦୁଇଦିନ ପରେ ପାର୍ବତୀ ବିଧବା ହୋଇଗଲା । କେତକୀ ପାଇଁ ଏଯାଏଁ ଅବୁଝା ହୋଇ ରହିଲା କେମିତି, କାହିଁକି ଏସବୁ ଘଟିଗଲା ? ସପନି ବାପା ପରେ ବୁଝାଇ ଦେଇଥିଲା, ଏମିତି କଳି ଝଗଡାରେ କାହାର ଏକ ମୂଳି ବାଉଁଶ ଠେଙ୍ଗାର ପ୍ରହାର ଭୁଲ ବଶତଃ ଲାଗିଥିଲା ତା’ ମୁଣ୍ଡରେ । ଆଉ ସେଇଥିରେ ଏତେବଡ଼ ଜୁଆନ ଟୋକାଟା ମରି ଶୋଇଲା । ପାର୍ବତୀ କଣ କ୍ଷମା କରିଦେଲା ସେଇ ଲୋକଟିକୁ ? ଏତେବଡ଼ ଘଟଣାଟେ କେମିତି ଗାଁ ଲୋକସବୁ ଅଦେଖା କରିଦେଲେ ? ଏମିତି କି ପାର୍ବତୀର ଶାଶୂ-ଶ୍ୱଶୁର ବି । ଅନେକ ସମୟରେ ପାର୍ବତୀକୁ ଗୁମୁରି ଗୁମୁରି କାନ୍ଦିବାର ଦେଖିଛି ସେ । କେତକୀର ପ୍ରାଣ ସେତେବେଳେ କୋରି ହୋଇଯାଏ । ପାର୍ବତୀକୁ ବୋଧ ଦେଇପାରେନା । ଧୀରେ ଧୀରେ ସବୁକିଛି ସାଧାରଣ ହୋଇଗଲା । ଅତି ସାଧାରଣ ଦୁର୍ଘଟଣାଟିଏ ଭଳି ଲୋକମାନେ ଭୁଲିଗଲେ କଥାଟିକୁ । ପାର୍ବତୀର ଶାଶୁ ଅନ୍ୟ ପାଞ୍ଚଜଣ ପୁଅବୋହୂ, ନାତି ନାତୁଣୀଙ୍କ ମେଳରେ ନିଜକୁ ସହଜ କରିନେଲା । ହେଲେ ପାର୍ବତୀ କଣ ପାରିଥିଲା? ହୁଏତ ଗୁରୁଜନଙ୍କ ଚାପରେ ଚୁପ ରହିବାର ଅଭିନୟ କରିଚାଲିଥିଲା ।

ସପନା ଆସିବା ପରେ କେତକୀର ସଂସାରର ଦାୟିତ୍ୱ ବଢିଗଲା । ସମୟ ମିଳେନା ପାର୍ବତୀ ସାଙ୍ଗରେ ବସି ଦୁଃଖସୁଖ ହେବାପାଇଁ । ବେଳ ଅବେଳରେ ପାର୍ବତୀ ଆସେ । ସପନାକୁ ଗେହ୍ଲାକରେ । କେତକୀ ପାଖରେ ବସେ । ନାଁ ବଦଳେଇ କେତକୀକୁ ସପନିବୋଉ ଡାକେ । ଏମିତି ଡାକୁ ଡାକୁ କେତକୀ ନିଜ ନାଁକୁ ହଜେଇଦେଇ ସପନି ବୋଉ ନାଁରେ ହିଁ ପରିଚିତ ହୋଇଗଲା । ପାର୍ବତୀ ବି ପାରୁ ହୋଇଗଲା ସବୁଦିନ ପାଇଁ । ବୟସ ତା’ର ପାଦଚିହ୍ନ ଆଙ୍କିଦେଇ ଯାଉଥିଲା ଦେହରେ,ମନରେ ।  

ବିଗତ ଦିନର କଥାଗୁଡିକ ଛବି ପରି ନାଚୁଥିଲା ଆଖି ଆଗରେ । ପାଟିଟା କେମିତି ଗୋଟେ ଲାଗୁଥିଲା । ତାତି ଖୁନ୍ଦି ହୋଇଥିଲା ଦେହରେ । ପାର୍ବତୀ ପାଖରେ ବସିଲା । ମୁଣ୍ଡ ଚିପିଦେଲା । ତା’କୋଳରେ ମୁଣ୍ଡ ରଖିଦେଇ କେତକୀ ଧୀରେ ଧୀରେ ଆଖି ବୁଜିନେଲା । ଆପଣା ପଣରେ ଆଉଜେଇ ନେଲା ପାର୍ବତୀ । କେତେକଣ କହିଦେବାକୁ ମନ ହେଉଥିଲା ତାକୁ । ଘରକଥା, ନିଜଲୋକଙ୍କ କଥା । କହିଦେଲେ ସପନାକୁ ଅପମାନ ହେବନି? ବୋହୂ କାନରେ ପଡିଲେ କଣ ଭାବିବ ସେ ? କି ବା କଥା ସେଇଟା । କେତକୀ ଭାବି ହେଲା । ଏମିତି ଛୋଟ ଛୋଟ କଥାଗୁଡାକୁ ଗଣ୍ଠି କରି ସେ ଭାବିହେଉଛି । ପାର୍ବତୀକୁ ଚାହିଁଲା । ଜାଲୁ ଜାଲୁଆ ଦେଖାଗଲେ ବି ସେ ସ୍ପଷ୍ଟ ପଢିପାରୁଥିଲା ପାର୍ବତୀର ହୃଦୟର ଭାଷାକୁ, ଯାହା କଥାହୋଇ ଫୁଟି ଉଠିଛି ତା’ମୁଖମୁଦ୍ରାରେ । ଆହା, କେତେକେତେ ଦୁଃଖ ହୃଦୟରେ ଚାପି ନେଇଛି ସେ । ତା’ ଆଗରେ ନିଜ ଦୁଃଖ ତ ବିନ୍ଦୁଟିଏ ମାତ୍ର । କଣ ପାଇଁ କହି କହି ସେଇଟିକୁ ସେ ବଢ଼େଇ ବଢ଼େଇ ଯିବ । ଥାଉ, ସେ ବିନ୍ଦୁଟିଏ ହୋଇ ଆପଣା ହୃଦୟ ଭିତରେ । ପାର୍ବତୀର କୋଳ ଭିତରେ ଗୁଂଜିହେଇ ନିଜକୁ କୁନି ଝିଅଟିଏ ପରି ଗୋଟେଇ ନେଲା କେତକୀ ।

ସପନା ଫେରିଯିବାର ପନ୍ଦର ଦିନ ହେଲାଣି । ପୂଜା, କୁମାରପୂର୍ଣ୍ଣମୀ ସାରି ସେମାନେ ସବୁ ଫେରିଗଲେ । ଆଉ ଦିନକେତେଟା ରହି ଦୀପାବଳୀ ବାଣ ଦେଖି ଯାଇଥିଲେ ହୋଇନଥାନ୍ତା? ଜିତୁନିଟା ବି ବାଣ ଦେଖିବ ବୋଲି ହାଇଁପାଇଁ ହେଉଥିଲା । ଗାଁରେ ଦୀପାବଳୀରେ ଭାରି ବଢ଼ିଆ ବାଣ ଲଢେଇ ହୁଏ ଦୁଇ ଖଣ୍ଡି ଭିତରେ । ଏସବୁ କେବେ ଠାରୁ ଆରମ୍ଭ ହେଲା କେଜାଣି ? କେତକୀ କିନ୍ତୁ ଦେଖିଆସୁଛି ବୋହୂ ହୋଇ ଆସିବା ଦିନରୁ ।  ଗାଁ ଏ ମୁଣ୍ଡରୁ ହାଇସ୍କୁଲ ଯାଏଁ ଗୋଟେ ଖଣ୍ଡି ପୁଣି ସେଇଠୁ ମହାଦେବ ମନ୍ଦିର ଯାଏଁ ଆରଖଣ୍ଡି । ବାଣ ଲଢେଇ ପାଇଁ କେତେ ଯୋଜନା ଚାଲିଥାଏ ଆଗରୁ । ରାତିଯାକ ବାଣ ମରାହୁଏ । ଭାରି ଭଲଲାଗେ ଦେଖିବାକୁ । ସପନି ତ ଏଇ ବାଣ ମରାକୁ ନେଇ ଏତେ ବେଶି ଉତ୍ସାହିତ ହୁଏ ଯେ, ତା’ ଆଗରୁ କେତେ ରାତି ଶୋଇପାରେନି । ନିଜେ ଶୁଏନି କି କେତକୀକୁ ବି ଭଲରେ ଶୁଆଇ ଦିଏନି । ବାରମ୍ବାର ତାଙ୍କ ଦଳର ଗୁପ୍ତ କଥାସବୁ କହିବସେ । କିଏ କେଉଁଠୁ ନୂଆ ବାଣ ସରଞ୍ଜାମ ଆଣିଛି । କେମିତି ସେମାନେ ଲୁଚେଇ ରଖିଛନ୍ତି ଗୋଟେ ବହୁତ ବଡ଼ ଆତସବାଜି ..  ‘ସେ ବାଣଟା ଉପରକୁ ଉଠିଲେ ନାଲି, ନେଳି କେତେ ରଙ୍ଗର ଆଲୁଅ ଖାଲି ବିଛେଇ ହୋଇପଡିବ କୁଆଡେ ଚାରିଆଡ଼ । ଏଥର ଆମ ଖଣ୍ଡି ନିଶ୍ଚୟ ଜିତିବ .. ’ । କେତକୀ ବି ବେଳେବେଳେ ଅସ୍ତବ୍ୟସ୍ତ ହୋଇଯାଏ । ଗାଳିମନ୍ଦ ଦେଇ ସପନାକୁ ଶୁଆଇ ପକାଏ । ବାପାର ଏଇକଥା ଶୁଣି ତ ନାତି ଟୋକାଟା ଅନେଇ ବସିଥିଲା କେବେ ସେ ବାଣ ଦେଖିବ । ରାତି ପୁହାଇ ଦେଇ ଡରି ଡରି ମୁଣ୍ଡ ଗୁଞ୍ଜିବ ଜେଜିର ଶାଢ଼ୀ ପଣତରେ । ସେ ଦେଖିବ କେତେ ପ୍ରକାରର ବାଣ । ଯେତେ କହିଲେ ବି ସପନା ରାଜି ହେଲାନି ।

ସ୍ୱପ୍ନେଶ୍ବର ପଟ୍ଟନାୟକ ଲେଖା ହୋଇ ଆସିଥିବା ସେଇ ମାଟିଆ ରଙ୍ଗର ଲଫାପାଟି ଆସିବା ପରଠାରୁ ସପନି ଖାଲି ତରତର ହେଲା ସହର ଚାଲିଯିବାକୁ । କଣ ସେଥିରେ ଥିଲା କେଜାଣି? ତାକୁ ତ କେହି କହନ୍ତିନି କିଛି । କେତକୀ ବି ଭରସି ପଚାରି ପାରିଲାନି । ସେମାନେ ଚାଲି ଗଲାପରେ କିନ୍ତୁ ଭଲ ଲାଗିଲାନି ଆଦୌ । କାର୍ତ୍ତିକ ମାସରେ ତ ସେମିତି କିଛି ରନ୍ଧାବଢା ନାହିଁ । ହବିଷ ଅନ୍ନ ଦି’ଟା ଫୁଟେଇ ଦେଇ, ଶୁନ୍ୟକୁ ଅନାଇ ଦଉଡିଆ ଖଟଟି ଉପରେ ଗଡ଼ିପଡେ ସେ । ପାର୍ବତୀ ବ୍ରାହ୍ମଣ ଘରର ବୋହୂ । ବିଚାରୀ ବରଷ ଦି’ଟା ବର ସାଙ୍ଗେ ଘର କରିଛି । ତା’ପରଠାରୁ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି, ସେଇ ଅଳପ ସ୍ମୃତିକୁ ନେଇ ଜିଇଁଛି । ଜିଇଁବ ଜୀବ ଥିଲା ଯାଏଁ । ତା’ରିଠାରୁ ଦେଖି ଶିଖି ଯାହା ଯେମିତି କରୁଛି ସେ ପୂଜାପର୍ବ । ତା’ ଶାଶୁତ ଚାଲିଯାଇଥିଲେ ଆଗ । ଶ୍ୱଶୁର ବି ତାଙ୍କୁ ଝୁରି ଝୁରି ତାଙ୍କ ପଛେପଛେ ଚାଲିଗଲେ । ଶାଶୁଙ୍କ ସହିତ ଚଳିବା ବେଳେ ଆଗପଛ ନଭାବି ଯାହା ସେ କହୁଥିଲେ କରିଯାଉଥିଲା । ‘ବାଲୁରୀ ଟିଏ ଲୋ’ – କହି ସ୍ନେହରେ ଆଉଁଶି ଦେଉଥିଲେ ଶାଶୁ ବେଳେବେଳେ  ।

ଗରମ ଗରମ ସାଗୁ ମୁନ୍ଦେ ପିଇ ଦେବାପରେ  ସତକୁ ସତ ବଳ ଫେରିପାଇଲା କେତକୀ । ଦେହମନ ସବୁ ଦୁର୍ବଳ ହୋଇପଡିଥିଲା । ପାର୍ବତୀ ଶୋଇ ପଡ଼ିଲାଣି ବୋଧହୁଏ । ଦିନସାରା ଶୋଇ ଶୋଇ କେତକୀ ଆଖିରେ ନିଦ ନାହିଁ । ଖାଲି ଜଳ ଜଳ କରି ଉପରକୁ ଚାହିଁ ପଡିରହିଥିଲା ସେ । ମଝିରେ ମଝିରେ ମନେପଡୁଥାଏ ସେଇ ମୁଦା ଲଫାପାଟି କଥା । ଡାକବାଲାଠାରୁ ଲଫାପାଟି ଆଣି ପୁଅକୁ ଦେବାବେଳେ ସେ ଦେଖିଥିଲା ବୋହୂ ଅଧାଜଳା ଚୁଲି ଭିତରେ କାଠଟା ପେଲିଦେଇ ଉଠି ଆସିଥିଲା ସପନି ପାଖକୁ । ହଠାତ ସେଇ ମୁହୂର୍ତ୍ତରେ କେତକୀ ଲକ୍ଷ୍ୟ କରିପାରିନଥିଲା ବୋହୂର ମୁହଁଟି । କଣ ଥିଲା ସେ ଲଫାପାଟି ଭିତରେ ? ବୋହୂ ତାକୁ ଦେଖି ଖୁସି ଥିଲା ନା ନାହିଁ ? କେତକୀ ମନେମନେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା । ‘ହେ ଭଗବାନ, କିଛି ଭଲ ଖବର ହୋଇଥାଉ  ସେଇଟି । ନକହିଲେ ପଛେ ନକହନ୍ତୁ ମତେ । ସୁଖବର ନେଇ ଆସିଥାଉ ଲଫାପାଟି।’

ସୁଦର୍ଶନ କହୁଥିଲା କମ୍ପାନୀ ମାନେ ପୂଜା ଅବସରରେ ବୋନସ୍ ଦିଅନ୍ତି । ହଁ, ଏମିତି ବୋନସ୍ ସପନି ବାପାଙ୍କୁ ବି ମିଳୁଥିଲା । ଦୁର୍ଗାପୂଜାବେଳେ ପଚାଶ ଟଙ୍କା ଅଧିକ ମିଳେ । ସେଇଥିରେ ସପନି ପାଇଁ ନୂଆ ଜାମା ପ୍ୟାଣ୍ଟ ଆଣିଥାଏ ସେ । କେତକୀ ପାଇଁ ଚୁଡ଼ି ମୁଠାଟେ ବି ଆଣିଥାଏ । ବୋଧହୁଏ ସପନିକୁ ବି ବୋନସ୍ ମିଳିଥିବ । ତେବେ କେତକୀକୁ କିଛି କହିଲେନି ସେମାନେ କାହିଁକି ? ସେ ତ କେବେ ଭାଗ ବସେଇନଥାନ୍ତା ସେ ଟଙ୍କାରେ । ହଁ, ଅବା ଖୁସି ମନରେ  କିଛି ଟଙ୍କା ମାଗିନେଇ ମହାଦେବ ମନ୍ଦିରରେ ନଡ଼ିଆଟେ ଦେଇଥାନ୍ତା । ସପନି ଏମିତି ଚୁପଚାପ ଚାଲିଗଲା କାହିଁକି? ଲଫାପାଟି ଆସିବା ପରେ ଭାରି ତତ୍ପର ହେଉଥିଲା ଯିବାପାଇଁ । ତା ପରଦିନ ସକାଳୁ ହିଁ ସେମାନେ ସବୁ ଚାଲିଗଲେ । କେତକୀର ମୁଣ୍ଡଟା ଟିକେ ଟିକେ ବୁଲାଉଥିଲା ।

ଏମିତି ଗୋଟେ ମାଟିଆ ଲଫାପା ସପନି ବାପା ପାଖକୁ ବି ଦିନେ ଆସିଥିଲା । ସେଇ ଲଫାପାରେ ଥିଲା ବଦଳି ଆଦେଶ । ସାଧାରଣତଃ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ବଦଳି ହୁଏନି ମାତ୍ର ଉପର ହାକିମଙ୍କୁ ଧରାଧରି କରି ଏକଦା ହାକିମଙ୍କ ଘର କାମରେ ସାହାଯ୍ୟ କରୁଥିବା ତ୍ରିପାଠୀ ଯେଉଁଦିନ ତା’ଜାଗାରେ ନିଯୁକ୍ତି ପାଇଲା, ସେଦିନ ସପନି ବାପାର  ଆଉ ଗୋଟିଏ ଅଫିସକୁ ବଦଳି ହୋଇଗଲା । ସେଇ ନୂଆ ଅଫିସକୁ ଯିବାପାଇଁ ରାସ୍ତାଟି ଆଦୌ ଭଲନୁହେଁ । କଚ୍ଚା ରାସ୍ତା । ସପନି ବାପାର ଏମିତିରେ ଆଣ୍ଠୁ ଗଣ୍ଠି ବାତ ବେମାରୀ । ସେଥିରେ ନିତିପ୍ରତି ଖାଲ ଢ଼ିପରେ ଯିବା ଆସିବା କରି ଖୁବ ବେଶୀ କ୍ଲାନ୍ତ ହୋଇପଡୁଥିଲା ସେ । ଦିନେ ଦିନେ ରାତିରେ ବସି ସୁଉଁ ସୁଉଁ ହୋଇ ଛୁଆଙ୍କ ପରି କାନ୍ଦେ ସିଏ  । କେତକୀ ଉଠି ଭଲକରି ଗରମ ତେଲ ମାଲିସ କଲେ ଯାଇ ଶୋଇବ । ସପନିର ଆଉ ବଦଳି ହୋଇ ଯାଇନି ତ? ଏଇ ପାଖ ସହରରେ ଅଛନ୍ତି ବୋଲି ସିନା ବେଳ ଅବେଳରେ ଆସିଯାଇ ପାରୁଛନ୍ତି । ଯଦି ଦୂରକୁ ଚାଲିଯିବେ ସେମାନେ, କେତକୀ ତ ଆଉ ଦେଖିପାରିବନି ସେମାନଙ୍କୁ । ସେମାନଙ୍କ ଭଲମନ୍ଦ ଖବର ସହରକୁ ଯିବା ଆସିବା କରୁଥିବା ଲୋକଙ୍କୁ ପଚାରି ବୁଝିପାରିବନି ଆଉ । କେତକୀ ଦୁଃଖୀ ହେଉଥିଲା । ସେଇଥିପାଇଁ କଣ ଖବରଟି ପାଇ ଥମଥମ ହୋଇ ଚାଲିଗଲା ସପନି । ସେ ଦୁଃଖ କରିବ ବୋଲି ତାକୁ କହିଲାନି କିଛି ।

କେତକୀ କଡ଼ ଲେଉଟାଇଲା । ପାର୍ବତୀର ମୁହଁକୁ ଚାହିଁଲା । ନିଦଟା ହିଁ ମଣିଷର ସବୁଠାରୁ ବଳି ବଡ଼ ସାଥି, ସୁଖରେ ହେଉ ବା ଦୁଃଖରେ ହେଉ । ଖୁସି-ଆନନ୍ଦ  ଦୁଃଖ-ବିଷାଦ – ଶୋଇ ପଡିଲେ ସବୁ କିଛି ସହଜ ହୋଇଯାଏ । ବୁଜା ଆଖିରେ ନଇଁ ଆସେ ପ୍ରଶାନ୍ତି । ସେଇ କିଛି ସମୟ ସାରା ସଂସାର ସ୍ଥିର ହୋଇଯାଏ । ସତରେ, କି ମଣିଷ କି ପଶୁ,  ନିଦ୍ରା ଯେ ଅପରିହାର୍ଯ୍ୟ ସମସ୍ତଙ୍କ ପାଇଁ । ଚିନ୍ତାରେ ଛଟପଟ ହୋଇ ଶୋଇପାରୁନି ବୋଲି ସିନା କେତକୀ ଏଣୁ ତେଣୁ ଭାବିହେଉଛି । କେମିତି ନିଦ ଟିକିଏ ହୋଇ ଯାଆନ୍ତା ହେଲେ, ସେଇ କେତେ ସମୟ ସବୁ ଦୁଶ୍ଚିନ୍ତା ଅପସରି ଯାଆନ୍ତା ମନରୁ । ପାର୍ବତୀ ଶୋଇ ଯାଇଛି ନିଶ୍ଚିନ୍ତରେ । କିଛିଦିନ ଆଗରୁ ପାର୍ବତୀର ଦିଅର ତାକୁ ବାଧ୍ୟ କରିଥିଲା ନିଜ ପୁଅକୁ ପୋଷ୍ୟ ପୁତ୍ର କରିବାପାଇଁ । ସେଦିନ  ଏମିତି ଏକ ଲଫାପାରେ ଆସିଥିଲା କୋର୍ଟର କାଗଜ । ଇଚ୍ଛା ନଥାଇ ବି ପାର୍ବତୀ ଗୁରୁଜନଙ୍କ ଚାପରେ ଦସ୍ତଖତ ଦେଇଥିଲା ସେଥିରେ । ସେଦିନ ପାର୍ବତୀ ମୁହଁ ଶୁଖାଇ କେତକୀ ପାଖରେ ବସିଥିଲା ଅନେକ ସମୟ । କହିଥିଲା, ନିଜର ବୋଲି କହିବାକୁ ଘର ବଖରାଟିଏ ତ ଥିଲା, ଏବେ ସେଇଟି ବି ଗଲା । କେଉଁଦିନ ଘରୁ ବହାରିଯିବାକୁ କହିବ କିଏ ଜାଣେ ?’

କେତକୀ ଜାଣିଥିଲା ଏଇ ପୁଅଟିକୁ ନିଜ ପୁଅ କରି ପାଖରେ ରଖିବ ବୋଲି କେତେ ମନଥିଲା ପର୍ବତୀର । ସପନି ଠାରୁ ପାଞ୍ଚ ଛଅ ବର୍ଷ ସାନ ଥିଲା ସେ ପୁଅଟି । ସପନିକୁ କୋଳରେ ଧରି ଗେହ୍ଲା କରିବା ଭିତରେ ପାର୍ବତୀର ବି ମନ ହୋଇଥିଲା, ନିଜର ,ଏକାନ୍ତ ନିଜର କରି ପାଳିବ କୁନି ପିଲାଟିଏକୁ । ତାର ଗୁହ, ମୁତରେ ଗୋଳିହୋଇ ମାତୃତ୍ୱର ସ୍ୱାଦ ଚାଖିବ । ମାତୃତ୍ୱକୁ ପ୍ରାଣଭରି ଅନୁଭବ କରିବ । ଯାଆର କୁନି ପୁଅଟିକୁ ଦେଖି କାନି ପତେଇଥିଲା ସେ । ରୋକଠୋକ ମନା କରିଦେଇଥିଲେ ସେମାନେ । ନିଜର ଛୁଆ ନୁହେଁ;  କାଳେ ଠିକ ଭାବରେ ଦେଖାରଖା କରିପାରିବେନି – କହି ଯାଆ ବାହୁନିଥିଲା । ଆଖିଲୁହ ପିଇନେଇ ପାର୍ବତୀ ଚୁପ ହୋଇଯାଇଥିଲା  । ନିଜର ଆଉ ତିନିଟା ପିଲାଙ୍କ ଭିତରେ ସେ କୋଡ଼ ଛୁଆଟି ବି ବଡ଼ ହେଲା ସାନ ଯାଆ କୋଳରେ  । ଖୁବ ଦୁଷ୍ଟାମୀ କରୁଥିଲା ସେ । ପାର୍ବତୀର ତ ମାୟା ଲାଗିଯାଇଥିଲା ତା’ଠି । ଖୁବ ଗେହ୍ଲା କରୁଥିଲା ତା’କୁ । କେବେ ଯଦି ଆକଟୁଥିଲା, ସେ ଯାଇ ଫେରାଦ କରୁଥିଲା ତା’ମାଆ ପାଖରେ । ଅକଥନୀୟ ଗାଳିରେ ପୋତି ପକାଉଥିଲା ମାଆ ତା’ର । ଯେତେହେଲେ ବଡ଼ ଯାଆ । ବଡ଼ ଭଉଣୀ ସମାନ । କେଜାଣି କାହିଁକି ଭଲ ଲାଗେନି କେତକୀକୁ । ଦିନେ ପାର୍ବତୀ ନଥିଲା ବେଳେ ବୁଝାଇଥିଲା ତାକୁ । ଉତ୍ତର ପାଇଥିଲା, ‘ଚାରିଟା ହୁଅନ୍ତୁ କି ପାଞ୍ଚଟା ହୁଅନ୍ତୁ, ମୋ ପୁଅକୁ ମୁଁ କାହାକୁ କାହିଁକି ଦେବି ବା ? ବର ତ ଯାଇଛି, ମୋ ପିଲାଟାକୁ ବି ଖାଇଯିବେ ସେ । ଯାହାର ବର ଅଳ୍ପ ବୟସରେ ମରିଯାଏ, ସେଇଟା ଛୁଆପିଲା ବିନା ଡାହାଣୀ ହୋଇଯାଏ, ମତେ ଭାରି ଡର’ । ଇଚ୍ଛା ହେଉଥିଲା କସି କରି ଚାପୁଡ଼ାଟିଏ  ମାରିବାକୁ । କେତେ ଶ୍ରଦ୍ଧାରେ ଝିଆରୀ ଲେଖା ଏଇ ଝିଅଟିକୁ ପାର୍ବତୀ ନିଜ ଗାଁରୁ  ବୋହୂ କରି ଆଣିଥିଲା । ସେଇ ବୋକୀ ଝିଅଟି ପୁଣି ଏଡ଼େ ସିଆଣି ହୋଇଗଲା କେମିତି? ଘୃଣାରେ ଫେରି ଆସିଥିଲା କେତକୀ । ସେଇ ଘଟଣା ପରଠାରୁ କେତକୀ ନିଜ ପୁଅ ସପନି ପ୍ରତି ପାର୍ବତୀର ମାୟା ଜଗେଇଥିଲା ଜାଣି ଜାଣି । ସାମାନ୍ୟ କଥାରେ ସପନିକୁ ପାର୍ବତୀ ପାଖକୁ ପଠାଉଥିଲା । ସପନି ବି ଧିରେ ଧିରେ ପାର୍ବତୀକୁ ସ୍ନେହ କରିବା ଆରମ୍ଭ କରିଥିଲା ।

ପାର୍ବତୀ ସେ କୋର୍ଟ କାଗଜଟିରେ ଦସ୍ତଖତ କରିଦେଲାପରେ ସେଇ ବାଳୁଙ୍ଗା ଟୋକାଟା କୁଆଡେ ତାର ପୁଅ ହୋଇଯାଇଥିଲା  , ଯିଏ ଘର ଲୋକଙ୍କୁ ଖାତିର ନକରି ବେପରୁଆ ହୋଇ ବୁଲୁଛି ଇଆଡ଼େ ସିଆଡେ ।  ସପନି କହୁଥିଲା ସହରର କିଛି ଅସାମାଜିକ ଯୁବକଙ୍କ ସହ ତାକୁ ଦେଖିଛି ସେ କେତେଥର । ସେଇ ଅସାମାଜିକ ଟୋକାଟିକୁ ପୁଅ କଲାପରେ , ପାର୍ବତୀର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଗଲା ସେ । ବୋହୂ କରି ଆଣିବେ ସେମାନେ ପାଖ ଗାଁର ସେଇ ଚମ୍ପା ଗୋରୀ ଝିଅଟିକୁ, ଯାହାକୁ ଠାକୁରାଣୀ ମେଲଣ ଦିନ ଭେଟିଥିଲା  କେତକୀ  । ପାର୍ବତୀ ଜାଣେ ତା’ ମାଆକୁ ।  ଝିଅଟିକୁ ଦେଖି ମାୟା ଜାଗିଥିଲା ମନରେ । ଛତରା ଟୋକା କେତେଜଣଙ୍କ ସହିତ ପାର୍ବତୀର ଦିଅରର ସେଇ ବାଳୁଙ୍ଗା ପୁଅଟି ବି ବୁଲୁଥିଲା ସେଠି । ଝିଅଟି କୁଆଡେ ସେ ଟୋକାର ଖୁବ ପସନ୍ଦ ହୋଇଛି । କେତକୀ ଭାବୁଥିଲା, ‘ଏ କେମିତି କଥା?  ଝିଅଟି କଣ ଖେଳଣାଟିଏ, ଯାହାର ପସନ୍ଦ ହେବ ସେ ନେଇଯିବ ତା’କୁ । କେହି ପଚାରିବେନି ସେ କଣ ଚାହେଁ ?’  ବାଳୁଙ୍ଗା ଟୋକାଟିର ପସନ୍ଦ ହୋଇଗଲା ବୋଲି, ତା’ ସହିତ ଛନ୍ଦିଦେବେ ସେମାନେ ଲବଣୀ ପିତୁଳା ପରି ସେଇ ଝିଅଟିକୁ !

ପାର୍ବତୀର ସମ୍ପତ୍ତି ଉପରେ ନଜର ପଡିଛି ସେମାନଙ୍କର । ଆହା, କେତେ ନିଷ୍ଠୁର ଲୋକ ଏମାନେସବୁ । ହୃଦୟ ବୋଲି କିଛି ବି ନାହିଁ ଏମାନଙ୍କ ପାଖରେ । ପାର୍ବତୀ ଆପତ୍ତି କରିଥିଲା ଆଗ, କିନ୍ତୁ ତା କଥା କିଏ ଶୁଣୁଛି ? ଶେଷକୁ ବାଧ୍ୟ ହୋଇ କୋର୍ଟ କାଗଜରେ ଦସ୍ତଖତ କରିଦେଇଥିଲା ସେ ।

କେତକୀ ଭାବିହେଲା ନିଜ କଥା । ସେମିତି କୋର୍ଟ କାଗଜଟିଏ ଆସିନି ତ ଆଉ ସେଇ ମାଟିଆ ଲଫାପାଟିରେ ?  ଜମିବାଡ଼ି ସବୁ ଲେଖେଇନେବ କି ସପନି ତା’ ନିଜ ନାଁରେ?  ସପନି କହୁଥିଲା , ସହରରେ ଘରଟିଏ କଲେ ଭଲହେବ । ଗାଁରେ ଜମିବାଡ଼ି କିଏ ବୁଝିବ ? ତେବେ କଣ ଗାଁ ଜମିବାଡ଼ି ବିକିଦେବେ ସେମାନେ?  କେତକୀ ଉଦାସ ହୋଇଗଲା । ସେ ଥାଉ ଥାଉ କାହିଁକି ଏମିତି କରିବ ସପନି ? ବାଡ଼ି ଗୋବରେ ଗୋବେ ତ ଜମି । କେଉଁ ବାଟି ବାଟି ସମ୍ପତ୍ତି ହୋଇଛି ଯେ !  ସପନି ବାପା ଅକାଳରେ ଚାଲିଗଲା ପରେ ସେଇ ଜମିତକ ତାଙ୍କୁ ଅନ୍ନ ଯୋଗାଇଛି । ସେତକ ବିକିଦେଲେ କେତକୀ ଚଳିବ କେମିତି ? ପାର୍ବତୀ ପରି ସେ ବି କଣ ଅନିଶ୍ଚିତ ଭବିଷ୍ୟତକୁ ନେଇ ଘାଣ୍ଟିହେବ ?

କେତକୀ ଲୁହ ପୋଛିଲା ଆଖିରୁ । ଏଇ କେଇଦିନ ହେଲା ଭାରି ଦୁର୍ବଳ ଲାଗୁଛି ତାକୁ । ମୁଣ୍ଡଟା ବି ବୁଲେଇ ଦେଉଛି ରହିରହି । ଶୋଇ ପଡିବାକୁ ଇଚ୍ଛା ହେଉଛି । ସପନି ଗାଁରେ ପହଞ୍ଚିବା ଦିନ ଜବରଦସ୍ତ ତାକୁ ନେଇ ଗାଁ ପାଖ ଡାକ୍ତରଖାନାରେ ଡାକ୍ତର ବାବୁଙ୍କୁ ଦେଖାଇଥିଲା । ସେଇଠି କାଶି କାଶି ଲହୁଲୁହାଣ ହୋଇ ଯାଇଥିଲା କେତକୀ । ଡାକ୍ତର ବାବୁ ତାକୁ ନେଇଗଲେ ଭିତରକୁ । ଛାତି ପରୀକ୍ଷା କରିବାକୁ ହେବ କହିଲେ ସପନିକୁ । ସେଇଠି କିଛି ଫଟୋ ଉଠେଇନେଇଥିଲେ, ଗୋଟିଏ ଡାକ୍ତରୀ ଯନ୍ତ୍ରର ସହାୟତାରେ । ରିପୋର୍ଟ ଆସିଥିଲା କି ଆଉ ସେଇ ମାଟିଆ ଲଫାପାଟିରେ ? ଆହା, ତା’ର ଦିନ କେତୋଟିର ଆୟୁଷକୁ ଦେଖି ଘାଣ୍ଟି ହୋଇ ସପନି ଆଉ ବୋହୂ କଣ ଧାଇଁଗଲେ କି ସହରର ବଡ଼ ଡାକ୍ତର ପାଖକୁ ।

ବର୍ଷାର ବେଗ ବୋଧହୁଏ ବଢ଼ିଗଲାଣି । ପାର୍ବତୀ ଘରେ, ଗୋଟିଏ ଖଟରେ ଜାକି ହୋଇ ଶୋଇଥିଲେ ସେମାନେ ଦୁହେଁ । ଭଙ୍ଗା ଝରକା ଦେଇ ବର୍ଷାଛିଟା ଘର ଭିତରେ ପଡୁଥିଲା । ପଡୁଥିଲା ସେମାନେ ଶୋଇଥିବା ଖଟ ଉପରେବି । ଉଠିଯାଇ ଖରକାଟିକୁ ବନ୍ଦ କରିଦେବାକୁ ଇଚ୍ଛା ହେଉନଥିଲା । ଝରକା ଆଡକୁ ଆଉଜି ଯାଇ ନିଜ ମୁହଁ, ଦେହରେ ଟିପି ଟିପି ବର୍ଷାକୁ ଉପଭୋଗ କରୁଥିଲା କେତକୀ । କିଛିକ୍ଷଣ ପାଇଁ ସେ ଭୁଲି ଯାଇଥିଲା ନିଜକୁ । ଭୁଲିଯାଇଥିଲା ତାର ଆଖପାଖର ମଣିଷ ମାନଙ୍କୁ, ଯେଉଁମାନଙ୍କୁ ନେଇ ଘାଣ୍ଟି ହେଉଥିଲା ସେ  ଆଜିଯାଏଁ । ଭୁଲି ଯାଇଥିଲା ସେଇ ମୁଦା ଲଫାପାଟିକୁ, ଆଉ ତା’ଭିତରେ ବନ୍ଦୀ ହୋଇ ରହିଥିବା ନିଜର ଅନିଶ୍ଚିତ ଭବିଷ୍ୟତକୁ । ବର୍ଷାର ବିନ୍ଦୁଗୁଡିକୁ କେବଳ ନିଜର ଦେହ ଓ ମୁହଁରେ ଛିଟିକି ପଡିବାକୁ ଛାଡ଼ିଦେଇଥିଲା । ସେ ଅନୁଭବ କରୁଥିବା ପରମ ସୁଖର ସେଇ ଭିଜା ଭିଜା ମୁହୂର୍ତ୍ତ କେତୋଟିକୁ ହୃଦୟ ଭିତରେ ସାଉଁଟି ନେବାକୁ ବୁଜିନେଇଥିଲା ଆଖି ଦୁଇଟି …

(ସୁଚରିତା -୨୦୦୦ ପୂଜାସଂଖ୍ୟାରେ ପ୍ରକାଶିତ)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s