– ‘ଅନୁପ ଚାଲିଗଲା – ମୁକ୍ତି ପାଇଗଲା ଜାଣ’, ଦୀର୍ଘଶ୍ଵାସ ସହ ବିରୁପାକ୍ଷଙ୍କର ଏ ସ୍ଵଗତୋକ୍ତି ଦୋହଲାଇଦେଲା ଲୋପିତାକୁ । ଡେରି ରାତିରେ ହସ୍ପିଟାଲରୁ ଫେରି ହ୍ୟାଙ୍ଗରରେ ଟଙ୍ଗାଇଥିବା ସେଇ ପୁରୁଣା ଟି’ ସାର୍ଟଟି ଦେହରେ ଗଳାଇଦେଇ ସକାଳୁ ସକାଳୁ ତରତର ହୋଇ ପୁଣିଥରେ ହସ୍ପିଟାଲ ବାହାରିଗଲେ ବିରୁପାକ୍ଷ । ଲୋପିତା ଥକ୍କା ହୋଇ ବସିଗଲା ଖଟ ଉପରେ ।
‘ମୁକ୍ତି ପାଇଗଲା’ – ଶବ୍ଦ ଦୁଇଟି ବାରମ୍ବାର ହୃଦୟର ନିଭୃତ କୋଣରେ ପ୍ରତିଧ୍ବନିତ ହେବାକୁ ଲାଗିଲା । ସତରେ କଣ ମୁକ୍ତି ପାଇଗଲା ସେ, ଆଉ ଉଡିଗଲା କେଉଁ ସୁଦୂର ରାଇଜକୁ ଯେଉଁଠି ରହିଛି ପ୍ରଚୁର ସୁଖ ଶାନ୍ତିର ଅସରନ୍ତି ସମ୍ଭାର? ସତେ କଣ ଅନୁପ ଚାହିଁ ଥିଲା ଏମିତି ଏକ ମୁକ୍ତିର ବାଟକୁ ?
ଏଇ ଶନିବାରଦିନହିଁ ତ ଦେଖାହୋଇଥିଲା ଅନୁପ ସହ । ପଚିଶ ବର୍ଷର ଯୁବକଟି ସତୁରୀ ବର୍ଷର ବୃଦ୍ଧ ପରି ଦେଖାଯାଉଥାଏ – କର୍କଟ ରୋଗର ଭୟଙ୍କର ପରିଣାମ ସ୍ପଷ୍ଟ ପ୍ରକାଶ ପାଉଥାଏ ତା’ର ଅଙ୍ଗପ୍ରତ୍ୟଙ୍ଗରେ । ତଥାପି ତା’ ଆଖିଦୁଇଟିରେ ଥାଏ ଏକ ଅଦ୍ଭୁତ ଚମକ । ଶରୀରର କ୍ଳେଶକୁ ସହିନେଇ ଜୀବନ ଜିଇଁବାର ଦୁର୍ବାର କାମନା ଝଲମଲ ହେଉଥାଏ ସେଠି ।
ସେଇ ମାତ୍ର ରକ୍ତ ସଂଗ୍ରହ କୋଠରୀରେ ରକ୍ତ ଦେଇସାରିବା ପରେ ଲୋପିତା ଯାଇ ବସିଥାଏ ଅନୁପ ପାଖରେ । ଲୋପିତା ଦେହର ରକ୍ତ ହୁଏତ ଅନୁପକୁ ଦେବ ଅଳ୍ପ କିଛି ଦିନର ଅତିରିକ୍ତ ଜୀବନ । – ‘ତୁମେ ମୋର ଭଉଣୀ ହେଇଗଲ, ଲୋପିତା’ – କହିଲା ବେଳେ ଅନୁପର ସ୍ୱର ଭିଜି ଯାଉଥାଏ କୃତଜ୍ଞତା ଓ ସ୍ନେହର ପାରାବାରରେ । ଖୁବ ଭାବ ପ୍ରବଣ ହୋଇ ଯାଇଥିଲା ଲୋପିତା । ସତେ ଯେମିତି ଏକ ଅଭାବନୀୟ ରକ୍ତ ସମ୍ପର୍କରେ ଯୋଡି ହୋଇଯାଇଥିଲା ସେ ଅନୁପ ସହ ।
ବୟସରେ ତା’ଠାରୁ ବର୍ଷେ ଦୁଇବର୍ଷ ସାନ ହେବ ଅନୁପ । ବିରୁପାକ୍ଷଙ୍କର ବନ୍ଧୁ ହିସାବରେ ତାକୁ ଜାଣିଥିଲା ସେ ଯାଏଁ । ରକ୍ତ କର୍କଟ ରୋଗରେ ପୀଡିତ ସେ ବନ୍ଧୁଟି ପାଖରେ ଏଇ ଦୁନିଆରେ ବଞ୍ଚିବା ପାଇଁ ଯେ ଆଉ ହାତ ଗଣତି ଦିନ କେତୋଟି ଅଛି ଜାଣିବା ପରେ ଲୋପିତାର ସ୍ପର୍ଶକାତର ମନଟି ଚହଲି ଯାଇଥିଲା । ପ୍ରତିଦିନ ଅଫିସରୁ ଫେରି ବିରୁପାକ୍ଷ ଶୁଣାଉଥିଲେ ଅନୁପର ଖବର । ‘ହୁଏତ ଶେଷ ସମୟ ଆସିଗଲା’ – ବିରୁପାକ୍ଷ ଖୁବ ବିବ୍ରତ ହୋଇ କହିଥିଲେ ସେଦିନ । ‘ପ୍ରତିଦିନ ଦିଆ ଯାଉଥିବା ରକ୍ତ ତାକୁ ବଞ୍ଚେଇ ରଖିବ କିଛି ଦିନ । ତାପରେ ..’ – କହୁକହୁ କଣ୍ଠରୁଦ୍ଧ ହୋଇଯାଇଥିଲା ବିରୁପାକ୍ଷଙ୍କର । ବାଥରୁମ ଭିତରେ ବିରୁପାକ୍ଷ ପଶିଗଲା ବେଳେ ଲୋପିତା ତାଙ୍କର ଛଳଛଳ ଆଖି ଦିଓଟି ସ୍ପଷ୍ଟ ଦେଖିପାରିଥିଲା।
ନିଜର ଓ-ପଜିଟିଭ ବ୍ଲଡ଼ ଗ୍ରୁପ ଜାଣିଲା ଦିନ ଖୁବ ଖୁସି ହୋଇଯାଇଥିଲା ଲୋପିତା । ନିଜ ଦେହରୁ ରକ୍ତ ଦେଇ ସେ ବଞ୍ଚେଇ ଦେଇପାରିବ ଅସହାୟ ମଣିଷ ମାନଙ୍କୁ । କାହାପାଇଁ କିଛି କରିବା ପାଇଁ ହାଇଁପାଇଁ ହେଉଥିବା ମନଟି ତାର ତୃପ୍ତିପାଇଥିଲା । ସମସ୍ତଙ୍କ ପାଇଁ କରୁଣାର ଦିବ୍ୟ ଆଶୀର୍ବାଦ କାମନା କରିଥିଲା ଈଶ୍ୱରଙ୍କ ପାଖରେ । ସନ୍ତାନ-ସମ୍ଭବା ଲୋପିତାର ଅସ୍ତ୍ରୋପଚାର ଜରିଆରେ ହେବାକୁ ଥିବା ପ୍ରସବ ଆଶଙ୍କା ହେତୁ ବ୍ଲଡ଼ ଗ୍ରୁପ ନିର୍ଦ୍ଧାରଣ କରାଯାଇଥିଲା,ମାତ୍ର ସହଜ ଭାବରେ ଦୁନିଆର ଆଲୋକ ଦେଖିଥିଲା କୁନି ପୁଅଟି ତା’ର । ବର୍ଷକର ପୁଅଟି ସହ ସଂସାର ଜଞ୍ଜାଳରେ ବ୍ୟସ୍ତ ଥିବା ସମୟରେ ଆସିଥିଲା ଅନୁପର ଖବର । ‘ମୋର ତ ଓ-ପଜିଟିଭ ବ୍ଲଡ଼ ଗ୍ରୁପ । ଅନୁପଙ୍କୁ ମୁଁ ବ୍ଲଡ଼ ଦେଇପାରିବି’ – ବିରୁପାକ୍ଷଙ୍କୁ କହିଥିଲା ଲୋପିତା ।
ଗତ ଶନିବାର ଦିନ ଅନୁପକୁ ରକ୍ତ ଦେଇଥିଲା ଲୋପିତା । କାଲି ରାତିରେ ତା’ ଅବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା ଆଉ ଆଜି ସକାଳୁ ଚାଲିଗଲା ସେ । ସେଦିନ ରକ୍ତ ଦେଇସାରିବା ପରେ ବେଶ କିଛି ସମୟ ବସିଥିଲା ସେ ଅନୁପ ପାଖରେ । ହସ୍ପିଟାଲର ଗେଟ ପାଖରେ ଅନଭ୍ୟସ୍ତ ବିରୁପାକ୍ଷଙ୍କ ହାତରେ ଛାଡି ଆସିଥିବା କୁନି ପୁଅଟି ଯେ ଖୋଜୁଥିବ ତାକୁ, ସେକଥା ବାରମ୍ବାର ମନ ଭିତରେ ଉଙ୍କି ମାରୁଥିବା ସତ୍ତ୍ୱେ ଅନୁପର ମାଆଙ୍କ ଅନୁରୋଧ ଏଡେଇ ନପାରି ସେ ତାଙ୍କ ସହିତ ଅନୁପ ପାଖକୁ ଯାଇଥିଲା, ଆଉ ବେଶ ସମୟ ବସିଥିଲା ସେଠି । ସେଇଠି ଛୋଟ ଟିଫିନ ଡବାରୁ ଜଗନ୍ନାଥଙ୍କ ମଗଜ ଲଡୁ କାଢି ନିଜ ହାତରେ ଖୁଆଇଦେଇଥିଲେ ତାକୁ ମାଉସୀ । କେମିତି ଗୋଟେ ବିହ୍ଵଳ ଦୃଷ୍ଟିରେ ଚାହିଁଥିଲେ ସେ ତାକୁ । ସେ ଆଖି ଦୁଇଟି ଭିତରେ ଛଳଛଳ ମାତୃତ୍ୱକୁ ସ୍ପଷ୍ଟ ଦେଖିପାରୁଥିଲା ଲୋପିତା । ‘ଭାରି ଭଲ ଲାଗେ ମତେ’ – କହି ଲୋପିତା ଖାଇଥିଲା ପ୍ରସାଦ । ଅନୁପର ଗୋଡ଼ ପାଖରେ ଚୁପ ହୋଇ ବସିଲା । ମାଉସୀ ଅନୁପର ମୁଣ୍ଡକୁ ତାଙ୍କ କୋଳରେ ରଖିଲେ, ଧିରେ ହାତ ବୁଲେଇ ଆଣିଲେ ତା ମୁହଁ ସାରା । କେମୋର ପ୍ରଭାବରେ ଝର ଝର ହୋଇ ଖସି ଯାଉଥିଲା ମୁଣ୍ଡର ଚୁଟି ଓ ନିଶ । ମାଉସୀଙ୍କ ହାତରେ କିଛି ଚୁଟି । ଲୋପିତାକୁ ସେତକ ଦେଖେଇ ମାଉସୀ କହିଲେ, ‘ଦେଖିଲୁ, ପୁଅଟା ମୋର ଲଣ୍ଡା ହୋଇଯିବ ବୋଧେ ଆଉ କେଇଦିନରେ’ । କହିଲେ ଆଉ ହସିଦେଇ ଵୋକ ଖାଇଲେ ଅନୁପର କପାଳରେ । ଓଃ, କି ଦାରୁଣ ସେ ମୁହୂର୍ତ୍ତ ସବୁ । ସେମିତି ପରିସ୍ଥିତିରେ କି ପ୍ରକାର ପ୍ରତିକ୍ରିୟା କରିବ ସେ, ଲୋପିତାର ସାରା ଶରୀରରେ ଖେଳି ଯାଉଥିଲା ଗୋଟିଏ ଅସ୍ୱାଭାବିକ ଅସହାୟ ଭାବ ।
ଅନୁପ ଓ ମାଉସୀଙ୍କ ଠାରୁ ବିଦା ହୋଇ ମଉସାଙ୍କ ସହିତ ଲିଫ୍ଟରେ ଫେରି ଆସିଲା । ଲିଫ୍ଟରେ କେବଳ ସେ ଆଉ ମଉସା । ହଠାତ ମଉସା ଶବ୍ଦ କରି କାନ୍ଦି ଉଠିଲେ । ଲୋପିତା କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇଥିଲା । ପର ମୁହୂର୍ତ୍ତରେ ମଉସା ଲୁହ ପୋଛିନେଲେ । ଟିକିଏ ମଜାଳିଆ ସ୍ୱରରେ କହିଲେ, ‘ଆଜି ଅନୁପ ମୋର ହୋଇଗଲା ଝିଅ । କାହିଁକି ନା, ଗୋଟିଏ ଝିଅର ରକ୍ତ ବୋହୁଛି ଆଜି ତାର ପୁରା ଶରୀରରେ’ । ଲୋପିତା ଜାଣିପାରୁଥିଲା ମଉସା ନିଜର ଦୁର୍ବଳତା ଉପରେ ପରଦା ଢ଼ାଙ୍କୁଛନ୍ତି । ତାଙ୍କ କୋହକୁ ଲୁଚେଇବାର ବୃଥାଚେଷ୍ଟା କରୁଛନ୍ତି ସେ । ଲୋପିତା ମଉସାଙ୍କ ଅଖିରୁ ଖସିଆସିଥିବା ଲୁହ ଗୁଡାକ ପୋଛିଦେବା ପାଇଁ ବଢାଉଥିବା ହାତକୁ ଜାକିନେଇଥିଲା, ଫିକା ହସଟିଏ ଖେଳିଯାଇଥିଲା ତା’ ମୁହଁରେ ।
ସେ ଦିନଟି ପରେ ଲୋପିତା ଅନେକଥର ଅନୁପକୁ ମନେପକାଇଛି । ତାର ସେ ନିରୀହ ମୁହଁରେ ବଞ୍ଚିବାର ଅସମ୍ଭବ ଇଚ୍ଛା, ମାଉସୀଙ୍କ କୋଳରେ ନିଜକୁ ସାଉଁଟିନେଇ ମମତାର ସେ ଅଦ୍ଭୁତ ଫରୁଆ ଭିତରେ ଲୁଚିଯିବାର ଅଦମ୍ୟ ଅଭିଳାଷ, ଲୋପିତାକୁ ଆନମନା କରିଛି ଅନେକ ସମୟରେ । ଆତ୍ମା ଅବିନଶ୍ୱର । ମୃତ୍ୟୁ ପରେ ଶରୀର କେବଳ ତାର ଘଟ ବଦଳାଏ । ଅନ୍ୟଏକ ଶରୀରରେ ପ୍ରବେଶ କରି ପୁଣି ତାର ଲୀଳା ଖେଳା ଜାରି ରଖେ । ତେଣୁ ଶରୀର ଗୋଟିଏ ମାୟା । ଲୋପିତା ନିଜକୁ ପଚାରିଥିଲା ସେଇ ଅବୁଝା ପ୍ରଶ୍ନଟିକୁ ପୁଣିଥରେ । ସେଇ ଶରୀର ତ ଗୋଟିଏ ମାଆ ପାଇଁ ତା’ ପୁଅର ଶରୀର । ସେଇଟିକୁ କେବଳ ମାୟା ବୋଲି କେମିତି ଭାବିବ ମାଆଟିଏ ? ନିଜର ଅନ୍ତ ଫାଡ଼ି କେତେ ଯନ୍ତ୍ରଣା ସହି କୋଳରେ ଜାକି ଧରିଥିବା ସେଇ କୁନି ପୁଅଟିକୁ କେମିତି ହରେଇଦେଵ ସବୁଦିନ ପାଇଁ ? ଲୋପିତା ଜାକିଧରେ ତା ନିଜ କୁନି ପୁଅଟିକୁ । ସେଇ ଜାକିଧରିବା ଭିତରେ ଲହୁଲୁହ ଏକାକାର ହୋଇଯାଏ । ସେଇ ଚିର ଇପ୍ସିତ ମାୟାରେ ସେ ଘାଣ୍ଟିହେବାକୁ ଚାହେଁ ଅହର୍ନିଶି ।
ଅନେକ ସମୟ ହୋଇଯାଇଥିଲା । ବିରୁପାକ୍ଷ ବୋଧହୁଏ ଅନୁପ ସହିତ ଶ୍ମଶାନକୁ ଗଲେ । କେତେବେଳେ ଫେରିବେ କେଜାଣି ? ଲୋପିତା ରୋଷେଇ ଘରକୁ ଗଲା । ଆଜି ବିରୁପାକ୍ଷଙ୍କର ଜନ୍ମଦିନ । ମଣ୍ଡା ପିଠା, କ୍ଷୀରି କରି ଠାକୁରଙ୍କ ପାଖରେ ପୂଜା କରିଆସିଛି ସେ ସବୁବର୍ଷ । ଆଜିବି କରିବ । ଅଳ୍ପ ଦି’ଟା ପିଠା କରି ପୂଜା କରିଦେବ । ଚୂଲିରେ କରେଇ ବସେଇ ଖଳି ଜନ୍ତିବାକୁ ଆରମ୍ଭ କଲା ଲୋପିତା । ଫୋନ ବାଜିଉଠିଲା । କିଏ ଫୋନ କରିଛି? ମାଉସୀ କଣ ବାୟଣୀ ହୋଇଗଲେ? ଫୋନରେ ମାଉସୀ କାନ୍ଦୁନଥିଲେ ଜମା । କହୁଥିଲେ, ‘ତୁ ଆସିନୁ ଏଯାଏଁ ? ତୋ ଭାଇକୁ ଟିକିଏ ସଜ କରିଦେବୁନି? ମୋ ବୋହୂକୁ ଆଣିବାକୁ ତୋ’ ଭାଇ ପରା ଯିବ ଏବେ ! ଆସିନୁ ଏଯାଏଁ କେମିତି ? ତୋ ଭାଉଜକୁ ଆଣିବାକୁ ବରଯାତ୍ରୀ ନେଇ ବାହାରୁଛି ଏବେ ସେ ‘। ଲୋପିତା ତଟସ୍ଥ ହୋଇ ଯାଇଥିଲା ।
ବିରୁପାକ୍ଷ କହିଯାଇଥିବା କଥାଟି ଦୋହରାଉଥିଲା ମନରେ ‘ମୁକ୍ତି ପାଇଗଲା ଅନୁପ’। କାହାଠାରୁ ମୁକ୍ତି ପାଇଗଲା ସେ ? ହଁ, କଷ୍ଟ, ଯନ୍ତ୍ରଣାରୁ ହୁଏତ ମୁକ୍ତି ପାଇଗଲା । ହେଲେ ମାଉସୀଙ୍କ ହୃଦୟ ପଞ୍ଜୁରୀରୁ କଣ ସତରେ ତାର ମୁକ୍ତି ଅଛି? ଅଛି ମୁକ୍ତି ତାର ତା’ ମାଆର ଆଖି ପଲକରୁ, ଯେଉଁଠି ଲୁହ ବିନ୍ଦୁଏ ହୋଇ ଲଟକିଥିବ ସେ ଚିରକାଳ?
(ସେପ୍ଟେମ୍ବର 2021 ‘କ୍ରାନ୍ତିଧାରା’ରେ ପ୍ରକାଶିତ)
thanks mam
bhala lagila gapa
rajib
LikeLike