ଡୋରି

ବସକୁ ଅପେକ୍ଷା କରି ସେତେବେଳକୁ ଖୁବ ହାଲିଆ ହୋଇ ଯାଇଥିଲି ମୁଁ । ନୀଳମାଧବ ଦର୍ଶନ ଆଶାୟୀ ମନଟିର ସମସ୍ତ ଉଛ୍ୱାସ ଧିରେ ଧିରେ ମଉଳି ଯାଉଥିଲା । ମିତା ତଥାପି କ୍ଲାନ୍ତ ହୋଇନଥିଲା । ‘ଆଉଟିକେ ଅପେକ୍ଷା କରିବା ନାନୀ’ – ମିତା ସ୍ୱରରେ ଏମିତି କ’ଣ ଥିଲା କେଜାଣି, ତାହା ମୋ ଭିତରର କ୍ଲାନ୍ତିକୁ ଅପସାରିତ କରି ସେଇଠି ଠିଆ ହୋଇ ବସକୁ ଅପେକ୍ଷା କରିବାର ସାହସ ଜୁଟେଇଥିଲା ମନରେ ।

            ମିତା ମୋ ପାଖକୁ ଆସିବାର ପ୍ରଥମ ଦୁଇଦିନ ଆମେ ଖୁବ ବୁଲିଥିଲୁ । ଯାଇଥିଲୁ ରଘୁନାଥଜୀଉ ମନ୍ଦିର । ମନ୍ଦିର ଉପରେ ସୁନା କଳସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ମିତା । ପୂର୍ବରୁ ସେଠାକୁ ଯାଇ ଶୁଣିଥିବା ଲଡୁବାବାଙ୍କର ମହିମା କିଛି କିଛି କହିଥିଲି ତାକୁ – ନାନା ଲୋକକଥା ଯାହା ଲୋକମୁଖରେ ପ୍ରସରି ଚାଲିଛି କାଳକାଳରୁ । ସେଇ ମନ୍ଦିର ପ୍ରାଙ୍ଗଣରେ ମୋ ମୁହଁରୁ ସେସବୁ ଶୁଣି ଭାବବିହ୍ଵଳ ହୋଇପଡୁଥିଲା ମିତା । ମଣିଷର ଶରୀରକୁ ବ୍ୟବଚ୍ଛେଦ କରି ପରୀକ୍ଷା ନିରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା ଡାକ୍ତରୀ ଛାତ୍ରୀ, ମୋ ସାନ ଭଉଣୀଟି ସେଇ ଛୋଟ ବଡ଼ ଲୋକବିଶ୍ୱାସକୁ ବେଶ ମନଯୋଗ ଦେଇ ଶୁଣୁଥିଲା । ବିଶ୍ୱାସ-ଅବିଶ୍ୱାସର ଫେଣ୍ଟାଫେଣ୍ଟି କେମିତି ଗୋଟେ ଅଦ୍ଭୁତ ଚାହାଣୀରେ ଚାହୁଁଥିଲା ମତେ ।
– ‘ଏସବୁ କଣ ସତକଥା ?’
ହସିଥିଲି ମୁଁ । ବଡନାନୀର ଦାୟିତ୍ୱସୁଲଭ ସ୍ୱରରେ ବୁଝାଇ କହିଥିଲି, – ‘ସବୁ କିଛି ମନର ବିଶ୍ୱାସ । କିଏ ବିଶ୍ୱାସକୁ କିପରି ରୂପ ଦିଏ । କିଏ ବିଶ୍ୱାସର ମୂର୍ତ୍ତି ଗଢି ପୂଜାର୍ଚ୍ଚନା କରେ, ଆଉକିଏ ବିଶ୍ୱାସକୁ ନେଇ ତର୍କ କରେ । ସବୁରି ମୂଳରେ ବିଶ୍ୱାସ’ । ମିତା ବୁଝିଗଲା ବୋଧହୁଏ ।

            ନୟାଗଡ଼ରୁ ଟ୍ରେକରରେ ଆସି ଆମେ ଦୁଇ ଭଉଣୀ ଖଣ୍ଡପଡାରେ ଓହ୍ଲେଇବା ପରେ କଣ୍ଟିଲୋ ନୀଳମାଧଵ ମନ୍ଦିର ଯାଏଁ ଯାଉଥିବା ବସ ପାଇଁ ଅପେକ୍ଷା କରିବାର ଅନେକ ସମୟ ହୋଇଗଲାଣି । ମତେ କେମିତି ହତାଶ ଲାଗୁଥିଲା ।
– ‘ଏତେ କଷ୍ଟରେ ଏତେବାଟ ଆସିଲେ, ନୀଳମାଧବ ଦର୍ଶନ ନକରି କ’ଣ ଫେରିଯିବା?’ – ତା ପରଦିନ ମୋ ପାଖରୁ ଲେଉଟିଯିବାର ଯୋଜନା କରିଥିବା ମିତା ଟିକେ ନରମ ଗଳାରେ କହିଲା ମତେ । ଏଥର ତାକୁ ସାହସ ଦେବାର ଦାୟିତ୍ଵ ମୋର ।
– ‘ନା ନା, ନାନୀ ପାଖକୁ ବୁଲି ଆସିଥିଲୁ, ନୀଳମାଧବ ଦର୍ଶନ କରିସାରି ହିଁ ଫେରିବୁ’ । ପାଖ ଦୋକାନର କାଠ, ଘୁଣଖିଆ, ପୁରୁଣା, ଦନ୍ଥରା ବେଞ୍ଚଟି ଉପରେ ବସୁବସୁ ମୁଁ କହିଲି, ‘ହଁ, ବସ ଏଇଲେ ଆସିଯିବ ଯେ’।
 ଏତିକିବେଳେ ତିନୋଟି ଛୋଟ ପିଲା ଆସି ଠିଆ ହେଲେ ଆମ ପାଖରେ । ବଡଭାଇ ଦୁଇଟି, ବୟସ ଦଶରୁ ବାର ବର୍ଷ ଭିତରେ ହେବ । ଭଉଣୀଟି ସାନ – ସାତ କି ଆଠବର୍ଷ ବୟସ ହେବ ତା’ର । ମୁଁ ମିତାକୁ କହିଲି ,
– ‘ଦେଖିଲୁ, ତିନି ଭାଇ ଭଉଣୀ କେମିତି ସକାଳୁ ସକାଳୁ ସଜବାଜ ହୋଇ ଆସିଗଲେଣି’ । ପଚାରିଲି, ‘କଣ କଣ୍ଟିଲୋ ଯିବ?’
ବଡଭାଇଟି ଉତ୍ତର ଦେଲା, ‘ହଁ, ନାନୀ, ନୀଳମାଧବ ଦର୍ଶନ କରିବାକୁ ଯାଉଛୁ’ । ମିତା ମୋ କାନରେ ଫୁସଫୁସ କରି କହିଲା,
– ‘ଭାରି ସାହସ ତ ଏମାନଙ୍କର ! ଏକାଏକା ଚାଲିଆସିଛନ୍ତି’ । ମୁଁ କହିଲି, ‘ଏକା ଆସିନଥିବେ ମ । ବାପାମାଆ ଥିବେ ଏଠି କୋଉଠି’।

            ବସ ଆସିଗଲା । ମିତା ଓ ମୁଁ ଭିଡ଼ ଭିତରେ ଠେଲି ହୋଇ ପଶିଗଲୁ  ଭିତରକୁ । ପିଲା ତିନିହେଁ ଉଠି ପାରିଲେ କି ନାହିଁ କେଜାଣି ? ଆମେ ଦି’ ଭଉଣୀ ଗପସପ କରିବା ଭିତରେ, ଭୁଲିଗଲୁ ସେମାନଙ୍କ କଥା । ନୀଳମାଧବ ମନ୍ଦିର ପାଖରେ ବସରୁ  ଓହ୍ଲେଇ ଚାଲିଲୁ । କିଛିଦୂର ଗଲାପରେ ହଠାତ ମିତା ବୁଲିପଡ଼ି କହିଲା,
– ‘ଦେଖ ନାନୀ, ସେ ପିଲା ତିନୋଟି ଏକା ଆସିଛନ୍ତି । କାହିଁ ତାଙ୍କ ବାପାମାଆ ତ ଦିଶୁନାହାନ୍ତି କେଉଁଠି !’
ମୁଁ ପଛକୁ ବୁଲି ଦେଖିଲି ସେମାନଙ୍କୁ  । ପିଲାତିନୋଟି ଆନନ୍ଦରେ ନାଚି ଖେଳି ଆସୁଥାଆନ୍ତି ଆମ ପଛରେ । ଆମେ ଟିକିଏ ଅଟକି ଗଲୁ । – ‘ସେମାନଙ୍କ ସାଙ୍ଗରେ ମିଶିକରି ଯିବା । ଏଠାକାର ପିଲା ବୋଧହୁଏ’ ।

            ଅତି ଭଦ୍ର ସେ ପିଲା ତିନୋଟି । ସାଙ୍ଗହୋଇ ଯିବାସମୟରେ କେତେ ମଜା ମଜା କଥା କହି ହସାଉଥାନ୍ତି ପୁଅ ଦୁଇଟି । ସାନ ଭଉଣୀ ସାଙ୍ଗରେ ଥଟ୍ଟା-ମଜା କରୁଥାଆନ୍ତି । ଭଉଣୀଟି ମୋ ହାତଧରି ମନଖୁସିରେ ନାଚିନାଚି ଚାଲୁଥାଏ । କେତେବେଳେ ମନ୍ଦିର ପାଖରେ ପହଞ୍ଚି ଯାଇଥିଲୁ ଜାଣି ପାରିନଥିଲୁ । ନିଜ ଅଜାଣତରେ ଏତେଗୁଡ଼େ ବାଟ କେମିତି ଚାଲି ଆସିଥିଲୁ, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିଲା । ନୀଳମାଧବ ଦର୍ଶନ କଲୁ, ପାଦୁକା ପାଇଲୁ । ମୁଁ ଠାକୁରଙ୍କୁ ଚଢେଇଥିବା ଚମ୍ପା ଫୁଲଟି ଠାକୁରଙ୍କ ମଥାରୁ ଖସି ପଡିଥିଲା । ପୂଜକ ମହୋଦୟ କହିଲେ,
– ‘ମାଆ, ଠାକୁର ପ୍ରସନ୍ନ ହୋଇଛନ୍ତି । ଫୁଲଟି ସାଇତି ରଖିବ ପାଖରେ । ମନସ୍କାମନା ପୂର୍ଣ୍ଣହେବ ।’
ଫୁଲଟି ତାଙ୍କ ହାତରୁ ଆଣି ମୁଣ୍ଡରେ ଛୁଆଁଇଲି । କାହିଁକି କେଜାଣି ମନ କହିଲାନି,’ଏ ପୂଜକ ସବୁ ଆଜିକାଲି ଏମିତି – ପଇସା ପାଇଁ ଦର୍ଶନ ବେଳକୁ ଫୁଲ ଖସାଉଥିବେ ଠାକୁରଙ୍କ ମଥାରୁ ସବୁ ଭକ୍ତଙ୍କ ପାଇଁ’ । ଅବିଶ୍ୱାସ ହେଲାନି ପୂଜକଙ୍କ କଥା । ବରଂ କେମିତି ଗୋଟେ ପୁଲକ ଖେଳିଗଲା ଦେହରେ, ମନରେ । ଉଲ୍ଲସିତ ଲାଗୁଥିଲା । ସାନ ଭଉଣୀ ମିତା ସବୁଥର ପରି ଥଟ୍ଟା କରି କହିନଥିଲା, ‘ନାନୀ, କାହା କଥା ଭାବି ଫୁଲ ଲାଗି କରିଥିଲୁ?’। ସେ ବି କେମିତି ଗମ୍ଭୀର ଲାଗୁଥିଲା । ଡାକ୍ତରୀ ପଢିବାକୁ ଯିବା ପୂର୍ବରୁ ପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରୁଥିଲା ମନେମନେ ବୋଧହୁଏ । ଠାକୁରଙ୍କ ଗମ୍ଭିରୀ ଭିତରୁ ବାହାରିଲା ବେଳେ ଆମେଦୁହେଁ ନିଜ ନିଜ ଭାବନାରେ ବୁଡି ରହିଥିଲୁ । ମିତା କଣ ଭାବୁଥିଲା କେଜାଣି? ଭଗବାନଙ୍କ ଆଗରେ ଅନେକ ମାଗୁଣି ରଖିବାକୁ ଯାଇ କିଛି ବି ମାଗି ପାରୁନଥିଲି ମୁଁ । ରହି ରହି ମନ କହୁଥିଲା, ‘ଜୀବନ ପାତ୍ର ମୋ ଭରିଚ କେତେ ମତେ, ନଦେଲ କିଛି ବୋଲି କହିବି କି ହେ ଆଉ…’।

            ମନ୍ଦିର ଚତୁଃପାର୍ଶ୍ଵ ବୁଲିଆସିଲୁ ଆମେ । ବହୁତ ଭଲ ଲାଗୁଥିଲା । ମିତା କାନ୍ଥକୁ ଆଉଜି ବସିଗଲା ତଳେ । ମୁଁ ବି ବସିଲି ତା’ପାଖରେ । ଭୋକ ଲାଗିଲାଣି ।
– ‘ଏଠି ପ୍ରସାଦ ମିଳୁଥିବ ଯେ , ଚାଲ ପଚାରିବା’ – ମୁଁ ମିତାକୁ କହିଲି ଓ ଆଗରେ ଚାଲିଯାଉଥିବା ଜଣେ ପୂଜକଙ୍କୁ  ଯାଇ  ପଚାରିଲି, ‘ଆଜ୍ଞା, ଏଠି ପ୍ରସାଦ ମିଳିବକି?’ ପୂଜକ ଜଣକ ଟିକେ ରହିଗଲେ ଓ କହିଲେ,
– ‘ଏଠି ବରାଦ ଅନୁସାରେ ଭୋଗ ଚଢାହୁଏ । ଆଜି ତ ଆଉ ସମୟ ନାହିଁ । ଭୋଗ ଲାଗି ଆରମ୍ଭ ହୋଇଗଲାଣି’ ।
ଖାଇବାକୁ ମିଳିବନି ଜାଣିଲା ମାତ୍ରେ ଭୋକ ଦ୍ବିଗୁଣିତ ହେଲା । ମିତା ବି ହାଲିଆ ହୋଇଗଲାଣି । ଗୋଟିଏ ପଥର ଉପରେ ଥକାମାରି ବସିଲୁ ଆମେ । ହଠାତ ସେଇ ଭାଇ ଭଉଣୀ ତିନିଜଣ ଆସି ପହଞ୍ଚିଲେ ଆମ ପାଖରେ । ପଚାରିଲେ,
– ‘ଖାଇଲଣି ନାନୀ?’ କହିଲି,
– ‘ନାଇଁରେ, ଆଜି ଏଠି ଖାଇବାକୁ ମିଳିବନି’ । ଭାଇ ଦୁଇଜଣ ଭଉଣୀକୁ ଆମ ପାଖରେ ଛାଡ଼ିଦେଇ କହିଲେ,
– ‘ନାନୀ, ଇଏ ଏଠି ଥାଉ, ଆମେ ଦୁହେଁ ଯାଇ ଦେଖିଆସୁ କାଳେ କିଛି ମିଳିବ’ । କିଛି ସମୟପରେ ବେଶ ବଡ଼ କଦଳୀ ପତ୍ରରେ ଅବଢ଼ା ଅନ୍ନ, ଡାଲି ,ତରକାରୀ ନେଇ ଆସିଲେ ସେମାନେ । କହିଲେ,
– ‘ନାନୀ, କୌଣସି କାରଣରୁ ପ୍ରଥମ ଭୋଗ ମାରା ହୋଇଯାଇଥିଲା । ସେ ଭୋଗ ବାତିଲ ହୋଇଗଲା । ପୂଜକ ମାନେ ନେଇଗଲେ ସେସବୁ । ଆଉଥରେ ନୂଆ ଭୋଗ ଲାଗି ହେଉଛି ଠାକୁରଙ୍କୁ । ଜଣେ ପୂଜକ ଏ ଭୋଗ ମତେ ଦେଲେ । କହିଲେ, ଭୋଗ ଠିକ ଅଛି, ଖାଇପାରିବ ୟାକୁ । ତୁମେ ଖାଇବ ନା ?’ ମୁଁ ହସିଲି । କହିଲି,
– ‘ହଁ, ହଁ, ଖାଇବା ଆମେ’ ।
ସେଇଠି ତଳେ ବସିଗଲୁ ଆମେସବୁ । ବଡ଼ ଭାଇଟି ବାଢ଼ିଦେଲା ଭୋଗ । ସମସ୍ତଙ୍କୁ ବଳେଇ ବଳେଇ ବାଢି ସାରିବା ପରେ ମୋ’ ପାଖକୁ ଲାଗି ବସିପଡ଼ିଲା ତା’ପାଇଁ ବାଢ଼ିଥିବା କଦଳୀ ପତ୍ରଟି ପାଖରେ । କେମିତି ଗୋଟେ ଅପୂର୍ବ ସୁଗନ୍ଧ ଭାସି ଆସୁଥିଲା ଯେମିତି ତା’ଦେହରୁ । ମୋହିତ ହୋଇଯାଉଥିଲି ମୁଁ । ଖୁବ ଆନନ୍ଦରେ ପେଟ ପୁରା ଖାଇଲୁ ସମସ୍ତେ । କେତେ ଅମୃତ ସେ ଭୋଗର ସ୍ୱାଦ ! କି ଅନନ୍ୟ ସେ ଅନୁଭୂତି !! ଖାଇସାରି ବେଶ କିଛି ସମୟ ସୁଲୁସୁଲିଆ ପବନରେ ବସିଲୁ ।

            ପାହାଡ଼ରୁ ଓହ୍ଲେଇ ତଳକୁ ଆସିଲା ବେଳକୁ  ସନ୍ଧ୍ୟାର ଲାଲିମା ରଞ୍ଜିତ ଆକାଶ । ମନଲୋଭା ପ୍ରକୃତିର ଅପୂର୍ବ ସମାହାର ସେଠି । ପାହାଡ଼ ଉପରେ ନୀଳମାଧଵ ମନ୍ଦିର । ପାହାଡ଼ତଳୁ ମନ୍ଦିରକୁ ପ୍ରଣାମ କରି ମିତା ଓ ମୁଁ ବସ ଅଭିମୁଖରେ ପାଦଚଲା ରାସ୍ତାଦେଇ ମୁଖ୍ୟ ରାସ୍ତା ଆଡେ ଚାଲିଲୁ । ବସ ଠିଆ ହୋଇଥିଲା । ଏଥର ଆମକୁ ଆଉ ଅପେକ୍ଷା କରିବାକୁ ପଡିଲାନି । ବସ ଛାଡିଲା ବେଳକୁ ଭାଇ ଭଉଣୀ ତିନିହେଁ ଚଢି ଆସିଲେ । ମଝିଆଁ ଭାଇଟି ପାନ ପୁଡାଟିଏ ମୋ’ ହାତକୁ ବଢ଼େଇ ଦେଇ କହିଲା ,
– ‘ନାନୀ, ପାନ ଖାଇବ ନିଅ’।
– ‘ଆରେ, ପାନ କେଉଁଠୁ ଆଣିଲ?’ ପଇସା କାଢୁ କାଢୁ କହିଲି ।
– ‘ପଇସା ଥାଉ ନାନୀ, ଆମ ଗାଁକୁ ଆସିଛ, ପାନ ଟିକେ ଆମେ ଦେବୁନି’? ତା’ର କଅଁଳ ହାତକୁ ଧରିନେଇ ଭାବାବେଗରେ କହିଲି ,
– ‘ଆରେ, ଏତେ ସୁନ୍ଦର ଚର୍ଚ୍ଚା କରିବା କେବେଠାରୁ ଶିଖିଲୁଣି ମ !’ ହସିଲା ସେ । ଯେତେ ଯାଚିଲେ ବି ପଇସା ନେଲାନି ।  ଘରକୁ କୁଣିଆ ଆସିଲେ ଚର୍ଚ୍ଚା କଲାପରି ପାନ ଆଣିଦେଇଛି । ପାନକୁ ହାତରେ ଚାପି ଧରିଲି । ଖଣ୍ଡପଡାରେ ବସରୁ ଓହ୍ଲେଇ ଭିଡ଼ ଭିତରେ ଚିପି ଚାପି ହୋଇ ବହାରକୁ ଆସି ନିଶ୍ୱାସ ମାରିଲୁ ଆମେ । ସେ ପିଲା ତିନିହେଁ ଗଲେ କୁଆଡେ ? କାହିଁକି କେଜାଣି ସେ ପିଲା ତିନୋଟିଙ୍କୁ ଆଉଥରେ ଦେଖିବାର କାମନା ମନଟିକୁ ଆନ୍ଦୋଳିତ କରୁଥିଲା । ଲୋକଙ୍କ ଭିଡ଼ ଭିତରେ ମୁଁ ଖୋଜିହେଉଥିଲି ସେମାନଙ୍କୁ ।

– ‘ଆଜ୍ଞା, ଚଞ୍ଚଳ ଆସନ୍ତୁ, ଟ୍ରେକର ଛାଡିବ ଏବେ’ – ଟ୍ରେକର ଭିତରୁ ମୁଣ୍ଡ ଗଳେଇ ଡାକୁଥିଲେ ଜଣେ ଦି’ଜଣ ।
ପ୍ରକୃତିସ୍ଥ ହେଲି ମୁଁ । ଟ୍ରେକରରେ ଯାଇ ବସିପଡ଼ିଲୁ । ବାହାରେ ରାତି ଧିରେ ଧିରେ ସନ୍ଧ୍ୟାର ଲାଲିମାକୁ ଢାଙ୍କି ଦେଉଥିଲା ତାର କଳା ଓଢଣୀରେ । ଭାବୁଥିଲି ସେ ପିଲା ତିନୋଟିଙ୍କ କଥା । ମିତା ମତେ ହଲେଇ ଦେଇ କହିଲା,
– ‘ନାନୀ, ଜଗନ୍ନାଥ, ବକଭଦ୍ର, ସୁଭଦ୍ରାଙ୍କ ପରି ସେ ଭାଇ ଭଉଣୀ ତିନୋଟି ନା? ହଠାତ କୁଆଡୁ ଆସି କେତେ ସାହାଯ୍ୟ କଲେ ଆମକୁ ‘। ମୁଁ ସେମିତି ଭାବ ବିଭୋର ହୋଇ ଚାହିଁଥିଲି ମିତାକୁ । ମୁଁ ଯାହା ଭାବୁଛି ଇଏ ବି ତ ସେଇଆ ଭାବୁଛି । କହନ୍ତି, କାଳିଆର ଡୋର ଲାଗିଲେ ତାର ଦର୍ଶନ ହୁଏ । ଏ ତିନି ଭାଇ ଭଉଣୀ ଆପଣାପଣର ରେଶମୀ ଡୋରିରେ ବାନ୍ଧିଦେଇ ଗଲେ ଆମକୁ । ମିଠା ମିଠା କଥାସହ ଅନ୍ନ ଓ ପାନ ଦେଇ ନିଜର କରି ନେଲେ ଭାଇ ଭଉଣୀ ତିନିହେଁ । ପ୍ରକାଶ୍ୟରେ କହିଲି,
– ‘ଦେଖିଲୁ, ସେ ତିନି ଭାଇ ଭଉଣୀଙ୍କୁ ତାଙ୍କ ନାଁ ବି ପଚାରିବାକୁ ଭୁଲିଗଲି’ ….

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s