ରୂପାଜହ୍ମ

ଜଟି ତାର ବଙ୍କା ଗୋଡ଼ରେ ଛୋଟେଇ ଛୋଟେଇ ଦୁଆର ଖୋଲି ପଶିଯାଇଥିଲା ଘର ଭିତରକୁ । ବାହାରେ ଛାଡ଼ିଦେଇ ଆସିଥିଲା ପୁନେଇଁ ଜହ୍ନକୁ, ବିଛେଇ ହୋଇ ପଡ଼ିଥିବା ସ୍ନିଗ୍ଧ, ମୁଗ୍ଧ ଜହ୍ନାଲୋକ ସହ ରୂପାଲିକୁ । ପିଠିର ବିରାଟ କୁବ୍ଜଟି ଧନୁପରି ବଙ୍କେଇ ରଖିଛି ତାକୁ । ପାଞ୍ଚଫୁଟର ମଣିଷଟିଏ ହୋଇଥିଲେବି ମୋଡିମାଡି ହୋଇ ତିନିଫୁଟ ଦିଶୁଛି ସେ । ସେନେଇ ତା’ ମନରେ ଦୁଃଖ ନାହିଁ ବୋଲି  ଯେତେ କହିଲେ ବି ତା’ର ଅସହାୟ ମନର କଥା  ସେ ନିରୀହ ଆଖି ଦୁଇଟି କହିଦିଏ ବେଳେବେଳେ ଥାନ ଅଥାନ ନମାନି । ଆଜି ବି ସେଇଆ ହେଲା । ସମସ୍ତଙ୍କ ଆଗରେ ନିଷ୍ଠୁର ଭାବରେ  ସଜେଇ ରଖିଦେଲା ତାର ବିବଶତାକୁ, ବିଚଳିତ କରି ଦେଲା ତାକୁ । ତା’ପିଠିର ସେଇ  କୁବ୍ଜ ଆଉ ତା’ରି ଯୋଗୁଁ ନିହାତି ଗୋଟିଏ ଖର୍ବକାୟ ଚେହେରାକୁ ନେଇ ଆତଯାତ ହେଉଥିବା ତା’ ପରି ଗୋଟିଏ ଲୋକ ସହିତ ରୂପାଲିକୁ ବାହା ଦେବାର କଳ୍ପନା ବି କରିପାରିନଥିଲେ ସେମାନେ । ଯଦିଓ ସେ ସମସ୍ତଙ୍କ ପ୍ରିୟ ମଣିଷ ଓ ରୂପାଲି ସହ ତାର ମନର ମେଳ ଥିବା କଥା ସେମାନେ ଜାଣିଥିଲେ।

ଷ୍ଟେସନରୁ ଫେରିଲା ସେ ଏକା ଏକା । ଖୁବ ଉଦାସ ଲାଗୁଥିଲା । ଗୋଡ଼ ଘୋଷାରି ଘୋଷାରି ଘର ଭିତରକୁ ପଶିଗଲା ପରେ ବି  ଭାରି ଅସ୍ଵସ୍ତି ଅନୁଭବ କରୁଥିଲା ଜଟି । ତା’ ପଛେ ପଛେ ଘର ଭିତରକୁ ପଶି ଆସିଥିବା ଜିନି କିନ୍ତୁ ଖଟତଳେ ଚକାମାଡି  ନିଶ୍ଚିନ୍ତ ନିଦରେ ଶୋଇପଡିଲା । ‘ଶୋଉ, ବିଚାରୀ’- ଜଟି କହିଲା, ଆଉ ଲୋଟାରୁ ଢକ ଢକ କରି ପିଇଗଲା ପାଣି କିଛି ।

ଘର ଭିତରଟା ବେଶି ବେଶି ଅନ୍ଧାର ଲାଗୁଛି। ବାହାରେ ଅପର୍ଯ୍ୟାପ୍ତ ଆଲୁଅଥିବା ସତ୍ତ୍ୱେ ଭିତରଟା ଅନ୍ଧାର ଆଉ ରୁନ୍ଧି ରୁନ୍ଧି ଲାଗୁଥିଲା ଜଟିକୁ । ରୂପାଲିର ଶୁଖିଲା ମୁହଁଟି ବାରମ୍ବାର ତା’ ଆଖି ଆଗରେ ନାଚିଯାଉଥିଲା । ତା’ ହାତ ପାପୁଲି ଭିତରେ ମୋଡିମାଡି ହୋଇ ରହିଛି  ଟ୍ରେନ ଛାଡିଲା ବେଳକୁ ରୂପାଲି ଝରକା ବାଟେ ବଢ଼େଇ ଦେଇଥିବା ସେଇ ଧଳା କାଗଜ ଖଣ୍ଡକ, ଯାହାକୁ ସେଇ ସାଙ୍ଗେ ସାଙ୍ଗେ ଖୋଲି ଦେଖିଥିଲା ସେ । କାଗଜଟିରେ କିଛି ବି ତ ଲେଖା ହୋଇନଥିଲା । କେବଳ ଚାରିଚଉତା କାଗଜ ଖଣ୍ଡେ । ପୁଣିଥରେ ଭଲକରି ଆଖି ରଗଡି ଦେଖିଥିଲା ସେଇଠି  ସେ କାଗଜଟିକୁ । ଏପାଖ ସେପାଖ କରି ଭଲକରି ଦେଖିଥିଲା । କିଛି ବି ଲେଖାହୋଇନଥିଲା ସେଥିରେ । କାଗଜ ଖଣ୍ଡଟିକୁ ମୋଡି ମାଡି ହାତରେ ଧରି ଫେରିଆସିଥିଲା ତାର ସେଇ  ଛୋଟ କୋଠରୀଟିକୁ ।
        ଓଦା ଅଖିରୁ ଝରିଆସିଥିବା  ଲୁହ ଧାରଟିକୁ ପୋଛିନେଇଥିଲା । ପୁରୁଷ ପୁଅ ସେ, ସମସ୍ତଙ୍କ ଆଗରେ ଝରେଇବନି ଲୁହ ।  ହୁଏତ ଏଇଠି ସବୁରି ଆଢୁଆଳରେ ଆଜିଯାଏଁ ବୋଝ କରି ବୁଲୁଥିବା ପିଠିର ସେ ବିରାଟ କୁବ୍ଜକୁ  ନେଇ ଭଗବାନଙ୍କ ପାଖରେ ମନଭରି କାନ୍ଦିପାରିବ, ଅଭିମାନ କରିପାରିବ, ଗାଳି ବି ଦେଇପାରିବ ଯେତେ ଇଚ୍ଛା ସେତେ, ଯାହା ସେ କେବେ କରିନଥିଲା ଆଜିଯାଏଁ ।  ଜଟି ତା ଭିତରେ ଖୁନ୍ଦି ହୋଇ ରହିଥିବା କୋହକୁ ଲୁହ ହୋଇ ବୋହିଯିବାକୁ ଦେଇନଥିଲା ଏଯାଏଁ । ଭାବି ନେଇଥିଲା ଏ ତାର ପ୍ରାରବ୍ଧ । ସ୍ୱୀକାର କରିନେଇଥିଲା ତାର ଶାରୀରିକ ବିକଳାଙ୍ଗତାକୁ । ଅଭିଯୋଗ କରିନଥିଲା ଠାକୁରଙ୍କୁ । ଆଜି କିନ୍ତୁ ଅଭିଯୋଗର ଏକ ଲମ୍ବା ଫର୍ଦ୍ଦ ଧରି ଠିଆ ହୋଇଛି ସେ, ତା’ ବନ୍ଦ ଘର ଭିତରେ । କାନ୍ଥରେ ଟଙ୍ଗା ହୋଇଥିବା ଦି’ଚାରିଜଣ ଦେବ-ଦେବୀଙ୍କ  ସହ ମାଆର କଳାଧଳା ଫଟୋଟି ଆଗରେ ।

ଜଟିର ଘର । ଆପାର୍ଟମେଂଟର ବାବୁ ମାନଙ୍କର ଗ୍ୟାରେଜ ପାଖକୁ ଲାଗି ଛୋଟିଆ ବଖୁରିଆ ଆଜବେଷ୍ଟେସ  କୋଠରୀଟିଏ ଦୟାକରି ଦେଇଛନ୍ତି ସେମାନେ । ଏଇଠି କଟିଗଲା ଜଟିର ପିଲାଦିନ । କଟିଗଲା କୈଶୋର । ଏଇଠି ଭେଟିଲା ସେ କେତେ କେତେ ଚରିତ୍ରଙ୍କୁ । କାହା ସହ ବାଣ୍ଟିଲା ସୁଖଦୁଃଖ ପୁଣି କେବେ କାହାର କପଟତାର ଶିକାର ହୋଇ ଲହୁ ଲୁହାଣ ହେଲା । ହସିଲା, କାନ୍ଦିଲା ପୁଣି ସଳଖି ଠିଆହେବାର ଚେଷ୍ଟାରେ ବାଟ ଚାଲିଲା ।

ରୂପାଲିକୁ ସାଙ୍ଗ କରି ପାଇଥିଲା ଆଜିକୁ ପନ୍ଦର ବର୍ଷ ତଳେ । ଗୋରୀ ତନୁପାତେଳି ରୂପାଲି ସହ ହସି ଖେଳି ବୁଲୁଥିଲା ଏଇଠି । ସେତେବେଳେ ନୂଆକରି ତିଆରି ହୋଇଥାଏ ଏ ଘରସବୁ । ତାକୁ ସେତେବେଳେ ଆଠ କି ଦଶ ବର୍ଷ ହୋଇଥିବ । ତା’ ମାଆ ସାଙ୍ଗରେ ସେ ଆସିଥିଲା ଏଇ ଜାଗାକୁ । ମାଆ କାମକରେ ଜଣେ ବାବୁଙ୍କ ଘରେ । ଜଟି ଖେଳେ କୁଢ଼ କୁଢ଼ ବାଲି ଉପରେ ତା’ରି ପରି ଆଉ କେତେଜଣ ପିଲାଙ୍କ ସହ । ସେଇଠି ଦେଖାହୁଏ ରୂପାଲି । ରୂପାଲି ଜଣେ ବାବୁଙ୍କ ଆଉଟ ହାଉସରେ ରହେ ତା ବାପା ମାଆଙ୍କ ସହ । ତା’ବାପା, ବାବୁଙ୍କ ଘର ଡ୍ରାଇଭର । ଭଲ ଦରମା । ରୂପାଲି ତା ବାପା ମାଆଙ୍କର ଗୋଟିଏ ବୋଲି ଝିଅ । ସୁନ୍ଦର ଫ୍ରକ ପିନ୍ଧେ । ମୁଣ୍ଡ କୁଣ୍ଡେଇଦେଇ ତା ମାଆ ତା’ ମୁଣ୍ଡରେ ନାଲି ରିବନରେ ଫୁଲି କରିଦେଇଥାଏ । ଗୋଡ଼ରେ ପାଉଁଜି ପିନ୍ଧି ରୂପାଲି ରୁଣୁଝୁଣୁ ଶବ୍ଦ କରି ଆସେ । ଖଣ୍ଡେ ଦୂରରୁ ଜଟି ଜାଣିପାରେ ରୂପାଲି ଆସୁଛି ।

ବାଲିରେ ଘର ତୋଳି ସେମାନେ ଖେଳନ୍ତି । ଜଟି ପିଠିର କୁବ୍ଜକୁ ନେଇ ସାଙ୍ଗମାନେ ଥଟ୍ଟା ମଜା କରନ୍ତି । ଜଟି ଦେହକୁ ନିଏନା ସେସବୁ । ସେଦିନ ସାଙ୍ଗମାନେ ମିଶି ବାଲିରେ ବେକଯାଏଁ ପୋତି ଦେଇଥିଲେ ଜଟିକୁ । ଏମିତି ପୋତା ହୋଇ ରହିଲେ ପିଠିର କୁବ୍ଜଟି ଠିକ ହୋଇଯିବ ଆଉ ବଙ୍କା ଦେହଟି ବି ସଳଖି ହୋଇ ସୁନ୍ଦର ମଣିଷଟିଏ ହୋଇଯିବ ଜଟି । ବାଲି ଭରି ଭରି ଆସୁଥିଲା ଅଣ୍ଟା ଉପରକୁ । କୁବ୍ଜଟିର ବେଢଙ୍ଗ ଅବସ୍ଥିତି ଉପରେ ବାଲିର ଚାପ ଖୁବ କଷ୍ଟ  ଦେଉଥିଲେ ମଧ୍ୟ ଜଟି ପାଟିରୁ ଉଃ ଶବ୍ଦଟେ  ବାହାରି ନଥିଲା । ସତକୁ ସତ ଯଦି ଠିକ ହୋଇଯିବ ତା’ପିଠିର ସେ ବିକୃତ ମାଂସ ପିଣ୍ଡୁଳାଟା । ସେ ବି ସୁନ୍ଦର ଦିଶିବ ସାଙ୍ଗ ମାନଙ୍କ ପରି । ଆଉ ଟିକେ ଆଉ ଟିକେ ହୋଇ କାନ୍ଧ ଯାଏଁ ପୋତିହୋଇ ଆସିଲା ବେଳକୁ ଜଟି ଅଖିରୁ ଝରିଗଲା ଧାର ଧାର ଲୁହ । ଯନ୍ତ୍ରଣା କାତର କଣ୍ଠରୁ ତା’ର ଆପେ ଆପେ ବହାରିଆସିଲା କ୍ଷୀଣ ଚିତ୍କାରଟିଏ ।  ରୂପାଲି ବି କାନ୍ଦି ଉଠିଥିଲା ତା’ସହ । ପିଲାମାନେ ଚଟାପଟ ବାଲି ଖୋଳି ତାକୁ ବାହାର କରି ଆଣିଥିଲେ  । ତାପରେ ଅନେକଥର ଜଟି ଭାବିଛି ସେକଥା । ସତରେ କଣ ବାଲିରେ ପୋତିହୋଇ ରହିଥିଲେ ସେ ଠିକ ହୋଇଯାଇଥାନ୍ତା ? ସେଦିନର ଯନ୍ତ୍ରଣା ମନେପଡିଲେ ଆଦୌ ସାହସ ହୁଏନି । କୁବ୍ଜପୃଷ୍ଟ ହୋଇ ରହିବା ବୋଧହୁଏ  ତାର ନିୟତି ।

ବାଲି ଗଦା ଭିତରେ ଗୋଡ଼ ପୁରେଇ ଖେଳିବାକୁ ଖୁବ ଭଲ ଲାଗେ ସେମାନଙ୍କୁ । ସେଦିନ ଥିଲା କୁମାର ପୂର୍ଣ୍ଣମୀ । ଥାଳିପଟପରି ପୁନେଇଁ ଜହ୍ନଟି ନୀଳ ଆକାଶରେ ଆଲୁଅର ରୋଷଣୀ ଜାଳୁଥାଏ । ବିଛେଇ ହୋଇ ପଡ଼ିଥାଏ  ଶୀତଳ ଆଲୁଅ ଚାରିଆଡେ  । ସେମାନେ ସମସ୍ତେ ବାଲିରେ ଘର ଗଢିଲେ । ବେଶ ବଡ଼ ଘର । ଚାରିପଟେ ପାଚିରି । ମିଛି ମିଛିକା କୂଅଟିଏ ବି ଖୋଲିଲେ । କିନ୍ତୁ ସେମିତି ବାଲିରେ ଗୋଡ଼ ପୁରେଇ ମଜାରେ ଖେଳିବା ପରେ ରୂପାଲିର ପାଦର ପାଉଁଜିଟି ହଜି ଯାଇଥିଲା । ସମସ୍ତେ ବହୁତ ଖୋଜିଲେ । କାହିଁ କେଉଁଠି ମିଳିନଥିଲା । ରୂପାଲି ଖୁବ କାନ୍ଦୁଥିଲା ।  କାନ୍ଦି କାନ୍ଦି ସେ ତୋଳା ହୋଇଥିବା ଘରଟିକୁ ବି ଭାଙ୍ଗିପକେଇଲା । ସମସ୍ତେ ଖୋଜୁଥିଲେ ସେ ପାଉଁଜି ପଟକ । ଜଟିର ବି ଇଚ୍ଛା ହେଉଥିଲା ଅନ୍ୟ ସାଙ୍ଗମାନଙ୍କ ପରି ଖେଦି ଯାଆନ୍ତା ବାଲି ଗଦାର ଏମୁଣ୍ଡରୁ ସେମୁଣ୍ଡ । ପୁରା ଓଲଟାଇ ରଖିଦିଅନ୍ତା ବିରାଟ ସ୍ତୁପ ପରି ଦିଶୁଥିବା ବାଲିଗଦାଟିକୁ  । ତା’  ଭିତରୁ ସାଉଁଟି ଆଣନ୍ତା ରୂପାଲିର ସେ ରୁପା ପାଉଁଜି ପଟକ । ତା’ ପିଠିର ନିଉଛଣା କୁଜଟା ତାକୁ ବିବଶ କରିଦେଉଥିଲା । ଏମିତି ଭାବୁଥିବା ସମୟରେ ହିଁ,  କେମିତି କେଜାଣି ଜଟି ଆଖିରେ ପଡିଗଲା ପାଉଁଜିଟି । ଜହ୍ନ ଆଲୁଅରେ ଚିକ ମିକ ହୋଇ ଦିଶୁଥିଲା ଅଧାଭଙ୍ଗା ସେଇ ବାଲି ଘରଟି ପାଖରେ । ପାଉଁଜିଟି ପାଇ ରୂପାଲି ଖୁବ ଖୁସି ହୋଇଯାଇଥିଲା । ରୂପାଲିର ଖୁସି ଦେଖି ଜଟି ମଧ୍ୟ ପୁଲକିତ ହୋଇଥିଲା ।

କେତେବେଳେ ଜୀବନର ଚଲାବାଟରେ ଫଗୁଣ ଆସିଲା, କେତେବେଳେ ବସନ୍ତ ପବନ ଦେହ ମନକୁ ଛୁଇଁଗଲା, ସେକଥା କାହାରି ଆଗରେ କହିପାରିନଥିଲା ଜଟି । ମାଆ ଚାଲିଗଲା ପରେ  ନିଜର ଅଷ୍ଟବକ୍ର ଚେହେରାକୁ ନେଇ ଜୀବନ ଜଞ୍ଜାଳରେ ଅନ୍ୟମାନଙ୍କ ବୋଲହାକ କରିବାରେ ବ୍ୟସ୍ତ ରହିଲା ସେ । ଏଣେ ରୂପାଲିର ବାପା ରାସ୍ତା ଦୁର୍ଘଟଣାରେ ଚାଲିଗଲା ପରେ ରୋଗିଣୀ ମାଆ, ଝିଅ ଉପରେ ନିର୍ଭର କରି ରହିଲା । ସେଇ ବାବୁଙ୍କ ଘରେ ରୂପାଲି ହିଁ ପୁରାଦିନର କାମ କରିବାକୁ ଲାଗିଲା ।

ଜହ୍ନରାତିରେ ଆନମନା ହୁଏ ଜଟି । ଆପାର୍ଟମେଂଟରେ କୌଣସି ନା କୌଣସି କାମରେ ଆସିଥିବା ବାଲି ଗଦାଟିଏ ଜଟି ରହୁଥିବା କୋଠରୀ ବାହାରେ ଜମା ହୋଇ ରହୁଥାଏ ସବୁବେଳେ । ସେଇ ବାଲିଗଦା ଉପରେ କେବେକେବେ ରୂପାଲି ସହ ବସେ ସେ । ରୂପାଲି କହେ ତାର ଅନିଶ୍ଚିତ ଭବିଷ୍ୟତର କଥା । କିଛି ସ୍ୱପ୍ନ, କିଛି ସ୍ବପ୍ନଭଙ୍ଗର କଥା । ଜଟି କେବଳ ଶୁଣେ । କେବେକେବେ ଆଶ୍ୱାସନାର ସୂକ୍ଷ୍ମ ସୂତାଟିଏରେ ଗୁନ୍ଥିଦିଏ  ରୂପାଲି ମନରେ ବିଶ୍ୱାସର ମୋତିଟିଏ । ଜହ୍ନରାତିରେ ପାଖରେ ରୂପାଲିକୁ ପାଇ ବି ପାଇ ପାରେନି ସେ । ଖୁବ ଯତ୍ନର ସହ ସଂଯତ କରିନିଏ ନିଜ ମନକୁ ।

ଆପାର୍ଟମେଂଟର ବାବୁମାନଙ୍କ ଉଦାର ନିଷ୍ପତ୍ତି କ୍ରମେ ରୂପାଲିର ନିରଞ୍ଜନ ସଙ୍ଗେ ବାହାଘର ଠିକ ହୋଇଥିଲା । ନିରଞ୍ଜନ ଜଟିଠାରୁ ବୟସରେ ଦୁଇ ବର୍ଷ ବଡ଼ । ଆପାର୍ଟମେଂଟରେ ଅଳିଆ ଉଠେଇବା କାମ କରେ ସେ । ଆକଣ୍ଠ ମଦ୍ୟପାନ କରି ଡେରି ରାତିରେ ଟଳି ଟଳି ଘରକୁ ଫେରେ ନିରଞ୍ଜନ । ତା’ର ଉଦ୍ଧତ, ବେପରୁଆ ବ୍ୟବହାରରେ ଖୁବ ଅସନ୍ତୁଷ୍ଟ ଆପାର୍ଟମେଂଟର ଅଧିକାଂଶ ଲୋକ ।  ସାରାଦିନ ଖଟି ଖଟି ବେଶ ଭଲ ପଇସା ରୋଜଗାର କରେ ଜଟି । ଆପାର୍ଟମେଂଟର ଅନତି ଦୂରରେ ପରିବା ଦୋକାନଟିଏ କରିଛି ସେ । ଯାହାର ଯେତେବେଳେ ଯେଉଁ ଜିନିଷ ଦରକାର ଜଟିକୁ ଖୋଜା ପଡେ । ଜଟି ବି କେଉଁଠୁ ନା କେଉଁଠୁ ଖୋଜି ଆଣି ପହଞ୍ଚାଇଦିଏ ସେସବୁ । ଅନ୍ୟମାନଙ୍କ ସୁଖଦୁଃଖ ବୁଝିପାରେ ସେ । ଅଥଚ ଆଜି କେହି ବୁଝିପାରିଲେନି ତା’ ମନକଥା । କେବେ ସେ ନିଜ ମନ ଖୋଲିପାରିନି କାହା ଆଗରେ । ଖୁବ ରାଗ ହେଇଥିଲା ଆଜି ପିଠିର ସେ ବିକୃତ ମାଂସ ପିଣ୍ଡୁଳାଟି ଉପରେ । ପିଠିର କୁବ୍ଜଟି ପାଇଁ ତାର ଚେହେରା ଏଭଳି ହୋଇଛି । କେବଳ ତାର ଏ ଅଷ୍ଟବକ୍ର ଚେହେରା ଯୋଗୁଁ ତା ବଦଳରେ ନିରଞ୍ଜନ ସହିତ ଆଜି ବାହାଘର ଠିକ ହୋଇଯାଇଛି ରୂପାଲିର । ଜଟିକୁ ବାହା ହେବାପାଇଁ ରୂପାଲି କଣ ରାଜି ହୋଇଥାଆନ୍ତା ସତରେ ? ଏମିତି ଭାବିଦେବାକ୍ଷଣି ତା’ ଆଖିରୁ ଝରିଆସିଲା ଉତ୍ତପ୍ତ ଲୁହର ଧାରଟିଏ ।

ନିରଞ୍ଜନ ବୋଧହୁଏ ଏମିତି ଦିନଟିଏକୁ ଅପେକ୍ଷା ରଖିଥିଲା । ସକାଳର ବୈଠକରେ ତା’ ବାହାଘର ଠିକହେଲା ଆଉ ରାତି ଗାଡ଼ିରେ ସେ ରୂପାଲି ଓ ତା’ ମାଆକୁ ନେଇ ନିଜ ଗାଁକୁ ବାହାରିଗଲା । ଦୁଇଦିନ ପରେ ସେଇଠି ହେବ ତା’ବାହାଘର । ବାହାଘର, ଚଉଠି ସାରି ଫେରିବେ ସେମାନେ । ନିଜେ ଇଚ୍ଛାକରି ଷ୍ଟେସନରେ ତାଙ୍କୁ ଛାଡିବାକୁ ଯାଇଥିଲା ଜଟି । ‘ତୁ କାହିଁକି ବହାରୁଛୁ? କଣ ସାହାଯ୍ୟ ବା କରିପାରିବୁ ତୁ? କହିଥିଲା ନିରଞ୍ଜନ । ଜଟି ଚୁପ ରହିଥିଲା ସେତେବେଳେ । କେଜାଣି କାହିଁକି, ସେଇ ମୁହୂର୍ତ୍ତରେ ତା’ର ମନେହେଲା ରୂପାଲି ଚାହୁଁଛି, ତାକୁ ଷ୍ଟେସନ ଯାଏଁ ଯିବାକୁ ହେବ, ଆପଣାର ହୋଇ ଠିଆହେବ ସେ ରୂପାଲି ପାଖରେ । ନିଜର ନୂଆ ସଂସାର ଗଢିବାକୁ ଯାଉଥିବା ବେଳେ ନିଜର ବୋଲି କେହିଜଣେ ତାକୁ ବାଟେଇ ଦେଇ ଆସିବ । ସୌଭାଗ୍ୟବତୀ ହେବାର ଆଶୀର୍ବାଦ ସହ ଜୀବନର ଏଇ ନୂଆ ଡଙ୍ଗାଟିର ଆହୁଲା ବଢ଼େଇଦେଵ ତା’ହାତକୁ । ଜଟି ଛଡା ନିଜର ବୋଲି କିଏ ଆଉ ଅଛି ରୂପାଲିର ?  ଟ୍ରେନ ଛାଡିବ ଛାଡିବ ହେଉଥିଲା ବେଳେ ରୂପାଲି ଝରକା ବାଟେ ବଢ଼େଇ ଦେଇଥିଲା ଜଟି ହାତକୁ ସେ କାଗଜ ଖଣ୍ଡକ । ସେଇ କାଗଜ ଖଣ୍ଡକ ଏବେବି ମୁଠେଇ ଧରିଛି ଜଟି । ଖୁବ ଅଣନିଶ୍ୱାସୀ ଲାଗୁଥିଲା ଘରେ । ବାହାରକୁ ବାହାରି ଆସିଲା ସେ  । ଧିରେ ଧିରେ ଆସି ବସିଲା ସେଇ ବାଲିଗଦା ଉପରେ । ଆଜି ପୌଷ ପୂର୍ଣ୍ଣମୀ ।  ଜ୍ୟୋସ୍ନା କିରଣ ବିଞ୍ଚି ହୋଇପଡିଥିଲା ଚାରିଆଡ଼ । ହାତ ପାପୁଲି ଭିତରେ ମୋଡିମାଡି ଧରିଥିବା ସେ କାଗଜ ଖଣ୍ଡଟିକୁ ମେଲେଇ ଧରି ନିରେଖି ଚାହିଁଲା । ଲେଖିପଢି ଜାଣିନଥିବା ରୂପାଲି କିଛି ତ ସନ୍ଦେଶ ଦେଇଥିବ ସେ କାଗଜ ଖଣ୍ଡିକରେ ! ରୁପା ପରି ତୋଫା ଜହ୍ନ ଆଲୁଅରେ  ଧଳା ସାଦା କାଗଜ ଖଣ୍ଡକ ଭିତରେ ରୂପାଲିର ଅଦୃଶ୍ୟ ହାତଲେଖା ଏଥର ପଢିପାରୁଥିଲା ଜଟି, ତା’ ମନର ଆଖିରେ ।   ଆହା, କିଏ ତାକୁ ବାଲିରେ ପୋତି ପକାନ୍ତାକି ବେକ ପର୍ଯ୍ୟନ୍ତ ! 

****

(ପୂଜାସଂଖ୍ୟା ଭିଜାମାଟି, ଜହ୍ନରାତି ବିଶେଷାଙ୍କ ୨୦୨୧ ରେ ପ୍ରକାଶିତ)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s