ବାରିପଟେ ଅରାଏ ମାଟି ଜାଗା ଦେଖି ଖୁସି ହୋଇଯାଇଥିଲେ ବୈଦେହୀ । ମୁମ୍ବାଇର ଫ୍ଲାଟ୍ ଘରେ ପଇଁତିରିଶ ବର୍ଷର ରହଣିପରେ ଏଇ ସାତ ଦିନ ହେଲା ଭୁବନେଶ୍ୱର ଫେରି ଆସିଛନ୍ତି ସେମାନେ ।
ଭୁବନେଶ୍ୱରରେବି ସେଇ କଂକ୍ରିଟ ଜଙ୍ଗଲ । ବଡ ବଡ ଆପର୍ଟମେଣ୍ଟ ମୁଣ୍ଡ ଟେକି ଠିଆ ହୋଇଛି ଚାରିଆଡେ । କେମିତି କେଜାଣି ଏଇ ଘରଟି କଥା ମନେ ପଡ଼ିଗଲା ଜଣେ ବନ୍ଧୁଙ୍କର । ଭଡାରେ ଘରଟି ଦେବାକୁ ଲୋକ ଖୋଜୁଥିଲେ ଘର ମାଲିକ । ପ୍ରଥମେ ଟିକେ କୁନ୍ଥୁକୁନ୍ଥୁ ହେଉଥିଲେ ବୈଦେହୀ । ବୋଧହୁଏ ଦୀର୍ଘଦିନ ଫ୍ଲାଟ୍ ଘରେ ରହିବା ପରେ ଏମିତି ଏକୁଟିଆ-ଘରେ ଚଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଭାବୁଥିଲେ ସେ । ନିରାକାର ବୁଝେଇ ଥିଲେ,’ କିଛି ଦିନ ରହିଯିବା ଏଠି । ଆ’ ଭିତରେ ଆମ ନିଜ ଫ୍ଲାଟ୍ ବି ରେଡି ହୋଇଯିବ’।
ଘରଟା ଟିକେ ପୁରୁଣା । ବେଶ୍ କିଛି ଦିନ ତଳେ ମରାମତି ହୋଇଥିଲା ବୋଧେ । କାନ୍ଥରୁ ଚୂନ ଚୋପା ଛାଡ଼ି ଆସିଲାଣି ଠାଏ ଠାଏ । ଘରଭିତରେ ପାଦ ଦେଉ ଦେଉ ସେତକ ଆଖିରେ ପଡ଼ି ଶୁଖି ଯାଇଥିଲା ବୈଦେହୀଙ୍କ ମୁହଁ । ଜୀବନ ତା’ ବାଟରେ ଛୁଟିଚାଲିଥାଏ ନଈ ସୁଅପରି । ନିଜର ଇଚ୍ଛା ଅନିଚ୍ଛାକୁ ସାଲିସ କରିବାକୁ ପଡେ ସେଇ ଅବିରତ ସ୍ରୋତସହ । ଯିଏ ଯେତେ ଶୀଘ୍ର ବୁଝିଯାଏ ଏଇ ନିରାଟ ସତ କଥାଟିକୁ ତା’ ପାଇଁ ସେତିକି ସହଜ ହୋଇଯାଏ ଜୀବନର ଚଲାପଥ ।
ବୈଦେହୀ ସଜାଡ଼ିଲେ ନୂଆ ଘରେ ତାଙ୍କ ପୁରୁଣା ସଂସାର । ସବୁଥର ପରି ନିରାକାର ସହଯୋଗର ହାତ ବଢ଼େଇଥିଲେ । ଦୁହେଁ ମିଶି ସହଜ ଭାବରେ ସଜେଇ ନେଲେ କିଛି ନୂଆ କିଛି ପୁରୁଣା ସ୍ମୃତିକୁ । ଜିନିଷ ପତ୍ର ସଜଡ଼ା ସଜଡ଼ି ଭିତରେ ଝିଅର ପିଲାଦିନକୁ ଫେରିପାଇବାର ଅପୂର୍ବ ପୁଲକକୁ, ସାଇତି ରଖିଥିବା ସେଇ ଛୋଟ ଛୋଟ ଫଟୋ ଓ ଚିଠି ମାଧ୍ୟମରେ ଅନୁଭବ କରୁଥିଲେ ସେମାନେ ଦୁହେଁ । ବାଙ୍ଗାଲୋରରୁ ଝିଅ ଭିଡିଓ ଜରିଆରେ ଦେଖିଥିଲା ଘର । ନିଜର ଅଭ୍ୟାସ ମୁତାବକ ସୁଖଦ ସ୍ମୃତିସବୁ ବାଣ୍ଟିବସିଲେ ସେ ଝିଅ ସହ । ପ୍ରଥମ ସ୍କୁଲ୍ ର ପ୍ରଥମ ପ୍ରଶଂସାପତ୍ର ଝିଅ ନେହା ଆଖିରେ ଚମକ ସୃଷ୍ଟି କରିଥିଲା । ସେ ଚମକ ଉଭୟ ନିରାକାର ଓ ବୈଦେହୀଙ୍କୁ ନେଇ ଠିଆ କରିଦେଇଥିଲା ସେଇ ସବୁ ଅପାଶୋରା ଦିନ ମାନଙ୍କ ଗହଣରେ । ଖୁସିର ମୁହୁର୍ତ୍ତସବୁ ବାଣ୍ଟିବାର ପ୍ରକ୍ରିୟାରେ ବୋଧେ ବେଶୀ ବେଶୀ ଅନୁଭବି ହୁଏ ସେଇ ସବୁ ମୁହୂର୍ତ୍ତମାନଙ୍କୁ ।
ଖୁବ୍ ଶୀଘ୍ର ନୂଆ ଘରେ ଜୀବନକୁ ସଜାଡି ନେଲେ ବୈଦେହୀ । ବାରିପଟର ସେଇ ମାଟି ଅରାକ କେମିତି କେଜାଣି ବାନ୍ଧି ଦେଲା ବୈଦେହୀଙ୍କୁ କେଉଁ ଏକ ଅଜଣା ଆକର୍ଷଣରେ । ପିଲାଦିନ ଗୁରୁଣ୍ଡି ଆସିଲା ତାଙ୍କ ଘରର ଏରୁଣ୍ଡି ବନ୍ଧ ଯାଏଁ । ସେଇ ଅଫେରା ପିଲାଦିନ, ମାଟି ଅଗଣା । ଅଗଣା ମଝିରେ ବଉଳ ଗଛ । ପେନ୍ଥି ପେନ୍ଥି ବଉଳ ଫୁଲର ମହକକୁ ପୁଣିଥରେ ଯେମିତି ଫେରିପାଉଥିଲେ ସେ । ନିରାକାରଙ୍କୁ କହିଥିଲେ ‘ବଉଳ ଗଛଟିଏ ଲଗେଇବା ଏଇ ଅଗଣାରେ’। ନିରାକାର ହସିଥିଲେ । ପୁରୁଣା ଏକୁଟିଆ ଘରଟିକୁ ଉପେକ୍ଷା କରୁଥିବା ବୈଦେହୀଙ୍କ ମନକୁ ଆକର୍ଷିତ କରିପାରିଥିବା ସେଇ ଅରାଏ ମାଟିକୁ ନେଇ ସେ ବି କେତେକଣ ଯୋଜନା କରିପକାଇଲେ । ‘ଏଇ ଘରେ ରହିଯିବା ତାହେଲେ, ଶେଷ ଯାଏଁ ।’ କହିଲେ, ଆଉ ଟିକିଏ ହସିଦେଲେ ନିରାକାର । ଅସନା ମସନା ହୋଇ ପଡିଥିବା ଦୁଇ ଚାରିଟା ଘାସ ବୁଦା ସହ ବାରି ଆଡର ମାଟି ଜାଗାଟି ପ୍ରତି ନିରାକାରଙ୍କର ମଧ୍ୟ ଟିକେ ଦୁର୍ବଳତା ଆସିଯାଇଥିଲା ।
ଏ ଭିତରେ ସାତ ଦିନ ହେଇଗଲାଣି । ମୌସୁମୀ କେରଳ ଛୁଇଁ ସାରିଲାଣି । ଏଇ ଦିନେ ଦୁଇଦିନରେ ଓଡ଼ିଶାରେ ପହଞ୍ଚିଯିବ । ସମ୍ବାଦପତ୍ରରୁ ଖବରଟି ପଢି ଶୁଣାଇଦେଲେ ବୈଦେହୀଙ୍କୁ ନିରାକାର ।
– ‘ଆଜି ବର୍ଷା ହେବ ବୋଧେ’ ବାଲକୋନୀରୁ ଲୁଗା ତକ ତୋଳି ଆଣୁ ଆଣୁ କହିଥିଲେ ବୈଦେହୀ ।
– ‘ହେଇ ତ ପଡ଼ିଲାଣି ଟୋପା ଟୋପା ବର୍ଷା’। ସତେ ଯେମିତି ବୈଦେହୀଙ୍କ ଆହ୍ଵାନରେ ବର୍ଷା ବର୍ଷିବା ଆରମ୍ଭ କରିଦେଇଥିଲା।
ବୈଦେହୀ ଦାଣ୍ଡଘରେ ଲୁଗା ରଖିଦେଇ ଫେରିଗଲେ ବାଲକୋନୀକୁ । ବର୍ଷା ତାର ବେଗ ବଢ଼ାଉଥିଲା । ଅନେକ, ଅନେକ ବର୍ଷ ପରେ ବର୍ଷା ଟୋପାର ମନମତାଣିଆ ସ୍ୱର ସହିତ ମହକି ଆସୁଥିଲା ଭିଜା ମାଟିର ମହକ । କଂକ୍ରିଟ ଜଙ୍ଗଲ ଭିତରେ ସେଇ ବାସ୍ନାକୁ ପାଶୋରି ଦେଇଥିଲେ ସେମାନେ । ବୈଦେହୀଙ୍କ ପାଖକୁ ଲାଗି ଠିଆ ହୋଇଥିଲେ ନିରାକାର । ଦୁଇ ମହଲା ଏକୁଟିଆ ଘରଟି ଖୁବ୍ ବେଶୀ ଆପଣାର ମନେ ହେଉଥିଲା । ମନ ଖୁସିଥିଲେ ସାରା ସଂସାର ସୁନ୍ଦର ଦିଶେ । ବୈଦେହୀ ଝୁଲି ପଡ଼ିଥିଲେ ଟିକେ ବାହାରକୁ । ହାତର ପାପୁଲି ଖୋଲି ଧରିଥିଲେ, ଆଉ ତା’ ଉପରେ ଝରିପଡୁଥିବା ପ୍ରଥମ ମୌସୁମୀ ବର୍ଷା ସହିତ ଅପର୍ଯ୍ୟାପ୍ତ ଖୁସି ସାଉଁଟି ନେଉଥିଲେ ।
ବାରିପଟର ମାଟି ଜଗାଟିରେ ସେ ଘାସ ବୁଦା ଭିତରେ ନାଲି ରଙ୍ଗର କିଛି ଗୋଟେ ଆଖିରେ ପଡ଼ିଲା ତାଙ୍କର । ‘ସାଧବ ବୋହୂ’ ଏକ ପ୍ରକାର ଚିତ୍କାର କରି କହିଥିଲେ ନିରାକାରଙ୍କୁ ।
– ‘ନାଇଁ ମ, ସାଧବ ବୋହୂ ହୋଇନଥିବ । ସେଇ ପିଲାଦିନେ ଦେଖୁଥିଲେ ଆମେ । ଆଜିକାଲି ଆଉ କାହାନ୍ତି’ ? ଗାଁ’ରେ ବର୍ଷା ଦିନେ ଘାସବୁଦା ଭିତରୁ ସାଧବ ବୋହୂ ଗୋଟାଇ ଆଣି ଦିଆସିଲ ଖୋଳରେ ପୁରେଇ ବୋଉକୁ ଲୁଚେଇବା ଆଉ ଧରାପଡ଼ି ଗାଳି ଶୁଣିବା ପରେ ପୁଣି ଘାସ ବୁଦାରେ ଛାଡ଼ିଆସିବା କଥା କହୁ କହୁ ହସି ପକେଇଥିଲେ ନିରାକାର ।
– ‘ଚାଲ ତଳକୁ । ସାଧବ ବୋହୂ ହୋଇ ଥିବ ପରା ‘। ବୈଦେହୀ ଦଉଡ଼ିଗଲେ ସେଇ ମାଟି ଜାଗାକୁ । ଘାସ ବୁଦା ଭିତରେ ଏଠି ସେଠି ହାତମାରି ତୋଳି ଆଣିଲେ ସେ ନାଲି ନାଲି ଅପୂର୍ବ ଦ୍ରବ୍ୟକୁ । ସେଇଠିଥାଇ ନିରାକାରଙ୍କ ଉଦ୍ଦେଶ୍ୟରେ କହୁଥିଲେ – ‘ଆସ ଦେଖିବ କାଇଁଚ । ଆହା, କେତେ କାଳ ପରେ ଦେଖିଲି । ଏତେ ସୁନ୍ଦର ନାଲି କାଇଁଚ । ପିଲାଦିନେଯାଇ ଦେଖିଥିଲି’ ।
ବୈଦେହୀଙ୍କ ସ୍ୱରରେ ଭରି ରହିଥିବା ଉତ୍ସାହ ଭିଜା ମାଟିର ବାସ୍ନା ସହ ପହଁରି ବୁଲୁଥିଲା ଚତୁର୍ଦ୍ଦିଗରେ । ବିଗତ ବର୍ଷ ଗୁଡ଼ିକରେ କଂକ୍ରିଟ ଜଙ୍ଗଲ ଭିତରେ ଆକ୍ତା ମାକ୍ତା ହେଉଥିବା ତାଙ୍କର ମନ ମାଟିର ମହକରେ ମହକି ଉଠୁଥିଲା । ତାଙ୍କର ସେ ଖୁସି ପହଁରି ଆସୁଥିଲା ନିରାକରଙ୍କ ପର୍ଯ୍ୟନ୍ତ ଆଉ ସଂକ୍ରମିତ କରିପକାଉଥିଲା ତାଙ୍କୁ ।
***