ପରିସୀମା

ଟ୍ରେନରେ ଚଢିବା ବେଳକୁ ଭାରି ହାଲିଆ ଲାଗୁଥିଲା ନିରଞ୍ଜନଙ୍କୁ । ଗତ ଆଠଦିନ ହେଲା ଖୁବ୍ ପରିଶ୍ରମ କରିଛନ୍ତି ସେ । ମୁମ୍ବାଇରୁ ଆସି ପହଞ୍ଚିବା ପରେ ଟିକେ ମଧ୍ୟ ବିଶ୍ରାମନନେଇ ସେଇ ପ୍ରଥମ ଦିନରୁ ହିଁ ଲାଗିଯାଇଥିଲେ କାମରେ । ପ୍ରଥମେ ଲୋକ ଠିକ୍ କରିବା, ତା’ପରେ  ବାଲି ସିମେଣ୍ଟ ସବୁ ଯୋଗାଡ – ତାଙ୍କୁ ହିଁ କରିବାକୁ ହେଲା । ଛୋଟ କାମଟେ ବୋଲି କେହି କରିବାକୁ ଆଗ୍ରହ କଲେନି । ନିରଞ୍ଜନ ବିବ୍ରତ ହୋଇ ପଡ଼ିଥିଲେ ।
– ‘କାମଟି ଛୋଟ ହେଲେ ମଧ୍ୟ କରିବାକୁ ତ ପଡ଼ିବ । ତୁମେ କେହି ନକଲେ କରିବ କିଏ ? ଇଣ୍ଟର୍ନେଟ୍ ରୁ ଟିପି ନେଇଥିବା କଣ୍ଟ୍ରାକ୍ଟର ମାନଙ୍କୁ ଫୋନ୍ ରେ ଯୋଗାଯୋଗ କରି ହତାଶ ହେବା ପରେ ସାମାନ୍ୟ ଚିହ୍ନା ଥିବା ଛୋଟ କଣ୍ଟ୍ରାକ୍ଟର ଜଣଙ୍କୁ ଏକଦମ୍ ଜୋର୍ କରି କାମଟି କରିବାକୁ କହିଥିଲେ ନିରଞ୍ଜନ । ମୁହେଁ ମୁହେଁ ମନା କରିପାରିନଥିଲେ ଭଦ୍ରଲୋକ । କିନ୍ତୁ ସେ ଠିକଣା ଦେଇଥିବା ବୁଲୁ ବାବୁ ହିଁ କାମଟା କରିଦେବେ କହି ଆଶ୍ଵସନା ଦେଇଥିଲେ ।

ବୁଲୁ ବାବୁ ସକାଳେ ଆସିବେ କହି ଆସିନଥିଲେ । ହାତ ଗଣନ୍ତା ଛୁଟି ଦିନରୁ ଦିନଟିଏ ଚାଲିଗଲା ବୋଲି  ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ନିରଞ୍ଜନ । ବୁଲୁବାବୁଙ୍କ ଉପରେ ଭରସା କରି ହେବ ତ ? ସାରାଦିନ ଅପେକ୍ଷା କରିବା ପରେ ସଂଧ୍ୟାରେ ବୁଲୁବାବୁ ଆସିନଥିଲେ ମଧ୍ୟ ଫୋନ୍ ରେ ଯୋଗାଯୋଗ କରି ବାଲି ସିମେଣ୍ଟ ଦୋକାନର ଠିକଣା ବତେଇ ଦେଇଥିଲେ ।
– ‘ସେସବୁ ଆପଣ ଯୋଗାଡ କରିବେ ନା …’।  ନିରଞ୍ଜନଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁହିଁ ସମ୍ପର୍କ ଛିନ୍ନ ହୋଇଥିଲା । ଥରେ ଦୁଇଥର ସେଇ ଫୋନ୍ ନମ୍ୱର୍ କୁ ଡାଏଲ୍ କରି ଫୋନ୍ ସୁଇଚଡଅଫ ଘୋଷଣା ଶୁଣିବା ପରେ ନିରଞ୍ଜନ ଅନନ୍ୟୋପାୟ ହୋଇ ବୁଲୁବାବୁ ବତାଇଥିବା ସିମେଣ୍ଟ ଡିଲର୍ ର ଠିକଣାରେ ପହଞ୍ଚିଲେ ପରଦିନ ସକାଳୁ । ଦୋକାନ ଖୋଲିବା ବେଳକୁ ପ୍ରଥମ ଗ୍ରାହକ ଭାବରେ ନିରଞ୍ଜନଙ୍କୁ ପାଇ ଉତଫୁଲ୍ଲ ହୋଇ ଉଠିଥିବା ବଙ୍ଗାଳୀ ଭଦ୍ରଲୋକ ଜଣକ କିନ୍ତୁ ନିରଞ୍ଜନଙ୍କଠାରୁ ସିମେଣ୍ଟର ପରିମାଣ ଶୁଣି ହତୋତ୍ସାହ ହୋଇ ପଡ଼ିଥିଲେ । ନିରଞ୍ଜନଙ୍କୁ ବସିବାକୁ ମଧ୍ୟ କହିନଥିଲେ ଭଦ୍ରଲୋକ, ଅଥଚ ତାଙ୍କ ପରେ ଆସିଥିବା ଭଦ୍ରମହିଳା ବଡ କୁସନ୍ ଥିବା ଚେୟାରକୁ ଆଉଜି ବସିଯାଇଥିଲେ । ଦୋକାନର ଚାକର ପିଲାଟି ମାଡାମଙ୍କ ପାଇଁ ଚା’ ଆଣିବାକୁ ଧାଇଁ ଯାଇଥିଲା ରାସ୍ତା ସେପଟ ଉଠା ଚା’ ଦୋକାନଟିକୁ । ସକାଳ ଚା’ ଟା ନପିଇଥିବାରୁ ନିରଞ୍ଜନଙ୍କର ଟିକେ ଟିକେ ମୁଣ୍ଡ ବିନ୍ଧିବାକୁ ଆରମ୍ଭ କରିଥିଲା । ଦୋକାନରେ ବୁଲୁବାବୁ ଦେଇଥିବା ସିମେଣ୍ଟର ପରିମାଣ କହି ସାରିବା ପରେ ତାଙ୍କଠାରୁ ବାଲି ଓ ଇଟାର  ଅର୍ଡର ମଧ୍ୟ ରଖିଥିଲେ ଭଦ୍ରଲୋକ । ସେସବୁ ତାଙ୍କ କାମ ନୁହେଁ ମାତ୍ର ତାଙ୍କ ସାନ ଶଳାର ଚିହ୍ନା ଜଣା କେହି ଜଣେ ଇଟା ବାଲିର ବେପାର କରନ୍ତି । ତାଙ୍କୁ କହି ସବୁ ଯୋଗାଡ କରିଦେବେ କହିଲା ବେଳେ ଭଦ୍ରଲୋକଙ୍କ ବ୍ୟବହାର ଆଦୌ ଭଲ ଲାଗୁନଥିଲା ନିରଞ୍ଜନଙ୍କୁ । ତଥାପି ନିରଞ୍ଜନ ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଆଉ ବାହାରି ଆସିଥିଲେ ବାହରକୁ । ରାସ୍ତା ସେପଟ ଚା’ ଦୋକାନରୁ ଚା’ କିଣି ପିଇଥିଲେ ଓ ବୁଲୁବାବୁଙ୍କୁ ଅପେକ୍ଷା କରିଥିଲେ ।

ବହୁତ୍ ଅପେକ୍ଷା ପରେ ବୁଲୁବାବୁ ଆସିଥିଲେ । ତିରିଶ ବତିଶ ବର୍ଷର ଯୁବକ ଜଣେ, ଅଥଚ କଥା କହୁଥିଲେ ଜଣେ ଅଭିଜ୍ଞ ଲୋକ ଭଳି । ନିରଞ୍ଜନଙ୍କୁ ଖୁବ୍ ଗୁଡ଼ାଏ ଉପଦେଶ ଦେବାପରେ ଦୋକାନ ଭିତରକୁ ଯାଇ କିଛି କଥାବାର୍ତ୍ତାକରି ବାହାରକୁ ଆସିଲେ ସେ । ନିରଞ୍ଜନ ଜାଣି ଜାଣି ଦୋକାନକୁ ଯାଇନଥିଲେ ତାଙ୍କ ସହ । କେଜାଣି କାହିଁକି ସେଇ ବଙ୍ଗାଳୀ ଭଦ୍ରଲୋକଙ୍କୁ ପୁଣିଥରେ ସାମ୍ନା କରିବାକୁ ତାଙ୍କ ମନରେ ଆଗ୍ରହ ଆସିନଥିଲା ।

ବୁଲୁବାବୁଙ୍କ ସହ ବାଇକ୍ ରେ ବସି ଜମି ପାଖରେ ପହଞ୍ଚିଲା ବେଳକୁ ନିରଞ୍ଜନଙ୍କୁ ହାଲିଆ ଲାଗୁଥିଲା ଖୁବ୍ । ଦିନ ଗୋଟାଏ ବାଜିବାକୁ ଯାଉଥିଲା । ଜ୍ୟେଷ୍ଠ ମାସର ଟାଣ ଖରା ଗଳି ଯାଉଥିଲା ଦେହରେ । ଶୋଷ ବି ହେଉଥିଲା । ବାଇକ୍ ରେ ଷ୍ଟାଣ୍ଡ ମାରି ବୁଲୁବାବୁ ଠିଆ ହୋଇପଡିଲେ ରାସ୍ତା ଉପରେ ।

– ‘ଏଇଠାରୁ ଆଗକୁ ଯିବାକୁ ତ ରାସ୍ତା ନାହିଁ । କେଉଁଟା ଆପଣଙ୍କ ଜମି? ନିରଞ୍ଜନ ବି ବାଇକ୍ ରୁ ଓହ୍ଲାଇବା ପରେ ରାସ୍ତା ଧାରକୁ ଠିଆ ହୋଇ ଚାହୁଁଥିଲେ ଏପଟ ସେପଟ । ସତରେ ତ କେଉଁଟି ତାଙ୍କର ?
 ଜମି ରେଜିଷ୍ଟ୍ରେସନ ବେଳେ ଥରଟିଏ ଆସିଥିଲେ ସେ । ସେଇ ଯାହା ଦେଖି ଯାଇଥିଲେ – ଏତେବର୍ଷ ଭିତରେ ଆଉ ସମୟ ପାଇନଥିଲେ ଏପଟେ ବୁଲିଯିବା ପାଇଁ । ବୁଲୁ ବାବୁ ଅସନ୍ତୁଷ୍ଟ ଦେଖା ଯାଉଥିଲେ ।
– ‘କଣ କରାଯିବ ?  ଜମିଟା କେଉଁଟି ଜାଣିଲେ ସିନା ପାଚିରୀ କାମ ଆରମ୍ଭ ହେବ ।‘

ଜମି ଚାରିପଟେ ପାଚିରୀଟିଏ ବୁଲେଇ ଦେବାପାଇଁ ମନସ୍ଥ କରି ଆସିଥିଲେ ନିରଞ୍ଜନ । ସଂଧ୍ୟା ସୁଦ୍ଧା ଇଟା ସିମେଣ୍ଟ ନିର୍ଦ୍ଧାରିତ ଜାଗାରେ ପହଞ୍ଚି ଯିବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବଙ୍ଗାଳୀ ଭଦ୍ରଲୋକ ।
– ‘କେଉଁ ପ୍ଲଟଟା ଆପଣଙ୍କର ଜାଣିଲେ ସିନା କାଲିଠାରୁ କାମ ଆରମ୍ଭ ହେବ । ଆପଣ ତ ନିର୍ଦ୍ଦିଷ୍ଟ କରି ଦେଖାଇ ପାରୁନାହାନ୍ତି । କଣ ହେବ ତା’ହେଲେ?’ ବୁଲୁ ବାବୁଙ୍କ କଥା ଶୁଣି ବିବ୍ରତ ଅନୁଭବ କରୁଥିଲେ ନିରଞ୍ଜନ ।
– ‘ଏଇଠି କେଉଁଠି ପ୍ଲଟଟା । ଇଲେକ୍ଟ୍ରିକ୍ ଖୁଣ୍ଟିଟେ ପୋତାଥିଲା ଜମିକୁ ସାଇଡ ହୋଇ ….’ – ନିରଞ୍ଜନ ଛେପ ଢୋକିଲେ ।
– ‘କାଇଁ ଇଲେକ୍ଟ୍ରିକ୍ ଖୁଣ୍ଟି ତ ବିଲକୁଲ ନାହିଁ ଏଠି?’ ବୁଲୁ ବାବୁ ଠିକ୍ କହୁଥିଲେ । ଇଲେକ୍ଟ୍ରିକ୍ ଖୁଣ୍ଟି ଦେଖାଯାଉ ନଥିଲା କେଉଁଠି । ରାସ୍ତାଟେ ଯାଇଛି ଲାଗି ଲାଗି ରହିଥିବା ଜମି ଗୁଡ଼ିକର ଠିକ୍ ମଝାମଝି । ବେଶ୍ କେତେଜଣ ଘର ତିଆରି ବି ଆରମ୍ଭ କରିଦେଲେଣି ।
– ‘ସହର ଠାରୁ ଦୂର ଅପନ୍ତରାରେ ଘର କରି ରହିହେବ କଣ?’ – ବୁଲୁ ବାବୁଙ୍କ ଉଦ୍ଦେଶ୍ୟରେ କହିଲେ ନିରଞ୍ଜନ ।
– ‘ଅପନ୍ତରା ନୁହେଁ ସାର୍! ଏଇ ପାଖାପାଖି ତିଆରି ଚାଲିଛି ବହୁତଳ ପ୍ରାସାଦ କିଛି । ମାର୍କେଟ କମ୍ପ୍ଲେକ୍ସ, ମନ୍ଦିର, ସବୁର ତିଆରି ବି ଆରମ୍ଭ ହୋଇଗଲାଣି । ଆପଣ ଦେଖି ପାରିଲେନିକି ରାସ୍ତାରେ ଆସିଲା ବେଳେ ? କେମିତି ପ୍ରସନ୍ନ ଦେଖାଯାଉଥିଲା ଟିକିଏ ପୂର୍ବରୁ ଅସନ୍ତୁଷ୍ଟ ଦେଖାଯାଉଥିବା ବୁଲୁବାବୁଙ୍କ ମୁହଁ । ବୋଧହୁଏ ଜାଗାଟି ତାଙ୍କର ପସନ୍ଦ ହୋଇଛି । ଖୁସି ଝଲସି ଉଠୁଥିଲା ନିରଞ୍ଜନଙ୍କ ମୁହଁରେ ମଧ୍ୟ ।
– ‘ସତରେ?’ ଉଚ୍ଚା ନୀଚା ଖାଲ ଢିପ ରାସ୍ତା ଉପରେ ବୁଲୁବାବୁ ଚଲାଉଥିବା ବାଇକ୍ ରେ ନିଜକୁ ନିୟନ୍ତ୍ରଣରେ ରଖିବା ଭିତରେ ନିରଞ୍ଜନ ଦେଖି ପାରିନଥିଲେ ରାସ୍ତା କଡ଼ରେ ଗଢି ଉଠିଥିବା ଏତେସବୁ ପ୍ରଚୁର୍ଯ୍ୟ । ବାଇକ୍ ରୁ ଖସି ପଡ଼ିଲେ ଗୋଡ ହାତ ଭାଙ୍ଗିବ । ଏ ବୟସରେ ଥରେ ହାଡ଼ ଭାଙ୍ଗିଲେ ସଜାଡ଼ି ହେବା ଦୂରୁହ ବ୍ୟାପାର । ବୁଲୁବାବୁ ବାଇକ୍ ଚଳାଉଥିବା ସମୟରେ ନଜର ବୁଲାଉ ଥିଲେ ଆଖ ପାଖ । ତାଙ୍କ ବାଇକ୍ ପଛରେ ନିଜକୁ ସମ୍ଭାଳିବାରେ ଲାଗିଥିଲେ ନିରଞ୍ଜନ । ବାଇକ୍ ରୁ ଓହ୍ଲେଇ ଆଖି ମେଲେଇ ଦିଗ ବିଦିଗ ଦେଖୁଥିଲେ ସେ । ଖାଲ ଢିପ ଭିତରେ ଖୋଜୁଥିଲେ ନିଜର ବୋଲି ଦାବୀ କରିବାକୁ ଥିବା ତିନି ହଜାର ସ୍କୋୟାର ଫିଟ୍ ର ଜମିଟିକୁ ।
– ‘ଆଉ ଅଳ୍ପ ଦିନ ଭିତରେ ଜାଗାଟା ଡେଭଲପ ହୋଇଯିବ । ଆପଣଙ୍କ ପ୍ଲଟର ଦାମ୍ ବି ଆକାଶଛୁଆଁ ହୋଇଯିବ ।‘ – ବୁଲୁ ବାବୁ ଭବିଷ୍ୟତ ବାଣୀ କରୁଥିଲେ । ବେଳକୁ ବେଳ କିନ୍ତୁ ହତାଶ ହୋଇ ପଡୁଥିଲେ ନିରଞ୍ଜନ । ଭୋକ ବି ଲାଗୁଥିଲା ଖୁବ୍ । ହଠାତ୍ ମୋବାଇଲ୍ ବାଜି ଉଠିଥିଲା । ନିଳୀମା ଫୋନ୍ କରିଥିଲେ ।
– ‘ପାଚିରୀ କାମ ଆରମ୍ଭ ହୋଇଗଲା?’ – ନିରଞ୍ଜନ କିଛି ନକହି ଚୁପ୍ ରହିଗଲେ । – ‘ଅନୁ ପଚାରୁଥିଲେ । ଏଇ ଟିକକ ଆଗରୁ ଫୋନ୍ କରିଥିଲା ସେ । ପାଚିରୀ କାମ ସରିବା ପରେ ଯଦି ସମୟ ହେବ, ତା’ ଘରେ ଟିକେ ବୁଲି ଆସିବ ।‘ ନିଳୀମାଙ୍କ ପାଟିରୁ ଅନୁ ନାଁ ଶୁଣି ନିରଞ୍ଜନ ଆହ୍ଲାଦିତ ହୋଇପଡିଲେ ।
– ‘ମୁଁ ତୁମକ ଟିକେ ପରେ ଫୋନ୍ କରୁଛି’ କହି ଫୋନ୍ କାଟିଦେଲେ ସେ । ଅନୁ । ଅନ୍ନଦା ପ୍ରଧାନ । ନିଳୀମାଙ୍କର ଦୂର ସମ୍ପର୍କୀୟ ପୁତୁରା ହେବ । ଅମିନ କାମ କରେ ସେ । ନିରଞ୍ଜନ ଖୁସିରେ ଆତ୍ମହରା ହୋଇଗଲେ । ଅନୁ ହିଁ ସାହଯ୍ୟ କରିପାରିବ ତାଙ୍କୁ । ଭଗବାନ୍ ଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ସେ ।

ଟିକେ ଅସନ୍ତୁଷ୍ଟ ହେଲେ ମଧ୍ୟ ଅନୁ ଘରକୁ ଯିବା ପାଇଁ ବୁଲୁ ବାବୁ ରାଜି ହୋଇଥିଲେ । ବାଟରେ ରାସ୍ତା କଡ ଦୋକାନଟିରେ ମାଛ ଚେଞ୍ଚେଡା ଭାତ ଖାଇନେଲେ ଦୁହେଁ । ନିରଞ୍ଜନ ଭୁଲିଗଲେ ନିଳୀମାଙ୍କର ଉପଦେଶ ।
– ‘ଦେହ ପା’ ଦେଖି ଚଳିବ । ଭଲ ରେଷ୍ଟୁରାଣ୍ଟ ଦେଖି ଖାଇବ । ପାଣି ଆଦୌ ପିଇବନି ଏଠି ସେଠି । କେବଳ ମିନେରାଲ ପାଣି ବୋତଲ କିଣି ପିଇବ ।‘
ଖାଇ ସାରି ଦୋକାନ ସାମ୍ନା ନଳକୂଅରୁ  ପାଣି କାଢି ଲୋଟାରେ ଧରାଇ ଦେଲେ ବୁଲୁବାବୁ । ” ଏଇ ଦୋକାନର ଏଇଟା ପ୍ଲସ ପଏଣ୍ଟ । ନଳକୂଅ ପାଣି ଦେହପାଇଁ ଭଲ । ଯାହେଇ, ନଳକୂଅଟେ ଅଛି ଏଠି । ନହେଲେ ପିଇବା ପାଣି ପାଇଁ ହଇରାଣ ହେବାକୁ ପଡ଼ିଥା’ନ୍ତା । ” ବୁଲୁବାବୁ ବି ତାହେଲେ ଭଲ ପାଣି ପିଇବା ସପକ୍ଷରେ । ଆଜିକାଲି ମିଡ଼ିଆର ପ୍ରଭାବରେ ଲୋକ ସବୁ ସତର୍କ ହେଲେଣି । ବୁଲୁ ବାବୁଙ୍କ ହାତରୁ ଲୋଟାଟା ନେଇ ଢ଼କ୍ଢ଼କ୍ କରି  ପାଣିତକ ପିଇବା ବେଳେ ନିରଞ୍ଜନଙ୍କର ମନେପଡୁଥିଲା ତାଙ୍କ ପିଲାଦିନ । ସ୍କୁଲ ଫେରନ୍ତି ରାସ୍ତାକଡ ପାଣି ଟ୍ୟାପ୍ ତଳେ ଆଞ୍ଜୁଳି ଦେଖାଇ ପାଣି ପିଉଥିଲେ ସେମାନେ । କାଇଁ କେବେତ ଦେହ ଖରାପ ହୋଇନି ।
– ‘ଆଜିକାଲି ଆମ ଭିତରେ ରୋଗ ପ୍ରତିଷେଧକ ଶକ୍ତି କମିଯାଉଛି । ଭଲ ପାଣି ଟିକେ ନପିଇଲେ…..’ । ବୁଲୁ ବାବୁ ତାଙ୍କ କଥା ଶୁଣିଲେ କି ନା କେଜାଣି । କିଛି ଉତ୍ତର ନଦେଇ ବାଇକ୍ ଷ୍ଟାର୍ଟ କରୁଥିଲେ ସେ । ନିରଞ୍ଜନ ଦୋକାନୀକୁ ପଇସା ଦେବା ପାଇଁ ପକେଟ୍ ରେ ହାତ ପୁରେଇଲେ ।     

ବୁଲୁ ବାବୁ ତରତର ହେଉଛି, ତାର ବି ଗୁଡ଼ାଏ କାମ ଥିବ ନିଶ୍ଚୟ । ନିଜକୁ ନିଜେ ପ୍ରବୋଧନା ଦେଲେ ନିରଞ୍ଜନ ।
ଅନୁ ସବୁ ଶୁଣିସାରି ପରଦିନ ସକାଳୁ ଅଫିସ୍ ଗଲାପରେ କିଛି ଗୋଟେ ବ୍ୟବସ୍ଥା କରିବ କହିଥିଲା । ବୁଲୁବାବୁଙ୍କ ସାହାଯ୍ୟରେ ଇଟା ସିମେଣ୍ଟ ଦେବାକୁ ଥିବା ଭଦ୍ରଲୋକଙ୍କୁ ପରଦିନ ଜିନିଷ ଦେବାପାଇଁ ଅନୁରୋଧ କରିବା ପରେ ବୁଲୁବାବୁଙ୍କଠାରୁ ବିଦାୟ ନେଇଥିଲେ ନିରଞ୍ଜନ ।
– ‘ଜମିଟା କେଉଁଟି ଜାଣି ପାରୁନ କଣ ଯେ ?’ –  ନିଳୀମାଙ୍କ ଆକ୍ଷେପ ଶୁଣି ବିରକ୍ତ ଲାଗୁଥିଲେ ମଧ୍ୟ ନିଜକୁ ସଂଯତ କଲେ ନିରଞ୍ଜନ ।
– ‘ତୁମେ ବ୍ୟସ୍ତ ହୁଅନି। କାଲି ସବୁ ଠିକ୍ ହେଇଯିବ‘ କହି ନିଳୀମାଙ୍କୁ ପ୍ରବୋଧନା ଦେଇ ଫୋନ୍ କାଟିଥିଲେ ମଧ୍ୟ  ନିରଞ୍ଜନ ନିଜକୁ  ବୁଝାଇ ପାରୁନଥିଲେ । କେଉଁଟା ତାଙ୍କ ଜମି? ଧାଡି ଧାଡି ଖାଲ ଢିପ ଜମି ଗୁଡାକ ଭିତରେ କେଉଁଠି କେଉଁଠି ଅଧାଗଢ଼ା ଘର । କେମିତି ଜଣା ପଡ଼ିବ କେଉଁଟି ତାଙ୍କର ? ଜାଗାଟି  ଅପନ୍ତରା ହୋଇ ପଡ଼ିଥିଲା । କେହି ଘର କରୁନଥିଲେ । ବୁଲୁବାବୁଙ୍କ କଥା ଯଦି ସତ ହୁଏ, ଖୁବ୍ ଶୀଘ୍ର ଗଢି ଉଠିବ ଘର ସବୁ । ଏସବୁ କଣ ସତରେ ଏତେ ଚଞ୍ଚଳ ହୋଇଯିବ ! ରିଟାୟାରମେଣ୍ଟ ଦିନ ପାଖେଇ ଆସୁଛି । ନିରଞ୍ଜନ କ୍ଲାନ୍ତ ଅନୁଭବ କରୁଥିଲେ । ରାତିରେ ଭଲ ନିଦ ହୋଇନଥିଲା ।

ସକାଳୁ ଛାଇ ନିଦରେ କଣ ଏଣୁତେଣୁ ସ୍ଵପ୍ନ ଦେଖି ଉଠି ବସିଲେ ନିରଞ୍ଜନ । ଦିନଟି କେମିତି ଭଲରେ କଟୁ । ଭଲରେ ଭଲରେ ସମସ୍ୟାର ସମାଧାନ ହୋଇଯାଉ । ନିଳୀମାଙ୍କ ପରି ଆଖି ବୁଜି ଭଗଵାନଙ୍କୁ ସୁମରଣା କରିଥିଲେ ସେ । ଆଠ ଦିନରୁ ତିନିଦିନ ଚାଲି ଗଲାଣି । ଚତୁର୍ଥ ଦିନରେ ଜମି ଚିହ୍ନି କାମ ଆରମ୍ଭ ହେଲେ ଚାରିଦିନରେ ପାଚିରୀ ଉଠିଯିବ ।

ଅନୁ ସାହାଯ୍ୟରେ ଏପଟ ଇଲାକର ଅମିନ ବି ମିଳିଗଲେ । ଏତେ ସହଜରେ ସବୁ ସମାଧାନ ହୋଇଯିବ ବୋଲି ଭାବି ପାରିନଥିଲେ ନିରଞ୍ଜନ । ନିଳୀମା ବୋଧହୁଏ ମନପ୍ରାଣ ଦେଇ ଡାକିଛନ୍ତି ଭଗଵାନଙ୍କୁ । ନିଜ ଉପରେ ଭରସାନଥିଲା ତାଙ୍କର । ଭଗବାନ୍ ଙ୍କୁ ଡାକିବା କଥାରେ ସବୁବେଳେ ନିଳୀମାଙ୍କର ସାହଯ୍ୟ ଲୋଡିଛନ୍ତି ସେ । ନିଳୀମାଙ୍କର ଭକ୍ତି ଉପରେ ତାଙ୍କର ଅଗାଧ ବିଶ୍ଵାସ ।
ଅମିନ ପହଞ୍ଚିଥିଲେ ଯଥା ସମୟରେ । ଅନୁ ତାଙ୍କୁ ସାଙ୍ଗରେ ନେଇ ଆସିଥିଲା । ଅନୁ ନିରଞ୍ଜନଙ୍କର ସମୟାନୁବର୍ତ୍ତିତା ସମ୍ପର୍କରେ ଜାଣେ । ଜାଗାଟା ସହରଠାରୁ ଦୂରରେ । ଅପନ୍ତରା ହୋଇ ପଡ଼ିରହିଛି ଆଜିଯାଏଁ ।
– ‘ଆ ପଛକୁ ପଛ କେତେ ଜାଗା ଡେଭଲପ କରିଗଲାଣି, ଏ ଜାଗାଟି କେମିତି ବାଦ୍ ପଡ଼ିଯାଇଛି କେଜାଣି ?’- ଅମିନ ମୁହଁରେ ଗାମ୍ଭିର୍ଯ୍ୟ ଫୁଟାଇ କହୁଥିଲେ । ମନେ ହେଉଥିଲା ଏ ଜାଗା ଗୁଡ଼ିକର ହର୍ତ୍ତାକର୍ତ୍ତା ସିଏ । ତାଙ୍କ ଆଖିର ଆଢ଼ୁଆଳରେ ଏତେ ବଡ  ଇଲାକାଟିଏ ରହିଯାଇଥିବାରୁ କେମିତି ଗୋଟେ ଅପ୍ରସନ୍ନତା ଅନୁଭବ କରୁଥିଲେ ସେ । ନିରଞ୍ଜନ କିଛି କହିବେ କହିବେ ହୋଇ ଚୁପ୍ ରହିଯାଇଥିଲେ ।

ଅମିନ ଆଉ ତାର ସହକର୍ମୀ ମିଶି ନିରଞ୍ଜନଙ୍କ କାଗଜ ପତ୍ର ତଦାରଖ କରି ମପାଚୁପାକରି ବାହାର କରିଦେଲେ ଜମିର ପରିସୀମା । ବାସ୍ ! ବୁଲୁବାବୁ ପ୍ରଫୁଲ୍ଲ ମନରେ ଆରମ୍ଭ କରିଦେଲେ କାମ । ଚାରିଦିନ କାମ ଲାଗିବ  କହିଥିବାସତ୍ତ୍ୱେ ତୃତୀୟ ଦିନ ଅଧାରେ ପାଚିରୀ ବୁଲିଯାଇ ଚକଡାଏ ଜାଗାରେ ଅସ୍ଥାୟୀ ଲୁହା ଦୁଆରଟେ ବି ଲାଗିଗଲା । ସେଇ ଦୁଆରରେ ତାଲା ପକାଇ ଚାବିଟା ପକେଟ୍ ରେ ରଖିଲା ବେଳେ ପୃଥିବୀ ପୃଷ୍ଠରୁ ସେଇମାତ୍ର ଚିହ୍ନଟ ହୋଇଥିବା କ୍ଷୁଦ୍ର ପରିସୀମାଟିଏ ନିଜ ନାଁରେ କରିନେବାର ଆତ୍ମସନ୍ତୋଷ ଅନୁଭବ କରୁଥିଲେ ନିରଞ୍ଜନ । ଜମି ଆଡ଼େ ଆଖି ପହଁରେଇ ଆଣିଲେ ସେ । ବେଶ୍ ଭଲ ଘରଟିଏ ତିଆରି ହୋଇଯିବ ଏଠି । ବୁଲୁବାବୁଙ୍କ କଥା ଯଦି ସତ ହୋଇଥାଏ ପାଖରେ ମାର୍କେଟ କମ୍ପ୍ଲେକ୍ସ, ମନ୍ଦିର ହୋଇଗଲେ ରହିବାକୁ ଭାରି ଭଲ ଲାଗିବ । ନିଳୀମା ବି ଭାରି ଖୁସି ହେବେ କଥାଟା ଶୁଣିଲେ ।

ପାଚିରୀ ତିଆରି ପରେ ପୁରା ଗୋଟେ ଦିନ ହାତରେ ଥିଲା । ନିରଞ୍ଜନ ବେଶ୍ କିଛି କିଣାକିଣି କରି ପକେଇଛନ୍ତି ଦିନଟିରେ । ଆଜିଯାଏଁ କେବେ ନିଜଆଡୁ ନିଳୀମାଙ୍କ ପାଇଁ କିଛି କିଣି ନାହାନ୍ତି । ନ କହିଲେ ମଧ୍ୟ ନିଳୀମା ଭିତରେ ଭିତରେ ନିଶ୍ଚୟ ଆଶା କରୁଥିବେ ସ୍ଵାମୀଙ୍କଠାରୁ ଶାଢ଼ୀଟେ କି ଚୁଡ଼ି ମୁଠାଟେ ପାଇବା ପାଇଁ । ପିଆଜ ରଙ୍ଗର ସିଲ୍କ ଶାଢ଼ୀଟି ନିଳୀମାଙ୍କୁ ବେଶ୍ ମାନିବ । ଜିନିଷ ପତ୍ର ପ୍ୟାକ୍ କରୁ କରୁ ଖୁସି ଖୁସି ଲାଗୁଥିଲା ତାଙ୍କୁ ।

ଟ୍ରେନ୍ ରେ ପୁରା ଦୁଇଦିନ ବିଶ୍ରାମ ମିଳିଯିବ । ଶୋଇ ଶୋଇ କଟାଇ ଦେବେ ଆଠ ଦିନର କ୍ଲାନ୍ତିକୁ । ଝରକାକୁ ଚାପି ହୋଇ କାଚ ବାଟେ ବାହାରକୁ ଚାହିଁଥିଲେ ନିରଞ୍ଜନ । ଧଡ଼ ଧାଡ ହୋଇ ଚଢ଼ିଗଲେ ସେମାନେ । ଦଲକାଏ ବସନ୍ତ ପବନ ପରି ଖେଳେଇ ହୋଇଗଲେ ପୁରା କମ୍ପାର୍ଟମେଣ୍ଟସାରା । ପଚିଶ ଛବିଶ ବର୍ଷ ର ତରୁଣୀ ସବୁ ତଳ ଉପର ସିଟ ସବୁ ଅକ୍ତିଆର କରି ବସିଗଲେ ।
– ‘ଅଙ୍କଲ, ଉପର ସିଟଟା ଆପଣଙ୍କର ନା?’ – ଝିଅ ଟିଏ ସିଧା ତାଙ୍କ ମୁହଁକୁ ଚାହିଁ ପଚାରୁଥିଲା ।

ହଁ, ଥ୍ରୀ ଟାୟାର ଏ ସି ର ଉପର ବର୍ଥଟିରେ ଟିକେଟ ମିଳିଲା ବେଳେ ନିରଞ୍ଜନ ଭାବିଥିଲେ ଅନୁରୋଧ କରି ତଳ ସିଟଟିଏ ମାଗିନେବେ ସହଯାତ୍ରୀଙ୍କ ପାଖରୁ । ଏତେସବୁ ଝିଅଙ୍କ ଭିତରେ ତଳ ସିଟରେ ବସି ଦୁଇଦିନ ଯାତ୍ରା କରିବା ଠାରୁ ଉପର ସିଟକୁ ଉଠିଯିବା ଭଲ ବିଚାରି ସେଇ ଯେ ଉଠି ଯାଇଥିଲେ ଉପର ବର୍ଥକୁ ଆଉ ତଳକୁ ଓହ୍ଲେଇବାର ସାହସ ଜୁଟେଇ ପାରିନାହାନ୍ତି । ଦୁଇଦିନ କାଳ ନିଜର ଛଅ ଫୁଟିଆ ଦେହଟିକୁ ବୁଲେଇ ବଙ୍କେଇ ବହି ଭିତରେ ମୁହଁ ମାଡି ବସିଥିଲେ, ନଚେତ୍ ଶୋଇ ଶୋଇ ଟିଣ ଛାତକୁ ଚାହିଁ ଦୀର୍ଘଶ୍ୱାସ ନେଉଥିଲେ ସେ । ତଳକୁ ଝୁଙ୍କିପଡି ତେଲେଙ୍ଗା ଟୋକାଟିକୁ ଖାଇବା ପଇସା ଦେଲାବେଳେ ମଧ୍ୟ ସଙ୍କୁଚିତ ଅନୁଭବ କରୁଥିଲେ ।

ନିଜ ବର୍ଥଟିରେ ଜାକିଜୁକି ହୋଇ ଶୋଇ ପଡିଥିଲେ ନିରଞ୍ଜନ । ହଠାତ୍ ନିଦ ଭାଙ୍ଗିଗଲା । କେମିତି ଅସ୍ଵସ୍ତି ଅନୁଭବ କରୁଥିଲେ ସେ । ଅଣନିଶ୍ୱାସୀ ବି ଲାଗୁଥିଲା । ଏ ସି ଚାଲୁନି ନା କଣ? ଝାଳରେ ଗୋଟାପଣେ ବୁଡ଼ି ଯାଇଥିଲେ ସେ । ଗାଡି ଠିଆ ହୋଇ ରହିଛି । ବେଶ୍ ବେଳ ସେ ଶୋଇପଡ଼ିଥିଲେ ବୋଧହୁଏ, କିଛି ଜାଣିପାରିନାହାନ୍ତି । ତଳକୁ ନଇଁ ପଡ଼ି କଣ ହୋଇଛି ପଚାରିବାକୁ ଇଚ୍ଛା କରୁଥିଲେ ମଧ୍ୟ ନିଜକୁ ଅଟକାଇ ନେଇଥିଲେ ସେ । ତାଙ୍କ ଝିଅ ରୁନି ଠାରୁ ବି ସାନ ଝିଅ ଗୁଡ଼ାଙ୍କୁ କଣ ପାଇଁ ସଙ୍କୋଚ ଲାଗୁଛି ଏତେ ??
– ‘ଅଙ୍କଲ, ଗାଡ଼ି ଅଟକି ରହିଛି । ଟ୍ରେନ୍ ଲାଇନ୍ ଉପରେ ପାଣି ଚାଲିଛି । ପ୍ରି-ମନସୁନ ରେନ୍ । ଖୁବ୍ ବର୍ଷିଛି । ଏ ସି ବି ଚାଲୁନି । ମେକାନିକ୍ ଆସି ମରାମତି କରୁଛନ୍ତି । କହୁଛନ୍ତି, ଠିକ୍ ହୋଇଯିବ ଅଳ୍ପ ସମୟ ପରେ । ଆପଣ ଙ୍କୁ କିଛି ଦରକାର୍ କି?’ ଦିନସାରା ଚବର୍ ଚବର ହେଉଥିବା ସେଇ କାଳୀ ପାତେଳୀ ଝିଅଟି ତାଙ୍କ ଉଦ୍ଦେଶ୍ୟରେ କହିଥିଲା ।
– ‘ନା, ନା, କିଛି ଦରକାର୍ ନାହିଁ ମୋର’ । ଖୁବ୍ ଗରମ୍ ହେଉଛି’ ।
– ‘ମୋ ପାଖରେ ଏଇ ଫ୍ୟାନଟି ଅଛି । ଏଇଥିରେ ବିଞ୍ଚି ହୋଇଯାଆନ୍ତୁ, ଟିକେ ଭଲ ଲାଗିବ । ଝିଅଟି ନିରଞ୍ଜନଙ୍କର ସୁବିଧା ଅସୁବିଧା ବୁଝିବାକୁ ଚାହୁଁଛି ।
– ‘ଭଲ ଝିଅ ଟେ …’ ସ୍ଵଗତୋକ୍ତି କଲେ ନିରଞ୍ଜନ ।  ସତରେ, ହାତ ପଙ୍ଖାଟିରେ ବିଞ୍ଚି ହେବା ପରେ ଭଲ ଲାଗିଲା । ବେଶ୍ ବେଳ ଟ୍ରେନ ଅଟକି ରହିଲା ।

ସକାଳୁ ସକାଳୁ ଘରେ ପହଞ୍ଚିବା କଥା । ନିଳୀମା ବି ଅପେକ୍ଷା କରି କରି ବ୍ୟସ୍ତ ହୋଇ ଯାଇଥିଲେ । ନିରଞ୍ଜନ ପହଞ୍ଚିଲେ ଚାରିଘଣ୍ଟା ବିଳମ୍ବରେ । ଯା’ହେଉ, ସବୁ ସମସ୍ୟାର ସମାଧାନ ହୋଇଗଲା । ନିଳୀମାଙ୍କୁ ପୁରା ଘଟଣା ଶୁଣେଇସାରି ଶାଢ଼ୀ ସହିତ ଆଣିଥିବା ଅନ୍ୟାନ୍ୟ ଜିନିଷ ଧରାଇଦେଲେ ନିରଞ୍ଜନ । ଶାଢୀଟି ନିଳୀମାଙ୍କ ମନକୁ ପାଇଥିଲା ଖୁବ୍ । ନିଳୀମା ଖୁସି ଥିଲେ । ଓଡ଼ିଶାଠାରୁ ଦୂରରେ ରହି ଓଡ଼ିଶାରେ ନିଜର ଘରଟିଏ ତିଆରି କରିବାର ସ୍ଵପ୍ନ ଦେଖୁଥିବା ତାଙ୍କପରି ପ୍ରବାସୀ ଓଡ଼ିଆ ବନ୍ଧୁ ମାନଙ୍କୁ ସେ ଏଥର ଶୁଣାଇ ପାରିବେ ତାଙ୍କର ସଫଳତାର କାହାଣୀ । ଚାକିରୀରୁ ଅବସର ନେବା ପରେ ଓଡ଼ିଶା ମାଟିରେ ରହିବାର ସ୍ବପ୍ନ ତାଙ୍କର ସାର୍ଥକ ହେବାକୁ ଯାଉଛି । ପାଚିରୀ ଗଢା ହୋଇଗଲା । ଖୁବ୍ ଶୀଘ୍ର ମନଲାଖି ଘରଟିଏ ମଧ୍ୟ ଗଢ଼ିଦେବେ ନିରଞ୍ଜନ । ଏ ବିଷୟରେ ପ୍ରାରମ୍ଭିକ ଆଲୋଚନା କରି ଆସିଛନ୍ତି ସେ ବୁଲୁ ବାବୁଙ୍କ ସହ । ସ୍ଵାମୀଙ୍କଠାରୁ ଏକଥା  ଶୁଣିବା ପରେ ନିଳୀମାଙ୍କ ଗୋଡ଼ ତଳେ ଲାଗୁନଥିଲା । ତାଙ୍କ ଆଖିରୁ ଝଲସି ଆସୁଥିବା ଖୁସିକୁ ନିଜ ଭିତରକୁ ସାଉଁଟି ନେଉଥିଲେ ନିରଞ୍ଜନ । ଶଦ୍ଦକରି ବାଜି ଉଠିଲା ଫୋନ୍ । ନିଳୀମା ମିଠା ଆଣିବାକୁ ଘର ଭିତରକୁ ଯାଇଥିଲେ । ଏତେ ବଡ଼ ଶୁଭ ଦିନଟିରେ ମୁହଁ ମିଠା ତ କରିବାକୁ ହେବ ।

ନିରଞ୍ଜନ ଫୋନ୍ ଉଠାଇଥିଲେ।
– ‘ଆପଣ ନିରଞ୍ଜନ ବାବୁ କହୁଛନ୍ତି ?’
– ‘ଆଜ୍ଞା…..’
– ‘ଆପଣ ମୋ ଜମିରୁ ଅଧା ମାଡିବସି ପାଚିରୀ କେମିତି ବୁଲେଇଦେଲେ?  କାହାକୁ ପଚାରି ପାଚିରୀ ତିଆରି କଲେ ଆପଣ? କ’ଣ ଭାବିଛନ୍ତି ନିଜକୁ? ମୋ ଜମିରୁ ଏତେବଡ ଖଣ୍ଡେ ମାଡ଼ି ବସିବେ । ଛାଡିବିନି ଆପଣଙ୍କୁ । ଶୀଘ୍ର ଆସି ପାଚିରୀ ଭାଙ୍ଗନ୍ତୁ । ନଚେତ୍……’ –
ଉତ୍ତେଜିତ ହୋଇ ଅପରପକ୍ଷରୁ କହୁଥିଲେ କେହିଜଣେ ଅପରିଚିତ ।

ଅପସରି ଯାଇଥିବା ସବୁତକ କ୍ଳାନ୍ତି ଧସେଇ ପଶୁଥିଲା ନିରଞ୍ଜନଙ୍କ ଭିତରେ । ଆଉ ଜଣଙ୍କ ଜମିରୁ ଖଣ୍ଡେ…. । ଅମିନ କ’ଣ ମାପ କଲା ତେବେ? ଅନୁକୁ ଫୋନ୍ କରି ଜମି ଆଉଥରେ ମାପ କରି ଚିହ୍ନଟ କରିବେ ନା ବୁଲୁବାବୁଙ୍କୁ ଫୋନ୍ କରିବେ ପାଚିରୀ ଭଙ୍ଗିଦେବାପାଇଁ ? ଅବଶ କ୍ଳାନ୍ତ  ଦେହଟିରେ ସେଇ ଦାଣ୍ଡଘରେ ସୋଫା ଉପରେ ଆଉଜି ପଡିଥିଲେ ନିରଞ୍ଜନ । 

(2013 ପୂଜାସଂଖ୍ୟା ସୁଧାନ୍ୟାରେ ପ୍ରକାଶିତ)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s