ବାଉଁଶ ରାଣୀ

– ‘ତୋ ନାଁ କଣ’?  – ବଡ ସନ୍ତର୍ପଣରେ ତା’କୁ ପଚାରିଲା ଶିଉଳି ।
ଟିକେ ଛେପଗିଳି ସ୍ୱର ନିମ୍ନ କରି ସେ କହିଲା, ‘ମୋର ସତ ନାଁ’?
– ‘ମାନେ?’  ବିସ୍ମୟ ଭରିଯାଇଥିଲା ଶିଉଳିର ସ୍ୱରରେ ।
ହସିଦେଇ ଝିଅଟି କହିଲା, – ‘ସମସ୍ତେ ଡାକନ୍ତି ବାଉଁଶ ରାଣୀ । ସେଇ ନାଁ ରେ ତୁ ବି ଡାକି ପାରିବୁ ମତେ । ହେଲେ ମୋର ପ୍ରକୃତ ନାଁ ହେଲା ରାଣୀ । ରାଣୀ ମାନେ ଜାଣିଛୁ’?  କହିଦେଇ କିରି କିରି ହୋଇ ବହେ ହସିଲା ସେ । ହସି ହସି ଲୋଟିଗଲା । ନାକରୁ, ପାଟିରୁ ପାଣି ବାହାରି ପଡ଼ିଲା ତାର । କାନ୍ଧ ପାଖରୁ ସିଲେଇ ଫିଟି ଯାଇଥିବା ତାର ସେ ରଙ୍ଗଛଡା ଫ୍ରକ୍ ଟିରେ ପୋଛି ପକେଇଲା ମୁହଁ ଆଉ ନାକ । ସେମିତି ହସୁ ହସୁ କହିଲା, ‘ଆମେ କିନ୍ତୁ ରାଜାଘରର ନୁହେଁ । ହେଲେ ବାଆ ମୋ ନାଁ ରଖିଛି ରାଣୀ’ । ଟିକେ ଶୁଖିଲା ଦିଶୁଥିଲା ରାଣୀର ମୁହଁ, ତେବେବି ହସୁଥିଲା ସେ ।
– ‘ହଉ, ଏଥର କହ ତୋ ନାଁ କଣ’?
– ‘ସୁଲୀ’। ନାଁ ଟିକୁ ଟିକେ ଛୋଟ କରି କହିଲା ଶିଉଳି ଆଉ ଦୌଡ଼ିବା ଆରମ୍ଭ କରିଦେଲା ।
ଖଣ୍ଡେ ବାଟ ଦୌଡ଼ି ଆସିଲା ପରେ ଧିମେଇ ଗଲା ତାର ଗତି  । ଏଥର ସେ ଧିରେ ଧିରେ ଚାଲିଲା । ତାର କଅଁଳିଆ ମନ ଭିତରକୁ ଧସେଇ ପଶି ଆସୁଥିଲା ବାଉଁଶ ରାଣୀ । ନା’ ତାର ରାଣୀ। – ବାଃ, କେତେ ସୁନ୍ଦର୍ ନାଁ ଟେ । ପୁଣି ଭାବିଲା ଆଜି ସେ କହିଥିବା କଥା ସବୁ । ଏମିତି ଦଉଡ଼ି ଉପରେ ଚାଲିଲାଣି ସେ ଗୁଡ଼ାଏ ବର୍ଷ ହେଲାଣି । ଏବେ କୁଆଡେ ସେ ଟିକେ ବଡ ହୋଇଗଲାଣି । ମାଆ କହୁଥିଲା ଦଉଡ଼ି ଉପରେ ଖାଲି ଛୋଟ ଝିଅମାନେ ଚାଲନ୍ତି । ବୋଧେ ଆଉ ବର୍ଷେ ଦୁଇବର୍ଷପରେ ଜୀବନକୁ ବାଜି ଲଗେଇ ତାକୁ ଏମିତି ଏଗାର ଫୁଟ୍ ଉପରେ ଦଉଡ଼ି ଉପରେ ଚାଲିବାକୁ ପଡ଼ିବନି । କିନ୍ତୁ ତାପରେ  କଣ କରିବ ସେ ଜାଣିନି । ଶିଉଳି ଉତ୍ସାହିତ ହୋଇ କହିଥିଲା, -‘ତାପରେ …. ତାପରେ କଣ କରିବୁ ତୁ’?
– ‘କେଜାଣି? ମୁଁ ଜାଣିନି । ବାଆ ଜାଣିଥିଲେ ଜାଣିଥିବ’ ।

ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ କଣ କରିବ ବାଉଁଶ ରାଣୀ? ଏତେ ଉଚ୍ଚ ଦଉଡ଼ି ଉପରେ ତାକୁ ଆଉ ଚାଲିବାକୁ ପଡ଼ିବନି ବୋଲି ଯେତିକି ଖୁସି ଥିଲା ଶିଉଳି, ତାପରେ ସେ କଣ କରିବ ଭାବି ସେତିକି ଦୁଃଖୀ ହୋଇଯାଉଥିଲା । ନିଜର ଭବିଷ୍ୟତକୁ ନେଇ ସ୍ବପ୍ନ ଗଢ଼ିବା ବୋଧେ କେବଳ ପେଟପୂରା ଖାଇବାକୁ ପାଉଥିବା ମଣିଷଟିଏ କରିପାରେ ।  ଦି’ ମୁଠା ଖାଦ୍ୟ ଯୋଗାଡ କରିବାକୁ ଅନିଶ୍ଚିତ କାଲିଟିଏ ଯାହାର ଆଖ ପାଖରେ ସବୁବେଳେ ଆତଯାତ ହେଉଥିବ, ତା’ ପାଇଁ  ଭବିଷ୍ୟତ କଣ? ସ୍ବପ୍ନ କଣ? ସବୁତ ସେଇ ଗୋଟିଏ, ମୁଠାଏ ପେଟପୂରା ଭାତ ।

ଏଇ କେଇଦିନ ହେଲା ସେ ଦୁହିଁଙ୍କର ବନ୍ଧୁତା ହୋଇଛି ।

ସ୍କୁଲ୍ ଯିବା ଆସିବା ବାଟରେ ତମ୍ବୁ ଟାଣି ଅସ୍ଥାୟୀ ଘରଟିଏ ତିଆରି କରିଛନ୍ତି ସେମାନେ । ଦୁଇ ତିନିଟି ପରିବାର ଏକାଠି ତିଆରି କରିଛନ୍ତି ସେଇ ଉଠା ଘର। ପ୍ଲାଷ୍ଟିକ ଜରି ଆଉ ଦଦରା ବାଉଁଶ କେଇଟିରେ । ଶକ୍ତ ମନେହେଉଥିବା ବାଉଁଶ କିଛି ସଞ୍ଚିରଖିଛନ୍ତି ସେମାନେ । ସେଇ ବାଉଁଶରେ ଜୀବିକାର  ମଞ୍ଚ ବାନ୍ଧିବେ ଠାଏ ଠାଏ ସହର ସାରା ବୁଲି ବୁଲି । ସେଇଠି ଦେଖେଇବେ ବାଉଁଶ ରାଣୀ ଖେଳ । ସଞ୍ଜ ବୁଡ଼ିଗଲେ ଫେରିଆସିବେ ଏଇ ଅସ୍ଥାୟୀ ଘରଟିକୁ। ଉଠା ଚୂଲିରେ ରନ୍ଧାହେବ ଭାତ ତିଅଣ । ଖିଆ ସରିଲେ ପଖଳା ଭାତକୁ ଘରକୋଣ ଶିକାରେ ଟଙ୍ଗେଇ ଦେବ ମାଆ । ସକାଳୁ ସେଇ ପଖାଳ ଖାଇ ବାହାରିଯିବେ ସେମାନେ ଖେଳ ଦେଖେଇବାକୁ ନୂଆ ଜାଗାର ସନ୍ଧାନରେ । ଏମିତି ଯାଯାବର ଜୀବନ ତାଙ୍କର । ଏଇ ପାରମ୍ପରିକ ବାଉଁଶ ରାଣୀ ଖେଳ ଦେଖେଇ ଆସୁଛନ୍ତି କେତେ ପୁରୁଷରୁ । ଆ’ ଛଡ଼ା ଆଉ କିଛି କରିବା କଥା ଭାବି ନାହାନ୍ତି କେବେ ସେମାନେ । ରାଣୀ ଠାରୁ ସବୁ ଶୁଣିଥିଲା ଶିଉଳି । ଭାରି ଅଜବ ଲାଗୁଥିଲା ତାକୁ ସେ କଥାଗୁଡା ।

– ‘ଆଜି କାହିଁକି ଭାରି କସମସ ଲାଗୁଛି ଦେହଟା । ଆଦୌ ଇଚ୍ଛା ହେଉନି ଖେଳ ଦେଖେଇବାକୁ । ତୁ ଆସିବୁ ତ? ତତେ ଦେଖେଇବି ମୋ ଖେଳ। ତୁ ମୋର ତାକତ୍ ହେବୁ ଆଜି’। ଟିକିଏ ପାଖକୁ ଲାଗିଯାଇ କହିଲା ବାଉଁଶ ରାଣୀ ।
‘ତୋ ଦେହ ଭଲ ଲାଗୁନି । କହୁନୁ ମାଆକୁ ତୋର । ମୋ’ ଦେହ ଭଲ ନଲାଗିଲେ ମୁଁ ଘରେ ଶୁଏ । ସ୍କୁଲ୍ ଯାଏନି । ବାପା ମାଆ ବ୍ୟସ୍ତ ହୁଅନ୍ତି । ପାଖରେ ବସି ଆଉଁସି ଦିଅନ୍ତି । କଷ୍ଟ କମିଯାଏ’ । ଶିଉଳି  ଭିତରେ ଶିଶୁଶୁଲଭ ବ୍ୟସ୍ତତା  ଜାଗି ଉଠିଥିଲା  । କହୁ କହୁ ଆଉଁସି ପକେଇଥିଲା ସାଙ୍ଗକୁ ତା’ର ।
– ‘ଧେତ୍, ମୁଁ ଖେଳ ନକଲେ ଆମେ କାଲି ଖାଇବୁ କଣ’? ବାଉଁଶରାଣୀ ନିଜକୁ ସମର୍ଥ ଦେଖେଇବାକୁ ପୁଣି ବହେ ହସିଲା ।  ‘ବାଆ ପରା କହେ ନିତି ଖେଳ ଦେଖେଇଲେ ଆମ ପେଟ ପୂରିବ । ପଇସା ମିଳିଲେ ଚାଉଳ କିଣିବ ବାଆ । ଅନେକ ସମୟରେ  ମୁହଁ ଶୁଖାଇ ବାଆ ଏମିତି କହୁଥିବାର ଶୁଣିଛି ମୁଁ । ତୁ ଆସିବୁ ନା’?
– ‘ ହଁ, ଆସିବି ନିଶ୍ଚେ ମୁଁ ‘। ଜୋର୍ ଦେଇ କହିଲା ଶିଉଳି । ଗତ ଦୁଇ ଦିନର କଥାବାର୍ତ୍ତା ଭିତରେ ସାନ ପିଲାଟିଏ ହେଲେ ମଧ୍ୟ ତାକୁ ରାଣୀ ଆଖିରେ ଦେଖା ଗଲାଣି ଯାଯାବରର ଜୀବନର ଅନିଶ୍ଚିତ ଝଲକ କିଛି କିଛି । ଶିଉଳି କହିସାରି ଦୌଡ଼ିବା ଆରମ୍ଭ କଲା । ‘ମାଆକୁ କହିକି ଆସୁଛି ..’  – ତା ସ୍ଵର ମିଳେଇ ଯାଉଥିଲା ପବନରେ ।

ଘରେ ମାଆକୁ କହି ଶିଉଳି ପୁଣି ଆସିବ ସେଇ ଜାଗାକୁ । ସେଇଠି ଆଉଟିକେ ପରେ ଆରମ୍ଭ ହେବ ତା’ର ଖେଳ । ଆଜି ସେ ତା’କୁ କଥା ଦେଇଛି ତା’ ଖେଳ ଦେଖିବାକୁ ନିଶ୍ଚୟ ଆସିବ । ଏଗାର ଫୁଟ୍ ଉପରେ ବନ୍ଧା ହୋଇଥିବ ଦଉଡ଼ି । ଲମ୍ବା ଗୋଟେ ଦଉଡ଼ି । ଏ ମୁଣ୍ଡରୁ ସେମୁଣ୍ଡ । ଦୁଇଟି ବଡ ବାଉଁଶ ଖୁଣ୍ଟିରେ । ଆଉ ତା ଉପରେ ଚାଲିବ ବାଉଁଶ ରାଣୀ । ତା’ ବାଆ ବଜାଇବ  ବାଜା । ସେଇ ବାଜାର ଶଦ୍ଦ ତା’ ଭିତରେ ସାହସ ଭରି ଦେବ । ଦଉଡ଼ି ଉପରେ ଶକ୍ତ କରିବ ତା’ର ଚଳ ଚଞ୍ଚଳ ପାଦ ଦୁଇଟିକୁ । ମାଆ ଗୀତ ବୋଲିବ । ମନ ଭିତରର ବିଶ୍ଵାସର ସୂକ୍ଷ୍ମ ସୂତାଟିକୁ ମୁଠେଇ ଧରିବ ସେ ଗୀତର ଲହର । ଭରସା ଆସିବ ନିଜ ଉପରେ । ସେଇ ଭରସାରେ ଚାଲିଯିବ ଦଉଡିର ଏ ମୁଣ୍ଡରୁ ସେମୁଣ୍ଡ ସେଇ ଛୋଟ ଝିଅଟି । ତା’ଠାରୁ ଛୋଟ ହେବ ନିଶ୍ଚୟ ସେ । ଶିଉଳି ଝିଅଟିର ଉଚ୍ଚତା ମାପି ହେଲା ମନ ଭିତରେ ଓ କହି ହେଲା ନିଜକୁ ନିଜେ ।

ଏଇ ସ୍କୁଲ ଯିବା ରାସ୍ତାଟି ବେଶ୍ ଲମ୍ବା । ସାଙ୍ଗମାନଙ୍କ ସହ ଚାଲିଚାଲି ଗଲେ ଜଣା ପଡେନି । ଏକାଥିଲେ ଖୁବ୍ ଲମ୍ବା ମନେହୁଏ ସେ ରାସ୍ତା । ସେ ସ୍କୁଲ୍ ଆସିବାର ତିନିଚାରି ବର୍ଷ ହୋଇଗଲାଣି । ସାନ ଭଉଣୀ ଶେଫାଳୀ ଆସନ୍ତା ବର୍ଷରୁ ଆସିବ ତା’ସହ । ସେମାନେ ସାଙ୍ଗ ହୋଇ ଯିବା ଆସିବା କରିବେ । ବାଟ ଜଣାପଡ଼ିବନି ।

ଭାରି ଭୋକ ଲାଗୁଥିଲା । ମାଆ ପୁରି ଛାଣୁଥିଲା । ମାମୁ ଆସିଛନ୍ତି । ମାମୁ ଆସିଲେ ମାଆ ପୁରି ଆଳୁ ତରକାରୀ ତିଆରି କରେ। ମାମୁଙ୍କର ଭାରି ପ୍ରିୟ । ମାଆ ଏବେ ମାମୁଙ୍କ ସହ ଗପୁଥିବ । ଶିଉଳି ଆଜିହିଁ ଭାବୁଥିଲା ମାମୁଙ୍କ କଥା । ବାଉଁଶ ରାଣୀକୁ ନିଜ ନାଁ କହିଲା ବେଳେ ମାମୁ ମନେପଡ଼ିଯାଇଥିଲେ ତାର । ତା’ର ଏ ଶିଉଳି ନାଁ ମାମୁ ହିଁ ରଖିଥିଲେ । ସାଙ୍ଗ କେତେଜଣ ଚିଡାନ୍ତି ତା’କୁ ତା ନାଁ କୁ ନେଇ । ଆଜିକାଲି କିଏ ନାଁ ପଚାରିଲେ ସେ ସୁଲୀ କହେ ।
– ‘ମାମୁ , ମୋ ନାଁ ଶିଉଳି କାହିଁକି ରଖିଲ’? – ମାମୁଙ୍କ ବେକରେ ଝୁଲିପଡ଼ି ଗେହ୍ଲେଇ ହୋଇ ପଚାରିଲା ଶିଉଳି ।
– ‘ମୋ ଟିକି ମାଆ ଆସିଗଲୁଣି ସ୍କୁଲ୍ ରୁ’ – କହୁ କହୁ ମାମୁ କୋଳେଇ ନେଲେ ତାକୁ ।
– ‘ନାଇଁ, ତୁମେ କୁହ ଆଗ ମୋ ନାଁ ଶିଉଳି କାହିଁକି’ ? ଶିଉଳି ଖସି ଆସିଲା ମାମୁଙ୍କ କୋଳରୁ ଆଉ ପୁଣି ଝୁଲି ପଡ଼ିଲା ତାଙ୍କ ପିଠି ଉପରେ ।
– ‘ହେଇ ଦେଖ, ଶିଉଳି ପରି ତୁ । ଖସିଯାଉଛୁ ଏଠୁ ସେଠିକି – ସେଠୁ ଏଠିକି । କହୁ କହୁ ହସିଲେ ମାମୁ । ଶିଉଳିରେ ପାଦ ଖସିଥିଲା ତୋ’ ମାଆର । ଆଉ ସମୟପୂର୍ବରୁ ଜନ୍ମ ହୋଇଯାଇଥିଲୁ ତୁ । ସେଥିପାଇଁ ତୋ ନାଁ ରଖିଥିଲି ଶିଉଳି । ତୋ ନାଁ ଶିଉଳି ଆଉ ତୋ ଭଉଣୀ ଗଙ୍ଗ ଶିଉଳି ମାନେ ଶେଫାଳୀ’ । ଶିଉଳି ଏଥର ଖସିଗଲା ମାଆ ପାଖକୁ ।
– ‘ମାଆ ସତରେ କଣ ଆଜି ଖେଳ ନଦେଖେଇଲେ କାଲି ସେମାନଙ୍କୁ ଖାଇବାକୁ ମିଳିବନି’?
– ‘କାହାକୁ’? – ଦଶ ବର୍ଷ ବୟସର ସାନ ଝିଅଟିର ପାଟିରୁ ଏ ଅସ୍ଵାଭାବିକ ପ୍ରଶ୍ନରେ ଟିକେ ବିଚଳିତ ହୋଇ ପଡିଥିଲା ମାଆ ।  ଅସ୍ଵସ୍ତି ଭାବଟେ ସ୍ପଷ୍ଟ ପଢିହେଇ ଯାଉଥିଲା ତା’ ମୁହଁରେ ।
– ‘ବାଉଁଶ ରାଣୀ କହୁଥିଲା ଆଜି’ ।
– ‘ମାଆ! ତାଙ୍କ ପାଖରେ କଣ କିଛି ବି ପଇସା ନାହିଁ ‘?

ମାମୁ ଉଠି ଆସିଥିଲେ ବସିବା ଜାଗାରୁ । ମାଆ କିଛି କହିବା ଆଗରୁ ମାମୁ ଆଉଁସି ଦେଲେ ଶିଉଳିର ମୁଣ୍ଡ । କହିଲେ,’ହଁ ରେ ମାଆ । ଯାଯାବର ଜୀବନ ତାଙ୍କର । ବୁଲିବୁଲି ଖେଳ ଦେଖେଇବେ । ଯାହା ମିଳିବ ସେଇଥିରେ ଖାଇବା ଗଣ୍ଡକ ଯୋଗାଡ ହେବ । ତୁ ଖାଇଦେଇକି ଯା ମାଆ । ତୋ ସାଙ୍ଗ ଖେଳ ଦେଖେଇବ ପରା । ନେ ଏ ଟଙ୍କା ପାଞ୍ଚଟା ।  ଆଉ ଡେରି କରନା । ଖେଳ ସରିଯିବ ନହେଲେ’।

ଶିଉଳି ବୁଝିଗଲା । ବୁଝିଗଲା ରାଣୀ ପରି ଝିଅ ମାନେ ଏତେ ଛୋଟ ଦିନରୁ  ଭୋକ କଣ ଜାଣନ୍ତି । ଯାହା ସେ ଅନୁଭବ କରିନି ଏଯାଏଁ । ମାମୁଁଙ୍କ ହାତରୁ ପାଞ୍ଚ ଟଙ୍କା ନେଇ ଧରିଲା । ଏ ଟଙ୍କା ସେ ରାଣୀକୁ ଦେବ । ତା’ ବାପା ସେଥିରେ ଭୋକ ମେଣ୍ଟେଇବ ରାଣୀର । ପ୍ରଥମ ଥର ପାଇଁ ଭୋକର ସଂଜ୍ଞାଟିକୁ ବୁଝିପାରିବାର କଷ୍ଟ ପରୋକ୍ଷ ଭାବରେ ଅନୁଭବ କଲା ଶିଉଳି ।

ଶେଫାଳୀକୁ ସାଙ୍ଗରେ ନେଇ ସେ ଯିବ ବାଉଁଶ ରାଣୀ ଖେଳ ଦେଖିବାକୁ । କୋଉଠି ହେଉଛି ଖେଳ ? ମାଆ ପଚାରିଲା ।
– ‘ସେଇଠି । ସେମାନେ ରହୁଥିବା ତମ୍ବୁ ପାଖରେ । ଆମେ ଯିବୁ ମାଆ’? ମାଆ ପାଖରେ ଗେହ୍ଲେଇ ହୋଇ ପୁଣିଥରେ ପଚାରିଲା ଶିଉଳି ।
– ‘ହଉ ଯା, ସାନକୁ ନେ ସାଙ୍ଗରେ । ଜଲଦି ଚାଲି ଆସିବୁ’ ।  
ମାଆ ଠାରୁ ଅନୁମତି ନେଇ ଚଟାପଟ୍ ଖାଇନେଇ ବାହାରିଗଲେ ଦି’ ଭଉଣୀ । ବାଟଯାକ ଶେଫାଳୀକୁ ସାଙ୍ଗରେ ନେଇ ବାଉଁଶ ରାଣୀ ଖେଳ ଦେଖିବାକୁ ଯିବାର ଉତ୍କଣ୍ଠାରେ କଣ ସବୁ ୟାଡୁ ସ୍ୟାଡୁ ଗପୁଥିଲା ଶିଉଳି । ପ୍ରଥମ ଥର ପାଇଁ ବାଉଁଶ ରାଣୀ ଖେଳ ଦେଖିବେ ଦୁହେଁ ।

ଡମ ଡମ ଡମ ବାଜା ଶୁଣା ଯାଉଛି । ଖେଳ ଆରମ୍ଭ ହୋଇଗଲାଣି ନା କଣ? ଦି ଭଉଣୀ ଦୌଡିଲା ପରି ଚାଲିଲେ । ଲୋକ ଭିଡ଼ ଜମିଗଲାଣି । ଏତେ ପାଖରେ ହେଉଛି ଖେଳ ? ରାଣୀ ତ କହିଥିଲା ସ୍କୁଲ୍ ପାଖରେ ଖେଳହେବ । ଶେଫାଳୀ ଦୌଡ଼ିବାରେ ଲାଗିଛି । ଶିଉଳି ବି ଦୌଡ଼ିଗଲା ତା ପଛରେ । ଏତେ ଭିଡ଼ ! କାଇଁ, ବାଉଁଶ ଉପରେ ଦଉଡ଼ି ଦେଖାଯାଉନି ତ ! ଦେଖା ଯାଉନି ବାଉଁଶ ରାଣୀ ।

ସେମାନେ ଭିଡ଼ ପାଖରେ ପହଞ୍ଚି ଯାଇଥିଲେ । ଲୋକ ଭିଡ଼ ଭିତରେ ଗଳି ପଶି ଆଗକୁ ଠେଲି ହୋଇ ପହଞ୍ଚି ଯାଇଥିଲେ ଖେଳ ପାଖରେ । ଆରେ, କୁନି ମାଙ୍କଡଟିଏ  କାଖରେ  ଲୋଟା କାଖେଇ ପାଣି ଆଣିବାର ଅଭିନୟ କରୁଥିଲା । ଓଢଣିକୁ ମୁଣ୍ଡରେ ଗୁଡେ଼ଇ ଦେଇ ଲଜ୍ୟାନତ ବଧୂଟିଏର ଅଙ୍ଗଭଙ୍ଗି କରୁଥିଲା ସେ । ମୁଣ୍ଡରୁ ଖସି ଆସୁଥିବା ଓଢ଼ଣିଟିକୁ ସଜାଡୁ ସଜାଡୁ ଫ୍ରକ୍ ଟେକି ହୋଇ ଯାଉଥିଲା ତା’ର । ଲୋଟା କିନ୍ତୁ ସମ୍ଭାଳି ରଖିଛି ସେ କାଖରେ । ହସି ହସି ଲୋଟିପଡୁଥିଲେ ଲୋକେ । ତାଳି ମାଡ଼ରେ ଦୁଲୁକୁ ଥିଲା ସେ ଅଞ୍ଚଳ । ପତଳା ଛାଟଟିରେ ଟିକେ ଶାସନ କରୁଥିଲା ମାଲିକ । ମାଙ୍କଡଟି ଦିଶୁଥିଲା ଟିକିଏ ଦୂର୍ବଳିଆ, ହାଡ଼ୁଆ  ।  ହସି ହସି ଗଡୁଥିଲା ଶେଫାଳୀ ।

କାହିଁକି କେଜାଣି ଶିଉଳି ଅନ୍ୟମନସ୍କ ହୋଇପଡୁଥିଲା । କୁନି ମାଙ୍କଡଟି ତା’ର ଅଭିନୟ ଦେଖେଇବାରେ ବ୍ୟସ୍ତ ଥିଲା । ମାଲିକ ଆଡ଼େ ଚାହିଁ ରହିଥିଲା କେମିତି ଗୋଟେ ନିରୀହ ଚାହାଣିରେ । ସେଇ ଆଖି ଦୁଇଟିରେ ଶିଉଳି ଦେଖିପାରୁଥିଲା ଟିକକ ପୂର୍ବରୁ ରାଣୀ ଆଖିରେ ଦେଖିଆସିଥିବା ସେଇ ଅବୁଝା ଦୃଷ୍ଟି । କୁନି ମାଙ୍କଡଟିର ଦେହ ଭଲ ଅଛି ତ? ‘ମୁଁ ଖେଳ ନଦେଖେଇଲେ ଆମେ କାଲି କଣ ଖାଇବୁ’? ବାଉଁଶରାଣୀ କହିଥିବା ସେ କଥାଟି ପ୍ରତିଫଳିତ ହେଉଥିଲା କୁନି ମାଙ୍କଡଟିର ଆଖିରେ । ଶେଫାଳୀର ହାତ ଧରି ଟାଣି ଟାଣି ବହାରିଆସିଥିଲା ସେ ଗହଳି ଭିତରୁ ।
– ‘ଚାଲ୍, ବାଉଁଶରାଣୀ ଖେଳ ସରିଯିବ । ଦେଖିବୁନି କି’? – ଶେଫାଳୀ ଟିକିଏ ଅସନ୍ତୁଷ୍ଟ ଦିଶୁଥିଲା । ଶିଉଳି ହାତରୁ ଛଡେଇ ନେବାକୁ ଚେଷ୍ଟା କରୁଥିଲା ତା’ ହାତ । ଲୋଭ ଦେଖାଇଲା ଶିଉଳି । – ‘ବାଉଁଶରାଣୀ ମୋ ସାଙ୍ଗ । ସେ ତୋର ବି ସାଙ୍ଗ ହେବ’ ।

– ‘ମୋର ସାଙ୍ଗ ହେବ’? – ଶେଫାଳୀ ଉତ୍ସାହିତ ହେଲା ଆଉ ଶିଉଳି ସହ ଦୌଡ଼ିବାକୁ ଆରମ୍ଭ କଲା ।

ଏଗାର ଫୁଟ୍ ଉଚ୍ଚରେ ବାଉଁଶ ରାଣୀ ତାର ଖେଳ ଦେଖାଉଥିଲା । କେତେଟା ଖେଳ ସରିଗଲାଣି । ଏଇଟା ଶେଷ ଖେଳ – କିଏ ଜଣେ କହିଲା । ଦଉଡ଼ି ଦଉଡ଼ି ଆସିଥିବାରୁ ଶେଫାଳୀ ଧକଉଥିଲା । ଶିଉଳି ବି ଧଇଁ ସଇଁ ହେଉଥିଲା । ତେବେ ବି ଏକଲୟରେ ସେ ଚାହିଁ ରହିଥିଲା ବାଉଁଶ ରାଣୀକୁ । ଏତେ ଉପରୁ କଣ ତା’କୁ ଦେଖିପାରୁଥିବ ସେ ? ଭୂଇଁରେ ଠିଆ ହୋଇ ହାତ ହଲାଇ ତାକତ୍ ଯୋଗାଇଦେବ ବାଉଁଶରାଣୀକୁ । କଥା ଦେଇଛି ତାକୁ । ବେକ ବଙ୍କା କରି ନିଜ ମୁହଁକୁ ଉପରକୁ ଦେଖାଇବା ଚେଷ୍ଟାରେ ଥିଲା ସେ । ଢାଉଁ ଢାଉଁ ହୋଇ ବାଜା ବଜାଉଥିଲା ବାଉଁଶରାଣୀର ବାପା । ଛିଣ୍ଡା ଗେଞ୍ଜି ବାଟେ ହାଡ଼ୁଆ ଛାତିଟା ଜଳ ଜଳ ଦିଶୁଥିଲା । ସ୍ତ୍ରୀ ଲୋକଟେ କାନି ଦେଖେଇ ପଇସା ସଂଗ୍ରହ କରୁଥିଲା । ରାଣୀର ମାଆହୋଇଥିବ ସେ । ତା’ ଛାତିରେ ଝୁଲି ଥିଲା ବକଟେ ପିଲା । ଏଇଟା କିଏ? ରାଣୀର ଭାଇ?

କାହିଁ କେତେ ଉପରେ ପାଦର ଆଙ୍ଗୁଠି ସନ୍ଧିରେ ଦଉଡ଼ିକୁ ଗୁନ୍ଥି ଗୁନ୍ଥି  ଦୁଇ ହାତକୁ ଦୁଇ ପଟକୁ ମେଲେଇ  ଧରି ହଲି ହଲି ଚାଲୁଛି ବାଉଁଶ ରାଣୀ । ହାତରେ ଧରିଛି ଲମ୍ବା ବାଡ଼ିଟେ ।  ଆଜିର ଖେଳ ଦେଖେଇଲେ ପୁରା ପରିବାରକୁ କାଲି ପାଇଁ ଖାଦ୍ୟ ମିଳିବ । ଶିଉଳିକୁ ବାଉଁଶରାଣୀ କୁନି ମାଙ୍କଡ ଛୁଆଟି ପରି ଦିଶୁଥିଲା । ତା’କୁ ଲାଗୁଥିଲା  ଦଉଡ଼ିଉପରେ ଝୁଲି ଝୁଲି ଚାଲୁଥିଲା ସେଇ ମାଙ୍କଡ ଛୁଆଟି ଆଉ ତାର ଅବୁଝା ସ୍ଵରରେ କହୁଥିଲା, – ‘ଆଜି ଖେଳ ନ ଦେଖେଇଲେ କାଲି ଆମେ  ଖାଇବୁ କଣ’?

**** 

4 thoughts on “ବାଉଁଶ ରାଣୀ

  1. Manoj

    ସୁନ୍ଦର ଗପ। ପେଟ ପାଇଁ ସବୁକିଛି । ଦୁଇ ଟି ଯାକ ଖେଳ ଏବେ ବନ୍ଦ। ମଣିଷ ଓ ପଶୁ କୁ ନେଇ ତୁମର ତୁଳନାତ୍ମକ ଲେଖା ହୃଦୟସ୍ପର୍ଶି।
    As always

    Like

Leave a Reply to Manoj Cancel reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s