ରଫୁ

ରୋଷେଇ ଘର ଈଶାନ କୋଣରେ କଣ୍ଟାରେ ରଜନୀ ଝୁଲେଇ ଦେଲା ନୂଆବର୍ଷର କ୍ୟାଲେଣ୍ଡରଟି । ଆର ଘରୁ ଶାଶୂଙ୍କ କାଶ ଶୁଣାଯାଉଛି । କାଶ ପୁଣି ବଢ଼ିଗଲାଣି । ଏଥର ବଡ ଡାକ୍ତରଙ୍କୁ ଦେଖେଇବାକୁ ପଡ଼ିବ । ଆଉ ଟାଳି ହେବନି । ଆଗରୁ ସେକଥା ଅନେକ ଥର ଭାବିଛି ସେ । ବଡ ଡାକ୍ତର ଦେଖେଇ ଔଷଧ ଆଣିପାରୁନି ବୋଲି ଅପରାଧ ବୋଧରେ ଭାରି ହୋଇଯାଇଛି ହୃଦୟ, ପୁଣି ବୁଝେଇଦେଇଛି ନିଜକୁ ନିଜେ ବୋଧ ଦେଇ । ଯାହା ସେ କରିପାରିବନି ସେନେଇ ଅଯଥା ଯନ୍ତ୍ରଣା ବୋହି ଲାଭ ବା କଣ ? ବଡ ଡାକ୍ତର, ବେଶୀ ପଇସା । ଅଭାବୀ ସଂସାରରେ କେବଳ ସ୍ନେହ, ମମତା ବାଣ୍ଟି ହୁଏ । ସମ୍ବେଦନାରେ ବତୁରି ଯାଏ ହୃଦୟ, କିନ୍ତୁ ପଇସା ଦେଇ କିଣି ହୁଏନା କଷ୍ଟ ଲାଘବର ମହୌଷଧି ।

ବର୍ଷଟିଏ ବିତିଗଲା । ଆଖି ଆଗରେ ମେଲେଇ ହୋଇ ପଡ଼ିଲା ଆଉ ଏକ ଲମ୍ବା ଅଦେଖା ଭବିଷ୍ୟତର ଅଲେଖା ପାଣ୍ଡୁଲିପି । ସେଇଥିରେ ସେ ଲେଖିବ ତା’ର କାହାଣୀ ଯାହା ପୁଣି ବର୍ଷଟିଏ ପରେ ଅତୀତ ହେବ, ସ୍ମୃତି ହୋଇ ଠିଆ ହେବ ତା’ର ଇଚ୍ଛା ଅନିଚ୍ଛାକୁ ଖାତିର ନ କରି । ରଜନୀ ଅଣ୍ଟାରେ ଲୁଗା ଗୁଡେ଼ଇ ଘର କାମରେ ଲାଗିପଡିଲା । କଣ୍ଟାରେ ଝୁଲୁଥିଲା ନୂଆବର୍ଷର କ୍ୟାଲେଣ୍ଡର । କଣ୍ଟାଟି ହୁଗୁଳା ହୋଇଗଲାଣି । କେତେବଳେ ଖସି ପଡ଼ିବ । ପୁରୁଣାଟିକୁ କଣ୍ଟାରୁ କାଢି ରଖିଦେଇଛି ସେ । ସେଇଟିକୁ ଫିଙ୍ଗି ଦେଇ ହେବନି ଏବେ । ତା’ ପରି ଅଭାବୀ ନାରୀଟିଏର ପୁରୁଣା ସାତ ସିଆଁ ଲୁଗାଟିଏ ସାଇତି ରଖିବା ଯେତିକି ଜରୁରୀ, ସେତିକି ଜରୁରୀ ପୁରୁଣା ବର୍ଷର ହିସାବ ଫର୍ଦ୍ଦକୁ ରଫୁ କରି ନୂଆ ବର୍ଷକୁ ସେଥିରେ ଗୁନ୍ଥି ଆଗକୁ ବଢିବା ।

ଆଠ ବର୍ଷ ହୋଇଗଲାଣି ଏ ଭିତରେ । କାଲି ପରି ଲାଗୁଛି । କାହିଁ କେତେ ବର୍ଷ ହେଲା ଚଲାଉଥିବା ଟ୍ୟାକ୍ସିଟିର କୁଶଳୀ ଡ୍ରାଇଭର ବୋଲି ସବୁବେଳେ ବାହା ଫୁଲାଉଥିବା ନିରାକାର ଯେ ଦିନେ ଏତେବଡ ଦୁର୍ଘଟଣା କରିବସିବ ସେକଥା କିଏ ବା ଜାଣିଥିଲା ? ଭୟଙ୍କର ରାସ୍ତା ଦୁର୍ଘଟଣାରେ ପଙ୍ଗୁ ହୋଇଗଲା ନିରାକାର । ସେଇଦିନ ଯାଏଁ ସଂସାରରେ ସହଜ ଭାବରେ ଚଳିଆସିଥିବା ରଜନୀର ଅପରିପକ୍ଵ ହୃଦୟକୁ ଚହଲେଇ ଦେବାକୁ ଆରମ୍ଭ କଲା ତା ପରର ଘଟଣା ଗୋଟିକ ପରେ ଗୋଟିଏ । ଦୁଃଖଦ ଆଉ ଅପ୍ରତ୍ୟାଶିତ ଅନୁଭୂତି ସେସବୁ। ସମ୍ପର୍କର ପଣତ କାନିରେ ସୃଷ୍ଟି ହେବାକୁ ଲାଗିଲା ଟିକି ଟିକି ଛିଦ୍ର ଯାହାକୁ ରଫୁ କରି ଆଗକୁ ବଢିବା ବୋଧେ ଥିଲା ବିଧିର ବିଧାନ । ରଜନୀ ଧୈର୍ଯ୍ୟ ହରେଇ ବସୁଥିଲା ଅନେକ ସମୟରେ । ଦୋହଲି ଯାଉଥିଲା ଗୋଟିପଣେ । ପୁଣି ନିଜକୁ ଦୃଢ଼ କରୁଥିଲା ଓ ଜୀବନ ଯୁଦ୍ଧରେ ଆଗକୁ ଚାଲିବାର ରଣନୀତି ପ୍ରସ୍ତୁତ କରୁଥିଲା ।

ଦିଅର ସାଙ୍ଗରେ ଭେଟ ହେଲା କୋର୍ଟ ର ମୁଖ୍ୟ ଫାଟକ ପାଖରେ । ସୁସ୍ଥ ଥିଲାବେଳେ ଶାଶୂଙ୍କୁ ସାଙ୍ଗରେ ନେଇ ବେଳେବେଳେ କୋର୍ଟ କୁ ଯାଏ ନିରାକାର । ରଜନୀ ପଚାରିଲେ କହେ ଜମିଜମା କାମ । ରଜନୀ ବି ମୁଣ୍ଡ ପୁରାଏନା ସେଥିରେ । ରଜନୀ ଦେଖେ ସେଦିନ ଶାଶୂ ଟିକେ ଉତ୍ସାହିତ ଥାଆନ୍ତି କୋର୍ଟ କୁ ଯିବା ସମୟରେ । ଫେରିବା ବେଳେ କିନ୍ତୁ ଖୁବ୍ ହାଲିଆ ଦିଶୁଥା’ନ୍ତି ।    

ସେଦିନ କୋର୍ଟ ର କାଗଜ ଖଣ୍ଡକୁ ପଙ୍ଗୁ ସ୍ବାମୀଙ୍କୁ ଦେଖେଇ ରଜନୀ ପଚାରିଲା, ‘କଣ ସେ ଜମିଜମା କାମ? ମତେ କରିବାକୁ ହେବ? ମୁଁ କଣ ପାରିବି?’ ଦୀର୍ଘଶ୍ୱାସ ନେଇ ନିରାକାର କହିଥିଲା, ତତେ ତ ସବୁ ସମ୍ଭାଳି ବାକୁ ହେବ ଏଥର । ମାଆ ନାଁରେ କେସ୍ କରିଛି ସାନ ବର୍ଷକ ତଳେ। ତା’କୁ ଜମିତକ ଦେଇଦେବାକୁ ଅଡି ବସିଛି ସେ । ବାଡି ଗୋବରେ ତ ଗୋବେ ଜମି । ସେଇଟା ବି ଚାଷ କରୁଛି ସେ । ଖାଉଛି ସେ। ମାଆକୁ କହିଲି ଜମି ତା’ ନାଁ ରେ କରିଦେବା । ମାଆ ବି ନଛୋଡବନ୍ଧା । ତା ନାଁ ରେ କାହିଁକି? ସେ କଣ ଖାଲି ମୋ ପୁଅ, ତୁ ନୁହେଁ ? ବର୍ଷକ ଭିତରେ ଯେତେଥର କୋର୍ଟ ଯାଇଚି, ଦେଖିଛୁ ମାଆ କୁ? କେମିତି ଖୁସି ହୋଇ ବାହାରେ ସେ । ଆଉ ସେ କୋର୍ଟ ରେ ସାନ ଥରେ ବି ଭଲରେ କଥା ହୁଏନି ମାଆ ସହ। ମାଆ ତାକୁ ଚାହିଁ ରହିଥିବ ଆଖିରେ ପଲକ ନପକେଇ । ଖୁବ୍ ରାଗ ହୁଏ ମାଆ ଉପରେ । କହି ପାରେନି କିଛି । କେସ୍ ର  ଫଇସଲା ହେବା ପୂର୍ବରୁ ମୋର ଏ ଅବସ୍ଥା ହେଲା । ତୁ ଏଥର ମାଆକୁ ନେଇ ଯିବୁ କୋର୍ଟ କୁ । ଆଉ ବେଶୀ ଥର ଯିବାକୁ ହେବନି । ଏଥର ଶୁଣାଣି ହୋଇଯିବ’ । ଟିକିଏ ଫୁସୁଲେଇଲା ପରି ସେଦିନ ନରମ ସ୍ୱର ରେ କହିଲା ନିରାକାର ।      

କୋର୍ଟ କୁ ଗଲାଦିନ  ସବୁଥର ପରି ଖୁବ୍ ଆଗ୍ରହରେ ବାହାରିଥିଲେ ଶାଶୂ । ତରବରରେ ଅଧାଅଧି ଘର କାମ ସାରି ନିରାକାରକୁ ଖୁଆଇ ଦେଇ ଶାଶୂଙ୍କୁ ସାଙ୍ଗରେ ନେଇ କୋର୍ଟ କୁ ଯାଇଥିଲା ରଜନୀ । ବାଟ ଯାକ ପ୍ରଗଳଭାଙ୍କ ପରି ଗପୁଥିଲେ ଶାଶୂ । ଦିଅରଙ୍କ ପିଲାଦିନ କଥାସବୁ କହିଚାଲିଥିଲେ ସେ। ବାରମ୍ଵାର ସେସବୁ କଥା ଶୁଣିଥିଲେ ମଧ୍ୟ ଆଦୌ ଆପତ୍ତି ନକରି ସବୁ ଚୁପ୍ ଚାପ୍ ଶୁଣୁଥିଲା ରଜନୀ । ବେଶ୍ କିଛି ସମୟ ତାଙ୍କ କଥା ଶୁଣିବା ପରେ ସାମାନ୍ୟ ଅଧୈର୍ଯ୍ୟ ହୋଇ କହିଲା ‘ମାଆ, ସାନ ପୁଅ ଘରକୁ କାହିଁକି ଆସନ୍ତିନି ? ମୁଁ ତ ଆକଟ କରିନି କେବେ । ତୁମେ ଏମିତି ଖୁସି ହୋଇ ଯାଉଛ କୋର୍ଟ ଆସିବା ବେଳେ?’ – ନିଜ ମନର ଦ୍ଵନ୍ଦ୍ଵକୁ ଲୁଚେଇ ନପାରି ପଚାରିଦେଇଥିଲା ସେ । ହଠାତ୍ କେଉଁଠୁ କେଜାଣି କଳା ବାଦଲ ଖଣ୍ଡେ ଯେମିତି ଖସି ଆସି ଢାଙ୍କି ପକେଇଲା ଶାଶୁଙ୍କର ହସ ଖୁସିଆ ମୁହଁଟିକୁ । ଟିକେ ନରମ ଗଳାରେ କହିଲେ, ‘ବାଇଆଟା, ମାଇପ ବୁଦ୍ଧିରେ ପଡ଼ି ଏମିତି ସବୁ ଲୋକହସା କାମ କରୁଛି । କେଡ଼େ ଦୂର୍ବଳିଆ ଦିଶୁଥିଲା ଗଲାଥର । ଦେହପା’ ଜଗି ଚଳୁଛି କି ନା କେଜାଣି ? ଦେଖିବି ତ ତାକୁ ଆଖି ପୁରେଇ ଥରେ ଏଇ କୋର୍ଟ ଦିନ ଗୁଡ଼ାକରେ । ନହେଲେ ଆଉ କଣ ତାକୁ ଦେଖିପାରିବି କୋଉଠି?’ – ଦି ବୁନ୍ଦା ଲୁହ ଖସି ଆସିଥିଲା ତାଙ୍କ ଭରା ଆଖିରୁ । ରଜନୀ ସେଇଦିନ ସମ୍ପର୍କର ପଣତ କାନିକୁ ମରାମତି କରିବାର ସୂକ୍ଷ୍ମ କଳାଟିକୁ ଅକ୍ତିଆର କରିନେଲା ନିଜ ଅଜାଣତରେ ।

ଦିଅରକୁ ଫାଟକ ପାଖରେ ଦେଖିଦେବାପରେ ଶାଶୂ କନ୍ଦା କଟା ଆରମ୍ଭ କରିଦେଲେ । ଖୁବ୍ ଶାନ୍ତ ଭାବରେ ଦିଅରକୁ ସମ୍ଭାଷଣ କଲା ସେ । ଶାଶୂଙ୍କୁ ବୁଝେଇ ଭିତରକୁ ଗଲା । ସେଇଦିନ ତାର ପରାମର୍ଶ ରେ ଶାଶୂ ଜମି ଘରଡିହ ସବୁକିଛି ଲେଖିଦେଇଥିଲେ ଦିଅର ନା ରେ । ଘରକୁ ଫେରିଆସିଲା ପରେ ଅନେକ ସମୟ ଯାଏଁ କାନ୍ଦିଥିଲେ ଶାଶୂ । ତାଙ୍କୁ କାନ୍ଦିବାକୁ ଛାଡ଼ି ଦେଇଥିଲା ରଜନୀ । ‘ସାନପୁଅକୁ କେବେ ଆଉ ପୁଣି ଦେଖିବି?’ – କହି ରଜନୀ ଆଗରେ ଫୁଲି ଫୁଲି କାନ୍ଦି ଥିଲେ ସେ ଆଉ ଚୁପ୍ ଚାପ୍ ତାଙ୍କୁ ବୋଧ ଦେଇଥିଲା ରଜନୀ । ଦିଅରର ନିଷ୍ଠୁରତା କହି କହି କଷ୍ଟ ଦେଇନଥିଲା ଶାଶୂଙ୍କୁ । ତା’ ପରଠାରୁ ସମ୍ପର୍କ କୁ ମଜବୁତ୍ କରି ଧରିରଖିବାକୁ ସର୍ବଦା ଚେଷ୍ଟା କରିଆସିଛି ସେ ।

କହନ୍ତି ସୁଖର ସାଥି ସମସ୍ତେ । ଦୁଃଖ ଏକା ଭୋଗିବାକୁ ହୁଏ । କେହି ଆସେନା ଦୁଃଖ ବାଣ୍ଟିନେବାକୁ ।  ରଜନୀ ବୃଦ୍ଧା ଶାଶୂ ଅପଙ୍ଗ ସ୍ୱାମୀ ଓ ବାଳୁତ ପୁଅକୁ ନେଇ ଜୀବନର ଅସରନ୍ତି ପଥରେ କେମିତି ଚାଲିଲା ସେକଥା କେବଳ ସେ ହିଁ ଜାଣେ । ସେଇଠି ବେଳ ଅବେଳରେ କେଉଁଠି କେତେ କାହା ମନ ରଖିବା ପାଇଁ ନିଜ ଅଭିମାନର ଗଳା ଚିପିବାକୁ ପଡ଼ିଛି ତାକୁ । କେବେ କାହା ଆଗରେ ନିଜ ଦୁଃଖ କଷ୍ଟକୁ ନେଇ ସମବେଦନା ଗୋଟେଇନି ରଜନୀ ।

ନୂଆ କ୍ୟାଲେଣ୍ଡରଟିକୁ କାନ୍ଥରେ ଟାଙ୍ଗି ଦେବାପରେ ପୁରୁଣାଟିକୁ ସାଇତି ରଖିବା ଆଗରୁ ଓଲଟେଇ ଓଲଟେଇ ମୁଣ୍ଡୁଳା ବୁଲେଇଥିବା ତାରିଖ ଗୁଡ଼ିକୁ ଥରେ  ଦେଖିନେଲା ସେ । ନିର୍ଦ୍ଦିଷ୍ଟ ତାରିଖ ଗୁଡିକରେ ତାକୁ ସୁଝିବାକୁ ହୁଏ ନିରାକାର କରିଥିବା କିଛି ହାତ ଉଧାରି । କଣ୍ଟି କଣ୍ଟି ପଇସା ସଞ୍ଚେ ସେ ସେଇ ଦିନ ଗୁଡ଼ିକୁ ଆଖିରେ ରଖି । ପୁଣି ଗଲା ପାଞ୍ଚ ବର୍ଷ ହେଲାଣି ଶେଯରେ ପଡିଥିବା ଶାଶୂଙ୍କୁ ନେଇ କିଛି ଛୋଟକାଟର ଖର୍ଚ୍ଚ କାୟା ମେଲେଇନେଲାଣି ଏ ଭିତରେ । ଗତ ଦୁଇବର୍ଷ ହେଲାଣି ନିରାକାର ଚାଲିଗଲା ପରେ ପୁଅଟି ହାତରୁ ଖସି ଖସି ଯାଉଛି । ସବୁ ଜାଣି ମଧ୍ୟ କିଛି କରିନପାରିବାର ଗ୍ଲାନି ମନରେ ବସା ବାନ୍ଧୁଛି ଧିରେ ଧିରେ । ବନ୍ଧୁ ବାନ୍ଧବ ମାନଙ୍କ ସହ ସମ୍ପର୍କକୁ ରଫୁ କରିବାକୁ ଶିଖି ଯାଇଥିବା ରଜନୀ କିନ୍ତୁ ନିଜ ପେଟର ପୁଅ ସହିତ କଣ ସେମିତି ସାଲିସ କରା ସମ୍ପର୍କଟିଏକୁ ଆଦରି ନେଇ ପାରିବ? ନିଜ ପୁଅ କଥା ଭାବି ବସିଲେ ଦିଅର ମନେ ପଡନ୍ତି । ମନେପଡେ ବାସର ଶେଯରେ ନିରାକାର କହିଥିବା କଥାସବୁ।’ ଭାରି ଲାଜକୁଳା ମୋ ସନଭାଇଟି । ବହୁତ୍ ସ୍ନେହୀ । ଦେଖିବ କେତେ ଶୀଘ୍ର ନିଜର କରିନେବ ତୁମକୁ ।’ ସତରେ ଖୁବ୍ ନିଜର ମନେହୋଇଥିଲେ ଦିଅର । ସାଙ୍ଗ ପରି ମିଶିଥିଲେ ।

ଦୁନିଆରେ ସମ୍ପର୍କରବି ଛକି-ଶୂନ ଖେଳ ହୁଏ ଏକଥା ବୁଝିବା ରଜନୀ ପରି ସରଳବିଶ୍ୱାସୀ ମଣିଷଟିଏ ପାଇଁ ଖୁବ୍ କଷ୍ଟଦାୟକ ହୋଇପଡୁଥିଲା ଯେତେବେଳେ ଯାଆର ନିପଟ ଘରଭଙ୍ଗା କଥାରେ ମୁହଁ ଖୋଲି ନଥିଲେ ଦିଅର । ନିରାକାର ରଜନୀ ଓ ମାଆକୁ ନେଇ ସହରକୁ ଚାଲି ଆସିଥିଲା । ଘରର ଶାନ୍ତି ଭଙ୍ଗ ନହେବାର ଏକମାତ୍ର ବିକଳ୍ପ ସେଇଆ ହିଁ ଥିଲା । ଗେହ୍ଲା ପୁଅକୁ ମନେ ପକେଇ ବେଳ ଅବେଳରେ ମୁହଁ ଶୁଖାଉଥିଲେ ଶାଶୂ । ଗାଁ ରୁ ନା ସେମାନେ ଆସୁଥିଲେ ନା ଏମାନଙ୍କୁ ଘରକୁ ଯିବାର ବାଟ ଖୋଲୁଥିଲେ । କେମିତି କେଜାଣି ଅଦୃଶ୍ୟ ପାଚିରୀଟିଏ ଠିଆ ହୋଇଗଲା ମାଆ ପୁଅଙ୍କ ମଝିରେ । ମାଆ ମନ ବୁଝୁନଥିଲା । ସତେ କଣ କାଗଜ କଲମରେ ଲେଖିହେବା ପରି ସମ୍ପର୍କଟିଏ ଅପତ୍ୟ ମମତା । ହୃଦୟ ଖୋଲି କଣ ଦେଖି ହୁଏ ନା ଦେଖେଇ ହୁଏ ଆ’କୁ ।          

ହୁଗୁଳା କଣ୍ଟାଟିକୁ ହାତରେ ଟିକେ ସଳଖି ନେଲା ରଜନୀ । ନୂଆ କ୍ୟାଲେଣ୍ଡରଟିରେ ମୁଣ୍ଡୁଳା ବୁଲେଇନେଲା ତାରିଖ କେତୋଟିରେ । ତା ହାତ ରୋଷେଇରେ ବାବୁଘର ଲୋକେ ଯେତିକି ସନ୍ତୁଷ୍ଟ ସେତିକି ଖୁସି ତା’ କତରାଲଗା ଶାଶୂବୁଢ଼ୀ । ମାସ ଯାକ ସେମାନଙ୍କ ଘରେ ବିଭିନ୍ନ ସୁଆଦିଆ ରୋଷେଇ କଲା ପରେ ମାସ ଶେଷକୁ ଆଣୁଥିବା ଦରମା ଗଣ୍ଡାକ ହାତରେ ଧରିଲେ ସେ ନିଜ ଘରେ ଦୁଇଦିନ ଭଲ ମନ୍ଦ ରାନ୍ଧିବାର ସାହସ କୁଳେଇ ପାରେ, ନହେଲେ କ୍ୟାଲେଣ୍ଡରର ଦାଗଦିଆ ତାରିଖ ସବୁର ହିସାବ ରଖୁ ରଖୁ ରଜନୀ ଶାଗ ପେଜରେ ପେଟ ଭୋକକୁ ଶାନ୍ତ କରିବା ବ୍ୟତୀତ ଆଉ ଆଗକୁ ଭାବି ପାରେନି । ଶାଶୂଙ୍କର କାଶ ବଢିଗଲାଣି ଏ ଭିତରେ । ଶ୍ୱାସ ପେଲିଲେ ଭାରି ଆକ୍ତାମାକ୍ତା ହୋଇ ଯାଆନ୍ତି ସେ । ଭିତରେ ଭିତରେ ଦୁଃଖି ହୁଏ ରଜନୀ । କେତେ ଆଶା କରିଥିଲା ପୁଅଟି ପାରିଗଲେ ତାର ଦୁଃଖ ଯିବ । ପୁଅ ଆଜିକାଲି କେମିତି ଟିକେ ଉଦ୍ଧତ ହୋଇଗଲା ପରି ମନେହେଉଛି ରଜନୀକୁ । ଫିଙ୍ଗା ଫୋପଡ଼ା କଥାବାର୍ତ୍ତା । ରଜନୀ  ଉଦାସ ହୋଇପଡେ କ୍ଷଣିକ ପାଇଁ । ପୁଣି ଅଜାଣତରେ ସଜାଡିବାକୁ ଆରମ୍ଭ କରେ ତା ମନର ସୁପ୍ତ ଆଶାର ଗୋଲାପ ପାଖୁଡା କେତୋଟିକୁ ।

କ୍ୟାଲେଣ୍ଡରଟି ଖସି ପଡ଼ିବ କଣ୍ଟା ହୁଗୁଳି ଗଲେ। ଚିମୁଟାର ପଛ ପଟ ଲୁହା ଡାଙ୍ଗଟିରେ ହାଲକା କରି ପିଟି ପିଟି କଣ୍ଟାଟିକୁ ଟିକେ ମଜବୁତ୍ କରିନେଲା ରଜନୀ ।

****

2 thoughts on “ରଫୁ

  1. Manoj

    Excellent story. Touching. Beautifully described the life of a woman who is struggling daily for existence. That’s the “Rafu” of life.Most appropriate Title. Thank you for uploading the story.

    Like

Leave a Reply to Manoj Cancel reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s