ବେରିଙ୍ଗ ଚିଠି

‘ତୁ ମତେ କଥା କହିଲା ପରି ଚିଠି ଲେଖିବୁ’ ।
‘ମକର ଏମିତି କଣ କହୁଛୁ? କଥା କହିଲା ପରି ମାନେ?’ ମୁହଁରେ ସାମାନ୍ୟ ହସ ଫୁଟେଇ ମକର କହିଲା ‘ମାନେ ହେଇ ଯେମିତି ଏବେ କହୁଛୁ । ଚିଠିରେ ଠିକ୍ ସେମିତି ଲେଖିବୁ । ମନେହେବ ଯେମିତି ତୁ କୁଆଡେ ବି ଯାଇନୁ । ଏଇଠି ବସିଛୁ ମୋ ପାଖରେ ଆଉ ମତେ କହୁଛୁ ତୋ କଥା’ । ମୁଣ୍ଡର ସ୍କାର୍ଫ କୁ ସଜାଡୁ ସଜାଡୁ ମକର ଟିକେ ସିରିଅସ ମନେହେଉଥିଲା । କିଛି କହିବି କହିବି ହୋଇ ମୁଁ ବି ଚୁପ୍ ରହିଯାଇଥିଲି ସେଦିନ ।

ଆଜି ଜୀବନର ଅପରାହ୍ନରେ ତୋ କଥା ଖୁବ୍ ମନେପଡୁଛି ଲୋ ମକର । ମନେଅଛି ତୋର ମୋର ଯେଉଁଦିନ ପ୍ରଥମେ ଦେଖାହେଲା? ସେଦିନ କଥା ମନେପଡ଼ିଲେ ଆଜି ବି ହସ ଲାଗେ ମତେ । ସେଦିନ ମୁଁ ହସୁଥିଲି ଆଉ ତୁ ଖୁବ୍ ରାଗୁଥିଲୁ। ତୁ ରାଗୁଥିଲୁ ଏଇଥିପାଇଁ ଯେ ତୋର ଅବର୍ତ୍ତମାନ ରେ ମତେ ତୋ ଜାଗାରେ ବସିବାକୁ ମିଳିଥିଲା ଆଉ ତତେ ଜାଗା ପରିବର୍ତ୍ତନର ଅଲିଖିତ ଆଦେଶ । ସ୍କୁଲ୍ ରେ ତୋର ଦୁଇ ଦିନର ଅନୁପସ୍ଥିତି , ମୋର ନାମଲେଖା ଆଉ ତୋ ଜାଗାରେ ଆଗ ଧାଡ଼ିରେ ମତେ ବସିବାର ସୁଯୋଗ ମିଳିବା ସବୁ ଅପ୍ରତ୍ୟାଶିତ ଥିଲା । ସେଦିନ ବି ତୁ ମୁଣ୍ଡରେ ସ୍କାର୍ଫ୍ ପିନ୍ଧିଥିଲୁ।  ତୋ ମୁଣ୍ଡ ନାଣ୍ଡି ହୋଇଥିଲା । ଆଉ ଶ୍ରେଣୀ ର କିଛି ପୁଅପିଲା ତୋର ନାଣ୍ଡି ମୁଣ୍ଡ ଦେଖି ତତେ ଚିଡ଼ାଉଥିଲେ। ‘ନାଣ୍ଡି  ମୁଣ୍ଡି ଖଇର ତୁଣ୍ଡି ସିଂହ ଦୁଆରେ ଥାଏ, ଅଇଁଠା ପତର ଟିକିଏ ପାଇଲେ ଚାଟି ଚୁଟି ଖାଏ ‘। ଆଉ ଝିଅ ମାନେ ମିଛି ମିଛିକା ତାଙ୍କ ଉପରେ ଚିଡୁଥିଲେ ବି ଲୁଚେଇ ଲୁଚେଇ ହସୁଥିଲେ।  ମୁଁ ବି । ସେଦିନ ତୁ ଖୁବ୍ ରାଗିଥିଲୁ। ଦୁମ୍ ଦୁମ ହୋଇ ଯାଇ ବସିଥିଲୁ ଠିକ୍ ମୋ ପଛରେ । ସାର୍ କହିଲେ ତୁ କାଳେ ମୋଠୁ ସାମାନ୍ୟ ଡେଙ୍ଗୀ ଥିଲୁ ।
        ତୋର ମନେଅଛି ମକର, ତୁ ମୋ ପଛରେ ବସିଗଲୁ ସିନା ସାନ ଖେଳଛୁଟିରେ ତୁ ମୋ ପାଖରେ ଠିଆ ହୋଇ ନିଜକୁ ମୋଠୁ ଛୋଟ ବୋଲି ବାରମ୍ଵାର ପ୍ରମାଣ କରିବା ଚେଷ୍ଟାରେ ଥିଲୁ । ‘ତୋ ମୁଣ୍ଡରେ ଚୁଟି ମେଞ୍ଚେ ଗଜୁରି ଉଠିଲେ ତୁ ଜିନୀ ଠୁ ବଡ ହୋଇଯିବୁ । ସବୁବେଳେ କଣ ତୁ ଏମିତି ନାଣ୍ଡି ମୁଣ୍ଡି ହୋଇ ରହିଥିବୁ? ‘ କହିଦେଇ ଲୋପାମୁଦ୍ରା ହସି ହସି ମତେ କୋଳେଇ ନେଇଥିଲା । ମୋ ନାଁ ଟି ଜାହ୍ନବୀ ରୁ ଜିନୀ କରିଦେଇ ନିଜ ଆପଣା ପଣ କୁ ଜାହିର କରୁଥିଲା ଲୋପା । ମୁଁ ବି ଗୋଟିପଣେ ତାର ହୋଇଯାଇ ଲୋଟି ପଡ଼ିଥିଲି ତା ଉପରେ । ତୁ ତା’ କଥାରେ ଆଘାତ ପାଇଲୁ । ତୋ ମୁହଁ ନାଲି ପଡିଗଲା ଆଉ ତୁ ସେଠୁ ପଳେଇଗଲୁ । ତୁ ସେଇଠୁ ଯାଇ ପାଣି ପାଇପ୍ ପାଖରେ ଥିବା ଅଳ୍ପ ଉଚ୍ଚ ମାଟି କାନ୍ଥଟିରେ ଖୁବ୍ ଜୋର୍ ରେ ମୁଣ୍ଡ ପିଟି କାନ୍ଦୁଥିଲୁ । ଖେଳ ଛୁଟି ସରିବା ଘଣ୍ଟି ଶୁଣା ଯାଉଥିଲା । ମୁଁ ତୋ ପଛରେ ପଛରେ ସେଇଠି ପହଞ୍ଚି ଯାଇଥିଲି । ତୁ ଅପ୍ରସ୍ତୁତ ହୋଇଥିଲୁ । ମୁଁ ତୋ ଆଖିରୁ ଲୁହ ପୋଛି ଦେଇଥିଲି । ତୁ ମୋ ହାତ ଛିଞ୍ଚାଡି ଦେଇଥିଲୁ ଆଉ କହିଥିଲୁ ‘ରୁଦ୍ରାଣୀ ହାରିବା ଶିଖିନି । ଦରକାର୍ ପଡ଼ିଲେ ମୁଁ ମୋ ହକ୍ ଛଡେଇ ନେବି’ । ତୁ ମତେ ହାଲକା ଧକ୍କା ଦେଇ ଶ୍ରେଣୀ ଗୃହକୁ ଚାଲି ଯାଇଥିଲୁ । ମୁଁ ତୋ ପଛେ ପଛେ  ଯାଇଥିଲି । ମୁଁ ପୁରା ପୁରି ସ୍ଵାଭାବିକ ଥିଲି । ତୋ କଥା ମତେ ବିଚଳିତ କରିଥିଲେ ମଧ୍ୟ ମୁଁ ସେକଥା କାହାକୁ ଜଣେଇବାକୁ ଚାହୁଁ ନଥିଲି । ତୋ କପାଳର ସେ ବଡ ନାଲି ଫୁଲାଟି ସମସ୍ତଙ୍କ ଆଖିକୁ ଜଳ ଜଳ ଦିଶୁଥିଲା । ଭିତରେ ଭିତରେ ବିବ୍ରତ ଅନୁଭବ କରୁଥିଲେ ବି ମୁଁ ଚୁପ୍ ଆଉ ସହଜ ରହିବା ଚେଷ୍ଟାରେ ଥିଲି।
            ସ୍କୁଲ୍ ଛୁଟି ପରେ ତୁ ମୋ ପଛେ ପଛେ ଆମ ଘର ଯାଏଁ ଆସିଥିଲୁ । ମୁଁ ଗେଟ୍ ଖୋଲି ଭିତରକୁ ଯିବାବେଳେ ତତେ ଦେଖିଲି ତୁ କହିଲୁ, ‘ମୋ ଘରର ବାରିପଟରୁ ତୋ ଘର ଯାଏଁ ଛୋଟ ରାସ୍ତାଟେ ଅଛି । କାଲିଠୁ ତୁ ସେ ବାଟେ ତୁମ ଘରକୁ ଆସିପାରିବୁ । ରାସ୍ତା ବହୁତ୍ କମିଯିବ ତୋ ପାଇଁ । ତୁ ଜଲଦି ଘରେ ପହଞ୍ଚି ଯିବୁ ।’ ମୁଁ  ଆଶ୍ଚର୍ଯ୍ୟ ହୋଇ ତତେ ଚାହିଁ ଥିଲି । ତୁ ଦଉଡ଼ି ଦୌଡ଼ି ଆମ ଘର ବାଁ ପଟେ ଥିବା ସେ ବଡ ବାଲିକୁଦା ଉପରେ ଚଢ଼ି ଗଲୁ ଆଉ ଚାହୁଁ ଚାହୁଁ କୁଆଡେ ଉଭେଇ ଗଲୁ । ମୁଁ ଆମ ଘରକୁ ନଯାଇ ଫେରି ଆସିଥିଲି । ଦଉଡ଼ି ଦୌଡ଼ି ଚଢ଼ିଥିଲି ସେ ବାଲିକୁଦା ଉପରେ କିନ୍ତୁ ତତେ ଦେଖିପାରିନଥିଲି । ଗୁଡ଼ାଏ କଣ୍ଟା ବୁଦା ଥିଲା ସେଠି ଆଉ ଅଦୂରରେ ଦିଶୁଥିଲା ଧାଡ଼ି ଧାଡ଼ି ଆଜବେଷ୍ଟସ ଘର । ସବୁ ଘରର ପଛପଟ ପାଚିରୀ ଦେଖିପାରୁଥିଲି ।  ଜାଣିପାରୁନଥିଲି କେମିତି କେଉଁବାଟେ ତୁ ଉଭାନ ହୋଇ ଯାଇଥିଲୁ ।
          କିଏ ସେ ଝିଅ ?  ଏ ଅବାଟରେ କୁଆଡୁ ଆସୁଛୁ ତୁ ? ସେ ଝିଅ କୁଆଡେ ଗଲା?ବୋଉ ବ୍ୟସ୍ତ ହେଉଥିଲା । ନୂଆ ଘରର କଣିକିଆ ଅବସ୍ଥିତିକୁ ନେଇ ଏମିତିରେ ସେ ଖୁସି ନଥିଲା ତା ଉପରେ ମୋର ସ୍କୁଲ୍ ଫେରିବାର ଏ ଅସ୍ବାଭାବିକତା ତାକୁ ଅଧିକ ସଂଶୟରେ ପକାଇଥିଲା ।
          ପର ପର ଦୁଇଦିନ ସେଇ ଏକା ଘଟଣା ଘଟିଲା । ଦିନେ ମୁଁ ତତେ କହିଲି ‘ ତୋ ଘରକୁ ସିଧା ନଯାଇ ତୁ ମୋ ଘର ଯାଏଁ କାହିଁକି ଆସୁଛୁ ? ମୋ ପ୍ରଶ୍ନର ଉତ୍ତର ନଦେଇ ତୁ କହିଲୁ ,’ତୁ ମୋ ଘର ଭିତର ଦେଇ ଆସିବୁ?’
-‘ନା’ – କହିଲି ତତେ, ଆଉ ତୋ ଆଡ଼େ ନଚାହିଁ ପଶିଯାଇଥିଲି ଆମ ଘରେ ।
        ଦିନେ କିନ୍ତୁ ମତେ ତୋ ଘର ଦେଇ ଆସିବାକୁ ହେଲା । ସେତେବେଳକୁ ନୂଆ ସ୍କୁଲ୍ ରେ ମୋର ସପ୍ତାହଟିଏ ହୋଇ ଯାଇଥାଏ । ସେଦିନ ଭୂଗୋଳ ସାର୍ ସମସ୍ତଙ୍କୁ କହିଥିଲେ ଆଟଲାସ ନେଇ ସ୍କୁଲ୍ ଯିବାକୁ । ମୁଁ ଭୂଲି ଯାଇଥିଲି । ଖେଳ ଛୁଟି ପରେ ପରେ ଭୂଗୋଳ ପିରିୟଡ଼ ଥିଲା । ତତେ କହିଲି ତୋ ଘର ଦେଇ ଗଲେ ଶୀଘ୍ର ଆଟଲାସ୍ ଆଣି ପାରିବି । ତୁ ଖୁବ୍ ଖୁସି ହୋଇଯାଇଥିଲୁ । ଖେଳଛୁଟି ଘଣ୍ଟାକୁ ମୋ ଠାରୁ ବେଶୀ ତୁ ଅପେକ୍ଷା କରିଥିଲୁ ବୋଧେ । ଘଣ୍ଟା ବାଜୁ ବାଜୁ ତୁ ମୋ ହାତ ଧରି କହିଲୁ ‘ଚାଲ୍ ଜଲଦି ଚାଲ୍ ‘। ବାଟ ସାରା ତୁ ମୋ ହାତକୁ ତୋ ହାତରେ ଧରିଥିଲୁ । ସତ କହୁଛି ମକର ତୋ ହାତ ଭିତରେ ତୁ ମୋ ହାତ ଥାପିନେଲାପରେ ମତେ କେମିତି ଆଶ୍ବସ୍ତ ଲାଗୁଥିଲା ସେଦିନ । ଘରେ ପହଞ୍ଚି ଆଟଲାସ ନେଇ ସ୍କୁଲ୍ କୁ କଣ ଠିକ୍ ସମୟରେ ଫେରିଆସିପାରିବି? ଟିକେ ସମୟ ପୂର୍ବରୁ ମନ ଭିତରେ ବାରମ୍ଵାର ହାତୁଡ଼ି ପିଟୁଥିବା ଏଇ ଦ୍ୱନ୍ଦ୍ଵ ଶାନ୍ତ ପଡ଼ିଆସୁଥିଲା ତୋ ବିଶ୍ୱାସର ହାତପାପୁଲି ଭିତରେ। 
      ସେଦିନ ତୋ ଘରେ ତୁ ମତେ ତୋ କୋଠରୀ କୁ ନେଇଯାଇଥିଲୁ । ତୁମର ଆମ ପରି ବଡ ଘର ନୁହେଁ। ଗୁଞ୍ଜି ଗୁଞ୍ଜି ହୋଇ ଦୁଇ ତିନୋଟି କୋଠରୀ । ରୋଷେଇ ଘର ପାଖରେ ବାହାର ଆଡ଼କୁ ମୁହଁ କରି ଛୋଟିଆ ଚାଳି ଘର ଟିଏ ସେଇଟି ତୋ କୋଠରୀ । ଘରଟି ଟିକେ ନୁଆଁଣିଆ । ଛୋଟ ଖଟଟେ କୋଠରୀର ଗୋଟେ କୋଣକୁ । ପଢା ଟେବୁଲ୍ ଓ ଚୌକି । ପଢା ଟେବୁଲ୍ ଉପରେ ତିନି ଥାକର ବହି ସେଲ୍ଫ ଟିଏ କାନ୍ଥରୁ କଣ୍ଟାରେ ଝୁଲିଥିଲା।  ଖଟ ଉପରେ ଆଉ ବହି ସେଲଫ୍ ଉପରେ ଛୋଟ ଛୋଟ ଫାଙ୍କ ଝରକା ପରି । ଟେବୁଲ୍ ଉପରେ ସୁନ୍ଦର୍ ଲ୍ୟାମ୍ପ ଟିଏ । କେଜାଣି କାହିଁକି ଭାରି ଭଲ ଲାଗୁଥିଲା ତୋ କୋଠରୀ । ଆଖି ବୁଲେଇ ଦେଖୁଥିଲି ତୋର ସେଇ କୁନି କୋଠରୀଟିକୁ । ବହି ସେଲଫ ରେ  ସଜଡ଼ା ହୋଇ ରହିଥିଲା ବହିପତ୍ର  । ସାରା କୋଠରୀ ଶୃଙ୍ଖଳିତ ବ୍ୟବସ୍ଥିତ ମନେହେଉଥିଲା ।
ଟିକିଏ ଲାଜ ଲାଗୁଥିଲା ମତେ । ମୋ ଘରେ ମୋର ଅସଜଡା ବହିର କୁଢ଼ ଭିତରୁ ମୁଁ ମୋ ଆଟଲାସ୍ ଟିକୁ ପାଇବି ତ ? ହେ ଭଗବାନ୍, ଯଦି ନପାଏ ? ଝାଳ ବୋହିଗଲା ମୋ ଦେହରୁ । ମୁଁ ତରତର ହେଲି । ଆମ ଘରେ ଶୀଘ୍ର ପହଞ୍ଚିଲେ ମୁଁ ମୋ ଆଟଲାସ୍  ଖୋଜିବାକୁ ସମୟ ପାଇବି । ତୁ ମତେ ତୋ କୋଠରୀରେ ଆଉ କିଛି ସମୟ ଅଟକେଇ ରଖିବାକୁ ଇଛା କରୁଥିଲୁ । ମକର , ତୁ ସେଦିନ ମତେ ସେଇ ଚିତ୍ରଟି ଦେଖେଇବାକୁ ଚାହୁଁଥିଲୁ ନା  ସେଇ ଚିତ୍ରଟି ତୋର ଖୁବ୍ ପ୍ରିୟ । ତୁ ବାରମ୍ଵାର ସେଇ କଥା କହି ଚିତ୍ରଟି ତୋ ବହି ସେଲ୍ଫ୍ ର ଉପର ଥାକରୁ ବାହାର କରିବାକୁ ଯାଉଥିଲୁ । ତୋ ହାତ ସେ ଚିତ୍ର ପାଖରେ ପହଞ୍ଚିବା ପୂର୍ବରୁ ମୁଁ ତୋ ହାତକୁ ଟାଣିନେଇ ଫେରିପଡ଼ିଥିଲି ସେ କୋଠରୀର ଦୁଆର ଆଡ଼କୁ।
     ଆଜି ତୋ ପାଖକୁ ତୋ କହିବା ଅନୁସାରେ ତୋ ସହିତ କଥା ହେଲାପରି ଚିଠିଟେ ଲେଖୁଛି ଲୋ ମକର । ତୋ ପାଖରେ ଏ ଚିଠି ପହଞ୍ଚିବ? ତୁ ପଢ଼ିପାରିବୁ ମୋ ଚିଠି ? ମୋ ଆଖିର ଲୁହରେ ତୋ ପାପୁଲି ଧୋଇଦେଇଥିଲି, ଧୋଇଦେଇଥିଲି ତୋ ମନ ତଳର ଜମାଟ ଦୁଃଖକୁ ସେଦିନ ଯେଉଁଦିନ ତୁ ମତେ ସେ ଚିତ୍ର ଦେଖେଇଥିଲୁ ଆଉ ସେଇ କଥା ଗୁଡାକ କହିଥିଲୁ ଯାହା ତୋ ହୃଦୟ ଭିତରୁ ଦୁହିଁ ହୋଇ ଆସି ଲାଖିଯାଇଥିଲା ମୋ ହୃଦୟ ଭିତରେ।      
       ଚାଲ୍, ଜଲଦି ଆମ ଘରକୁ ଯିବା । ମୁଁ ଆଟଲାସ୍ ଆଣିବି । ନହେଲେ ସାର୍ ରାଗିବେ ‘। ମୁଁ କହିଲା ପରେ ତୁ ମତେ କହିଥିଲୁ ‘ ଭୁଗୋଳ ସାର୍ ଝିଅ ମାନଙ୍କ ଉପରେ ରାଗନ୍ତିନି , ଖାଲି ଗେହ୍ଲା କରନ୍ତି’ । ତୁ ହସିଥିଲୁ ଆଉ ମୋ ଗାଲକୁ ଚିମୁଟି ଦେଇଥିଲୁ । ସେଦିନ ତୁ ସେ ଚିତ୍ର ମତେ ଦେଖେଇପାରିନଥିଲୁ । ଚିତ୍ରଟି ସିନା ଦେଖେଇ ପାରିନଥିଲୁ ମକର, ସେ ଚିତ୍ରରେ ତୁ ଯାହାଙ୍କୁ ଆଙ୍କିଥିଲୁ ସେ ତ ଆମ ଫେରିବା ବାଟରେ ଠିଆ ହୋଇଥିଲେ ତୋ କୋଠରୀର ଦୁଆର ପାଖରେ । ହସ ହସ ମୁହଁ ତାଙ୍କର । ମୋଟା ଲେନ୍ସର ଗୋଟେ ଚଷମା ଆଖିରେ । ଏତେ ମୋଟା ଚଷମା ମୁଁ ତା ଆଗରୁ କାହା ଆଖିରେ ଦେଖିନଥିଲି । ସେଇ ମୋଟା ଚଷମା ଭିତରୁ ସେ କିଛି ଦେଖିପାରୁଥିଲେ କି ନା ସେ ପ୍ରଶ୍ନ ମୁଁ ପଚାରି ପାରିନଥିଲି ସେତେବେଳେ । ସବୁ କେମିତି ମୁହୂର୍ତ୍ତକ ମଧ୍ୟରେ ଘଟିଗଲା । ହାତରେ ଧରିଥିବା ବଙ୍କୁଲି ବାଡିଟିକୁ ଟେକିଧରି ସେ ଏପଟ ସେପଟ ବୁଲେଇଲେ, ‘କିଏ ଝୁନା କିଲୋ?’ କେତେବେଳ ହେଲାକି? ତୁ କଣ ସ୍କୁଲ୍ ରୁ ଫେରି ଆସିଲୁଣି? ସେ ବାଡିଟି ଆଉ ଟିକକରେ ମୋ ଦେହରେ ବାଜି ଥାଆନ୍ତା । ‘ନନା, ବାଜିବ’ ତୁ କହିଲୁ । ମୁଁ ନଇଁ ପଡ଼ିଲି ତାଙ୍କ ପାଦ ଧୂଳି ନେବାପାଇଁ । ଟିକେ ଅପ୍ରସ୍ତୁତ ହୋଇଗଲେ ସେ । ‘ମୋ ସାଙ୍ଗ ‘। ତୁ ପରିଚୟ କରେଇଦେଲୁ । ‘ ‘ଆୟୁଷ୍ମତୀ ଭବ । ସୌଭାଗ୍ୟବତୀ ଭବ ‘ ମଉସାଙ୍କ ସ୍ୱର ଏବେବି ମୋ କାନରେ ବାଜି ଯାଉଛି ଲୋ ମକର । ବାଜି ଯାଉଛି ମଉସାଙ୍କର ସେଇ ଅପମାନିତ ଅସହାୟ ଦିନ ସବୁର ତୋ କହିଥିବା କଥାସବୁ । ସେଦିନ କିନ୍ତୁ ସେଇଠି ଠିଆ ହେବାକୁ ଆଉ ଟିକେ ବି ବେଳ ନଥିଲା । ଆମେ ଦଉଡ଼ି ଦୌଡ଼ି ଗଲେ ସେଇଠୁ ଆମ ଘର ଯାଏଁ । ତୁମ ଘରର ପଛପଟେ ସେଇ ଭାଙ୍ଗି ଯାଇଥିବା ଅଧା କାନ୍ଥି ଉପରେ ଚଢ଼ି ଆମକୁ ସେପଟକୁ ଡେଇଁ ପଡ଼ିବାକୁ ହେଲା । ଏମିତି ଅବାଟରେ ଯିବାକୁ ହେବ ବୋଲି ମୋର ଆଦୌ ଧାରଣା ନଥିଲା । ସେଇ ଅଧାକାନ୍ଥି ଉପରୁ ତଳକୁ ଡେଇଁ ପଡିବା ପରେ ତତେ ପଚାରିଥିଲି,’ ଏଇ ରାସ୍ତାରେ ସବୁଦିନ ଯିବା ଆସିବା କରିବାକୁ କହିଥିଲୁ ମତେ ? ତୁ ହସିଥିଲୁ । ଭାଗ୍ୟକୁ ଆଟଲାସ୍ ଟା ସାଙ୍ଗେ ସାଙ୍ଗେ ମିଳିଗଲା ମତେ ମୋ ବହି ପତ୍ରର କୁଢ଼ ଭିତରୁ ।
           ଆମେ ଖେଳଛୁଟିର  ଶେଷ ଘଣ୍ଟା ବାଜିବା ପୂର୍ବରୁ ଫେରିଆସିଥିଲେ । ସ୍କୁଲ୍ ପାଖରେ ପହଞ୍ଚି ଯାଇ ମୁଁ ତୋ ଆଡ଼େ କୃତଞତାପୂର୍ଣ୍ଣ ଦୃଷ୍ଟିରେ ଚାହିଁଲି । ସତରେ ଲମ୍ବା ରାସ୍ତା ଦେଇ ଯାଇଥିଲେ ମୁଁ କେବେବି ଏତେ ଅଳ୍ପ ସମୟ ଭିତରେ ଆଟଲାସ୍ ଆଣିପାରିନଥାଆନ୍ତି। ସେମିତି ବୋଧେ ତତେ ଆଉ କିଛି ସମୟ ଚାହିଁ ରହିଥାନ୍ତି ମୁଁ । ତୁ ମତେ ଟିକେ ଠେଲିଦେଇ ହସି ହସି କହିଲୁ ‘ହେ, ତୁ ମୋ ଆଖିର ଲୁହ ପୋଛି ଦେଇଥିଲୁ ସେଦିନ, ତତେ ପ୍ରଥମେ ଭେଟିବା ଦିନ । ସେକଥା ଭୁଲିବିନି କେବେ ‘। ତୁ ଟିକେ ଭାବ ପ୍ରବଣ ହୋଇ ଗଲା ପରି ଲାଗୁଥିଲୁ ଆଉ ହଠାତ୍ ମୋ ହାତକୁ ନେଇ ପୁଣିଥରେ ତୋ ହାତ ପାପୁଲି ଭିତରେ ଗଭୀର ଆତ୍ମ ପ୍ରତ୍ୟୟର ସହ ମୁଠେଇ ଧରିଥିଲୁ , ଠିକ୍ ସେତିକିବେଳକୁ ସେମାନେ ସବୁ ପହଞ୍ଚି ଗଲେ,’ କୁଆଡେ ଯାଇଥିଲୁ ତୁ ‘? କହୁ କହୁ ତୋ ପାଖରୁ ମତେ ଟାଣି ନେଇଗଲେ । ତୋ ହାତରୁ ମୋ ହାତ ଖସି ଯାଇଥିଲା।
          ମକର, ତତେ ସେମାନେ କେହି ଚିହ୍ନି ପାରିନଥିଲେ । ସମସ୍ତଙ୍କ ଆଖିରେ ତୁ ଗୋଟେ ସ୍ୱାର୍ଥପର କଳିକତୁରି ଅସହିଷ୍ଣୁ ଚରିତ୍ର ଭାବରେ ପରିଚିତ ଥିଲୁ । କେଜାଣି କେମିତି ସେଇ ସାତ ଦିନ ଭିତରେ ସମସ୍ତେ ମତେ ଭଲ ପାଇବାକୁ ଆରମ୍ଭ କରିଥିଲେ । ମୋ ସାଙ୍ଗ ହେବାପାଇଁ ରୀତିମତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ନୂଆକରି ମୁଁ ସେଇ ସ୍କୁଲ୍ ରେ ନାମ ଲେଖାଇଥିଲି ତ ସେଇଥିପାଇଁ ବୋଧେ ମୋ ନିକଟତର ହେବାପାଇଁ ସମସ୍ତଙ୍କର ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ତୁ ବି ତ ମୋ ସାଙ୍ଗ ହେବାକୁ ଚାହିଁଥିଲୁ । ତୋ ସାଙ୍ଗେ ସାଙ୍ଗ ନ ହେବାକୁ ସେମାନେ ମତେ ସବୁବେଳେ କହୁଥିଲେ । କହୁଥିଲେ  ତୋ ସାଙ୍ଗେ ସାଙ୍ଗ ହେବା ଅର୍ଥ ବିପଦ କୁ ଆମନ୍ତ୍ରଣ କରିବା । ସତ କହିବି ମକର, ସେମାନେ ମତେ ତୋ ସାଙ୍ଗେ ସାଙ୍ଗ ହେଵାକୁ ଯେତେଯେତେ ମନା କରୁଥିଲେ ମୁଁ ସେତେସେତେ ତୋ ଆଡ଼କୁ ଆକୃଷ୍ଟ ହୋଇ ଯାଉଥିଲି ।

ମକର ,ଆମ କିଶୋରୀ ଜୀବନ ଆମେ ଏକାଠି ଭୋଗିଥିଲେ। କେତେକେତେ ମାନସିକ ଅସମାନତା ସତ୍ତ୍ବେ ଆମ ଦୁହିଁଙ୍କର ପରସ୍ପର ପ୍ରତି ଥିଲା ଅକାଶଭର୍ତ୍ତି ଭଲପାଇବା ।

ଚାହୁଁ ଚାହୁଁ ନୂଆ ସ୍କୁଲରେ ଚାରିମାସ ବିତିଗଲା । ସାଙ୍ଗସାଥୀ ଘନିଷ୍ଠ ହୋଇଯାଇଥିଲେ । ତା ଭିତରେ ତୋ ସହିତ ମୋର ଯୋଡି, ଅନେକ ବିରୋଧାଭାସକୁ ଆଡେଇ ଦେଇ, ନିକଟତର ହୋଇଥିଲା । ‘ହଁ, ତୁ ରୁଦ୍ରଣୀର ପ୍ରିୟ ସଖି । ଆମ ସହିତ କାଇଁ ମିଶିବୁ ?’ ମୁଁ ସେମାନଙ୍କ ସହ ଯେତେ ମିଶିଲେ ମଧ୍ୟ ଏମିତି କଥା ପ୍ରାୟ ସବୁବେଳେ ମତେ ଶୁଣିବାକୁ ମିଳୁଥିଲା ।
         ସେ ଭିତରେ ସେ ଅଧା କାନ୍ଥି ଡେଇଁ ତୁମ ଘର ଭିତରେ ପଶି ଅନେକଥର ଯାଇଛି । ସେଇ ଯିବାଆସିବା ସମୟରେ ତୁମ ଘରର ଅନେକ ଅପ୍ରୀତିକର ପରିସ୍ଥିତିର ମୂକସାକ୍ଷୀ ହୋଇଯାଇଛି ନିଜ ଅଜାଣତରେ।  ତୁମ ଘରେ ମୋର ଥିଲା ଅବାଧ ପ୍ରବେଶ । ତୋର ଭାଇ ଭଉଣୀଙ୍କ ସହ ସେତେବେଳକୁ ମୋର ପରିଚୟ ହୋଇନଥିଲା । ଦେଖିଥିଲି କେବଳ ତୋ ସାନ ଭାଇକୁ ଥରେ ଅଧେ । ମଉସାଙ୍କୁ ଭେଟୁଥିଲି ପ୍ରାୟ ସବୁଥର । ତାଙ୍କୁ ଦେଖିବାକୁ ମୋ ଭିତରେ କୋମଳ ଇଚ୍ଛାଟିଏ ଜାଗ୍ରତ ହୁଏ ତୁମ ଘର ଭିତରେ ପାଦ ଦେବାମାତ୍ରେ । ତାଙ୍କ ପ୍ରତି ମନରେ ମୋର ଗଭୀର ସଂମ୍ଭ୍ରମତା । ସେଦିନ ସ୍କୁଲ୍ ଡେରି ହୋଇଯାଇଥିବାରୁ ତର ତର ହୋଇ ତୁମ ଘର ଦେଇ ଯାଉଥିଲି । ଭାବିଥିଲି ତୁ ଘରେ ନଥିବୁ । ତଥାପି ତତେ ଡାକି ଡ଼ାକି ପାର ହେବାକୁ ବସିଥିଲି ତୁମ ଘରର ଛୋଟ ଅଗଣା । ସେଇଠି ଭେଟିଲି ମଉସାଙ୍କୁ । କଣିକିଆ ଟ୍ୟୁବୱେଲ ତଳେ ବସି ବାସନ ମାଜୁଥିଲେ ମଉସା । ହାତରେ ଦରାଣ୍ଡି  ଦରାଣ୍ଡି ମଜା ବାସନ ସବୁକୁ ସଜାଇ ରଖୁଥିଲେ ପାଖରେ ଥିବା ପ୍ଲାଷ୍ଟିକ ଝୁଡ଼ିଟିରେ । ମୁଁ ଟିକେ ଅପ୍ରସ୍ତୁତ ହୋଇଯାଇଥିଲି । ମୋ ପାଇଁ ଏ ଦୃଶ୍ୟ ନିହାତି ଅସ୍ୱାଭାବିକ ଥିଲା । ଓଦା ସର ସର ହାତରେ ମତେ ଆଶୀର୍ବାଦ କଲେ ମଉସା ,ତାଙ୍କ ପାଦତଳେ ନଇଁ ପଡ଼ିଥିବା ମୋ ମୁଣ୍ଡ ଉପରେ । ମୁଁ ‘ମଉସା ପ୍ରଣାମ’ କହି ସେଇଠୁ ବାହାରିଯିବାକୁ ତର ତର ହେଉଥିଲି । ସେଦିନ ଦେଖିଲି ମାଉସୀଙ୍କର ଏକ ଅଲଗା ରୂପ । ଖୁବ୍ ଗୋଟେ ବିରକ୍ତି ସେ ମୁହଁ ରେ । କେତେ କଣ କଟୂକ୍ତି ମଉସାଙ୍କ ଉଦ୍ଦେଶ୍ୟରେ । ମକର, ତୁ ମତେ ତୁମ ଘରର ସେଇ ସବୁ ଦୁଃଖଦ ଘଟଣା ବିଷୟରେ କହିଲା ପରେ ମୁଁ  ଜାଣିଲି ପରିସ୍ଥିତି ମଣିଷକୁ କେମିତି ନିଷ୍ଠୁର କରିଦିଏ । ଜଣେ ମଣିଷ ନିଜକୁ କେବଳ ଦେବଗୁଣରେ ବିଭୂଷିତ କରି ରଖିପାରିବା କଣ ସମ୍ଭବ ସବୁବେଳେ ?
       ମଉସା ବୋଧହୁଏ ସେମିତି ଜଣେ ବିରଳ ମଣିଷ ଥିଲେ ଯିଏ ନିଜକୁ ଶାନ୍ତ ଧିର ସ୍ଥିତପ୍ରଜ୍ଞ କରି ରଖିପାରିଥିଲେ  । ମାଉସୀ ମତେ ସାମ୍ନାରେ ଦେଖି ଚୁପ୍ ହୋଇଯାଇଥିଲେ ସେଦିନ । ତୁ ବି ସ୍କୁଲ୍ ଯାଇନଥିଲୁ ସେଯାଏଁ । ‘ନନା ହେଲା?’ କହି ତୁ ଯେତେବଳେ ତୋ କୋଠରୀ ବାହାରକୁ ବାହାରି ଆସିଲୁ, ମୁଁ ତତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲି – ‘ତୁ ସ୍କୁଲ୍ ଯାଇନୁ?’ ମତେ କିଛି ଉତ୍ତର ନଦେଇ ତୁ ମଉସାଙ୍କ ଆଡକୁ ଆଗେଇ ଯାଇଥିଲୁ । ମଉସା କୋଳରେ ଜାକି ରଖିଥିଲେ ତୋ ସ୍କୁଲ୍ ଡ୍ରେସର ଓଦା
ଓଢଣୀ । ‘ତୋ ଓଢ଼ଣୀ ଓଦା ହେଲା କେମିତି? ‘ମୁଁ ପଚାରିଦେଲି । ‘ମୋ ହାତରୁ ପାଣି ବାଲ୍ଟିଟା ଖସିଗଲା ତୋ ସାଙ୍ଗ ଉପରେ ଲୋ ମାଆ ।’ ମଉସା କହିଲେ । ସେ କିନ୍ତୁ  କିଛି ଲୁଚେଇଲା ପରି ଲାଗୁଥିଲେ ।
      ମାଉସୀଙ୍କର ତାତ୍ସଲ୍ୟକୁ ଖାତିର ନକରି ମଉସା ଠିଆ ହୋଇଗଲେ । ଓଢଣୀକୁ ହାତରେ ମେଲେଇଧରି ପବନରେ ହଲେଇଲେ ଏପାଖ ସେପାଖ । କଣ ଗୋଟିଏ ମନ୍ତ୍ର ଗୁଣୁଗୁଣାଉ ଥିଲେ ସେ । ମୋର ସେତେବେଳେ ମନେପଡିଯାଉଥିଲା ପିଲାଦିନେ ଆମେ ସବୁ ସ୍ଲେଟ୍ କୁ ଧୋଇ ଏମିତି ପବନରେ ହଲେଇ ହଲେଇ ଶୁଖେଇବାର ଅଭୁଲା ମୁହୂର୍ତ୍ତ। ଆମେବି ମନ୍ତ୍ର ବୋଲିଲାପରି ବୋଲୁଥିଲୁ ‘ନଈ ପାଣି ନଈ କୁ ଯାଆ, କୂଅ ପାଣି କୂଅକୁ ଯାଆ । ମୋ ସିଲଟ ଶୁଖିଯା’ । ‘ଆରେ ଏମିତି କଲେ କଣ ଓଢଣୀ ଶୁଖିଯିବ?’ ମୁଁ ପଚାରି ପକେଇଥିଲି । ମଉସାଙ୍କ ହାତରୁ ଓଢ଼ଣୀଟି ଆଣି ତୁ ତୋ ବେକରେ ଯତ୍ନରେ ବେଢେଇ ଦେଇ ମତେ କହିଥିଲୁ ‘ମୋ ନନା ମନ୍ତ୍ର ବୋଲିଲେ ପବନ ଦେବତା ଆଉଁସି ଦିଅନ୍ତି ଓଦା ଓଢଣୀକୁ ଆଉ ସୂର୍ଯ୍ୟ ଦେବତା ଶୋଷି ନିଅନ୍ତି ପାଣିତକ।  ତୁ ବୁଝିପାରିବୁନି ।’ କେମିତି ଗୋଟେ ମମତ୍ଵ ଛଳଛଳ ହେଉଥିଲା ତୋ ସ୍ୱରରେ । ମଉସାଙ୍କ ବୁଜା ଆଖି ପତା ଦୁଇଟିରେବି ମୁଁ ସେମିତି ଗୋଟେ ଶିହରଣ ଦେଖିପାରୁଥିଲି । ତାଙ୍କ ମୁହଁରେ ସ୍ମିତ ହସ ଖେଳିଯାଇଥିଲା। ମୋ ହାତକୁ ଜୋର୍ ରେ ଟାଣି ଧରି ତୁ ସେଇଠୁ ବାହାରି ଆସିଥିଲୁ । କିଛି ବାଟ ଆସିଗଲାପରେ ମୁଁ ତୋ ଓଢଣୀରେ ହାତ ମାରିଥିଲି । ଦେଖୁଥିଲି ସତରେ ସେଇଟି ଶୁଖିଛି କି ନା । ଓଢଣୀଟି ପୁରା ଓଦା ଥିଲା । କିଛିଟା ବିସ୍ମୟ କିଛିଟା ଅବୁଝା ପ୍ରଶ୍ନ ମୋ ଭିତରେ । ମୁଁ କିନ୍ତୁ ଚୁପ୍ ରହିଥିଲି ସେଦିନ । ମକର, ତୁ ମତେ ପରେ ପରେ ସେସବୁକଥା କହିଥିଲୁ । କହିଥିଲୁ ସେଦିନ ମାଉସୀ ମଉସାଙ୍କୁ ପେଲିଦେଇଥିଲେ ରାଗରେ ଆଉ ମଉସା ଧରିଥିବା ପାଣି ବାଲ୍ଟିର ପାଣି ତୋ ଉପରେ ପଡିବା ପୂର୍ବରୁ ତୁ ଘୁଞ୍ଚି ଯାଇଥିଲୁ । କିନ୍ତୁ ତୋ ଓଢ଼ଣୀ ତଳେ ପଡି ଯାଇଥିଲା ଆଉ ତା ଉପରେ ଢାଳି ହୋଇଯାଇଥିଲା ସବୁଯାକ ପାଣି । ଏତକ କହିବାବେଳେ ତୁ କାନ୍ଦି ପକେଇଥିଲୁ । ତୋର କଷ୍ଟ ନା ମଉସାଙ୍କ ଅସହାୟତା ମତେ ତୋ ଆଖିର ଝରିଯାଉଥିବା ଲୁହକୁ ପୋଛି ନେବାବେଳେ ତୋ ପ୍ରତି ଦୁର୍ବଳ କରିଦେଉଥିଲା କହିପାରିବିନି ଲୋ ମକର, କିନ୍ତୁ ତୋ  କଥା ଶୁଣିଲା ବେଳେ ମୁଁ  ମାଉସୀଙ୍କ  କଥା ଭାବୁଥିଲି । ତୁ ବି କହିଥିଲୁ ରେଳଗାଡ଼ିରୁ ଖସିପଡି ମଉସା ଦୃଷ୍ଟି ଶକ୍ତି ହରାଇବାପରେ  ମାଉସୀ ତାଙ୍କ ଅନଭ୍ୟସ୍ତ ହାତରେ ଘର ସମ୍ଭଳିବାର କଷ୍ଟ ସମୟ ବିଷୟରେ, ସେ ବ୍ୟକ୍ତିଗତ କଥାସବୁ। ହୁଏତ ଏ କଥାସବୁ ତୋ’ ଭିତରେ ରହି ରହି ଛଟପଟ ହେଉଥିଲା ବାହାରି ଯିବାକୁ । କହିଥିଲୁ, ‘ମକରଲୋ, ତତେ କହିଦେଇ ମୁଁ ହାଲକା ହୋଇଗଲି । ତତେ କହିଦେଲାପରେ ମୋ ଭିତରର ଲାଭା କିଛିଟା ଶାନ୍ତ ହୋଇଗଲା’ । ମୋ ଉପରେ ତୋର କେତେ ଭରସା । ସେଇଦିନସବୁରେ ତୁ ମତେ କହିଥିବା କଥାସବୁ, ବିଶ୍ୱାସ କର ମକର, କେବଳ ମୋର ହୋଇ ଅଛି । ଆଉ କାହାକୁ କହିନି ।  ଆଜି ସେସବୁ ପୁଣିଥରେ ତୋ ଆଗରେ ବଖାଣିହେବାକୁ ମନ ଚାହୁଁଛି ।
      ଲେଖୁଛି ତୋ ସହିତ କଥା କହିଲା ପରି ଚିଠି । ଏ ଚିଠି ସତରେ କଣ ତୋ ପାଖରେ ପହଞ୍ଚିବ? ତୁ ପଢିପାରିବୁ ଏ ଚିଠି?  ପଢ଼ିସାରିଲେ ସେଦିନଗୁଡ଼ିକ ପରି ‘ପାଗଳୀ ଟା….’ କହି ମୋ ଗାଲ ଚିପି ଦେବାକୁ ତୋ ହାତ କଣ ଲମ୍ବି ଆସିବ ମୋ ଯାଏଁ ? ମୁଁ ତତେ ଏମିତି ଚିଠି ଲେଖି ଚାଲିଥିବି ଲୋ ମକର । କେତେ କଥା ଯେ ତତେ କହିବାକୁ ଅଛି । ଜୀବନର ଏଇ ଲମ୍ବା ରାସ୍ତାରେ ଚାଲିଆସିଲାବେଳେ ଯେତେଯାହା ଦେଖିଲି, ଅନୁଭବିଲି ସବୁ କହିବି ତତେ । କିଏ ଜାଣେ କେତେ ଆଉ ଚାଲିବାକୁ ବାକି । କେବେ ସରିଯିବ ରାସ୍ତା । ମତେ ସତୁରୀ ପୁରିବାକୁ ଆଉ ଦୁଇଦିନ ବାକି ଅଛି, ମକର । ଏଥର ମୋ ଜନ୍ମଦିନରେ ତୁ କାର୍ଡ ପଠେଇବୁନି? ତୋ ହାତ ତିଆରି କାର୍ଡ । ତତେ ମୋ ରାଣ ମକର, ଏଥରମଧ୍ୟ  ତୁ ଲଫାପା ଉପରେ ଡାକ ଟିକେଟ ଲଗେଇବୁନି । ତୁ ଚିଠି ବେରିଙ୍ଗ କରି ପୋଷ୍ଟ କଲେ ସେ ଚିଠି ନିଶ୍ଚୟ ପହଞ୍ଚିବ ମୋ ପାଖରେ । ଏକଥା ପରା ତୁ ସେଦିନ କହିଥିଲୁ ମତେ । ସେଇଥିପାଇଁ ତ ତୁ ମୋ ପାଖକୁ ଜାଣିଶୁଣି ବେରିଙ୍ଗ ଚିଠି ପଠାଉଥିଲୁ ମୋ ପାଖରେ ନିଶ୍ଚୟ ପହଞ୍ଚିବ ବୋଲି ।
       ହଁ, ଲୋ ମକର । ସେଇ କଥା ମନେପକଇ ହସୁଛି ଏବେ । ମୋ ପାଖରେ ଆସି ପହଞ୍ଚିଥିଲା ତୋ ହାତ ତିଆରି କାର୍ଡଟିଏ ସେଦିନ । ବେରିଙ୍ଗ । ଯାହା ମୁଁ ଗାଳି ଶୁଣିଛି ସେଦିନ ବୋଉଠୁ! କେମିତି ଶୁଣିବିନି କହିଲୁ? ତତେ ସାଙ୍ଗମାନେ ଆବନର୍ମାଲ ବୋଲି କହୁଥିଲେ । କହିବେନି! ତୁ ତ ସେମିତି ହେଉଥିଲୁ । ତୋ ଭିତରର ଦୁଃଖକୁ କିଏ କେମିତି ଦେଖିବ?

        ଛମାସିକିଆ ପରୀକ୍ଷା ଫଳ ବାହାରିଥିଲା ସେଦିନ । ତୋ ଠାରୁ ମୁଁ ସତର ନମ୍ବର ଅଧିକ ରଖି ଶ୍ରେଣୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲି । ସବୁଥର ପରି ସେଥର ବି ସିଦ୍ଧାର୍ଥ ପ୍ରଥମ ସ୍ଥାନ ପାଇଥିଲା । ଭରାପୁରା ଫଳନ୍ତି ଗଛଟେ ଝଡ଼ବତାସରେ ବିଧ୍ୱସ୍ତ ହେଲାପରି ଦେଖାଯାଉଥିଲୁ ତୁ । ସ୍କୁଲ୍ ଛୁଟି ପରେ ତୁ ତୁମ ଘରକୁ ନଯାଇ ଆମ ଘରକୁ ଆସିଥିଲୁ । ମୋ ସାଙ୍ଗରେ ନୁହେଁ, ମୋ ପଛେ ପଛେ । ତୁ ଆସି ଆମ ଘରେ ପହଞ୍ଚିଲା ବେଳକୁ ମୁଁ ମୋ ରିପୋର୍ଟ କାର୍ଡ ଦେଖାଉଥିଲି ମୋ ବୋଉକୁ । ମୋ ସାନ ଭଉଣୀବି ସେଇଠି ଥିଲା । ସେମାନେ ଖୁବ୍ ଖୁସି ହେଉଥିଲେ । ତୁ ଆସିଲୁ; ମତେ ବଧାଇ ଦେବା ପରିବର୍ତ୍ତେ ବହୁତ୍ ଗାଳି ଦେଲୁ । ପରୀକ୍ଷାରେ ତୋର ନମ୍ବର କମିଯିବା ଫଳରେ ତତେ ମିଳିବାକୁ ଥିବା ପୁରସ୍କାରର ଅର୍ଥରାଶି ଯାହା କେବଳ ପ୍ରଥମ ଦୁଇ ଜଣଙ୍କ ପାଇଁ ଉଦ୍ଦିଷ୍ଟ, ଥିଲା ତାହା ତୁ ହରେଇଥିଲୁ । ମୋର ଆବଶ୍ୟକତା ନଥାଇ ବି ମୁଁ ତାହା ପାଇବାର ହକଦାର ହେଲି । ମୁଁ କହିଦେଲି ‘ଟଙ୍କା ମୁଁ ତତେ ଦେଇଦେବି ‘। ବାସ୍,  ତାପରେ ତୁ ଆମ ଦାଣ୍ଡପଟ ନାଲି କାନ୍ଥରେ ଢୁଢୁ କରି ତୋ ମୁଣ୍ଡ ପିଟି କାନ୍ଦିଲୁ । ଏମିତି ମୁଣ୍ଡ ପିଟି  ତୁ କାନ୍ଦୁଥିବାର  ମୁଁ ଆଗରୁ ଦେଖିଥିଲି । ମତେ ସେତେ ପ୍ରଭାବିତ କରିପାରିନଥିଲା ତୋର ଏ ପ୍ରକାର ବ୍ୟବହାର । କିନ୍ତୁ ବୋଉ ତ ବ୍ୟସ୍ତ ହୋଇପଡିଲା । ତୋର ଏ ଅସ୍ଵାଭାବିକ ବ୍ୟବହାର ଦେଖି ମୋ ସାନ ଭଉଣୀବି ଡରିଗଲା । ବୋଉ ଜାଣି ପାରିଥିଲା ଏମିତି ବ୍ୟବହାରର ମନସ୍ତାତ୍ତ୍ୱିକ ଅନୁଶୀଳନ ଆବଶ୍ୟକ । ସେଇଠି ଆମ ଘରେ ବୋଉ ପାଖରେ ହୋଇଥିଲା ତୋର ପ୍ରଥମ ଚିକିତ୍ସା । ତତେ ଆଦର କରିଥିଲା ବୋଉ ତୋର ଏ ପ୍ରତିକୂଳ ବ୍ୟବହାର ସତ୍ତ୍ୱେ, ଯାହା ତତେ ଚକିତ କରିଥିଲା । ବୋଉର ହାତ ତିଆରି ମକର ଚାଉଳ ଖାଇ ଠିକ୍ ପରେ ପରେ ମକର ସଂକ୍ରାନ୍ତିରେ ଆମେ ଦୁହେଁ ମକର ବସିଥିଲେ ।

        ତୋ’ ସହିତ ଘନିଷ୍ଠ ହେବାପାଇଁ ମୋ ବୋଉ ମତେ ଉତ୍ସାହିତ କରିଥିଲା । ତୋ ଭିତରର ରାଗ, ଦୁଃଖ ତୁ ମୋ ସହିତ ବାଣ୍ଟି ନେବାପରେ ତୋର ଖୁବ୍ ପରିବର୍ତ୍ତନ ହୋଇଥିଲା । ତୋର ଏ ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ତୁ ଅନ୍ୟ ମାନଙ୍କ ଠାରୁ ଅଲଗା ଥିଲୁ । ସତରେ କଣ ମୁଁ ତତେ ବୁଝିପାରିଥିଲି? କାହିଁକି ତୁ ମତେ ଏତେ ଭଲ ପାଉଥିଲୁ କହିଲୁ? ଯାହା ତୁ କାହାକୁ କହିପାରୁନଥିଲୁ ତାହା  ମତେ କହୁଥିଲୁ । ଭାରି ଅଦ୍ଭୁତ ଝିଅଟେ ଥିଲୁ ତୁ । ତୋ ପାଖରୁ କ୍ରମାଗତ ଭାବରେ ପାଉଥିଲି  ବେରିଙ୍ଗ ଚିଠି । ହାତରେ କାର୍ଡ ତିଆରି କରି ତୁ ମୋ ପାଖକୁ ପଠେଇଦେଇଥିଲୁ । ଲଫାପାବି ତିଆରି କରିଥିଲୁ ହାତରେ । ବାସ୍, ଖାଲି ଡାକ ଟିକେଟ ଲଗଉନଥିଲୁ ଲଫାପା ଉପରେ । ସେଦିନ ପଇସା ଦେଇ ଚିଠିଟା ରଖିବାକୁ  ଯାହା ହଇରାଣ ହୋଇଛି ମୁଁ ! ଘରେ ଏକା ଥିଲି । ପଇସା ବି କିଛି ନଥିଲା ପାଖରେ । ପଡିଶା ଘରୁ ପଇସା ମାଗିଆଣି ତୋ ଚିଠି ରଖିଥିଲି । ସେଥର ଚିଠିରେ ତୁ କେବଳ ‘ସରି’ ବୋଲି ଲେଖିଥିଲୁ ପେନ୍ସିଲରେ । ସେଇଟି ଦେଖି କାହିଁକି କେଜାଣି ବୋଉ ରାଗିଯାଇଥିଲା । ‘ବାଇଆଣି ଝିଅଟେ’ – କହିଲା ବେଳେ ତାର ତୋ ପ୍ରତି ଥିବା  ସମବେଦନା ହ୍ରାସପାଇଲାପରି ବୋଧ ହେଉଥିଲା । କେବଳ ସେଦିନ ନୁହେଁ, ତାପରେବି ବେଶ୍ କେତେଟା ବେରିଙ୍ଗ ଚିଠି ପାଇଛି ତୋ’ ଠୁ । ଛୋଟ ଛୋଟ ଚିତ୍ର କରି ତୁ ପଠେଇଦେଉ ମୋ ଠିକଣାରେ । ମୋ ହାତରେ ନଦେଇ ତୁ ସେସବୁ ପୋଷ୍ଟ କରିବାକୁ ଯାଉ କାହିଁକି ଯେ ? ତା ପୁଣି ବେରିଙ୍ଗ ।
       ତୁ ଖୁବ୍ ସୁନ୍ଦର୍ ଚିତ୍ର ଆଙ୍କୁଥିଲୁ । ପେନସିଲ-ସେଡ୍ ରେ ତୁ ଆଙ୍କିଥିବା ସେ ଚିତ୍ର ସବୁ ସତରେ ଥିଲା ଖୁବ୍ ଚମତ୍କାର । ଚିତ୍ର ସବୁ ମୋ ହାତରେ ଦେବାରେ ତୋର ଏତେ ସଙ୍କୋଚଥିଲା କାହିଁକି ? ଏଇଟା ବି ତୋର ଗୋଟେ ପାଗଳାମି ନଥିଲା କି?  ମକର, ତୁ କେବଳ ତୋର ସଫଳତା ଦେଖିବାକୁ ଚାହୁଁ ଥିଲୁ । ସେଥିରେ ସାମାନ୍ୟ ବ୍ୟତିକ୍ରମ ତୋ ପାଇଁ ଅସହ୍ୟ ଥିଲା । ତୁମ ଘରର ପ୍ରତିକୂଳ ପରିବେଶ ବୋଧହୁଏ ତୋ ଭିତରେ ଏ ପ୍ରକାର ଚରିତ୍ରଟିଏକୁ ସୃଷ୍ଟି କରିଥିଲା । ସେଇ ଘରେ ମଉସା ବି ତ ଥିଲେ । ତୁ ମତେ  କହିଛୁ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵର କଥା । ଏତେସବୁ ଅସ୍ଵାଭାବିକ ପରିସ୍ଥିତି ସତ୍ତ୍ଵେ ସେ ନିଜକୁ ଦୃଢ଼ ରଖିଥିଲେ । ତତେ ଚିତ୍ର ଆଙ୍କିବାକୁ ଖୁବ୍ ପ୍ରୋତ୍ସାହିତ କରୁଥିଲେ ସେ । ଦେଖିପାରୁନଥିଲେ ମଧ୍ୟ ସେ କୁଆଡେ ଛୁଇଁ ଛୁଇଁ ଅନୁଭବ କରୁଥିଲେ ତୋ ଚିତ୍ର ସବୁ । ମକର ଆଠୁ ବଳି ଆଉ ବଡ ସନ୍ତୋଷ ଆଉ କଣ ଥିଲା ଯେ ତୁ ତୋ ନିଜ ଉପରେ ବିଶ୍ୱାସ ଜୁଟେଇ ପାରୁନଥିଲୁ । ମୋ ପାଖକୁ ତୁ ପଠେଇ ଦେଉଥିଲୁ ତୋ ଚିତ୍ର ସବୁ । ଅନେକ ସୁଗୁଣର ଅଧିକାରୀ ଥିଲୁ ତୁ । ତତେ କଥା କହିଲା ପରି ଚିଠି ଲେଖିବାକୁ କହିଥିଲୁ, ମକର । ମୋ ଚିଠି ତୋ ପାଖରେ ପହଞ୍ଚିବ ତ ? ତୁ କଣ ପଢିବୁ ମୋର ଏ ଚିଠି?  ତୋ ପାଖରୁ ଚିଠିଟିଏ ପାଇବା ପାଇଁ ଅଧୀର ଅପେକ୍ଷା କରିଛି ମୁଁ ।

‘ନାନୀ, ଆସିଗଲା ତୋ ସାଙ୍ଗର ବେରିଂ ଚିଠି’ – କହି ମୋ ସାନ ଭଉଣୀ ମତେ ଚିଡେଇଲେ ମୋର ତୋ ଉପରେ ବଡ ରାଗ ହେଉଥିଲା ସେତେବେଳେ । ଚିଠି ପାଇବାର ଉତ୍ସାହ ମଉଳିଯାଉଥିଲା ।  ଆଜି କିନ୍ତୁ ମୁଁ ତୋ ଚିଠିକୁ ଅପେକ୍ଷା ରଖିଛି ।
        ତୋର ଚିତ୍ର ଆଙ୍କିବାରେ ଥିଲା  ଖୁବ୍ ଆଗ୍ରହ । ସୁନ୍ଦର ଆଙ୍କୁଥିଲୁ ବି ତୁ ? ତୁ ଆଙ୍କିଥିବା ମଉସାଙ୍କର ସେ ଚିତ୍ର ସବୁ ଏବେବି ମୋ ମନତଳେ ସଜଳ ଅଛି ।  ସେ ଚିତ୍ର ଗୁଡ଼ିକ ତୁ ଆଙ୍କିଥିଲୁ ବିଭିନ୍ନ ସମୟରେ । ମତେ ଦେଖେଇଥିଲୁ, ଆଉ କହିଥିଲୁ ସବୁ ଚିତ୍ର ପଛରେଥିବା ତୋ’ ମନ ତଳର ସାଇତା କାହାଣୀ । ଅବିକଳ ମଉସାଙ୍କ ଚେହେରା ତୁ ଆଙ୍କି ପାରୁଥିଲୁ । ତୋ ପିଲାଦିନକୁ ମନେପକାଇ, ନିଜକୁ ଓ ତୋ ଭାଇ ଭଉଣୀଙ୍କ ସହ ମଉସା ମାଉସୀଙ୍କୁ ଜୀବନ୍ତ କରି ଆଙ୍କିଥିଲୁ ତୁ । ରେଳ ଦୁର୍ଘଟଣାରେ ମଉସା ତାଙ୍କର ଦୃଷ୍ଟି ଶକ୍ତି ହରାଇବାପରେ  ନାନାଦି ଅଭାବ ଭିତରେ ବୁଡି ରହିଥିବା ମଣିଷମାନେ ନିଜ ଜୀବନ ସଂଗ୍ରାମରେ ଅହରହ ବ୍ୟସ୍ତଥିବାବେଳେ ତୋ’ ଚିତ୍ର ପ୍ରତି ବିମୁଖ ରହିବା ସ୍ଵାଭାବିକ । ତୁ ଏକଥା ବୁଝିପାରୁନଥିଲୁ କେମିତି ଯେ ?
         ‘ତୁ ମୋ ପାଖକୁ ବେରିଂ ଚିଠି ପଠେଇବୁନି’ – ସେଦିନ ତତେ ସେଇକଥା କହିବି ବୋଲି ତୋ ପାଖରେ ପହଞ୍ଚିଲା ବେଳକୁ ଶୁଣିଲି ମାଉସୀଙ୍କ କଥା । ‘କି ଚିତ୍ର ସେଗୁଡା ଆଙ୍କୁଛୁ ତୁ? ପାଠଶାଠ ପଢ଼ । ସେ ଚିତ୍ର ଫିତ୍ର ଆଙ୍କି ସମୟ ନଷ୍ଟ କରନା । ଚିରିକି ଫୋପାଡି ଦେବି ସେ ଚିତ୍ର ଗୁଡା’ – ମାଉସୀଙ୍କର  ଏକଥା ଶୁଣି ଶଙ୍କିଗଲି । ଚୁପ୍ ଚାପ୍ ଚାଲିଆସିଥିଲି ସେଇଠୁ ।
        ଏ ଭିତରେ ମୁଁ ବି ବହୁତ୍ ବଦଳି ଗଲିଣି ଲୋ, ମକର । ବିଗତ ଦିନ ଗୁଡ଼ିକରେ ବେଶ୍ ଶୃଙ୍ଖଳିତ, ବ୍ୟବସ୍ଥିତ କରି ରଖିଛି ମୋ ନିଜକୁ । ଆଗପରି ଆଉ ଅସନି ହୋଇ ନାହିଁମ ମୁଁ ! ସୁଧୁରି ଯାଇଛି । ହସିଲୁ କି? ମୋ ପାଖରେ ଏବେବି ସାଇତି ରଖିଛି ମୋ ପିଲାଦିନର ସ୍ମୃତିରୁ କିଛି । ରଖିଛି କିଛି ପୁରୁଣା ବହି, ପୁଣି ମାଟିଆ ଛିଣ୍ଡା ଛିଣ୍ଡା କାଗଜର ମଳିଚିଆ ରଫ୍ ଖାତାଟିଏ । ସେଇ ଖାତାଟାରେ ଆମେ ସପ୍ତମ ଶ୍ରେଣୀରେ ପଢୁଥିଲାବେଳେ ମୁଁ ବୁଝିପାରୁନଥିବା ଅଙ୍କଟେ ବୁଝେଇଦେଇଥିଲା ସିଦ୍ଧାର୍ଥ । ଏବେବି ସ୍ପଷ୍ଟ ଦିଶୁଛି ଗୋଲ୍ ଗୋଲ୍ ଅକ୍ଷରରେ ସେ ଲେଖିଥିବା ଅକ୍ଷର ଗୁଡାକ । ଗୋଟିଏ ବି ଫିକା ପଡିଯାଇନି । ସେ ଖାତାରେ ପୁଣି ଅଛି ତୁ ଆଙ୍କିଥିବା ତିନୋଟି ଚଢ଼େଇର ରେଖାଚିତ୍ର ଅଲଗା ଅଲଗା ରୂପରେ । ପ୍ରଥମ ଚଢ଼େଇ ଡେଣା ମେଲି ଉଡ଼ି ଯାଉଛି, ଦ୍ଵିତୀୟ ଚଢେଇ ପିଞ୍ଜରାବଦ୍ଧ, ଆଉ ତୃତୀୟ ଚଢେଇଟି ନୀଳ ଆକାଶରେ ଉଡୁଥିବା ଅବସ୍ଥାରେ ଶରବିଦ୍ଧ । ସେଦିନର ସେ କିଶୋରୀ ମନରେ ତୁ ଆଙ୍କିଥିବା ସେ ଚିତ୍ରରେ ତୁ କଣ କହିବାକୁ ଚାହୁଁଥିଲୁ ସତରେ?
       ମୋ ଚିଠି ତୋ ପାଖରେ ପହଞ୍ଚିବ ତ ମକର ? ତୁ କଣ ପଢିବୁ ମୋ ଚିଠି ? ଫେରନ୍ତା ଡାକକୁ ଚାହିଁ ରହିଲି ।  

****


2 thoughts on “ବେରିଙ୍ଗ ଚିଠି

  1. Manoj

    ସବୁଥର ପରି ଅତି ସୁନ୍ଦର ଗପ । ଏ ଗପରେ ଫେରି ଯାଇଛ ପିଲା ବେଳକୁ । କଥାହେଲା ଭଳି ଚିଠିଟିଏ। ଏଥିରେ କିନ୍ତୁ ଏନେକ realistic ଘଟଣା ବର୍ଣ୍ଣନା କରିଛ । ଇଛା ଥିଲେବି ଅନେକ କାର୍ଯ୍ୟ କୁ sacrifice କରିବାକୁ ପଡେ ପରିସ୍ଥିତି କୁ ନେଇ । ଦୁଇ ବନ୍ଧୁଙ୍କ ମଧ୍ଯରେ ଏତେ ବର୍ଷ ର ଘନିଷ୍ଠତା , ଏହା କେବଳ ଜଣେ ଅଭିଜ୍ଞ ଲେଖିକା ହିଁ ଲେଖି ପାରିବ।
    ଶେଷରେ ତିନିଟି ଚଢେଇ ରେ ତିନି ପ୍ରକାର ମଣିଷ। ଅତି ସୁନ୍ଦର ଭାବରେ ଶେଷ କରିଛ ।
    Thank you so much for uploading the story. Keep writing. 👍👍

    Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s