ଭୋକ

ଶାଳପତ୍ର ଠୋଲାରେ ପାଞ୍ଚ ଟଙ୍କାର ଘୁଗୁନି କିଣି ପୁଅକୁ ଧରେଇଦେଲା ଗୁରେଇ । ସେତିକିବେଳୁ ଛୁଆଟା ଡାହାଣାଙ୍କ ପରି ଚାହିଁ ରହିଥିଲା ପିତେଇ ସାହୁର ସେ ବଡ ରସ ହାଣ୍ଡିଟାକୁ । ତା’ ଭିତରେ ନାଲିପାଣିରେ ଡୁବ ଖାଉଥିବା ଚେପା ଗିନାଟିରେ ଦି’ଟା ଆଳୁ ଆଉ ହାତ ଗଣତି ମଟର୍ କେତେଟା ମଝିରେ ମଝିରେ ହାତ ବୁଡେଇ ଟାଣିଆଣୁଥିଲା ପିତେଇ । ତା ଉପରେ ଯନ୍ତ୍ର ଚାଳିତ ପରି ଛିଞ୍ଚି ଦେଉଥିଲା କଟା ପିଆଜ ସହିତ ଖୋଲାମେଲା ହୋଇ ପଡିଥିବା ପ୍ଲାଷ୍ଟିକ୍ ଡବା ଭିତରୁ କିଛି କିଛି ନାଁ ଅଜଣା ଗୁଣ୍ଡ । ଉପରେ ଛିଞ୍ଚାଡି ହୋଇ ପଡିଥିବା ନାମମାତ୍ର ଧନିଆପତ୍ର କେତେଟା ପୁରା ଦନାଟିକୁ କେମିତି ଗୋଟେ ଲୋଭିଲା ଲୋଭିଲା ରଙ୍ଗରେ ରଙ୍ଗେଇଦେଉଥିଲା । ପିତେଇର କହୁଣୀ ପର୍ଯ୍ୟନ୍ତ ଅଦୃଶ୍ୟ ହେଇଯାଉଥିବା ହାତଟିକୁ ସେଇ ତଳୁ ଚାହିଁରହିଥିଲା ଛୁଆଟା, ଆଉ ‘ମାଆ ମୁଁ, ମାଆ ମୁଁ ….’ – କହି କହି ଗୁରେଇର ପିନ୍ଧାଲୁଗାଟିକୁ ଝିଙ୍କି ପକାଉଥିଲା ।

ସାରା ସକାଳୁ ପୁଅକୁ ନେଇ ଘରୁ ବାହାରିଛି ଗୁରେଇ । ନିଜ ପେଟତ ଭୋକରେ ଗୁରାଣ୍ଡି ହୋଇପଡିଲାଣି – ଆଉ ଉତିଆଣି ପିଲାଟା ! ଗୁରେଇ କୋଳକୁ ଉଠେଇନେଲା ପୁଅକୁ । ଛାତିରୁ ଲୁଗା ଆଡେଇ ଶୁଖିଲା ଥନଟିରେ ମୁହଁ ଗୁଞ୍ଜିଦେଲା ପିଲାଟାର ।  ଆଉ ମାସକ ପରେ ତିନି ପୁରିବ ପୁଅକୁ । ରେକେଟି ରେକେଟି କ୍ଷୀରଟୋପେ ଦି ଟୋପା କାଢିନେଲାପରେ ଛୁଆଟା ପୁଣି ସେ ରସ ଡେକ୍ଚିଟାକୁ ଅନିଶା କଲା । ଧଳା ପାଣିଠୋପାଟିଏକୁ ଓଠରେ ଚାଟୁଚାଟୁ କ୍ଷୀଣ ସ୍ୱରରେ ମାଆ ପାଖରେ ସେଇ ଅପୁର୍ବ ଦ୍ରବ୍ୟଟିର ମାଗୁଣି କରୁଥିଲା ସେ ।

ଗୁରେଇ ଅଣ୍ଟାରେ ହାତ ମାରିଲା । ପାଞ୍ଚ-ଟଙ୍କିଟା ଖୋଷିଛି ଅଣ୍ଟାରେ । ଚାରି ବିଡା ଶାଗ, ଦି’ କିଲୋ ବଣସାରୁ, ଦଶଟା ଟମାଟୋ, ପୁଂଜାଏ କଞ୍ଚାଲଙ୍କା ବିକି ଟଙ୍କା କେତେଟା ପାଇଥିଲା । ଦାମ ଦୋକାନରେ ବାକି ପଇସା ସୁଝି ଦେବାପରେ ପାଞ୍ଚ ଟଙ୍କା ବଳିଥିଲା । ସେଇଥିରେ କିଣିବ ଚୂଡିମୁଠେ । ନାଲିଚୂଡି । ନଳି ନଳି ଦି’ ହାତକୁ ନିରିଖେଇ ଦେଖିଲା ଗୁରେଇ । ତା’ ହାତରୁ ଚୂଡିତକ ଭାଙ୍ଗିଦେଇ ବରଷକର ପୁଅକୁ କୋଳରେ ଛାଡିଦେଇ ମଣିଷଟା ଚାଲିଗଲାପରେ ଗୁରେଇ ନିଃସ୍ଵ ହୋଇପଡିଥିଲା । ପେଟକୁ ଦାନା ଗଣ୍ଡିଏ ଯୋଗାଡ କରୁକରୁ ପୁଅ ପାଇଁ ଗୁଣ୍ଡକ୍ଷୀର ଟୋପେ କେଉଁଠୁ ଆସିବ ଭାବିବା ଭିତରେ ତା’ ନିଜର ଲଙ୍ଗଳା ହାତଟାକୁ ଅନେଇବାକୁ ସମୟ କେଉଁଠୁ ପାଇଲା ଯେ ! ଆଜି ଏତେଦିନ ପରେ ଚୂଡିମୁଠେ କିଣିବ ବୋଲି ମନ କରିଥିଲା ସେ । ହାତକୁ ଚାହିଁଲା ଅନେକ ଦିନପରେ । ଖୁବ୍ ବେଶୀ ନିଆଶ୍ରୀ ଲାଗିଲା ଆଜି ନିଜ ହାତ ଦି’ଟା । ଚୂଡି ପିନ୍ଧିବାକୁ ବେଶୀବେଶୀ ମନହେଲା ତାର । ସେଇଥିପାଇଁ ତ ଏପଟ ସେପଟ ହେଉଥିଲା ହାଟ ମଝିରେ ।

ଘୁଗୁନି ବିକୁଥିଲା ପିତେଇ ସାହୁ । ପାଖରେ ବସିଗଲା ଘଡିଏ । ମାଜିଦେଲା ଦି ଚାରିଟା ରସ ହାଣ୍ଡି ଆଉ ବୋଝେ ଦରଭଙ୍ଗା କପ୍ ପ୍ଲେଟ୍ । ପିତେଇ ସାହୁର କରଜ ଟଂକା ଏବେବି ବାକିଅଛି ତା’ ଉପରେ । ଦେହଟା ଘୋଳେଇ ହୋଇଯାଉଥିଲା । ପୁଅଟାକୁବି ଭୋକ ହେବଣି । ଗୁରେଇ ଧିରେ ଅଧାଭଙ୍ଗା କାନ୍ଥ ପାଖରେ ପୁଅକୁ ବସେଇ ଦେଇ ଖୋଷଣୀ ହୁଗୁଳା କଲା, ପିତେଇ ହାତକୁ ପାଞ୍ଚ-ଟଙ୍କିଟା ବଢେଇ ଦେଇ ଶାଳ ପତ୍ରରେ ତେଲ ଜୁଡୁବୁଡୁ ଘୁଗୁନି ଠୋଲାଟେ ନେଇ ପୁଅ ହାତରେ ଧରେଇଦେଲା ଆଉ ତାକୁ ଆଉଜେଇନେଲା ନିଜ ଆଡକୁ । ରାସ୍ତା ସେପଟୁ  ଦି’ ଟା ବୁଲା କୁକୁରଙ୍କ ଡାହାଳ ଆଖି ନିବଦ୍ଧ ଥିଲା ପୁଅ ହାତର ସେ ଶାଳ ପତରର ଠୋଲାଟା ଉପରେ ।

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s