ଦେବୀ

ଏଥର ବି ଯଦି ଝିଅ ହୁଏ!! –
ଭୟରେ ଶିହିରୀ ଉଠୁଥିଲା ଗୁରେଇର ଦେହ ମୁଣ୍ଡ । ମଦ ପିଇ ଦେଲେ ଲୋକଟା ରାକ୍ଷସ ପାଲଟି ଯାଏ ସତରେ । ଥାନ ଅଥାନ ନମାନି ପିଟି ପକାଏ । ଝିଅ ତିନୋଟିଙ୍କ ପ୍ରତି ବି ନିର୍ଦ୍ଦୟ ହୋଇପଡେ । ବାପ ହୋଇ ଏମିତି ଅମଣିଷ କେମିତି ହୋଇଯାଏ ଭବାନୀ !
ମାସେ ହେଲାଣି ମାଆ ଦୁର୍ଗାଙ୍କର ମୂର୍ତ୍ତି ଗଢ଼ୁଛି ଭବାନୀ । ମାଲିକର ସର୍ତ୍ତ ଥିଲା ମୂର୍ତ୍ତି ଗଢ଼ିବା ବେଳେ କାରିଗରକୁ ନିଶା ପାଣିଠାରୁ ଦୂରେଇ ରହିବାକୁ ହେବ । ପ୍ରଥମେ ଏଇ କଥାରେ ଟିକେ ଗୁଁ ପୁଁ ହେଉଥିଲା ଭବାନୀ । ତା’ ହାତ ଭଲ । କଲିକତାରୁ ସେ ଶିଖି ଆସିଛି ବେଶ୍ କେତୋଟି ସୁନ୍ଦର କୌଶଳ । ସେଇଥିପାଇଁ ତ ମୂର୍ତ୍ତି କାରିଗର ଭାବରେ ତା ନାଆଁ ଡାକ । ନିଜ ସାହି ଭିତରର କାମ, ପୁଣି ମାଲିକ ବି ରାଜନୀତିରେ ସକ୍ରିୟ, ତେଣୁ ବାହାରେ ଅଧିକ ପଇସା ପାଇବାର ସମ୍ଭାବନା ଥିଲେ ମଧ୍ୟ ଭବାନୀ ମନା କରିପାରୁନଥିଲା । କିନ୍ତୁ ମାଲିକର ଏ ଅଦ୍ଭୂତ ସର୍ତ୍ତ ପରେ ଦ୍ଵନ୍ଦ୍ଵରେପଡି ହଁ ବି କରିନଥିଲା ।
ଦୁଇଦିନ ଖୁବ୍ ଘାଣ୍ଟି ହେଲା ଭବାନୀ । ଶେଷରେ ମନା କରିଦେଇ ଆସିଲା ମାଲିକକୁ । ବରଂ ବାହାରେ କାମ ନେବ । ଅଧିକ ପଇସା ବି ପାଇବ । ତାକୁ କଣ କାମ ଅଭାବ ହୋଇଛି ? ନାଲିପାଣି ଟିକେ ପେଟରେ ପଡିଗଲେ ତା ଦେହରେ ହାତୀର ବଳ ପଶେ ।
ମାଲିକର ସର୍ତ୍ତ ଶୁଣି ଗୁରେଇ କିନ୍ତୁ ଖୁବ୍ ଖୁସି ହୋଇଥିଲା । ମାଆ ତାକୁ କୃପା-ଦୃଷ୍ଟି ପକେଇଲେ ଭାବି ଦୁଇ ହାତ ଯୋଡ଼ି ମନେ ମନେ କେତେନା କେତେ କୃତଜ୍ଞତା ଜଣେଇଥିଲା ମାଆଙ୍କୁ । ଭବାନୀ ପାଖରେ ନେହୁରା ହେଲା । ନିଜ ସାହିରେ କାମ ନେଲେ ରାଜନୀତିଆ ମାଲିକ ହୁଏତ କେଉଁଠି ନା କେଉଁଠି ସ୍ଥାୟୀ କାମରେ ଲଗେଇଦେବ । ବାସ୍ ଖାଲି ମାଲିକର ମନ ନେଇ ଜାଣିଲେ ହେଲା ।
– ‘ଜାଣିଛୁ, ମଦ ନ ପିଇଲେ ମୋର ଜୀବ ଛାଡ଼ିଯିବ । ଏ ଜିନିଷ ଥରେ ଅଭ୍ୟାସ କଲେ ଛାଡ଼ିବା ସହଜ ନୁହେଁ’ – ଭବାନୀ ବୁଝାଇବାକୁ ଚେଷ୍ଟା କରିଥିଲା ତାକୁ ।
ଗୁରେଇ ତା’ ବାବୁଆଣୀଙ୍କ ସହ କଥା ହୋଇଛି । ବାବୁ ଡାକ୍ତର । ଭବାନୀ ମଦ ପିଇ ତାକୁ ପିଟା ପିଟି କଲେ ବାବୁଆଣୀ ଭାରି ମନ କଷ୍ଟ କରନ୍ତି । ଗୁରେଇ ପାଇଁ ଦୁଃଖୀ ହୁଅନ୍ତି । – ‘ଗରୀବ ଘରେ ଏ ସବୁ ଦେହସୁହା ମାଆ । ମୋ ପାଇଁ ତୁମେ ଭାବନି’ – କହି ନିଜ ଦେହର ଯନ୍ତ୍ରଣା ଲୁଚାଏ ସିନା ବାବୁଆଣୀଙ୍କ ସ୍ନେହ ଆଦର ଭିତରେ ଗୁରେଇ ଆଦୌ ଲୁଚେଇ ପାରେନା ତା’ ଆଖିର ଲୁହ । ବାବୁଆଣୀ ଲୁହ ପୋଛି ଦେଇ ଔଷଧ ଦିଅନ୍ତି । ସେ ଔଷଧ ନୁହେଁ, ବାବୁଆଣୀଙ୍କ ସ୍ନେହ-ବୋଳା କଥାରେ ହିଁ ଗୁରେଇ ଦେହରୁ ପରାଶ ଛାଡ଼ିଯାଏ ।
– ‘ସେତକ ଦିନ ମଦ ଛାଡ଼ିଦେବ ଭବାନୀ । ମଦ ଛାଡ଼ିଦେଲେ ହିଁ ସେ ମାଆ ଦୁର୍ଗାଙ୍କର ମୂର୍ତ୍ତି ଗଢି ପାରିବ’ – ବାବୁ ବାବୁଆଣୀଙ୍କୁ କହିଥିଲା ଗୁରେଇ । ମନ ତାର ଖୁସିରେ ନାଚି ଯାଉଥିଲା । ବାବୁ କିଛି ଔଷଧ ଦେଇଥିଲେ ଆଉ ତା ସହିତ ନିଶା-ନିରାକରଣ କ୍ୟାମ୍ପର ଫର୍ମଟିରେ ଦସ୍ତଖତ କରାଇ ଆଣିବାକୁ ପରାମର୍ଶ ଦେଇ ଫର୍ମଟିଏ ବି ଦେଇଥିଲେ ତା’ ହାତରେ ।
ବହୁତ୍ କାକୁତି ମିନତି କରିବାପରେ ଭବାନୀ ଔଷଧ ପୁଡାଟା ନେଇଥିଲା ତା’ ହାତରୁ । ପରେ ପରେ ଯାଇ ମାଲିକଙ୍କୁ ମୂର୍ତ୍ତି ଗଢିବା ପାଇଁ ସମ୍ମତି ବି ଦେଇ ଆସିଥିଲା । ମାସେ ହେଲାଣି ମୂର୍ତ୍ତି ଗଢୁଛି ଭବାନୀ । ନିୟମିତ କ୍ୟାମ୍ପକୁ ଯାଉଛି, ଔଷଧ ବି ଖାଉଛି। ରାତି ଅଧରେ ଘରକୁ ଫେରିବା ପରେ ପୁଣି ପାହାନ୍ତିଆକୁ ପଖାଳ ଗଣ୍ଡେ ଖାଇଦେଇ କାମକୁ ବାହାରି ଯାଉଛି । ଦେବୀଙ୍କ ମୂର୍ତ୍ତି ଗଢିବାର ଟିକିନିଖି ଅନୁଭୁତି ଗୁରେଇ ଆଗରେ କହିଲା ବେଳେ ନିଜ ଭିତରେ ସୃଷ୍ଟି ହେଉଥିବା ପରିବର୍ତ୍ତନକୁ ସେ ଲକ୍ଷ୍ୟ କରିପାରୁଛି କି ନା କେଜାଣି, ଗୁରେଇ କିନ୍ତୁ ଅନୁଭବ କରିପାରୁଛି ଭବାନୀ ଭିତରର ଏ ନୂଆ ରୂପକୁ । ପ୍ରତିମା ଗଢା ସରିଲାଣି । ଏଥର ଭବାନୀ ଖଞ୍ଜିଦେବ ମାଆଙ୍କ ହାତରେ ଅରି ନାଶନର ଅସ୍ତ୍ରଶସ୍ତ୍ର ସବୁ ।
ଗୁରେଇର ପୁରା ବିଶ୍ଵାସ, ମାଆ ଏଥର ସନ୍ତୁଷ୍ଟ ହୋଇଛନ୍ତି ତା’ ପରିବାର ଉପରେ । ଝିଅ ତିନୋଟି ପରେ ଏଥର ମାଆଙ୍କ କୃପାରୁ ପୁଅଟିଏ ହୁଅନ୍ତା କି ! ଅସଜ ଦେହଟାରେ ଖୁନ୍ଦି ହୋଇ ଯାଉଥିଲା ବଳ ଆପଣା ଛାଏଁ । ଆଜିକାଲି ବାବୁଘରେ କେବଳ ଉପୁରିଆ କାମ କିଛି କରୁଛି ସେ । ରୋଷେଇୟା ଟୋକାଟାକୁ ବାବୁଆଣୀ ସବୁକାମ କରିବାକୁ କହୁଛନ୍ତି । ବାବୁ ଘରେ ଦିନବେଳା ଖାଉଛି ସେ । ଭଲ ଖାଇବାକୁ ଦେଉଛନ୍ତି ବାବୁଆଣୀ । ଗୁରେଇ ନିଜ ପେଟର ଏ ପିଲାଟାକୁ ନେ଼ଇ ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଛି ।
ଝିଅ ମାନଙ୍କୁ ନେଇ ଭବାନୀର ଅସନ୍ତୋଷ ମଦ ପିଇଦେଲା ପରେ ପ୍ରକାଶ ପାଏ । ନିଜ ଭିତରେ ଲୁଚିଥିବା ରାକ୍ଷସଟା ପଦାକୁ ବାହାରି ଆସେ । ଓଃ, କି ଆକଥନୀୟ ଭାଷାରେ ଗାଳିଦିଏ ସେ ଗୁରେଇକୁ ! ତା ଉପରେ ପୁଣି ଲହୁଲୁହାଣ କରି ପିଟେ । ମଦ ପିଇଦେଲା ପରେ ଭବାନୀ ଅମଣିଷ ହୋଇଯାଏ । ଏଇ ମୂର୍ତ୍ତି ଗଢ଼ିବାପାଇଁ ମଦ ଛାଡ଼ିଦେବା ପରେ ଗୁରେଇ ପାଇଁ ସତେ ଯେମିତି ସେ ପାଲଟି ଯାଇଛି ଏକ ଭିନ୍ନ ମଣିଷ । ତା’ ଭିତରୁ ଅପସରି ଯାଇଛି ସବୁ ପଶୁପ୍ରବୃତ୍ତି । ମାଆ ଦୁର୍ଗାଙ୍କୁ ମହିଷମର୍ଦ୍ଦିନୀ, ଦୂର୍ଗତିନାଶିନୀ ରୂପରେ ସଜେଇ ଗୋଟି ଗୋଟି କରି ତାଙ୍କ ହାତରେ ଅସ୍ତ୍ର ଖଞ୍ଜି ଦେଉ ଦେଉ ଭବାନୀ ଭିତରର ଅସୁରଟି ସତେ ଯେମିତି ବଳି ପଡିଯାଇଛି ସବୁଦିନପାଇଁ !
– ‘ଏଥର ବି ଯଦି ଝିଅଟିଏ ହୁଏ?’ – ଅତି ସନ୍ତର୍ପଣରେ ଭବାନୀକୁ ବିଛଣାରେ ପଚାରିଲା ଗୁରେଇ ।
ଶାନ୍ତ ଭାବରେ ଭବାନୀ କହିଲା, ‘ତା ନାଁ ଦେବା, ଦେବୀ’ ।
ଗୁରେଇ ଛାତିତଳେ ଆଶାର ସୁଅ କୂଳ ଲଂଘୁଥିଲା । ରାତି ବୋଧେ ପାହି ଆସୁଥିଲା ।

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s