“ଛୁଆଟେ – ସେ ଅବା କଣ ବୁଝିବ?” – ବାପାଙ୍କ ସ୍ୱର ନରମ ଶୁଣା ଯାଉଥିଲା ।
ମାଆ ବୋଧହୁଏ ବୁଝୁନଥିଲେ । ବିରକ୍ତି ତାଙ୍କ ସ୍ୱରକୁ ଅଧିକ ଋକ୍ଷ କରିଦେଉଥିଲା ।
ପୀହୁ ଦୁଇ ହାତରେ ବନ୍ଦକରିଦେଲା କାନ । ଉଦାସ ହୋଇ ଯାଉଥିଲା ତା’ ମନ । ଆଖିରେ ଚିକ୍ ମିକ୍ ହେଉଥିଲା ଲୁହ ଦି’ ଟୋପା । ଫ୍ରକ୍ ର ଘେରକୁ ଉଠେଇ ନେଇ ଆଖି କୋଣରୁ ଲୁହତକ ପୋଛି ନେଲା ସେ । ଏଥର ଚଢ଼ିଗଲା ଖଟ ଉପରେ ଆଉ ସେ ଆଙ୍କିଥିବା ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବାରେ ଲାଗିଲା । ତଳୁ ହାତ ପାଉନଥିବା ଅଧା ଅଙ୍କା ଘରଟିର ମଥାନ ଆଙ୍କିବାରେ ମନ ଦେଲା ସେ । ଆଙ୍କିଲା ମଥାନ ଆଉ ମଥାନ ଉପରୁ ଆକାଶକୁ ମୁହଁ କରି ଉଡିଯାଉଥିବା ପକ୍ଷୀ ଦୁଇଟି । ଖଟ ଉପରେ ଚଢ଼ିଗଲା ପରେ ତା’ ହାତ ଖୁବ୍ ସହଜରେ ପହଞ୍ଚି ପାରୁଥିଲା କାନ୍ଥରେ ସେ ଆଙ୍କୁଥିବା ଚିତ୍ରଟି ପାଖରେ । ଚିତ୍ରଟି ବେଳକୁ ବେଳ ଜୀବନ୍ତ ହୋଇ ଉଠୁଥିଲା ତା’ ନିଜ କଳ୍ପନାର ପରିଧି ଭିତରେ ।
ପ୍ରତିଥର ପରି ଏଥର ବି ତ ସେ ଅପେକ୍ଷା କରି ବସିଥିଲା ବାପାମାଆଙ୍କର ବାଟକୁ । ସତେ କଣ ଏମିତି ଦିନଟିଏ ଆସିବ କେବେ ?? ସତେ କଣ ତାର ପ୍ରତୀକ୍ଷା ଶେଷ ହେବ?
ବାପା ମାଆଙ୍କୁ ଅପେକ୍ଷା ରଖେ ପୀହୁ । କୁଆଡେ଼ ଯାଆନ୍ତି ଯେ ସେମାନେ ? ଖୁବ୍ ଗେହ୍ଲା ହେବାକୁ ଇଛା ହୁଏ ପୀହୁର ସେମାନଙ୍କ ପାଖରେ ।
– “ପୀହୁ ବହୁତ୍ ଦୁଷ୍ଟ । ଏମିତି ଦୁଷ୍ଟ ଝିଅଟିକୁ ମୁଁ ଆଦୌ ସମ୍ଭାଳି ପାରିବିନି “। ମାଆ ଚିତ୍କାର କରି କହିଥିଲେ ।
ଖଟ ଉପରୁ ଓହ୍ଲେଇ ଆସି ବାଲକୋନୀର ଲୁହା ବାଡ଼ ଫାଙ୍କଦେଇ ତଳ ମହଲା ଆଡକୁ ନିରେଖି ଚାହିଁଲା ପୀହୁ । ବାପାମାଆଙ୍କ ପ୍ରତୀକ୍ଷାରେ ଏଇଠି କେତେ କେତେ ମୁହୂର୍ତ୍ତ କାଟିଛି ସେ । ‘ଆଜି ବି କଣ ମାଆ ଫେରିଯିବେ? ବାପା ବୁଝେଇ ପାରିବେନି ମାଆଙ୍କୁ’? ଦୋଷୀ ଦୋଷୀ ଲାଗୁଥିଲା ନିଜକୁ ।
ଆଜି ସେ ପୁଣି ଦୁଷ୍ଟାମୀ କରିଥିଲା, ନା ସେ ଥିଲା ତାର ଶିଶୁସୁଲଭ ଚପଳତା ? ମାଆଙ୍କ ଉପରେ ଚଢ଼ିଯାଇ ତାଙ୍କ ଜୁଡ଼ା ଖୋଲି ଦେଇଥିଲା । ଖୋଲା କେଶରେ କେତେ ସୁନ୍ଦର ଦିଶୁଥିଲେ ମାଆ । ସତେକି, ପରୀ କାହାଣୀର ରାଜରାଣୀ । ଏମିତି ରୁପରେ ତ ତା’ ସ୍ବପ୍ନରେ ଆସନ୍ତି ମାଆ । କାହିଁକି ରାଗିଗଲେ ଯେ ସେ ?
– “ଓଃ, କେତେ ଅସଭ୍ୟ ଝିଅଟା “। ମାଆ ଚିତ୍କାର କରିଥିଲେ । “ଅପରିଷ୍କାର ଝିଅଟା, ସିଧା ଚଢ଼ିଯାଉଛି ଉପରେ । କେହି ତାକୁ ଶିଷ୍ଟାଚାର ଟିକେ ଶିଖାଉନ କାହିଁକି”? କହୁ କହୁ ଦୁଇ ହାତରେ ଖୋଲା କେଶତକ ଗୋଟେଇ ନେଇ ପୁଣିଥରେ ନିଜର ଜୁଡା ବନ୍ଧିନେଲେ ସେ । ପୀହୁକୁ ଜୋର୍ କରି ଓହ୍ଲେଇ ଦେଇଥିଲେ କୋଳରୁ। କେତୋଟି ମୁହୂର୍ତ୍ତ ଚୁପ୍ ଚାପ୍ କବାଟ କୋଣରେ ଠିଆ ହୋଇଥିଲା ପୀହୁ । ତାପରେ ଚାଲି ଆସିଥିଲା ନିଜ କୋଠରୀକୁ ।
ଦୁମ ଦୁମ ହୋଇ ପାହଚ ଓହ୍ଲେଇ ତଳ ମହଲାକୁ ଫେରି ଯାଇଥିଲେ ମାଆ । ତାଙ୍କ ପଛେ ପଛେ ବାପା । ପୀହୁ ଦୁଷ୍ଟ ଝିଅ ନୁହେଁ ଆଦୌ, କିନ୍ତୁ କଣ ପାଇଁ କେଜାଣି ସେ କରୁଥିବା କାମସବୁକୁ ଦୁଷ୍ଟାମୀ ନା ଦିଆଯାଉଛି ? ଏଥର ସୁନା ଝିଅଟିଏ ହୋଇଯିବ ଭାବିଥିଲା ପୀହୁ । ତା’ ର ସବୁ କାର୍ଯ୍ୟକଳାପକୁ ସଂଯତ କରିବ । ପ୍ରସ୍ତୁତ ବି କରିଥିଲା ନିଜକୁ । କେଜାଣି କାହିଁକି ବାପମାଆଙ୍କୁ ଏକାଠି ଦେଖି ଭୁଲିଗଲା ସବୁକିଛି ।
ମୁଖ୍ୟ ଫାଟକ ଖୋଲି ବାହାରି ଯାଉଥିଲେ ମାଆ , ତାଙ୍କ ପଛେ ପଛେ ବାପା । ଗଡି ଆସୁଥିବା ଲୁହଧାରକୁ ଧିରେ ପୋଛିନେଲା ପୀହୁ ।
ସେ କାନ୍ଥରେ ଆଙ୍କିଥିବା ଚିତ୍ରଟିକୁ ଦେଖି ଆୟାମା’ ବିରକ୍ତ ହୋଇନଥିଲେ ଆଜି । କାହିଁକି କାନ୍ଥ ଖରାପ କରୁଛୁ ବୋଲି କହିନଥିଲେ ସବୁଥର ପରି । ବରଂଚିତ୍ରଟିରେ ସେ ଆଙ୍କିଥିବା ମଣିଷ ଆକୃତିର ଦୁଇଟି ରେଖାଚିତ୍ରକୁ ହାତରେ ଛୁଇଁ ପଚାରିଥିଲେ,”ଏଇଟି କଣ ଆଙ୍କିଛୁ ପୀହୁ? ତୁ ଆମର ସୁନା ଝିଅ ।
ଏଥର ପୁଣି କାହିଁକି ଦୁଷ୍ଟ ହେଲୁ ? ତତେ ଝିଅକରି ନେଇଯିବାକୁ ଆସିଥିବା ସେ ଦୁଇଜଣ ବି ଏଥର ଫେରିଗଲେ”।
ପୀହୁ ବୁଲିପଡ଼ି ଚାହିଁଲା ଆୟମା’ ଙ୍କୁ । ତାର କୁନି ହାତରେ ଗେଲଟିଏ କରି ଆୟାମା’ କହିଲେ,”ତତେ କେମିତି ବୁଝେଇବିରେ ମାଆ, ତୋ ପାଇଁ ଘରଟିଏ ଲୋଡା । ନିରାପଦ ଆଶ୍ରୟଟିଏ ହେବ ସେ ତୋ ପାଇଁ । ଏଇ ଅସ୍ଥାୟୀ ଅନାଥାଶ୍ରମ ତୋ ଘର ହୋଇପାରିବନି କେବେ। କାହିଁକି ଏମିତି ଦୁଷ୍ଟାମୀ କଲୁ ଆଜି?”। ପୀହୁ ବୁଝିପାରୁନଥିଲା କି ଦୁଷ୍ଟାମୀ ସେ କଲା?
ଧରିଥିବା କଳା ରଙ୍ଗର କ୍ରେୟନ୍ ଟିକୁ ଆସ୍ତେ ଛୁଏଁଇନେଲା ଆୟମା’ ଦେଖାଉଥିବା ସେ ରେଖା ଚିତ୍ର ଦୁଇଟି ଉପରେ ପୀହୁ ଆଉ ଗାରେଇ ଦେଇଗଲା ସେ ଚିତ୍ରମଣିଷ ଦୁଇଟି ଉପରେ। କଳା ରଙ୍ଗର ଗାରଗୁଡିକ ପଛପଟେ ଲୁଚି ଯାଇଥିଲେ ସେ ଦୁହେଁ । ଲୁହା ଫାଟକ ବନ୍ଦ ହେବାର କ୍ଷୀଣ ଶଦ୍ଦଟିଏ ଦୂରରୁ ଭାସି ଆସି ପବନରେ ମିଳେଇ ଯାଇଥିଲା।
(ଏପ୍ରିଲ 03, 2023 ‘କ୍ରାନ୍ତିଧାରା’ରେ ପ୍ରକାଶିତ)
ଏ ଗପଟି ପଢି ନଥିଲି ସୁଚିତ୍ରା।ଭାରି ଭଲ ଲାଗିଲା ଏ ଗପ।ତମେ ଏମିତି ଛୋଟ ଗପ ଭିତରେ ବଡ କଥା ଟିଏ କହିବାରେ ଦକ୍ଷ ହେଇ ଯାଇଛ। ଗପର ଭାବ ବସ୍ତୁଟି ଏତେ ଉଚ୍ଚତାର, ଅଥଚ ତମ ପାଖରେ ବୁଣିବା ପାଇଁ ଟିକିଏ ଧୈର୍ଯ୍ୟ କମି ଯାଉଛି ଏବେ। ଆଉ ଟିକିଏ ସମୟ ଦିଅ । ଏ ଗପ ସବୁ କେତେ ଭଲ, ଅଥଚ ତମେ ଗପକୁ ସାରିବା ପାଇଁ ବ୍ୟଗ୍ର। ଖୁବ୍ ସ୍ନେହ ଓ ଶୁଭେଚ୍ଛା ମୋର।
LikeLike
ବହୁତ ବହୁତ ଧନ୍ୟବାଦ ହୀରଣ୍ମୟୀ । ପ୍ରତୀକ୍ଷା ଓ ମିଠାସ୍ୱର ଗପ ଦୁଇଟି ଲେଖିବା ସମୟରେ ସଂପାଦକ/ସଂପାଦିକାଂକର ଅନୁରୋଧକ୍ରମେ ସୀମିତ ଶବ୍ଦରେ ବାଂଧିବାକୁ ହେଲା ମୋର ଭାବନାକୁ । ୭୦୦/୮୦୦ଶବ୍ଦକୁ ଚେଷ୍ଟାକରି ସଂକୁଚିତ କଲି ୫୦୦/୫୫୦ଶବ୍ଦରେ । ତୁମ ମତାମତ ମତେ ଉତ୍ସାହିତ କଲା । ଏଇ ଗପ ଗୁଡିକୁ ପୁଣିଥରେ ଲେଖିବି ନିଶ୍ଚୟ । ଅସରନ୍ତି ସ୍ନେହ ଓ ଶୁଭେଚ୍ଛା ତୁମପାଇଁ ।
LikeLike