ମିଠା ସ୍ୱର

ପାଣି ଗ୍ଲାସ୍ ଟା ଟେବୁଲ୍ ଉପରେ ଏକରକମ କଚି ଦେଇ ସୁରୁଚି ଦୁମ୍ ଦୁମ ହୋଇ ଚାଲିଗଲେ ରୋଷେଇ ଘର ଭିତରକୁ । ବାବାରେ ଆଜି କଣ ଏତେ ରାଗ ! ଅଫିସ ଯିବାକୁ ପ୍ରସ୍ତୁତ ହେଉଥିଲି ମୁଁ । ଶ୍ରୀମତୀଙ୍କ ରାଗ ଦେଖି ନଦେଖିଲା ପରି ଜଳଖିଆ ଖାଇବାରେ ମନ ଦେଲି । ସୁରୁଚି ଚୂଲି ପାଖରେ ପ୍ଲାଟଫର୍ମ ଉପରେ ରଖିଥିବା ଫୋନ୍ ଟିକୁ ଉଠେଇ ଆଣି ମୋ ଆଡକୁ ଆସୁଥିଲେ ହଠାତ୍ ରହିଯାଇ ପଛକୁ ବୁଲିଗଲେ ଆଉ ବାଲକୋନୀକୁ ଚାଲିଗଲେ । ମୁଁ ଆଶ୍ବସ୍ତ ହେଲି ।
     ଅଫିସ୍ ରେ ପହଞ୍ଚିବା ପରେ ପରେ ଦୁଇଟା ମିଟିଂ ହେବାର ଅଛି । ସେଥିପାଇଁ ଏମିତିରେ ମୋ ମନଟା ଟିକେ ଭାରାକ୍ରାନ୍ତ ଅଛି ତା ଉପରେ ସୁରୁଚିଙ୍କର ଝିକ୍ ଝିକ ଶୁଣିବାକୁ ମୁଁ ଆଦୌ ପ୍ରସ୍ତୁତ ନଥିଲି । ବାଲକୋନୀରୁ ସୁରୁଚିଙ୍କ ପାଟି ଭିତର ଘର ଯାଏଁ ଭାସି ଆସୁଥିଲା । କଥା ତ ନୁହେଁ କାହା ଉପରେ ବିଷ ଉଗାଳୁଥିଲେ ଯେମିତି । ମନଟା ଖରାପ ହେଇଗଲା । ମାମାର ପାଟିଶୁଣି ନିଜ କୋଠରୀରୁ ବହାରିଆସୁଥିବା ଝିଅ ଖୁସି ଫେରିପଡ଼ି ପୁଣି ଭିତରେ ପଶିଗଲା । ତା’ କାନରେ ତ ଇଅର୍ ଫୋନ୍ ଲାଗିଥିଲା , ମାମାର ପାଟି ତାକୁ ଶୁଣା ଯାଇନଥିବ ।” ଖୁସି, ଏ ଖୁସି” ମୁଁ ବଡ଼ ପାଟିରେ ଡାକପକେଇଲି । ସେ କିନ୍ତୁ ସେତେବେଳକୁ ତା’ କୋଠରୀର ଦୁଆର ଆଉଜେଇ ନେଇଥିଲା । କିଛି ସମୟ ପରେ ମୋ ଫୋନରେ ଖୁସିର ମେସେଜ ଆସିଲା । ‘ମାମାକୁ କହିଦେବ ମୁଁ ଏବେ କଲେଜ ଯାଉଛି ମୋର ଆଜି ଫେରିବାକୁ ଡେରିହେବ । ସାଙ୍ଗର ବାର୍ଥ ଡେ ପାର୍ଟି ଅଛି’ । ଓଃ, ଏଇ କଥା କହିବାକୁ ତା’ କୋଠରୀରୁ ବାହାରିଥିଲା ଖୁସି । ମାଆକୁ କାଳିଶି  ଲାଗିଥିବାର ଦେଖି ଫେରି ଚାଲିଗଲା ।
       ମନଟା ବହୁତ୍ ଖରାପ ହୋଇଗଲା । ଘରଭିତରେ ଆମେ ତିନିଜଣ ମଣିଷ ।  ପରସ୍ପର ସହ ଦି’ପଦ କଥା ହେବା ପାଇଁ ଆମ ପାଖରେ ସମୟ ନାହିଁ । ନିଜ ନିଜ ଫୋନ୍ ସହ ଯୋଡି ହୋଇ ମିଛ ସମ୍ପର୍କର ପ୍ରହେଳିକା ଭିତରେ ସତ ସମ୍ପର୍କକୁ ଶିଥିଳ କରିସାରିଲୁଣି । ଆଜି ଖୁସି ବୋଧହୁଏ ମୋ ପାଖରେ ବସିଥାଆନ୍ତା , କେଜାଣି ହୁଏତ ମୋ ସହ ଏକାଠି ଜଳଖିଆ ଖାଇଥାଆନ୍ତା  । ଖୁସିର ଲହରୀଟିଏ ଖେଳିଗଲା ମୋ ଆଖପାଖରେ, ଆଉ ନିମିଷକରେ ଦୂରେଇ ଗଲା ଗୋଟେ ହାଲ୍କା ସୁଖର ସ୍ପର୍ଶ ଦେଇ । ସୁରୁଚିଙ୍କ ଉପରେ ରାଗଟା ଆଉ ଟିକେ ବଢ଼ିଗଲା । ଟିନଏଜ୍ ରେ ଝିଅ । ତା’ ପାଖରେ ବସି ତା’ ମନକଥା ଟିକେ ବୁଝିବ କଣ ଆ’ ତା’ ସଙ୍ଗେ କଳି କରି ବେଳ ଗଲା ।
“ହଇଓ , କାହା ସାଙ୍ଗେ ସକାଳୁ ଲଗେଇଛ? ଖୁସି ପରା ତୁମକୁ କିଛି କହୁଛି” । ସୁରୁଚିଙ୍କ ଉଦ୍ଦେଶ୍ୟରେ ପାଟି କରି କହିଲି ମୁଁ ।
“ସେଇ ମାଳତୀକୁ ଫୋନ୍ କରିଥିଲି । ତା’ ପୁଅ ଧରିଲା ଫୋନ୍ । ଭଲକରି ଗାଳି ଦେଇଛି ତାକୁ । ଆଜିକୁ ଚାରିଦିନ ହେଇଗଲା କାମ କରିବାକୁ ଆସୁନି ।
ହଁ, ତୁମର କଣ ଅଛି? ତୁମେ ତ ମଠରେ ଖାଇ ଖଟରେ ଶୋଇବା ଲୋକ” । ସୁରୁଚିଙ୍କ କଥା ଗୁଡାକ ଗଳି ଯାଉଥିଲା ମୋ ଦେହରେ ।
“ଏ ଘରେ କିଏ କାହାକୁ ମିଠା କଥା ପଦେ କହୁଛି”? ମୁଁ ଟିକେ ଚିଡ଼ିଯାଇ କହିଥିଲି ସୁରୁଚିଙ୍କୁ ।
ନିଜ କୋଠରୀରୁ ବାହାରକୁ ଆସିଥିଲା ଖୁସି । କାନରେ ଇୟର ଫୋନ ମାଧ୍ୟମରେ କାହାକୁ କିଛି କହୁ କହୁ ଦାଣ୍ଡ ଦୁଆର ଦେଇ ବହାରିଯାଇଥିଲା । “ଆରେ, ତୁ କଣ କଲେଜ୍ ଗଲୁଣି । କେତେବେଳେ ଫେରିବୁ “? ସୁରୁଚି ତା ପଛରେ ଗୋଡ଼େଇ ଯାଇ ପଚାରୁଥିଲେ । ଖୁସି ଚାଲିଗଲା ପରେ ସେ ଫେରି ଆସି ବସିଲେ ଚଉକି ଉପରେ ।” ତା’ ସାଙ୍ଗର ଜନ୍ମଦିନ । ପାର୍ଟି ଅଛି । ଫେରୁ ଫେରୁ ଡେରି ହେବ । ମେସେଜ କରିଛି ମତେ । ମେସେଜ କରିଛି । କଥା କହିବାକୁ କି ଶୁଣିବାକୁ କିଏ ଅଛି ଏଠି ଯେ ସେ କହିବ ବା ଶୁଣିବ “? ଏତକ କହିଦେଲା ପରେ ମତେ କେମିତି ଟିକେ ଆଶ୍ବସ୍ତ ଲାଗିଲା । ବୋଧହୁଏ ଅନେକ ଦିନ ହେଲା ଏମିତି କିଛି କହିବି ବୋଲି ଭାବୁଥିଲି, କହିପାରିନଥିଲି  । ସୁରୁଚି ଦୋଷୀ ପରି ସଙ୍କୁଚିତ ହୋଇ ପଡୁଥିଲେ । ଏକା ନିଃଶ୍ୱାସରେ କଥାଗୁଡା କହିଦେଇ ମୁଁ ଅଫିସ୍ ଯିବାକୁ ପ୍ରସ୍ତୁତ ହେଲି।
  ” ଗ୍ରୁପ୍ ରେ ମେସେଜ ଆସିଛି, ଆଜି ବି ମାଳତୀ କାମକରିବାକୁ ଆସିବନି” । ସୁରୁଚି ଟିକେ ନରମ ସ୍ଵରରେ କହିଲେ।
“ବାଲକୋନୀକୁ ଯାଇ କାହାକୁ ଗାଳି ଦେଉଥିଲ”? ମୁଁ ଆଉ କିଛି କହିବା ଆଗରୁ ପୁଣିଥରେ ତାଙ୍କ ସ୍ୱର କର୍କଶ ଶୁଣା ଗଲା । “ତୁମକୁ ତ ଖାଲି ମୋ ପାଟି ଶୁଣା ଯାଉଛି “… ଏଥର ଟିକେ କରୁଣ ବି ଶୁଣା ଗଲା ତାଙ୍କ ସ୍ୱର । “ଚାରିଦିନ ହେଲା କାମ କରି କରି ହାଲିଆ ହୋଇ ଗଲିଣି। ଆଜି ବି ମହାରାଣୀ ଆସିବେନି । ନିଳୀମା ତାକୁ ଗତ ସପ୍ତାହରେ ପୁରୁଣା  ସ୍ମାର୍ଟଫୋନ୍ ଟେ ଦେଇଥିଲା । ସେଇଥିରେ ମେସେଜ ପଠେଇ ଦେଉଛି ସକାଳୁ ସକାଳୁ । କାନ୍ଦ କାନ୍ଦ ହୋଇ କହୁଥିଲେ ସୁରୁଚି । ଏଥର କାହିଁକି କେଜାଣି ତାଙ୍କ ସ୍ୱର ମତେ ଅଲଗା ଲାଗିଲା । ମୁଁ ଟିକେ ସହାନୁଭୂତିଶୀଳ ମନ ନେଇ ଶୁଣିଲି ତାଙ୍କ କଥା ଏବେ । ସେଥିପାଇଁ ବୋଧେ ତାଙ୍କ ସ୍ୱର ମତେ ସ୍ପର୍ଶ କଲା । ଠିକ୍ ତ, ଅପର ମଣିଷଟି ପ୍ରତି ସମ୍ମାନବୋଧ, ସମ୍ବେଦନଶୀଳତା ହିଁ ସ୍ୱରରେ ଆପଣାପଣଭରେ । ମିଠା ମିଠା କଥାସବୁ ଆପେ ଆପେ କହିହୋଇଯାଏ ପ୍ରିୟ ଲୋକଟି ପାଖରେ। ସେଇଥିରେ ସମ୍ପର୍କ ଦୃଢ଼ ହୁଏ।
“ସବୁବେଳେ ତା’ ନାଁରେ କମ୍ପ୍ଲେନ୍ କରୁଛ । ଛାଡି ଦେଉନ ତା’କୁ । ଆଉ କାହାକୁ ଠିକଣା କର “। ଟିକେ କଅଁଳେଇ କହିଲି ମୁଁ ଆଉ ଜଲଦି ମୋ କାମ ସାରି ଅଫିସ୍ ଯିବାକୁ ବାହାରି ପଡ଼ିଲି । ଝଡଟିଏ ବୋହିବାର ଉପକ୍ରମ କରୁଥିଲା।
“ତା’ ପୁଅ କହୁଥିଲା ସେ ସ୍ମାର୍ଟ ଫୋନ୍ ଟା ଯେଉଁଟା ନିଳୀମା ତାକୁ ଦେଇଥିଲା ସେଇଟା ଖରାପ୍ ହୋଇଯାଇଛି ତେଣୁ ଆଜି ମେସେଜ କରିପାରିନି ତା’ ମାଆ । ଆଉ କଣ ସବୁ କହୁଥିଲା ସେ। ବିରକ୍ତି ରେ ଫୋନ୍ କାଟିଦେଲି” କହିଲେ ସୁରୁଚି। “ଏଁ, କଣ କହିଲ? ସେ ସ୍ମାର୍ଟ ଫୋନ୍ ଟି ଖରାପ୍ ହୋଇଯାଇଛି ? ଭଲ ହେଲା  “।  କାହିଁକି କେଜାଣି ସ୍ବସ୍ତି ରେ ନିଃଶ୍ୱାସ ନେଲି  ।
     ମୁଁ ଦାଣ୍ଡ ଦୁଆର ପାଖରେ ପହଞ୍ଚିବା ପୂର୍ବରୁ ଘଣ୍ଟି ବାଜିଲା । ସେପଟୁ ମାଳତୀର ସବୁଦିନିଆ ମିଠା ସ୍ୱରଟି ଭାସି ଆସୁଥିଲା । “ମାଆ ଦୁଆର ଖୋଲ “। ସୁରୁଚି ଉଠି ପଡିଲେ ଚଉକି ଉପରୁ । ମତେ ପ୍ରାୟ ଠେଲି ଦେଇ ଦୁଆର ଖୋଲିବାକୁ ଆଗେଇ ଗଲେ । “ଆସିଲୁ କି ମାଳତୀ, ତୋରି ପାଇଁ ତ ଚାହିଁ ବସିଥିଲି “। ସୁରୁଚିଙ୍କ ମିଠା ମିଠା ସ୍ୱର ପରିବେଶକୁ ଅପୂର୍ବ ଏକ ମହକରେ ମହକେଇ ଦେଉଥିଲା । 

****

2 thoughts on “ମିଠା ସ୍ୱର

  1. Hiranmayee

    କେତେ ଛୋଟିଆ କଥା ଟିଏ, ଅଥଚ ଜୀବନର କେତେ ବଡ ସତ ! ଭଲ ଲାଗିଲା ଏ ଗପ।କିନ୍ତୁ ଟିକିଏ ଅଧିକ ବର୍ଣ୍ଣନା ଲୋଡିଥିଲା ପୂର୍ଣ୍ଣାଙ୍ଗ ଗପ ହେବା ପାଇଁ।ଆଉ ଟିକିଏ ଲେଖ, ଭଲ ଲାଗୁଛି theme।ସ୍ନେହ ଓ ଶୁଭେଚ୍ଛା।

    Like

  2. ବହୁତ ବହୁତ ଧନ୍ୟବାଦ ହୀରଣ୍ମୟୀ । ପ୍ରତୀକ୍ଷା ଓ ମିଠାସ୍ୱର ଗପ ଦୁଇଟି ଲେଖିବା ସମୟରେ ସଂପାଦକ/ସଂପାଦିକାଂକର ଅନୁରୋଧକ୍ରମେ ସୀମିତ ଶବ୍ଦରେ ବାଂଧିବାକୁ ହେଲା ମୋର ଭାବନାକୁ । ୭୦୦/୮୦୦ଶବ୍ଦକୁ ଚେଷ୍ଟାକରି ସଂକୁଚିତ କଲି ୫୦୦/୫୫୦ଶବ୍ଦରେ । ତୁମ ମତାମତ ମତେ ଉତ୍ସାହିତ କଲା । ଏଇ ଗପ ଗୁଡିକୁ ପୁଣିଥରେ ଲେଖିବି ନିଶ୍ଚୟ । ଅସରନ୍ତି ସ୍ନେହ ଓ ଶୁଭେଚ୍ଛା ତୁମପାଇଁ ।

    Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s