ଲୁହ

କବାଟ ଆଉଜେଇ ନେଇ ସରିତା ଟିକେ ଢିଲା କରିଦେଲା ଅଣ୍ଟା ଫିତାକୁ । ଏତେ ଗୁଡ଼ାଏ ବାଟ ଆଗକୁ ଯିବାକୁ ଅଛି । ଟାଣି ଟୁଣିହୋଇ ବସିଲେ ଅସ୍ବସ୍ତି ଲାଗିବ । ସେମାନେ ଅରୁଣଙ୍କ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯିବ ବୋଧେ । ହଁ, ଛଅ ସାତ ଘଣ୍ଟା ଲାଗିବ ତ ନିଶ୍ଚୟ । ସରିତା କବାଟ ଖୋଲି ବାହାରକୁ ଆସିଲା । ସାନଭଉଣୀ ମିତୁ ଲୁହ ପୋଛୁଛି ଆଖିରୁ । ‘ହେଇ, କାନ୍ଦୁଛୁ ନା କ’ଣ’? ସରିତା ଟିକେ ହସିଦେଇ ପଚାରିଲା । ‘ବୋହିଆସୁଥିବା ଲୁହ ଦି’ ଧାରକୁ ବାଁ ହାତ ନେଡିରେ ସାଉଁଟି ନେଉନେଉ ମୁହଁରେ ହସ ଫୁଟେଇ ମିତୁ କହିଲା ,ନା ମ ଅପା, କାନ୍ଦିବି କାହିଁକି? ବାପା ପରା ମନାକରିଛନ୍ତି ସମସ୍ତଙ୍କୁ । ତାଙ୍କ ଗେହ୍ଲେଇ ଝିଅ ଶାଶୁଘରକୁ ଗଲାବେଳେ କେହି କାନ୍ଦିବେନି ‘। ମିତୁ କୁଣ୍ଢେଇ ଧରିଲା ସରିତାକୁ । ଠିକ ସେମିତି , ଯେମିତି ବିଗତ ଦିନମାନଙ୍କରେ ସାଙ୍ଗପରି ସେ ତାର ସୁଖଦୁଃଖ ହସଲୁହ ବାଣ୍ଟିଲା ବେଳେ କୁଣ୍ଢେଇଧରେ ତା’କୁ । ବେଶ ବେଳୁ କାନ୍ଦିଛି ବୋଧେ ସେ । ସାମାନ୍ୟ କୋହମିଶି ରହିଛି ଏବେବି ତା’ସ୍ୱରରେ । ସରିତା ତାକୁ ଚାପି ଧରିବା ସହ ନିଜ ଆଖିରୁ ଝରିପଡିଥିବା ଲୁହ ଧାରକୁ ସାନ ଭଉଣୀର ନୂଆ ଗୋଲାପୀ ଓଢଣୀ ଭିତରେ ଲୁଚେଇ ଦେଇଥିଲା ।
         ‘ବୋଉ, ବୋଉ କୁଆଡେ ଗଲା ‘?  ବନ୍ଧୁ ବାନ୍ଧବ ଭିଡ଼ ଭିତରେ ବୋଉକୁ ଖୋଜିହେଉଥିଲା ସରିତା । ଭାର, ବେଭାର ସଜାଡିବାରେ ବ୍ୟସ୍ତ ଥିଲା ବୋଉ । ସରିତା ଖୋଜି ଖୋଜି ବୋଉ ପାଖରେ ପହଞ୍ଚିଲା , ସେ କିଛି କହିବା ଆଗରୁ ବୋଉ କହିଲା,   ‘ଆଲୋ ହୁଣ୍ଡି, କଣ ପାଇଁ ଖୋଜୁଛୁ ମତେ ? ଆଜିଯାଏଁ ସିନା ସବୁକଥା ମତେ କହୁଥିଲୁ କାଲିଠାରୁ କଣ ଆଉ ମୁଁ .. କହିଲା ଆଉ ଟିକେ ବଡ଼ ପାଟିରେ କାନ୍ଦିପକେଇଲା । ଜୋରରେ ହସିଦେଇ ସରିତା ବୋଉକୁ ତୁନି କରେଇଦେଲା । ‘ବୋଉ, ବାପା ମନାକରିଛନ୍ତି ନା କାନ୍ଦିବାନି ଆମେ କେହିବି ‘। ସରିତା ବୋଉ ହାତକୁ ଧରିପକେଇଲା । ବୋଉ ତା’ହାତରେ ଜାବୁଡି ଧରିଥିବା ସରିତାର ପିଲାଦିନର ରୂପା ପାଉଁଜି ହଳକ ଖସିପଡିଥିଲା ତଳକୁ। ସରିତା ନଇଁ ପଡି ସେଇ ହଳକ ପାଉଁଜି ଗୋଟେଇ ନେଲାବେଳେ ସେଇଠି ଭୂଇଁ ଉପରେ ସଜେଇ ଦେଇଥିଲା ତା’ଆଖିର ଲୁହ ଦି’ଟୋପା ।
       ‘ ଝିଅବିଦା ବେଳ ହେଲାଣି , କୁଆଡେ ଗଲେ ବାପା ‘?  ଦାମ ମଉସା ବାପାଙ୍କୁ ଖୋଜୁଥିଲେ ।  ଚଳ ଚଞ୍ଚଳ ହୋଇଯାଉଥିଲା ପରିବେଶ । ଝିଅ ବିଦା ସାଜ ସରଞ୍ଜାମ ଏକାଠି କରି ବୋହିନେଉଥିଲେ ଦାଦା , ଭାଇ ଆଉ ଅନ୍ୟ କେତେଜଣ । ବାହାଘର କାମ ସରିବ ଝିଅ ବିଦା ପରେ । ସମସ୍ତେ କ୍ଲାନ୍ତ । ବାପା ବହୁତ ଖଟିଲେଣି । ସରିତା ଖୋଜିହେଉଥିଲା ବାପାଙ୍କୁ । ରାମବୋଉ ଖୁଡି କହିଲେ, ‘ଆମ ସମୟରେ କେତେ କେତେ କାନ୍ଦଣା ଗୀତ ଗାଇ ଶାଶୁଘରକୁ ଯାଉଥିଲୁ ଆମେ । ଆଜିକାଲି ଏ ଉପୁଢଙ୍ଗରି ଝିଅ ଗୁଡାକ କଣ ହଉଛନ୍ତି? ଭାଇ ପୁଣି କୁଆଡେ କହିଛନ୍ତି, କେହି କାନ୍ଦିବେନି ଝିଅ ବିଦାବେଳେ’ । ହସିପକେଇଲେ ଖୁଡୀ । ‘ଆଲୋ ହେ ସର, ତତେ କିଛି ବାହୁନା ଗୀତ ଆସେନା ନାଇଁ ବା ?’
‘ସକାଳର ଖିଆ ସଞ୍ଜ ହୋଇବ ଲୋ ବୋଉ
ତୋଟିରେ ଲାଗିଲେ ମନ କରିବ ଲୋ ବୋଉ
ପିତାଫଳ ବୋଲି ଗୁଞ୍ଜିଣ ଦେଲ ହେ ବାପା…
‘ତୁମେ ବାପାଙ୍କୁ ଦେଖିଚ ଖୁଡୀ ?’ ତାଙ୍କ କଥାର ଉତ୍ତର ନଦେଇ ଓଲଟି ତାଙ୍କୁ ପଚାରିଦେଲା ସରିତା ଆଉ ତାଙ୍କଠାରୁ କିଛି ଶୁଣିବା ଆଗରୁ ବଡ଼ ବଡ଼ ପାଦ ପକେଇ ଠାକୁରଘର ଦିଗରେ ଚାଲିଯାଇଥିଲା  ।
         ହଁ, ସେଇଠି ଠାକୁରଘରେ ବାପା ବସିଥିଲେ ଆଣ୍ଠୁମାଡ଼ି । ଗୁଣୁଗୁଣୁ ହୋଇ ସରିତା ପାଇଁ ସୁଖୀ ଦାମ୍ପତ୍ୟ ଜୀବନଟିଏର ମାଗୁଣି କରୁଥିଲେ ବାପା ବୋଧେ ଠାକୁରଙ୍କ ପାଖରେ । ଚୁପ କରି ତାଙ୍କ ପାଖକୁ ଲାଗିବସିଲା ସରିତା । କହିଲା, ‘ତୁମେ ଶିଖେଇଥିବା ସଂସ୍କାର, ସାଙ୍ଗରେ ନେଇ ଯାଉଛି ବାପା । ଦୁହିତା ଦୁଇ କୁଳକୁ ହିତା । ଏଘର ଆଉ ସେଘର ଦୁଇଘରକୁ ନିଜର କରିବାକୁ ଚେଷ୍ଟା କରିବି  । ବାପା ଚାହିଁଲେ ତାକୁ । ଆଉଜେଇ ନେଲେ ନିଜ ଉପରକୁ । ଧିର ସ୍ୱରରେ କହିଲେ, ‘ମୁଁ ଜାଣେ ତୁ ପାରିବୁ ମାଆ । ଦୁଇ ପରିବାର ଭିତରେ ସେତୁଟିଏ ହୋଇ ଠିଆ ହୋଇପାରିବୁ ତୁ । ଦୁଇଟି ପରିବାରକୁ ସ୍ନେହ ମମତାର ଅତୁଟ ବନ୍ଧନରେ ବାନ୍ଧିଦେଇପାରିବାର ସାମର୍ଥ୍ୟ ତୋର ଅଛି । ସେ ବିଶ୍ୱାସ ଅଛି ତୋ ଉପରେ ମାଆ ।’ ସରିତା ହାତ ବଢ଼େଇ ପୋଛିଦେଲା ବାପାଙ୍କ ଅଖିରୁ ଗଡି ଆସୁଥିବା ସେଇ ଲୁହ ଧାରଟି  ।

ଗଇଁଠାଳ ପଡି ଅରୁଣଙ୍କ ସଙ୍ଗେ ଗାଡ଼ିରେ ବସିଲା ସରିତା । ବାପା, ବୋଉ ,ମିତୁ ସମସ୍ତଙ୍କୁ ପଛରେ ଛାଡି ଗାଡି ଗଡ଼ିଗଲା ଆଗକୁ । ବାପଘର ଛାଡି ନୂଆ ଜୀବନକୁ ସ୍ୱାଗତ କରିବାକୁ ଗଲାବେଳେ ପଛରେ ଛାଡି ଯାଉଥିବା ପୁରୁଣା ସ୍ମୃତିସବୁ ଆଖିରେ ଝଲକି ଉଠୁଥିଲା ମୁକ୍ତା ପରି, ଟୋପା ଟୋପା ଲୁହହୋଇ ।

(ଜୁଲାଇ ୨୬, ୨୦୨୧ ‘କ୍ରାନ୍ତିଧାରା’ରେ ପ୍ରକାଶିତ)

Leave a comment