ବାଲିଘରଟିକୁ ଆଉଟିକେ ସଜାଡି ନେଇ ସୁରମା ଚାହିଁଲା ସୁବଳ ଆଡ଼କୁ । ତାର ସରଳ କୋମଳ ନିରୀହ ଆଖିରେ ଆଖିଏ ସ୍ବପ୍ନ । ସୁବଳ ହସିଲା ଟିକେ, କହିଲା
-“ମୁଁ ବଡ ହୋଇଗଲେ ତତେ ବାହା ହେବି” । କୁନି ଛାତିରେ ଛାତିଏ ବିଶ୍ୱାସ ତା’ କଣ୍ଠ ସ୍ବରକୁ ଗମ୍ଭୀର କରିଥିଲା ।
ସୁରମା ହସିଲା ଏଥର ହିଁ ହିଁ ହୋଇ । ଶବ୍ଦ କରି ।
-“ଧେତ୍, ତୁ ଆଗ ବଡ଼ ହୋଇଯାଆ “।
ଦୁହେଁ ନଇଁ ପଡ଼ିଥିଲେ ଏବେ ଏବେ ଗଢିଥିବା ବାଲିଘରଟି ଉପରେ । ହାତ ଥାପି ଥାପି ରାସ୍ତାଟେ ତିଆରି କରୁଥିଲେ ସେମାନେ ବସିଥିବା ଜାଗାରୁ ବାଲିଘରର ଦୁଆର ପର୍ଯ୍ୟନ୍ତ…..
ସୁରମା ଆଖିରେ ଆଖିଏ ଲୁହ । ଏତେ ବଡ଼ ଯୁବକଟେ । ଚଉଡ଼ା ଛାତିରେ ଅମାପ ବଳ । ଅଥଚ ଏମିତି କେମିତି ଜିଦିଆ ଅମଣିଷଟିଏ ହେଇଗଲା ସୁବଳ? ଯାହା ବୁଝିଥିବ ସେଇଆ । ପିଲାଦିନର ସ୍ବପ୍ନ ସବୁକୁ ଏବେ ସାକାର କରିବା ସମୟରେ ସୁବଳକୁ ପାଖରେ ପାଏନା ସୁରମା । ଖାଲି ଟଙ୍କା କେତେଟା ସୁରମା ହାତକୁ ବଢ଼େଇ ଦେଇ ସେ ମାତିଯାଏ ଉତ୍ସୃଙ୍ଖଳ ଯୁବକମାନଙ୍କ ସହିତ । ଚାରିକାନ୍ଥ ଭିତରେ ସାଉଁଟି ହୋଇ ରହିଯାଏ ସୁରମା । ବଡ଼ ପରିବାରଟିର ହେପାଜତ କରିବା, ବାଳୁତ ପିଲା ଦୁଇଟାକୁ ମଣିଷ କରିବାର ଦାୟିତ୍ଵ ସମ୍ଭାଳିବା ଭିତରେ ଯନ୍ତ୍ରଚାଳିତ ପରି ଜୀବନ ଗଡିଚାଲେ । ରାତି ଘଡ଼ିଏ ପରେ ଟଳି ଟଳି ଘରକୁ ଫେରୁଥିବା ସୁବଳର ପାଦଚଲା ଲମ୍ବା ରାସ୍ତାଟିକୁ ଘରର ଦୁଆର ବନ୍ଧକୁ ଆଉଜି ବସି ଅପେକ୍ଷା ରଖିଥାଏ ସୁରମା ।
ସମୟ କାହାକୁ ଅପେକ୍ଷା କରେନା ।
-“ହେଇଟି, ଧର ମୋ ହାତକୁ, ଧିରେ ଠିଆ ହେବାକୁ ଚେଷ୍ଟା କର “। ସୁରମା ନିଜର ଦୁର୍ବଳ ହାଡ଼ୁଆ ହାତରେ ସୁବଳକୁ ନିଜେ ନିଜେ ଦମ୍ଭ ହୋଇ ନିଜ ଗୋଡ଼ରେ ଠିଆ ହେବାକୁ ସାହସ ଯୋଗେଇବା ସମୟରେ ଦୀର୍ଘଶ୍ୱାସଟିଏ ବାହାରି ଆସିଥିଲା ପଞ୍ଜରା ଥରେଇ । କେତେ ଶୀଘ୍ର କଟିଗଲା ଦିନ ଗୁଡ଼ାକ । ଜୀବନର ଗୋଟାଏ ପରେ ଗୋଟାଏ ପାହାଚ ଚଢ଼ି ଚଢ଼ି ଗଲାବେଳେ ଖସିଗଲା ହାତ ପା’ନ୍ତାରୁ ଯୌବନର ସେ ଅମୂଲ୍ୟ ମୁହୂର୍ତ୍ତ ଗୁଡ଼ାକ । ସେଇ ସମୟକୁ ଅପାଶୋରା କରି ବାନ୍ଧି ରଖିଥାଆନ୍ତା ସେ ତା’ ଆଖି କୋଣରେ । ତା’ ହୃଦୟ ଭିତରେ । ହେଲେ ସୁବଳର ଅପରିଣାମଦର୍ଶିତା ସେମାନଙ୍କଠାରୁ ଛଡେଇ ନେଇଥିଲା ଏକ ସମ୍ଭାବିତ ସୁନେଲି ପୃଥିବୀକୁ । ଅଵିଵେକୀ ଉପଭୋଗ ସର୍ବସ୍ବ ଜୀବନ ଜିଇଁବା ସହ ଶରୀର ଓ ମନକୁ ଅସୁସ୍ଥ କରି ବସିଲା ସୁବଳ ।
ଦୃଢ଼ କରି ମୁଠେଇ ଧରିଥିଲା ସୁବଳର ହାତକୁ ସୁରମା । ଘରର ଦୁଆର ବନ୍ଧ ଯାଏଁ ଆଶ୍ରା ଦେଇ ସୁବଳକୁ ନେଇଗଲା ବେଳେ ନିଜର ଯୁବାବସ୍ଥାରେ କରିଥିବା ଭୁଲକୁ ମନେପକଇ ଧାରଟିଏ ଅନୁତାପର ଅଶ୍ରୁ ଝରି ଆସିଥିଲା ସୁବଳ ଆଖିରୁ ।
ପିଲାଦିନର ସେ ବାଲିଘର ପୁଣିଥରେ ଗଢ଼ିବାକୁ ଅଥୟ ହେଉଥିଲା ସୁବଳର ମନ । ପାଦେ ପାଦେ ହୋଇ ଛାଡି ଯାଇଥିବା ଯୌବନକୁ ପୁନଶ୍ଚ ଭେଟିବାର ଇଚ୍ଛା କଣ ପୂର୍ଣ୍ଣ ହେବ ଏ ଜନ୍ମରେ ତା’ର? ସୁରମାର ହାତକୁ ଚାପିଧରି ସମୟର ପାହାଚରେ ପାଦଟିଏ ପଛକୁ ଫେରିବାର ନିଷ୍ଫଳ ଉଦ୍ୟମ କରୁଥିଲା ସୁବଳ ।
****