ପଞ୍ଜୁରି

ଆଙ୍ଗୁଠିରୁ ନିର୍ବନ୍ଧ ମୁଦିଟି କେତେବେଳେ ଖସି ପଡ଼ିଲା ମୁଁ ଜାଣି ପାରିନଥିଲି । ଆଜି ଶେଷ ଦିନ ପରୀକ୍ଷା ଥିଲା । ଅନର୍ସ ଶେଷ ପେପର୍ । ଇଂରାଜୀ ଅନର୍ସ ନେଇ ପଢ଼ିବାକୁ ଉତ୍ସାହିତ କରିଥିବା ମୋ ବାପା ଏବେ ସ୍ୱର୍ଗରେ ।  ବଡବାପାଙ୍କ ଇଚ୍ଛାର ଦାସ ଆମେ ସମସ୍ତେ – ବୋଉ, ଭାଇ ଆଉ ମୁଁ । ଭାଇ ଖୁବ୍ ଚାହୁଁଥିଲା ମୁଁ ଆଗକୁ ପଢେ, ବହୁତ୍ ନାଁ କମାଏ – ମୋର ସବୁ ଆଶା ପୂର୍ଣ୍ଣ ହେଉ । ହେଲେ କହି ପାରୁନଥିଲା କିଛି । କହିବାର ଅଧିକାର ବଡବାପା ତାକୁ ଦେଇ ନଥିଲେ । ସେ ଅଧିକାର ବୋଉର ବି ନଥିଲା । ଅନେକ ସମୟରେ ଆକାଶର ତାରା ମାନଙ୍କ ଭିତରେ ମୁଁ ବାପାଙ୍କୁ ଖୋଜିବାକୁ ଚେଷ୍ଟାକରେ । ଚାହିଁ ରହେ ଆକାଶକୁ ଚିକ୍ ମିକ୍ କରୁଥିବା ତାରା ମାନଙ୍କ ଭିତରେ ତାଙ୍କୁ କାଇଁ ଖୋଜି ପାଏନା । ବୋଧହୁଏ ଅପରାଧୀଟିଏ ପରି ବାପା ଲୁଚିଯାଆନ୍ତି ଆଉ ଆଉ ତାରା ମାନଙ୍କ ପଛରେ । ଖୋଜିହୁଏ ମୁଁ । ଯାହାସବୁ ତାଙ୍କୁ କହିବି ବୋଲି ଆଣ୍ଟ କରି ବସିଥାଏ , ସେସବୁ କହିଯାଏ ମନେମନେ । ମୋ କହିବା ଭିତରେ ସାରା ଆକାଶର ତାରାସବୁ ଲୁଚିଯାଆନ୍ତି ମୋ ଆଖିଲୁହର ପାରାବାର ଭିତରେ ।

ମୁଦିଟା ପ୍ରଥମରୁ ମୋ ଆଙ୍ଗୁଠିକୁ ଢିଲା ହେଉଥିଲା ।  ଥରେ ଦି’ ଥର ଖସିବ ଖସିବ ହୋଇ ରହିଯାଇଥିଲା । ସୂତା ଗୁଡେ଼ଇ ପିନ୍ଧିଥିଲି ମୁଁ ।  ନିର୍ବନ୍ଧ ପରେ ବିଗତ ତିନି ମାସ ଭିତରେ ଅନେକ ଗୁଡ଼ିଏ ଛୋଟ ବଡ଼ କଥାରେ ନୂଆ ପରିବାରଟି ସହ ସାଲିସ କରିବା ମଧ୍ୟରେ ସମ୍ପର୍କର ସୂତାଟି ଯେ କେତେବଳେ ଅଡ଼ୁଆ ଖିଅଟିଏ ପାଲଟି ଯାଇଥିଲା, ସେକଥା ବୁଝି ପାରୁନଥିଲି । ସେ ଦୁର୍ବଳ ସୂତାଟିରେ ଗୁଡେ଼ଇ ହୋଇ ରହିଥିବା ବିଶ୍ୱାସର ସୁନାମୁଦିଟି ଆଙ୍ଗୁଠିରୁ ଖସି ପଡିଲା କେତେବେଳେ ନିଃଶବ୍ଦରେ ।

ପରୀକ୍ଷାରେ ଖୁବ୍ ଭଲ ହୋଇଥିଲା ମୋର । ଖାତା ଦେଇ ପରୀକ୍ଷା ହଲ୍ ବାହାରକୁ ଆସି ଭେଟିଲି ତାଙ୍କୁ । ଠିକ୍ ସେତିକ ବେଳକୁ ଜାଣିପାରିଲି ମୋ ମୁଦିଟି ଆଙ୍ଗୁଠିରେ ନାହିଁ । ବ୍ୟସ୍ତତାରେ ଥିଲେ ମଧ୍ୟ ତାଙ୍କ ନିକଟକୁ ଗଲି । ପରୀକ୍ଷା ହଲ୍ ବାହାରେ ବିରୁପାକ୍ଷ ଅପେକ୍ଷା କରିଥିଲେ ମତେ । “ପରୀକ୍ଷାରେ ଖୁବ୍ ଭଲ ହେଇଛି” ବଡ ଉତ୍ସାହର ସହ କହିଥିଲି ମୁଁ । “ଏଥର ସେସବୁ ଭୁଲି ଯାଅ । ଯଥେଷ୍ଟ ପାଠ ପଢା ହେଲା । ଘର କାମରେ ମନ ଦିଅ । ମୁଁ ଯେତିକି ଟଙ୍କା ରୋଜଗାର କରିବି ସେତିକିରେ ଘର ଚଳେଇବାର ତାଲିମ୍ ହାସଲ କର “। ତାଙ୍କ ସ୍ଵରରେ ବନ୍ଧୁତ୍ୱ ପରିବର୍ତ୍ତେ ପ୍ରଭୂତ୍ଵ ସ୍ପଷ୍ଟ ଅନୁଭୂତ ହେଉଥିଲା ।

‘ମୋ ସହ ଏପରି କାହିଁକି ହେଲା’? ମୁଦି ବିହୀନ ଆଙ୍ଗୁଠିଟିକୁ ତାଙ୍କ ନଜର ଆଢୁଆଳରେ ରଖି ନିଜକୁ ନିଜେ ପଚାରିଲି । ତାଙ୍କ ତୀକ୍ଷ୍ଣ କଥାଗୁଡିକରେ କ୍ଷତାକ୍ତ ହେବାସହ ଆଖି ଆଗରେ ଝୁଲୁଥିବା ଅଦୃଶ୍ୟ ଏକ ଲୁହା ପଞ୍ଜୁରିଟି ଭିତରେ ପଶିଯାଇ ପକ୍ଷୀ ଫଡ ଫଡ କରି ଘୂରି ଆସିଲି ଘେରାଏ । ନା ଚିତ୍କାର କରିପାରିଲି, ନା ପ୍ରତିରୋଧ ! ତାଙ୍କ ସହ ପାଦେ ପାଦେ ହୋଇ କଲେଜ୍ ହତା ବାହରକୁ ଆସିଲି । କିଛି ସମୟ ସେଇଠି ରାସ୍ତା ଧାରରେ କଥା ହେବା ପରେ ସେ ଫେରିଗଲେ ତାଙ୍କ ଅଫିସ୍ କୁ । କେବଳ କହିଦେଇ ଗଲେନି, ଅଧିକାରପଣର ମୁଦ ମାରିଦେଇ ଗଲେ ମୋର ସମସ୍ତ ସ୍ଵାଧୀନତା ଉପରେ । କଥାରେ କଥାରେ ପିନ୍ଧେଇଦେଇ ଗଲେ ମୋ ହାତରେ ପରାଧୀନତାର ଶୃଙ୍ଖଳ ।

-“କେବଳ ମତେ ଦେଖା କରିବାକୁ ହିଁ ସେ ଆସିଥିଲେ” – ଠିକ୍ ପରେ ପରେ ତୁଳିକାକୁ ମୁଁ ଏକଥା କହିବା ପରେ ସେ କହିଲା “ହାଓ ରୋମାଣ୍ଟିକ”! ମୋ ମନ ଭିତରେ ଗୁଡେ଼ଇ ତୁଡେଇ ହେଉଥିବା ତାଙ୍କ କଥା ଗୁଡ଼ାକ କହିନଥିଲି ତୁଳିକା ଆଗରେ । ଚୁପ୍ ଚାପ୍ ଘାଲେଇ ହୋଇ ବସି ଯାଇଥିଲି ମୋ ପାଇଁ ଉଦ୍ଦିଷ୍ଟ ସେ ପଞ୍ଜୁରି ଭିତରେ ।

“ନିରୁ, ତୋ ଆଙ୍ଗୁଠିରୁ ଜୋଇଁ ନିର୍ବନ୍ଧରେ ପିନ୍ଧେଇ ଥିବା ମୁଦିଟା କେତେବେଳେ ଖସିପଡିଲା ତୁ କେମିତି ଜାଣି ପାରିଲୁନି”? ବୋଉ ମୃଦୁ ଚିତ୍କାର କରି କହୁଥିଲା । କଥାଟା ପ୍ରଘଟ ହେବା ଆଗରୁ ବୋଉ ମୁହଁର ଆତଙ୍କ ମତେ ପୁଣିଥରେ ଦୁର୍ବଳ କରିଦେଲା । କ୍ଷଣିକ ପାଇଁ ଚୁପ୍ ରହିଗଲି ।

-“ବୋଉ, ଆମେ ଦୁହେଁ ଆଦୌ କମ୍ପାଟିବଲ୍ ନୁହେଁ” – ସାହସ ସଞ୍ଚୟ କରି ଧିରେ କହିଲି ।

-“ଏଁ, କଣ ନୁହେଁ ? ବୋଉ ସ୍ଵରରେ ଅସ୍ଥିରତା ।

-“ମାନେ ଆମେ ଦୁହେଁ ଦୁଇଟି ଭିନ୍ନ ମାନସିକତାର ମଣିଷ” ।

-“ତୋ ବାପା ନାହାଁନ୍ତି । ବଡ଼ ବାପା ତୋ ବାହାଘର ଯେଉଁଠି ଠିକ୍ କରିଛନ୍ତି ସେଠି ବାହା ହୋଇଯାଆ”। ମୋ ମୁଦି-ବିହୀନ ଆଙ୍ଗୁଠିଟିକୁ ନିଜ ହାତରେ ତୋଳି ନେଇ ବୋଉ ବୁଝେଇବା ସ୍ଵରରେ ମତେ କହୁଥିଲା, “ମୁଦି କେଉଁଠି ପଡିଗଲା ଖୋଜ, ଆଉ ପିନ୍ଧିପକା ଜଲଦି । ନିର୍ବନ୍ଧ ମୁଦି ଖୋଲନ୍ତିନି “। ବୋଉ ଚୁପ୍ ହୋଇଗଲା ।  ମୁଁ ପୁଣିଥରେ ନିଜକୁ ପାଇଥିଲି ପଞ୍ଜୁରି ଭିତରେ ।  ନିସ୍ତେଜ ହେଇ ପଡ଼ିଯିବା ଆଗରୁ ଡେଣା ଝାଡି ଦେଇ ଠିଆ ହେଲି ଏଥର । ବାହାରି ଆସିଲି ସେ ପଞ୍ଜୁରି ଭିତରୁ ।

-“ମୁଁ ଶାନ୍ତିନିକେତନ  ପଢ଼ିବାକୁ ଯିବି । ଇଂରାଜୀରେ ସ୍ନାତକୋତ୍ତର”। ଦୃଢ଼ ସ୍ଵରରେ କହିଲି ।

ସକାଳେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମୋ ପଢ଼ା ଟେବୁଲ୍ ପାଖରୁ ଏଇମାତ୍ର ଗୋଟେଇ ଆଣିଥିବା, ଛିଣ୍ଡା ଛିଣ୍ଡା ସୂତା ଗୁଡା ହୋଇଥିବା ମୋ ନିର୍ବନ୍ଧ ମୁଦିଟିକୁ ମୋ ହାତକୁ ବଢ଼େଇ ଦେବା ପାଇଁ ଲମ୍ବି ଆସିଥିବା ତାଙ୍କ ହାତଟିକୁ ଫେରେଇ ନେଇଥିଲେ ଭାଇ ।

-“ସେମାନଙ୍କୁ କହିଦେବି । ରାଜି ନହେଲେ ଏ ମୁଦି ତାଙ୍କୁ ଫେରାଇ ଦେଇ ଆସିବି” । ଛିଣ୍ଡା ସୂତାରେ ଗୁଡେ଼ଇ ହୋଇଥିବା ମୁଦିଟିରୁ ସୂତା ଗୁଡ଼ାକୁ ଖୋଲି ପକେଇ ଚିକଚିକ୍ ସୁନମୁଦିଟିକୁ ଭାଇ ଧରିଥିଲେ ହାତରେ ।

-“ନୀରୁ ଆଙ୍ଗୁଠିକୁ ଏ ମୁଦି ଖାପ ଖାଉନି । ଏଇଟା ତା ଆଙ୍ଗୁଠି ପାଇଁ ନୁହେଁ । ସେ କେବଳ ଆଡଜଷ୍ଟ କରି ପିନ୍ଧିଥିଲା ଏଇଟା” । ଘରର ଅନ୍ୟ ସମସ୍ତେ ଶୁଣିବା ପରି ଟିକେ ଉଚ୍ଚ ଗଳାରେ କହିଲେ ଭାଇ । ମୋ ନିକଟରେ, ଖୁବ୍ ନିକଟରେ ପାଇଥିଲି ଭାଇଙ୍କୁ ।  ପଞ୍ଜୁରି ବାହାରେ ଠିଆ ହୋଇଥିଲି ମୁଁ  । ଧିରେ ଖୋଲିଥିଲି ମୋର ଶକ୍ତ ଡେଣାକୁ । ଆକାଶକୁ ଛୁଇଁବାକୁ ପ୍ରସ୍ତୁତ ହେଉଥିଲି । ‘ପୁରା ଆକାଶ ତୋର । ଯା ଉଡିଯା ..’ – ମୋ ଭିତରୁ ମୁଁ କହୁଥିଲି ନିଜକୁ … ଗଭୀର ଆତ୍ମ ବିଶ୍ୱାସର ସହ …. ।

****

Leave a comment