ଆଞ୍ଜୁଳାଏ ସ୍ମୃତି

ଅଫିସ୍ ଟେବୁଲ୍ ଡ୍ରୟର୍ ଭିତରେ ଦ୍ରାକ୍ଷାର ଫଟୋଟିକୁ କେବେ ରଖିଥିଲେ ସେ ? ନୀଳାଦ୍ରିଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଚଉତିରିଶ ବର୍ଷ ବିତିଗଲାଣି ଏ ଭିତରେ । ସେଇ ଏକା ଅଫିସ୍ ରେ, ଏକା ଡେସ୍କରେ । ଏମିତି ବୋଧହୁଏ ଅଳ୍ପ କିଛି ଲୋକଙ୍କ ଭାଗ୍ୟରେ ଘଟୁଥିବ!! କାହା ଭାଗ୍ୟରେ ଘଟୁଥିବ କି ନା କେଜାଣି !! ନୀଳାଦ୍ରି ଫଟୋଟିକୁ ଡ୍ରୟର୍ ରୁ କାଢି ହାତରେ ଧରିଲେ କିଛି ସମୟ । ଫଟୋରେ ଥାଇ ଦ୍ରାକ୍ଷା ହସୁଥିଲା, ସେଇ ଭୂବନମୋହିନୀ ହସ । ଏବେବି ତା ହସରୁ ଝରି ପଡୁଥିଲା ମିଠା ମିଠା ଭଲ ପାଇବାର ମୁକ୍ତା, ବିନ୍ଦୁ ବିନ୍ଦୁ ହୋଇ । ସେଇ ଦିନଗୁଡ଼ିକ ପରି ସମ୍ମୋହିତ ହେଲେ ନୀଳାଦ୍ରି । ମୁହୂର୍ତ୍ତଟିଏ । ଦୀର୍ଘଶ୍ଵାସଟେ ବାହାରି ଆସିଲା ଠିକ ପରେ ପରେ ବୁକୁ ଥରାଇ । ଦ୍ରାକ୍ଷାର ଫଟୋଟିକୁ କାନ୍ଧ ଓହଳା ବ୍ୟାଗ୍ ର ଭିତର ପକେଟ୍ ଭିତରେ ରଖିଦେଲେ ଓ ତରତର ହୋଇ ଡ୍ର ସଫା କରିବାରେ ଲାଗିପଡିଲେ।

ଆଜି ଅଫିସ୍ ରେ ତାଙ୍କର ଶେଷଦିନ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ଏତେ ବର୍ଷ ହେଲାଣି ପାଳନ ହୋଇ ନଥିବା ତାଙ୍କ ଜନ୍ମଦିନ ଖୁବ୍ ଜାକଜମକରେ ପାଳନ ହେଲା ଏଥର, ଘରେ ଓ ଅଫିସ୍ ରେ । ଚଉତିରିଶ୍ ବର୍ଷର ଚାକିରି ଜୀବନରେ କେତେକେତେ ସ୍ମୃତି । ସଚିବାଳୟରେ ଚାକିରି ଜୀବନ ଆରମ୍ଭ ହେବାର ପ୍ରଥମ ଦିନଟି ଏବେବି ମନେପଡେ । ନୀଳାଦ୍ରି ଆଜି ଖୁବ୍ ବେଶୀ ଭାବ ପ୍ରବଣ ହୋଇ ପଡୁଥିଲେ । ତୁହାଇ ତୁହାଇ ମନେ ପଡୁଥିଲା ଅତୀତର ସେ ଖଟାମିଠା ଦିନସବୁ । କାନ୍ଥ କଡ଼ରେ ଡେରି ହୋଇ ରହିଥିବା କ୍ରଚ୍ ଟିକୁ ଆଣି କାଖରେ ଜାକି ଦେଇ ଝରକା ପାଖକୁ ଯାଇ ଠିଆହେଲେ ନୀଳାଦ୍ରି । ସେଇଠୁ ଆଖି ତାଙ୍କର ଲମ୍ବି ଗଲା ରାଜରାସ୍ତା ଉପରକୁ । ଦିଶୁଥିଲା ବିରାଟ ଫାଟକ ଆଉ ଫାଟକ ଆରପଟେ ବସିଥିବା ସୁରକ୍ଷା କର୍ମୀ ଦୁଇଜଣ । ପୁରୁଣା ଦିନର କଥାସବୁ ମନେପଡି ଧାରେ ହସ ଖେଳିଗଲା ସ୍ଵତଃ ଓଠ କଣରେ । ମିଠା ସ୍ମୃତି ।

ଦ୍ରାକ୍ଷାର ଚାକିରି ଜୀବନର ପ୍ରଥମ ଦିନ ବି ଥିଲା ସେଇଦିନ, ଯେଉଁଦିନ ନୀଳାଦ୍ରି ଚାକିରି ଜୀବନ ଆରମ୍ଭ କଲେ। ସଂଯୋଗ । ଏକା ସମୟରେ ଚାକିରିରେ ଯୋଗ ଦେଇଥିଲେ ଦୁହେଁ । ଦ୍ରାକ୍ଷା ସୁନ୍ଦରୀ, ବୁଦ୍ଧିମତୀ, କର୍ମନିପୁଣା । ଅଫିସ୍ ରେ ତାର ଆଦର ସବୁଠି । ଖୁବ୍ ଶୀଘ୍ର ପଦୋନ୍ନତି । ଖୁବ୍ ଶୀଘ୍ର ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚରେ ପହଞ୍ଚିବାର ସୌଭାଗ୍ୟ।

ନୀଳାଦ୍ରି ଆଜି ଚଉତିରିଶ ବର୍ଷ ପରେ ସେଇ ଦିନ ଗୁଡ଼ିକୁ ଝୁରି ହେଉଥିଲେ। ଅବସର ନେଉଥିବା ସବୁ ମଣିଷ କଣ ଅତୀତକୁ ଝୁରି ହୁଅନ୍ତି? ଅଫିସ୍ ର ଫାଟକକୁ ଟପି ଆଜି ତାଙ୍କର ଚାଲିଯିବା ସବୁଦିନଠାରୁ ଅଲଗା ହେବ ନିଶ୍ଚୟ । ସେ ଫେରି ଚାହିଁବେ କି ପଛକୁ – ସେଇଠିକୁ ଯେଉଁଠି ଦ୍ରାକ୍ଷା ସହ ବିତିଥିଲା କେତେ କେତେ ମୁହୂର୍ତ୍ତ ?

ଝରକା ସେପାଖ ସ୍ମୃତି ସବୁ ପିଠି କରିନେଇ ନୀଳାଦ୍ରି ଫେରିଆସିଲେ ଟେବୁଲ୍ ପାଖକୁ । ଅଫିସ୍ ରୁ ଆଜି ତାଙ୍କର ସମସ୍ତ ବ୍ୟକ୍ତିଗତ କାଗଜ ପତ୍ର ଓ ଅନ୍ୟାନ୍ୟ ଜିନିଷ ଏକାଠି କରି ନେଇ ଯିବାକୁ ହେବ । ଖାଲି କରିବାକୁ ପଡ଼ିବ ଟେବୁଲ୍ ଡ୍ରୟର୍ ଭିତରୁ ସେସବୁ ଜିନିଷ ସହିତ ଏପାଖ ସେପାଖ ହୋଇ ବିଞ୍ଚିହୋଇ ପଡିଥିବା ସେଇ ପ୍ରଥମ ଦିନରୁ ଆଜିଯାଏଁର ଚୂନା ଚୂନା ସ୍ମୃତି ସବୁ । କିଛି ଦେଖେଇ ପାରିବେ ସେ ଅନ୍ୟ ମାନଙ୍କୁ, କିଛି ସାଉଁଟି ନେବେ ଆଖିର ପଲକରେ ହୃଦୟର ଅଦେଖା ଇଲାକାକୁ । ସେଇଠି ସୁରକ୍ଷିତ ରହିବ ସେସବୁ ଚିରକାଳ ।

ଶୀଘ୍ର ଶୀଘ୍ର କାମସାରି ବାହାରି ଯିବେ ଘରକୁ – ତର ତର ହେଲେ ନୀଳାଦ୍ରି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାକୁ କେଜାଣି କାହିଁକି ମନ ଡାକୁନଥିଲା । ତାଙ୍କୁ ଯୋଗ ଦେବାକୁ ହେଲା । ସହକର୍ମୀ ଓ ସହକର୍ମିଣୀ ମାନେ ଅତୀତକୁ ଖୋଲି ଧରିଲେ । ସେଇ ସବୁ ଦିନ ମାନଙ୍କର ସ୍ମୃତିଚାରଣ କଲେ ଯାହାକୁ ସେ କେବେବି ମନେ ପକେଇବାକୁ ଚାହୁଁ ନଥିଲେ । ମନେ ପଡିଗଲା ସେ ଅଭିଶପ୍ତ ଦିନସବୁ । ସେମାନେ ମନେ ପକେଇଦେଲେ । ସଡକ ଦୁର୍ଘଟଣାରେ ହାତ ଛାଡ଼ିଦେଇ ଚାଲିଗଲେ ପତ୍ନୀ । ଗୋଟେ ଗୋଡ଼ ହରାଇ ବସିଲେ ସେ ନିଜେ । କଣ କେମିତି ହୋଇଥିଲା, ସେସବୁ ନେଇ ଖୁବ୍ ସରଗରମ ହେଲା ସଭାସ୍ଥଳ । ଧିରେ ଧିରେ କ୍ଲାନ୍ତ ହୋଇପଡିଲେ ନୀଳାଦ୍ରି । ଖୁବ୍ ମନେପଡ଼ିଲା ଦ୍ରାକ୍ଷା। ବିଶାଳ କୋମଳ ମନର ଅଧିକାରିଣୀ ଦ୍ରାକ୍ଷା ।

ଅବସର ନେବାର ସମୟ ଆସି ପହଁଚିଗଲା । କିଛିଦିନ ହେବ ନିଜକୁ ପ୍ରସ୍ତୁତ କରୁଥିଲେ ସେ ସେଥିପାଇଁ । କିଛି କରିବେ ତାଙ୍କ ଚାରିପାଖରେ ଥିବା ଅଭାଵୀ ମଣିଷ ମାନଙ୍କ ପାଇଁ । ସବୁ ଯୋଜନା କରି ରଖିଥିଲେ । ହଁ, ନୂଆ ସକାଳଟେ ନୂଆ କରି ହାଜର ହେବ ତାଙ୍କ ପାଇଁ । ତାକୁ ସ୍ଵାଗତ କରିବାର ନିଶାରେ ଥିଲେ ସେ ।

ନୀଳାଦ୍ରି ଗାଡିରୁ ଓହ୍ଲେଇ ଘର ଭିତରକୁ ଗଲେ । ପତ୍ନୀଙ୍କ ତୈଳଚିତ୍ର ପାଖରେ ଠିଆ ହେଲେ । ବ୍ୟାଗ୍ ପକେଟରୁ କାଢ଼ିଲେ ଫଟୋଟିକୁ । ଓଲଟେଇଦେଲେ । ଫଟୋ ପଛପଟେ ଲେଖାଥିବା ଚାରିଧାଡ଼ି କବିତା, ଶିହରଣ ହୋଇ ଖେଳିଗଲା ଦେହରେ ମନରେ । ‘ଏଇ ସେ କବିତା । ଏଇ ସେ କବିତା ଦ୍ରାକ୍ଷା । ଯାହାକୁ ତୁମେ ଲେଖିଥିଲ ତୁମ ଫଟୋ ପଛପଟେ, ଆଉ ଦେଇଥିଲ ମତେ । ଏ କବିତା ତୁମେ ଲେଖିଥିଲ ସେଦିନ, ମୋପାଇଁ । ଆଜି ମୁଁ ଅବସର ନେଲି ମୋ ଚାକିରି ଜୀବନରୁ । ଅଫିସ୍ ରୁ ଗୋଟେଇଲି ମୋ ସ୍ମୃତି ସବୁ । ଆଞ୍ଜୁଳାଏ ସ୍ମୃତି ଫେରାଇ ଆଣିଲି, ଆଉକିଛି ଛାଡି ଦେଇ ଆସିଲି ସେଇଠି, ଅଫିସ୍ ର କୋଣ ଅନୁକୋଣରେ । ଅନେକ ସମୟରେ ତୁମେ ଖୋଜୁଥିଲ ଏଇ ଫଟୋଟିକୁ । ମୁଁ ପାଇଗଲି ଆଜି । ନେଇ ଆସିଛି ତୁମକୁ ଦେଖେଇବା ପାଇଁ । ତୁମେ ଦେଖିପାରୁଚ ଦ୍ରାକ୍ଷା ?’ ଭାବ ବିହ୍ୱଳ ହୋଇ ପଡୁଥିଲେ ନୀଳାଦ୍ରି । ବଡ଼ ସେଇ ତୈଳଚିତ୍ରଟିରୁ ବିଚ୍ଛୁରିତ ହୋଇପଡୁଥିଲା ସୁକୁମାରୀ ପ୍ରେମିକାଟିଏର ଆଦ୍ୟ ଯୌବନର ପ୍ରେମ ଜୁଡୁବୁଡୁ, ମିଠା ମିଠା, ଭଲପାଇବାର ବାସ୍ନା …

(‘କ୍ରାନ୍ତିଧାରା’ର 14 ଅଗଷ୍ଟ 2023 ସଂଖ୍ୟାରେ ପ୍ରକାଶିତ)

Leave a comment