ଛତା, ବିଶ୍ୱାସର ଛାତଟିଏ । ସିଏ ମୁଣ୍ଡ ଉପରେ ଅଛି ତ ରୋକିନେବ ବର୍ଷାର ଟୋପାଟିକୁ – ସେ ବର୍ଷା ଲୁହର ହେଉ ବା ଆଷାଢ଼ର।
ମର୍ଣିଂୱାକ୍ ସାରି ବାପା ଫେରୁଥିଲେ । ହାତରେ ଧରିଥିଲେ ପୁରୁଣା ରଙ୍ଗଛଡା ମାଟିଆ ଛତାଟେ । ଦୁର୍ବଳ ହୋଇଗଲେଣି ବାପା। ନିଷ୍ପ୍ରଭ ଦିଶୁଥିଲେ ସେ – ଛତାଟି ପରି ଟିକେ ପୁରୁଣା, ଟିକେ ଲୋଚା କୋଚା – ସଂସାର ଚାପରେ । ଦାଣ୍ଡ ଘରେ କଣିକିଆ ଖଟଟି ଉପରେ ଗଡୁଥିଲି ମୁଁ । ଡେଲିଭରି ତାରିଖ ଯେତେ ପାଖ ହେଉଥିଲା, ଦେହଟା ସେତେ ଅସଜ ଲାଗୁଥିଲା । ବାହାଘରର ଦଶବର୍ଷ ପରେ ମୁଁ ମାଆ ହେବାକୁ ଯାଉଥିଲି । ମାଆ ତାରିଣୀଙ୍କ ପାଖକୁ ପ୍ରତି ମାସ ନଡିଆ ପଠାଉଥିଲା ବୋଉ । ମର୍ଣିଂୱାକରୁ ଫେରିବା ବାଟରେ ନଟ ଗଉଡ ପାଖକୁ ଯାଇ ଦେଶୀ ଗାଈର ନିରୁତା ଖିର ଆଣି ଆସୁଥିଲେ ବାପା । ମୋ ମନର ଶଙ୍କା ଉପରେ ସାହସର ଦୃଢ଼ ହାତଟିଏ ଛତାଟିଏପରି ଘୋଡେ଼ଇ ରଖିଥିଲେ ବାପା ବୋଉ ।
– ‘ବାପା, ତୁମେ ନିଜର ଅଦୌ ଯତ୍ନ ନେଉନ!’ – ହାତରୁ ତାଙ୍କର ଛତାଟି ନେଇ ଆଲେଣା ପଛପଟେ ଟାଙ୍ଗି ଦେଇ ଗେହ୍ଲେଇ ହୋଇ କହିଥିଲି ମୁଁ ।
– ‘ନାଇଁ ରେ ମାଆ, ଠିକ୍ ଅଛି ମୁଁ । ବୁଢ଼ା ହୋଇଗଲିଣି ପା’ – ଖିର ଜାଗାଟିକୁ ମୋ ହାତକୁ ବଢ଼େଇ ଦେଇ ବାପା ଟିକେ ହସିଦେଲେ । – ‘ଯା, ଯା, ଖିରତକ ବୋଉକୁ ଦେବୁ । ଫୁଟେଇ କି ଆଗ ଗିଲାସେ ଖିର ତତେ ଦେବ। ହଁ, ବୋଉକୁ କହିବୁ ଅଧ ଲିଟର ଖିର ଆଜି ଅଧିକ ଆଣିଛି – ଖିରି ଟିକେ କରିବ । ଚାଉଳ ଖିରି‘ – ବାପା ଜୋର୍ ପାଟିରେ କହୁଥିବା ସେ କଥା ଗୁଡାକ ବୋଉ କାନକୁ ପରିଷ୍କାର ଶୁଣା ଯାଉଥିଲା । ଦି’ ବଖୁରିଆ ଘରଟିରେ ଖୁଁ କରି କାଶିଲେ ତ ଦାଣ୍ଡରୁ ବାଡ଼ିଯାକେ ପହଞ୍ଚିଯିବ ସେ ଶବ୍ଦ । ବାପା କହିଥିବା କଥା ଗୁଡ଼ାକ ମତେ ଆଉ ଦୋହରେଇବାକୁ ପଡ଼ିନଥିଲା ବୋଉ ପାଖରେ । ବୋଉ ହାତକୁ ଖିର ଜାଗାଟା ବଢ଼େଇ ଦେଲା ବେଳେ ତା’ ମୁହଁରେ ଧାରେ ଲାଜୁଆ ହସ ଦେଖିପାରୁଥିଲି । ଶାଢିକାନିରୁ ଖଣ୍ଡେ ଦାନ୍ତରେ କାମୁଡି ଧରି ହସ ରୋକୁଥିଲା ବୋଉ । ମତେ ପିଠି କରି ବୋଉ ରୋଷେଇ ଘର ଭିତରକୁ ପଶିଗଲା ପରେ ମୁଁ ମନେପକାଉଥିଲି ଆଜି ତାରିଖଟା କଣ କି? ତିଥି? ଓ, ଆଜି ନାଗପଞ୍ଚମି । ବୋଉର ଜନ୍ମଦିନ ।
ବାପା, ବିଶ୍ୱାସର ଛତାଟିଏ, ଆଶା ଓ ଦୃଢତାର ଛାତଟିଏ ଆମ ମୁଣ୍ଡ ଉପରେ । ସେ ଅଛନ୍ତି ତ ଡର କାହାକୁ ? ଆମ ପାଇଁ ସର୍ବଦା ଜାଗତିଆର ରହୁଥିବା ବାପା ହାତରେ ଧରିଥାନ୍ତି ସେ ଛତାଟିକୁ, କି ଖରା କି ବର୍ଷା – ସବୁବେଳେ । ମର୍ଣିଂୱାକରେ ଯାଆନ୍ତୁ କି ଦିନ ଦି’ ପହରର ଧୁ ଧୁ ଖରାରେ, ହାତରେ ଧରିଥିବେ ଛତାଟିକୁ । ଆକାଶରେ ମେଘ ଥାଉ କି ନଥାଉ, ବାପାଙ୍କ ହାତରେ ତାଙ୍କୁ ଆଶ୍ୱାସ ଦେବାପାଇଁ ଥିବ ସେ ଛତାଟି । ହାତରେ ଧରିଥିବେ ବାପା ସେଇଟିକୁ ଆଶାବାଡିଟିଏ ପରି ।
ଭଗବାନ୍ ଙ୍କୁ ମୁଁ ବିଶ୍ଵାସ କରେ । ମନ୍ଦିର ବି ଯାଏ । ହେଲେ ବାପାଙ୍କ ଉପରେ ମୋ ବିଶ୍ଵାସ ଟିକେ ଅଧିକ। ଭଗବାନ୍ ମୋ ଡାକ ଶୁଣିବା ଆଗରୁ ବାପା ପୂରଣ କରନ୍ତି ମୋର ସବୁ ଅଳିଅର୍ଦ୍ଦଳି । ଖାଲି ମୋର ନୁହେଁ, ଭାଇର ବି । ଆମେ ଦି ଭାଇ ଭଉଣୀ ବାପାଙ୍କର ସମସ୍ୟା ହେଇ ରହିଗଲୁ ଏ ଯାଏଁ । ହଁ, ତିନିଦିନ ତଳେ ପୁଣି ଗୋଟେ ସମସ୍ୟା ଧରି ଆସିଥିଲେ ନିରଞ୍ଜନ। ‘ମହାମାରୀ ପରେ ଦୁର୍ବଳ ହୋଇପଡ଼ିଥିବା କମ୍ପାନୀରୁ କେବେବି ମୋର ଚାକିରି କଟିଯାଇପାରେ‘ – କହିଲା ବେଳେ ଅସହାୟ ଲଗୁଥିଲେ ଖୁବ୍। ଭାଇ ଆର୍ମିରେ ଚାକିରି ପାଇଁ ଇଣ୍ଟରଭିଉ ଦେଇଛି । ପାଇଗଲେ ସେ ଆର୍ମିରେ ଯୋଗ ଦେବ । ବୋଉର ସେତେଟା ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ରାଜି ହୋଇଥିଲା । ସାନଭାଇଟା ମୋର । ପିଲାଦିନୁ ମଜାରେ ତାକୁ ଭାଇ ଡାକୁ ଡାକୁ ସେଇଟା ଅଭ୍ୟାସରେ ପଡିଗଲା । ମୁଁ ତାକୁ ଭାଇ ଡାକିଲି ଆଉ ସେ ମତେ ଦେଈ ।
ବାପା କିଛି ଭୁଲନ୍ତିନି । ଭୁଲନ୍ତିନି ବୋଉର ଜନ୍ମଦିନ, ଭାଇର ଚାକିରି ପାଇଁ ଫର୍ମ ପୂରଣର ତାରିଖ । ତା’ ସହିତ ମତେ ଡାକ୍ତରାଣୀ ଦେଇଥିବା ସବୁ ଉପଦେଶକୁ ମୋ ଠାରୁ ବେଶୀ ମନେରଖିଥାନ୍ତି ବାପା । ବୋଉକୁ ତାଗିଦ୍ କରି ଏଇଟା କର, ଝୁନୁ ଖାଇବ – ସେଇଟା କର ଝୁନୁ ଛୁଆ ଗୋଛାଏ କୁଞ୍ଚୁକୁଞ୍ଚିଆ କଳାଚୁଟି ମୁଣ୍ତରେ ଧରିକି ଆସିବ କହି ବାପା ବି ହସି ପକାନ୍ତି । ବାପା , ଜଣେ ଅଦ୍ଭୁତ ଚରିତ୍ର ସତରେ ! ମୋ ପାଇଁ ମୋ ବାପା ମୁଣ୍ଡ ଉପରର ଦୃଢ଼ ଛାତଟିଏ। ବୟସ ହେଲାଣି, ଦୁର୍ବଳ ହୋଇଗଲେଣି ବାପା । ମୋ ସମସ୍ୟା କହି ତାଙ୍କୁ ଆହୁରି ଦୁର୍ବଳ କରିବାକୁ ଚାହୁଁ ନଥିଲି ।
ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲି ତଳି ପେଟରେ । ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଗଲାଣି କି? ଭାଇ ମୋ ପାଖରେ ଥିଲା । ବାପା ବୋଉ ବି । ‘ଆଙ୍କୁ ଖବର ପଠେଇଦେ ବୋଉ । ଆମେ ହସ୍ପିଟାଲ୍ ଯିବା ସମୟ ଆସିଗଲା ବୋଧେ ‘। ନାରୀଟିଏ ନିଜକୁ ବିଭାଜିତ କରି ସୃଷ୍ଟିକୁ ସଂସାରକୁ ଆଣିବାର ସମୟ । କଷ୍ଟ ତ ନିଶ୍ଚୟ, କିନ୍ତୁ କେଜାଣି କାହିଁକି ଟିକେ ଡର ସହିତ କେମିତି ଗୋଟେ ଅଦ୍ଭୁତ ଶାନ୍ତ ସ୍ମିଗ୍ଧ ଅନୁଭବଟିଏ ମୋ ମନକୁ ଆବୋରି ବସୁଥିଲା । ଭାଇର ସ୍ନେହ, ବାପା ବୋଉଙ୍କର ଆଶୀର୍ବାଦର ହାତଟି ଛତାଟିଏ ହୋଇ ଘୋଡେଇ ଦେଇଥିଲା ମୋ ମୁଣ୍ଡକୁ ।
-‘ଭାଇ କିଛି ହେଇନି ହୋ । ଟିକେ ସବୁର କର । ସିଧା ହସ୍ପିଟାଲ୍ ଆସିଯା’ ତୁମେ । ସେଇଠି ଭେଟ ହେବ । ମିଠା ଆଣିକି ଆସିଥିବ” – ଭାଇ ହାତରୁ ଫୋନ୍ ନେଇଗଲେ ବାପା। ‘ ନିରଞ୍ଜନ, ତର ତର ହେଇ ଆସିବା ଦରକାର ନାହିଁ । ଆମେ ଅଛୁ ଝୁନୁ ପାଖରେ । ତୁମେ ସେ ନୂଆ କମ୍ପାନୀକୁ କଥାବାର୍ତ୍ତା ହେବାକୁ ଯିବାର ଥିଲା । ଯାଅ । ସେ କାମ ସରିଲେ ଆସିବ’ । ବାପା ଫୋନ୍ କାଟିଥିଲେ । ଭାଇ ହାତକୁ ଫୋନ୍ ବଢ଼େଇ ଦେଇ କହିଲେ, ‘ଡରୁଛୁ କିରେ?’ – ‘ଭାଇ ହସିଲା । ବାପା, ଭାଇ ଜାଣିଛନ୍ତି ସବୁକଥା !! ମୁଁ ସଂକୁଚିତ ହୋଇ ପଡ଼ୁଥିଲି । ମୋ କପାଳ ଉପରେ ହାତଥାପି ଆଉଁସି ଦେଉ ଦେଉ ଭାଇ କହୁଥିଲା , ’ଡରନା, ତୋ ଭାଇ ତୋ ସାଙ୍ଗରେ ଅଛି‘। ବାପା ଡାକ୍ତରଖାନା ଯିବାକୁ ପ୍ରସ୍ତୁତ ହୋଇ ସାରିଥିଲେ । ହାତରେ ମୁଠେଇ ଧରିଥିଲେ ସେ ରଙ୍ଗଛଡା ପୁରୁଣା ମାଟିଆ ଛତାଟିକୁ। ପୁରୁଣା ହେଲେ ବି ଖୁବ ଦମ୍ଭ ଅଛି ଛତାଟିରେ । ଅଟୋ ରିକ୍ସାରେ ମୁଁ ବସିବାକୁ ଗଲାବେଳେ ଝିପିଝିପି ବର୍ଷା ପଡ଼ିବା ଆରମ୍ଭ ହୋଇଯାଇଥିଲା । ଅଦିନିଆ ବର୍ଷା । ବାପା ମେଲେଇ ଧରିଥିଲେ ଛତାଟିକୁ ମୋ ମୁଣ୍ଡ ଉପରେ, ତାଙ୍କର ଦୁର୍ବଳ ଅଥଚ ଦୃଢ଼ ହାତରେ । ଗୋଟିଏ ବି ବର୍ଷାଟୋପା ପଡୁନଥିଲା ମୋ ଦେହରେ ।
****