ଆଖି

ଆଖି କଥା କହେ । କେତେବେଳେ ଜୀବନର କଥା ତ କେବେ ଯନ୍ତ୍ରଣାର । ଯେତେ ମଣିଷ ସେତେ ଦୃଷ୍ଟି । ଆଖିରେ ଥାଏ ମଣିଷ ଚରିତ୍ରର ପ୍ରତିବିମ୍ବ । ଆଖି ଦେଖେ ପୁଣି କହେ ସେଇସବୁ କଥା । ସ୍ନେହ ପ୍ରେମ ଓ ଭଲ ପାଇବାର କଥା । କେବେ ପୁଣି ସେଇ ଦୃଷ୍ଟି ଭାଙ୍ଗି ରୁଜି ଛାରଖାର କରିଦିଏ ସବୁ କିଛି । ଗୋଟିଏ ଆଖି, ଅନେକ ଦୃଷ୍ଟି ।

ସ୍କେଚ୍ ୧

ଚୁଇଁ ଚଢ଼େଇ ଉଡ଼ି ଆସିଲା ଫୁଲ ପେନ୍ଥା ପାଖକୁ । ଟିକେ ବସିଲା, ଟିକେ ଖୁମ୍ପିଲା ସେଇ ଫୁଲକୁ । ପୁଣି ଉଡିଗଲା ପାଖ ଡାଳକୁ । ସେଇ ପତ୍ର ଥୋଲାକ ଭିତରେ ଲୁଚିଗଲା କିଛି ସମୟ । କୁନି କଳା ଥଣ୍ଟଟିଏ । ହଳଦୀ ରଙ୍ଗର ଦେହ । ମୁଁ ଖୋଜିହେଲି ତାକୁ । ଅଥୟ ହୋଇ ଆସିଲା ବେଳକୁ ଚୁଟ କରି ବାହାରି ପଡ଼ିଲା ସେ । ତାର ଚିଁ ଚିଇଁ ଡାକ ପହଁରି ବୁଲିଲା ଚାରିଆଡ଼େ । ବାଲକୋନୀରେ ଆର୍ମ ଚେୟାରରେ ବସି ମୁଁ ତାକୁ ଚାହିଁ ରହିଥିଲି ।

– ‘ଆପଣ ବାଲକୋନୀରେ ବସୁଛନ୍ତି … ଡର ଲାଗୁନି? କେତେ କାଉ ସେଠି ?’ ମିସେସ ମହାପାତ୍ର, ମୋ ପଡ଼ୋଶୀ ଆତଙ୍କିତ ସ୍ଵରରେ ପଚାରୁଥିଲେ।

– ‘ଆଉ ଚୁଇଁ ଚଢ଼େଇ ? କାଉ ବି ଅଛନ୍ତି କି ଏଠି ?’

ସ୍କେଚ୍

ବିବାହ ପରେ ସ୍ବାମୀର ହାତ ଧରି ପ୍ରଥମକରି ମୁମ୍ବାଇର ଲୋକାଲ ଟ୍ରେନ୍ ରେ ଚଢ଼ିଛି ସୁଲି । ଆଉ ଅଳ୍ପ ସମୟ ପରେ ସେମାନେ ପହଞ୍ଚି ଯିବେ ତାଙ୍କ ଘରେ । ନରହରି ଆଖିରେ ଖୁସି ଝଲକୁ ଥିଲା । ତା ଦେହକୁ ଟିକେ ଲାଗିଯାଇ ଖୋଲା ଆଖିରେ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଦେଲା ସୁଲି । କେମିତି ହେଇଥିବ ସତରେ ତାର ସେ ଘର! ଖୋଲା ମେଲା ଛାତଟେ ଥିବ ବୋଧେ । ଡଲିଅପା ଘର ପରି ବା ସୁମିଅପା ଘର ପରି ଲମ୍ବା ଅଗଣା ଟେ ଥିବ କି ? ସେଇଠି ସେ ଲୁଗା ଶୁଖେଇବ । ଆଚାର ପାମ୍ପଡ ବଡି ପାରି ଦେବ ।

ହେଇ ଦେଖ , ଆମ ଘର । ମୋବାଇଲ୍ ର କୁନି ପରଦାରେ ନରହରି ଦେଖାଉଥିଲା ତାଙ୍କ ଘର । ସୁଲି ଚାହିଁଲା, ପ୍ଲାଷ୍ଟିକ ଜରିରେ କାନ୍ଥ, ଛାତ, ଦୁଆର । କେତେନା କେତେ ଘର । ଲାଗି ଲାଗି । ଯୋଡା ଯୋଡି । ଏମିତି ଅସ୍ଥାୟୀ ଘରଟେ ତ ସେ ତିଆରି କରିଛି ତା ସାଙ୍ଗ ମାନଙ୍କ ସହ ଧୂଳି ବାଲିର ଖେଳ ଖେଳିବା ସମୟରେ । ଏଇ ତାର ଘର ? ପୁରା ଆଖି ଲୁହରେ ଭରି ଯାଇଥିଲା । ନରହରି ଚାହିଁ ରହିଛି ତାକୁ । ଏଥର ଭଲକରି ରଗଡ଼ି ଆଖି ପୋଛିନେଲା ସୁଲି । ଚାହିଁଲା ନରହରି ର ଆଖିକୁ । ଏତେ ଖୁସି ଏତେ ଆନନ୍ଦ ଏତେ ଭଲପାଇବା ସେ ଆଖିରେ । ଏକ ଅପୂର୍ବ ସମ୍ମୋହନ, ଅବର୍ଣ୍ଣନୀୟ ଅନୁଭବ ଖେଳେଇ ହୋଇଗଲା ସାରା ଦେହରେ, ମନରେ । ପ୍ରିୟର ଆଖିର ଡୋଳାରେ ପ୍ରେମର ନିବୁଜ ସୁରକ୍ଷିତ ଘରଟି ଭିତରେ ନିଜକୁ ହିଁ କେବଳ ଦେଖିପାରୁଥିଲା ସୁଲି । ନରହରି କହୁଥିଲା ଖୁସି ଲାଗୁଛି ନା ଆମ ଘର ଦେଖି । ଏଇଟି ତ ଫଟୋଟିଏ । ତୁ ଗଲେ ସଜାଡ଼ି ଦେବୁ ତୋ ଘରକୁ ନିଜ ହାତରେ । ସୁଲି ଭାବୁଥିଲା କହିବ କି ମୋ ଘର ତ ତୁମ ଆଖିରେ । ଲାଜେଇ ଗଲା । କହିପାରିନଥିଲା କିଛି ।

ସ୍କେଚ୍ ୩

ସକାଳ ପହରୁ ଘର ଛାଡ଼ିଲାଣି ଗୁରେଇ । ଉତିଆଣି ପିଲାଟା କାଖରେ ଝୁଲିଛି । ଭୋକରେ ପେଟ ଗୁରାଣ୍ଡି ହେଲାଣି । ପିଲାଟାକୁ ବି ଭୋକ ହେଉଥିବ ଖୁବ୍ । କୁଆଡେ଼ ଯିବ ଏଯାଏଁ ଠିକ୍ କରିନି ସେ । ଦୁଃଖ, କଷ୍ଟ ଯନ୍ତ୍ରଣାରେ ଆଖି ବୁଜି ହେଇଯାଉଛି ତା’ର । ବୁଜା ଆଖିରେ ରହି ରହି ଦିଶୁଛି ସେ ଆଖି ଦି’ ଟା । ଶିଆଳ ପରି ଜଳୁଥିବା ସେ ଆଖି ଦି’ ଟାରେ ଏତେ ଭୋକ ! ଓଃ, ବାପ ବୟସର ସେ ଲୋକଟି ତା’ ପରି ଅସହାୟ ନାରୀଟିଏ ପ୍ରତି ଏମିତି ନିର୍ଦ୍ଦୟ ହେଇଗଲା କେମିତି ଯେ!!

ତା’ ଝୁମ୍ପୁଡ଼ି ସାମ୍ନା ରେ ଏବେ ଲୋକ ଜମିଯିବେଣି । ପୋଲିସ୍ ବି ଆସିଥିବେ । ତା ପରି ଦୂର୍ବଳିଆ ସ୍ତ୍ରୀ ଲୋକଟିଏ ଏତେ ମୋଟା ସୋଟା ଲୋକଟିକୁ … ଗୁରେ଼ଇ ତା ଲଙ୍ଗଳା ହାତଟିକୁ ଚାହିଁଲା । ଟିକେ ଏପଟ ସେପଟ ଓଲଟାଇ ଦେଖିଲା – ରକ୍ତ ଦାଗ କିଛି ଲାଗିନି ତ ତା’ ହାତରେ….

****

Leave a comment