ରୂପାଲୀ ଚୁପ୍ ଚାପ୍ ଚାଲିଥିଲା ରଙ୍କନିଧି ପଛେପଛେ । କିଟିକିଟି ଅନ୍ଧାର ଭିତରେ ରଙ୍କନିଧିର ମିଞ୍ଜି ମିଞ୍ଜି ଟର୍ଚ୍ଚ ଆଲୁଅ ସେମାନଙ୍କୁ ରାସ୍ତା କଢାଇ ନେଉଥିଲା । ଲମ୍ବପାଦରେ ଚାଲୁଥିବା ରଙ୍କନିଧିପଛରେ ଏକ ରକମ ଦୌଡୁଥିଲା ରୂପାଲୀ। ଧଇଁ ସଇଁ ହୋଇପଡୁଥିଲା ସେ । ରଙ୍କନିଧି ସହ ପାଦରେ ପାଦ ମିଳାଇ ଚାଲିବାକୁ ପିଲାଦିନରୁ ସବୁବେଳେ ଚାହିଁ ରହିଥିବା ରୂପାଲୀ ସେଇଦିନ ଗୁଡ଼ିକ ପରି ଆଜିବି ଦୌଡ଼ୁଥିଲା ତା’ ପଛରେ ।
ଖୁବ୍ ହାଲିଆ ଲାଗୁଥିଲା ରୂପାଲୀକୁ । ଚାହିଁଥିବା, ଅପେକ୍ଷା ରଖିଥିବା ରାତିଟିକୁ ଇଛା ମୁତାବକ ବିତାଇ ପାରିନଥିବାର ଦୁଃଖରେ ହତାଶ ହୋଇପଡୁଥିଲା ସେ । ସେଇଥିପାଇଁ ତ ଯାତ୍ରାଦେଖା ଅଧାରୁ ଉଠି ଆସିଥିଲା । ତାକୁ ତ ଆଉ ଏ କଥା ଜଣା ନ ଥିଲା ଯେ ଆଜି ମହାଭାରତ ନୁହେଁ, ସାମାଜିକ ନାଟକଟିଏ ପରିବେଷଣ ହେବ, ଆଉ ରଙ୍କନିଧି ସେଠି କେବଳ ଆନୁସଙ୍ଗିକ କାମ କରିବ, ଅଭିନୟ ନୁହେଁ । ଏକଥା କେହି ବି ତାକୁ କହିନଥିଲେ । ସେ ବି କୋଉ ଜାଣିବାର ପ୍ରୟାସ କରିଥିଲା ଯେ?
ଯେଉଁଦିନଠାରୁ ରଙ୍କନିଧି ଏ ଯାତ୍ରା ପାର୍ଟିରେ ମିଶିଲା, ସେଇ ଦିନଠାରୁ ଗାଁ ଛାଡ଼ି ଚାଲି ଯାଇଥିଲା ସେ । ଗତ ତିନି ବର୍ଷ ଭିତରେ ଯେତେଥର ଗାଁକୁ ଆସିଛି, କିଛି ନା କିଛି ଆଳରେ ଦୂରେଇ ରହିଛି ସେ ରୂପାଲୀ ପାଖରୁ । ନିରୁଭାଉଜ କହୁଥିଲେ ଯାତ୍ରାରେ ଝିଅ ପିଲାଙ୍କ ଚରିତ୍ରରେ ଅଭିନୟ କରୁଛି ରଙ୍କନିଧି । କହିଲା ବେଳେ ଲୁଗା କାନିକୁ ପାଟିରେ ଚାପି କେମିତି ଛିଗୁଲେଇଲାପରି ହସୁଥିଲେ ସେ । ଅଲଗା ପ୍ରକାର ଅନୁଭବଟିଏ ଯେମିତି ଗୋଳେଇ ହୋଇ ରହିଥିଲା ସେ ହସରେ । ନିରୁଭାଉଜ ଥିଲେ ରଙ୍କନିଧିର ନିଜ ଭାଉଜ – ତାପରେ ବି ସେ ଏମିତି ହସି ପାରୁଛନ୍ତି କେମିତି କେଜାଣି ? ଛୁରୀ ପରି କାଟି ଦେଉଥିଲା ସେ ହସ ଟିକକ ରୂପାଲୀର ଛାତିକୁ । ତଥାପି ନିରୁଭାଉଜଙ୍କ ନିକଟରେ କୃତଜ୍ଞ ସେ – ସେ ନ ଚାହିଁଥିଲେ ଆଜି କଣ ରୂପାଲୀ ଆସି ପାରିଥାନ୍ତା ଯାତ୍ରା ପଡିଆକୁ? ବାପା ବୋଉ କେବେ ବି ଛାଡ଼ି ନଥାନ୍ତେ ତାକୁ ।
ରଙ୍କନିଧିର ଯାତ୍ରା ପାର୍ଟି ପ୍ରଥମଥରପାଇଁ ପାଖ ଗାଁକୁ ଆସିଥାଆନ୍ତି ଯାତ୍ରା ପରିବେଷଣ କରିବାକୁ । ଦୁଇ ଗାଆଁ ମଝିରେ ଅଛି କେବଳ ଅନାବନା ଗଛର ଛୋଟ ବୁଦୁବୁଦିଆ ଜଙ୍ଗଲଟିଏ । ଗୋଟିଏ ଗାଁରେ ବାହାପୁଆଣୀ ହେଲେ ଆର ଗାଁ ଯାଏଁ ଯୋଡିମହୁରୀ ଶୁଭେ । ଦୁଇଗାଁ ଭିତରେ ଭାବର ଆଦାନପ୍ରଦାନ ଖୁବ୍ ସୁଦୃଢ । ଏବେ ଏ ଯାତ୍ରାପାର୍ଟିର ଆଗମନ ପାଖାପାଖି ଅଞ୍ଚଳକୁ ବଡ ସରଗରମ କରି ଦେଇଥାଏ ।
– ‘ମହାଭାରତରେ ଗାଁ ପୁଅକୁ ଶିଖଣ୍ଡୀ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ, ସମସ୍ତେ ଆସିବ ନିଶ୍ଚୟ’ – କହି ନିଜେ ସରପଞ୍ଚ ଅନୁରୋଧ କରିଥିଲେ । ତା’ ପରେ ବି ବାପା ବୋଉଙ୍କର ଯାତ୍ରା ଦେଖିବାରେ ଆଗ୍ରହ ନଥିଲା । ଭାଇ ଦୃଢ଼ ସ୍ବରରେ କହିଦେଇ ଯାଇଥିଲା, ରୂପାଲୀ ଯେମିତି ଯାତ୍ରା ଦେଖିବାକୁ ନ ଯାଏ । ଭାଇ ବୋଧହୁଏ ରଙ୍କନିଧି ପ୍ରତି ରୂପାଲୀର ଦୁର୍ବଳତା ଜାଣି ନେଇଥିଲା । ଏଣେ ଦୁଇଦିନ ପାଇଁ ତା’ ଟ୍ୟାକ୍ସି ନେଇ ଦୂରକୁ ଚାଲିଯାଇଥିଲା ଭାଇ – ସେଇଥିପାଇଁ ତ ନିରୁଭାଉଜ କଥାରେ କଥାରେ ବୋଉକୁ ରାଜି କରାଇ ପାରିଥିଲେ ରୂପାଲୀକୁ ତାଙ୍କ ସାଙ୍ଗରେ ଛାଡିବାପାଇଁ । ବାପା ପ୍ରଥମରୁ ଟିକେ ଅମଙ୍ଗ ହେଉଥିଲେ ସିନା, କିନ୍ତୁ ଭାଉଜ ଯେ ମହା ପାରିବାର; ରାଜି କରେଇ ନେଇଥିଲେ ତାଙ୍କୁ ମଧ୍ୟ।
ସେମାନେ ଆସିବା ବାଟରେ ନିରୁଭାଉଜ ରଙ୍କନିଧି ଅଭିନୟ କରୁଥିବା ଶିଖଣ୍ଡୀ ଚରିତ୍ରଟିକୁ ନେଇ ବେଶ୍ କିଛି ଆମୋଦ ଆଲୋଚନା ବି କରିଥିଲେ ରୂପାଲୀ ସହ । ରାଜକୁମାରୀ ଅମ୍ବାଙ୍କର ଭୀଷ୍ମ ପିତାମହଙ୍କ ପ୍ରତି ଅଭିମାନ ଓ ଶିଖଣ୍ଡୀର ଜନ୍ମ ବୃତ୍ତାନ୍ତ ଶୁଣେଇ ଥିଲେ ସେ । ନାରୀ ନୁହେଁ କି ପୁରୁଷ ନୁହେଁ ଶିଖଣ୍ଡୀ,କହି ପୁଣିଥରେ ହସିଥିଲେ ସେ ବେପରୁଆ ରହସ୍ୟମୟ ହସ । ସବୁ ଟାହି ଟାପରା ବୁଝି ପାରୁଥିଲେ ବି ମନଦେଇ ନିରୁଭାଉଜଙ୍କୁ ଶୁଣିଥିଲା ରୂପାଲୀ । ଯାହାହେଲେବି ରଙ୍କନିଧିର ଅଭିନୟ ଦେଖିବାକୁ ଯିବାର ସୁଯୋଗ ନିରୁଭାଉଜଙ୍କ ଜରିଆରେ ହିଁ ତ ମିଳିଥିଲା !
ଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ଦ୍ଵାର ଦେଶରେ ରଙ୍କନିଧିକୁ ଦେଖି ଓ ସେଦିନର ସାମାଜିକ ନାଟକଟିରେ ତା’ର ଅଭିନୟ ନ ଥିବା କଥା ଶୁଣି ବଡ ଦୁଃଖୀ ହୋଇ ପଡିଲା ରୂପାଲୀ । ଅଭିନୟ ବଦଳରେ ରଙ୍କନିଧି ସେଦିନ କାଳେ ଦର୍ଶକମାନଙ୍କର ସୁବିଧା-ଅସୁବିଧା କଥା ବୁଝିବ । ଏକଥା ଶୁଣି ରୂପାଲୀର ନାଟକ ଦେଖିବାର ଇଛାଟି ସମ୍ପୂର୍ଣ୍ଣ ମରି ଯାଇଥିଲା ।
ନାଟକ ଆରମ୍ଭ ହେଲା; କିନ୍ତୁ ରୂପାଲୀର ମନ ସେଥିରେ ତିଳେହେଲେ ନ ଥିଲା । ‘ନାଟକ ଦେଖିବାକୁ ଭଲ ଲାଗୁନି ତ ଘରକୁ ପଳା’ କହି ନିରୁଭାଉଜ ରଙ୍କନିଧି ସହ ତାକୁ ଘରକୁ ପଠେଇ ଦେଇଥିଲେ । ତାଙ୍କ ମୁହଁରେ ପୁଣି ସେଇ ଦୁଷ୍ଟ ହସଟି ଉକୁଟି ଉଠୁଥିଲା ସେତେବେଳେ ।
ଏତେ ରାତିରେ ଜଣେ ପୁରୁଷ ଲୋକ ସହ ଜଙ୍ଗଲ ରାସ୍ତାରେ ଫେରିବା ଆଦୌ ଉଚିତ୍ ନୁହେଁ ଜାଣିମଧ୍ୟ କି ଗୋଟେ ଆକର୍ଷଣରେ ରଙ୍କନିଧି ପଛେ ପଛେ ବାହାରି ଆସିଥିଲା ସେ । ଅନ୍ଧାରକୁ ପ୍ରବଳ ଭୟ କରୁଥିବା ରୂପାଲୀ ଯେମିତି ଧାଇଁଥିଲା ଗୋଟେ କାଳ୍ପନିକ ଆଲୋକ ବର୍ତ୍ତିକା ପଛରେ । ଅନ୍ୟମାନଙ୍କ ଆଖିରେ ଯେମିତି ହେଇଥାଉ ପଛେ, ରୂପାଲୀର ମନରେ ରଙ୍କନିଧିପାଇଁ ଗଢି ଉଠିଥିଲା ଭଲପାଇବାର ନିବୁଜ ନିଡଟିଏ । ଝିଙ୍କାରିର ଝିଁ ଝିଁ ଶବ୍ଦ ନିରବତାକୁ ଆହୁରି ଗମ୍ଭୀର କରି ତୋଳୁଥିଲା । ହଠାତ କ’ଣଟାଏ ଝୁଣ୍ଟିପଡି ରୂପାଲୀ ରଙ୍କନିଧିର ବାହାକୁ ଜାବୁଡି ଧରିଲା । ରାତ୍ରିଚର ପକ୍ଷୀ କେତୋଟି ଡେଣା ଫଡ ଫଡ କରି ଉଡିଗଲେ । ପ୍ରଥମ ସ୍ପର୍ଶର ସ୍ପନ୍ଦନରେ ତରଳି ଯାଉଥିଲା କଟକଣାର ବ୍ୟବଧାନ ଆଉ ରୂପାଲୀ ମନରେ ଜମାଟ ବାନ୍ଧୁଥିଲା ଅଗାଧ ବିଶ୍ବାସ ଓ ସମର୍ପଣର ଆବେଗ । ରୂପାଲୀ ହଜିଯାଉଥିଲା କେଉଁ ଏକ ଅଜଣା ମୂଲକରେ ।
ରଙ୍କନିଧିର ପ୍ରତିରୋଧରେ ପ୍ରକୃତିସ୍ଥ ହେଲା ରୂପାଲୀ । ସେଇଠି ବୁଦୁବୁଦିଆ ଗଛ ଗହଳିରେ ରାତି ଅଧରେ ରଙ୍କନିଧି ନିଜ ହୃଦୟର ଅଦ୍ଭୁତ ଅନାଲୋକିତ ଇଲାକା ଭିତରକୁ ବାଟ କଢ଼େଇ ନେଇଯାଇଥିଲା ରୂପାଲୀକୁ । ନିରୁଭାଉଜଙ୍କ କଥାରେ ରଙ୍କନିଧିକୁ ଚିହ୍ନି ପାରି ନଥିବା ରୂପାଲୀ ସେଇ ଗଭୀର ରାତିରେ ସ୍ପଷ୍ଟ ଦେଖିପାରୁଥିଲା ତାର ଇପ୍ସିତ ମଣିଷଟିକୁ ଆଉଏକ ନୂଆ ରୂପରେ । ନିଜ ମନର ଗୋପନ ପ୍ରବଣତାକୁ ରୂପାଲୀ ସହ ବାଣ୍ଟି ଦେଇଥିଲା ରଙ୍କନିଧି ।
ରୂପାଲୀର ଘର ଆଉ ବେଶୀ ବାଟ ନୁହେଁ । କହିବା ପାଇଁ ରଙ୍କନିଧି ପାଖରେ କଣ ବା ଅଛି ଆଉ ? ଦୁଇଟି ଭିନ୍ନ ରାସ୍ତାରେ ଚାଲୁଥିବା ମଣିଷ ସେମାନେ । ରଙ୍କନିଧି ରୂପାଲୀକୁ ବିଦାୟର ହାତ ହଲେଇ ମୁହଁ ବୁଲାଇ ନେଲା । ତା’ର ଫେରନ୍ତା ବାଟକୁ ଏକ ଲୟରେ ଚାହିଁ ରହିଥିଲା ରୂପାଲୀ । ଆଖି ଲୁହରେ ଅସ୍ପଷ୍ଟ ଦିଶୁଥିଲା ରଙ୍କନିଧି । କାନ ପାଖରେ ଅନୁରଣିତ ହେଉଥିଲା ତାର ସ୍ୱୀକାରୋକ୍ତି । ଅନେକ ଦିନରୁ ଅପେକ୍ଷା ରଖିଥିବା ରୂପାଲୀ ମନର ମଣିଷଟି ରାତିର ଅନ୍ଧାର ଭିତରେ ମିଳେଇ ଯାଉଥିଲା ।
****