ଘର

‘ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?’ – ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, ‘ଏଇଟା କୋଉ ଜାଗା? ଘର ଆଉ କେତେବାଟ?’ ଚିଡିଗଲା ରଘୁନାଥ । ଝରକାର କୁନି ଫାଙ୍କ ଭିତରୁ ସେ ଯେ ଜାଗାଟି ଠଉରେଇ ପାରୁନି, ସେକଥା ନ କହି କହିଲା, ‘କଣ ପାଇଁ ଗୋଟେ ଘର ଘର ହେଉଛୁ? ଚୁପ ହୋଇ ବସିପାରୁନୁ? ଘର ପାଖ ହେଲେ କଣ୍ଡକ୍ଟର୍ ବଳେ ଉଠେଇ ଦେବନି?’ ନୀଳିମା ଆଘାତ ପାଇ ଆଖି ଛଳ ଛଳ କଲା । ନରମି ଗଲା ରଘୁନାଥ ।

ସେମାନେ ଛକରେ ଓହ୍ଲେଇ ଚାଲିଚାଲି ଘରେ ପହଞ୍ଚିଲେ । ବ୍ୟାଗରୁ ଚାବି ଦରାଣ୍ଡି ପାଇବାକୁ ଟିକେ ସମୟ ନେଲା ନୀଳିମା । କିଛି ସମୟପରେ କୁନି ଚାବିଟିରେ ଖୋଲିଦେଲା କବାଟରେ ଝୁଲିଥିବା ତାଲାଟିକୁ । ଦୁଇବର୍ଷ ତଳେ ବାହାହୋଇ, ଏଇ ମଣିଷଟି ସହ ପ୍ରଥମକରି ସହରକୁ ଆସିଥିଲା ନୀଳିମା । ସେଦିନ ଏଇ କୁନି ଚାବିଟି ତା ହାତକୁ ବଢେଇଦେଇ ରଘୁନାଥ କହିଥିବା ସେ କଥା – ‘ଏଇଟା ତୋ ଘର । ନେ, ରଖ ଏ ଚାବି ।”- ରହିରହି ମନେପଡୁଥିଲା ନୀଳିମାର। ଘରେ ପଶୁ ପଶୁ ରଘୁନାଥ ଫୋନ୍ ଉଠେଇ ମାଆକୁ ‘ବସାରେ ପହଞ୍ଚିଗଲୁ’ କହିଲାବେଳେ ନୀଳିମା ଟିକେ ହସିଦେଲା । ରଘୁନାଥ ପଚାରିଲା, ‘ହସିଲୁ କାହିଁକି?’ ନୀଳିମା କହିଲା ‘ବସା କହିଲ ଯେ’?

– ‘ହଁ, ବସା ନୁହେଁତ ଆଉ କଣ? ଯେଉଁଠି ବାପା-ବୋଉ ସେଇତ ମୋ’ ଘର । ଏଠି ସେଠି ପେଟପାଟଣା ପାଇଁ ବସାଟିଏ କେବଳ ଗଢୁଛେ ଆମେ । ଘର ସେଇ ଗୋଟିଏ । ରଘୁନାଥ ନିଜ ଉତ୍ତରରେ ସନ୍ତୁଷ୍ଟ ଥିବାପରି ମନେ ହେଉଥିଲା । ନୀଳିମା ଅନ୍ୟମନସ୍କ ହେଲା ।ଟିକେ ଦ୍ୱନ୍ଦରେ ପଡିଗଲା ମଧ୍ୟ । ଶାଶୁଘର ଓ ବାପଘର ଭିତରେ କେଉଁଟି ତା’ର ଘର? ଯେଉଁଠି ଜନ୍ମହେଲା, ଧୂଳିଘର ଗଢି ସାଙ୍ଗସାଥିଙ୍କ ସହ ହସିଖେଳି ଦିନକାଟୁକାଟୁ କେତେବେଳେ ସେ ଘରକୁ ପର କରିଦେଇ ଶାଶୁଘରକୁ ଆପଣେଇନେଲା ସେ ନିଜେ ବି ଜାଣେନି । ସେଇ ଶାଶୁଘର କେବେ କଣ ତାକୁ ନିଜର କରିଛି? ସେମିତି ପ୍ରତ୍ୟୟଟିଏ ସୃଷ୍ଟି କରିପାରିଛି କି ତା’ ହୃଦୟରେ ? ଆପଣାର ମଣିଷ ମାନଙ୍କ ଭିତରେ ଥାଇ ନିଜର ଆଶା ଆକାଂକ୍ଷାକୁ ଜଳାଞ୍ଜଳି ଦେଇଛି ସବୁବେଳେ ସେ । ସଂସ୍କାର, ପରମ୍ପରା ସମ୍ଭାଳିଛି ଅକୁଣ୍ଠିତ ଚିତ୍ତରେ । ବୋଉର କଥା ତୁହାଇ ତୁହାଇ ମନେପଡୁଥିଲା ତା’ର । ଶାଶୁ ଘରେ ଜଗିରଖି ଚଳିବୁ ମାଆ , ସେମାନେ ଖୁସିହେଲେ ଆମେଖୁସି ।

ନାରୀଟିଏ ପାଇଁ ଥାଏ କିଛି ଅଲେଖା ଅନୁଶାସନ । ସମ୍ପର୍କକୁ ଯୋଡି ରଖିବାର ଅପୂର୍ବ କଳାଟି ସେଇ ଅଲିଖିତ ଅନୁଶାସନ ଭିତରେ ଗୁନ୍ଥିହୋଇ ରହିଥାଏ । କେହି ତାକୁ ଦେଖି ପାରେନା । ସେଇଟିକୁ ଅନୁଭବ କରେ କେବଳ ସେଇ ନାରୀଟି । ସାଉଁଟେ, ସଜାଡେ ଆଉ ସୁନାର ସଂସାରଟିଏ ଗଢିଦିଏ ନିଜ ହାତର କାଉଁରୀ ସ୍ପର୍ଶଦେଇ ।

ସବୁକିଛି କରିପାରେ ନାରୀଟିଏ । ସ୍ନେହ, ମମତା, ଭଲପାଇବାର ଚୌହଦୀ ଭିତରେ ସେ ହସିହସି ସବୁ କଷ୍ଟ ସହିପାରେ ।

ନିରୁତା ପ୍ରେମର ଫଲ୍ଗୁଟିଏକୁ ରଘୁନାଥର ଆଖିର ସମୁଦ୍ରରେ ନିରେଖିବା ପାଇଁ, ସେଇଠି ନିଜକୁ ହଜାଇଦେବାପାଇଁ ସବୁବେଳେ ଚାହିଁଛି ନୀଳିମା । ସେଇଠି ଗଢିଛି ସେ ତା’ ଘର । ଇଟା, ମାଟି, ସିମେଣ୍ଟର ନୁହେଁ, ଅକଳ୍ପନୀୟ ତାର ସେ ଚିର-ଇପ୍ସିତ ଘର ।

‘ତୁମପାଇଁ ବସା ହୋଇପାରେ, କିନ୍ତୁ ମୋ ପାଇଁ ଏଇଟି ମୋର ଏକାନ୍ତ ନିଜସ୍ୱ ଘର’ ।ବଡ ସନ୍ତର୍ପଣରେ କହିଲା ନୀଳିମା ।ତା’ର ଅକୁହା ଆବେଗର ପ୍ରଗଳ୍ଭ ସ୍ୱର ଯେମିତି କହିଚାଲିଥିଲା , ’ ତୁମର ଉପସ୍ଥିତି ହିଁ ମୋ’ ମଥା ଉପରର ଛାତ , ଚିରସ୍ଥାୟୀ ଘର । ଏଠି ସେଠି ଗଢା ଅସ୍ଥାୟୀ ବସା ନୁହେଁ । ତୁମ ଦୁଇ ଆଖିର ଭରପୂର ସ୍ନେହ ହିଁ ମୋର ଭରାପୁରା ସଂସାର । ସେଇ ତ ମୋ ସ୍ୱପ୍ନର ଘର’ । ନୀଳିମା ନିବିଷ୍ଟ ଭାବରେ ଚାହିଁ ରହିଥିଲା ରଘୁନାଥକୁ । ତାର ସେ ସରଳ ଢଳଢଳ ଚାହାଣୀରେ ନ ଥିଲା ଛଳନା, ନଥିଲା କପଟତା । ସେ ଚାହାଣିର ମଧୁର ଉଷ୍ମତା ପ୍ରସରି ଯାଉଥିଲା ରଘୁନାଥର ହୃଦୟ ତନ୍ତ୍ରୀକୁ, ସ୍ନିଗ୍ଧ କୋମଳ ଉନ୍ମାଦନାଟିଏ ହୋଇ…

****

Leave a comment