ଆଜି ଜୀବନର ପ୍ରଥମ ତୁଷାରପାତ ଦେଖିଲି ମୁଁ । ଲାଗୁଥିଲା ଯେମିତି ପରୀ ରାଇଜରେ ବୁଲୁଛି । ସଞ୍ଚିତଙ୍କ ହାତଧରି ବାହାରି ଆସିଥିଲି ଆପର୍ଟମେଣ୍ଟରୁ । ବରଫର ଗୁଣ୍ଡ ସବୁ ଝରି ପଡୁଥିଲା ତୁଳା ଖଣ୍ଡ ପରି । ଶ୍ଵେତ ଖ୍ରୀଷ୍ଟମାସର ଆଗମନରେ ଖୁସି ଥିଲେ ସମସ୍ତେ । ଟ୍ରେସି ଫୋନ୍ କରି ତା ଘରକୁ ନିମନ୍ତ୍ରଣ କରିଥିଲା ଆମ ଦୁହିଁଙ୍କୁ । ସେମିତି ଚାଲି ଚାଲି ତୁଷାରର ଛିଟାକୁ ଦେହରେ ମୁହଁରେ ବୋଳିହୋଇ ଆମେ ପହଞ୍ଚିଲୁ ଟ୍ରେସି ଘରେ । ଫିଲିପ ଓ ଟ୍ରେସି ଦୁହେଁ ମିଶି ଆମକୁ ସ୍ଵାଗତ କଲେ । ପୁଅ ଜେନି ସ୍କୁଲ୍ ଟ୍ରିପ୍ ରେ ଯାଇଛି । ଟ୍ରେସି ଫ୍ରେମ୍ କରାହୋଇଥିବା ତାଙ୍କ ତିନି ଜଣଙ୍କର ବେଶ୍ ବଡ ଫଟୋଟିକୁ ଦେଖେଇଥିଲା ମତେ । ଟ୍ରେସି ଓ ଫିଲିପ୍ ଏକାଠି ରହିଲେଣି ଗତ ପାଞ୍ଚବର୍ଷ ହେଲା । ଏମିତି ଲିଭ୍ – ଇନ୍ ରିଲେସନରେ ରହିବାକୁ ଟ୍ରେସି ହିଁ ନିଷ୍ପତ୍ତି ନେଇଛି । ଏକା ଅଫିସ୍ ରେ ଚାକିରି କରିଥିବା ସତ୍ତ୍ଵେ , ପରସ୍ପରର ଖୁବ୍ ନିକଟ ବାନ୍ଧବୀ ହେଇଥିବା ପରେ ମଧ୍ୟ ତାର ବ୍ୟକ୍ତିଗତ ଜୀବନକୁ ନେଇ କେବେ ବି ପ୍ରଶ୍ନ କରିନି ମୁଁ । ଖିଆପିଆ ପରେ ଏକାଠି ଖ୍ରୀଷ୍ଟମାସ୍ ମେଳା ଦେଖିବାକୁ ବାହାରିଲୁ ଆମେ ।
ସହରର ମଝିଆ ମଝି ସିଟି ସେଣ୍ଟରରେ ଅସ୍ଥାୟୀ ଦୋକାନ ଗୁଡିକରେ ସଜେଇ ହୋଇ ରହିଥାଏ କେତେନା କେତେ ଜିନିଷ । ଦୋକାନ ପରେ ଦୋକାନ ଘୂରି ବୁଲୁଥିବା ବେଳେ ହଠାତ୍ ଗୋଟିଏ ଦୋକାନ ଆଗରେ ଅଟକି ଗଲା ଟ୍ରେସି । ଦୋକାନରେ ଝୁଲୁଥିଲା ଶୁଖିଲା ଘାସ ପରି ଜିନିଷରେ ତିଆରି ଛୋଟ ଛୋଟ ଝୁଲା । କୁନି କୁନି ଚକ୍ ମକ୍ ଘଣ୍ଟି ସବୁ ଲାଗିଥିଲା ସେଥିରେ । ଖୁବ୍ ଆଗ୍ରହରେ ହାତରେ ଓଲଟେଇ ଓଲଟେଇ ଦେଖୁଥିଲା ଟ୍ରେସି ସେ ଘଣ୍ଟିକୁ । ‘ଏଇଟିକୁ ଘରର ଦ୍ଵାର ଦେଶରେ ଝୁଲାଇଲେ ସ୍ବାମୀ-ସ୍ତ୍ରୀଙ୍କ ପ୍ରେମ ଗଭୀର ହୁଏ, ହୁଏ ଦୀର୍ଘସ୍ଥାୟୀ’ । ଟ୍ରେସି ଝୁଲାଟିଏ ହାତରେ ଧରି ମତେ କହିଲା । ସେଥିରୁ ଗୋଟିଏ କିଣି ନେବାକୁ କହିବ କି ସେ ମୋତେ? ସଞ୍ଚିତଙ୍କ ପ୍ରତି ମୋ ପ୍ରେମ ଗଭୀର । ଏସବୁରେ ମୋର ବିଶ୍ଵାସ ନାହିଁ । କହିବାକୁ ଯାଇ ରହିଗଲି ମୁଁ । ମୋତେ ଚମତ୍କୃତ କରି ଟ୍ରେସି ନିଜର ବାହୁ ବନ୍ଧନରେ ବାନ୍ଧି ଦେଇଥିଲା ଫିଲିପ୍ ଙ୍କୁ । ହସି ହସି ସେ ଝୁଲାରୁ ଗୋଟିଏ ଆଣି ସେ ଗୁଞ୍ଜି ଦେଇଥିଲେ ଟ୍ରେସି ହାତରେ । ହାତ ବ୍ୟାଗ୍ ରେ ଝୁଲାଟିକୁ ରଖି ଟ୍ରେସି କହିଲା “ଆଜି ହିଁ ମୁଁ ଟାଙ୍ଗି ଦେବି ଏ ଝୁଲାଟିକୁ ଆମ ଘରର ଦ୍ଵାର ଦେଶରେ ।” ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା, “ଫିଲପ୍ ଙ୍କୁ ଵିଵାହ କରିବାରେ ଡେରି କାହିଁକି ?” ନିହାତି ବ୍ୟକ୍ତିଗତ ଏ କଥାଟିକୁ କହିଦେବା ପରେ ମୁଁ ଅସହଜ ଅନୁଭବ କରୁଥିଲି ।
ମତେ ସହଜ କରିନେଇ ଟ୍ରେସି ଧରିନେଲା ମୋ ହାତ , କହିଲା “ନମ୍ରତା, ଫିଲିପ୍ ଙ୍କୁ ମୁଁ ବହୁତ ଭଲପାଏ, କିନ୍ତୁ ବିବାହ କରିବିନି କାହିଁକି ଜାଣ ? ଏବେ ମୋ ପୁଅ ଜେନି କେବଳ ମୋର । ଫିଲିପ୍ ଙ୍କର ତା ଉପରେ କିଛି ବି ଅଧିକାର ନାହିଁ । ବିବାହ ପରେ ଯଦି ଆମର ମନୋମାଳିନ୍ୟ ଘଟେ ଓ ଫିଲିପ୍ ମୋଠାରୁ ଅଲଗା ହୋଇଯାଆନ୍ତି ତେବେ ଜେନି ଉପରେ ସେ ବି ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ । ଛଡେଇ ନେଇ ପାରନ୍ତି ମୋ ଜେନିକୁ ମୋ ପାଖରୁ । ଏକଥା ମୁଁ ଆଦୌ ସହିପାରିବିନି। ସେଥିପାଇଁ ମୁଁ ବିବାହ କରିବିନି । ବିବାହ ନକଲେ ଛୁଆ କେବଳ ତା ମାଆର। ଟ୍ରେସିର ଢ଼ଳଢ଼ଳ ଆଖି ଥରଥର ଓଠ ତାର ବିକଳ ମାତୃତ୍ଵ ଓ ବାତ୍ସଲ୍ୟ ପ୍ରେମକୁ ପ୍ରକାଶ କରିବାକୁ ଭାଷା ଖୋଜୁଥିଲା ।
ଫିଲିପ୍ ଙ୍କ ଆଖି ଜକେଇ ଆସିଥିଲା । “ମୁଁ ବି ଭଲପାଏ ଜେନିକୁ, ଭଲପାଏ ଟ୍ରେସିକୁ । ଏ ଝୁଲା ସେ ନ ଝୁଲାଇଲେ ମଧ୍ୟ ମୁଁ ସେ ଦୁହିଁଙ୍କୁ ସେମିତି ଭଲ ପାଇବି ଚିରକାଳ। ଟ୍ରେସି ମତେ ବିଶ୍ଵାସ କଲେ ତ ….” ଟ୍ରେସି ହସି ଉଠିଲା ଏଥର ଶବ୍ଦ କରି । ସମସ୍ତଙ୍କ ଆଗରେ ଫିଲିପଙ୍କ ଓଠରେ ପ୍ରେମର ଆଲେଖ୍ୟ ଦେଇ କହିଲା, “ମୁଁ ବିଶ୍ଵାସ କରେ, ଗଭୀର ଭାବରେ, ବିଶ୍ଵାସ କରେ ତୁମକୁ । ଆମ ପ୍ରେମ ଆହୁରି ଗଭୀର ହେଉ , ଚିରସ୍ଥାୟୀ ହେଉ , ଏଇଆ ତ ମୁଁ ସବୁବେଳେ ଚାହିଁଛି । ଜେନି ମୋର ଦୁର୍ବଳତା …..” ଟ୍ରେସି କହୁ କହୁ ଅଟକିଗଲା। ଭାରତୀୟ ସଂସ୍କୃତିରେ ବଢ଼ିଥିବା ମୋର ଚିନ୍ତାଧାରାର ଝଲକ ମୁଁ ଦେଖିପାରୁଥିଲି ତା’ଠି । ପୁଣି ମନରେ ସଂଶୟ କାହିଁକି ? ବିବାହ ଏକ ବନ୍ଧନ – ହୋଇପାରେ ସାମାଜିକ ବା ଆଇନଗତ । କିନ୍ତୁ ପ୍ରେମ ଶାଶ୍ଵତ, ଚିରନ୍ତନ। ଫିଲିପ୍ ଓ ଟ୍ରେସିଙ୍କ ଭିତରେ ପରସ୍ପର ପ୍ରତି ଥିବା ଗଭୀର ପ୍ରେମ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ସେ ଦୁହିଁଙ୍କ ଆଖିରେ ।
………