‘ହେଇଟି ବୋଉ, ପତିତପାବନ ବାନା ଦିଶିଲାଣି’ – ସରିତା ମୋ ପାଖ ସିଟରୁ ଅଧା ପଛ ଆଡକୁ ଝୁଙ୍କି ଯାଇ ବୋଉ ଉଦ୍ଦେଶ୍ୟରେ କହିଲେ ।
– ‘ଆମେ ସମୁଦ୍ରକୂଳ ଯିବା?’ – ହାତ ଯୋଡ଼ି ମୁଣ୍ତରେ ଲଗେଇ ପତିତପାବନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ବେଳେ ପଚାରିଦେଲା ବୋଉ । ପତିତପାବନ ବାନା ବୋଉ ଦେଖି ପାରୁଥିଲା କି ନା କେଜାଣି? ହଠାତ୍ ତା’ ମୁହଁରୁ ସମୁଦ୍ରକୂଳ ଯିବା କଥାଶୁଣି ଷ୍ଟିଅରିଂ ଉପରେ ମୋ ହାତ ଟିକେ ଚାପି ହୋଇ ରହିଗଲା । ଅନେକ ଦିନ ତଳର ସ୍ମୃତି ଆଚ୍ଛନ୍ନ କରିପକାଇଲା ମତେ ।
ବାପା ଥିଲାବେଳେ ପୁରୀ ଆସିଲେ ଜଗନ୍ନାଥ ଦର୍ଶନ ସହିତ ସମୁଦ୍ର ବୁଲା ନିଶ୍ଚୟ ହୁଏ । ସମୁଦ୍ର ପାଣି ଟିକେ ମୁଣ୍ତରେ ନ ଛିଞ୍ଚିଲେ ବୋଉର ପୁରୀ ଆସିବା ସମ୍ପୂର୍ଣ୍ଣ ହୁଏନି ବୋଲି ସେ କହେ। ବାପା ବି ସମୁଦ୍ରକୂଳ ଯିବାକୁ ଆଗ୍ରହ କରନ୍ତି । ବାପା ଯିବାର ସାତ ବର୍ଷ ହୋଇଗଲାଣି ଏ ଭିତରେ । ବୋଉକୁ ନେଇ ଥରେ ଦୁଇଥର ପୁରୀ ଆସି ବୁଲି ଯାଇଛୁ ଆମେ । ଜଗନ୍ନାଥ ଦର୍ଶନ କରି ଆମେ ଫେରି ଯାଇଛୁ । ସମୁଦ୍ର କୂଳ ଯିବାକୁ ସମୟ ହୋଇନି । ଆଜି ପରି ବୋଉ ବି ସମୁଦ୍ର କୂଳ ଯିବାକୁ ମନ ବଳେଇନି କେବେ । ସରିତାକୁ ପଚାରିଲି ‘ଯିବା’? – ‘ହଁ, ଚାଲୁନ, ଅନେକ ଦିନ ହୋଇଗଲାଣି ଆମେ ବି ଯାଇନେ । ପିଲାମାନେ ସାଙ୍ଗମାନଙ୍କ ସହ ଆସୁଛନ୍ତି କେବେ କେବେ । ଆମେ କିନ୍ତୁ ଆସିପାରିନେ । ସରିତା ସମୁଦ୍ର କୂଳ ଯିବା ଆଗ୍ରହରେ ଉତଫୁଲ୍ଲିତା ଦିଶୁଥିଲେ ।
ଜଗନ୍ନାଥଙ୍କୁ ଦର୍ଶନ କରି ଆନନ୍ଦ ବଜାରରେ ଅବଢ଼ା ଖାଇ ସାରି ସମୁଦ୍ର କୂଳରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଆସନ୍ନ ପ୍ରାୟ । ବୋଉ ବାଲିରେ ବସିଲା ସମୁଦ୍ରକୁ ମୁହଁ କରି । ଢେଉ ସବୁ କୂଳ ଲଂଘୁଥିଲେ । ‘ବୋଉ, ତୁ ଓଦା ହୋଇଯିବୁ, ଟିକେ ପଛକୁ ବସ’ – ଆକଟ କରି କହିଥିଲି ମୁଁ । ‘ନାଇଁରେ, କିଛି ହବନି’ । ବୋଉର ପାଦ ଆଉଁସି ଦେଇ ଫେରି ଯାଉଥିବା ଲହରୀରୁ ନଇଁ ପଡି ଅଞ୍ଜୁଳାଏ ପାଣି ହାତରେ ନେଇ ବୋଉ ଛୋଟ ଝିଅଟିଏ ପରି କୁରୁଳି ଉଠୁଥିଲା । ପାଣିତକ ଝରି ପଡୁଥିଲା ତା ହାତ ମୁଠାରୁ । ବୋଉ ନିଜ ମୁଣ୍ଡରେ ଛିଞ୍ଚି ଦେଲା ପାଣି ଆଉ ଗୁଣୁ ଗୁଣୁ ହୋଇ କଣ ସବୁ କହୁଥିଲା ।
ବାପାଙ୍କ ହାତଧରି ବାଲି କଙ୍କଡା ପଛରେ ଧାଇଁବା, କୁଢ଼ କୁଢ଼ ଶିପ ଭିତରେ ଶାମୁକା ଖୋଜିବାର ସ୍ମୃତି ସବୁ ଧାଡି ବାନ୍ଧୁଥିଲେ ମୋ ମନ ଆକାଶରେ ।
– ‘ହେଇ, ହେଇ, ଦେଖ । ବାଲି କଙ୍କଡାଟି ଚୁଟ୍ କରି ପଶିଗଲା ସେ କୁନି ଗାତଟି ଭିତରେ’ । ବାଲିରେ ଆଣ୍ଠେଇ ପଡି ସରିତା ମତେ କହୁଥିଲା । ବୋଉ ଆଙ୍ଗୁଠି ଅଗରେ ଗାର ଟାଣୁଛି ବାଲିରେ । କଣ ଲେଖୁଛି ବୋଧେ । ସରିତାର ସେ ଆଡ଼କୁ ନିଘା ନାହିଁ । ସେ ବାଲି କଙ୍କଡା ପଛରେ ଧାଇଁବାରେ ଲାଗିଛି । ବୋଉ ପାଖରେ ବସି ପଡ଼ିଲି ମୁଁ । ବୋଉ ତର ତର ହୋଇ ଲିଭେଇ ଦେଲା ତା ଲେଖାକୁ । ବୋଉ ମୁହଁ ଓଦା ଦିଶୁଥିଲା । ବାପାଙ୍କୁ ମନେପକାଇ ବୋଉ ଆଖି ଜକେଇ ଆସିଥିଲା । – ‘ବୋଉ, ଦାଦାଙ୍କ ଘରକୁ ଯିବା?’ – ଧିରେ କହିଲି ମୁଁ । ବୋଉ ଟିକେ ଚମକି ଚାହିଁଲା ମୋ ଆଡେ ।
ଗାଁ ଜମି ଭାଗବଣ୍ଟା ପରେ ଦାଦାଙ୍କର ଅମଣିଷପଣିଆ ଆମ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ସେତେବେଳେ ମୁଁ ଥିଲି ବିଶ୍ଵବିଦ୍ୟାଳୟର ଛାତ୍ର । ଭଲମନ୍ଦ ବୁଝିବାର କ୍ଷମତା ଆସିଯାଇଥିଲେ ମଧ୍ୟ ଗୁରୁଜନଙ୍କ ନିଷ୍ପତ୍ତି ହିଁ ଥିଲା ଶେଷ ନିଷ୍ପତ୍ତି । ଅନ୍ଧ ଭଳି ଭଲ ପାଉଥିବା ସାନ ଭାଇଟିର ଅସଦାଚରଣରେ ଭାଙ୍ଗି ପଡ଼ିଥିଲେ ବାପା । ହୁଏତ ତାହାହିଁ ତାଙ୍କର ହୃଦଘାତର କାରଣ ହୋଇଥିଲା ବୋଲି ମୋ ମନ କହିଥିଲା ଆଉ ଶୁଦ୍ଧିକ୍ରିୟା ସରିବା ପରେ ଗାଁ ବା ଦାଦାଙ୍କ ମୁହଁ ଚାହିଁବିନି ବୋଲି ମୋର ପ୍ରତିଜ୍ଞା ସମସ୍ତଙ୍କୁ ଶୁଣାଇ ଦେଇଥିଲି । ଆଜି ସାତବର୍ଷ ପରେ ମୁଁ ନିଜେ ବୋଉ ଆଗରେ ଗାଁ କୁ ଯିବାର ପ୍ରସ୍ତାବ ରଖିଛି ।
ଗାଁ ରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା । ଆମେ ଗାଡ଼ିରୁ ଓହ୍ଲେଇ ଦୁଆରେ ଠିଆ ହେଲୁ । ସରିତା ଜିନିଷ କାଢୁଥିଲେ ଗାଡ଼ିର ଡିକି ଖୋଲି । ବୋଉ ତାର ଥିରି ଥିରି ପାଦ ପକେଇ ଚଢ଼ିଯାଉଥିଲା ଘରର ପାହଚ ଉପରେ । ମୁଣ୍ଡରେ ଓଢଣା ଟାଣିଛି ବୋଉ । କେଜାଣି କାହିଁକି ବୋଉକୁ ଦେଖି ମନେ ହେଉଥିଲା ବୋଉ ସତେ ଯେମିତି ଫେରିଯାଇଛି ଅତୀତର ସେଇ ଦିନକୁ; ବୋହୂ ହୋଇ ପ୍ରଥମ ଥର ପାଇଁ ପାଦ ଦେଉଛି ତା ଶାଶୁ ଘରେ । କିଛି ଗୋଟେ ଅଦ୍ଭୂତ ଅନୁଭବ ଛୁଇଁଗଲା ମତେ । ବୋଉର ହାତକୁ ମୁଠେଇ ଧରିଲି ମୋ ହାତ ମୁଠାରେ । ଫିସ ଫିସ କରି ବୋଉ କହିଲା, ‘ବୋହୂ ହୋଇ ଆସିଥିଲି ଏ ଘରକୁ, ଏଇ ଘରୁ ମୋର କୋକେଇ ଉଠେଇବୁ’ । ମୋ ଆଖି ଲୁହରେ ଭରି ଯାଇଥିଲା । ସାତପୁରୁଷର ଭିଟା ମାଟିରେ ସତେ କଣ ଏମିତି ଆକର୍ଷଣ ଥାଏ, ଥାଏ କି ଏକ ଚୁମ୍ବକୀୟ ଶକ୍ତି? ଗୋଟିଏ ହାତରେ ବ୍ୟାଗ୍ ଓହଳେଇ ଆମ ପଛରେ ଠିଆ ହୋଇଥିଲେ ସରିତା । ବୋଉ ପାଖରେ ଝିଅ ହୋଇ ନିଃସଙ୍କୋଚରେ ଚଳୁଥିବା ମହାପାତ୍ର ଘରର ନାତୁଣୀ ବୋହୂ, ମୋ ଧର୍ମପତ୍ନୀ ଆର ହାତରେ ସମ୍ଭାଳିବାରେ ଲାଗିଥିଲେ ଅନଭ୍ୟସ୍ତ ହାତରେ ମୁଣ୍ଡ ଉପରେ ସେ ଟାଣି ଧରିଥିବା ସମ୍ଭ୍ରମତାର ଓଢଣା ।
****